Unknown

 

 

 

 

 

 

 

 

 

ଝନ୍‌ଜା

କାହ୍ନୁଚରଣ ମହାନ୍ତି

 

ଜୟପୁର

୨୧–୧୦–୧୯୪୯

ଦିଆଲି

 

ଧୂଳ ଭାଇ,

 

ଥରକୁ ଥର ପାଞ୍ଚଥର ବୋଉର କୋଳକୁ ଆସି ଉତାଣି ବେଳ ନ ଗଡ଼ୁଣୁଁ ତମେ ବାହୁଡ଼ି ଯାଇଥିଲ । ୧୯୦୪ ସାଲରେ ଯେତେବେଳେ ଛଅଥର ପାଇଁ ଷଠୀଦିଉଛେଈଁ ତମକୁ ଏ ଦୁନିଆଁକୁ ପଠାଇଲେ, ବୋଉ ଗୋଟିଏ ଉପାୟ ଫାନ୍ଦି ତମକୁ ଅଟକାଇ ରଖିଲା । ଫୁଲନାଡ଼ କରି ଟେକିଦେଲା ଚମାରୁଣୀ ବୁଢ଼ୀ ହାତକୁ, ମୋତେ କଡ଼ାଏ କଉଡ଼ି ନେଇ । ଡରି ଡରି ତମର ନାଆ ଦେଲା ଧୂଳିଆ, ଅଖୋଜା ଅପୁଛା ବାଟର ଧୂଳି । ଧୂଳି ଯେମିତି ସବୁଦିନେ କଅଁଳା ପିଲା, ପୁଣି ସବୁଠୁଁ ବଡ଼ ପୋଖତା ବୁଢ଼ା, ତମେ ବି ସେମିତି ପିଲା ବୁଢ଼ାର ମିଶାମିଶି ।

 

ଆସିଲ ତ ମାଟିଗୋଡ଼ିର ରାଇଜକୁ, ଯେଉଁଠି ମହାନଦୀ ସଙ୍ଗେ ତେଲନଦୀ ମିଶିଛି, ବରଷ ଦୁଇଟି ନ ପୁରୁଣୁ ମତେ ପୁଣି ଡାକି ଆଣିଲ ଦରୋଟି କଥା କହି, ପ୍ରଲୋଭନ ଦେଖାଇ, ମନ ଭୁଲାଇ–ଏ ଦୁନିଆଁ ବଡ଼ ଭଲ, ସବୁ ସୁଖ ସବୁଆନନ୍ଦ ଏଠି ଠୁଳ ହୋଇଛି, କିଛି ଅଭାବ ନାହିଁ ।

 

ଅଭାବ ଅସୁବିଧା ଭିତରେ ଘାଣ୍ଟି ଚକଟି ହୋଇ ମୁଣ୍ଡର ବାଳ ପାଚିଲା, ଦାନ୍ତ ହେଲା ହଲର ହଲର, ଆଖିରେ ମାଡ଼ି ଆସିଲା ପରଳ, କାହିଁ, ସୁଖ, କାହିଁ ଆନନ୍ଦ ? କେତେ ଭବିଷ୍ୟତ ଅତୀତ ଭିତରେ ଛପି ଯାଇଛି ମୁଣ୍ଡ ନୁଆଁଇ । ରକତ ପାଣି ଫଟାଇ ଦିନରାତି ଅବସ୍ଥା ସଙ୍ଗେ ଜୁଝିଥାଇଁ । ଅଭାବ କଣ ମେଣ୍ଟିଲା ? ସୁଖ ଆନନ୍ଦ ମିଳିଲା ? ପାଖ ପାଖର ଦିଓଟି ଭାଇ, ଦିଓଟି ବନ୍ଧୁ, ଦୂରେଇ ଆସିଲେ, ନିଜ ଗଢ଼ା ବନ୍ଧନରେ ଆପେ ଆପେ ବାନ୍ଧି ହେଲେ ସୁଖ ଆନନ୍ଦର ମୋହରେ ।

 

ସୁଖ ଆନନ୍ଦ କଣ କଛି ଏ ଦୁନିଆଁରେ ଯେଉଁଠିକି ମତେ ଡାକି ଆଣିଥିଲ, ଯେଉଁଠି ପ୍ରତି ମୁହୂର୍ତ୍ତରେ ପ୍ରତି ମଣିଷର ଅନ୍ତରେ ବାହାରେ ଛୁଟିଛି ପ୍ରବଳ ତୋଫାନ, ଜଳୁଛି ଲହ ଲହ ନିଆଁ ଆଉ ସେଇ ପ୍ରଳୟ ତାଣ୍ଡବ ମଝିରେ ଝରି ପଡ଼ୁଛି ଦୁଇ ଧାର ଲୁହ ଲହୁ, ସୁଖଶାନ୍ତିର ଦୁର୍ବଳ ସୂଚନା, ଗଙ୍ଗା ଯମୁନା; ମହାନଦୀ ତେଲନଦୀ– ?

 

ସେଇ ତୋଫାନର ଗୋଟିଏ ପ୍ରବାହ, ସେଇ ଅନଳର ଗୋଟିଏ କଣିକା ଏଇ ‘‘ଝନ୍‌ଜା’’, ତମରି ହାତକୁ ବଢ଼ାଇ ଦେଉଛି ।

 

ତମର

କହ୍ନେଇ

•••

 

ଦୋଳପୁନେଇଁ । ସଞ୍ଜବେଳ । ଆକାଶ କୋଳରୁ ସୁନାଥାଳି ପରି ଠିକ୍ ଠ ବର୍ତ୍ତୁଳ ଜହ୍ନ ଉଠି ଆସିଲାଣି । ନେଳିଆ ଆକାଶ ଉଜଳି ଉଠିଲାଣି । ରୂପୁଲି ଭସାମେଘ ଦିଶିଲାଣି ତୋରା ।

 

କ୍ଷଣପ୍ରଭା ଚାନ୍ଦକୁ ଅନାଇଁ ଠିଆ ହୋଇଥିଲା । ଭସାମେଘ ସଙ୍ଗେ ହସିଲା ଜହ୍ନର ଲୁଚକାଳି ଖେଳ । ମନ ତାର ହଜି ଯାଇଥିଲା ସରଗପୁରରେ । ଗୋଡ଼ ଚିପିଚିପି ପଛରୁ ଆସିଲା ନୀହାରିକା । କ୍ଷଣପ୍ରଭାର ସାନ ନଣନ୍ଦ । ହାତରେ ରଙ୍ଗପାଣି ଭରା ପିଚକାରୀ । ସକାଳ ପହରୁ ବାଗ ଉଣ୍ଡି ଉଣ୍ଡି ରହିଥିଲେ । ଘରେ ଥିଲେ ଭାଇ । ବୋଉ ଚାହିଁ ରହିଥିଲେ । ଭାଉଜର କାମ ବେଳ । ପୁଣି, ତାଙ୍କର ତେଜିଲା ଆଖିରୁ ଚାହିଁ ରଙ୍ଗପାଣି ପକାଇବାକୁ ସାହସ କରିପାରି ନ ଥିଲା । ଏଇ ତ ସୁବିଧା ବେଳ ।

 

ନୀହାରିକା ପିଚକାରୀ ଚିପିଲା ।

 

କ୍ଷଣପ୍ରଭାର କରୁଣ ଆପତ୍ତି ଲକ୍ଷ୍ମୀଙ୍କ କାନରେ ପଡ଼ିଲା । ରୋଗ ଶେଯ ଉପରେ ବସି ଧଇଁକାଶରେ ସେ ବ୍ୟସ୍ତ ହେଉଥିଲେ । ପାଟିକରି ଉଠିଲେ, ଏଡ଼େ ବଡ଼ ଝିଅ ହେଲାଣି, ବୁଦ୍ଧି ଦେଖ, ହଇ ଲୋ, ସଞ୍ଜବେଳେ କିଏ ରଙ୍ଗପାଣି ପକାଏ ? ଅଲାଜୁକୀ, ଅସଣ୍ଠୁଣୀ ଝିଅ, ଛି–

 

ନୀହାରିକା କାଠପିତୁଳା ପରି ଠିଆହୋଇ ରହିଲା । ମନର ସରାଗ ମଉଳିଗଲା । ନିଜକୁ ସେ ଅପରାଧୀ ମଣିଲା । ନୂଆବୋହୂ ଆଗରେ ଠିଆ ହୋଇଛନ୍ତି । ଧୋବ ଶାଢ଼ୀ ଜହ୍ନ ଆଲୁଅରେ ସଫା ଦିଶୁଛି । ପିଠି ଉପରୁ ଗଡ଼ି ଆସିଛି ରଙ୍ଗପାଣି । ଖଣ୍ଡିଏ ବୋଲି ଭଲ ଲୁଗା । ସତେ ତ, କାହିଁକି ସେ ଏ ବୁଦ୍ଧି କଲା ?

 

କଅଁଳ ଜହ୍ନ ଉପରେ ରୂପୁଲି ମେଘ ଭାସିଗଲା । ମେଘ ମଝିରେ ପାତଳ କଳା ଗାର ।

 

ନୀହାରିକାର ମୁହଁ ମଉଳିଲା । କ୍ଷଣପ୍ରଭା ବୁଝିଲା ତା ମନର ଦୁଃଖ । ପାଖକୁ ଆସି ହାତଧରି ସେନେହି କହିଲା, ମନଦୁଃଖ କଲ, ସେମିତି ତମକୁ କହିଦେଲି ନା ଥଟ୍ଟାରେ, ମାର, ଆଉ ପିଚକାରୀ । ଆଜି ରଙ୍ଗପାଣି ଦିନ । ମୋ ସଙ୍ଗରେ ତମେ ନ ଖେଳିବ ତ ଆଉ ଖେଳିବ କିଏ ?

 

ନୀର ହାତରୁ ପିଚକାରୀ ଖସିପଡ଼ିଲା । କାନ୍ଦୁଣି ମାନ୍ଦୁଣି ହୋଇ ସେ କହିଲା, ଭୁଲ କଲି ନୂଆଉ, ମୋତେ କ୍ଷମାକର ।

 

କ୍ଷଣପ୍ରଭା କହିଲା, ତମେ ଭୁଲ କରିନା, ଆଜି ଏଇ ଭଲ ଦିନରେ ତମ ମନରେ ମୁଁ ଦୁଃଖ ଦେଇଛି, ତମ ଅଧିକାରରେ ମୁଁ ବାଧା ଦେଇଛି, ଭୁଲଟା ମୋର । ମନରେ ଧରନା ନୀର, ସୁନା ଭଉଣୀଟି, ଆସ, ଆଜି ତୁମକୁ ନୂଆ ଗୀତ ଶିଖାଇଦେବି ।

 

ଲୁଗା ପାଲଟିବ ନାହିଁ ?

 

ନାଇଁ ନୀର, ତମର ସ୍ନେହ, ଆଗ୍ରହ, ଆନନ୍ଦର ଧାରାଟି ମୋ ଦେହରେ ଏମିତି ଲାଗି ରହିଥାଉ । ଆସି, ଗୀତ ଶିଖିବ । ନୀର, ମୁହଁ ଏମିତି ଶୁଖାଇଛ କାହିଁକି ? ହସିଲ ମୋ ରାଣ, ତମେ ହସ । ଏଇ ଦେଖ ଚାନ୍ଦ ହସୁଛି । ମେଘ ଦୂରେଇ ଗଲାଣି, ତମେ ହସ । ନୋହିଲେ ପୁଣି–

 

ନୀହାରିକାର କଅଁଳ ରଙ୍ଗିଲା ଓଠରେ ହସ ଚହଟିଲା । ଭାଉଜର ହାତ ଧରି ସେ ଗୀତ ଶିଖିବାକୁ ଗଲା ।

ଲକ୍ଷ୍ମୀ ସବୁ ଶୁଣିଲେ । ତୁଣ୍ଡ ଖାଲିଲେ ନାହିଁ । କାନ ଦେଲେ ଦାଣ୍ଡଦୁଆରଆଡେ । କେତେବେଳେ ତୁଷାର ଆସି ଡାକ ଛାଡ଼ିବ, ବୋଉ ବୋଉ–

 

ଦୋଳପୁନେଇଁ ବାସି ।

 

ସଞ୍ଜହେଲା । କାହୁଁ ଘୋଟି ଆସିଲା ଅଦିନିଆ କଳା ଘୁମର ମେଘ । ପବନ ବୋହିଲା ବେଗରେ । ଘନ ବିଜୁଳି ମାରିଲା । ତା ସଙ୍ଗେ ଘଡ଼ଘଡ଼ି । ଘଡ଼ିଏ ଅନ୍ଧାର ପରେ ଜହ୍ନ ଉଠିଥାନ୍ତା । ନିଘଞ୍ଚ କଳାବଉଦ ସାରା ଆକାଶରେ ଘୋଟି ରହିଛି । ବରଷା ଝରିଲାଣି ।

 

ନୁଆଣିଆ ରୋଷଇଘରର ଝରକା ବାଟେ ପବନ ଭୁସ୍ ଭୁସ୍ ପଶି ଆସିଲା । ଦୁର୍ବଳ ଚାଳଟା ଉଠିଲା ପଡ଼ିଲା । ଭିଲିଗଲା ଡିବିରି ଆଲୁଅ । ଚୁଲି ଉପରେ ଭାତ ଫୁଟୁଛି । ପନିକି ପକାଇ କ୍ଷଣପ୍ରଭା ପରିବା କାଟୁଛି । ପୁଞ୍ଜିଏ ବାଇଗଣ, ଦିଓଟି ବନ୍ତଳ କଦଳୀ, ଦିଗଣ୍ଡା ବିଲାତିଆଳୁ, ପୁଞ୍ଜିଏ ସଜନାଛୁଇଁ । ଆଜି ଏତିକି ସେ ରାନ୍ଧିବ । ଭାତ, ଡାଲି, ଗାଟିଏ ତରକାରି । ଚାରି ପ୍ରାଣୀ କୁଟୁମ୍ବ । ଚଳିଯାଉଛି କୌଣସି ପ୍ରକାରରେ ।

 

ଆଲୁଅ ଭିଲିଲା । କ୍ଷଣପ୍ରଭା ଝରକା ବନ୍ଦ କଲା । ପୁଣି ଲଗାଇଲା ଆଲୁଅ । କବାଟି ଆଉଜାଇ ଆର ଘରକୁ ଗଲା । ନଲଟଣ ମିଞ୍ଜି ମିଞ୍ଜି ଜଳୁଛି । ରୋଗଣା ଶାଶୁ ଖଟ ଉପରେ ଶୋଇ ଗଁ ଗଁ ହେଉଛନ୍ତି । ପାଖରେ ବସିଛି ନୀହାରିକା । ଦିପହରୁ ଶାଶୁଙ୍କୁ ଜର । ଅଫିମ ସରିଛି । ସଞ୍ଜବେଳେ ହରଡ଼ ପ୍ରମାଣେ ଅଫିମ ଟିକେ ଖାଆନ୍ତି । ସେତିକି ତାଙ୍କ ଶ୍ୱାସରାଗକୁ ଦବାଇ ରଖେ-। ଅଫିମ ନ ହେଲେ ରାତିଯାକ ଖଁ ଖଁ ସଁ ସଁ ହେଉଥାନ୍ତି । ଛଟପଟ, କି କଷ୍ଟ !

 

କ୍ଷଣପ୍ରଭା ଡାକିଲା, ବୋଉ–

ଲକ୍ଷ୍ମୀ ଉତ୍ତର ଦେଲେ, କଅଣ ମା–

 

ଗୋଡ଼ରେ ହାତମାରି ପ୍ରଭା କହିଲା, ଦେହରେ ତାତି ଭରି ରହିଛି, କଅଣ ଖାଇବ ? ଦୁଧ ଟିକେ ପିଇ ଶୋଇବ ?

 

ହଉ; କେଡ଼େ ଥଣ୍ଡାଳିଆ ଲାଗୁଛି ପବନଟା । ବର୍ଷା ହେଲା କି ମା ?

ହଁ, ଅଦିନିଆ ମେଘ, ଛାଡ଼ିଯିବ ।

ରାତି କେତେ ହେଲାଣି ? ତୁଷାର ମୋର କିପରି ଆସିବ ?

କ୍ଷଣପ୍ରଭାର ଛାତିରେ ଚମକ ଲାଗିଲା । କହିଲା, ବେଳ ହେଇନାହିଁ ତ । ନୀର ଶୁଣିଲ–

 

ଖଟ ଉପରୁ ଉଠି ନୀହାରିକା ପାଖକୁ ଗଲା । ପ୍ରଭା କହିଲା, ତମେ ରୋଷ ଘରକୁ ଯାଅ-। ଭାତ ପୁଟୁଛି । ଜାଳ କମାଇ ଦେବ । ମୁଁ ଯାଉଛି ଚାଲ ।

 

ନୀହାରିକା ମୁଣ୍ଡ ଟୁଙ୍ଗାରି ଚାଲିଗଲା ।

 

ପ୍ରଭା ଝରକା କବାଟ ବନ୍ଦ କଲା । ଆର ଘରକୁ ଯାଇ ପୁରୁଣା ଶାଲ ଖଣ୍ଡି ଆଣି ଶାଶୁଙ୍କ ଉପରେ ଘୋଡ଼ାଇ ଦେଇ ପୁଣି ଗଲା ରୋଷଘରକୁ । ନୀହାରିକା ପରିବା କାଟୁଛି, ଭାତ ଗାଳି ସାରିଲାଣି ।

 

କ୍ଷଣପ୍ରଭା ଚୁଲି ଉପରେ ଡାଲିହାଣ୍ତି ବସାଇ କହିଲା, ତମେ ଏଥର ଯାଅ । ବୋଉ ଶୋଇଲେଣି । ତମ ଭାଇଙ୍କ ଟେବୁଲ ପାଖରେ ବସି ଅଙ୍କତକ କରିଦିଅ । ଯେଉଁଟା ନ ଆସିବ, ମୋତେ ପଚାରି ଯିବ ।

 

ବାହାରେ ପବନ । ଘରର ମଥାନ ଉଠୁଛି ପଡ଼ୁଛି । ବର୍ଷା କୁଟୁଛି । କୁଆପଥର ଅଗଣାରେ ଝଡ଼ୁଛି ଟପ୍‌ ଟପ୍‌ । ରହି ରହି ବିଜୁଳି ମାରୁଛି । ବେଳୁ ବେଳ ବଢ଼ୁଛି ବର୍ଷର ବେଗ ।

 

ଭାଇ କେମିତି ଆସିବେ ?

ଭଗବାନ ଆଣିବେ ।

ହଁ, ଭଗବାନ, ଭାରିତ ଭଗବାନ, ଅତି ନିର୍ଦ୍ଦୟ ସେ ।

ଛି–

 

ଛି କଣ ? ଆମକୁ କାହିଁକି ସେ ଦୁଃଖ ଦେଲେ ? ମୋ ଭାଇର ଆଖି ଦିଓଟି ନେଇ ତାଙ୍କର କେଉଁ ଲାଭ ହେଲା ? ମୋ ବାପାଙ୍କୁ କାହିଁକି ସେ ନେଲେ ? ବୋଉକୁ କାହିଁକି ସେ ରୋଗଣା କଲେ ?

 

ଆଉ ଦି ପଦ ଛାଡ଼ିଗଲ ନୀର, କହ, ତମକୁ କାହିଁକି ଝିଅ କରି ଜନମ ଦେଲେ ? ପଚାର, ମତେ କାହିଁକି ତମର ନୂଆଉ କଲେ । ମୁଁ ଆସିଲାକୁ ତମ ଘରକୁ ଦୁଃଖର ବଉଦ ଘୋଟିଆସିଲା । ନୀର, ସେଇ ଭଗବାନ ଯଦି କେବେ ଆଗକୁ ଆସନ୍ତେ, ତାଙ୍କୁ ଏସବୁ ପଚାରନ୍ତି ସିନା ! ସେ କେବେ ଆସିବେ ନାହିଁ, ଆମ ଦୁଃଖ ସେ ଦେଖିବେ ନାହିଁ, ଆମ ପ୍ରଶ୍ନର ଉତ୍ତର ଦେବେ ନାହିଁ । ସେଇଥିପାଇଁ ଲୋକେ କହନ୍ତ ଭାଗ୍ୟ । ଭଗବାନ ଆଉ ଭାଗ୍ୟ ଏକା କଥା । ଆମେ ଲଢ଼ିବା ଆମର ଦୂରବସ୍ଥା ବିରୁଦ୍ଧରେ । ତେଣିକି ଯାହା ହେବାର ହେଉଥାଉ । ଯା ନୀର, ମୋଟେ ପାଞ୍ଚଖଣ୍ଡି ଅଙ୍କ କରିଦେଇ ଆସିବ ।

 

ନୂଆଉ–

କଅଣ ?

ମୁଁ ପାଠ ପଢ଼ିବି ନାହିଁ ।

 

ପରିବା କଟା ଛାଡ଼ି ମୁହଁ ବୁଲାଇ କ୍ଷଣପ୍ରଭା ବିସ୍ମିତ ହୋଇ ନୀହାରିକାର ମୁହଁକୁ ଚାହିଁଲା-। ପୁନେଇଚାନ୍ଦ ପରି ସୁନ୍ଦର ଟିକି କୁଲୁକୁଲିଆ ମୁହଁଟି । ଯତ୍ନ କରି ନିଜ ହାତରେ ତା ମୁଣ୍ଡ ବାନ୍ଧି ଦେଇଥିଲା । କପାଳରେ ସିନ୍ଦୁର ଟୋପା । ଆଖିରେ କଜ୍ଜ୍ୱଳ । କି ଶୋଭା ସେ ଆଖି ଦିଓଟି ! ତୁଳିରେ ଆଙ୍କିଲା ପରି ସରୁ ସରୁ ଭ୍ରୁଲତା । ଟିକି ଧାରୁଆ ନାକ । ସରୁ ଓଠ । ସତେ କି କିଏ ରଙ୍ଗ ବୋଳିଛି । ଚମ୍ପାଫୁଲ ତୋରା ମୁହଁରେ ପୁରିଲା ପୁରିଲା ଗାଲ ।

 

ଏଇ ତାର ନଣନ୍ଦ !

 

ଦୁଇ ବର୍ଷ ତଳେ ସେ ତୁଷାରକାନ୍ତିର ହାତ ଧରି ତାଙ୍କ ଘରକୁ ଆସିଥିଲା । ନୀହାରିକାକୁ ଦେଖି ପ୍ରାଣ ପୁଲକି ଉଠିଥିଲା । ଭାଇ ଭଉଣୀ ଦୁହିଁଙ୍କୁ ଷଠୀ ଏକା ଛାଞ୍ଚରେ ଗଢ଼ିଛି । ନଅ ବର୍ଷର ଝିଅ ନୀରକୁ ସେ ଆପଣାର କଲା । ଦୁଇବର୍ଷ ପରେ ନୀହାରିକା ମୁହଁକୁ ଚାହିଁଲେ କ୍ଷଣପ୍ରଭାର ମନେପଡ଼େ ତାର ସ୍ୱାମୀ, ତାର ମନର ଦେବତା, ଦିନେ ସେ ଏମିତି ସୁନ୍ଦର ଥିଲେ । ଆଜି, ବିରୂପ ହୋଇଛନ୍ତି ।

 

ଭାଗ୍ୟର ଉପହାସ ! ମଣିଷର କି ଚାରା ?

ନୀହାରିକାର ମୁହଁ ବିରସ, ଆଖି ଢଳଢଳ ।

 

ପାଠ ପଢ଼ିବ ନାହିଁ ନୀର, କାହିଁକି ? କାଲି ଛାଡ଼ି ପଅରିଦିନ ତମ ସ୍କୁଲ ଫିଟିବ । ମାଷ୍ଟରାଣୀ କଅଣ କହିବେ ?

 

ନୀହାରିକା କହିଲା, ସ୍କୁଲରୁ ମୋର ନାମ କଟାଇ ଦିଅ । ପାଠ ତମେ ତ ଏତେ ପଢ଼ିଛ-। କଲେଜରୁ ପାସ୍‍ କରି ଆସିଛ । ଶେଷକୁ ଚୁଲି ଫୁଙ୍କିଲ । ଗଣ୍ଡାଏ ଭାତ ରାନ୍ଧିଲ । ଅଧିକା କଣ କଲ ନୂଆଉ ? ଭାଇ ମୋର ଏତେ ପାଠ ପଢ଼ିଲା । ହାକିମ ହୋଇ କାମ କଲା । ଅନାହୁତି ତାକୁ ହେଲା ବସନ୍ତ । ମୁହଁ ବିକୃତ ହେଲା, ଆଖି ଗଲା । ଚାକିରି ଗଲା । ପେଟପୋଷିବାକୁ ଟିଉସନ କଲା । ନୂଆଉ, ଏଇ ଦେଖ, ବିଜୁଳି କିପରି ମାରୁଛି । ଆଖି ଝଲସି ଉଠୁଛି । ଶୁଣ, କେଉଁଠି ଚଡ଼ଚଡ଼ି ପଡ଼ିଲାଣି । ପବନର ତୋଡ଼ । ଘର ମଥାନ ଦୋହଲୁଛି । ବର୍ଷା ଛେଚୁଛି, କୁଆପଥର ଝରୁଛି । ହେଇଟି ଦେଖ, ଚାଳକଣା ବାଟେ କେତେ ବଡ଼ ପଥର ଆସି ତମ ଗୋଡ଼ ପାଖରେ ପଡ଼ିଛି । ଭାଇ ଆସିବ କିପରି ?

 

ଏଗାର ବର୍ଷର ଝିଅ । ନୀହାରିକାର କଜ୍ଜ୍ୱଳପିନ୍ଧା ଆଖି କୋଣରେ ଲୁହ ଦି ବୁନ୍ଦା ଝଲସି ଉଠିଲା । ନାକପୁଡ଼ା ଥରି ଥରି କୋହ ଉଠିଲା । ସେ କହିଲା, ପାଠ ପଢ଼ିବି ନାହିଁ । ତମେ ସିନା ଆଉକିଛି ଜଣାନାହିଁ, ତମେ ଭାତ ରାନ୍ଧି ଶିଖେଇଛ । ନୂଆଉ, ମତେ ବାସନକୁସନ ମାଜି ଆସିବ, ଲୁଗା ଧୋଇ ଆସିବ । ରୋଷେଇ କରିବି, ଘର ଓଳାଇବି, ବୋଉର ଯତ୍ନ ନେବି, ଭାଇର ଯତ୍ନ ନେବି । ତମେ ପଢ଼, ଆହୁରି ପଢ଼–

 

କ୍ଷଣପ୍ରଭାର ଡାହାଣ ଆଖି ଡେଇଁ ଉଠିଲା । କାବା ହୋଇ ନୀରର ମୁହଁକୁ କ୍ଷଣେ ଚାହିଁ ଅଳପ ହସି ପଚାରିଲା, ଏତେକଥା ତମକୁ କିଏ ଖିଖାଇଲା ? ସରଳ ମନରେ ଏତେକଥା ପୂରାଇଛ ? ଆଇ.ଏ. ପାସ୍‍ କଲି । ଆଉ ବେଶି ପାଠପଢ଼ି କଣ ହେବ ? ଏତିକି ପଢ଼ି କଣ ତମମାନଙ୍କର ସେବା କରିବାରେ, ଯତ୍ନ ନେବାରେ ତ୍ରୁଟି କରିଛି ?

 

ନୀହାରିକା କହିଲା । ପାଠପଢ଼ି ଚାକିରି କରିବ, ଭାଇକୁ କଷ୍ଟ ହେବ ନାହିଁ । ସେ ଘରେ ଥାଇ ଟିଉସନ କରିବ ପଦାକୁ ଗଲେ ସବୁବେଳେ ଦକ୍‌ ଦକ୍‌ ହେବା ନାହିଁ ତ ! ଘର କାମ ମୁଁ କରିବି-। ନୂଆଉ–

 

କ୍ଷଣପ୍ରଭା ସ୍ତମ୍ଭୀତ ହେଲା । ନୀର ବି ଭାବୁଛି ତାର ଭାଇର କଥା । କହିଲା, ତମେ ପିଲାମଣିଷ । ତମକୁ ଏତେକଥା ଭାବିବାକୁ କିଏ କହୁଛି ? ସଂସାରରେ ଭଲ ଅସାର କି ଜାଣ ତମେ ? ଯାଅ, ପାଠପଢ଼ିବ । ଆଉଦିନେ ଏ ସବୁ କଥା ଭାବିବ ନାହିଁ ।

 

ନୀହାରିକା ଉତ୍ତର ନ ଦେଇ ଉଠିଲା ।

ନୀର– !

ନୀହାରିକା ଠିଆ ହେଲା ।

 

ପ୍ରଭା କହିଲା, ଆଚ୍ଛା, ତମେ ଆଜି ତରକାରି ରାନ୍ଧ । ଅଙ୍କ କାଲି ହେବ । ମୋ ମୁଣ୍ଡ ବଥାଉଛି । ଆସ ଏଠିକି, ମୁଁ ଯାଏ ।

 

ନୀହାରିକାର କଥା କେଇପଦ କ୍ଷଣପ୍ରଭାର ମୁଣ୍ଡ ଗୋଳମାଳ କରି ଦେଇଛି । ସୁଖ ଓ ଆନନ୍ଦର ପଛରେ ଗୋଡ଼ାଇ ସେ ହତାଶ ହୋଇଛି । କାହାରି ବିରୁଦ୍ଧରେ ଅଭିଯୋଗ କରିବାର ତାର କିଛି ନାହିଁ । ଯାହା ସେ ଭଲ ଭାବୁଛି, କରିଛି । ଆଉ ନିଜ କର୍ମର ଫଳ ସେ ଭୋଗିଛି, ଭୋଗୁଛି, ପୁଣି ଭୋଗିବ । ସତକଥା, ଅଭାବ ତାକୁ ଚାରିଆଡ଼ୁ ଗୁଡ଼େଇ ଧରିଛି । କିନ୍ତୁ କିଏ ତାର ଅଭାବ ମୋଚନ କରିପାରିବ ?

 

କ୍ଷଣପ୍ରଭା ଶୋଇ ଶୋଇ ଭାବୁଛି । ଛୋଟ ନୀହାରିକାକୁ ସେ ରୋଷଘରେ ଛାଡ଼ି ଦେଇ ଆସିଛି । ନୂଆ କଥା । ନଣନ୍ଦ ହେଲେ ମା ପେଟର ଟିକି ଭଉଣୀ ପରି ତାକୁ ସେ ଭଲପାଏ । ସେଇ ତାର ଆନନ୍ଦ, ସେଇ ତାର ଖେଳଣା । ନୂଆଉର ତୁଣ୍ଡର କଥାକୁ ସେ ଅନାଇଥାଏ, କିନ୍ତୁ କ୍ଷଣପ୍ରଭା ତାକୁ ବୋଲହାକ ବତାଏ ନାଇଁ ।

 

ଯାଅ ନୀର, ତମେ ପଢ଼ିବ, ନୋହିଲେ ବୋଉଙ୍କ ପାଖରେ ବସିଥିବ ଯାଅ । ଆଚ୍ଛା, ସେଇଠି ବସି ଦେଖ ମୁଁ କଣ କରୁଛି, ଶିଖ । ପରଘରେ ସିନା କାମ କରିବ ।

 

ନୂଆଉର କଥା ଶୁଣି ନୀର ମୁହଁ ଶୁଖାଇ ବସେ ।

ପ୍ରଭା କାମ କରେ । କିସ ବା କାମ, ଛୋଟ ସଂସାର ।

 

ବଡ଼ ସହର ଏଇ କଟକ । ରାଜା, ମହାରାଜା, ଲକ୍ଷପତି, ଶେଠ, କେତେ ବ୍ୟବସାୟୀ, ଧନୀ, ଦରିଦ୍ର ସମସ୍ତଙ୍କୁ କୋଳରେ ପୂରାଇ ବସିଛି । ରାସ୍ତା କଡ଼ରେ ବଡ଼ ଛୋଟ ଦୋକାନ, ପୁଣି ନିତି ଉପାସୀ ଦରିଦ୍ର । ଧନିକର ମଟରଗାଡ଼ି ଛୁଟିଛି । ପେଟ ବିକଳିଆ ମୂଲିଆ ଟାଣୁଛି ରିକ୍‌ସା । ଅନ୍ଧ, ଛୋଟା, ରୋଗଣା, ନିଃସହାୟ ହାତପାତି ଭିକ ମାଗୁଛନ୍ତି । ବଡ଼ ମିଠେଇ ଦୋକାନରେ ବାଜୁଛି ରେଡ଼ିଓ । ଦୋକାନ ତଳେ ବସି କାନ୍ଦୁଛି ହାତଭାଗ୍ୟ !

 

ସବୁର ସମଷ୍ଟି ଏହି କଟକ ସହର, ତିନିଆଡ଼େ ନଈ ।

 

ସେହି ସହରର ଅଜଣା ଅଶୁଣା ଗଳିରେ ଛୋଟ ବସାଟି, ସହରର ଗୋଳମାଳରୁ ଦୂରରେ । ଦୁଇପାଖେ ଦୁଇଧାଡ଼ି ଚାଳଘର । ନାଗଅଇରି ବଣ । ଧୋବା, ବଢ଼େଇ, ରାଜମିସ୍ତ୍ରୀ ଓ ମୂଲିଆଙ୍କର ଘର । ବିଜୁଳିଆଲୁଅ ସେ ଗଳିରେ ପଶି ନହିଁ । ଦିଓଟି କିରାସିନ୍‌ ଆଲୁଅ ଖମ୍ୱ । ତୁଷାରକାନ୍ତିର ବସା ଆଗରେ ଗୋଟିଏ । ଆଲୁଅ ପଛକୁ ବଡ଼ ଅରମା ଢିଅ । ଜଳଜଳା ହାଣ୍ଡି ଗଦା-। ଗୋଟିଏ କଡ଼ରେ ବଢ଼େଇ ଘର । ଆର କଡ଼ରେ ଧୋବାଘର । ପଛକୁ ଛୋଟ ବାରି । ବାରି ତଳକୁ ପୋଖରୀ । ଅଗଣା ଭିତରେ କୂଅ ।

 

ପ୍ରଭା କାମ କରେ । ପୋଖରୀ କୂଳରେ ବାସନ ମାଜେ । ସେପାଖ ତୁଠରେ ଧୋବା କାଚେ ଲୁଗା । ଅନ୍ଧ ସ୍ୱାମୀ, ରୋଗୀଣା ଶାଶୁର ଲୁଗା ହକାଳେ । ପ୍ରଭା ରୋଷେଇ କରେ, ଘର ଓଳାଏ, ଶାଶୁଙ୍କର ଗୋଡ଼ ଚିପେ, ନୀରକୁ ପଢ଼ାଏ । ସ୍ୱାମୀର ହାତଧରି କୂଅ ମୂଳକୁ ନିଏ । ଗହୀଡ଼ା କୂଅ । ତଥାପି ସେ ସଭିଙ୍କୁ ପାଣି କାଢ଼ିଦିଏ । କାମରେ ପାଏ ଆନନ୍ଦ । କ୍ଲାନ୍ତି କଣ ଜାଣେ ନାହିଁ ।

 

ଚାକର ରଖିବାକୁ ସମ୍ୱଳ ନାହିଁ । ଅନ୍ଧ ସ୍ୱାମୀ ଦୁଇବେଳା ଦୁଇଟି ଟିଉସନ୍‌ କରନ୍ତି । ଚାଳିଶଟଙ୍କା ମିଳେ । ବସା ଭଡ଼ା ପାଞ୍ଚଟଙ୍କା, ରିକ୍‌ସା ଭଡ଼ା ଦଶଟଙ୍କା, ସ୍ୱାମୀ ରିକ୍‌ସାରେ ବସି ପାଠ ପଢ଼ାଇବାକୁ ଯା ଆସ କରନ୍ତି । ପଚିଶ ଟଙ୍କାରେ କ୍ଷଣପ୍ରଭା ସଂସାର ଚଳାଏ । ନଣନ୍ଦକୁ ବାଳିକା ସ୍କୁଲରେ ପାଠ ପଢ଼ାଏ । ଶାଶୁଙ୍କ ପାଇଁ ଅଫିମ ଓ ବେଳେ ବେଳେ ଦୁଧ ଲୋଡ଼ା ।

 

କ୍ଷଣପ୍ରଭା ଭାବୁଛି–

 

କିପରି ଆଉ ଚଳିବ, କେତେଦିନ ବା ଏପରି ଚଳିବ ? ତିନି ମାସର ଘର ଘରଭଡ଼ା ଦିଆହୋଇନାହିଁ । ଏମାନଙ୍କର ଅବସ୍ଥା ଦେଖି ଦୟା ପାଇ ଘରବାଲା ଧୋବା ଭଡ଼ା ମାଗୁ ନାହିଁ । କାହା ପାଖରେ ସାହାଯ୍ୟ ପାଇଁ ହାତ ପାତିବ ?

 

ଆତ୍ମୀୟସ୍ୱଜନ ?

 

ମନେପଡ଼ିଲେ ଆତ୍ମା ହୁଏ ଛଟପଟ । ଅତୀତକୁ ଭୁଲିବାକୁ ମନ ହୁଏ । ଭୁଲି ହୁଏ ନାହିଁ-। ଧନୀ ଘରର ଝିଅ ସେ ଥିଲା । ବାପା ମାଙ୍କର ଆଖିର ପିତୁଳା, ସ୍ନେହର ସଙ୍ଖାଳୀ । ବାପ ବିଜିପୁରର ଜମିଦାର । କେତେ ଦାସଦାସୀ ସେବା କରୁଥିଲେ । ଝିଅର ଅଭାବ ହେଲେ ପରଶୁରାମ ବ୍ୟସ୍ତ ହୋଇପଡ଼ନ୍ତି । ମା ତ ଜାଣି । ଯେଉଁବର୍ଷ ସେ ମାଇନର ସ୍କୁଲରୁ ପାସ୍‍ କରି ବୃତ୍ତି ପାଇଲା, ସେଇ ବର୍ଷ ତାର ମା ମଲେ । କ୍ଷଣପ୍ରଭା ଦିନରାତି କାନ୍ଦିବାକୁ ଲାଗିଲା । ଯିଏ ଯେତେ ବୁଝାଇଲେ ସ୍ନେହମୟୀ ମାଆକୁ ସେ ଭୁଲିପାରିଲା ନାହିଁ ।

 

ପରଶୁରାମ ଭାବିଲେ, ଝିଅକୁ ଘରୁ ଦୂରରେ ନ ରଖିଲେ ମାଆକୁ ଝୁରି ଝୁରି ସେ ବି ମରିବ । ପାଠ ପଢ଼ୁଥିଲା, ପାଠରେ ଥିଲା ମନ । ଗାଁ ବିଦ୍ୟାଳୟରୁ ପାଠ ସରିଲା । ଜାଣିଲା ଶୁଣିଲା ଲୋକଙ୍କର ପରାମର୍ଶ ଅନୁସାରେ ଝିଅର ନାମ କଟକ ବାଳିକା ବିଦ୍ୟାଳୟରେ ଲେଖାଇଲେ । କ୍ଷଣପ୍ରଭା ସ୍କୁଲ ହଷ୍ଟେଲରେ ରହିଲା । ତା ପରି କେତେ ଝିଅ ତାଆରି ପାଠ ପଢ଼ୁଛନ୍ତି । ସେମାନଙ୍କ ସଙ୍ଗରେ ମିଶି ପାଠରେ ମନଦେଇ ମାଆକୁ ସେ ଭୁଲିଲା । ଖୁସିରେ ରହିଲା ।

 

ଚାରିମାସ ପରେ ଖବର ପାଇଲା, ବାପା ପୁଣି ବାହା ହେବାକୁ ବସିଛନ୍ତି, ଗାଁ ଲୋକେ ତାଙ୍କୁ ମତାଉଛନ୍ତି । ତେରବର୍ଷର ଝିଅ କ୍ଷଣପ୍ରଭା, ପ୍ରତିବାଦ କରିବାକୁ ମନ ହେଲା । ପିଲାଣ୍ଟିଆ ବୁଦ୍ଧିରେ ଏଣୁ ତେଣୁ ଲେଖି ବାପାଙ୍କ ପାଖକୁ ଚିଠି ଖଣ୍ଡେ ଦେଲା ।

 

ସେଇ ଚିଠି ହିଁ ହେଲା ତାର କାଳ । ଉତ୍ତର ପାଇଲାନାହିଁ । ବର ପାଇଲା, ବାପା ବାହା ହୋଇ ନୂଆ ବୋଉକୁ ଘରକୁ ଆଣିଲେଣି । କ୍ଷଣପ୍ରଭା ବୋଉକୁ ମନେପକାଇ କେତେ କାନ୍ଦି ଥିଲା-

 

ବାପା ଟଙ୍କା ପଠାନ୍ତି, ଚିଠି ଦିଅନ୍ତି ନାହିଁ ।

 

ଛୁଟିରେ କ୍ଷଣପ୍ରଭା ଘରକୁ ଗଲା । ନେବାକୁ ବାପା ଆସି ନ ଥିଲେ । ଦୂରସମ୍ପର୍କ ଲେଖାରେ ପିଉସୀପୁଅଭାଇ ତୁଷାରକାନ୍ତି, ତାଙ୍କରି ସଙ୍ଗରେ ସେ ବିଜିପୁର ଯାଇଥିଲା । ତୁଷାରକାନ୍ତି ସେତେବେଳେ କଲେଜରେ ପଢ଼ୁଥାନ୍ତି । କଲେଜ ହଷ୍ଟଲରେ ରହନ୍ତି ।

 

ଘରେ କ୍ଷଣପ୍ରଭାର ଦିନ ସୁଖରେ କଟିଲା ନାହିଁ । ବାରଲୋକ ବାରକଥା କହିଲେ । ନୂଆ ମାଆଙ୍କ ପାଖକୁ ଗଲେ ତାକୁ ମାଡ଼ ମାରିଲା ପରି ଲାଗେ । ବୋଉ ମନେପଡ଼େ । ଲାଜ ବି ମାଡ଼େ । ପରଶୁରାମଙ୍କ ଅସବଧାନତାରୁ ଝିଅର ଚିଠି ଖଣ୍ଡି ପଦାରେ ପଡ଼ିଲା । ସମସ୍ତେ ଜାଣିଲେ । ଟାହି ଟାପରା କଲେ । ବେଳୁବେଳ ରାଗ ବଢ଼ିଲା । ଝିଅକୁ କିଛି କହନ୍ତି ନାହିଁ; କିନ୍ତୁ ପାଖକୁ କେବେ ଡାକନ୍ତି ନାହିଁ ।

 

କ୍ଷଣପ୍ରଭା ନିଜ କୋଠରୀରେ ତୁନି ହୋଇ ବସି ପାଠପଢ଼େ । ମନଇଚ୍ଛା କାନ୍ଦେ । ମନେହୁଏ, ସତେ କି ଏ ଘରେ ତାର ସ୍ଥାନ ନାହିଁ । ହଷ୍ଟେଲକୁ ପଳାଇବାକୁ ପ୍ରାଣ ଛଟପଟ ହୁଏ । ଦିନ ଗଣେ, କେବେ ଛୁଟି ପୂରିବ । ଛୁଟି ସରିବାକୁ ଦିନେ ଦୁଇ ଦିନ ଥାଏ, ସେ କଟକ ଫେରିଯାଏ-। ସଙ୍ଗରେ ଯାଏ ଚାକର । କାମ ଆରାରେ ବାପା ମଫସଲ ଯାଇଥାନ୍ତି ।

 

ତୁଷାରକାନ୍ତି ସଙ୍ଗରେ କ୍ଷଣପ୍ରଭାର ଘନିଷ୍ଠତା ବଢ଼ିଥିଲା । ତାକୁ ସେ ଭାଇ ବୋଲି ଡାକେ । ତୁଷାର ବି ବେଳେ ବେଳେ ନାରୀ କଲେଜକୁ ଯାଇ କ୍ଷଣପ୍ରଭାର ସୁବିଧା ଅସୁବିଧା ବୁଝିଆସେ । ଦୁନିଆଁରେ ତୁଷାରହିଁ ତାର ଏକମାତ୍ର ବନ୍ଧୁ ଓ ଆତ୍ମୀୟ ।

 

ସ୍କୁଲ ଜୀନରେ ମିଳିଲା ହେମାଙ୍ଗିନୀ, କ୍ଷଣପ୍ରଭାର ଅତି ଆପଣାର ବନ୍ଧୁ, ସହପାଠିନୀ । ହେମାଙ୍ଗିନୀ ଧନିଘରର ଝିଅ । କାର ଚଢ଼ି ସ୍କୁଲକୁ ଆସେ । କ୍ଷଣପ୍ରଭା କେବେ କେବେ ହେମାଙ୍ଗିନୀ ସଙ୍ଗରେ ତାଙ୍କ ଘରକୁ ଯାଏ । ହେମାଙ୍ଗିନୀର ବାପ ମା ତାକୁ ଝିଅ ପରି ଭଲ ପାଆନ୍ତି । ବିଶେଷତଃ, ହେମାଙ୍ଗିନୀର ଭାଇ ଦୁଷ୍ମନ୍ତ ତାକୁ ଅତି ସ୍ନେହ କରନ୍ତି । ଦୁଷ୍ମନ୍ତ ତୁଷାରକାନ୍ତିର ସହପାଠୀ, ବନ୍ଧୁ ।

 

ଦୁଷ୍ମନ୍ତ ଯିଏ ତାକୁ ଭିନ୍ନ ଦୃଷ୍ଟିରେ ଅନାଏଁ, ଏ କଥା କେବଳ ହେମାଙ୍ଗିନୀ ନୁହେ, ତାର ବାପା ମା ମଧ୍ୟ ଭଲ କରି ଜାଣିପାରିଥିଲେ । କ୍ଷଣପ୍ରଭା ନିଜେ ମଧ୍ୟ ବୁଝି ପାରିଥିଲା । ଦୁଷ୍ମନ୍ତ ଆଉ ତୁଷାର ଦୁହିଁଙ୍କୁ ସେ ମନ ଭିତରେ ତଉଲୁଥିଲା । ହେମାଙ୍ଗିନୀ ଯେ ଭାଇର ବନ୍ଧୁ ତୁଷାରକାନ୍ତି ପ୍ରତି ଅନୁରକ୍ତ, ସେ କଥା ସେ ଜାଣି ନ ଥିଲା । ଏସବୁ ବିଷୟରେ କେହି କାହା ଆଗରେ କେବେ ମନ ଖୋଲି ନ ଥିଲେ ।

 

କ୍ଷଣପ୍ରଭା ଓ ହେମାଙ୍ଗିନୀ ଯେଉଁ ବର୍ଷ ମାଟ୍ରିକୁଲେସନ୍‌ ପାସ୍‍ କଲେ, ସେହି ବର୍ଷ ଦୁଷ୍ମନ୍ତ ଓ ତୁଷାରକାନ୍ତି ବି.ଏ. ପାସ୍‍ କଲେ । ତୁଷାର ଏମ୍‌.ଏ ପଢ଼ା ଆରମ୍ଭ କରିଦେଲା, କିନ୍ତୁ ଦୁଷ୍ମନ୍ତ ପଢ଼ିଲା ଲ କଲେଜରେ । ବାପାଙ୍କର ଓକିଲାତି ବ୍ୟବସାୟଟା ହାତରେ ରଖିବା ହିଁ ଦୁଷ୍ମନ୍ତର ଉଦ୍ଦେଶ୍ୟ ।

 

ହେମାଙ୍ଗିନୀ ଓ କ୍ଷଣପ୍ରଭାର ବନ୍ଧୁତା ଦିନୁ ଦିନୁ ବଢ଼ିବାକୁ ଲାଗିଲା । ଦୁଷ୍ମନ୍ତ ଓ ତୁଷାରଙ୍କର ଆତ୍ମୀୟତା ମଧ୍ୟ ଅତୁଟ ରହିଥିଲା । ଦିନେ ନିରୋଳାରେ ହେମାଙ୍ଗିନୀ ତାର ଭାଇର ମନକଥା କ୍ଷଣପ୍ରଭା ଆଗରେ ପ୍ରକାଶ କଲା । ନିଜର ମନକଥା କହିଲା ନାହିଁ । କ୍ଷଣପ୍ରଭା ଚକିତ ହେଲା । ନିଜର ମତାମତ ବନ୍ଧୁ ଆଗରେ ପ୍ରକାଶ କରିବାକୁ ତାର ସାହାସ ହେଲା ନାହିଁ । କେବଳ ହସିଥିଲା ।

 

ସେଇ ହସ ହିଁ ହେଲା ତାର କାଳ । ପଢ଼ା ବାହାନାରେ ହେମାଙ୍ଗିନୀ ଓ ଦୁଷ୍ମନ୍ତ ପାଖରୁ ଯେତେ ଦୂରେଇ ରହିବାକୁ ଚେଷ୍ଟା କଲେ ମଧ୍ୟ ରହିପାରିଲା ନାହିଁ । ହେମାଙ୍ଗିନୀର ନିଷ୍କପଟ ସ୍ନେହ ତାକୁ ବାରମ୍ୱାର ପାଖକୁ ଟାଣିନେଲା । ତଥାପି ସେ ମନକଥା ତାକୁ ଖୋଲି କହିଲା ନାହିଁ ।

 

କଟିଗଲା ଦୁଇବର୍ଷ ।

 

ବାନ୍ଧବୀ ଦିହେଁ ଆଇ.ଏ ପାସ୍‌ କଲେ । ଦୁଷ୍ମନ୍ତ ଓକିଲାତି ପାସ୍‌ କରି ଆଇନ୍‌ ବ୍ୟବସାୟ କଲା । ତୁଷାର ଏମ୍‌.ଏ. ପାସ୍‌ କରି ସବ୍‌ଡିପୋଟି ହେଲା । କ୍ଷଣପ୍ରଭାର ବାହାଘର ପ୍ରସ୍ତାବ ପଡ଼ିଲା-। ଏକ ସଙ୍ଗେ ଦୁଇଟି ପ୍ରସ୍ତାବ ପରଶୁରାମଙ୍କ ପାଖକୁ ଆସିଲା । ଦରିଦ୍ର ବୋଲି ତୁଷାରକୁ ସେ ଗ୍ରହଣ କଲେ ନାହିଁ । ଦୁଷ୍ମନ୍ତ ବିଷୟରେ ଜବାବ୍‌ ଦେଲେ ।

 

କ୍ଷଣପ୍ରଭା ବି.ଏ. ପଢ଼ିବାକୁ ଇଚ୍ଛା ପ୍ରକାଶ କଲା । ପରଶୁରାମ ରାଜି ହେଲେ ନହିଁ । ଶିକ୍ଷିତା ଝିଅର ମତାମତ ବୁଝିବାକୁ ସେ ଚେଷ୍ଟା କଲେ ନାହିଁ । କ୍ଷଣପ୍ରଭା ମନର ଦୁଃଖ ଓ ପିତାଙ୍କ ନିଷ୍ଠୁରତା ବର୍ଣ୍ଣନା କରି ତୁଷାରକାନ୍ତିକୁ ପତ୍ର ଲେଖିଥିଲା । ପୋଷ୍ଟ ହେବା ଆଗରୁ ନୂଆ ମା ସନ୍ଦେହ କରି ସେ ଖଣ୍ଡି ହସ୍ତଗତ କରି ପରଶୁରାମଙ୍କୁ ଦେଲେ ।

 

ତୁଷାରକାନ୍ତି ସଙ୍ଗେ ବାହାଘର ହେଲା କିନ୍ତୁ ଆତ୍ମମର୍ଯ୍ୟାଦା ଭାଙ୍ଗିଲା ବୋଲି ବାପ ମା ହେଲେ ଝିଅର ଶତ୍ରୁ । ପରଘରକୁ ଯାଇ କ୍ଷଣପ୍ରଭା ଯେତେ ପତ୍ର ଲେଖିଲା, ପରଶୁରାମ ତାର ଉତ୍ତର ଦେଲେ ନାହିଁ । କ୍ଷଣପ୍ରଭା ନିରାଶ ହେଲା । ବାପଘରୁ ସବୁ ସମ୍ପର୍କ ତୁଟିଲା ।

 

ବିପଦ ପରେ ବିପଦ ମାଡ଼ି ଆସିଲା । ମାସ ଚାରିଟା ନ ପୂରୁଣୁ ଶ୍ୱଶୁର ଆଖି ବୁଜିଲେ । ଯେଉଁ ଅଳ୍ପ ସମ୍ପତ୍ତି ଥିଲା, ସେତକ ବିକ୍ରିବଟା କରି ପୁଅକୁ ସିନା ପାଠ ପଢ଼ାଇଥିଲେ, ତୁଷାରର ରୋଜଗାର ତାଙ୍କର ପେଟରେ ପଡ଼ିଲା ନାହିଁ । ବାଧ୍ୟ ହୋଇ ତୁଷାର ମା, ସ୍ତ୍ରୀ, ଭଉଣୀଙ୍କୁ ନେଇ ଚାକିରି ଗାଁ ନୂଆପଡ଼ାକୁ ଚାଲିଗଲା ।

 

ଗୋଟିଏ ବର୍ଷ କଟିଛି, ତୁଷାରକୁ ହେଲା ବସନ୍ତ । ଦେହ ମୁହଁ ବିକୃତ ହେଲା । ଆଖି ଦିଓଟି ନଷ୍ଟ ହେଲା । ଆକୁଳ ହୋଇ କ୍ଷଣପ୍ରଭା ପିତାଙ୍କ ପାଖକୁ ପତ୍ର ଲେଖିଥିଲା । ଉତ୍ତର ପାଇଲା, ନିଜର ଭାଗ୍ୟ ତୁ ନିଜେ ଖୋଜିଛୁ, କିଏ କଣ କରିପାରିବ ? ମୋର ଉପର ମୁହଁ ତଳକୁ କରିଛୁ, ଦୁଃଖ ଓ ଅପାମାନରେ ତୋରି ପାଇଁ ନ ମରି ମଧ୍ୟ ମରିଛି ।

 

କୋଡ଼ିଏଟି ଟଙ୍କା ସେ ପଠାଇଥିଲେ । ଏତେ ଅଭାବ ଦୁଃଖରେ ଘାଣ୍ଟି ହୋଇ ମଧ୍ୟ କ୍ଷଣପ୍ରଭା ସେ ଟଙ୍କା ଫେରାଇ ଦେଲା ।

 

ତୁଷାରକାନ୍ତିର ଚାକିରି ଗଲା ।

କ୍ଷଣପ୍ରଭା ସମସ୍ତଙ୍କୁ ନେଇ କଟକ ଆସିଲା ।

ପେଟ ପାଇଁ ଅନ୍ଧ ତୁଷାରକାନ୍ତିକୁ ଟିଉସନ୍‌ କରିବାକୁ ପଡ଼ିଲା ।

 

ବାହାରେ ବର୍ଷା ତୋଫାନ । ଘର ଭିତରେ କ୍ଷଣପ୍ରଭା ଶୋଇ ଭାବୁଛି ଗତ ଜୀବନର ସୁଖଦୁଃଖ କଥା । ଦୁଇ ଆଖିରୁ ଝରୁଛି ଲୁହଧାର, ଅଦିନିଆ ବର୍ଷାର ଧାରା ପରି ।

 

ଯାହାକୁ ସେ ମନପ୍ରାଣ ଦେଇ ଭଲ ପାଏ, ଅପାରଗ ହେଲେ ମଧ୍ୟ ସେ କର୍ତ୍ତବ୍ୟରେ ହେଳା କରିନାହାନ୍ତି । କୁଟୁମ୍ୱ ପୋଷିବାକୁ ଜୀବନ ପଣ କରିଛନ୍ତି । ସ୍ତ୍ରୀ ହୋଇ ତାର କର୍ତ୍ତବ୍ୟ କଣ-? ପିଲାଟିଏ ନୀହାରିକା, ଯାହା ସେ କହିଲା, ତାହା କରିବା ହୁଏତ ତାର କର୍ତ୍ତବ୍ୟ ।

 

ନୁଆଉ, ଉଠିବ କାହିଁକି, ରୋଷେଇ ତ ସରିଲା, ଶୋଇ ପଡ଼ିଲ ? ଏଁ କାନ୍ଦୁଛ ? ଆଉ,–

ନୀହାରିକା ଅବାକ୍‌ ହୋଇ ଏକ ଦୃଷ୍ଟିରେ କ୍ଷଣପ୍ରଭାକୁ ଚାହିଁ ରହିଲା ।

 

ବର୍ଷା, ପବନ, ତଥାପି ରିକ୍‌ସାବାଲା ରିକ୍‌ସା ଟାଣି ଚାଲିଛି । ମୁଣ୍ଡରେ ତାଳପତ୍ର ଟୋପି-। ଦେହରେ କେବେକାଳର ପୁରୁଣା ଛିଣ୍ଡା ତାଳିପକା ବରଷାତୀ, ଜଣେ ବାବୁ ତାକୁ ପକାଇ ଦେଇଥିଲେ, କାଳୁ ସାମଲ ଗୋଟାଇ ରଖିଥିଲା । ସେଥିପାଇଁ ସେ ଅଳ୍ପ ବର୍ଷା କି ପାଣିକି ଡରେ ନାହିଁ ରିକ୍‌ସା ଚଳାଏ ।

 

ରିକ୍‌ସା ଚାଲିଛି । ସହରର ବଡ଼ ପିଚୁରାସ୍ତା ଉପରେ ବଳାଗଣ୍ଠିଏ ପାଣି । ରାସ୍ତାକଡ଼ରେ ଦୋକାନମାନଙ୍କରେ ବିଜୁଳି ଆଲୁଅ । ତା ରିକ୍‌ସାରେ ଲାଗିଛି ଯେଉଁ କିରାସିନି ଦୀପ, ପବନ ଦାଉରେ ମିଞ୍ଜି ମିଞ୍ଜି ହେଉଛି ।

 

ଆଖି ତାର ରାସ୍ତା ଉପରେ । ମନ ଯାଇଁ ଦୂର କାଦୁଆ ଗଳିର ଚାଳଘର ଆଗରେ, ଯିଏ ତାର ଲକ୍ଷ୍ୟସ୍ଥଳ । ମନେ ମନେ ଠିକ୍‌ କରୁଛି, କେଉଁ ବାଟେ ଯିବ, କେଉଁ ଗଳିରେ ପଶିବ, ବାଁ ରାସ୍ତା ଡାହାଣ ଗଳି, ପୁଣି ଡାହାଣକୁ ସେ ଯେଉଁ ଛୋଟ ଗଳି, ସେଇଠି ପୂଝାରୀକୁ ଛାଡ଼ି ଆସିଲେ ପୁଣି ସେ ଯିବ ଷ୍ଟେସନକୁ ।

 

ଆଜି ପାଗ ଭଲ । ସମସ୍ତେ ଲୋଡ଼ିବେ ରିକ୍‌ସା । ଭଡ଼ା ଅଧିକ ମିଳିବ । ଦେହର ମଜୁରା ଛଡ଼ାଇବାକୁ ଆଜି ସେ ବେଶି ମଦ ପିଇବ । ଅଫିମ ଟିକେ ସଞ୍ଜବୁଡ଼େ ଖାଇଥିଲା । ଅଫିମ ନିଶା ଆଉ ଦି ଘଣ୍ଟା ରହିବ । ତା ପରେ–

 

ରାତି ନଅଟା । ବର୍ଷା ପବନର ଦାଉ କମିଲାଣି । ନିତିଦିନିଆ ପୁଝାରୀ ହେଉ ପଛେ ଡେରି, ଛାଡ଼ିଦେଇ ଆସିବାକୁ ପଡ଼ିବ । ଆରା ଦେଖାଇ ନାହିଁ କହିଦେଇଥିଲେ ଚଳନ୍ତା ଯେ, ପୁଝାରୀ ବିଚରା ଅନ୍ଧ । ହଇରାଣ ହେବ । କେଉଁଠୁ ଖୋଜିବ ଗାଡ଼ି ? ଭଲ ଲୋକଟିଏ, ଧିକ୍‌ଚିକ କରେ ନାହିଁ, ବାଜେ କଥା ଗପେ ନାହିଁ, ଗାଡ଼ିରେ ବସେ, ଗାଡ଼ିରୁ ଓହ୍ଲାଏ । ଦ୍ୱାରବନ୍ଧରୁ ଅନାଇଁ ରହିଥାଏ ଲକ୍ଷ୍ମୀଠାକୁରାଣୀ ପରି ସ୍ତ୍ରୀ । ହାତ ଧରି ଅନ୍ଧକୁ ଘରକୁ ନିଏ । ପଇସା ଗଣି ଦିଏ । କଅଁଳେଇ ବଚନ କହେ, ଆରେ କାଳୁ, ଧାଇଁ ଧାଇଁ ଆସିଛୁ, ହାଲିଆ ଲାଗୁଥିବ, ଟିକିଏ ବସି ଯା । ତୋରାଣି ମନ୍ଦିଏ ପିଇବୁ କି ?

 

କାଳୁ ନାହିଁ କରେ ନାହିଁ ।

 

ଗରିବ ହେଉନ୍ତୁ ପଛେ, ମନରେ ଦୟାଭାବ ଅଛି । ଠାକୁରେ ଦୁଃଖ ଦେଇଛନ୍ତି ସିନା, ମନକୁ ସୁନାପୁଟ ଦେଇ ଗଢ଼ିଛନ୍ତି । ଲକ୍ଷ୍ମୀଠାକୁରାଣୀ, ବାଟକୁ ଅନାଇ ଠିଆ ହୋଇଥିବେ । ଅନ୍ଧ ସ୍ୱାମୀ, କେଡ଼େ ସ୍ନେହ, କେତେ ଭକ୍ତି । ସବୁବେଳେ ମନ ଦକଦକ । ଆଜି ପୁଣି ଡେରି ହେଲାଣି ।

 

କାଳୁ ଧାଏଁ । ରାସ୍ତା ଉପର ଚଳନ୍ତି ପାଣିକୁ ଭାଗ ଭାଗ କରି ରିକ୍‌ସା ଛୁଟେ, ବରଷା କୁଟେ, ପବନ ପିଟେ, କାଳୁ ଅଟକି ରହେ ନାହିଁ । ବାଟ ପଡ଼ିଛି, କର୍ତ୍ତବ୍ୟ ସେ ଜାଣେ ।

 

କର୍ତ୍ତବ୍ୟ କଅଣ, ତୁଷାରକାନ୍ତି ଭାବି ସ୍ଥିର କରିପାରୁ ନାହିଁ । କେତେଦିନ ଏପରି ଚଳିବ, କେତେଦିନ ବା ଦୁନିଆର ବୋଝ ମୁଣ୍ଡରେ ବୋହି ସେ ଚାଲିବ ? ଗ୍ରାମରେ ଭଙ୍ଗା ଘର ବ୍ୟତୀତ ଆଉ କିଛି ନାହିଁ । ତାକୁ ପଢ଼ାଇବାକୁ, ପୁଣି ତାର ବିଭାଘର ପାଇଁ ବାପା ଯେଉଁ ଋଣ କରି ଯାଇଥିଲେ, ଜମି ବିକି ମଧ୍ୟସବୁ ଋଣ ସୁଝା ହୋଇପାରି ନାହିଁ । ପିତୃଋଣର ବୋଝ ମୁଣ୍ଡରେ ଲଦା ହୋଇଛି । ତା ସଙ୍ଗକୁ ରୋଗଣା ମା, ପିଲା ଭଉଣୀ, ଯୁବତୀ ସ୍ତ୍ରୀ ।

 

ସଂସାର ଚଳିବ କିପରି ? ସେ ଅନ୍ଧ, ଦୁନିଆ ଅନ୍ଧାର, ଭବିଷ୍ୟତ ଅନିଶ୍ଚିତ । ଅର୍ଜନ କରିବାର ଶକ୍ତି ନାହିଁ । କାହାରିଠାରୁ ସାହାଯ୍ୟ ପାଇବାର ଆଶା ନାହିଁ । ଟିଉସନ୍‍ ଆଉ କରି ହେବ ନାହିଁ । ଅବନୀ ବାବୁ ମନାକରି ନାହାନ୍ତି, ତାଙ୍କ କଥାରୁ ପ୍ରକାଶ, ଅନ୍ଧର ଟିଉସନ୍ ପିଲାଙ୍କ ମଙ୍ଗଳ ଦୃଷ୍ଟିରୁ ସେ ପସନ୍ଦ କରନ୍ତି ନାହିଁ ।

 

ନିଜର ଦୁର୍ଦ୍ଦଶା ପାଇଁ କାହାକୁ ସେ ଦୋଷୀ କରିବ ? ଭାଗ୍ୟ, ପୂର୍ବଜନ୍ମର କର୍ମଫଳ, ସେ କେବେ ବିଶ୍ୱାସ କରି ନ ଥିଲା । ନିଜ ଉପରେ, ନିଜର କର୍ମ ଉପରେ ତାରି ଅଟଳ ବିଶ୍ୱାସ ଥିଲା । କାହିଁକି ସେ ଅନ୍ଧ ହେଲା ? ମନେପଡ଼େ ବନ୍ଧୁ ସଞ୍ଜୟର କଥା । କାହିଁ ସେ ? ଗୃହ ସଂସାର ଛାଡ଼ି ଛାତ୍ର ଜୀବନରୁ ସେ ହେଲା ସନ୍ନ୍ୟାସୀ ।

 

ମନେପଡ଼େ ସେହି ସଞ୍ଜୟର କଥା, ବିଶ୍ୱାସ ହେଉ ନାହିଁ ତୁଷାର, ମୁଁ ଓ ନିଜର ବଡ଼ାଇ କରୁଛୁ ? ପୂର୍ବଜନ୍ମ ଓ କର୍ମଫଳ ବିଶ୍ୱାସ ହେଉନାହିଁ ? ମୋ ଆଗରେ ମୋର ପୂର୍ବଜନ୍ମର ବୃତ୍ତାନ୍ତ ଖୋଲି ହୋଇଯାଇଛି, କାଲି ପରି ଲାଗୁଛି । ଅବ୍ୟୟ ଅନନ୍ତ ମହାଶୂନ୍ୟ କେବଳ ଶକ୍ତି ଓ ଜୀବନ । ତାଆରି କଣିକାଏ ମୁଁ, ଆସୁଛି, ଯାଉଛି, ପୁଣି ଫେରି ଆସୁଛି, ଅପୂର୍ଣ୍ଣ ବାସନାର ଡୋର ଟାଣି ଆଣୁଛି, ନୂଆ ବାସନା ପୁଣି ଭୁଲା ମନକୁ ବେଷ୍ଟନ କରୁଛି । ଚାଲିଲି ଭାଇ । ତୋର ଆଜି ବିଶ୍ୱାସ ହେଉନାହିଁ, ଦିନେ ହେବ ।

 

ସଞ୍ଜୟ ହଜିଛି, କିନ୍ତୁ ତାର କଥା ମନରେ ରହିଛି । ଅପାରଗର ଆରା ଭଗବାନ, ଭାଗ୍ୟ, ପୂର୍ବଜନ୍ମ ! ସବୁ ମଣିଷ ଅପାରଗ । ସଭିଙ୍କ ଜୀବନରେ ସେ ମୁହୂର୍ତ୍ତ ଆସେ ।

 

ତୁଷାରକାନ୍ତି ଆଜି ବିଶ୍ୱାସ କରୁଛି ଭାଗ୍ୟ । ଅନ୍ୟ ଉପାୟ ନାହିଁ । ଭଗବାନ୍ ଓ ଭାଗ୍ୟ ଦୁହେଁ ଆଜି ତାର ସାନ୍ତ୍ୱନା । ଅନ୍ଧ ହେଲେ ମଧ୍ୟ କର୍ତ୍ତବ୍ୟର କେଉଁ ବୋଝ ସେ ମୁଣ୍ଡରେ ବହିଛି, ତାକୁ ଧରି ସେ ଚାଲିବ ।

 

ନିଜ ପାଇଁ ସେ ଭାବୁନାହିଁ, ଭାବୁଛି, ମା, ସ୍ତ୍ରୀ ଓ ସାନ ଭଉଣୀଟିର କଥା । ସ୍ତ୍ରୀ ଶିକ୍ଷିତା । ଉପାର୍ଜନ କରି ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବାକୁ କହିବ କିପରି ? ଅନ୍ଧ ହେଲେ ବି ସେ ପୁରୁଷ, କର୍ତ୍ତବ୍ୟ ତାର ।

 

ତୁଷାର ସ୍ଥିର କରିଛି, ଆଉ ଅବନୀବାବୁଙ୍କ ଘରକୁ ଯିବ ନାହିଁ । ତାଙ୍କ ପୁଅ ଅରୁଣକୁ ପାଠ ପଢ଼ାଇବାରେ ସେ କେବେ ହେଳା କରିନାହିଁ । ପରୀକ୍ଷାରେ ସେ ଭଲ କଲା ନାହିଁ, ସେଥିପାଇଁ ଦୋଷ ହେଲା ଶିକ୍ଷକର । ହୁଏ ତ ଅବନୀ ବାବୁଙ୍କର କଥା ଠିକ୍ । ସେ ସିନା ମୁହଁରେ ପାଠ କହିଲା, ଅରୁଣ କଣ ପଢ଼ିଲା କି ନ ପଢ଼ିଲା ନିଜ ଆଖିରେ ତ ଦେଖିଲା ନାହିଁ । କାହିଁକି ସେ ତାର ଦାୟିତ୍ୱ ନେବ, କାହିଁକି ବା ନେବ ଅନ୍ୟ କେଉଁ ପିଲାର ଦାୟିତ୍ୱ ?

 

ସଂସାର ଚଳିବ କିପରି ?

ଭିକ୍ଷା !

ଆଖି ନାହିଁ ବୋଲି ଭିକ ମାଗିବ ?

 

ତୁଷାରକାନ୍ତିର ମନରେ ବିଦ୍ରୋହ ଜାଗିଲା । କାହା ବିରୁଦ୍ଧରେ ? ଭଗବାନ, ସମାଜ, ସରକାର, କାହାର ସେ କଣ କରିପାରିବ ?

 

ନିରୁପାୟ ।

 

ଆଉ ଭାବି ପାରିଲା ନାହିଁ । ବର୍ଷା ପାଣିରେ ଓଦା ହୋଇ ସାରିଲାଣି । ପବନରେ ଦେହ ଶୀତେଇ ଉଠୁଛି । ଭୋକରେ ପେଟ ଗର୍ଜୁଛି । ଭାବନାରେ ମୁଣ୍ଡ ଗରମ । ହଲି ହଲି ଚାଲିଛି ରିକ୍‌ସା-। କାଳୁ ସାମଲ ଧାଇଁଛି । ବି. ଏ. ଏମ୍. ଏ. ନ ପଢ଼ିଲେ ମଧ୍ୟ ସୁଖୀ । ଦେହର ଶକ୍ତି ଉପରେ ସେ ନିର୍ଭର କରେ । ଦେହରୁ ଝାଳ ନିଗାଡ଼ି ନିଜକୁ ପୋଷେ, ପିଲା କୁଟୁମ୍ବ ପୋଷେ । କାଳୁ ସାମଲ ଆଗରେ ଦୁଃଖ ଉଦ୍‌ଗାରିବାକୁ ମନ ହେଲା ।

 

ପଚାରିଲା, କେତେ ବାଟ ଅଛିରେ କାଳୁ ?

ଅଧେବାଟ ଅଛି ଆଜ୍ଞା, ପବନ ଧରୁଛି, ରାସ୍ତାରେ ପାଣି, ଗାଡ଼ି ଟାଣି ହେଉନାହିଁ ।

ଟିକିଏ ଦମ ନେ !

 

ନାଇଁ ଆଜ୍ଞା, ଆପଣଙ୍କୁ ଛାଡ଼ି ଆସିଲେ ଷ୍ଟେସନକୁ ପୂଝାରୀ ନେଇ ଯିବି । ବହିନା ଆଣିଛି । ମୋର ରାତି ଗାଡ଼ି ।

 

ଏଇ ବର୍ଷାରେ ?

 

ଗରିବ ଲୋକ ଆମେ । ଖରା ବର୍ଷାକୁ ଅନାଇଲେ ପେଟ କିପରି ପୋଷିବି ? ପାଞ୍ଚ ପ୍ରାଣୀ କୁଟୁମ୍ବ ।

 

ଦିନକୁ କେତେ ରୋଜଗାର କରୁ କାଳୁ ?

 

କିଛି ଠିକ୍ ନାହିଁ । ପୁଣ୍ୟ ପର୍ବ ଦିନ ଚାରି ପାଞ୍ଚଟଙ୍କା ବି ରୋଜଗାର ହୁଏ । ନଇଲେ, ନିତି ଦିନିଆ ଟଙ୍କାଏ ଦି ଟଙ୍କା । ଜୀବନ ମୂର୍ଚ୍ଛା କାମ । ଯାହା ଭେଇଲେ ପେଟକୁ ନିଅଣ୍ଟ ।

 

ତୁଷାର ତୁନି ହୋଇ ରହିଲା । ଆଉ ତାର ପଚାରିବାକୁ କିଛି ନାହିଁ ।

 

ରିକ୍‌ସାର ଗତି କମାଇ କାଳୁ କହିଲା, ଜାତିରେ ମୁଁ ପାଣ । ଘର ନାହିଁ କି ଜମି ନାହିଁ । ନଈ ସେପାରି ପାଣ ସାହିରେ ଥାଏ । ପର ଜମି ଉପରେ ପଲା ଖଣ୍ଡେ ମାରିଛି । ସେଇଥିରେ ମୋ ତିରିଲା ଓ ତିନିଟା ଝିଅ ଅଛନ୍ତି । ଆଜିକାର ବର୍ଷା ପବନରେ ପଲାଖଣ୍ଡି ଉଡ଼ି ଯାଇଥିବ । ଯାଉ ସାଆନ୍ତେ, ମୋର କି ଚାରା !

 

ତୁଷାର ସହାନୁଭୂତି ଦେଖାଇ କହିଲା, ଏତେ ରୋଜଗାର କରୁଛୁ, ଭଲ କରି ଖଣ୍ଡେ ଘର କରୁନୁ ?

 

କାଳୁ ହସିଲା । କହିଲା, ଯେତେ ରୋଜଗାର କଲେ ପେଟକୁ ଅଣ୍ଟୁନାହିଁ । ଭିଡ଼ା କାମ ଭିଡ଼ କାମ । ଦେହର ମଜରା ଛଡ଼ାଇବାକୁ ମଦ ପାଣି ଟିକେ ପିଇଦିଏ ଚାରିଅଣାରେ ଅଫିମ ଖାଏ-। ଆଜ୍ଞା, ଏତକ ନ ଖାଇଲେ ଧିଅ ଚଳିବ ନାହିଁ, ରିକ୍‌ସା ଭିଡ଼ିବ କେମିତି, ପଇସା ଭେଇ କୁଟୁମ୍ବ ପୋଷିବି କେମିତି ?

 

ତୁଷାରକାନ୍ତି ତୁନି ରହିଲା । ନିଜର ଦୁଃଖ ବଳାଇଛି । କୂଳ କିନାର ପାଉନାହିଁ । ବିଦ୍ୟା ଓ ଭଦ୍ରତା ହୋଇଛି କାଳ । ନୋହିଲେ, ଦୁନିଆର ଭୀକାରି ଦଳ ସଙ୍ଗରେ ମିଶି ଯାଆନ୍ତା । ହାତ ପାତି ଗୀତ ବୋଲି ଭିକ ମାଗନ୍ତା, ବାବୁ ପଇସାଟିଏ ଦିଅ !

 

ନିଜର ଭାବନାରେ ନିଜେ ଥରି ଉଠିଲା । ବସା ଘର ପାଖେଇ ଆସିବଣି । ହାତ ଧରି ଘର ଭିତରକୁ ନେବାକୁ କ୍ଷଣପ୍ରଭା କବାଟ ଖୋଲି ଦାଣ୍ଡରେ ଅନାଇ ଠିଆ ହୋଇଥିବ, ବୋଉ ବ୍ୟସ୍ତ ହେଉଥିବ । ନୀହାରିକା ଚାହିଁ ରହିଥିବ । ସମସ୍ତେ ସଭିଙ୍କୁ ଆପଣାର କରିଛନ୍ତି । ସମସ୍ତେ ସଭିଙ୍କୁ ଭଲ ପାଆନ୍ତି । କେତେ ଆଶା ପୋଡ଼ିଜଳି ଯାଇଛି । ଅସରନ୍ତି ଦୁଃଖ ଓ ଅଭାବ ଭିତରେ ସେ ପାଇଛି ସ୍ୱର୍ଗର ସଂସାର ।

 

ଆଉକେତେ ବାଟ ଅଛି ?

 

ଦିଭାଗ ଗଲା, ଆଉ ଭାଗେ । ଦୁଷ୍ମନ୍ତବାବୁ ଓକିଲଙ୍କ ଘର ଏଇ ଆଗରେ ଦିଶୁଛି । ତାରି ପାଖ ଗଳିରେ ଗଲେ ସିଧା ପଡ଼ିବ । ବର୍ଷା ଥମିଲାଣି, ପବନ କମିଲାଣି । ହେଲେ, ରାସ୍ତା ଉପରେ ପାଣି ଜମିଛି । କାଦୁଅ । ଟାଣିବାକୁ କଷ୍ଟ ହେଉଛି ।

 

ଏ ବାଟେ କାହିଁକି ଆଣିଲୁ ?

ସିଧା ବାଟ ।

 

ଦୁଷ୍ମନ୍ତ ! ବନ୍ଧୁ ! ଧନୀର ପିଲା । ନିଜେ ସେ ଧନୀ । ଦୁଷ୍ମନ୍ତ, ହେମାଙ୍ଗିନୀ ! ଗତ ଜୀବନର ବନ୍ଧୁତା ମନେପଡ଼େ । କ୍ଷଣପ୍ରଭା ଦୁଷ୍ମନ୍ତର ଘରଣୀ ହୋଇଥାନ୍ତା । ଏଇ ବିଶାଳ କୋଠା, ଧନସମ୍ପତ୍ତି, ପ୍ରତିପତ୍ତି ସବୁ ହୋଇଥାନ୍ତା ତାର ! ତୁଷାର ତାକୁ ଦୁଃଖିନୀ କରିଛି । ସେ ଅପରାଧୀ ସବୁ ଦୁଃଖ ମୁଣ୍ଡପାତି ସହି କ୍ଷଣପ୍ରଭା ତାକୁ ଭଲ ପାଇଛି । ଦିନରାତି ତାରି ସେବାରେ ମନପ୍ରାଣ ଢାଳି ଦେଇଛି ।

 

ଦୁଷ୍ମନ୍ତ ଅବିବାହିତ । ଦେଶ କାମରେ ମନ ଦେଇଛି । ଶହଶହ ଟଙ୍କା ଦାନ କରୁଛି । ଲୋକଙ୍କ ମୁହଁରେ ଦୁଷ୍ମନ୍ତର ପ୍ରଶଂସା, ସେ କ୍ଷମାଶୀଳ, ଉଦାର, ମୁକ୍ତହସ୍ତ । ତଥାପି, ତୁଷାର କେବେ ତାର ଦ୍ୱାରସ୍ଥ ହୋଇନାହିଁ । ସାହାଯ୍ୟ ଲୋଡ଼ିବାର କାମନା କରିନାହିଁ । ଦୁଷ୍ମନ୍ତ ହୁଏତ ତାର ଅବସ୍ଥା ଜାଣେନାହିଁ । କାହିଁକି ସେ ଜଣାଇ ଦେବ ? ଦୁଇବର୍ଷ ତଳେ ତା ମନରେ ଦାରୁଣ ଆଘାତ ଦେଇଥିଲା । ଦୁରେଇ ରହିଛି, ଅଜଣା, ଅଶୁଣା । ଅନ୍ଧ, ଅପାରଗ, ଦରିଦ୍ର, ଉପାସୀ, ଅଜଣା ଅଶୁଣା ରହିବା ଭଲ ।

 

ଦୁଷ୍ମନ୍ତ ସୁଖରେ ଥାଉ ।

 

ହେମାଙ୍ଗିନୀ ? ସେ ମଧ୍ୟ ସୁଖରେ ଅଛି । କଟକର ସୁବିଖ୍ୟାତ କଣ୍ଟ୍ରାକ୍‌ଟର ଅବନୀବାବୁଙ୍କର ଦ୍ୱିତୀୟା ପତ୍ନୀ ଅରୁଣର ସାବତ ମା !

 

ଆଜି ସେ ଜାଣିଲା । ଅବନୀ ବାବୁ ଅରୁଣର ପଢ଼ାପଢ଼ି ପାଇଁ ଦୁଃଖ ପ୍ରକାଶ କଲେ ।

ଟିଉସନ୍‌ ଆଉ ଲୋଡ଼ା ନାହିଁ ।

ଆଗ ଆଡ଼ୁ ମଟର ଆସୁଛି । ଉଜ୍ଜ୍ୱଳ ଆଲୁଅରେ କାଳୁର ଆଖି ଝଲସି ଉଠୁଛି ।

ମଟରଗାଡ଼ି ପାଖେଇ ଆସିଲା, ଆଲୁଅରେ ଆଖି ଝଲସିଲା ।

 

ବରଷା କମିଲା, ପବନ ଥମିଲା, ନେଳିଆ ଆକାଶରେ ଜମିଲା ମେଘ ଖଣ୍ଡ ଖଣ୍ଡ ହୋଇ ପଖା ମେଲାଇ ଭାସି ଭାସି ଚାଲିଲେ । ଉଜ୍ଜ୍ୱଳ ଜହ୍ନ ପୁଣି ହସି ଉଠିଲା । ନିଷବଦ ହେଲା ରାତି । ତୁଷାରକାନ୍ତି ଫେରିଲା ନାହିଁ । କାନ୍ଥ ଘଣ୍ଟା ସଙ୍କେତ ଦେଲା–ରାତି ଗୋଟାଏ ।

 

କ୍ଲାନ୍ତ ମଉଳା ମୁହଁ ଟେକି ନୀହାରିକା ନିଦବୋଳା ଆଖିରେ ଘଣ୍ଟାକୁ ଚାହିଁ ଥରିଲା ଓଠ ଖୋଲିଲା, କଅଣ ପଚାରିବ ପରା । କ୍ଷଣପ୍ରଭା ତା ମନର କଥା ବୁଝିଲା । ବିଷାଦବୋଳା ବଦନ ଟେକି ବ୍ୟଥାଭରା ଆଖିରେ ନୀହାରିକାକୁ ଚାହିଁଲା । ହାତ ଟେକି ସଙ୍କେତ ଦେଲା ଚୁପ୍‌ ।

 

ଲକ୍ଷ୍ମୀଙ୍କର ଜର ବଢ଼ିଛି । ୧୦୦ ଡିଗ୍ରୀ । ଜର ବାଉଳାରେ ପଚାରିଥିଲେ, ତୁଷାର ଆସିଲା, ଖାଇଲାଣି, ଏତେ ଡେରି କଲା । ତୁଷାର, ତୁଷାର–

 

ମୁଣ୍ଡରେ ପାଣି ପଟି ଦେଇ ପାଖରେ ଦୁଇଘଣ୍ଟାକାଳ ବସିଛନ୍ତି ପ୍ରଭା ଓ ନୀହାରିକା । ଜର ଅଳ୍ପ କମିଛି । ବୁଢ଼ୀ ଶୋଇ ପଡ଼ିଛନ୍ତି । ଛାତି ହେଉଛି ଘଡ଼ ଘଡ଼ ।

 

କ୍ଷଣପ୍ରଭା ଉଠି ଆସିଲା ଆର ଘରକୁ । ନୀହାରିକା ମଧ୍ୟ ଆସିଲା । ଦାଣ୍ଡ କବାଟ ଖୋଲି ଦୁହେଁ ପିଣ୍ଡାକୁ ଆସିଲେ । ଛୋଟ ଅରମା ଗଳିଟି ଶୂନ୍‌ଶାନ୍‌ । ଜହ୍ନ ଆଲୁଅ ପଡ଼ିଛି । ଦୁହିଁଙ୍କ ମନରେ ପ୍ରଶ୍ନ, ଏତେ ରାତି ହେଲା, କୁଆଡ଼େ ଗଲେ, କେବେ ତ ଏମିତି ଡେରି ହୁଏ ନାହିଁ !

 

କେହି କାହାକୁ ଭରସି କରି ପଚାରି ପାରୁନାହାନ୍ତି, ଅଜଣା ଭୟରେ ଦୁହଁଙ୍କର ଛାତି ଥରି ଉଠୁଛି ।

 

ନୀହାରିକା ପଚାରିଲା, ନୂଆଉ, ଭାଇ–

 

କ୍ଷଣପ୍ରଭା ମନର କୋହ ଅଟକାଇ କହିଲା, ଆସୁଥିବେ, ବରଷା କମିଲାଣି, ଭିତରକୁ ଚାଲ ।

 

ଅବନୀବାବୁଙ୍କ ଘରକୁ କାହାକୁ ପଠାଇବା କି ? କମ୍ବୁ ଓଝା କି ଦିନୁ ସେଠୀକୁ ଡାକିବି ? ଅବନୀ ବାବୁଙ୍କ ଘର କେଉଁଠି ତମେ ଜାଣ ?

 

ଜାଣେନାହିଁ ନୀର, ବର୍ଷା ଛାଡ଼ିଲା, ଆସୁଥିବେ । ଆଉ ଅଧଘଣ୍ଟାଏ ଅପେକ୍ଷା କର, ଭିତରକୁ ଆସ ।

 

ରହ ନୂଆଉ, ଗଳିମୁଣ୍ଡ ହାଲୋଳ ଦିଶୁଛି । ହେଇଟି ମଟର ଗାଡ଼ି ଗଳି ମୁଣ୍ଡରେ ରହିଲା-। ଏଁ ଏଣିକି ଆସୁଛି କାହିଁକି । ଭିତରକୁ ଆସ ।

 

ନୀର କ୍ଷଣପ୍ରଭାର ହାତ ଧରିଲା । ତା ହାତ ଥରୁଛି କି କ୍ଷଣପ୍ରଭାର ଦେହ ଥରୁଛି, ସେ ଜାଣିପାରିଲା ନାହିଁ । ନଣନ୍ଦ ଭାଉଜ ଦିହେଁ ଘର ଭିତରକୁ ଗଲେ । ଦାଣ୍ଡ କବାଟ ମେଲା ଥାଏ । ଆକୁଳ ଆଖିରେ ଦିହେଁ ପଦାକୁ ଚାହିଁ ରହିଲେ । କିଏ ଆସୁଛି, କାହିଁକି ଆସୁଛି, ଜାଣିବାକୁ ମନ ଛକପକ ହେଲା ।

 

ବେଶି ବେଳ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଧୋବ ଧାଉଳିଆ ବାବୁ ଜଣେ ଜୋତା ଠକ୍‌ ଠକ୍‌ କରି ଏକୁଟିଆ ଘର ଆଗ ରାସ୍ତା ଉପରେ ଠିଆ ହେଲେ । ଏଣିକି ତେଣିକି ଚାହିଁଲେ । ପଚାରିଲେ, ଏହି ଘର ତୁଷାର ବାବୁଙ୍କର ?

 

ସ୍ୱର ଥରି ଉଠିଲା । ସେଇ ଥରିଲା ସ୍ୱରରୁ କ୍ଷଣପ୍ରଭା ଯେପରି ଅଜଣା ବିପଦର ସୂଚନା ପାଇଲା । ନୀହାରିକାକୁ ଆଡ଼େଇ ଦରଆଉଜା କବାଟ ଦି ଫାଳ ଦୁଇ ପାଖକୁ ଠେଲି ପଦାକୁ ବାହାରି ଆସୁ ଆସୁ ଅଧୀର କଣ୍ଠରେ କହିଲା, ହଁ, କହନ୍ତୁ, କଅଣ ହୋଇଛି ? ସେ କାହାନ୍ତି ?

 

ବାବୁଟି ପିଣ୍ଡା ଉପରକୁ ଉଠି ସାରିଥିଲେ । ଚେଷ୍ଟା କରି ଦୃଢ଼ ସ୍ୱରରେ କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ଭଲ ଅଛନ୍ତି । ଶୁଣନ୍ତୁ–

 

ସେ ଘର ଭିତରକୁ ଗଲେ । ଟେବୁଲ ପାଖରୁ ଚଉକିଟା ଟାଣି ଚଉକିକୁ ଧରି ଠିଆ ହେଲେ, ଯେପରି କି ସିଧାହୋଇ ଠିଆ ହେବାକୁ ଦେହରେ ଶକ୍ତି ନାହିଁ ।

 

ନିହାରୀକା କାବାହୋଇ କାନ୍ଥକୁ ଆଉଜି ଠିଆ ହୋଇଥାଏ ।

 

କ୍ଷଣପ୍ରଭା ଭିତରକୁ ଆସି ଖଟବାଡ଼କୁ ଆଉଜି ଠିଆହେଲା । ଦେହରେ ସତେ କି ପ୍ରାଣ ନାହିଁ, ତୁଣ୍ଡରେ କଥା ନାହିଁ । ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲା ଆଗନ୍ତୁକ ଦୁଷ୍ମନ୍ତକୁ ।

 

ଏଇ ଦୁଷ୍ମନ୍ତ, ହେମାଙ୍ଗିନୀର ଭାଇ । ଛଅଟି ବର୍ଷ ତାଙ୍କୁ ସେ ଚିହ୍ନିଥିଲା । ଅତୀତର ଅନ୍ଧାର ଭିତରେ ଛୋଟବଡ଼ କେତେ କେତେ ଘଟଣା ଛପି ଯାଇଛି । ବିଜୁଳିପରି ସବୁ ଘଟଣାର ସ୍ମୃତି ଝଲସି ଉଠିଲା ଆଖି ଆଗରେ । ଦୁଷ୍ମନ୍ତ ବାବୁ ବଦଳିଛନ୍ତି । ବଡ଼ଲୋକୀ ନାହିଁ । ଖଦଡ଼ ଲୁଗା, ଖଦଡ଼ ଜାମା, ମୁଣ୍ଡରେ ଖଦଡ଼ ଟୋପି । କେତେଦିନ ହେଲା ଝିଅର ହୋଇନାହାନ୍ତି । ଦୁର୍ବଳ ଦେହ, ଶୁଖିଲା ମୁହଁ । ଆଖି ଦିଓଟି ପଶି ଯାଇଛି ।

 

ତାରି ଆଡ଼କୁ ଚାହିଁ ରହିଛନ୍ତି । କିଛି କହୁନାହାନ୍ତି । କି ଦୁଃସମ୍ବାଦ ସେ ଆଣିଛନ୍ତି ? କେମିତି ପଚାରିବି ? ନିଜ ମନକୁ ସେ କହୁ ନାହନ୍ତି ତ !

 

ଦୁଷ୍ମନ୍ତ, ଆଖି ଆଗରେ ସେ ଦେଖୁଛି ତାକୁ, ଯିଏ ଦିନେ ତାର ଭାବନା ଥିଲା, ଯିଏ ଥିଲା ତାର ସ୍ୱପ୍ନ, ଯାହାକୁ ମନେ ମନେ ନିଜର କରି କଳ୍ପନାର ଅମରାବତୀ ସେ ଗଢ଼ିଥିଲା । କ୍ଷଣପ୍ରଭା !

 

ଦୁଇବର୍ଷ ତଳର କ୍ଷଣପ୍ରଭା ସେ ନୁହେଁ, କଲେଜ ପଢ଼ା ଝିଅ ! ସେ ବଦଳିଛି । ଦୁର୍ବଳ ଅପରିଷ୍କାର, ଅଯତ୍ନଶୀଳ, ଗମ୍ଭୀର । ଧନୀର ଝିଅ ହୋଇ ମଧ୍ୟ ସେ ଦରିଦ୍ର । କିପରି ସେ କହିବ କଅଣ ହୋଇଛି ? ସେ ନିଜେ ହଁ ତ ଦାୟୀ !

 

କ୍ଷଣପ୍ରଭା ଧୈର୍ଯ୍ୟ ଭାଙ୍ଗିଲା । ଥରିଲା ସ୍ୱରରେ ପଚାରିଲା, ତୁନି ରହିଲେ କାହିଁକି, ଅସମୟରେ ଆସିବାର ଉଦ୍ଦେଶ୍ୟ ମତେ ଖୋଲି କହନ୍ତୁ ।

 

ଆପଣ ଅଧୀର ହୁଅନ୍ତୁ ନାହିଁ । ମୁଁ କହୁଛି–

 

କ୍ଷଣପ୍ରଭା ଚାହିଁ ରହିଲା । ଦୁଷ୍ମନ୍ତ କହିବାକୁ ଲାଗିଲା– ମୋରି ଘର ଆଗରେ । ଆପଣଙ୍କ ମନେଥିବ, ସେ ଯେଉଁ ଗହୀଡ଼ା ନାଳ, ବର୍ଷା ପାଣିରେ ବୁଡ଼ି ଯାଇଥିଲା । ରାସ୍ତା ଉପରେ ବଳଗଣ୍ଠିଏ ପାଣି । ମଟର ଗାଡ଼ିର ଆଲୁଅ ଦେଖି ବାଟ କଟାଇବାକୁ ରିକ୍‌ସାବାଲା ରିକ୍‌ସା କଡ଼କୁ ଟାଣିଲା । ଗୋଟାଏ ଚକ ଗଳି ପଡ଼ିଲା । ନାଳରେ । ରିକ୍‌ସା ଗୋଟିଏ ପାଖକୁ ଅଣେଇ ହୋଇଗଲା । ରିକ୍‌ସାବାଲା ଛିଡ଼ିକି ପଡ଼ିଲା । ନାଳ ଭିତରେ ଆଉ ତୁଷାରକାନ୍ତି ନାଳ ଆରପାଖେ ଓଲଟି ପଡ଼ିଲା ।

ନୀହାରିକା ଚିତ୍କାର କରି ଉଠିଲା, କଅଣ ହେଲା ମୋ ଭାଇର ?

କ୍ଷଣପ୍ରଭା ନୀହାରିକାର ହାତ ଧରି କହିଲା, ତୁନି ହ ।

ଦୁଷ୍ମନ୍ତ କହିଲା, ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ମୁଁ ପାଖକୁ ଆସି ଦେଖିଲି । ରିକ୍‌ସାବାଲାର ଗୋଟିଏ ଗୋଡ଼ର ହାଡ଼ ଭାଙ୍ଗି ଯାଇଛି । ତୁଷାରକୁ ମୁଁ ହଠାତ୍‌ ଚିହ୍ନି ପାରିଲି ନାହିଁ । ମୁଣ୍ଡରୁ ରକ୍ତ ଝରୁଥିଲା । ସେ ଜ୍ଞାନଶୂନ୍ୟ ହୋଇ ପଡ଼ିଥିଲା । ସଙ୍ଗେ ସଙ୍ଗେ ଦୁହିଁଙ୍କୁ ମୁଁ ମେଡ଼ିକାଲର ନେଇଗଲି । ତୁଷାରର ସବୁ ଯତ୍ନ ନିଆଯାଇଛି । ଜ୍ଞାନ ହେଲାଣି । ଡକ୍‌ଟର ମିଶ୍ର ତାର ପାଖରେ ଅଛନ୍ତି । ଭୟର କାରଣ ନାହିଁ । ତୁଷାର ନିଜେ ମତେ ବସାର ଠିକଣା ବତାଇ ଖବର ଦେବାକୁ କହିଲା । ଆପଣ ଯଦି ଯିବେ ମୋ ସଙ୍ଗରେ ଆସନ୍ତୁ, ଦେଖି ଆସିବେ ।

କ୍ଷଣପ୍ରଭା ସବୁ ଶୁଣିଲା । ଦେହ କାଠ ହୋଇଛି, ମନ ପଥର ହୋଇଛି, ଦୁଃଖ ତାର ଜୀବନର ସାଥି । ଭାଗ୍ୟ ଉପାହସ କରୁଛି । ଭଗବାନ୍‌ ତା ଧୈର୍ଯ୍ୟର ପରୀକ୍ଷା କରୁଛନ୍ତି । ବିପଦ ପରେ ବିପଦ ମାଡ଼ିଆସୁଛି । କୋମଳ ନାରୀ ହୃଦୟ । ସହି ହେଉନାହିଁ । ନ ସହି ଅନ୍ୟଗତି ନାହିଁ ।

ସ୍ୱାମୀ ଡାକ୍ତରଖାନାରେ ପଡ଼ିଛନ୍ତି । ଘରେ ରୁଗ୍‌ଣା ଶାଶୁ, ଜରରେ ପ୍ରାୟ ହତଜ୍ଞାନ । ବେଳେ ବେଳେ ବିଳିବିଳେଇ ଉଠୁଛନ୍ତି –ତୁଷାର ଆଇଲା, ଖାଇଲାଣି ?

 

ଏ ଘଟଣା ଶୁଣିଲେ ତାଙ୍କର କଣ ହୋଇଯିବ । କି ବୁଦ୍ଧି କରିବି ? ସ୍ୱାମୀକୁ ଦେଖିବାକୁ ପ୍ରାଣ ଛଟପଟ, ଶାଶୁଙ୍କୁ ଛାଡ଼ି ଯିବାକୁ ସାହସ ହେଉ ନାହିଁ ।

 

କ୍ଷଣପ୍ରଭାର ଆଖିରୁ ଲୁହ ଝରିଲା ।

 

ଆର ଘରୁ ଶାଶୁ କାଶି ଉଠିଲେ, ଧଇଁ କାଶ, ବ୍ୟସ୍ତ ହୋଇ କୁନ୍ଥାଇଲେ । କ୍ଷଣପ୍ରଭା ବିଚଳିତ ହେଲା । ଆଖିରୁ ଲୁହ ପୋଛି ମନରେ ସାହସ ବାନ୍ଧି କହିଲା, ନୀରୁ, ବୋଉଙ୍କ ପାଖକୁ ଯାଅ, କିଛି କହିବ ନାହିଁ । ଯାଅ, ମୁହଁ ପୋଛି ପକାଅ ।

 

ଦୁଷ୍ମନ୍ତ ଚାହିଁ ରହିଛି । କ୍ଷଣପ୍ରଭାର ସେହିପରି ଅଛି ରୂପର ତେଜ ! ଦାରିଦ୍ର୍ୟ ସେ ରୂପକୁ ନୂଆ ରଙ୍ଗରେ ଚିତ୍ର କରିଛି । ପରିଷ୍କାର ଧଳା ଶାଢ଼ୀ ଖଣ୍ଡେ, କାନରେ ଛୋଟ ଛୋଟ ସୁନା ଫୁଲ ଦିଓଟି, ବେକରେ ଅତିସରୁ ସୁତା ଚେନ୍‌ଟିଏ, ପଦକ ନାହିଁ । ହାତରେ ପଟେ ପଟେ ସରୁ ସୁନା କାଚ-। ସେତିକି । ଆଧୁନିକ ଫେସନ ନୁହେଁ, ଅଭାବ । ଅଭାବ ତାକୁ ଆହୁରି ସୁନ୍ଦର କରିଛି ।

 

ଧୈର୍ଯ୍ୟର ଅବତାର !

 

ନୀହାରୀକା ଆର ଘରକୁ ଚାଲିଗଲା । କୃତଜ୍ଞତାପୂର୍ଣ୍ଣ ସ୍ୱରରେ ମୁହଁ ବଙ୍କାଇ ଆଖି ଛଳ ଛଳ କରି କ୍ଷଣପ୍ରଭା ମିନତି କଲା, ବସନ୍ତୁ ।

 

ଦୁଷ୍ମନ୍ତ କହିଲା, ବସିବାକୁ ବେଳ ନାହିଁ । ରାତି ଦୁଇଟା ହେଲାଣି । ଆପଣ ଯଦି ଚାହାନ୍ତି ଆସନ୍ତୁ, ଦେଖି ଆସିବେ । ଆପଣଙ୍କୁ ମୁଁ ଛାଡ଼ି ଦେଇଯିବି ।

 

ଅବିଚଳିତ ସ୍ୱରରେ କ୍ଷଣପ୍ରଭା କହିଲା, ଏତେକଷ୍ଟ ତ ଆଜି ସହିଲେଣି, ଟିକିଏ ଅପେକ୍ଷା କରିବେ ନାହିଁ, ବସିବେ ନାହିଁ ? ଶାଶୁଙ୍କୁ ଭୟଙ୍କର ଜର । ଘରେ ଏଇ ପିଲାଟି ଏକା ସାହା । ଶାଶୁ ଯଦି ଏ ସବୁ କଥା ଶୁଣିବେ, ତାଙ୍କର ଛାତି ଫାଟିଯିବ ।

 

ଦୁଷ୍ମନ୍ତ କଥା ମାନି ଚଉକିରେ ବସିଲା ।

 

କ୍ଷଣପ୍ରଭା ଆର ଘରକୁ ଗଲା । ଶାଶୁ ଛଟପଟ ହେଉଛନ୍ତି । ତାତି କମି ନାହିଁ । କହୁଛନ୍ତି, ରାତି କେତେ ହେଲାଣି, ଏତେବେଳଯାଏ କୁଆଡ଼େ ଥିଲା, ଖାଇଲାଣି ? ଯାଅ ବୋହୁ, ଶୋଇବ ।

 

ବାଲ ଟିକେ ଦେବି ? ନାଇମା । ତୁଷାର ଖାଇ ନାହିଁ ?

ତମେ ଶୋଇପଡ଼, ବ୍ୟସ୍ତ ହୁଅ ନା ।

ହଁ, ମୁଁ ଶୋଉଛି । ଯା, ନୀରୁ ନୂଆଉ ସଙ୍ଗେ ଖାଇ ବସ । ମୋର କିଛି ଲୋଡ଼ା ନାହିଁ ।

 

ଲକ୍ଷ୍ମୀ ତୁନି ହୋଇ ପଡ଼ି ରହିଲେ । କ୍ଷଣପ୍ରଭା ତାଙ୍କୁ ଚଦର ଘୋଡ଼ାଇ ନୀହାରିକାର ହାତଧରି ଭିତର ଅଗଣାକୁ ନେଲା । ଉଜ୍ଜ୍ୱଳ ଜହ୍ନ ଆକାଶର ଆର ପାଖକୁ ଓହ୍ଲାଇ ପଡ଼ିଲାଣି, ମେଘ ଫଉଜରେ ଅବିରାମ ଗତି ।

 

କ୍ଷଣପ୍ରଭା କହିଲା, ନୀରୁ, ବୋଉଙ୍କ ପାଖେ ପାଖେ ଥିବ । କିଛି କହିବ ନାହିଁ । ମୁଁ ଯାଉଛି ମେଡ଼ିକାଲକୁ । ଫେରୁ ଫେରୁ ଡେରି ହୋଇପାରେ । ବ୍ୟସ୍ତ ହେବ ନାହିଁ ।

 

ନୂଆଉ–କହୁ କହୁ ନୀହାରିକା କଇଁ କଇଁ ହୋଇ କାନ୍ଦି ଉଠିଲା । କାନ୍ଦଣା ସ୍ୱରରେ କହିଲା, ମୁଁ ଯିବି, ନୁଆଉ–

 

ନୀହାରିକାକୁ କୋଳକୁ ଆଉଜାଇ କ୍ଷଣପ୍ରଭା କହିଲା, ଛି, କାନ୍ଦୁଛ, ବୋଉଙ୍କ ପାଖରେ କିଏ ରହିବ ? ତମେ ତାଙ୍କ ପାଖରେ ଥାଅ । ଯେତେଶୀଘ୍ର ପାରେ ଫେରି ଆସିବି । ସୁନା ଭଉଣୀଟି, ଭଲ ମନ୍ଦ ତ ସବୁ ବୁଝୁଛ, ବିପଦ ପଡ଼ିଛି, ଧୈର୍ଯ୍ୟ ଧରି ସହିବାକୁ ହେବ । କବାଟ ବନ୍ଦ କରି ଘରେ ରହ । ଆଲୁଅ ଲିଭେଇବ ନାହିଁ । ଦରକାର ହେଲେ ଦିନୁ ସେଠୀକୁ ଡାକିବ ।

 

ନୀହାରିକାକୁ ଛାଡ଼ି କ୍ଷଣପ୍ରଭା ଦାଣ୍ଡ ଘରକୁ ଆସିଲା । ନୀହାରିକା ପଛେ ପଛେ ଆସିଲା-। ଦୁଷ୍ମନ୍ତ ତୁନି ହୋଇ ବସି ଘରର ଏଣେ ତେଣେ ଚାହୁଁ ଥାଏ ।

 

କ୍ଷଣପ୍ରଭା କହିଲା, ଚାଲନ୍ତୁ ।

 

ଦୁଷ୍ମନ୍ତ ଉଠିଲା । ନଜର ପଡ଼ିଲା କ୍ଷଣପ୍ରଭାର ପିଠିରେ । ସଫା ଲୁଗା ଉପରେ ନାଲିରଙ୍ଗର ଧାର ଗଡ଼ି ଆସିଛି । ପଚାରିଲା– ଏପରି ଯିବେ ?

 

କ୍ଷଣପ୍ରଭା ଉତ୍ତର ଦେଲା, ଆସନ୍ତୁ । ଡେରି ହେଉଛି ।

ଦୁଷ୍ମନ୍ତ ତାର ପଛେ ପଛେ ପଦାକୁ ଆସିଲା ।

 

ଏତେବଡ଼ ବିପଦର ମୁଣ୍ଡ ଉପରେ ଅଜାଡ଼ି ହୋଇପଡ଼ିଲା । ସ୍ୱାମୀ ବେମାର, ଶାଶୁ ହେଲେ ପୀଡ଼ିତା । ଅଭାବ ଆଁ କରି ମାଡ଼ି ଆସିଲା । ଆତ୍ମୀୟସ୍ୱଜନ କେହି ପାଖରେ ଠିଆ ହେଲେ ନାହିଁ । ଧୈର୍ଯ୍ୟଧରି ସବୁ ସେ ତୁଲାଇ ନେଲା । ପାଖରେ ନଣନ୍ଦ ନୀହାରିକା, ଦୂରରେ ଦୁଷ୍ମନ୍ତ, ଦେହରେ ସାମାନ୍ୟ କେଇଖଣ୍ଡି ଗହଣା !

ଗହଣା ବିକ୍ରୀ କରି କ୍ଷଣପ୍ରଭା ଘରର ଭଡ଼ା, ହାତ ଉଧାର ଓ ଅନ୍ୟ ଖର୍ଚ୍ଚ ତୁଲାଇଲା । ଡାକ୍ତରଖାନାରେ ପାଉଣା, ଔଷଧ ଓ ପଥ୍ୟ ପାଇଁ ଖର୍ଚ୍ଚ ଚଳାଇଲା । ପାଖରେ ଯେଉଁ କେଇଟି ଟଙ୍କା ଅଛି ସେତିକିରେ କଟକ ସହରରେ ବା ଆଉ କେତେଦିନ ଚଳିବ ? ତାପରେ କି ବୁଦ୍ଧି କରିବ ?

ସ୍ୱାମୀ ଭଲ ହୋଇଗଲେଣି, କେବଳ କପାଳ ଉପରର ଧଳା ଦାଗ ଲିଭି ନାହିଁ । ହୁଏତ ଲିଭିବ ନାହିଁ । ପୁଣି ପର ଘରେ ଟିଉସନ କରି ଟଙ୍କା ଅର୍ଜନ କରିବାକୁ ଆଗ୍ରହ ଦେଖାଇଲେଣି । କ୍ଷଣପ୍ରଭା ବାଧା ଦେଉଛି । ତୁଷାରକାନ୍ତି ବଳେଇ କରି କିଛି କହିପାରୁ ନାହିଁ । କର୍ତ୍ତବ୍ୟ କଅଣ, କେବଳ ସେଇଆ ଭାବୁଛି ।

ଲକ୍ଷ୍ମୀ ଭଲ ହୋଇଗଲେଣି । ଦୁର୍ବଳତା ଛାଡ଼ି ନାହିଁ । ହାତଧରି ନିଆଅଣା ନ କଲେ ଆତଯାତ ହୋଇପାରୁ ନାହାନ୍ତି । ଦେହ ଥରୁଛି । ବେଳେ ବେଳେ ନୀହାରକା ଉପରେ ଚିଡ଼ି ଚିଡ଼ି ହେଉଛନ୍ତି ।

ଆହା, ନୀହାରିକାଟି, ଅଭାବ ପାଇଁ ପାଠ ବନ୍ଦ ହେଲା । କାମ କରି କରି ବେଳ ଅଣ୍ଟୁନାହିଁ । ମା ଓ ଭାଇଙ୍କର ସେବାରେ ମନପ୍ରାଣ ଢାଳି ଦେଇଥିଲା । କେଡ଼େ ଶୁଖିଲା ଦିଶୁଛି । ତାର ମୁଣ୍ଡ ବାନ୍ଧିଦେବାକୁ କ୍ଷଣପ୍ରଭାର ବେଳ ନାହିଁ ।

ଦୁଃଖର ସଂସାର, ଅଭାବର ସଂସାର । ସାହା ସମ୍ବଳ କେହି ନାହିଁ । ଭବିଷ୍ୟତ ଲମ୍ବି ଯାଇଛି ଆଗରେ । ଅନ୍ଧାର । ବାଟ ଦିଶୁ ନାହିଁ । ଉପାୟ କଣ ?

 

ରାତି ଆଠଟା । ବାହାରେ ଉଜ୍ଜ୍ୱଳ ଜହ୍ନ ଆଲୁଅ । ଝରକା ବାଟେ ନଈକୂଳିଆ ଶୀତଳ ପବନ ଥିରି ଥିରି ଘରେ ପଶୁଛି । ଟେବୁଲ ଉପରେ ଲ୍ୟାମ୍ପ୍‍ ଆଲୁଅ ଉଜ୍ଜ୍ୱଳ ହୋଇ ଜଳୁଛି । ଟେବୁଲ ପାଖରେ ଚଉକିରେ ବସିଛି କ୍ଷଣପ୍ରଭା । ପାଖ ଚଉକିଟା ଖାଲି । କାନ୍ଥକଡ଼କୁ ପଡ଼ିଛି ଯେଉଁ ଖଟ, ତୁଷାରକାନ୍ତି ତାରି ଉପରେ ବସିଛି, ସେ ମଧ୍ୟ କଣ ଭାବୁଛି । ଆର ଘରେ ଶାଶୁ ଶୋଇଛନ୍ତି । ନିହାରୀକା ରୋଷାଇ କରୁଛି ।

 

ନୈରାଶ୍ୟ କଳାବଉଦ ଘୋଟି ଆସିଲେ ଜୀବନର ସବୁ ଆନନ୍ଦ ଉଭେଇ ଯାଏ । ବଞ୍ଚି ରହିବା ଅଭିଶାପ ପରି ମନେହୁଏ । ନିଜ ସଙ୍ଗେ ଦୁନିଆର ସଭିଙ୍କୁ ତଉଲିବାକୁ ଇଚ୍ଛା ହୁଏ । ବିଦ୍ରୋହ ଜାଗେ ମନରେ । କଅଣ ଗୋଟେ କରିବାକୁ ମନ ଡାକେ, କିନ୍ତୁ କୂଳକିନାରା ମିଳେ ନାହିଁ-। ପାଣି ଭଉଁରିରେ ଭାସିଲା ପତର ଭ୍ରମିଲା ପରି ମନ ଭ୍ରମେ ଭାବନାରେ ।

 

ବୃଥା ୟା ତା ଉପରେ ରାଗ ହୁଏ । ଅଭିମାନ ଆସେ । ନିଜର ଦୋଷ–ଭୁଲ ଆଖିରେ ପଡ଼େନାହିଁ । ନିଜର ଦୁଃଖ–ଦୁର୍ଦ୍ଦଶା ପାଇଁ ପରକୁ ଦାୟୀ କରେ । କେହି ନ ମିଳିଲେ ଅତି ପୁରୁଣା ବୁଢ଼ା ନିଉଛଣା ଅଜଣା ଅଶୁଣା ଭାଗ୍ୟ ଉପରେ ଦୋଷ ଢାଳିଦେଇ ମଣିଷ ଦୀର୍ଘଶ୍ୱାସ ଛାଡ଼ି ସାନ୍ତ୍ୱନା ପାଏ ।

 

କ୍ଷଣପ୍ରଭା ଭାଗ୍ୟ ପାଖରୁ ଭାବନା ଫେରାଇ ଆଣିଛି । ଦୁଷ୍ମନ୍ତର ସବୁ ସହାନୁଭୂତି ସତ୍ତ୍ୱେ ସେ ତାର ଦୁର୍ଦ୍ଦଶା ପାଇଁ ତାକୁ ହିଁ ମନେ ମନେ ଦାୟୀ କରିଛି । କାହିଁକି ଏତେଶୀଘ୍ର ତାର ଛାତ୍ର ଜୀବନ ଶେଷ ହୋଇଥାନ୍ତା, କାହିଁକି ବା ସେ ତୁଷାରକାନ୍ତିଙ୍କୁ ବିବାହ କରିଥାନ୍ତା ? ଏଇ ଦୁଷ୍ମନ୍ତ-। କେତେକଥା ମନେପଡ଼ି ଯାଉଛି ।

 

ଛାତ୍ର ଜୀବନରେ ସେ ଭଲ ପାଉଥିଲେ, କେତେ ଉପହାର ଦେଉଥିଲେ । ହେମାଙ୍ଗିନୀର ଭାଇ ବୋଲି ତାଙ୍କୁ ଭକ୍ତି କରୁଥିଲା । ଆଗ୍ରହରେ ଉପହାର ଗ୍ରହଣ କରୁଥିଲା । ଦୁଷ୍ମନ୍ତର ମନକଥା ତାଙ୍କର ବ୍ୟବହାରରୁ ବେଶ୍‌ ବୁଝିପାରୁଥିଲେ ମଧ୍ୟ କିଛି ନ ଜାଣିଲା ପରି, କିଛି ନ ବୁଝିଲା ପରି ସେ ଛଳନା କରିଥିଲା । ଆଖିରେ, ହସରେ, ସ୍ନେହ ଓ ଆଗ୍ରହରେ ଦୁଷ୍ମନ୍ତ ମନଗହନର ଗୋପନ ଭାଷା ପ୍ରକାଶ କରିଥିଲେ, କିନ୍ତୁ ତୁଣ୍ଡ ଖୋଲି ସେ କେବେ କିଛି କହି ନ ଥିଲା । ଅକୁହା କଥାର ମର୍ମ ସମସ୍ତେ ବୁଝିଥିଲେ, କ୍ଷଣପ୍ରଭା ମଧ୍ୟ ବୁଝିଥିଲା । କରଛଡ଼ା ଦେଇ ଦୂରରେ ରହିବାକୁ ମନ ହେଉଥିଲା । ସଭ୍ୟ ସମାଜର ପାଠୋଇ ଝିଅ, ସେ ଦୂରରେ ରହିପାରୁ ନ ଥିଲା ।

 

ଦୁଷ୍ମନ୍ତଙ୍କର ବାପା ବିବାହ ପ୍ରସ୍ତାବ ପଠାଇଥିଲେ । ପ୍ରସ୍ତାବ ଆଗେଇଲା । ଅଧିକ ପାଠ ପଢ଼ିବାର ଆଶା ତୁଟିଲା ଏଇ ଦୁଷ୍ମନ୍ତଙ୍କ ପାଇଁ । ରାଗ ହେଲା । ଦୁଷ୍ମନ୍ତଙ୍କ ପ୍ରତି ରାଗ ଅଭିମାନ ତାର ହାତକୁ ଛନ୍ଦିଲା ତୁଷାରକାନ୍ତିର ହାତରେ । ନୋହିଲେ ସେ ବିବାହ କରିଥାନ୍ତା କାହିଁକି, ଦୁହିଁଙ୍କର ଜୀବନ ଉପରକୁ ଦୁଃଖଦୁର୍ଦ୍ଦଶା ଟାଣି ଆଣିଥାନ୍ତା କାହିଁକି ? ତାରି ବନ୍ଧୁ ସୁନନ୍ଦା କେବେଠୁଁ ବି.ଏ.ପାସ୍‍ କରିସାରିଲାଣି ।

 

ଦୁଷ୍ମନ୍ତ ବଡ଼ଲୋକ । ତାଙ୍କରି ପାଇଁ ସ୍ୱାମୀଙ୍କର ଦୁର୍ଦ୍ଦଶା । ମୁଣ୍ଡ ଫାଟିଲା, ପନ୍ଦରଦିନ ଡାକ୍ତରଖାନାରେ ପଡ଼ିଲେ । ଭଲ ହୋଇ ଘରକୁ ଫେରିବା ପନ୍ଦରଦିନ ଟପିଗଲାଣି । ଦୁଷ୍ମନ୍ତ ଦିନରାତି ପରିଶ୍ରମ କରିଛନ୍ତି । ବନ୍ଧୁର ଜୀବନ ରଖିବାକୁ କି କ୍ଷଣପ୍ରଭାକୁ ଉପହାସ କରିବାକୁ ଆର୍ଥିକ ସାହାଯ୍ୟ ଘେନି ଆଗେଇ ଆସିଛନ୍ତି ? ଅଭାବ ଦୂର କରିବାକୁ କି ବଦାନ୍ୟତା ଦେଖାଇବାକୁ, ବନ୍ଧୁକୁ ସାହାଯ୍ୟ କରିବାକୁ କି କ୍ଷଣପ୍ରଭାକୁ ଛଳାଇବାକୁ ?

 

ଦୁଷ୍ମନ୍ତର ସହାନୁଭୂତି କି ସାହାଯ୍ୟ ସେ କେବେ ଲୋଡ଼ି ନାହିଁ । ଘରକୁ ଆସିଲେ ଯଥାଶକ୍ତି ଭଦ୍ରତା ଦେଖାଯାଇଛି । ତାଙ୍କର ଉପସ୍ଥିତି ଖରାପ ଲାଗେ । ନାରୀ ହୃଦୟର ସ୍ୱାଭାବିକ ଅହମିକା ସତେ କି ମୁଣ୍ଡ ନୁଆଁଏ । ପାଖରୁ ଦୂରେଇ ଯାଏ କାର୍ଯ୍ୟ ବାହାନାରେ । କିନ୍ତୁ, ଦୁଷ୍ମନ୍ତ ନ ଆସିଲେ ତାକୁ ଅଡ଼ୁଆ ଲାଗେ । ଡକାଇ ପଠାଇବାକୁ ମନହୁଏ । କୈଫିୟତ ମାଗିବାକୁ ବି ଇଚ୍ଛା ହୁଏ ।

 

ଦୁଷ୍ମନ୍ତ ତିନିଦିନ ହେଲା ଆସି ନାହାନ୍ତି ।

 

ମନ ଖୋଜିୁଛି । ଏଣୁତେଣୁ ଗଳ୍ପ ସେ କରନ୍ତି । ବଡ଼ ବଡ଼ କଥା କେବଳ ଆଦର୍ଶ, ଆଦର୍ଶ ! ଧର୍ମ, ସମାଜ, ଶିକ୍ଷା, ଦେଶ, ନାରୀ– । ତୁଷାରକାନ୍ତି ଯୋଗ ଦିଅନ୍ତି । କ୍ଷଣପ୍ରଭା ଶୁଣୁଶୁଣୁ ବାଁରେଇ ହେଇ ଉଠିଯାଏ । ବଡ଼ କଥା ଶୁଣିବାକୁ କି ଭାବିବାକୁ ଅବସର ନାହିଁ । ତାର ଛୋଟ ସଂସାରରେ ଅନେକ ସମସ୍ୟା । ଆଗ ଖାଇବା ପିନ୍ଧିବା ପୁଣି ମୁଣ୍ଡ ଗୁଞ୍ଜିବାକୁ ଘର । ଅନ୍ଧସ୍ୱାମୀ, ରୋଗଣା ଶାଶୁ, ଅଭିଆଡ଼ୀ ସାନ ନଣନ୍ଦ, ଭବିଷ୍ୟତ । ବଡ଼ ଲୋକର ତୁଣ୍ଡକୁ ବଡ଼ କଥା ଶୋଭାଯାଏ । ଦରିଦ୍ର ତୁଣ୍ଡରେ ବଡ଼କଥା ଉପହାସର ସାମଗ୍ରୀ ହୁଏ ।

 

କ୍ଷଣପ୍ରଭା ଆଜି ଗୋଟିଏ ଭାବନା, କିପରି ତୁଣ୍ଡଖୋଲି ସ୍ୱାମୀଙ୍କୁ ମନର କଥା କହିବ, ମତେ ଅର୍ଜନ କରିବାକୁ ଅନୁମତି ଦିଅ । ଦୁଃଖ ଆଉ ସହି ହେଉନାହିଁ । ତମର ଅଜାଣତରେ ଶିକ୍ଷୟିତ୍ରୀ ଚାକିରି ପାଇଁ ଦରଖାସ୍ତ କରିଥିଲି । ଇଣ୍ଟରଭିଉ ପାଇଁ ଡାକରା ଆସିଛି । ଏଇ କଟକ ସହରରେ ତ, ମତେ ଅନୁମତି ଦିଅ ।

 

ମନକଥା ମନରେ ଅଛି, ତୁଷାରକାନ୍ତି କଅଁଳେଇ ଡାକିଲା, ପ୍ରଭା–

କ୍ଷଣପ୍ରଭା ଚମକି ଉଠିଲା । ଠିଆହୋଇ ପଚାରିଲା, କଅଣ ?

ଶୁଣ, ମୋ ପାଖକୁ ଆସ ।

 

କ୍ଷଣପ୍ରଭା ପାଖକୁ ଗଲା । ଖଟଉପରେ ତଳକୁ ଗୋଡ଼ ଝୁଲାଇ ବସି ପଚାରିଲା, କଅଣ କହୁଛ ?

 

ତୁଷରକାନ୍ତିର ମୁହଁକୁ ଚାହିଁ ରହିଲା । ଅନ୍ଧ ସ୍ୱାମୀ, ବିକୃତ ମୁହଁ, ବସନ୍ତ ଚିହ୍ନ, କପାଳରେ ଦାଗ, ମୁଣ୍ଡରେ ଛୋଟ ଛୋଟ ବାଳ, ଆଖିର ଫୁଲା-ପଡ଼ା ନଷ୍ଟଡୋଳା ଦୁଇଟା ଅସନା ଦିଶୁଛି । ଏଇ ଅପାରଗ ସ୍ୱାମୀକୁ ନେଇ ସେ ସଂସାର କରିବ ! ଓଠ ଦିଓଟି ଥରି ଉଠୁଛି । ଡାହାଣ ହାତ ଖଟ ଉପରେ ଏପାଖ ସେପାଖ କରି ସେ କ୍ଷଣପ୍ରଭାକୁ ଠାବ କରିବାକୁ ଚେଷ୍ଟା କରୁଛନ୍ତି । ହାତ ପାଉନାହିଁ । ଏଇଆ ଭଗବାନ୍‌ ତାର ଭାଗ୍ୟରେ ରଖିଥିଲେ ?

 

ପାଖକୁ ଘଞ୍ଚିଗଲା । ଚଳନ୍ତି ହାତକୁ ଧରିଲା । ଦେଖିଲା, ତୁଷାରର ଥରିଲା ଓଠରେ ପୁଲକର ଆଭା ! ତୁଷାର ଆର ହାତଟି ବଢ଼ାଇ କ୍ଷଣପ୍ରଭାର ହାତ ଧରିଲା । ଡାହାଣ ହାତରେ କ୍ଷଣପ୍ରଭାକୁ ଆଉଁଷିବାକୁ ଲାଗିଲା । ହାତରେ ପଡ଼ିଲା କାଚ ଦିପଟି । ବୁଝିଲା, ସୁନାକାଚ କେବେଠୁଁ ବିକା ସରିଲାଣି । ହାତ ହୋଇଛି ଧଡ଼ିଆ, ହାଡ଼ୁଆ ପ୍ରଭା ଦୁଃଖ ସହିଛି ! ତାରି ପାଇଁ ଦୁଃଖ ସହୁଛି !

 

କଅଣ କୁହ, ନୀର ତେଣେ ରୋଷଘରେ ଘାଣ୍ଟି ହେଉଛି ।

ଆରା ଦେଖାଇ ଚାଲିଯିବାକୁ ଚାହୁଁଛ ?

 

କଥା କେଇପଦ କ୍ଷଣପ୍ରଭାକୁ ମାଡ଼ ମାରିଲା ପରି ଲାଗିଲା । ସତେ ତ, କେତେଦିନ ପରେ ସ୍ୱାମୀ ଆଜି ତାକୁ ପାଖକୁ ଡାକିଛନ୍ତି, ସ୍ନେହ ଓ ଆଗ୍ରହରେ ତାର ହାତ ଧରିଛନ୍ତି, ଅଥଚ ସେ ଚାଲିଯିବାକୁ ଛଳନା କରୁଛି । ଆର ଘର ଖଟ ଉପରେ ବୋଉ ଶୋଇଚନ୍ତି । କାଶ ଶୁଭୁଛି । ମଝି କବାଟ ଆଉଜା । ରୋଷଘରଆଡ଼ୁ ଡାଲିଛୁଙ୍କର ଗନ୍ଧ ଆସୁଛି ।

 

ଲାଜରା ହେଲା । ଆହୁରି ପାଖକୁ ଘୁଞ୍ଚିଆସି କହିଲା, ଚାଲିଯିବାକୁ ଚାହିଁବି କାହିଁକି ପିଲାଟା ସେ ଘରେ ଘାଣ୍ଟି ହେଉଛି ।

 

ରୋଷେଇ କରୁଛି ତ କରୁ, ଶିଖୁ ।

 

ତୁଷାରକାନ୍ତି କ୍ଷଣପ୍ରଭାର ମୁଣ୍ଡରେ ହାତ ବୁଲାଇଲା । ଫୁର୍‌ଫୁର୍‌ ଅସଜଡ଼ା କେଶ । ବେକରେ ସରୁ କାଠମାଳି । କାନ ଖାଲି ।

 

କ୍ଷଣପ୍ରଭାର ଦୁଇ ଆଖିରୁ ଗଡ଼ି ଆସୁଥିବା ଲୁହର ଧାର ସେ ଦେଖିଲା ନାହିଁ, ବୁଝିଲା ନାହିଁ ତାର ମନର କୋହ, ଚାପିଲା ଦାହ !

 

ବ୍ୟଥାକୁଳ କଣ୍ଠରେ କହିଲା, ବୁଝିଲି ପ୍ରଭା, କାହିଁକି ଆରା ଦେଖାଇ ଚାଲି ଯାଅ । ଆଉ ଲୁଚାଇ ପାରିବ ନାହିଁ । ଦେହ ଦୁର୍ବଳ ହୋଇଛି, ଗହଣାଗାଣ୍ଠି ସବୁ ଶେଷ ହୋଇଛି । କାଲି ଚଳିବା କିପରି ସେ କଥା ମୁଁ ଭାବୁ ନାହିଁ । ମୋ ପାଇଁ ଆଉ କେତେ ଦୁଃଖକଷ୍ଟ ଭୋଗିବ, ମୁଁ ଭାବୁଛି ସେ କଥା । ମୋର ଦେହ ଭଲ ହୋଇ ଗଲାଣି । ପୁଣି ଟିଉସନ୍‌ କରି ଯିବାକୁ ମତେ ଅନୁମତି ଦିଅ । ଦୁର୍ଘଟଣା ଜୀବନରେ ସବୁବେଳେ ଆସେ ନାହିଁ, ପୁଣି, ଦୁର୍ଘଟଣା ଉପରେ କାହାରି ହାତ ନାହିଁ ।

 

କ୍ଷଣପ୍ରଭା କହିଲା, ତମେ ଘରୁ ପଦାକୁ ଗୋଡ଼ କାଢ଼ିଲେ ନ ପେରିବା ଯାଏ ମନ ଦକଦକ ହୁଏ, ପ୍ରାଣ ଛଟପଟ ହୁଏ । ଏକା ମୋର ନୁହେଁ, ବୋଉ, ନୀର ସମସ୍ତେ ଦକଦକ । ଏ ଦୁଃଖରୁ ସେ ଦୁଃଖ ବଳେ । ତମକୁ ପଦାରେ ଟୁଉସନ କରିବାକୁ କେହି ଅନୁମତି ଦେଇପାରିବେ ନାହିଁ । ବରଂ, ମୁଁ ନିଜେ–

 

ତୁନି ରହିଲେ ଯେ ?

ତମର ଅନୁମତି ମୁଁ ଲୋଡ଼ୁଛି ।

ଟିଉସନ୍‌ କରିବ ?

ଚାକିରି ଯଦି ନ ମିଳେ ଟିଉସନ୍‌ କରିବି ।

କି ଚାକିରି ?

ପ୍ରଭା ମନକଥା ନିଃସଙ୍କୋଚରେ କହିଲା ।

 

ତୁଷାରକାନ୍ତିର ମୁହଁରେ ବେଦନାର ଭାବ ଉକୁଟି ଉଠିଲା । କ୍ଷଣପ୍ରଭାର ହାତରୁ ହାତ ଖସାଇ ସେ ଭାବିବାକୁ ଲାଗିଲା । ଉତ୍ତର ଦେଲା, ହଁ ଚାକିରି ଆଜିକାଲିର ଝିଅମାନେ ଚାକିରି କଲେଣି, ତେମ ବି ଚାକିରି କର, ଅର୍ଜନ କର, ସୁଖରେ ରହିବ । ମୋର ଅନୁମତି ଲୋଡ଼ୁଛ କାହିଁକି-? ମୁଁ ଅପାରଗ, ତମୁକୁ ସୁଖରେ ରଖିପାରିବି ନାହିଁ । ତମର କାର୍ଯ୍ୟରେ, ତମର ଇଚ୍ଛାରେ ମୁଁ ବାଧା ଦେବି କାହିଁକି ? ତମେ ଚାକିରି କର ପ୍ରଭା– ।

 

ପ୍ରଭା ଚମକି ଉଠିଲା । ତୁଷାରକାନ୍ତିର ମୁହଁକୁ ବଲ ବଲ କରି ଚାହିଁ ରହିଲା । ଅନୁମତି ନୁହେଁ ଅଭିମାନ, ଅପାରଗର ଅଭିମାନ, ମଣିଷର ସ୍ୱାର୍ଥପରତା । ନିଜର ସୁଖ ପାଇଁ କଣ ସେ ଚାକିରି କାରିବାକୁ ଚାହୁଛି ? ଜୀବନରେ ଆଉ କି ସୁଖ ବା ଅଛି ? କାହିଁକି ସ୍ୱାମୀ ତାକୁ ଏପରି ନିର୍ଦ୍ଦୟ କଠୋର କଥା କହିଲେ ? ଅପାରଗ ହେଲେ ମଣିଷର ମନରେ ଅଭିମାନ ଆସେ ? ରାଗ ହେଲା । କହିଲା, ମୋର ସୁଖ ପାଇଁ ମୁଁ ଚାକିରି କରିବାକୁ ଅନୁମତି ମାଗୁ ନ ଥିଲି । ତମର, ବୋଉଙ୍କର ଆଉ ନୀରର ଦାୟିତ୍ୱ ମୋରି ଉପରେ । ପାଠ ଚାରି ଅକ୍ଷର ପଢ଼ିଛି, କର୍ତ୍ତବ୍ୟ କରିବାକୁ ଅନୁମତି ମାଗୁଥିଲି ।

 

ସମସ୍ତଙ୍କର ଦାୟିତ୍ୱ ତମରି ମୁଣ୍ଡରେ, ଆଉ ତମରି ଦାୟିତ୍ୱ ?

କ୍ଷଣପ୍ରଭା ତୁନି ରହିଲା ।

 

ତୁଷାରାକାନ୍ତି କହିବାକୁ ଲାଗିଲା, ଅନ୍ଧ, ଅପାରଗ ହେଲେ ମଧ୍ୟ ତମର ଦାୟିତ୍ୱ ମୋରି ଉପରେ । ବଞ୍ଚି ରହିଥିବା ଯାଏ ମୋର କର୍ତ୍ତବ୍ୟ ଅବଶ୍ୟ ମୁଁ କରିବି । ଟିଉସନ୍‌ ଯଦି ନ ମିଳେ, ହାତ ପାତି ଭିକ ମାଗିବାକୁ ପଛାଇବି ନାହିଁ ।

 

ଅପରାଧ କଣ କ୍ଷଣପ୍ରଭା ବୁଝିପାରିଲା ନାହିଁ । ସ୍ୱାମୀଙ୍କ ତୁଣ୍ଡରୁ ଏପରି ଅଭିମାନିଆଁ କଥା ଶୁଣିବ ବୋଲି ସେ ଆଶା କରି ନ ଥିଲା । ସ୍ୱାମୀ ତାକୁ ସନ୍ଦେହ କରନ୍ତି ? ସନ୍ଦେହ କରିବାର କି ଅଧିକାର ତାଙ୍କର ଅଛି ? ପ୍ରତିବାଦ କରି ଲାଭ ନାହିଁ । ଅପାରଗ ହେଲେ ମଧ୍ୟ ସ୍ୱାମୀତ୍ୱର ଅଭିମାନ ମନରୁ ଦୂର ହୋଇନାହିଁ । ତର୍କ କରି ଲାଭ ନାହିଁ । ସେ ଯାହା ଠିକ୍‌ ବୁଝିଛି ତାହାହିଁ କରିବ-

 

ନୀହାରିକା ପାଖକୁ ଆସି କହିଲା, ଆଉ କଅଣ ହେବ ନୂଆଉ, ଭାତ ଡାଲି କରି ସାରିଲି-

 

ତୁଷାରକାନ୍ତିର ପାଖରୁ ଉଠି ଚାଲିଯିବାକୁ କ୍ଷଣପ୍ରଭାକୁ ଆରା ମିଳିଲା । କହିଲା, ଚାଲ, ମୁଁ ଯାଉଛି ।

 

କ୍ଷଣପ୍ରଭା ଉଠିଗଲା ।

 

ତୁଷାରକାନ୍ତି ଭାବିବାକୁ ଚେଷ୍ଟା କଲା । କୌଣସି କଥା ମୁଣ୍ଡରେ ପଶିଲା ନାହିଁ । କ୍ଷଣପ୍ରଭା ଚାକିରି କରିବ । ଗୃହ ସଂସାରରୁ ଦୂରେଇ ରହିବ । ସେ ହେବ କ୍ଷଣପ୍ରଭାର ଗଳଗ୍ରହ । ଯାହାକୁ ସୁଖୀ କରିବାକୁ ସେ ଜୀବନ ପଣ କରିଥିଲା, ସେ ହେବ ପରର ଆଜ୍ଞାଧୀନ, ଭୃତ୍ୟ । କିପରି ସେ ସହିବ ଏତେବଡ଼ ଅପମାନ ? ଏହା ଅପେକ୍ଷା ଦୁଷ୍ମନ୍ତର ଅଯାଚିତ ଦାନ ଗ୍ରହଣ କରିବା ବରଂ ଭଲ ହୋଇଥାନ୍ତା ।

 

ଦୁଷ୍ମନ୍ତ କହିଥିଲା, ଆରେ ତୁଷାର, ମୋର ଆଉ କିଏ ଅଛି ? ପ୍ରତିଜ୍ଞା କରିଛି, ନିଃସ୍ୱ ଦରିଦ୍ରଙ୍କର ସେବାରେ ଜୀବନ କଟେଇ ଦେବି । ଚାଲିଆ ତୁଷାର, ମୋରି ଘରେ ରହିବୁ । ସବୁ କାମରେ ମୁଁ ତୋର ପରାମର୍ଶ ଲୋଡ଼େ । ବସି ବସି ରିସର୍ଚ୍ଚ କର, ତୋର ସହାୟକ ହେବେ ପ୍ରଭାଦେବୀ । ଯେତେ ବହି ଲୋଡ଼ା କିଣା ହୋଇ ଆସିବ ।

 

ଦୁଷ୍ମନ୍ତର ପ୍ରସ୍ତାବ ଉଦାର । କ୍ଷଣପ୍ରଭା ଗ୍ରହଣ କଲା ନାହିଁ । ନିର୍ବୋଧ ! ପର ଦୁଆରେ ମୂଲ ଲାଗି ପେଟ ପୋଷିବାକୁ ଆଜି ସେ ଆଗଭର ।

 

ବିଜୁଳି ଆଲୁଅ, ବିଜୁଳି ପଙ୍ଖା । ତାଆରି ତଳେ ବସି ଦୁଷ୍ମନ୍ତ ଲେଖୁଛି । କାନ୍ଥଘଣ୍ଟା ଭାଙ୍ଗିବାକୁ ସମତାଳ ପକାଇ ଚାଲିଛି, ଟିକ୍‌ଟିକ୍‌ । ଟେବୁଲର ଗୋଟିଏ ପାଖରେ ଟେଲିଫୋନ ଯନ୍ତ୍ର-। ରାତି ଆଠଟା ।

 

ଦୋତାଲା ଉପର ବଡ଼ କୋଠରୀ । କାନ୍ଥକୁ ଲାଗି ଦୁଇପାଖରେ ବଡ଼ ବଡ଼ ଆଲମାରୀ-। କାଚ କବାଟ । ଆଇନ୍‌ ବହି, ଲ ରିପୋର୍ଟରେ ପୂର୍ଣ୍ଣ । ବାପ ମଲା ପରେ ଦୁଷ୍ମନ୍ତ ଆହୁରି ଚାରୋଟି ଆଲମାରୀ ଆଣି ଶୂନ୍ୟସ୍ଥାନ ପୂରଣ କରିଛି । ସେ ସବୁ ଆଲମାରୀରେ ଆଇନ ବହି ନାହିଁ, ଅଛି ରାଜନୀତି ସମ୍ବନ୍ଧରେ ବହି, ଜନନାୟକଙ୍କର ଜୀବନୀ, ଇତିହାସ ଓ ଭୂଗୋଳ । ବେଳ ମିଳିଲେ ଦୁଷ୍ମନ୍ତ ଏସବୁ ପଢ଼େ ।

 

ତଳମହାଲା ହଲ୍‌ରେ ମଧ୍ୟ କେତେ ଆଲମାରୀ ବହି ରଖା ହୋଇଛି । ଡିଟେକ୍‌ଟିର୍ଭ ଉପନ୍ୟାସରୁ ଆରମ୍ଭ କରି ନୋବେଲ ଲରେଟମାନଙ୍କର ବିଶ୍ୱବିଖ୍ୟାତ ଉପନ୍ୟାସ ଯାଏ । ଇଂରେଜି, ଓଡ଼ିଆ, ହିନ୍ଦି, ବଙ୍ଗଳା – । ଦୁଷ୍ମନ୍ତ କେତେ ବହି ପଢ଼ିଛି । ସବୁ ପଢ଼ିବାକୁ ସେ ମନକରିଛି । ବେଳ ମିଳେ ନାହିଁ । ବନ୍ଧୁମାନେ କହିଲେ ସେ ବହି କିଣିଆଣେ, ଦିନାକେତେ ଟେବୁଲ ଉପରେ ରହେ । ପରେ, ଭବିଷ୍ୟତରେ ପଢ଼ାହେବ ବୋଲି ଆଲମାରୀ ଭିତରକୁ ଯାଏ ।

 

ସେ କାର୍ଯ୍ୟବ୍ୟସ୍ତ । ଆଇନ ବ୍ୟବସାୟ ଛାଡ଼ି ଦେଲାଣି । ବାପାଙ୍କର ପୁରୁଣା ମହକିଲମାନେ ଆସି ଫେରୁଛନ୍ତି । ସୁଦକ୍ଷ ମୋହରିରମାନେ, ଯେଉଁମାନେ ନୂଆ ଓକିଲଙ୍କର କାନ କାଟିବେ, ସେମାନେ ବି ଅନ୍ୟ ଆଶ୍ରା ଧରିଲେଣି । ଦୁଷ୍ମନ୍ତଙ୍କର ସେଥିରେ ଦୁଃଖ ନାହିଁ । ବାପା ଅନେକ ଟଙ୍କା ରଖି ଯାଇଛନ୍ତି । ତଳମାଳରେ ଜମି, ଜମିଦାରୀ କିଣି ଯାଇଛନ୍ତି । ବସି ଖାଇଲେ ମଧ୍ୟ ସରିବ ନାହିଁ । ନିଜେ ଦୁଷ୍ମନ୍ତ ଅନେକଗୁଡ଼ିଏ କମ୍ପାନୀରେ ଅଂଶ କିଣିଛି । ଲାଭାଂଶ ଆସୁଛି । ଅଧିକ ଟଙ୍କା ଲୋଡ଼ା ନାହିଁ । ଦେଶ ଓ ଦେଶର ସେବାକରି ଜୀବନ କଟାଇ ଦେବାକୁ ତାର ପଣ ।

 

ସିଂହଭୂମିରୁ ପତ୍ର ଆସିଛି, ହରିବାବୁ ଲେଖିଛନ୍ତି, ଅନ୍ତତଃ ପାଞ୍ଚଶହ ଟଙ୍କା ପଠାନ୍ତୁ । ଆଦିବାସୀଙ୍କୁ ଓଡ଼ିଆ ଶିଖାଇବାକୁ ହେବ । ଗ୍ରାମରେ ସ୍କୁଲ ସ୍ଥାପନା ହୋଇଛି । ଘର ତୋଳା ସରିଛି-। ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଦିନୁଦିନ ଛାତ୍ର ସଂଖ୍ୟା ବଢ଼ୁଛି । ହୋ ଜାତିର ଲୋକ ପାଠ ପଢ଼ିବାକୁ ଚାହାନ୍ତି ନାହିଁ । ସେମାନଙ୍କର ପିଲାମାନଙ୍କୁ ଲୁଗା ଜାମା ବହି ସିଲଟ ଦେଇ ସ୍କୁଲକୁ ଆଣିବାକୁ ହେବ । ବିହାରୀମାନେ ତାଙ୍କୁ ହିନ୍ଦିଭାଷୀ କରିବାକୁ ଚେଷ୍ଟା କରୁଛନ୍ତି । ବଙ୍ଗଳୀମାନେ ତାଙ୍କୁ ବଙ୍ଗଳା ପଢ଼େଇବାକୁ ଚକ୍ରାନ୍ତ କରୁଛନ୍ତି । ଶୀଘ୍ର ଟଙ୍କା ପଠାନ୍ତୁ, ନୋହିଲେ ସିଂହଭୂମିର ଆଶା ଛାଡ଼ନ୍ତୁ ।

 

ମେଦିନୀପୁରରୁ ପତ୍ର ଆସିଛି, ଲେଖିଛନ୍ତି ମଧୁବାବୁ, ଶୀଘ୍ର ଆସନ୍ତୁ, ନିଜେ ଦେଖିଯିବେ ଏମାନଙ୍କର ଅବସ୍ଥା । ଏମାନେ ଅନ୍ଧ । ଏାମନଙ୍କର ଆଖି ଫିଟାଇବାକୁ ପଡ଼ିବ । କେବଳ ପ୍ରଚାର ଲୋଡ଼ା । ଆଉ ପ୍ରଚାର ପାଇଁ ଆବଶ୍ୟକ ଧନ । ଚାନ୍ଦା ଉଠିଛି । ଆହୁରି ଉଠିବ । ଆପଣ କଅଣ ପଠାଉଛନ୍ତି ଶୀଘ୍ର ପଠାନ୍ତୁ । ଏକ ହଜାର ଏକ ଟଙ୍କା ଆମେ ଆପଣଙ୍କଠାରୁ ଆଶାକରୁଁ । ଜାତିର କାର୍ଯ୍ୟ ଏ ।

 

ମଞ୍ଜୁଷାର ରାମାରାଓ ପତ୍ର ଲେଖିଛନ୍ତି, ସ୍କୁଲଗୁଡ଼ିକରୁ ଓଡ଼ିଆ ଉଠାଇ ଦେଲେ । ଏଥର ଓଡ଼ିଆ ପିଲା ତେଲଗୁ ପଢ଼ିବେ । ସଂସ୍କୃତ ଲୋକ ପାଇଥିବା, ଭାଷା ବି ଲୋପ ହେବ । ଆପଣମାନେ ନେତା ବୋଲାଉଛନ୍ତି, କଟକରେ ବସି ପ୍ରବନ୍ଧ ଲେଖନ୍ତୁ, ବକ୍ତୃତା, ଫଳ କିଛି ହେବ ନାହିଁ । ଆସନ୍ତୁ, ସଂଗଠନ କରନ୍ତୁ, କିମ୍ବା ସଂଗଠନ କରି ଲଢ଼ିବାକୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦିଅନ୍ତୁ । ନୋହିଲେ, ଭୁଲି ଯାଉନ୍ତୁ ବିଚ୍ଛିନ୍ନାଞ୍ଚଳର କଥା ।

 

ରାଖଲବାବୁ ବାଲେଶ୍ୱରରୁ ଚିଠି ଦେଇଛନ୍ତି । ଏମାନେ କଅଣ ମରିବେ ଦୁଷ୍ମନ୍ତବାବୁ ? କାଲି ମୋଫସଲରୁ ପେରିଲେ । ହଇଜା ଓ ବସନ୍ତ ଦିନୁଦିନ ବ୍ୟାପୁଛି । ଯେଉଁ ଦଶଜଣ ଭଲେଣ୍ଟିଆର ନେଇ ଯାଇଥିଲି, ଔଷଧପତ୍ର ଅଭାବରୁ, ଖାଇବା ଖର୍ଚ୍ଚ ନ ଥିବାରୁ ସମସ୍ତେ ଫେରି ଆସିଛନ୍ତି । ଲୋକସେବା କାର୍ଯ୍ୟ ଏବେ ବନ୍ଦ ରହିଲା । ଯଦି ଟଙ୍କା ପଠାନ୍ତି ତେବେ କାମ ଚାଲିବ ।

 

ଗୋବିନ୍ଦବାବୁ ଗୁପ୍ତପତ୍ର ଲେଖିଛନ୍ତି, ଆମର ନୀତିରେ ଆପଣଙ୍କର ସହାନୁଭୂତି ଅଛି ଏ କଥା ଆମେ ଜାଣୁ । ଆପଣ ମୁକ୍ତ କଣ୍ଠରେ ସ୍ୱୀକାର କରିବେ ଯେ ଦେଶ ହେଉଛି ଚାଷୀ ଓ ମୂଲିଆଙ୍କର । ଏମାନଙ୍କୁ ଛାଡ଼ି ଆଉ ଯେତେ ରହିଲେ ସମସ୍ତେ ଶୋଷକ, ଚାଷୀ-ମୂଲିଆଙ୍କର ରକ୍ତ ପିଇ ବଞ୍ଚନ୍ତି । ଆପଣ ପ୍ରକାଶ୍ୟରେ ଯୋଗ ନ ଦେଇ ପଛରେ ଥାଇ ସାହାଯ୍ୟ କରନ୍ତୁ ।

 

ଗାଁରୁ ଅଲେଖ ଗୁମାସ୍ତା ଜଣାଇଛନ୍ତି, ଅବସ୍ଥା ସାଙ୍ଘାତିକ ହେବାକୁ ବସିଛି । ପ୍ରଜାମାନେ ଖଜଣା ଦେବାକୁ ରାଜି ନୁହନ୍ତି । ସମସ୍ତେ ଏକାଠି ହୋଇଛନ୍ତି । ଭାଗଚାଷୀ କହୁଛନ୍ତି, ଚାରଣା ଫସଲ ରାଜାର, ବାରଣା ତାଙ୍କର । ଆପଣ ଆସି ଏ ବିଷୟରେ ସମାଧାନ କରି ଯାଉନ୍ତୁ । ପରେ ମୋର ଦୋଷ ଦେବେ ନାହିଁ ।

 

ଶ୍ରୀମତୀ ଚନ୍ଦ୍ରକଳା ଲେଖିଛନ୍ତି କଟକ ଜିଲାର ଗୋଟିଏ ବଡ଼ ଗାଁରୁ, ଆପଣ ଜାଣନ୍ତି, ନାରୀଜାତିର ଶିକ୍ଷା ଓ ଚଳନର ଉନ୍ନତି ନ ହେଲେ ଦେଶର ଭଲମନ୍ଦ କଥା ଭାବିବା ବିଡ଼ମ୍ବନା । ଦେଶ ଯେ ତିମିରେ ଥିବ । ଏଠାରେ ଯେଉଁ ସେବାଶ୍ରମ ଓ ନାରୀ ବିଦ୍ୟାଳୟ ଖୋଲିଛି ସେଥିରେ ଥରେ ଆଖି ପକାଇ ଯାଉନ୍ତୁ । ବିନା ଅର୍ଥରେ ଅନୁଷ୍ଠାନ ଚଳିବ ନାହିଁ ।

 

ଆହୁରି ଅନେକ ଚିଠି । ସବୁଥିରେ ବଡ଼ ବଡ଼ କଥା । ସମସ୍ତେ ଲୋଡ଼ିଛନ୍ତି ସାହାଯ୍ୟ, ସହାନୁଭୂତି, ଉପଦେଶ, ଆର୍ଶୀବାଦ, ଶୁଭଦୃଷ୍ଟି । ଦୁଷ୍ମନ୍ତ ଦେଶର ଜଣେ ମୁଖ୍ୟଲୋକ ହୋଇ ଆସୁଛି, ଏହା ସେ ଅନୁଭବ କରିପାରୁଛି । ବର୍ତ୍ତମାନ ଲୋଡ଼ା କୌଣସି ଗୋଟିଏ ଦଳକୁ ଆଉଜି ଯିବା । କିନ୍ତୁ, କେଉଁ ଦଳ ? କଃ ପନ୍ଥା ? କଂଗ୍ରେସ ସୋସାଲିଷ୍ଟ, କମ୍ୟୁନିଷ୍ଟ, ଇଉନିୟନିଷ୍ଟ ? ଅଥବା, ନୋ-ପାଟ, ଅର୍ଥାତ ସୋସାଲ ଓ୍ୱାର୍କ–ନାରୀଶିକ୍ଷା ଓ ନାରୀସ୍ୱାଧୀନତା, ଜାତିଭେଦ ଦୂରୀକରଣ, ଗୋଜାତିର ମଙ୍ଗଳ ବିଧାନ ଓ ଗୋଚର ବୃଦ୍ଧି, ଅଧିକ ଖାଦ୍ୟ ଉତ୍‌ପାଦନ ଓ ପଡ଼ିଆଉଠା, ଜଙ୍ଗଲ କଟା, ଆଦିବାସୀ ମଙ୍ଗଳ, କେବଳ ସେବା, ନରନାରାୟଣଙ୍କର ସେବା ।

 

ଦୁଷ୍ମନ୍ତ ଭାବି ସ୍ଥିର କରିପାରେ ନାହିଁ । ସବୁ ବାଟରେ ଆବୁଡ଼ା ଖାବୁଡ଼ା କଣ୍ଟା ଝଣ୍ଟା ଅଛି-। ସିଧା ସଳଖ ସୁବିଧା ବାଟରେ ଚାଲିବା ସହଜ । ଦୁଃଖ କଷ୍ଟ ନାହିଁ । ସୁବିଧା ବାଟ ଗୋଟିଏ, ନିଜର ସ୍ୱାର୍ଥ ରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା । ମାଧିଆ ଭାଇ ସବୁ କଥାକୁ ହୋଇ ହୋଇ । ଯୁଆଡ଼ୁ ବର୍ଷା ସିଆଡ଼େ ଛତା । ଯିଏ ଯାହା ମାଗିବ ତାକୁ ହତାଶ ନ କରିବା । କେତେଦିନ ? ଟଙ୍କା ସରିଲେ ?

 

ସୁବଠୁ ଭଲ ଗୋଟିଏ ଦଳକୁ ଆଉଜି ଯିବା । ଭଲ ମନ୍ଦ, ଆପଦ ବିପଦ, ଯାହା ଆସୁ ବରଣ କରି ଦଳ ପ୍ରତି ଅନୁଗତ ରହିବା । କଣ ସେ ଦଳ ଭାବି ସ୍ଥିର କରିବା ସହଜ ନୁହେଁ । ସବୁଥିରେ ଭଲ ଅଛି, ମନ୍ଦ ଅଛି । କେଉଁଟି ତାଙ୍କର ସ୍ୱଭାବର ଉପଯୋଗୀ ହେବ ? ଦୁଷ୍ମନ୍ତ ଅନେକ ଦିନୁଁ ଏହା ଭାବୁଛି । ସିଦ୍ଧାନ୍ତ କରିପାରି ନାହିଁ । କୌଣସି ନିର୍ଦ୍ଦିଷ୍ଟ ଦଳର ସଭ୍ୟ ନ ହୋଇ ସବୁ ଦଳର ସେ ସହାୟକ । ଅବଶ୍ୟ ଦିନେ ସେ ବାଛି ନେବ । ସେତେଦିନଯାଏ ଜୋରିମାନା ଦେବାକୁ ପଡ଼ୁଥିବ । ଚିଠିଗୁଡ଼ିକର ଉତ୍ତର ଦେବାକୁ ପଡ଼ିବ । ତା ସଙ୍ଗରେ କିଛି ତଣ୍ଡ ।

 

ଟେଲିଫୋନ ବେଲ୍‌ ବାଜିଲା । କଲମ ଥୋଇ ରସିଭାର ଟେକି ସେ କାନରେ ଲଗାଇଲା । ତନ୍ମୟ ହୋଇ ଶୁଣିଲା । ମୁହଁ ଗମ୍ଭୀର । ରିସ୍‌ଭାର୍‌ ଥରି ଉଠିଲା । ସେ ପଚାରିଲା, ସୁନନ୍ଦା ଓ କ୍ଷଣପ୍ରଭା, ବି.ଏ. ଓ ଆଇ. ଏ., ଖ୍ରୀଷ୍ଟାନ ଓ ହିନ୍ଦୁ ? ମୋତେ ପଚାରିବା ଦରକାର ନାହିଁ । ଆପଣ ଯାହାଙ୍କୁ ଉପଯୁକ୍ତ ମଣୁଛନ୍ତି ତାଙ୍କୁ ନିଯୁକ୍ତ କରନ୍ତୁ ।

 

ସେ ପାଖରୁ ଖବର ଆସିଲା, ଯୋବ୍ରା ସ୍କୁଲର ଛାତ୍ର ସଂଖ୍ୟା ଦିନୁ ଦିନ ବଢ଼ୁଛି । ପୁଅ ଝିଅ, ସବର୍ଣ୍ଣ ଅସବର୍ଣ୍ଣ ମିଶି ପଚାଶ ହେଲେଣି । ଅତିଶୀଘ୍ର ସ୍କୁଲ ଘର ନ ବଢ଼ାଇଲେ ଓ ଶିକ୍ଷୟିତ୍ରୀ ସଂଖ୍ୟା ନ ବଢ଼ାଇଲେ, ସମ୍ଭାଳି ହେବ ନାହିଁ । ଯଦି ସୁନନ୍ଦା ଦେବୀଙ୍କୁ ରଖାଯାଏ ଭବିଷ୍ୟତରେ ଭାବନା ନ ଥିବ । ମାସିକ ଷାଠିଏ ଟଙ୍କା ବେତନ ଓ ଫ୍ରି–ହାଉସ ସେ ଚାହାନ୍ତି । କ୍ଷଣପ୍ରଭା କହିଲେ, ଯୋଗ୍ୟତାକୁ ଦେଖି ଯାହା ଠିକ୍‌ କରାହେବ ସେଥିରେ ସେ ରାଜି । ମୁଁ କହୁଛି, ଦୁହଁଙ୍କୁ ନିଯୁକ୍ତି କରିବା ।

 

ଏ ପାଖରୁ ଖବର ଗଲା, ଶୁଣନ୍ତୁ ନଟବର ବାବୁ, ଆପଣ ସାର୍ବଜନୀନ ବିଦ୍ୟାଳୟର ସେକ୍ରେଟେରୀ । ଯାହାକୁ ବାଛିବେ ସେଇ ରହିବ । ଦୁଇଜଣ ଶିକ୍ଷୟିତ୍ରୀ ବର୍ତ୍ତମାନ ଆବଶ୍ୟକ ନାହିଁ-। ଆହୁରି ଦୁଇଜଣ ତ ରହିଛନ୍ତି ।

 

ତେବେ ଶ୍ରୀମତୀ–

ଦୁଷ୍ମନ୍ତ ନାମଟି ଶୁଣିବାକୁ ଅପେକ୍ଷା ନ କରି ରିସିଭାର୍‌ ଥୋଇଦେଲା ।

 

ତୁଷାରକାନ୍ତିକୁ ନିଦ ହୋଇ ଯାଇଥିଲା । ନିଦ ଭାଙ୍ଗିଲା ଚାରିଟାବେଳେ । ନୀହାରିକା ଜଳଖିଆ ଆଣି ପାଖରେ ରଖିଲା । କହିଲା, ଭାଇ, ଜଳଖିଆ ଆଣିଛି ।

 

ତୋ ନୂଆଉକୁ ଡାକ୍‌ ନୀର ।

 

ଥଙ୍ଗେଇ ଥଙ୍ଗେଇ ନୀର କହିଲା, ସେ ନାହାନ୍ତି । ଦିଟାବେଳେ ରିକ୍‌ସା ଚଢ଼ି କୁଆଡ଼େ ଗଲେ । ଆପଣଙ୍କୁ ଚା ଜଳଖିଆ ଦେବାକୁ କହିଗଲେ ।

 

ତୁଷାର ହସିଲା । ନୀର ଚମକି ଉଠିଲା । ଭାଇ ଏପରି ଭୟଙ୍କରିଆ ହସ କେବେ ହସେ ନାହିଁ । ହସୁ ହସୁ କେବେ ଗମ୍ଭୀର ହୋଇ ରହେ ନାହିଁ । ନୂଆଉ କଣ ତାଙ୍କୁ କହି ଯାଇନାହାନ୍ତି ?

 

ତୁଷାର ଜଳଖିଆ ଓ ଚା ଖାଇଲା । ହାତ ଅଣ୍ଡାଳି କାମିଜ ଆଣି ପିନ୍ଧିଲା । ଚପଲ ମାଡ଼ି ଉଠିଲା । ମୁହଁ ଖୋଲିଲା, ନୀର, କାମ ଅଛି ମୁଁ ଯାଉଛି । ନୂଆଉ ଆସିଲେ କହିବୁ, ଫେରୁ ଫେରୁ ମୋର ଡେରି ହେବ ।

 

କୁଆଡ଼େ ଯିବ ଭାଇ ?

 

ଭୟ ନାହିଁ, ମୁଁ ଅଣ୍ଡାଳି ଅଣ୍ଡାଳି ଚାଲି ଯାଇପାରିବି । ଧୀରେ ଧୀରେ ଅଭ୍ୟାସ କରିବା ଭଲ । ଦେଖୁନୁ, କେତେ ଅନ୍ଧ ସେପରି ଯା ଆସ କରୁଛନ୍ତି । ଘରେ ବସି ରହିବାକୁ ଭଲ ଲାଗୁ ନାହିଁ-। ପଦାରୁ ଘେରାଏ ବୁଲି ଆସିଲେ ଭଲ ହେବ ।

 

ନାଇଁ ଭାଇ !

ମତେ ବାଧା ଦେବୁ ନୀର ?

ଆରଘର ଖଟ ଉପରେ ଲକ୍ଷ୍ମୀ ଡାକ ଛାଡ଼ିଲେ, କଣ କି ?

ଭାଇ କୁଆଡ଼େ ବାହାରିଛନ୍ତି ।

କୁଆଡ଼େରେ ?

 

ତୁଷାରକାନ୍ତି ଅଣ୍ଡାଳି ଅଣ୍ଡଳି ଦାଣ୍ଡକୁ ଆସିଲା । ବୋଉଙ୍କ କଥାରେ କାନ ଦେଲା ନାହିଁ । ନୀହାରିକା ପଛେ ପଛେ ପଦାକୁ ଆସି ତାର ହାତଧରି କହିଲା, ତମେ ଯା ନା ଭାଇ, ତମକୁ ମୁଁ ଛାଡ଼ି ଦେବି ନାହିଁ । ବୋଉ ଡାକୁଛି, ଶୁଣ–

 

କେଡ଼େ ଆକୁଳ ସେ ଅନୁରୋଧ ! ତୁଷାରକାନ୍ତି ଅଟକିଲା । ଟିକିଏ ଭାବି କହିଲା, ଜରୁରୀ କାମ ନୀର, ନିଶ୍ଚୟ ଯିବାକୁ ପଡ଼ିବ । ପିଲା ଲୋକ, କଅଣ ବୁଝିବୁ ?

 

ଭାଇ !

 

ନୀରର ଆଖିରେ ଛଳ ଛଳ ଲୁହ । ଦେଖି ନ ପାରିଲେ ମଧ୍ୟ ତୁଷାରକାନ୍ତି ବୁଝିପାରିଲା ଟିକି ଛାତିର ବେଦନା, ତାର ମନର ଦୁଃଖ । ପାଦ ଚଳିଲା ନାହିଁ ।

 

ଭାଇ, ତେବେ ଚାଲ, ତମର ହାତ ଧରି ମୁଁ ନେବି ।

ନୀର ଆଖିରୁ ଲୁହ ଗଡ଼ିଲା ।

 

ତୁଷାର ତୁନି ରହିଲା ମୁହୂର୍ତ୍ତେ । ନୀରର ମୁଣ୍ଡରେ ହାତ ବୁଲାଇ କହିଲା, ତତେ ଦିନେ ସେଇଆ କରିବାକୁ ହେବ, ଆଜି ନୁହେଁ । ରିକସା ଘଣ୍ଟି ଶୁଭୁଚି । ଦେଖିଲୁ, ଖାଲି ରିକ୍‌ସା ଯାଉଛି କି-?

 

ନୀହାରିକା ରାସ୍ତା ଉପରକୁ ଓହ୍ଲାଇ ରିକ୍‌ସାବାଲାକୁ ଡାକିଲା । ଗାଡ଼ି ଆସିଲା । ତୁଷାର ବସିଲା । ରିକ୍‍ସା ଚାଲିଲା । ନୀହାରିକା ଆଖିରୁ ଲୁହପୋଛି ଘର ଭିତରକୁ ଆସିଲା ।

 

ଅବନୀ ବାବୁଙ୍କ ଘର ଆଗରେ–

 

ରିକ୍‌ସାବାଲା ପଇସା ମାଗିଲା, ଗଦାଏ ବାଟ ଆଜ୍ଞା, ଆଠଣା ପଇସା ଦିଅନ୍ତୁ । ଦେଖୁଛନ୍ତି ତ ଯେମିତି ମହାଙ୍ଗା କାଳ ।

 

ତୁଷାରକାନ୍ତି ପକେଟରେ ହାତ ଭରିଲା । ପଇସା ନାହିଁ । ପଇସା କଥା ଭାବିବାକୁ ବେଳ ପାଇନାହିଁ । କି ବୁଦ୍ଧି କରିବି ? ବେହିଆଗିରି କରି ଅବନୀ ବାବୁ କି ଅରୁଣକୁ ମାଗିବ ? ଛି, ଛି, ଲାଜର କଥା, ଅପମାନର କଥା । ବୁଦ୍ଧି ପାଞ୍ଚି କହିଲା, ଆରେ ତୁ ରହ, ମତେ ନେଇ ଛାଡ଼ିଦେବୁ, ଦି ପାଖର ଭଡ଼ା ନେଇଆସିବୁ । ମୋର ବେଶି ଡେରି ହେବ ନାହିଁ ଯେ ।

 

ନାଇଁ ଆଜ୍ଞା, ମୋର ଦିନଗାଡ଼ି । ଭଡ଼ା ଦେଇ ଦିଅ, ମୁଁ ଚାଲିଯିବି । ଗଲାବେଳକୁ ବହୁତ ଗାଡ଼ି ଆପଣଙ୍କୁ ମିଳିବ ।

 

ମୁଁ ପଇସା ଛାଡ଼ି ଆସିଲି ।

ଆଚ୍ଛା ଭଦ୍ରଲୋକ ଆପଣ, ବିନା ପଇସାରେ–

ଭୁଲି ଗଲିରେ, ଅନ୍ଧ ମଣିଷ–

 

ଆଖି ଦିଟା ଅନ୍ଧ ହେଇଛି ବୋଲି ବୁଦ୍ଧି ବି ଅନ୍ଧ ହେଇଚି ? ଚଲାଖି ଘରେ ରଖିଥା । ହକ ପରିଶ୍ରମ କରିବୁ, ଭଡ଼ା ଦେଲାବେଳକୁ ଧିକ୍‌ଚିକ୍‌ କାହିଁକି ? ଦଉଡ଼ି ଦଉଡ଼ି ପ୍ରାଣ ଛାଡ଼ୁଛି, ଦିହ-ଝାଳରେ ଲୁଗା ଓଦା ହେଲାଣି । ଆମ ଝାଳବୁହା କଉଡ଼ି ନ ଦେଲେ ଦଇବ ସହିବ ନାହିଁ କହୁଛି । ଦେଇ ଦେ ମୋ ଭଡ଼ା ।

 

ତାଟଙ୍ଗା ହୋଇ ତୁଷାରକାନ୍ତି ଠିଆ ହୋଇ ରହିଲା । ଛାର ରିକ୍‌ସାବାଲା ପାଣଟା ତାକୁ ଅପମାନ ଦେଉଛି । ଏଇଆ ଥିଲା ଭାଗ୍ୟରେ ? ତାର କି ଦୋଷ ? ଅନ୍ଧ ଦେଖି ଅକ୍ଷମ ଦେଖି ସେ ଦୟା କରିବାକୁ ରିକ୍‌ସା ଟାଣୁ ନାହିଁ । ପେଟ ପାଇଁ, ପିଲା କୁଟୁମ୍ବର ପ୍ରାଣ ବଞ୍ଚାଇବାକୁ ସେ ଜୀବନମୂର୍ଚ୍ଛା କାମ କରି ଦେହରୁ ପୋଷ ପୋଷ ଝାଳ ନିଗାଡ଼ି ଦେଉଛି । ଆତ୍ମାକୁ ବାଧିଛି । ମନରେ ହେଉଛି ସନ୍ଦେହ । ଭଲ ମନ୍ଦ ମାନ ଅପମାନକୁ ସେ କାହିଁକି ଅନାଇ ବସିବ ? ସେ ଚାହେଁ ଭଡ଼ା, ମଜୁରି, ଝାଳର ଦାମ । ଜୀବନରୁ କଣିକାଏ ଦେଇଛି, ତା ମୂଲ୍ୟ ସେ ଚାହେ ।

 

ତୁଷାରକାନ୍ତି କଅଁଳେଇ କହିଲା, ଗୋଟିଏ କଥା କର ବାବୁ, ଚାଲ ଫେରିଯିବା । ମୋର ଏଠିକା କାମ ନ ହେଲେ ନାହିଁ । ଘରେ ଛାଡ଼ିଦେଲେ ଦି ପାଖର ଭଡ଼ା ଦେଇଦେବି । ଚାଲ–

 

ଥାଉ ତମ ଭଲପଣିଆ । ସେ ଦିନ ସେ ବାବୁ ସେମିତି କହି ନେଲେ । ଭଡ଼ା ମାଗିଲାରୁ ଜୋତା ଧରି ଉଠିଲେ, କହିଲେ, କିରେ ଶଳା, ଯେଉଁଠୁ ନେଲୁ ସେଇଠି ତ ଛାଡ଼ିଲୁ ଭଡ଼ା ନେବୁ କଅଣ ? ଥରେ ତ ଅକଲ ପାଇଛି, ଫେର୍‌ ସେମିତି କରିବି ? ମୋ ରଥ ରୁକୁଣା ରଥ, ଅଣବାହୁଡ଼ା-। ଅନ୍ଧ ଲୋକ ତମେ, ତମଠୁ ବି ଅକଲ ଶିଖିଲି । ହେଇଟି, କାନ ନାକ ମୋଡ଼ି ହେଉଛି-। ଆଉକେବେ ଅନ୍ଧ, ଛୋଟା, କାଲ, ଗୋଦଡ଼ାଙ୍କୁ ଏ ରିକ୍‌ସାରେ ବସାଇବି ନାହିଁ । ଆଉ କିଏ ହୋଇଥିଲେ ଆଜି ସେ ଶଳାର ମହତ ସାରି ଦେଇଥାନ୍ତି । ରଖ ହୋ ତମ ଭଲ ଲୋକୀ ।

 

ପାଟି ଫିଟିଲା ନାହିଁ । ରିକ୍‌ସାବାଲା ଘଣ୍ଟି ଟଣ୍‌ଟଣ୍‌ କରି ଚାଲିଗଲା । ତୁଷାରକାନ୍ତି ଜାଣିଲା, ପଛରୁ ଡାକି ପାରିଲା ନାହିଁ । ମନେହେଲା, ଆଜି ସେ ସାମାନ୍ୟ ରିକ୍‌ସାବାଲାଠୁ ପ୍ରଥମ ଭିକ୍ଷା ଗ୍ରହଣ କରିଛି ।

 

ସାର୍‌, ଠିଆ ହୋଇଛନ୍ତି କାହିଁକି, ଆସନ୍ତୁ –

 

ଚଉଦ ବର୍ଷର ସବଳ ସୁସ୍ଥ ସୁନ୍ଦର ଟୋକାଟି ଅରୁଣ, ତୁଷାରକାନ୍ତିର ହାତଧରି ଘର ଭିତରକୁ ନେଲା ।

 

Unknown

ତୁଷାର ପଚାରିଲା, ଅବନୀ ବାବୁ ନାହାନ୍ତି ?

 

ଡ୍ରଇଂ ରୁମ୍‌ରେ ବସି ମାନେଜର ବାବୁଙ୍କ ସଙ୍ଗେ କଥାଭାଷା ହେଉଛନ୍ତି । ଦାଣ୍ଡରେ ଆପଣଙ୍କୁ ଦେଖି ଡାକି ନେବାକୁ ମତେ ପଠାଇଲେ । ଆସନ୍ତୁ, ସାର୍‌, ଆପଣଙ୍କ ମୁଣ୍ଡରେ ଦାଗ ରହିଗଲା । ସେଦିନ ଯେମିତି ଅନ୍ଧାର ଆଉ ବର୍ଷା ହେଉଥିଲା, ଆପଣ ବାପାଙ୍କ କାର୍‌ରେ ଯାଇପାରିଥାନ୍ତେ । ଆପଣ ଗଲାପରେ ବାପା କାର୍‌ ନେଇ ଫେରିଲେ । ଦୁର୍ଘଟଣାର ଦୁଇଦିନ ପରେ ଆମେ ଜାଣିଲୁ । ଇଆଡ଼େ ଆସନ୍ତୁ, ଆଗରେ ଖମ୍ବ । ଏଇଟା ଦୋତାଲାକୁ ସିଡ଼ି । ମୋ ହାତ ଧରନ୍ତୁ ସାର୍‌, ଆସନ୍ତୁ ।

 

ତୁଷାର କେବେ ଅବନୀ ବାବୁଙ୍କ ଦୋତାଲା ଉପରକୁ ଉଠି ନ ଥିଲା । ଆଜି ପ୍ରଥମ । ଅରୁଣ ଚାବୁରା, ପଦେ ପଚାରିଲେ ଦଶପଦ ଗପିଯାଏ ।

 

ତୁଷାର ତାର ହାତଧରି ଅବନୀ ବାବୁଙ୍କ ବୈଠକ ଘରେ ପଶିଲା । ଘର ଭିତର ଥଣ୍ଡା ଲାଗୁଛି । ବିଜୁଳି ପଙ୍ଖାର ଶବଦ ଘାଉଁ ଘାଉଁ ଶୁଭୁଛି । ଆର ଘରେ ରେଡ଼ିଓ ବାଜା, ନାରୀ କଣ୍ଠ, ବଙ୍ଗଳା ସଙ୍ଗୀତ, କରୁଣ, ଅଭିମାନ ଭରା, ହେ ପ୍ରିୟ, ତୁମେ ଯାଅ, ଫେରି ଯାଅ....

 

ନମସ୍କାର ତୁଷାରବାବୁ, ଆସନ୍ତୁ–

ହାତଧରି ଅରୁଣ କୁସନ୍‌ଚେୟାରରେ ବସାଇଲା ।

 

ଅବନୀ ବାବୁ କହିଲେ, ତୁ ଏଥର ଯା ଅରୁଣ, ପଢ଼ାପଢ଼ିରେ ମନ ଦେ । ଖାଲି ଫେସନ୍‌ କରି ବୁଲିଲେ ପାଠ ହୁଏନାହିଁ ।

 

ତୁଷାର ପ୍ରତିନମସ୍କାର କଲା । କିନ୍ତୁ ଦେଖିପାରୁ ନ ଥିଲେ ମଧ୍ୟ ବଡ଼ଲୋକୀର ଆବହାଓ୍ୱା ଅନୁଭବ କରିପାରୁଥିଲା । ବିଜୁଳି ପଙ୍ଖାର ପବନ ଲୋମମୂଳ ଟାଙ୍କୋରି ଦେଉଥିଲା । ରେଡ଼ିଓ ସଙ୍ଗୀତ କାନରେ ଢାଳୁଥିଲା ବିଷ । କୁସନ୍‌ଚେୟାର ଉପହାସ କରୁଥିଲା ।

 

ଅବନୀବାବୁ କହିଲେ, ଶୁଣନ୍ତୁ ମ୍ୟାନେଜର ବାବୁ, ବରଂ କାର୍ଯ୍ୟ ବନ୍ଦ ରହୁ, ଦଶପଚିଶ ହାଜାର ନଷ୍ଟ ହେଉ, ଷ୍ଟ୍ରାଇକ୍‌ର ଧମକ୍‌ରେ ଡରି ଯିବାକୁ ହେବନାହିଁ । ଥରେ ଡରିଲେ ଆଉ ରକ୍ଷା ରକ୍ଷଣ ନାହିଁ । ସମ୍ଭାଳି ପାରିବା ନାହିଁ । ତିନିଦିନ କାମ ବନ୍ଦ ହେଲାଣି, ଆଉ ଦିଶଦିନ ବନ୍ଦ ହେଉ । ଗୋପାଳବାବୁଙ୍କୁ ଡାକି ଦିଅନ୍ତୁ ।

 

ମ୍ୟାନେଜର ଚାଲିଗଲେ ।

 

ଏହି ଅବସରରେ ତୁଷାରକାନ୍ତି ଆଗମନର ଉଦ୍ଦେଶ୍ୟ ଜଣାଇ ଦେବାକୁ ମନକଲା, କିନ୍ତୁ ଅବନୀ ବାବୁ ଆରମ୍ଭ କଲେ, ଦେଖନ୍ତୁ ଏଗୁଡ଼ାଙ୍କୁ ମିଛଟାରେ କୁଲି ମଜୁରିଆଙ୍କୁ ମତାଇ ଷ୍ଟ୍ରାଇକ୍‌ କରାଇଛନ୍ତି । ତିନିଦିନ ହେଲା ସବୁ କାମ ବନ୍ଦ । କ୍ଷତି କାହାର ? କାମ ନ କରି ଯଦି ପେଟପୋଷି ପାରିବ ତ ଭଲ କଥା ।

 

ତୁଷାର ପଚାରିଲା, ଷ୍ଟ୍ରାଇକ୍‌ର କାରଣ ?

 

ସେଇ ସବୁ ସ୍ଲୋଗାନ୍‌- ଅଣ୍ଟୁ ନାଇଁ, ମଜୁରି ଦେଢ଼ାକର, ବର୍ଷକୁ ଦରମା ସହ ମାସେ ଛୁଟି ଦିଅ, ଲାଭରୁ ଭାଗ ଦିଅ । ସୁବ କର, ସୁବ ଦିଅ, ଆମେ ପଛେ କାମ ନ କରୁଁ । ଯେଉଁ ଗୋଟାକେତେ ଲଫାଙ୍ଗା ବାହାରି ଶସ୍ତାରେ ଲିଡ଼୍‌ର ହେବାକୁ ବସିଛନ୍ତି, ଗରିବ ମୂର୍ଖଙ୍କୁ ମତାଇ ଚାନ୍ଦା ନେଇ ପେଟ ପୋଷୁଛନ୍ତି, ତାଙ୍କ କଥା କହିଲେ ନ ସରେ । ତାଙ୍କୁ କିଛି ଦେଇଦେଲେ ସେମାନେ ଓଲଟି ପଡ଼ନ୍ତେ ଯେ ସେମାନଙ୍କ ପାଖରେ ଥରେ ମୁଣ୍ଡ ନୁଆଇଁଲେ ଆଉ ରକ୍ଷା ନାହିଁ । ବାରମ୍ବାର ଧମକଉଥିବେ ।

 

ମ୍ୟାନେଜରବାବୁଙ୍କ ସଙ୍ଗେ ଗୋପାଳବାବୁ ଘରେ ପଶିଲେ । ଗୋପାଳବାବୁ–ବୟସ ତିରିଶ ହେବ, ଗୋରା ତକତକ, ସୁନ୍ଦର ଦେହ । ପାତଳା । ମୁଣ୍ଡବାଳ ଛୋଟ ହୋଇ କଟା ହୋଇଛି-। ଖଦଡ଼ ଲୁଗା, ଖଦଡ଼ ଜାମା । ହାତରେ ଖଦଡ଼ ମୁଣି । ଛାତିରେ ଦାଆ ଓ ହାତୁଡ଼ିରେ ସଙ୍କେତ । ପଶିଲା ପଶିଲା ଆଖିରେ ଚଷମା ।

 

ନମସ୍କାର ଗୋପାଳବାବୁ ।

ନମସ୍କାର ।

ବସନ୍ତୁ ।

ଗୋପାଳବାବୁ ଓ ମ୍ୟାନେଜରବାବୁ ଦିଓଟି ଚଉକିରେ ବସିଲେ ।

ଅବନୀ ବାବୁ କଲିଙ୍ଗ୍‌ ବେଲ ଟିପିଲେ ।

 

ଚାକର ଟୋକା ଘରେ ପଶିଲା । ମାଛି ଅନ୍ଧାର ହୋଇ ଆସୁଥାଏ । ମ୍ୟାନେଜର ବାବୁ ସୁଇଚ୍‌ ଟିପିଲେ । ବିଜୁଳି ଆଲୁଅ ଝଲସି ଉଠିଲା । ଅବନୀବାବୁ ଚାକର ଟୋକାକୁ କହିଲେ, ଚା ପାଇଁ କହି ଦେ ।

 

ଚାକର ଟୋକା ଚାଲିଗଲା ।

 

ହସ ହସ ମୁହଁରେ ଅବନୀ ବାବୁ ପଚାରିଲେ, ଆପଣ କଣ ମନେ କରିଛନ୍ତି ଯେ ଏସବୁର ଗୋଟାଏ କିଛି ମୀମାଂସା ହୋଇପାରିବ ?

 

ଗୋପାଳବାବୁ କହିଲେ, ଯଦି ମୀମାଂସା କରିବାକୁ ଇଚ୍ଛା କରିବା ନ ହେବ କାହିଁକି ? ସାତଶ ମୂଲିଆ ସୁଖରେ ତିନିଦିନ ହେଲା କାମ ବନ୍ଦ କରିଛନ୍ତି ? ପେଟକୁ ନିଅଣ୍ଟ ହେଲା । କାମ ବନ୍ଦ ନ କରି ତାଙ୍କର ଅନ୍ୟ ଉପାୟ କଅଣ ଥିଲା ? ଆପଣମାନେ ପୁଞ୍ଜିପତି । ସେମାନେ ମଜ୍‌ଦୁର-। ତାଙ୍କର ପରିଶ୍ରମ ଫଳରେ ଆପଣମାନେ ପୁଞ୍ଜି ବଢ଼ାଉଛନ୍ତି । କାମ କରି ଖଟି ଖଟି ସେମାନେ ଓ ତାଙ୍କର ପିଲାକୁଟୁମ୍ବ ପେଟକୁ ନ ପାଇ କଷ୍ଟ ସହି ମରୁଛନ୍ତି । ଆପଣମାନଙ୍କର ଏସବୁ କଥା ବିଚାର କରିବା ଉଚିତ ।

 

ଅବନୀବାବୁ କ୍ଷଣେ ନୀରବ ରହିଲେ । ଗୋପାଳ ବାବୁଙ୍କର ଆଖି ଝଲସି ଉଠିଲା । ସେ ମଜ୍‌ଦୁର ନେତା । ପୁଞ୍ଜିପତିଙ୍କ ଆଗରେ ବସି ମୁହେଁ ମୁହେଁ ସେ ସତକଥା କହିପାରିଛନ୍ତି । ଆତ୍ମଗୌରବ ଅନୁଭବ କଲେ । ଏଇ ସୁଯୋଗ ସେ ଅନେକ ଦିନରୁ ଖୋଜୁଥିଲେ ।

 

ପୁଞ୍ଜିପତି ହେବା କଅଣ ଦୋଷ ?

 

ପୁଞ୍ଜିପତିର ଦୋଷଗୁଣ ଚର୍ଚ୍ଚା କରିବାର ସ୍ଥାନ ଏ ନୁହେଁ । ମୋ ମତରେ, ପୁଞ୍ଜିପତି ଓ ଚୋର, ଡକାୟତ, ଖୁଣୀ ଭିତରେ କିଛି ତଫାତ୍‌ ନାହିଁ । ଆଇନ୍‌ ଆପଣଙ୍କୁ ସହାୟ, ତେଣୁ ଆପଣମାନେ ଭଦ୍ରଲୋକ । ମନେରଖନ୍ତୁ, ସୁବଦିନେ ସବୁକଥା ରହିବ ନାହିଁ ।

 

ଅବନୀ ବାବୁ କହିଲେ, ଉତ୍ତେଜିତ ହେଉନ୍ତୁ ନାହିଁ । ଆଇନର ଆଶ୍ରୟ ଲୋଡ଼ିବାକୁ ଅଭିପ୍ରାୟ ଥିଲେ ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରିବାର ପ୍ରୟୋଜନ ପଡ଼ନ୍ତା ନାହିଁ । ଆପଣ ଶିକ୍ଷିତ, ନିଶ୍ଚୟ ବୁଦ୍ଧିମାନ୍, ଆପଣ ଯେପରି ମୁହଁକୁ ଅନାଇ ଚୋର, ଡକାଇତ, ଖୁଣୀ ଉପାଧୀ ମୋ ମୁଣ୍ଡରେ ଲଦି ଦେଲେ, ମୁଁ ସେମିତି ଖୋଲଖୋଲି ଆପଣଙ୍କ ଆଗରେ ମୋର ପ୍ଲାନଟା କହେ ।

 

କୁହନ୍ତୁ ।

 

ଯେଉଁ ସାତଶ ମୂଲିଆଙ୍କୁ ମତାଇ ଆପଣ କାମ ବନ୍ଦ କରାଇ ଧରମା ପାଲଟି ମୁଣ୍ଡି ମାରିବାକୁ ଆସିଛନ୍ତି, ସେମାନେ ଥିଲେ କେଉଁଠି, ପୁଣି କାଲି ଯିବେ କୁଆଡ଼େ, ଏକଥା କେବେ ବିଚାର କରିଛନ୍ତି ? ଦଶବର୍ଷ ତଳେ କାନ୍ତରାଟି କାମ ଆରମ୍ଭ କରିଥିଲି । ପଚାଶ ଷାଠିଏ ଜଣ ମୂଲିଆ ମୋର ଥିଲେ । ଓଡ଼ିଶା ଦେଶରୁ ପ୍ରତିବର୍ଷ ହଜାର ହଜାର ମୂଲିଆ ବିଦେଶକୁ ପଳାଉଛନ୍ତି, ସେ କଥା ଆପଣଙ୍କୁ ଅବିଦିତ ନ ଥିବ । ପିଲା କୁଟୁମ୍ବ ଛାଡ଼ି ବିଦେଶରେ ମୂଲ ଲାଗି ଜୀବନ ହାରିବା କେଡ଼େ ଅନ୍ୟାୟ ? ଆପଣମାନେ ଦେଶର ପିଲାଙ୍କୁ ଦେଶରେ କାମ ଯୋଗାଇବାକୁ କି ବିନ୍ଦୋବସ୍ତ କରିଛନ୍ତି କହିବେ କି ? ଆସାମର ଚା ବଗିଚା ଭିତରେ ପଶି କେଇଟା ମୂଲିଆଙ୍କର ସେବା ଆପଣ କରିଥିଲେ କହିପାରିବେ ?

 

ଅବନୀ ବାବୁ ତୁନି ହେଲେ । ସୁନାର ସିଗାରେଟ୍–କେସ୍‌ରୁ କାଢ଼ି ଖଣ୍ଡେ ସିଗାରେଟ୍ ତୁଣ୍ଡରେ ଲଗାଇ କେସ୍‌ଟି ଗୋପାଳ ବାବୁଙ୍କ ଆଡ଼କୁ ବଢ଼ାଇ ଦେଲେ । ଗୋପାଳ ବାବୁ ହାତ ଯୋଡ଼ି ନମସ୍କାର କରି ଇଙ୍ଗିତରେ ଜଣାଇଲେ, ମୁଁ ଟାଣେ ନାହିଁ, ଧନ୍ୟବାଦ ।

 

ତୁଷାର ବାବୁ, ସିଗାରେଟ୍ ନିଅନ୍ତୁ ।

ତୁଷାର ହାତ ଯୋଡ଼ି କହିଲା, ମୁଁ ଟାଣେ ନାହିଁ ।

 

ଅବନୀ ବାବୁ ସିଗାରେଟ୍ ଲଗାଇ କହିଲେ, ଶୁଣନ୍ତୁ ତୁଷାର ବାବୁ, ଗରିବ ଅଶିକ୍ଷିତ ଲୋକଙ୍କୁ ମତାଇ କେତେ ଲୋକ ଅତିଶସ୍ତା ଓ ସୁବିଧାରେ ଲାଭ ଉଠାଇବାକୁ ଚାହାନ୍ତି, ନେତା ହେବାକୁ ଚାହାନ୍ତି । ସବୁ ଲୋକଙ୍କୁ ସବୁଦିନ ପାଇଁ ଠକି ପାରିବେତ ? ଆଗକୁ ପଛକୁ ଅନାଇ ଚାଲିବା ଭଲ ଗୋପାଳବାବୁ, ମୂଲିଆଙ୍କର ମଙ୍ଗଳ କରିବାକୁ ଯଦି ଚାହାନ୍ତି, ଆସନ୍ତୁ ଦିହେଁ ବସି ପ୍ଲାନିଂ କରିବା ।

 

ଗୋପାଳବାବୁ ହସିଲେ । ଅବନୀ ବାବୁ ବୁଝିଲେ, ସେ ବିଦ୍ରୂପ ମଣୁଛନ୍ତି, ଉପହାସ କରୁଛନ୍ତି । ତାଙ୍କର ହସକୁ ଖାତିର ନ କରି ଅବନୀ ବାବୁ କହିବାକୁ ଲାଗିଲେ, ସେଇ ଦଶବର୍ଷ ତଳେ, ଯେତେବେଳେ ମୁଁ ଏଇ ଦରିଦ୍ର କୁଲିମୂଲିଆଙ୍କର ସଂସର୍ଗରେ ଆସିଲି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା କଥା ଅନୁଭବ କଲି, ପ୍ରତିଜ୍ଞା କଲି, ସେମାନଙ୍କର ଦୁଃଖ ମୁଁ ଦୂର କରିବି । କେମିତି ? ଯାହା ଅର୍ଜନ କଲି, ସବୁଯାକ ତାଙ୍କୁ ବାଣ୍ଟି ଦେଇ ହାତ ବାନ୍ଧି ବସିଲେ ତାଙ୍କର ଦୁଃଖ ଯିବ ? ଆପଣ କୁହନ୍ତୁ ଗୋପାଳବାବୁ, ମୋର କର୍ତ୍ତବ୍ୟ କଣ ?

 

ଗୋପାଳ କହିଲେ, ସେମାନଙ୍କର ଦୁଃଖ ଦୂର କରିପାରିଛନ୍ତି ବୋଲି ଆପଣଙ୍କର ବିଶ୍ୱାସ ?

 

ମୁଁ ଜାଣେ, ମୁଁ ପାରିନାହିଁ । ମୋର ଆଶା, ମୁଁ ଦିନେ କରିପାରିବି, ଯଦି ଆପଣମାନଙ୍କର ସାହାଯ୍ୟ, ସହାନୁଭୂତି, ଉତ୍ସାହ ମୁଁ ପାଏ । ପ୍ରଥମ କଥା ହେଉଛି, ଯେଉଁ ଚାରିଲକ୍ଷ ଓଡ଼ିଆ ପୁଅ ଦେଶଛାଡ଼ି ବିଦେଶରେ ପଶିଛନ୍ତି, ଗାଳି ମାଡ଼ ଖାଇ ଦିନରାତି ଖଟି ଖଟି ପେଟ ପୋଷୁଛନ୍ତି, ସେମାନଙ୍କୁ ଆଗ ଦେଶକୁ ଫେରାଇ ଆଣିବାକୁ ହେବ । ସେମାନେ ବିଦେଶ ଯିବାଦ୍ୱାରା ଦେଶର କେତେ ମ୍ୟାନ୍–ପାଓ୍ୱାର ଓଡ଼ିଶା ହରାଇ ବସିଛି ବୁଝନ୍ତୁ । ଜଣେ ଲୋକର ପରିଶ୍ରମରୁ ଅନ୍ୟପ୍ରଦେଶର ଲୋକେ ଯଦି ଆଠଣା ଲାଭ ଉଠାଉଥାନ୍ତି, ଦିନକୁ ଆମର ଏଇ ପ୍ରଦେଶ ଦୁଇଲକ୍ଷ ଟଙ୍କା ହରାଇ ବସୁଛି । ମାସକୁ ଷାଠିଏ ଲକ୍ଷ ହେଲା ଆଜ୍ଞା, ବର୍ଷକୁ ହେଲା ସାତକୋଟି କୋଡ଼ିଏ ଲକ୍ଷ । ଆହୁରି ଅଧିକ ହେବ । ହୁଏତ ଦଶ କୋଟି । ଓଡ଼ିଶା ସରକାରଙ୍କର ବାର୍ଷିକ ଆୟର କେତେଗୁଣ ହେଲା ?

 

ତୁଷାରକାନ୍ତି ତନ୍ମୟ ହୋଇ ଶୁଣିଲା । ଗୋପାଳ ବିଚଳିତ ହେଲେ । କଣ ପଚାରିବେ ପଚାରିବେ ହୋଇ ତୁନି ରହିଲେ ।

 

ଅବନୀବାବୁ ନିବେଦିଲେ, ଏଇ ଦଶକୋଟି ଟଙ୍କା ଯଦି କ୍ୟାପିଟାଲ୍ ହୋଇପାରନ୍ତା, ସେ କ୍ୟାପିଟାଲ ଯଦି ଇଣ୍ଡିଷ୍ଟ୍ରିରେ ଲଗାଯାଆନ୍ତା, ଦେଶର ଦାରିଦ୍ର୍ୟ ଦୂରହେବାକୁ ଅଧିକ ଦିନ ଲାଗନ୍ତା ନାହିଁ । ମୁଁ ପ୍ରତିଜ୍ଞା କଲି, ମୋ ଦେଶର ମୂଲ୍ୟ ଅନ୍ୟ ପ୍ରଦେଶକୁ ଯିବ ନାହିଁ । ଦେଖନ୍ତୁ, ଦଶବର୍ଷ ଭିତରେ ମୁଁ କଣ କରିଛି,– ଆଲୁମିନିୟମ୍ ଫ୍ୟାକ୍‌ଟ୍ରି, ସୋପ ଫ୍ୟାକ୍‌ଟ୍ରି, ସୁଗରମିଲ, କେମିକାଲ ଓ୍ୱାର୍କସ୍ । ସାତଶହ ଲୋକ କାମ କରନ୍ତି, ଦେଢ଼ହଜାରରୁ ଆରମ୍ଭ କରି ତିରିଶି ଟଙ୍କା ଯାଏ ବେତନ ଦେଉଛି ।

 

ଗୋପାଳ କହିଲେ, ସାତଶ ଲୋକଙ୍କର ରକ୍ତ ଶୋଷି ଆପଣ ପୁଞ୍ଜି ସଂଚୟ କରୁଛନ୍ତି । ସେମାନଙ୍କୁ ନରକରେ ଛାଡ଼ି ଆପଣ ସ୍ୱର୍ଗସୁଖ ଭୋଗୁଛନ୍ତି । ଏଇଟା କଣ ନ୍ୟାୟ ?

 

ଅବନୀବାବୁ ହସିଲେ । କହିଲେ ସ୍ୱର୍ଗ-ସୁଖ ! ଗୋଟାଏ ଛଡ଼ା ଯୋଡ଼ାଏ ପେଟ ମୋର ନାହିଁ । ସେମାନଙ୍କର କିପରି ମଙ୍ଗଳ କରିପାରିବି, ସେହି ଚିନ୍ତାରେ ମୋତେ ନିଦ ହେଉନାହିଁ । ଯାହା ମୁଁ ସଂଚୟ କରି ରଖିଛି, ସବୁ ତାଙ୍କରି ଭଲ ପାଇଁ ଖର୍ଚ୍ଚ ହେବ । ପ୍ଳାନ ପ୍ରସ୍ତୁତ । ଟେକ୍‌ସଟାଇଲ ମିଲ୍‌ସ । କେତେ ଦରିଦ୍ର ଓଡ଼ିଆ ଭାଇଙ୍କୁ ମୁଁ ଅନ୍ୟପ୍ରଦେଶରୁ ଫେରାଇ ଆଣିପାରିବି ଅନୁମାନ କରିପାରୁଛନ୍ତି ? ମୋର ଉଦ୍ଦେଶ୍ୟ ମହତ୍ । ମୋରି ଏଇ ଭାବଧାରାରେ ଅନେକ ବନ୍ଧୁଙ୍କୁ ମୁଁ ଅନୁପ୍ରାଣିତ କରିଛି । ଦଶଟି ବର୍ଷ ଅପେକ୍ଷା କରନ୍ତୁ । ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ବେଳ ଦିଅନ୍ତୁ । ଘର ପୁଅ ଘରକୁ ଫେରିଆସି ଭଲରେ ରହନ୍ତୁ । ତା ପରେ ଆପଣ ଯାହା କରିବେ । ମୂଳରୁ ଧ୍ୱଂସ କରନ୍ତୁ ନାହିଁ । ଯେଉଁମାନଙ୍କର ଭଲ କରିବାକୁ ବସିଛନ୍ତି, ସେଇମାନଙ୍କର ସର୍ବନାଶ କରନ୍ତୁ ନାହିଁ । ହରତାଳ କରେଇଛନ୍ତି, ଭଲକଥା । କାମ ବନ୍ଦ ହେଲା, କ୍ଷତି ହେଲା । ସବୁ ଇଣ୍ଡଷ୍ଟ୍ରି ଭୁଷୁଡ଼ି ପଡ଼ୁ । ମୋର କଣ କ୍ଷତି ହେବ ? ଭଲକରି ଭାବି ଦେଖନ୍ତୁ, ମୋର କଣ କ୍ଷତି ହେବ-? ପୁଞ୍ଜି ମୁଁ ସଂଚୟ କରିଛି ବୋଲି ଆପଣ ଆକ୍ଷେପ କରୁଛନ୍ତି ! ସେତକ ଆପଣଙ୍କୁ ଦେଇଦେଲେ କି ବାଣ୍ଟିଦେଲେ ବି ମୁଁ ଉପାସରେ ମରିବି ନାହିଁ । ଆପଣମାନଙ୍କଠାରୁ ବେଶି ପରିଶ୍ରମ ମୁଁ କରେ । ଅବଶ୍ୟ ପେଟ ପୋଷି ପାରିବି । ଯେଉଁମାନଙ୍କର ଭଲ କରିବେ ଭାବିଚନ୍ତି, ସେଇମାନଙ୍କର କାଳ ହେବେ ଆପଣ । ସେତିକି ହେବ ମୋର ଦୁଃଖ । ଓଡ଼ିଆ କି ଭାରତବର୍ଷକୁ ଦିନକରେ ଆମେରିକା କରିପାରିବେ ନାହିଁ କି ରୁଷିଆ କରିପାରିବେ ନାହିଁ । ସମୟ ଲାଗିବ, ଯଥେଷ୍ଟ ସମୟ । ଅପେକ୍ଷା କରନ୍ତୁ ।

 

ତୁଷାରକାନ୍ତି ଦୀର୍ଘଶ୍ୱାସ ଛାଡ଼ିଲା ।

ଗୋପାଳ ଗମ୍ଭୀର ହେଲେ ।

ଚାକର ଖବର ଦେଲା, ମା ଅପେକ୍ଷା କରି ବସିଛନ୍ତି ।

 

ଅବନୀ ବାବୁ ଉଠିଲେ । ଗୋପାଳବାବୁଙ୍କର ହାତଧରି କହିଲେ, ଆସନ୍ତୁ ଟିକେ ଚା ଖାଇ ଆସିବା । ଆସନ୍ତୁ ତୁଷାରବାବୁ । ମ୍ୟାନେଜର ବାବୁ, ଅରୁଣର ମାଷ୍ଟ୍ରର ବାବୁଙ୍କୁ ଡାକନ୍ତୁ । ଆପଣ ବି ଆସନ୍ତୁ ।

 

ଚା ଟେବୁଲରେ–

 

ରେଡ଼ିଓ ବାଜିଲା । ପଙ୍ଖା ଚାଲିଲା । ନେଳିଆ ବଲ୍‍ବରୁ ନେଳିଆ ଆଲୁଅ ବାହାରୁଛି । ନିଜେ ହେମାଙ୍ଗିନୀ ପରଶି ଦେଉଛନ୍ତି । ଖାଲି ଚା ନୁହେଁ, କେତେ ଜାତିର ଜଳଖିଆ, ମିଠା, ଫଳ । ଶେଷକୁ ଚା । ସରିଲା ।

 

ଅବନୀବାବୁ ଅପରିଚିତ ତିନିଜଣଙ୍କୁ ଚିହ୍ନାଇ ଦେଲେ, – ଚିହ୍ନ ନାଇଁ ହେମ, ଏ ହେଉଛନ୍ତି ଗୋପାଳ ବାବୁ ।

 

ନମସ୍କାର ।

ଗୋପାଳ ହାତ ଯୋଡ଼ି ପ୍ରତିନମସ୍କାର କଲେ ।

ଏ ହେଉଛନ୍ତି ସୁବୋଧ ବାବୁ, ଅରୁଣର ମାଷ୍ଟର ।

ନମସ୍କାର ।

ସୁବୋଧ ବାବୁ ନମସ୍କାର କଲେ ।

ତୁଷାର ବାବୁ ।

 

ନମସ୍କାର କହିବାକୁ ତୁଣ୍ଡ ଖୋଲିଲା ନାହିଁ । ହାତ ଉଠିଲା ନାହିଁ । ହେମାଙ୍ଗିନୀ ଜାଣେ, ସବୁ ଜାଣେ, କ୍ଷଣପ୍ରଭାର ଦୁଃଖ ।

 

ଚିହ୍ନିପାରୁନା ? ତୁଷାର ବାବୁ ଅରୁଣର ମାଷ୍ଟର ଥିଲେ ।

ନମସ୍କାର ।

ତୁଷାରକାନ୍ତି ଦୁଇହାତ ଯୋଡ଼ି ନମସ୍କାର କଲା ।

 

ଚାକର ପାନଥାଳିଆ ଆଣି ଟେବୁଲ ଉପରେ ରଖିଲା । ହେମାଙ୍ଗିନୀ ଧୀରେ ଧୀରେ ପଦାକୁ ଚାଲିଗଲା ।

 

ରାତି ସାତଟା ହେଲା, ଘଣ୍ଟା ବାଜିଲା ।

 

ଅବନୀ ବାବୁ ନିବେଦିଲେ, ମୁଁ ଯାହା କହିଲି ଗୋପାଳ ବାବୁ ଭଲକରି ଭାବି ଦେଖିବେ-। ସମାଧାନ କରିବାକୁ ମୁଁ ସବୁବେଳେ ପ୍ରସ୍ତୁତ । ଲୋକଙ୍କୁ ବୁଝାନ୍ତୁ । ଲାଭକ୍ଷତିର ହିସାବ ନିଜେ ଆସି ପରୀକ୍ଷା କରନ୍ତୁ । ଦେଶର ଓ ଦେଶର ସମୂହ ମଙ୍ଗଳ କଥା ଭାବନ୍ତୁ । କାଲି ନିଶ୍ଚୟ ଆସିବେ-। ପୁଣି ଆଲୋଚନା ହେବ । କେଡ଼େ ବଡ଼ ବଡ଼ ସମସ୍ୟା ଛିଣ୍ଡି ଯାଉଛି, ଏଇ ସାମାନ୍ୟ କଥା ରହିଯିବ ? କେବଳ ମିଲ ମାଲିକ ହେଲେ ଯେ ଲୋକ ଦେଶର ଶତ୍ରୁ ହୁଏ, ସମସ୍ତଙ୍କର ଘୃଣ୍ୟ ହୁଏ, ପୁଞ୍ଜିପତି ହେଲେ ଯେ ସେ ରାକ୍ଷସ ହୁଏ ଏପରି ଭାବିବା ଭୁଲ୍ । ଉଇରୋପ ହେଉ କି ଆମେରିକା ହେଉ, ଉନ୍ନତ ହୋଇଛି କାହା ପାଇଁ ଥରେ ବିଚାରି ଦେଖନ୍ତୁ । ଆମେ ଦରିଦ୍ର, ଆମର ଦେଶ କାଙ୍ଗାଳ, ନିଜ ଗୋଡ଼ରେ ଠିଆ ହୋଇ ନ ଶିଖୁଣୁ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିହୋଇ ପଡ଼ି ମରିବା ? ଆପଣ ଯଦି କାଲି ଆସନ୍ତେ ଏ ବିଷୟ ଭଲ କରି ଚର୍ଚ୍ଚା କରନ୍ତେ । ସମାଧାନ ନ ହୋଇ ଦୁନିଆଁରେ କେଉଁ କଥା ରହିଯାଇନାହିଁ ।

 

ଗୋପାଳ କହିଲେ, ନିଶ୍ଚୟ ଆସିବି । ଯେତେଶୀଘ୍ର ସମ୍ଭବ ଅଚଳ-ଅବସ୍ଥାଟା ଭାଙ୍ଗିବା ଦରକାର; କିନ୍ତୁ ଆପଣ ଯଥେଷ୍ଟ ସ୍ୱାର୍ଥତ୍ୟାଗ କରିବାକୁ ପ୍ରସ୍ତୁତ ରହନ୍ତୁ ।

 

ଡେରି ହେଲାଣି, ଆପଣ ଯିବେ କିପରି ? ତୁଷାର ବାବୁ ତ କଦାପି ରିକ୍‌ସାରେ ଯିବେ ନାହିଁ । ମ୍ୟାନେଜର ବାବୁ, ମୋର କାର୍‌ରେ ଏମାନଙ୍କୁ ଛାଡ଼ି ଦେଇ ଆସିବାକୁ ଡ୍ରାଇଭରକୁ କୁହନ୍ତୁ ।

 

ଗୋପାଳ କହିଲେ, ମୁଁ ଏଇ ପାଖରେ ରହୁଛି, ଚାଲିଯିବି, ଆପଣ ବ୍ୟସ୍ତ ହେଉନ୍ତୁ ନାହିଁ ।

ତୁଷାର କହିଲେ, ମୁଁ ରିକ୍‌ସାରେ ଚାଲିଯିବି ।

ଅବନୀ ବାବୁ କହିଲେ, ସେ କଥା ହେବ ନାହିଁ । ଆପଣ ମୋ କାର୍‌ରେ ଯିବେ ।

 

କାହିଁକି ତୁଷାରକାନ୍ତି ଆସିଥିଲା ଅବନୀ ବାବୁ ପଚାରିଲେ ନାହିଁ । ତୁଷାରକାନ୍ତି ବି କହିପାରିଲା ନାହିଁ, ଆବଶ୍ୟକ ମଣିଲା ନାହିଁ । ଅରୁଣର ନୂଆ ମାଷ୍ଟର ନିଯୁକ୍ତ ହୋଇଛନ୍ତି । ବ୍ୟର୍ଥ ମନୋରଥ ହୋଇ ଫେରିଯିବାକୁ ପଡ଼ିବ । କ୍ଷଣପ୍ରଭା ହୁଏତ ଚାକିରି ଯୋଗାଡ଼ କରି ଆସିଥିବ । ଶେଷକୁ ତାଆର ଗଳଗ୍ରହ ହେବାକୁ ପଡ଼ିବ । କ୍ଷଣପ୍ରଭା ମୂର୍ତ୍ତିମତୀ ଦୟା, କ୍ଷମା । ପର ପାଇଁ ନିଜକୁ ଯେ ଭୁଲିଛି– । ଜୀବନ ଦେଇ ତାକୁ ସୁଖୀ କରିବାର ଆଶା ତ ନାହିଁ, ଦୁଃଖର ବୋଝ ଲଦି ଦେବ ତାର ମୁଣ୍ଡରେ ।

 

ତୁଷାରକାନ୍ତିର ପ୍ରାଣ କାନ୍ଦିଲା ।

ଅବନୀ ବାବୁଙ୍କ ମଟର ଗାଡ଼ି ଛୁଟିଛି–

 

ଶ୍ରାବଣ ଶୁକ୍ଳପକ୍ଷ ସପ୍ତମୀ ଦିନ ଏକୋଇଶା । ଦିନ ପାଞ୍ଚଟା ବାକୀ । ବିଜିପୁରର ଜମିଦାର ପରଶୁରାମ ବାବୁଙ୍କ ଘରେ ଉତ୍ସବ ହେବ । ଅଣଚାଶ ବର୍ଷ ବୟସରେ ପୁଅ ହୋଇଛି । ଦୁର୍ଲ୍ଲଭ କଥା । ଜମିଦାରୀଟି ଛୋଟ ହେଲେ ବି ସେ ଜମିଦାର । ଛତିଶି ପାଟକ ପ୍ରଜା । ଅବଶ୍ୟ ଲୋକେ ଜମିଦାରୀ ଉଠାଇବାକୁ ଆନ୍ଦୋଳନ କରୁଛନ୍ତି, କେହି କେହି ଉତ୍‌ପାତିଆ ପ୍ରଜା କୁଶିକ୍ଷାରେ ପଡ଼ି ଖଜଣା ଦେଉନାହାନ୍ତି । ପରଶୁରାମ ବାବୁ ବ୍ୟସ୍ତ । ହେଲେ, ଅଣଚାଶ ବର୍ଷରେ ପୁଅ ହୋଇଚି-। ପିଣ୍ଡର କାରଣ ଖରଚକୁ ଡରିଲେ ଚଳିବ ନାହିଁ ।

 

ସବୁ ବରାଦ ହୋଇସାରିଛି–ଠିଆପାଲା, ଭାଇବନ୍ଧୁ କୁଟୁମ୍ବ ଲୋଡ଼ା, ଗ୍ରାମବାସୀ, ପ୍ରଜା, ଛତିଶ ପାଟକ ଭୋଜନ କରିବେ । ତିନିଦିନ ଯାଏ ଦିଆନିଆ ଚାଲିବ । ପୁରୋହିତ ଓ ଗୁମାସ୍ତାମାନଙ୍କ ପରାମର୍ଶମତେ ସବୁ କାମ ପ୍ରାୟ ସରିଛି । ଟଙ୍କାରେ ପର ଲାଗିବ । ପାଞ୍ଚହଜାର ଖର୍ଚ୍ଚ ହେବ । ଖର୍ଚ୍ଚ ପଛେ ହେଉ ସମ୍ମାନ୍ନ ରହୁ । ଜମିଦାରଙ୍କ ପୁଅର ଏକୋଇଶା, ନାମକରଣ ହେବ ଭାବୀ ଜମିଦାରଙ୍କର । କମ୍ କଥା ନୁହେଁ । ହେଉ ଖରଚ ।

 

ପୁଅର ନାମ ଦିଆ ହେବ । ସେହି ନାମରେ ଦୁନିଆରେ ସେ ପରିଚିତ ହେବ । କେତେ ଲୋକ କେତେ ନାମ ବାଛିଲେଣି– ରାମ, ଶାମ, ଦୁର୍ଗାଦାସ, –ଦେବତାଙ୍କ ନାମ । କେହି କହୁଛନ୍ତି ପୁରୁଣାକାଳିଆ କଥା ଛାଡ଼, ପୁଅର ନାମ ଦିଅ ମୋହନଦାସ, ରବୀନ୍ଦ୍ର ନାଥ, ଗୋପବନ୍ଧୁ, ମଧୁସୂଦନ–ଦେଶପ୍ରେମୀ ଦେଶଭକ୍ତଙ୍କ ନାମର ଅନୁକରଣ । ମାଇନର ସ୍କୁଲର ହେଡ଼ମାଷ୍ଟର ସୁରେନ୍ ମିତ୍ର କହିଲେ, ନୂଆପ୍ରକାର ନାମ ଦିଆଯାଉ– ନବୋତ୍କଳ, ଆଜାଦହିନ୍ଦ, ଆଟମ୍‌ବମ୍, ନଛୋଡ୍‌ବନ୍ଧା ।

 

ପରଶୁରାମ ଉପହାସ ମଣିଲେ । ଭଣ୍ଡାରୀ ବାପୁଡ଼ା କହିଲା, କୋଉ ପୁଅରେ ଲେଖା ଆଜ୍ଞା, ଠାକୁରେ ଆଇସ ଦିଅନ୍ତୁ, ନାମରୁ କଅଣ ମିଳିବ ? ହାଡ଼ିବନ୍ଧୁ ବୋଲି ଡାକିଲେ ଭଲ ହେବ । ବଡ଼ ନାମ ଦେଲେ ମଣିଷ ବଡ଼ ହୁଏ ନାଇଁ ସାଆନ୍ତେ, ବଡ଼ ମଣିଷ ହେଲେ ଛୋଟ ନାଁ ବଡ଼ ହୁଏ ।

 

ନାମ ଦେଲା ବେଳ ତ ଅଛି, ପୁରୋହିତେ ବଳେ ଠିକ୍ କରିବେ । ନିମିତ୍ୟ ଉଠାଇବା ବଡ଼ କାମ । ସ୍ତ୍ରୀଙ୍କ ପାଇଁ ଗୋଟିଏ ସୁନାହାର ଗଢ଼ାଇ ଆଣିବେ ବୋଲି ଭାବିଛନ୍ତି । ସାନପୁଅ ପାଇଁ ସୁନା ଖଡ଼ୁ, ସୁନା ହାର । ଏସବୁ କରିବା ପାଇଁ ତାଙ୍କୁ ଥରେ କଟକ ଯିବାକୁ ପଡ଼ିବ ।

 

କଟକ ନାମ ମନେପଡ଼ିଲେ ପରଶୁରାମଙ୍କର ମୁଣ୍ଡ ବୁଲାଏ । ଛାତି ପଡ଼େ ଉଠେ । ଅନେକ ଦିନ ହେଲା ସେ କଟକ ଯାଇନାହାନ୍ତି । ମକଦ୍ଦମା ପଡ଼ିଲେ ସଦର ଗୁମାସ୍ତା ଯାଆନ୍ତି । ସଦର ଗୁମାସ୍ତାଙ୍କ ହାତରେ ଏଇ କାମ କରାଇ ନେଲେ ଚଳନ୍ତା ଯେ, ପାର୍ବତୀ ଜିଗର୍ ଧରିଛନ୍ତି ସେ ନିଜେ ଯିବେ, ନୂଆ ଢଙ୍ଗରେ ହାର ଗଢ଼ାଇ ଆଣିବେ । ସ୍ତ୍ରୀଙ୍କ ମନରେ ଦୁଃଖ ଦେବାକୁ ସେ ଚାହାଁନ୍ତି ନାହିଁ ।

 

କଟକ ନାମ ପଡ଼ିଲେ ଆଖି ଆଗକୁ ଆସେ କ୍ଷଣପ୍ରଭା । ଝିଅଟିଏ ହେଉପଛେ ତାଆରି ବାରରାତ୍ରକୁ ତିନିହଜାର ଟଙ୍କା ଖରଚ ହୋଇଥିଲା । କାଲି ପରି ଲାଗୁଛି । କ୍ଷଣପ୍ରଭା କଟକରେ ଅଛି । ଗଲା ଅଇଲା ଲୋକଙ୍କ ତୁଣ୍ଡରୁ ତାର ଦୁଃଖର କାହାଣୀ ଶୁଣିଛନ୍ତି । ଅନ୍ଧ ସ୍ୱାମୀକୁ ନେଇ ଦୁଃଖରେ ବେଳ କାଟୁଛି । ଏତେ ଦୁଃଖ ପାଇ ମଧ୍ୟ ଦିନେ କେବେ ଭଲମନ୍ଦ ଲେଖି ନାହିଁ କି ଖବର ପଠେଇ ନାହିଁ । ରାଗ ଓ ଅଭିମାନର ସୀମା ଅଛି ତ ! ଏତେ ପାଠ ପଢ଼ି ମଧ୍ୟ ତାଆର ବୁଦ୍ଧି ହେଲା ନାହିଁ ।

 

କ୍ଷଣପ୍ରଭାର ନାମ ପଡ଼ିଲେ ପାର୍ବତୀ ମୁହଁ ମୋଡ଼ନ୍ତି । ପାର୍ବତୀ, ଯାହାଙ୍କର ହାତଧରି ଆଣି ନୂଆ ସଂସାର ସେ ଗଢ଼ିଛନ୍ତି, ସବୁଗୁଣରେ ସେ ଭଲ । ଲୋକ ପ୍ରଶଂସା କରନ୍ତି । ଘର କାମରେ ନିପୁଣା । ମନରେ ଦୟାଭାବ । ଏକା କ୍ଷଣପ୍ରଭାର ନାମ ପଡ଼ିଲେ ସେ ଚିଡ଼ି ଉଠନ୍ତି । କେତେକାଳର କେତେ ଛୋଟ ବଡ଼ ଘଟଣାର ଉଲୁଗୁଣ ଦେଇ କାନ୍ଦନ୍ତି, ମନକୁ ତିକ୍ତ କରାନ୍ତି । ହଁ ଝିଅ, ପାଠୋଇ ଝିଅ, ଚିଠିଟା ସାଇତି ଆଜିଯାଏ ରଖିଛି । ଟଙ୍କା ପରା ଫେରାଇ ଦେଇଥିଲା ? ବାପକୁ ପୁଣି ଏପରି ଅପମାନ କିଏ ଦିଏ ? ହେଲା, ଏତେ ସରି ହେଲାଠେଇଁ ବି ଚିଠି ଖଣ୍ଡେ ଲେଖିଲା କି ? ତମେ ବାପ, ସେ ଝିଅ, ମୁଁ ସିନା କାହୁଁ ଆଇଲା । ମୁଁ ମଲେ ସେ ଚିଠି ଦେବ, ବାପ ବୋଲି ଖୋଜିବ । ଝିଅ ଝିଅ ହେଉଛ, ମତେ କାହିଁକି ଆଣି ତମ ମଝିରେ ଠିଆ କରିଛ ? ମୁଁ ମନକୁ ଆସିନାହିଁ ତମେ ମତେ ଆଣିଛ ।

 

କ୍ଷଣପ୍ରଭାର ଭାଇ ହୋଇଛି, ତା ପାଖକୁ ଚିଠି ଯାଇନାହିଁ । କେତେଥର ପରଶୁରାମ ଲେଖିବାକୁ ମନ କଲେଣି । ହାତ ଅଟକି ଯାଉଛି । ଯେତେ ବୁଝାଇଲେ ପାର୍ବତୀ ବୁଝିନାହାନ୍ତି । ସେଇ ପୁରୁଣାକଥା, ପୁରୁଣାକାନ୍ଦ, ଅଭିମାନ, ରୁଷା, ଅକୁହା କଥାର ଝଡ଼ ଅଶାନ୍ତି ।

 

ଏକୋଇଶା ହେବ । କେତେ ଲାକଙ୍କୁ ନିମନ୍ତ୍ରଣ ଗଲା । ଝିଅର ଚିଠି ଭଣ୍ଡାରୀ ହାତରେ ଗଲା ନାହିଁ କି ପୋଷ୍ଟରେ ପଡ଼ିଲା ନାହିଁ । ଲୋକେ ବାହାରେ ବାର କଥା କହନ୍ତି । ପରଶୁରାମ ଜାଣନ୍ତି । କଅଣ କରିବେ ? ଝିଅ ପାଇଁ ମନହୁଏ; କିନ୍ତୁ ମନକଥା ମନରେ ଛପି ରହେ । ଝିଅପ୍ରତି ରାଗ ଆସେ । ଭାବନ୍ତି, ମୋର ଝିଅ ନାହିଁ କି କ୍ଷଣପ୍ରଭାର ବାପ ନାହିଁ । ବାହାର ମନ କହେ ସିନା, ଭିତର ମନ ଗୋଳାଇ ହୁଏ ।

 

କଟକ ଯିବାକୁ ଗାଡ଼ି ସଜିଲି ହୋଇଛି । ସାଙ୍ଗରେ ଗୁମାସ୍ତା ଯିବେ, ବାସୁ ବେହେରା ଯିବ । କେତେ ପଦାର୍ଥ କିଣା ହୋଇ ଆସିବ । ସେ ସବୁ ଦାୟିତ୍ୱ ଗୁମାସ୍ତାଙ୍କର । ବାବୁଙ୍କର ଦାୟିତ୍ୱ, ଗହଣାଗାଣ୍ଠି, ଲୁଗାପଟା ।

 

ରାତି ଆଠଟା । ପରଶୁ ବାବୁ ଶୋଇଲା ଘର ପଲଙ୍କ ଉପରେ ବସି ଆଖିରେ ଚଷମା ଦେଇ ଗୋଟାଏ ତାଲିକା ଦେଖୁଛନ୍ତି । ପୃଥୁଳ ଶରୀରର ଭାର ପଡ଼ିଛି ତକିଆ ଉପରେ । ଟେବୁଲ ଉପରେ ନଲଟଣ । ଆଗ ଘରୁ ଟିକି ପୁଅର କୁଆଁ କୁଆଁ ରଡ଼ି କାନରେ ବାଜୁଛି । ପାର୍ବତୀ ଘରେ ପଶିଲେ ।

 

ପୋଖତୀ, ଦୁର୍ବଳ ଦେହ, ଚମ୍ପାଫୁଲ ପରି ଦେହର ରଙ୍ଗ ସେଥା ପଡ଼ିଛି । ଲମ୍ବାଳିଆ ମୁହଁ ଟିକିଏ ବେଶି ଲମ୍ବା ଦିଶୁଛି । ଝଙ୍କାଳିଆ ଭ୍ରୂଲତା ତଳେ ବଡ଼ ବଡ଼ ଆଖି । ଲମ୍ବା ନାକ ହିଡ଼ପରି ଠିଆ ହୋଇଛି ।

 

ପ୍ରଥମ ପୋଖତୀ, ମରୁ ମରୁ ବଞ୍ଚିଛନ୍ତି, ଦେବରାଜ ହୋମିଓପାଥିକ ଡାକ୍ତରଙ୍କ ଔଷଧର କରାମତି !

 

ଏଇ ପାହାନ୍ତାରୁ କଟକ ଯାଉଛ ?

 

ପରଶୁବାବୁ ମୁହଁ ଟେକିଲେ । ଦାନ୍ତ ନ ଥିଲା ପାଟିର ଦବିଲା ଓଠରେ ହସ ଚହଟିଲା । ତାଲିକାଟିକୁ ଆଡ଼େଇ ରଖି କହିଲେ, ବସ । ପିଲାଟା କାନ୍ଦୁଛି ଯେ–

 

ପାର୍ବତୀ ପଲଙ୍କର ଗୋଟିଏ ପାଖରେ ଗୋଡ଼ ଲମ୍ବାଇ ବସି କହିଲେ, ଧାଈ ତାକୁ ସେକୁଛି । ମୁଁ କଅଣ କହୁଛି କି, ଦେବରାଜ ବାବୁଙ୍କ ପାଇଁ ଭଲ ଲୁଗା ଆଣିବ । ସେ ନ ଥିଲେ ମୁଁ ମରି ଯାଇଥାନ୍ତି । ଜାଣ, ସେଇ ମତେ ଯମପୁରରୁ ଫେରାଇ ଆଣିଲେ । ଭଲ ଲୋକ ସେ–

 

ପରଶୁରାମ କହିଲେ, ଆଚ୍ଛା । ତାଙ୍କର ମନ କହିଲା, ଦେବରାଜ ଭଲ ଲୋକ ! ଖଦଡ଼ ସିନା ପିନ୍ଧେ, ବଡ଼ ବଡ଼ କଥା କହେ, ପ୍ରଜାଙ୍କୁ ତ ମତାଉଛି ସେହି । ଲୋକେ ତାଆର ନାନା କଥାରେ ଦୁର୍ନାମ ରଟାନ୍ତି । ହେଲେ, ରୋଗ ଚିହ୍ନି ଔଷଧ ଦିଏ । ଔଷଧ ଦେବ ପଇସା ନେବ, ତା ବିଷୟରେ ଚର୍ଚ୍ଚା କରିବା ଦରକାର ନାହିଁ । ତା ସଙ୍ଗେ ଘନିଷ୍ଠତା ବଢ଼ାଇ ଘରର ଗୁମର ଦାଣ୍ଡ ହାଟରେ ପକାଇବାର ସୁବିଧା ଦେବା ବି ଉଚିତ ନୁହେ ।

 

ଯେତେ ଯାହା ଭାବିଲେ ପାର୍ବତୀଙ୍କୁ କିଛି କହିହେବ ନାହିଁ । ପାର୍ବତୀ ରହି ରହି ପଚାରିଲେ, ପ୍ରଭାଙ୍କ ଘରକୁ ଖବର ପଠାଇଛ ?

 

ଚମକି ଉଠିଲେ ପରଶୁରାମ । ଘରେ ଯେପରି ଅଶାନ୍ତି ନ ହୁଏ ସେଥିପ୍ରତି ସବୁବେଳେ ତାଙ୍କର ନିଘା । ତୁନି ରହିବା ଭଲ । ଅଶାନ୍ତି ହେଲେ ଦାଣ୍ଡରେ ଲୋକେ ତାଳି ମାରନ୍ତି । ଭଗାରି ହସନ୍ତି । ବେଳ ଉଣ୍ଡି ପାର୍ବତୀ ଚେତାଇ ଦେବାକୁ ଆସିଛନ୍ତି ପରା । ପରଶୁ ବାବୁ ବାଛି ନେଇଛନ୍ତି ଗୋଟିଏ ଦିଗ । ଏଣିକି ତେଣିକି ଅନାଇବେ ନାହିଁ ।

 

ପରଶୁରାମ ପାର୍ବତୀଙ୍କ ମୁହଁକୁ ଚାହିଁଲେ । ପାର୍ବତୀ ଦୃଷ୍ଟି ନୁଆଁଇଲେ । ପରଶୁରାମ କହିଲା, କେବେ ତ କୌଣସି ଖବର ପଠା ହୁଏନାହିଁ, ଏ ଖବର କାହିଁକି ପଠା ହେବ ?

 

ଅସ୍ୱାଭାବିକ ଭାବରେ ପାର୍ବତୀ ଖେଁକି ଉଠିଲେ । କେବେ କୌଣସି ଖବର ପଠା ହୁଏନାହିଁ ସେଇଟା କଣ ମୋର ଦୋଷ ? ଲୋକେ କାହିଁକି ମୋର ନିନ୍ଦା କରିବେ ? ଖବର ପଠାଇବାକୁ କି ଭଲ ମନ୍ଦ ବୁଝିବାକୁ ତମକୁ କେବେ ମୁଁ ମନାକରିଛି ? ତମ ଝିଅ ଗରିବ ହେଲା କି ଦୁଃଖ ପାଇଲା ସେଥିକି ମୁଁ କଣ କରିବି ? ତମ ହାତଧରି ମୁଁ କିଛି ଅଟକାଇ ରଖିନାହିଁ । ବାର ଲୋକେ କାହିଁକି ମତେ ଛି ଛାକର କରିବେ ? ତମ ଝିଅକୁ ତମେ ଖବର ପଠଉନ ?

 

ପରଶୁରାମ ଅବିଚଳିତ ହୋଇ କହିଲେ, ପର କଥାରେ କାନ ଦେଉଛ କାହିଁକି ? ମୋ ଜାଣିବାରେ ପ୍ରଭା ବୋଲି ମୋର ଝିଅ କେବେ ନ ଥିଲା କି ନାହିଁ । ତା କଥା ମୁଁ କେବେ ଭାବେନାହିଁ, ନିଜର କର୍ମର ଫଳ ସେ ଭୁଞ୍ଜୁଛି । ତା ପାଖକୁ ଖବର ପଠାଇ ଲାଭ କଣ ? ତା ନାଁ ବି ଆମର ଘରେ ଉଚ୍ଚାରଣ କରିବା ଭୁଲ ।

 

ପାର୍ବତୀ ଉଠି ଠିଆ ହେଲେ । ଟିକିଏ ଚିନ୍ତା କରି କହିଲେ, ଭୁଲ କି ଠିକ୍ ମୁଁ ଜାଣେନାହିଁ-। ଲୋକେ ନିନ୍ଦା କରୁଛନ୍ତି । ଆଉ କାହାରି ନାଁ ପଦାରେ ପଡ଼ୁନାହିଁ । ଲୋକେ କହୁଛନ୍ତି, ସାବତ ମା ବୋଲି ମଲା–ହଜିଲା ଖୋଜୁନାହିଁ, ତୁଣ୍ଡରେ ପଦେ ପଚାରୁ ନାହିଁ । ମୁଁ କାହିଁକି ଲୋକଙ୍କର ସମାଲୋଚନା ସହିବି ? ତମେ ବାପ, ସେ ଝିଅ । ତମେ ତାଙ୍କୁ ଖୋଜିବ ଲୋଡ଼ିବ । ମୁଁ କାଇଁକି ତମ ମଝିରେ ଠିଆ ହେବି ?

 

ପରଶୁରାମ କହି ପକାଇଲେ, ଲୋକେ ଆଜି ନୂଆ ସମାଲୋଚନା କଲେ ? ଲୋକଙ୍କ କଥାରେ ଯଦି କାନ ଦିଆ ହୋଇଥାନ୍ତା ଘରର ଝିଅ ସାତପର ହୋଇ ରହି ନ ଥାନ୍ତା ।

 

କେତେ ବରଷର ଛପିଲା କୋହ କେଜାଣି କିପରି ଆଜି ମୁଣ୍ଡ ଟେକି ଉଠିଲା । କ୍ଷଣପ୍ରଭାର ଜନ୍ମରୁ ଆଜିଯାଏ ଘଟିଥିବା ଘଟଣାଗୁଡ଼ିକ ଗୋଟି ଗୋଟି ହୋଇ ମନେପଡ଼ିଲା । ପଥୁରିଆ ଆଖିରୁ ଲୋତକ ଝରିଲା ନାହିଁ । ମନ କାନ୍ଦିଲା ।

 

ପାର୍ବତୀ ବୁଲିପଡ଼ି ରାଗିଲା ସାପପରି ତମତମ ହୋଇ ଗର୍ଜି ଉଠିଲେ, ଘରର ଝିଅକୁ ମୁଁ ସାତପର କଲି ? ମତେ କାଇଁକି ଉଲୁଗୁଣା ଦେଇ କହୁଛ ? ପେଟକୁ ମୁଠାଏ ଖାଇବାକୁ ଦେଉଛ ଖଣ୍ଡେ ପିନ୍ଧିବାକୁ ଦେଉଛ ବୋଲି ଏତେବଡ଼ କଥା କହିବ ? ତମେ ସମସ୍ତେ ଭଲ ମଣିଷ, ଏକା ମୁଇଁ ନାଙ୍କରା ଲୋକ ନା ?

 

ପାର୍ବତୀ କାନ୍ଦିଲେ ।

 

ପରଶୁରାମ କହିଲେ, କାହାରି ଦୋଷଗୁଣ କଥାଭାବି ଲାଭନାହିଁ । ଯାହା ଯେତେବେଳେ ଯୋଗଥାଏ ହୋଇଯାଏ । ପ୍ରଭା ତାର ସୁଖ ଦୁଃଖରେ ସଂସାର କରୁଛି । ସମ୍ପର୍କ ତୁଟିଛି । ତୁଟୁ । ତା ସମ୍ବନ୍ଧରେ ଏ ଘରେ କଥା ନ ପଡ଼ିବା ଭଲ । ଲୋକଙ୍କ କଥା କାନରେ ପଡ଼ିବା ଆଗରୁ କାନରେ ହାତ ଦିଅ । ତମୁକୁ ମୁଁ ଅନୁରୋଧ କରୁଛି, ତା କଥା ମୋ ଆଗରେ କେବେ କହିବ ନାହିଁ । ପ୍ରଭାକୁ ତମେ ସାତପର କରିନାହଁ, କରିଛି ମୁଁ ।

 

କାହା ପାଇଁ ? ମୋ ପାଇଁ ?

ନାଇଁ । ଯାହାକୁ ତମେ କୋଳକୁ ଆଣିଛ ତାଆରି ପାଇଁ ।

କଣ କହିଲ, ଛୁଆ ବକଟକର ଏକୋଇଶା ନ ହେଉଣୁ ତାର ଦୋଷ ଦେଉଛ ?

 

ଦୋଷ କାହାରି ଦେଉନାହିଁ ହେବାର ଥାଏ ହୋଇଯାଏ । ତମେ ଯାଅ, ନୋହିଲେ ଅନ୍ୟକଥା ପକାଅ । ପ୍ରଭାର ନାମ ମୋ ଆଗରେ ତମେ ଧରନାହିଁ । ପ୍ରଭା ନାହିଁ ମୋ ଲେଖାରେ ସେ ମରିଛି ।

 

ପରଶୁରାମଙ୍କର କଣ୍ଠ ରୁଦ୍ଧ ହେଲା । କହୁ କହୁ ସେ ତୁନି ହୋଇଗଲେ । ଆଖିରୁ ଚଷମା କାଢ଼ି ହାତରେ ଧରିଲେ । ପଲଙ୍କ ଉପରୁ ଓହ୍ଲାଇ ତଳେ ଠିଆ ହେଲେ । ପାର୍ବତୀଙ୍କ ସଙ୍ଗରେ କୌଣସି ବିଷୟରେ କେବେ ସେ ତର୍କ କରିନାହାନ୍ତି । କାହିଁକି ଯେ ଆଜି ତାଙ୍କର ଛାତି ତଳର ଛପିଲା ବ୍ୟଥା ତୁଣ୍ଡରେ ବାହାରିଗଲା ସେ ନିଜେ ବୁଝିପାରିଲେ ନାହିଁ । ମଣିଷ କହୁ କହୁ କଅଣ କେବେ କହିଦିଏ ସେଥିକି ତାର ଚାରା ନ ଥାଏ । ତୁଣ୍ଡରୁ ଖସିଗଲା କଥାର କିଣା ଚାକର ମଣିଷ । ପେଟଭିତର ଗୋପନ କଥାର ସେ ପ୍ରଭୁ । ଜାଣି ଜାଣି ଅସାବଧାନତାରୁ ପ୍ରମାଦ କରିଛନ୍ତି-। ହୁଏତ ଏଇଥିପାଇଁ କେତେଦିନ ତାଙ୍କୁ ଅନୁତାପ କରିବାକୁ ପଡ଼ିବ । ପାର୍ବତୀଙ୍କ ଆଗରୁ ଚାଲିଯିବା ଭଲ ।

 

ପାର୍ବତୀ ଭାବିଲେ । କହିଲେ, ପ୍ରଭା ଘରକୁ ନିମନ୍ତ୍ରଣ ଚିଟାଉ ଯିବ । ଆଗ ଯିବ, ଶୁଭୁଛି-?

 

ପରଶୁରାମ ଉତ୍ତର ନ ଦେଇ ଚାଲି ଯାଉଥିଲେ । ଅଟକି ଠିଆ ହେଲେ । ଆଉ କଣ କହିବେ ଭାବୁଥିଲେ, କହିଲେ ନାହିଁ । ପାର୍ବତୀ ପୁଣି କହିଲେ, ଶୁଭୁଛି ନା ?

 

ପରଶୁରାମ କହିଲେ, ନିମନ୍ତ୍ରଣ କରିବା ପ୍ରୟୋଜନ ନାହିଁ । ବାପା ବୋଲି ଦିନେ କେବେ ସେ ପଚାରି ନାହିଁ । ସୁଖଦୁଃଖ ନିତି ଲାଗି ରହିଛି ଦୁନିଆଁରେ । କାହାର ଭାଗ୍ୟ କିଏ ବଦଳାଇ ପାରିବ କି ? କ୍ଷଣପ୍ରଭାକୁ ପ୍ରାଣରୁ ବଳି ଭଲ ପାଉଥିଲି, ଆଗ୍ରହରେ ପାଠ ପଢ଼ାଉଥିଲି । ବଡ଼ ଆଶା କରିଥିଲି, ଝିଅ କୁହାରବୋଲର ହେବ, ସୁଖରେ ଘର କରିବ । ଶେଷକୁ ମୋ ମୁହଁରେ ସେ ଚୂନକାଳୀ ବୋଳିଲା । ତା ନେଇ ମତେ ଅପମାନ ସହିବାକୁ ହେଲା । ଅଭିମାନ କହିବି ନାହିଁ, ଗର୍ବ, ପାଠର ଗର୍ବ । ଆପଦ ବିଦ ଆସିଲା ସତ, ତା ବୋଲି କଅଣ ବାପକୁ ଅପମାନ ଦେବ ? ଚିଠି ଖଣ୍ଡେ କେବେ ସେ ଲେଖିଛି ? ବାପ ମାଆଙ୍କର ଭଲମନ୍ଦ ଖବର ବୁଝିଛି ? ଲୋକେ ଯାହା କହିବାର କହୁଥାନ୍ତୁ । ଯେଉଁଦିନ ତାର ଗର୍ବ ଭାଙ୍ଗିବ ନିଜେ ଆସି ତମର ଗୋଡ଼ତଳେ ମୁଣ୍ଡ ରଖି ଦୋଷ ମାଗିନେବ, ସେ ଦିନ ପୁଣି ସେ ହେବ ତମର ଝିଅ । ଅପେକ୍ଷା କର । ଆଜି କାହିଁକି ?

 

ପାର୍ବତୀ ବଲ ବଲ କରି ଚାହିଁ ରହିଲେ । ଧନ୍ୟରେ ମଣିଷ ଜାତି, କେତେକଥା କହି ଜାଣନ୍ତିମ, ଯେଉଁ ତୁଣ୍ଡରେ ଅରୁଆ ସେଇ ତୁଣ୍ଡରେ ଉଷୁନା । ଉଷୁନା ହେଉ କି ଅରୁଆ ହେଉ, କାଲି ତ କେହି କହିପାରିବେ ନାହିଁ, ସାବତ ଝିଅ ବୋଲି ସାବତ ମା ବାଦ କଲା । ଦାସୀ ପରିବାର ବାପାଙ୍କ କଥା ଶୁଣୁଛନ୍ତି । ସେଇ ନିଜେ କାଲି ପାର୍ବତୀଙ୍କର ଦୋଷ ଦେଇପାରିବେ ନାହିଁ । ତାଙ୍କର କହିବାର କଥା, ସେ ଜିଗର କରି କହିଛନ୍ତି । ବାପାଙ୍କ ମନରୁ ଯଦି ରାଗ ନ ଯାଏ ସେଥିକି ପାର୍ବତୀ କଅଣ କରିବେ ?

 

ତଥାପି ପାର୍ବତୀ କହିଲେ, ତମେ ତ କଟକ ଯାଉଛ, ଥରେ ତାଙ୍କ ଘରକୁ ଯାଅ, ଭଲ ମନ୍ଦ ବୁଝି ଆସ । ନିଜେ ତାଙ୍କୁ ସଙ୍ଗରେ ନେଇ ଆସ । ଜ୍ୱାଇଁ ଅନ୍ଧ ହେଲେ ବି ତମରି ଜ୍ୱାଇଁ । ଝିଅଜୋଇଁଙ୍କୁ କିଛିଦିନ ପାଇଁ ନେଇ ଆସ ଏଠାକୁ । ସବୁକଥା ସବୁଦିନେ ନ ଥାଏ । ପଛ କଥା ପଛକୁ ପକାଇ ଦେବା ଭଲ ।

 

ଉପହାସ କରୁଛ ?

ସତ କହୁଛି ।

ନିଜେ ଯାଇ ଡାକି ଆଣିବ ?

ମୋର କଣ ଯିବାର ଏଇ ବେଳ ?

ନିଜ ହାତରେ ଚିଠି ଲେଖି ଲୋକ ପଠାଇବ ?

 

ଅପମାନ ପାଇବାକୁ ? ଝିଅ ଦିନେ କେବେ ପାଖକୁ ଆସିଛି ? ପାଖରେ ବସିଛି ? ଭଲ କରି ପଦେ କଥା କହିଛି ? ବାହା ନ ହେଉଣୁ ତାଙ୍କର ଯେଉଁ ସ୍ନେହ ଭକ୍ତି ଦେଖିଥିଲି, ସେଥିରେ ମୁଁ କିଣି ହୋଇ ଯାଇଛି ।

 

ଆଣିବାକୁ କହୁଛ କିପରି ?

 

କାହିଁକି ? ତମ ଘରେ ଚାକର ବାକର ଅଛନ୍ତି । କଥା କହିବାକୁ, ଚର୍ଚ୍ଚା କରିବାକୁ ଅନେକ ଗାଁ ଲୋକ ଆସିବେ । ମୋତେ ସ୍ନେହ ନ କଲେ କି ମୋଠୁ ସ୍ନେହ ନ ପାଇଲେ ପ୍ରଭାଙ୍କର ଯାଏ ଆସେ କଅଣ ? ଦାଣ୍ଡ ଲୋକେ ତ ଆଉ ନିନ୍ଦା କରିବେ ନାହିଁ ?

 

ଥରେ ପରା କହିଲି, ଦାଣ୍ଡଲୋକଙ୍କ କଥାରେ କାନ ଦିଅ ନା । ପ୍ରଭାର କଥା ନ ଉଠାଇବା ଭଲ । ବାପ ମା ବୋଲି ନିଜ ମନକୁ ଯଦି କେବେ ସେ ଦେଖିବାକୁ ଆସେ କେହି ମନା କରିପାରିବେ ନାହିଁ । ଯଦି ସେ ନ ଆସି ନିଜର ଆନ୍ ଧରି ରହେ, ରହିଥାଉ, ଆଜିଯାଏ ତ ରହିଛି ।

 

ପାର୍ବତୀଙ୍କର ଆଉକିଛି କହିବାର ନ ଥିଲା । ତାଙ୍କର ଦୋଷ ତୁଟାଇ ଦେଇଛନ୍ତି । ତାଙ୍କୁ ଆଉ କେହି କିଛି କହିପାରିବେ ନାହିଁ । ସେ ତୁନି ରହିଲେ ।

 

ପରଶୁରାମ ମନର କଥା ଚାପି ତୁଣ୍ଡର କଥାରେ ଅଶାନ୍ତିକୁ ଦୂରେଇ ଦେଇପାରିଲେ । ପାର୍ବତୀଙ୍କୁ ସେ ଭଲକରି ଚିହ୍ନନ୍ତି । ଦୋଷଟାକୁ ସେ ପର ମୁଣ୍ଡରେ ଥୋଇବାକୁ ବ୍ୟାକୁଳ । ପ୍ରଭାର ନାମ ପଡ଼ିଲେ ଯେ ଚିହିଁକି ଉଠନ୍ତି, ସେ ଆଜି ଭଲେଇ ହେଉଛନ୍ତି । ଅଶାନ୍ତିକୁ ଏଡ଼ିବାକୁ ପରଶୁରାମ ନିଜ ଉପରକୁ ଦୋଷଟା ନେବାକୁ ପ୍ରସ୍ତୁତ ।

 

କ୍ଷଣପ୍ରଭା ହତାଶ ହେଲା । ବଡ଼ ଆଶାକରି ନଟବର ବାବୁଙ୍କ କହିବା ମତେ ସେ ଫଳାଫଳ ବୁଝିବାକୁ ଧାଇଁ ଆସିଥିଲା । ମନକଥା ତୁଷାରକାନ୍ତି କି ନୀହାରିକାକୁ କହିନାହିଁ । ଦିପହରେ ଯେତେବେଳେ ସ୍ୱାମୀ କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲେ, ନୀହାରିକାକୁ କବାଟ ବନ୍ଦ କରିବାକୁ କହି ସେ ରିକ୍‌ସା ଚଢ଼ି ଯୋବ୍ରା ଧାଇଁ ଆସିଥିଲା । ଯଦି ଚାକିରିଟା ହୋଇ ଯାଇଥାନ୍ତା କେଡ଼େ ଆନନ୍ଦରେ ସେ ତୁଷାର ଆଗରେ କହିଥାନ୍ତା, ଆଉ, ଗୋଡ଼ଧରି ଅନୁମତି ମାଗିଥାନ୍ତା ।

 

ଚାକିରି ହେଲା ନାହିଁ । ବୁଢ଼ା ନଟବର ଦୁଃଖିତ ହୋଇ କହିଦେଲେ, ପ୍ରେସିଡେଣ୍ଟ୍ ମହୋଦୟ ଶ୍ରୀମତୀ ସୁନନ୍ଦାଙ୍କୁ ମନୋନୀତ କରିଛନ୍ତି । ମୁଁ କାହାରିକୁ ସୁପାରିଶ୍ କରି ନ ଥିଲି । ବରଂ, ଦୁଷ୍ମନ୍ତ ବାବୁଙ୍କୁ ଦୁହିଁଙ୍କୁ ରଖିବାକୁ କହିଥିଲି । ସେ ମଙ୍ଗିଲେ ନାହିଁ । ଖରଚ ତ କମ୍ ନୁହେଁ । ଚାନ୍ଦା ଓ ଛାତ୍ରଙ୍କ ଦରମାରୁ ଆଦାୟ ବା କେତେ । ଯାହା ନିଅଣ୍ଟ ପଡ଼େ ଦୁଷ୍ମନ୍ତ ବାବୁହିଁ ଭରଣା କରନ୍ତି । କେତେ ସେ ହାତରୁ ଦେବେ ? ବ୍ୟୟ ସଙ୍କୋଚ ପାଇଁ ଜଣଙ୍କୁ ରଖିବାକୁ ସେ ସ୍ଥିରକଲେ । ଆପଣଙ୍କୁ କଷ୍ଟ ଦେଲି, କ୍ଷମା କରିବେ ।

 

କ୍ଷଣପ୍ରଭା ନିଶ୍ଚଳ ହୋଇ ଶୁଣିଲା । ପ୍ରଥମ ଉଦ୍ୟମ ବିଫଳ ହୋଇଛି । ଖରାପ ଲାଗିଲା-। ଲାଜ ମାଡ଼ିଲା ଯେ ସେ ଅନୁପଯୁକ୍ତ । ମଣିଲା, ଯେପରି ତାର ଆତ୍ମସମ୍ମାନ ଉପରେ କିଏ ପଦାଘାତ କରିଛି, ତାର ଛପିଲା ଆଗ୍ରହକୁ ଗୋଡ଼ରେ ଦଳି ବତାଇ ଦେଇଛି, ଦୁନିଆ ପରର ସୁଖ, ଦୁଃଖ, ଆଶା, ଆକାଂକ୍ଷା ପ୍ରତି ବିତସ୍ପୃହ । ଦିଆନିଆର କାରବାର । ଯେ ଦିଏ ସେ ସବୁଠୁ ଭଲ ନେବାକୁ ଚେଷ୍ଟାକରେ । ସୁନନ୍ଦା ଉପଯୁକ୍ତ, ସେ ନୁହେଁ । ତେଣୁ ସେ ଫେରିଯିବ ।

 

ଉଠି ଠିଆ ହେବାକୁ ଲାଜ ମାଡ଼ିଲା । ଟେବୁଲ ସେପଟ ଚଉକିରେ ବସି ନଟବର ତା ଆଡ଼କୁ ଚାହିଁ ରହିଛନ୍ତି । ଆଖିରେ ସହାନୁଭୂତି, ନାସ୍ତିବାଣୀ ଶୁଣାଇ ସତେ କି ସେ ଅପରାଧ କରିଛନ୍ତି । ଆଗରେ ସୁନ୍ଦର ସରଳ ଶିକ୍ଷିତ ଝିଅଟି, ହିନ୍ଦୁ ଘରର ଝିଅ, ଅସୁବିଧାରେ ପଡ଼ି ନ ଥିଲେ ଚାକିରି ଅନ୍ୱେଷଣରେ ବାହାରି ନ ଥାଆନ୍ତା । କେଡ଼େ ଆଶା କରି କେଡ଼େ ଆଗ୍ରହରେ ଆସିଥିଲା । ହତାଶ ହୋଇ ବାହୁଡ଼ି ଯିବ ? ମୁହଁଟି ବିରସ ଦିଶୁଛି । ମନରୁ ସତେକି କୋହ ଉଠୁଛି । କିନ୍ତୁ ନିରୁପାୟ ।

 

ନଟବର ମୁହଁ ତଳକୁ କରି କହିଲେ, ଆପଣ ହତାଶ ହୁଅନ୍ତୁ ନାହିଁ । ଦୁଷ୍ମନ୍ତ ବାବୁଙ୍କୁ ମୁଁ ନିଜେ କହିବି । ଦୁଇଜଣ ଶିକ୍ଷୟିତ୍ରୀ ରଖିବାକୁ ସୁପାରିଶ କରିଥିଲି । ମୁଁ ନିଜେ ଯାଇଥିଲେ ହୁଏତ ସେ ମଙ୍ଗିଥାନ୍ତେ । ମୁଁ ନିଜେ ଯାଇ ତାଙ୍କୁ କହିବି ।

 

କ୍ଷଣପ୍ରଭା ଚମକି ଉଠିଲା । ସେ ଜାଣି ନ ଥିଲା, ଦୁଷ୍ମନ୍ତ ଏ ବିଦ୍ୟାଳୟର କର୍ତ୍ତା । ଏ କଥା ଜାଣିଥିଲେ ସେ ଦରଖାସ୍ତ ଦେଇ ନ ଥାନ୍ତା । ସେ ହେବ ଦୁଷ୍ମନ୍ତର ଦୟାର ପାତ୍ର । ତାରି ପ୍ରଭାବ ପାଖରୁ ଦୂରେଇ ଆସିବାକୁ ତ ଚାକିରି କରି ପେଟ ପୋଷିବାକୁ ଆଗେଇ ଆସିଥିଲା । ଦୁଷ୍ମନ୍ତ ତାରି ବିପୁଳ ସମ୍ପତ୍ତି ହାତରେ ଧରି ଆଗରେ ଠିଆ ହୋଇ ନିମନ୍ତ୍ରଣ କରୁଛି ।

 

ଓ୍ୱାଲ–କ୍ଳକ୍ ସଙ୍କେତ ଦେଲା, ବେଳ ଚାରିଟା ।

 

କ୍ଷଣପ୍ରଭା ଉଠିଲା । ଦୁଇହାତ ଯୋଡ଼ି ନଟବର ବାବୁଙ୍କୁ ପ୍ରଣାମ କରି କହିଲା, ଆପଣଙ୍କୁ କଷ୍ଟ ଦେଲି । ମୋର ଯାଗ୍ୟତା ନାହିଁ । ମୋ ପାଇଁ ଆପଣ ଆଉ କାହାରିକୁ ଅନୁରୋଧ କରିବେ ନାହିଁ । ସୁନନ୍ଦା ମୋର ବନ୍ଧୁ । ନମସ୍କାର ।

 

ଟେଲିଫୋନ୍ ବେଲ୍ ବାଜିଲା ନଟବର ରିସିଭର ଉଠାଇଲେ । ହଁ–ହଉ, ତୁଷାର କିଏ ? ଓ ! ଶୁଣନ୍ତୁ, କ୍ଷଣପ୍ରଭା ଦେବୀ–

 

କ୍ଷଣପ୍ରଭା ଅସ୍ତବ୍ୟସ୍ତ ହୋଇ ବୁଲିପଡ଼ିଲା । ବିଚଳିତ ହୋଇ କହିଲା, ମୋ ପାଇଁ କାହାରିକୁ ଅନୁରୋଧ କରିବାକୁ ମୁଁ ଆପଣଙ୍କୁ କହୁ ନାହିଁ । ମୁଁ ଆପଣଙ୍କ ସ୍କୁଲରେ ଚାକିରି କରିବାକୁ ଚାହେ ନାହିଁ ।

 

କାହିଁକି ?

ମୁଁ କାହାରି ଦୟାର ପାତ୍ର ହେବାକୁ ଚାହେ ନା । ଧନ୍ୟବାଦ ।

କ୍ଷଣପ୍ରଭା ନଟବର ବାବୁଙ୍କ ଅଫିସ୍ ଘରୁ ବାହାରି ଆସିଲା । ରିକ୍‌ସା ଛୁଟିଲା ।

 

କ୍ଷଣପ୍ରଭା ମନରେ ଭାବନାର ସ୍ରୋତ,– ଉଦ୍ୟମ ବ୍ୟର୍ଥ ହୋଇଛି, ଆଶା ହୋଇଛି ବିଫଳ । ଅହମିକା ଭାଙ୍ଗିଛି । ବ୍ୟର୍ଥ ମନୋରଥ ହୋଇ ପୁଣି ସେ ଫେରି ଯାଉଛି ଛୋଟ ବସାଟିକୁ । ଅଭାବ ବେଷ୍ଟନ କରିଛି ଚାରିଆଡ଼ୁ । ସମସ୍ତଙ୍କର ବାକୀ ପାଉଣା ପଡ଼ିଛି–ଘରଭଡ଼ା, ଦୁଧ, କାଠ, ଧୋବା । ପାଖଘରୁ ଦୁଇଟଙ୍କା ଉଧାର କରି ଚାଉଳ ଡାଲି କିଣେଇ ଆଣିଥିଲା । ସେତକ ସରିଲାଣି-। ସମସ୍ତେ ମାଗୁଛନ୍ତି । କାଲି କାଲି କହି କେତେ ଟାଳିବ ? କାହାର ମୁହଁକୁ ଚାହିଁବାକୁ ଲାଜ ମାଡ଼ୁଛି-

 

ସ୍ୱାମୀ, କି ଟିଉସନ ସେ କରିବେ ? ଦୁନିଆଁରେ ତାଙ୍କର ଆପଣାର କେହି ନାହିଁ । ବନ୍ଧୁ ଉପରେ ନିର୍ଭର କରିବାକୁ ସେ ଚାହାନ୍ତି । ବନ୍ଧୁ, କେତେଦିନ ? କାହିଁକି ସେ ଅବୁଝା ହୋଇଛନ୍ତି ? କେମିତି ତାଙ୍କୁ ବୁଝାଇବ ? ଭଲ କହିଲେ ଅସାର ବୁଝୁଛନ୍ତି, ପ୍ରତିବାଦ କଲେ ଚିଡ଼ି ଉଠୁଛନ୍ତି । ଉପାୟ ?

ଆଜି ପୁଣି ଚଳିବ କିପରି ? ଘରେ କିଛି ନାହିଁ ।

ମନେପଡ଼ିଲା, ସବୁ ସରି ନାହିଁ, କାନରେ ସୁନାଫୁଲ ଦିଓଟି ଅଛି । ଚାକିରି ଜୀବନରେ ସ୍ୱାମୀଙ୍କର ସେତିକି ମାତ୍ର ଉପହାର, ସେତିକି ।

ଆରେ, ମାରୁଆଡ଼ିପଟି ଆଡ଼େ ଚଲା ।

ରିକ୍‌ସା ଛୁଟିଲା–

ପାଞ୍ଚଟା ବାଜିଲା । ଥଣ୍ଡା ଆସିଲାଣି । ଦେହ ଶୀତଉଛି । ବଡ଼ ରାସ୍ତାରେ କେତେ ଘୋଡ଼ାଗଡ଼ି, ମଟର, ରିକ୍‌ସା ଚାଲିଛି । ମଣିଷର ସୁଅ ଛୁଟିଛି ଦୁଇଆଡ଼ୁ ଦୁଇଆଡ଼କୁ । ଦୋକାନମାନଙ୍କରେ ଲାଗିଛି ବିକାକିଣା । ଗହଳି । ପାଟି । ସମସ୍ତେ ବ୍ୟସ୍ତ । ବଡ଼ରାସ୍ତା–କେତେ ଲୋକ, କେତେ ଉଦ୍ଦେଶ୍ୟ, କେତେ ଭାବନା । ସମସ୍ତେ ମଣିଷ, ଦୁଇ ହାତ, ଦୁଇ ଗୋଡ଼ । ସମସ୍ତେ ବ୍ୟାକୁଳ, ସୁଖ, ଶାନ୍ତି, ଆନନ୍ଦ ପାଇଁ ।

ନିର୍ଜୀବ ସେଇ ବଡ଼ ରାସ୍ତା ଉପରେ ଛୁଟିଛି ଜୀବନର ସୁଅ । କିଣା ସାମଲର ପୁରୁଣା ରିକ୍‌ସା, ମଣିଷର ଆଶା ତାକୁ ବି ଦେଇଚି ଜୀବନ ! ସେ ଗଡ଼ୁଛି । ଶହ ଶହ ଆରୋହୀଙ୍କର ପରଶ ପାଇଛି, କେତେ ଜାତିର ଲୋକ, କେତେ ପ୍ରକାର ଭାବନା ।

ଏଇଠି ରଖ ।

 

ରିକ୍‌ସା ରହିଲା । ଆଗରେ ଗହଣା ଦୋକାନ । ଲୋକଭିଡ଼ । କେତେ ରିକ୍‌ସା ଏକ ଧାଡ଼ିରେ ରଖା ହୋଇଛି । ଘୋଡ଼ାଗାଡ଼ି, ମଟରଗାଡ଼ି– ।

 

କ୍ଷଣପ୍ରଭା କାନରୁ କାଢ଼ିଲା ଫୁଲ । ଗୋଟିଏ ହାତରେ ମୁଠାଇ ଧରି ଦୋକାନ ଭିତରକୁ ପଶିଲା । ଲୋକେ ଆଡ଼େଇ ଗଲେ । ଚାରିଆଡ଼କୁ ଚାହିଁଲା । ସୋ-କେସ୍, ସୁନା ରୂପାର, ଗହଣା ଝୁଲୁଛି । ବହୁମୂଲ୍ୟର ନାନା ରଙ୍ଗର ପଥର ଝଟକୁଛି । କୁବେର ଭଣ୍ଡାର, ସୁନ୍ଦର, ଚମତ୍କାର । ମନ ଓଟାରୁଛି । ସୁନାର ଗହଣା, ଜାତି ଜାତିକା ।

 

ସୁନାର ଗହଣା, ନିପୁଣ କାରିଗରମାନଙ୍କର ଚାତୁରୀର ନିଦର୍ଶନ, ଅଧ୍ୟବସାୟର ନମୁନା-। ସବୁ ତାରି ପାଇଁ, ସେଇମାନଙ୍କ ପାଇଁ । ସ୍ନେହ ଆଦର ପ୍ରେମର ଜ୍ୱଳନ୍ତ ଜୀବନ ସୂଚନା ଏଇ ଗହଣା । ନାରୀର ଦେହରେ ଶୋଭାପାଏ । ନାରୀକୁ କରେ ସୁନ୍ଦର, ଅବା ନିଜେ ହୁଏ ସୁନ୍ଦର ଦେହ ପରଶରେ । ନାରୀ ଦେହର ବନ୍ଧନ, ସ୍ନେହ ଆଦର ପ୍ରେମର ଡୋର ବାନ୍ଧେ ତାର ମନ, ବାନ୍ଧେ ତାର ଅହମିକା, ମୁଣ୍ଡ ନୁଆଁଏ ।

 

ବଡ଼ ଦୋକାନ । ସୋ-ଆଲମାରୀଗୁଡ଼ିକର ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୋକଙ୍କ ଜିମା ଅଛି । ବଡ଼ ଖରିଦ୍‌ଦାର ଆସିଛନ୍ତି ଭାବି ଜଣେ ବିଭିନ୍ନ ପ୍ୟାଟର୍ଣ୍ଣର ସୁନା ମୁଦି ଆଣି ଦେଖାଇଲା । ଏଇ ପ୍ୟାଟର୍ଣ୍ଣଟା ଆଜିକାଲି ସମସ୍ତେ ପସନ୍ଦ କରୁଛନ୍ତି । ଦେଖନ୍ତୁ, ଖାଣ୍ଟି ଜୁଏଲ, ବେଶି ଦାମ ନୁହେଁ, ମୋଟେ ଶହେ ତେଇଶ ଟଙ୍କା ଆଠଅଣା । ମିସେସ୍ ପ୍ରଧାନ ଆଜି ଗୋଟାଏ କିଣି ନେଇଛନ୍ତି । ଦେଖନ୍ତୁ–

 

କ୍ଷଣପ୍ରଭା ଚାରିଆଡ଼କୁ ଚାହିଁଲା କେତେ ଭଦ୍ରଲୋକ । ସମସ୍ତେ କିଣିବାକୁ ଆସିଛନ୍ତି । କେହି ତ ବିକୁ ନାହାନ୍ତି । ସମସ୍ତେ ଗହଣା ଦେଖୁଛନ୍ତି କଣେଇ କଣେଇ ଅନାଉଛନ୍ତି ତାର ଆଡ଼କୁ । କାନଫୁଲ ବିକିବା କଥା କିପରି ସେ କହିବ ? ଆସିଛି ଯେତେବେଳେ ଫେରିଯିବ କିପରି ? ବିନା ଉଦ୍ଦେଶ୍ୟରେ ଗୋଟିକ ପରେ ଗୋଟିଏ କେତେ ମୁଦି, କେତେ ଜାତିର କାନ ଫୁଲ, କେତେ ପ୍ରକାର ହାର, କେତେ ଧରଣର ସୁନାକାଚ ସେ ଦେଖି ସାରିଲାଣି । ଯିଏ ଦେଖାଉଛି ତାର ଧୈର୍ଯ୍ୟହାନି ଘଟୁ ନାହିଁ । ପଚାରୁଛି, ଦେଖାଉଛି, ଗୋଟି ଗୋଟି କରି ନେଇ ସଜାଡ଼ି ରଖୁଛି ।

 

କେତେ ଲୋକ ତାରି ଆଡ଼କୁ ଏଥର ଭଲକରି ଚାହିଁଲେଣି । ଲାଜରେ ତାର ମୁହଁ ଜଳି ଯାଉଛି । କେତେ ଗହଣା ସେ ଦେଖିଲା, ହାତରେ ଧରି ଫେରାଇ ଦେଲା । ଆସ୍ତି ନାସ୍ତି କିଛି କହିଲା ନାହିଁ । ସୋ–ବଏ, ନମ୍ର ଭାବରେ କହିଲା, କୌଣସିଟା ଆପଣଙ୍କର ମନକୁ ପାଇଲା ନାହିଁ-? ଆହୁରି କେତେପ୍ରକାର ଥିଲା । ବାହାଘର ଘଡ଼ି, ବିକ୍ରୀ ସରିଛି । ଅର୍ଡ଼ର ଯାଇଛି । ଦୁଇଦିନ ପରେ ଆପଣ ଦୟାକରି ଥରେ ଆସିଲେ ଆହୁରି କେତେ ପ୍ରକାର ଆପ୍‌-ଟୁ-ଡେଟ ଫ୍ୟାସନ୍‌ର ଗହଣା ଦେଖାଇ ପାରିବି । ମୋଟେ ଦୁଇଦିନ ସମୟ ଦିଅନ୍ତୁ ।

 

ସଭ୍ୟ ଦୁନିଆ, ବାହାର ଦେଖାଣ ଦୁନିଆଁ । ନିଜର ଦ୍ରବ୍ୟ ବିକ୍ରୀ କରିବାକୁ ଲାଜ ମାଡ଼ୁଛି-। ମନରେ ଯେତେ ସାହସ ବାନ୍ଧିଲା କାନଫୁଲ ବିକ୍ରୀ କଥା କହିବ, ମୁହଁ ଖୋଲିଲା ନାହିଁ । ଏତେ ଲୋକଙ୍କ ଆଗରେ ନିଜକୁ ସେ ହୀନ ଛୋଟ ଦରିଦ୍ର ବୋଲି ପରିଚୟ ଦେବ ? ତାର ଆତ୍ମ-ସମ୍ମାନହାନି ହେବ । ଯେଉଁ ଦେଖଣାହାରୀମାନେ ସେ କେଡ଼େ ମୂଲ୍ୟବାନ ଗହଣା କିଣିବ ବୋଲି ଆଶା କରିଥିଲେ, ଆଗ୍ରହରେ କଣେଇଁ ଚାହୁଁଥିଲେ ସେମାନେ ଭାବିବେ କଅଣ ? ହସିବେ । ଯେଉଁ ଭଦ୍ରଲୋକଟି ଯତ୍ନକରି ଦେଖାଉଥିଲେ ସେ କଅଣ ମନେକରିବେ ?

 

କ୍ଷଣପ୍ରଭା ଉଠିଲା । ତୁଣ୍ଡ ନ ଖୋଲି ରାସ୍ତା ଉପରକୁ ଓହ୍ଲାଇ ଆସିଲା ମନେହେଲା ସତେ କି ଦୋକାନର ସମସ୍ତେ ପଛରୁ ତାରି ଆଡ଼କୁ ଅନାଇ ଉପହାସ କରୁଛନ୍ତି, ସତେ କି ସମସ୍ତେ ତାର ଆସିବାର ଉଦ୍ଦେଶ୍ୟ ବୁଝିପାରିଛନ୍ତି । ଲାଜର କଥା, ଦୁନିଆଁରେ ଦରିଦ୍ର ହୋଇ ବଞ୍ଚି ରହିବା ଲାଜର କଥା ।

 

ରିକ୍‌ସାରେ ବସିଲା । ରିକ୍‌ସାବାଲା ରିକ୍‌ସା ଚଳାଇବାକୁ ପ୍ରସ୍ତୁତ ହେଲା ।

 

ଦୋକାନ ଆଗରେ ଠିଆହେଲା ଘୋଡ଼ା ଗାଡ଼ିଟିଏ । ସେ ପାଖରୁ ଆଉ ଗୋଟିଏ ରିକ୍‌ସା ଘଣ୍ଟି ଠଣ୍ ଠଣ୍ କରି ଆସୁଛି । ବାଟ କଟାଇ ନେବାକୁ ଉପାୟ ନାହିଁ । ଘୋଡ଼ା ଗାଡ଼ିର ଦରଜା ଫିଟିଲା । ଆଗ ଓହ୍ଲାଇଲେ ପରଶୁରାମ । ତାଙ୍କୁ ପଛକୁ ବୁଢ଼ା ଗୁମାସ୍ତା । କ୍ଷଣପ୍ରଭା ଉପରେ ପରଶୁରାମଙ୍କର ଆଖି ପଡ଼ିଲା । ଚିହ୍ନିପାରିଲେ ନାହିଁ ? ଅନ୍ୟମନସ୍କ ? ସିଧା ସିଧା ଦୋକାନ ଭିତରକୁ ପଶିଲେ । ଫେରି ଚାହିଁଲେ ନାହିଁ ତ । ଗୁମାସ୍ତା ତାଙ୍କରି ପଛେ ପଛେ ଗଲେ ।

 

ରିକ୍‌ସା ଚାଲିଲା । ଖଣ୍ଡେଦୂର ଆଗେଇ ଗଲା । ଭାବି ସ୍ଥିର କରିବାକୁ ବେଳ ନ ଥିଲା କ୍ଷଣପ୍ରଭାର । ପାଟି କରି ଉଠିଲା, ଗାଡ଼ି ରଖ ।

 

ଗାଡ଼ି ରହିଲା, କିନ୍ତୁ କ୍ଷଣପ୍ରଭା ଓହ୍ଲାଇଲା ନାହିଁ । ଗୋଟିଏ ପ୍ରଶ୍ନ ମନର ଭାବନାକୁ ଓଲଟପାଲଟ କଲା, ଚିହ୍ନିପାରିଲେ ନାହିଁ ? ବେଶିଦୂର ତ ନୁହେଁ, ଅତି ପାଖରୁ ଭଲକରି ଚାହିଁଲେ, ଦେଖିଲେ, ଦୃଷ୍ଟି ଫେରାଇଲେ । ସତେ, ଚିହ୍ନିପାରିଲେ ନାହିଁ ? ସେ କିପରି ଚିହ୍ନିଲା ? ଫେରିଯିବ, କହିବ ତାର ଦୁଃଖ ? ପଚାରିବ, କେତେ ବର୍ଷପରେ ଦେଖା, ବେଦୀ ଉପରେ କନ୍ୟାଦାନ କରି ବିଦାବିଦି ପରେ ଗାଁ ମୁଣ୍ଡରେ ବିଦାୟ ଦେଇ–

 

ଆଖିରେ ଲୁହ । ଛାତିରେ କୋହ !

 

ବାପା ! ଦୁନିଆଁରେ ସବୁଠୁଁ ବଡ଼, ବପା ! କଣ ତାର ଅପରାଧ ? ମନର କଥା ଖୋଲି କହିବା କଅଣ ଅପରାଧ ? ଘୃଣା କଲେ । ପଚାରିଲେ ନାହିଁ । ଦୂରେଇ ରଖିଲେ । ତାର ସ୍ୱାମୀ ହେଲେ ଅନ୍ଧ, ଅକ୍ଷମ, ଦରିଦ୍ର । ଅଭିଶାପ ? ସାହାଯ୍ୟ ସେ ଲୋଡ଼େ ନାହିଁ, ସହାନୁଭୂତି ଚାହେ ନାହିଁ, ଉପଦେଶ ଭିକ୍ଷା କରେ ନାହିଁ, ଆଶୀର୍ବାଦ ଆଶା କରେ ନାହିଁ । ସେ ମଥାପୋତି ଭିକ୍ଷା ମାଗିବ କେବଳ ଗୋଟିଏ ଡହଳ ବିକଳ ପ୍ରଶ୍ନର ଉତ୍ତର, ମା ନ ଥିଲା ଝିଅଟିର ଆଉ ସାହା କିଏ ବାପା, କାହା ଆଗରେ ମନକଥା, ତାର ସତମଣିଲା କଥା ସେ ଖୋଲି କହିଥାନ୍ତା ?

 

ମୋର ଦିନ ରିକ୍‌ସା ମା–

 

ସଞ୍ଜ ହୋଇନାହିଁ । କେତେବେଳୁ ଛାଇ ଲେଉଟିଲାଣି । ରିକ୍‌ସାବାଲାର କଥାରେ ତାର ଭାବନା ଭାଙ୍ଗିଲା । କହିଲା, ଚାଲ–

 

ରିକ୍‌ସା ଚାଲିଲା ।

ଆରେ, ଛୋଟ ବଣିଆ ଦୋକନ କେଉଁଠି ଅଛି ?

 

ଆଗରେ । ଠକଗୁଡ଼ାକ । ତମ ନାଖି ଗହଣା ସେଠି ମିଳିବ ନାହିଁ ତ । ମାସକ ତଳେ କାନଫୁଲ ହଳେ କିଣିଲି ଆମ ଘର ପାଇଁ ଯେ ତିରିଶି ଟଙ୍କା ନେଲା, କହିଲା ଭଲ ସୁନା । କି ପୁଟ ସେ ଦେଇଥିଲା କେଜାଣି, କେଡ଼େ ଭଲ ତ ଦିଶୁଥିଲା ହଳଦୀ ଗଣ୍ଠି ପରି, ଏଇଖିଣି ରଙ୍ଗ ଛାଡ଼ିଲାରୁ ଧୋବଲା ଦିଶୁଛି ।

 

କ୍ଷଣପ୍ରଭା କହିଲା, ଆଗରେ ଯେଉଁଠି ବଣିଆ ଦୋକାନ ପଡ଼ିବ ସେଇଠି ଗାଡ଼ି ରଖିବୁ ।

 

ସଞ୍ଜବତୀ ଲାଗି ନ ଥାଏ, କ୍ଷଣପ୍ରଭା ବସାରେ ପହଞ୍ଚିଲା । ଦାଣ୍ଡପିଣ୍ଡାର କାଠ ଖୁଣ୍ଟକୁ ଆଉଜି ନୀହାରିକା ମୁହଁ ଶୁଖାଇ ଠିଆହୋଇଥିଲା । ପିଣ୍ଡାତଳକୁ ରାସ୍ତା ଉପରକୁ ଓହ୍ଲାଇ ରିକ୍‌ସା ପାଖକୁ ଯାଇ ପଚାରିଲା, କେଉଁଠି ଥିଲ ଏତେବେଳ ଯାଏ ନୂଆଉ ? ଏଁ, ତମ ମୁହଁଟି ଶୁଖି କଳା କାଠ ଦିଶୁଛି । ବୋଉ ଖୋଜୁଛି, ଖାଇକରି ଗଲ ନାହିଁ । ଭାତ ଶୁଖି ଚଣା–ଚାଉଳ ହେଲାଣି । ଭାଇ ନିଦରୁ ଉଠି ତମକୁ ଖୋଜିଲେ । ଦୁଷ୍ମନ୍ତବାବୁ ମଟର ଚଢ଼ି ଆସିଥିଲେ । ଘଣ୍ଟାଏ ହେବ ତାଙ୍କ ସଙ୍ଗରେ ଭାଇ ଗଲେ । ବଢ଼େଇ ଘର ବୁଢ଼ୀ ଆସିଥିଲା ନୂଆଉ, ଟଙ୍କା ମାଗିଲା, ବାରକଥା କହି ଶୋଧିଲା ।

 

କ୍ଷଣପ୍ରଭା ରିକ୍‌ସାର ଓହ୍ଲାଇଲା । ଏତେ କଥାର ଉତ୍ତର ନ ଦେଇ ସେ କହିଲା, ଏ ସବୁ ପଦାର୍ଥ ନେଇ ଆଗ ଘରେ ରଖ, ତାପରେ କଥାଭାଷା ହେବା । ଆରେ ରିକ୍‌ସାବାଲା, ଚାଉଳ ବସ୍ତାଟି ଘର ଭିତରକୁ ଉଠେଇ ନେଲୁ ବାବୁ ! ନୀର, ତମେ ଏ ଛୋଟ ପୁଡ଼ାତକ ଧର ତ ।

 

ରିକ୍‌ସାରେ ବୋଝେଇ ହୋଇଥିଲା – ଚାଉଳ, ଡାଲି, ମସଲା ମସଲି, ପରିବାପତ୍ର, ଚା ପୁଡ଼ା–

 

ନୀର କଥା ମାନିଲା ।

ରିକ୍‌ସାବାଲା ବିଦାୟ ନେଲା ।

 

ନୀର ତାର ନୂଆଉର ଶୁଖିଲା ମୁହଁକୁ ଚାହିଁ ଡରି ଡରି ପଚାରିଲା, ତମ କାନଫୁଲ କାହିଁ ନୂଆଉ ?

 

କ୍ଷଣପ୍ରଭାର ଶୁଖିଲା ମୁହଁରେ ହସ ଚହଟିଲା । ନୀରର ମୁଣ୍ଡରେ ହାତରଖି ଗେହ୍ଲେଇ କହିଲା, ଦୋକାନରେ ।

 

ବିକିଦେଲ ନୂଆଉ ? ଆଉ ତ ତମର କିଛି ନାହିଁ । ନୀରର ଆଖି ଛଳ ଛଳ ହେଲା ।

 

ତାର ମୁହଁକୁ ଟେକିଧରି ଗାଲରେ ବୋକ ଦେଇ କ୍ଷଣପ୍ରଭା କହିଲା, ଚୁପ୍‌, ତମେମାନେ ପରା ମୋର ରତ୍ନ ଅଳଙ୍କାର ।

 

ସୁକାନ୍ତି ଭାବିବାକୁ ଲାଗିଲେ, ହେମାଙ୍ଗିନୀର କଥା ସତ ? ଦିନେ କେବେ କ୍ଷଣପ୍ରଭାକୁ ଭଲ ପାଇଥିଲା ବୋଲି ଦୁଷ୍ମନ୍ତ ଆଜିଯାଏ ତାକୁ ଝୁରି ହେଉଛି ? ସେଇଥି ପାଇଁ ଯେତେ ଯୁଆଡ଼ୁ ସମ୍ବନ୍ଧ ଆସିଲେ ମନା କରିଦେଉଛି ? ଉଦାସ ହୋଇଛି, ପାତ୍ର ଅପାତ୍ର ନ ମଣି ଅର୍ଥ ବିନର୍ବୟ କରୁଛି । ବେଶି ବେଳ ତାର କାଟୁଛି ତୁଷାରକାନ୍ତି ଘରେ ?

 

କ୍ଷଣପ୍ରଭାକୁ ତ ଏକା ଦୁଷ୍ମନ୍ତ ଭଲ ପାଇ ନ ଥିଲା, ସୁକାନ୍ତି ନିଜେ ତାକୁ ଝିଅଠୁଁ ବଳି ଭଲ ପାଉଥିଲେ । ରୂପ ଯେପରି ସୁନ୍ଦର, ଗୁଣ ବି ସେପରି । ବୁଦ୍ଧିମତୀ, ହେମାଙ୍ଗିନୀର ସହପାଠିନୀବନ୍ଧୁ । ଦୁଷ୍ମନ୍ତର ବାପା ଅନନ୍ତବାବୁ ବି କ୍ଷଣପ୍ରଭାକୁ ଭଲ ପାଉଥିଲେ । ତାକୁ ବୋହୂ କରି ଆଣିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ । ବାହାଘର ପ୍ରସ୍ତାବ ପକାଇବା ଆଗରୁ ବୋହୂ ପାଇଁ କେତେ ଜାତିର ମୂଲ୍ୟବାନ୍ ଗହଣା ସେ ଗଢ଼ାଇ ରଖିଥିଲେ କ୍ଷଣପ୍ରଭାର ମାପରେ । କ୍ଷଣପ୍ରଭା ଅନ୍ୟର ବୋହୂ ହୋଇଗଲା । ଗଢ଼ା ଗହଣା ତଥାପି ସାଇତା ହୋଇ ରହିଛି । ଯେବେ ହେଲେ ତ ବୋହୂ ଆସିବ ।

 

ଅନନ୍ତ ବାବୁ ସେ ପୁରକୁ ଗଲେ । ହେମାଙ୍ଗିନୀ ଗଲେ ପର ଘରକୁ । ସବୁ ଦୁଃଖର ବୋଝ ମୁଣ୍ଡରେ ବୋହି ସୁକାନ୍ତି ରହିଛନ୍ତି । ସତ କଥା, ଦୁଷ୍ମନ୍ତ ବିବାହ କରିବାକୁ ମନାକରୁଛି । ବିବାହ ସେ କରିବ ନାହିଁ । ସେ ପଣ କରିଛି, ନିଜକୁ ସଂସାରର ବନ୍ଧନରେ ବାନ୍ଧି ସ୍ୱାଧୀନତା ଛାଡ଼ିବାକୁ ସେ ଚାହେଁ ନାହିଁ । ଦଶ ଓ ଦେଶର ସେବାକରି ସେ ଜୀବନ କାଟିବ ।

 

ଦୁଃଖ ହୁଏ, ଗୋଟିଏ ବୋଲି ପୁଅ, କୁଳର ପ୍ରଦୀପ, ଏପରି ବାଇଆ ବୁଦ୍ଧି ଧରିଛି । ଆଇନ ବ୍ୟବସାୟ ଛାଡ଼ିଲା । ଜମିଦାରୀର ବିଶେଷ ତତ୍ତ୍ୱ ନେଉ ନାହିଁ । ସବୁବେଳେ ପଢ଼ା, ଲେଖା, ସଭା, ସମିତି । କେତେ ଆଡ଼ର କେତେ ପ୍ରକାର ଲୋକ ଆସୁଛନ୍ତି ଯାଉଛନ୍ତି । ସଭିଙ୍କ ପାଇଁ ଦୁଷ୍ମନ୍ତର ଘର ଖୋଲା । ସମସ୍ତେ ହେବେ ତାର ଅତିଥି । ଖିଆପିଆ ତ ସାମାନ୍ୟ କଥା, ବିଦାୟ ନେଇ ଗଲାବେଳକୁ ହାତରେ ନେଇ ଯିବେ, ଧନ୍, ଚାନ୍ଦା । କେତେଦିନ ଏପରି ଚଳିବ ? ଆଗପଛ ବିଚାର ନ କରି କେବଳ ବ୍ୟୟ କଲେ କୁବେର ସମ୍ପତ୍ତି ଜୁର ହେବ ।

 

ସୁକାନ୍ତିଙ୍କ ମନରେ ଦୁଃଖର କଳା ବଉଦ ଘୋଟି ଆସେ । ଗୋଟିଏ ଦୋଲି ପୁଅ, ତାର ପୁଣି ଏପରି ଢଙ୍ଗ ! ବିଜୁଳି ଆଲୁଅର ନେଳିଆ ରଶ୍ମିକି ବିଜୁଳି ପଙ୍ଖାର ଶୀତଳ ପବନ ତାଙ୍କର ଗରମ ଭାବନାକୁ ଥଣ୍ଡା କରିପାରେ ନାହିଁ । ମୁଣ୍ଡର ଦର ପାଚିଲା କେଶ ଫୁର୍ ଫୁର୍ ଉଡ଼େ । ପାକୁଆ ପାଟିର ଓଠ ଦିଓଟି ଥରି ଥରି ଉଠେ । ଆଖିରେ ପୂର୍ଣ୍ଣ ହୁଏ ତାତିଲା ଲୋତକ ।

 

ହଁ, ସେ ଦୁଃଖୀ । ଆର୍ଥିକ ଅଭାବ ସେ ଜାଣନ୍ତି ନାହିଁ, ତଥାପି ସେ ଦୁଃଖୀ । ଦୁଷ୍ମନ୍ତର ଉପରେ । ଚାରୋଟି ପୁଅ । କାହାନ୍ତି ସେମାନେ ? ସେମାନେ ଦିନେ ତାଙ୍କର କୋଳକୁ ଆସିଥିଲେ, ଏଇ ଘରେ, ଏଇଠି ହସି ଖେଳି ନାଚିଥିଲେ । ଗୋଟିକ ପରେ ଗୋଟିଏ ବାହୁଡ଼ି ଗଲେ ନିଜ ସ୍ଥାନକୁ-। ରହିଲା, କଅଣ ? କାନ୍ଥରେ ଝୁଲା ହୋଇଛି ଯେଉଁ ଚାରୋଟି ବଡ଼–କରା ଫଟୋ ସେତିକି, ଆଉ ସୁକାନ୍ତିଙ୍କ ଛାତି ଭିତରେ ଚାରିଟା ଗହୀଡ଼ା ଦାଗ, ଆଖିରେ ଲୁହ ।

 

ଦୁଷ୍ମନ୍ତ ବଞ୍ଚି ରହିଛି, ସେତିକି ତାଙ୍କର ଆନନ୍ଦ । ଦୁଷ୍ମନ୍ତର ମୁହଁକୁ ଭଲକରି ଅନାଇବାକୁ ତାଙ୍କୁ ଡରମାଡ଼େ । ମୋର ବୋଲି କହିବାକୁ ଅଶାନ୍ତ ମନ ଝଗଡ଼ି ଉଠେ । ସେ ମଣିଷ ହେବ, ସଂସାର କରିବ, ପରତେ ହୁଏ ନାହିଁ । ରାଧାମାଧବ ଆଇସ ଦିଅନ୍ତୁ । ଯାହା ତାର ଇଚ୍ଛା ସେ କରୁ । ସଂସାରକୁ ଚିହ୍ନୁ । ସେ ଶିକ୍ଷିତ, ବୁଦ୍ଧିମାନ, ସଂସାର ସଙ୍ଗେ ମିଶୁ । ବଞ୍ଚିଥାଉ, ବଳେ ବୁଦ୍ଧି ଫେରିବ । ରାଧାମାଧବ ସହାୟ ହେବେ । ଧନ ଯିବ, ଜମି ଜମିଦାରୀ ରହିବ ନାହିଁ ।

 

କ୍ଷତି କଅଣ ? ଦୁନିଆଁରେ ସମସ୍ତଙ୍କର ଧନ ନାହିଁ କି ଜମି ଜମିଦାରୀ ନାହିଁ । ଧନ ସମ୍ପତ୍ତି ସୁଖ ଆନନ୍ଦ ଆଣିଦିଏ ନାହିଁ । ଦୁଷ୍ମନ୍ତ ସବୁ ଶେଷ କରିଦେଉ, ରଖିଥାଉ କେବଳ ନିଜତ୍ୱ, ମଣିଷ ପଣିଆ !

 

ସୁକାନ୍ତି ଆଖିରୁ ପୋଛିଲେ ଲୁହ । ହସି ଉଠିଲା ମନ । ଦୁଷ୍ମନ୍ତର ବଦଖୋଇ ନାହିଁ । ମୋଟା ଲୁଗା ଖଣ୍ଡେ ପିନ୍ଧେ । ମୋଟା ଭାତ ପୁଞ୍ଜିଏ ଖାଏ । ଡାଲି ଟିକେ ହେଲେ ହେଲା ନ ହେଲେ ନାହିଁ । ଗୋଟିକରୁ ଦିଓଟି ତାରକାରୀ ସେ ଛୁଏଁ ନାହିଁ । ମାଛ ମାଂସର ପାଖେ ପଶେ ନାହିଁ । କେବେ କେମିତି ଚାହାପାଣି ଟିକେ ପିଏ । ଦୁଷ୍ମନ୍ତର ଦୁଃଖ ହେବ କାହିଁକି ? ଧନ ସମ୍ପତ୍ତି ତାର ହେବ କଅଣ ? ସବୁ ସେ ଉଡ଼ାଇଦେଉ, ନିଜ ବିଚାର ବୁଦ୍ଧିରେ, ଭଲ କାମରେ ।

 

ଦୁଷ୍ମନ୍ତ ଭଲ ପିଲା । ହେମାଙ୍ଗିନୀ ଭୁଲ ବୁଝିଛି । ତୁଷାର ଅନ୍ଧ । ତାର ସେ ବନ୍ଧୁ । କ୍ଷଣପ୍ରଭାକୁ ସେ ଦିନେ ଭଲ ପାଉଥିଲା । ସମସ୍ତେ ତ ତାକୁ ଭଲ ପାଉଥିଲେ । କ୍ଷଣପ୍ରଭା ତୁଷାରକୁ ବିବାହ କରିଛି, ଦୁଃଖରେ ଅଛି । ଦୁଷ୍ମନ୍ତ ଯଦି ତାର ବନ୍ଧୁକୁ ସାହାଯ୍ୟ କରେ, କ୍ଷଣପ୍ରଭାକୁ ସ୍ନେହ କରେ, ସେଥିରେ ଆପତ୍ତି କରିବାର କଣ ଅଛି ? ଦୁଷ୍ମନ୍ତ ଯଦି ସବୁବେଳେ ଯାଇ ତୁଷାରକାନ୍ତିର ଘରେ ବସେ ତହିଁରେ ବା କ୍ଷତି କଅଣ ? ତୁଷାର ସିନା ଅନ୍ଧ, କ୍ଷଣପ୍ରଭା ଅନ୍ଧ ନୁହେଁ, ଦୁଷ୍ମନ୍ତ ଅନ୍ଧ ନୁହେଁ ।

 

ହେମ କାହିଁକି ଅନ୍ୟଥା ମଣୁଛି ? ଦୁଷ୍ମନ୍ତ କାହିଁକି ପରର ସ୍ତ୍ରୀକୁ ଲୋଭିଲା ଆଖିରେ ଚାହିଁବ ? ସାହାଯ୍ୟ ଛଳରେ ଧନ ଦଉଲତ ଅଜାଡ଼ି ଦେବ ? ହେମାଙ୍ଗିନୀ ଭୁଲ ବୁଝିଛି । ଭାଇପ୍ରତି ଅତିରିକ୍ତ ସ୍ନେହ, ଭାଇର ଭବିଷ୍ୟତ ପାଇଁ ଉଦ୍‌ବେଗ, ତାକୁ ଏଣୁତେଣୁ ଭାବିବାକୁ ଉଚ୍ଛନ୍ନ କରିଛି । ରାଧାମାଧବ ଦୁଷ୍ମନ୍ତକୁ ଭଲ ବୁଦ୍ଧି ଦେଇଛନ୍ତି । ଭଲ ବୁଦ୍ଧି ଦେବେ । ସେ ଦୁନିଆଁରେ ମଣିଷ ହୋଇ ଠିଆ ହେବ ।

 

ସୁକାନ୍ତୀ ଉଠିଲେ । ପୂଜାଘରୁ ସତେକି ରାଧାମାଧବ ଡାକ ଛାଡ଼ିଲେଣି, ତାଙ୍କର ସେବା, ପୂଜା, ପ୍ରାର୍ଥନା ସବୁ ଲୋଡ଼ା, ନୋହିଲେ ସେ ରୁଷିବେ ।

 

ହେମାଙ୍ଗିନୀ ଘରେ ପଶିଲା । ସୁନ୍ଦର ଶାଢ଼ୀ । ଗୋରା ତକ୍ ତକ୍ ଦେହରେ ଝଟକୁଛି ସୁନାର ଗହଣା । କାନର ଦୁଲ୍ ଦୋହଲୁଛି, ଝଟକୁଛି ହୀରାର କଣିକା । ହେମାଙ୍ଗିନୀ ସଙ୍ଗେ ସଙ୍ଗେ ଫୁଲର ମହକରେ ଚହଟି ଉଠିଲା କୋଠରୀଟି । ହସିଲା ମୁହଁ, କିନ୍ତୁ ଚିନ୍ତାର ରେଖା ଫୁଟି ଉଠିଛି କପାଳରେ ।

 

ହେମାଙ୍ଗିନୀ କହିଲା, ବୋଉ, ଟେଲିଫୋନ୍‌ରେ ସବୁକଥା ତତେ ବୁଝାଇ କହିପାରିଲି ନାହିଁ । ସେଇଥିପାଇଁ ମୁଁ ନିଜେ ଧାଇଁ ଆସିଲି । ଡାକ୍ତର ରବୀନ୍ଦ୍ରବାବୁ ଝିଅର ବାହାଘର ଏଇ ମାସରେ କରିବାକୁ ବ୍ୟସ୍ତ । ବାହାଘର ଏ ମାସରେ ନ ହେଲେ ଛ ସାତ ମାସ ଯାଏ ଆଉ ତିଥି ନାହିଁ । ତାଙ୍କର ସ୍ତ୍ରୀ ଓ ଝିଅ ଚନ୍ଦ୍ରମା ଦିହେଁ ଏଇଖିଣି ମୋ ପାଖକୁ ଆସିଥିଲେ । ତୁ ବସ । ମୁଁ ସବୁ କହିବି ।

 

ସୁକାନ୍ତିଙ୍କର ହାତ ଧରି ହେମାଙ୍ଗିନୀ ପଲଙ୍କ ଉପରେ ବସାଇଲା । ପାଖରେ ବସି କହିଲା, ତାଙ୍କର ତିନି ଝିଅ, ଚନ୍ଦ୍ରମା ବଡ଼ । କଲେଜରେ ନାମ ଲେଖାଇଥିଲା । ପାଠ ଛାଡ଼ି ଦେଲା । ରୂପ ଯେପରି ସୁନ୍ଦର ସ୍ୱାସ୍ଥ୍ୟ ସେମିତି, ଢଙ୍ଗଢାଙ୍ଗ ବି ସେମିତି । ଭାଇଙ୍କ ବିଷୟରେ ସମ୍ବନ୍ଧ କରିବାକୁ ରବିବାବୁ ଆଉ ତାଙ୍କର ସ୍ତ୍ରୀଙ୍କର ଅତି ଆଗ୍ରହ, ମୁଁ ଜାଣେ, ସେ ଭଲ ନିଆଦିଆ କରିବେ । ଯଦି କହିବୁ ଚନ୍ଦ୍ରମାକୁ ଦିନେ ନେଇ ଆସିବ । ତୁ ନିଜେ ଦେଖିବୁ । କୌଶଳରେ ମୁଁ ଭାଇଙ୍କି ବି ଦେଖାଇ ଦେବି ଯେ । ଆଜି ତାକୁ ସଙ୍ଗରେ ନେଇ ଆସିଥାନ୍ତି । ଲାଜ କଲା । ତୋର ମତାମତ କଅଣ ମତେ କହ ।

 

ହେମାଙ୍ଗିନୀ ତୁନି ରହିଲା ।

 

ସୁକାନ୍ତି ଉତ୍ତର ଦେଇ ପାରିଲେ ନାହିଁ । ଭାବିବାକୁ ଲାଗିଲେ, ଦୁଷ୍ମନ୍ତର ବାହାଘର କିପରି ହେବ ? ମଙ୍ଗିଲେ ତ । କିଏ ମଙ୍ଗାଇ ପାରିବ ? ଦିନେ ସେ କ୍ଷଣପ୍ରଭାକୁ ବିବାହ କରିବାକୁ ସମ୍ମତ ହୋଇଥିଲା, ସମ୍ବନ୍ଧ ତୁଟିଲା । ତା ପରେ ତା ବାପର ମରଣ । ସବୁ ଦାୟିତ୍ୱ ଲଦାହେଲା ତାରି ମୁଣ୍ଡରେ । ଝୁଙ୍କି ଧରିଲା, ହେମାଙ୍ଗିନୀର ବାହାଘର ନ ସରିଲା । କେତେଲୋକ କେତେ ପ୍ରସ୍ତାବ ପକାଇଲେ । ଦୁଷ୍ମନ୍ତ କାନକୁ ନେଲା ନାହିଁ । ନିଜେ ସୁକାନ୍ତି ପୁଅକୁ କେତେଥର ପଚାରିଛନ୍ତି, ଲୁହ ଆଖିରେ ପଚାରିଛନ୍ତି । ଦୁଷ୍ମନ୍ତ ମୁହଁ ପୋତି ବସେ । ଉତ୍ତର ଦିଏ ନାହିଁ ।

 

ଦିନେ ସେ ଉତ୍ତର ଦେଇଥିଲା, ବ୍ୟସ୍ତ ହେଉଛୁ କାହିଁକି ବୋଉ, ଜୀବନରେ ଖାଲି ବାହା ହେବାଟା ସବୁଠୁଁ ବନ କାମ, ସବୁଠୁଁ ବଡ଼ କର୍ତ୍ତବ୍ୟ ନୁହେଁ । ସମସ୍ତେ ତ ବାହା ହେଉଛନ୍ତି, ତୋରି ପୁଅଟା ଅଭିଆଡ଼ା ରହୁ, ଆଉ କିଛି ବଡ଼ କାମ କରୁ ।

 

ବାପ, ମୋର ଗୋଟିଏ ବୋଲି ପୁଅ, ପୂର୍ବପୁରୁଷଙ୍କର ସନ୍ତକ ।

 

ଆଉ ଚାରିପୁଅ ତୋର ଥିଲେ । ସେମାନଙ୍କର ଫଟୋଗୁଡ଼ିକ କାନ୍ଥରେ ଝୁଲିଛି । କହିବୁ ଯଦି ସେଗୁଡ଼ିକର ପଥରମୂର୍ତ୍ତି କରାଇ ଆଣିବି । ଅବିକଳ ଜୀବନ୍ତ ଶିଶୁପରି ଦିଶିବେ । ପୂର୍ବ-ପୁରୁଷଙ୍କର ସେଗୁଡ଼ିକ ହେବ ସନ୍ତକ । ବହୁ ବର୍ଷ ଯାଏ ରଖାଯାଇ ପାରିବ ।

 

ବାପ– ?

 

ମିଛ କହିନାହିଁ ବୋଉ, ରକ୍ତମାଂସର ଦେହ ଅପେକ୍ଷା ପଥର ମୂର୍ତ୍ତି ବେଶିଦିନ ରଖାଯାଇ ପାରିବ । ଜୀବନ ନାହିଁ ବୋଲି ଦୁଃଖ କାହିଁକି ? ଯେଉଁ ମୂର୍ତ୍ତି ଆମେ ପୂଜାକରୁଁ ସେଥିରେ ଜୀବନ ନ ଥାଏ । ତା ଭିତରେ ଜୀବନ ସଞ୍ଚାର କରେ ଆମର ମନ, ଆମର ବିଶ୍ୱାସ । ଆମେ ସୁଖୀ ହେଉ । ରକ୍ତ ମାଂସର ଦେହ ଅଜାଣତରେ ଦିନେ ଟଳି ପଡ଼େ, ନିର୍ଜୀବ ହୁଏ । ସାଇତା ହୋଇପାରେ ନାହିଁ । ବିଳୟ ହୁଏ ।

 

ଜଳିଲା ପୋଡ଼ିଲା ମନରେ ଦାରୁଣ ଆଘାତ ।

 

କିଛି ନ କହି ସୁକାନ୍ତି ଫେରିଲେ ସିଧା ରାଧାମାଧବଙ୍କ ପାଖକୁ । ପଥର ମୂର୍ତ୍ତି ! ତାରି ଭିତରେ ସେ ବିଶ୍ୱଜୀବନର ସୂଚନା ପାଇଛନ୍ତି । ଅମାପ ଶକ୍ତି, କରୁଣାର ଆଧାର, ତ୍ରିକାଳର ସଙ୍ଗମ, ତ୍ରିଶକ୍ତିର ଠୁଳ, କୋଟି ବ୍ରହ୍ମାଣ୍ଡର ଉପସ୍ଥିତି । ସବୁ କେବଳ ବିଶ୍ୱାସରେ, ମନର ପ୍ରକ୍ରିୟାରେ-

 

ଦୁଷ୍ମନ୍ତର ସେଇକଥା କେଇପଦ ଛାତି ଭିତରେ ଘାଣ୍ଟି ଚକଟି ହୁଏ, ରକ୍ତମାଂସର ଦେହ ଅଜାଣତରେ ଟଳିପଡ଼େ । ପଚାରିବାକୁ ମନହୁଏ, ଟଳି ପଡ଼ୁଛି ତ ନିତି, ତଥାପି ସଂସାର ଚାଳିଛି । ମଣିଷ ସମାଜ ବଢ଼ୁଛି । ସମସ୍ତେ ସଂସାର କରୁଛନ୍ତି । ଜାଣି ଜାଣି ଦୁଃଖ ଜଞ୍ଜାଳର ଜାଲରେ ବାନ୍ଧି ହେଉଛନ୍ତି । ଅଶାନ୍ତି, ଅସନ୍ତୋଷ ଭିତରେ ଆନନ୍ଦ ପାଉଛନ୍ତି । ଜୀବନଟା କେବଳ ଲୋତକର ପାରାବାର ନୁହେଁ, ତାରି ଭିତରେ ପାଲ ମେଲି ମନ ଚାଲେ ଆଗକୁ । ଚାନ୍ଦ ଉଏଁ, ସୂର୍ଯ୍ୟ ଉଠେ, ପୁଣି ତୋଫାନ ଛୁଟେ, ବାଦଲ ଘୋଟେ, ଇନ୍ଦ୍ରଧନୁର ସପ୍ତରଙ୍ଗ ଝଲ୍‌ସି ଉଠେ, କୁସୁମ ଫୁଟେ । ଲୋତକର ପାରାବାର ବି ଉଲସି ଉଠେ, ହସି ଉଠେ ।

 

ଦୁନିଆଁକୁ ଚିହ୍ନିନାହିଁ ଦୁଷ୍ମନ୍ତ । ବାଇଆ ବୁଦ୍ଧି, କଣ କରୁଛି କରୁ । ଦୁନିଆଁକୁ ଦିନେ ଚିହ୍ନିବ, ବୁଦ୍ଧି ଫେରିବ । କୌଣସି କଥା କେବେ ଡେରି ହୋଇଯାଏ ନାହିଁ । ବେଳ ପଡ଼ିଲେ ସବୁ ସୁଧୁରି ଯାଏ ।

 

ହେମାଙ୍ଗିନୀ ପଚାରିଲା, ତୁନି ରହିଲୁ କାହିଁକି ?

ନିଦରୁ ଉଠିଲା ପରି ସୁକାନ୍ତି ପଚାରିଲେ, କଣ ମୁଁ କହିଛି ?

ରବିନ୍ଦ୍ରବାବୁଙ୍କ ଝିଅ ବିଷୟରେ ତୋର ମତାମତ ।

ତୁ ପଚାରୁନୁ ।

ମୋ କଥା ସେ ଶୁଣିବ ନାହିଁ ।

 

ହେମାଙ୍ଗିନୀ କହିଲା, ଆଉ ମୋ କଥା ଶୁଣିବେ, ନା ? ମୋର କି ଥାଏ ଲୋ । ଲୋକେ ମୋତେ ପଚାରିଛନ୍ତି ବୋଲି ସିନା । ହଁ, ମୁ ପଚାରନ୍ତି, ହେଲେ ଭାଇଙ୍କର ଦେଖାଦର୍ଶନ ମିଳୁ ନାହିଁ । କେତେଥର ମୁଁ ଡକେଇ ପଠେଇଲିଣି, ଯାଉ ନାହାନ୍ତି । ଆଜି ଏବେ ଏତେବେଳ ହେଲାଣି ସେ ଘରକୁ ଫେରି ନାହାନ୍ତି । ସବୁବେଳେ ଯାଇଁ ତୁଷାରବାବୁଙ୍କ ଘରେ । ସଂସାରରେ କଣ ଲୋକଙ୍କର ଆଉ ସାଙ୍ଗ ନାହାନ୍ତି ? କ୍ଷଣପ୍ରଭା ସଙ୍ଗେ ଦେଖା ହେଲା ଦିନୁଁ ସେ ବରାବର ସେଇଠି ଯାଇ ଗପ କରୁଛନ୍ତି । ଲୋକେ ଅନ୍ଧ ହୋଇଛନ୍ତି ?

 

କଣଗୁଡ଼ାଏ ବାଇଆଣୀ ପରି ଏଣୁତେଣୁ ଗପୁଛୁ ହେମ !

 

ହେମାଙ୍ଗିନୀ କହିଲା, ଯାହା ଜାଣେ ସେଇଆ କହିଲି । କେତେଦିନ ତଳର କଥା, ମନେପଡ଼ି ଯାଉଛି, ତତେ ବି ଅଛପା ନାହିଁ, ତୁ ଜାଣୁ କ୍ଷଣପ୍ରଭାକୁ ଭାଇ ଅତି ଭଲ ପାଉଥିଲେ ।

 

ହଁ, ଆମେ ସମସ୍ତେ ତାକୁ ଭଲ ପାଉଥିଲୁ । ବିଶେଷତଃ ତୋର ବାପା କ୍ଷଣପ୍ରଭାକୁ ବୋହୂ କରିବେ ବୋଲି ଆଶା କରିଥିଲେ ।

 

ବାପଙ୍କ ମନରେ କେଡ଼େ ଆଘାତ ସେ ଦେଇଥିଲା ମନେଅଛି ତ ? ତାଠୁ ବେଶି ଆଘାତ ଦେଇଛି ଭାଇଙ୍କ ମନରେ । ପ୍ରଭାର ବାପା ଲେଖିଥିଲେ–ଆଜିକାଲିକା ଝିଏ କାହାରି କଥା ମାନୁନାହାନ୍ତି, ପ୍ରଭା ତୁଷାରକାନ୍ତିକୁ ବାହା ହେବାକୁ ସ୍ଥିର କରିଛି । ମନେ ନାହିଁ ବୋଉ ?

 

ଗତକଥା ମନେପକାଇ ଲାଭ ନାହିଁ ।

 

ଲାଭ ନାହିଁ, କିନ୍ତୁ ଭୁଲିହୁଏ ନାହିଁ । ପ୍ରଭା କେବେ ତାର ମନକଥା ମୋ ଆଗରେ କହି ନ ଥିଲା । ବରଂ ତାର କାରବାରରୁ ଜଣାପଡ଼ୁଥିଲା ଯେପରି ସେ ଆମର ପ୍ରସ୍ତାବରେ ଅମଙ୍ଗ ନ ଥିଲା । ଶେଷକୁ ସେ ଠକିଲା । ସମସ୍ତେ ଆମେ ଭୁଲିଯିବା, ଭାଇ ଭୁଲିପାରି ନାହାନ୍ତି । ପ୍ରଭାର ବାହାଘର ହେଲାଦିନୁଁ ନିଜର ବାହାଘର ସମ୍ବନ୍ଧରେ ଭାଇ ଉଦାସୀନ । ପ୍ରଭା ଅନ୍ଧ ସ୍ୱାମୀ, ରୋଗଣା ଶାଶୁକୁ ନେଇ କଟକ ଫେରିଛି ।

 

ମୁଁ ଜାଣେ ।

 

ବୋଉ ତୁଷାରବାବୁ ଆମ ଘରେ ଟିଉସନ୍ କରୁଥିଲେ । ମଟର ଦୁର୍ଘଟଣା ହେଲା । ସେଇଦିନରୁ ତାଙ୍କ ସଙ୍ଗେ ଭାଇଙ୍କର ଘନିଷ୍ଠତା ବଢ଼ିଲା । ସେ ଦରିଦ୍ର । କ୍ଷଣପ୍ରଭା ନିଜର କର୍ମଫଳ ଭୁଞ୍ଜୁଛି । ଭାଇଙ୍କର ତା ଘରକୁ ଯିବା ଉଚିତ ନୁହେଁ । ଭାଇଙ୍କ ମନରେ ସେ ଯେଉଁ ଦୁଃଖ ଦେଇଥିଲା, ଆଜିଯାଏ ଭୁଲି ପାରିନାହାନ୍ତି । ସେଥିପାଇଁ ସେ ବିବାହ କରିବାକୁ ମନା କରୁଛନ୍ତି । ମୁଁ କହୁଛି, ଚନ୍ଦ୍ରମା ବିଷୟରେ ତୁ ଭାଇଙ୍କୁ ବାଧ୍ୟ କର । ସେ ମନାକରି ପାରିବେ ନାହିଁ ।

 

କ୍ଷଣପ୍ରଭା ଦୁଃଖରେ ଅଛି ?

ଦୁଃଖରେ ତ ରହିବାର କଥା ।

 

କେଉଁଠି ସେମାନେ ଅଛନ୍ତି ମା, ତୁଷାର ଆଉ କ୍ଷଣପ୍ରଭାଙ୍କୁ ଥରେ ଦେଖିବାକୁ ମୋର ମନ ହେଉଛି । ଆହା, ଭଗବାନ୍ ତାଙ୍କୁ ଏତେ ଦୁଃଖ ଦେଲେ ।

 

ହେମାଙ୍ଗିନୀ ସେମାନଙ୍କର ବସା ଠିକଣା ଜାଣେ । ଅରୁଣଠାରୁ ଶୁଣିଥିଲା । ସେମାନଙ୍କର ଘରର ହାଲଚାଲ ମଧ୍ୟ ବୁଝିଥିଲା । ତାଙ୍କ ଘରକୁ ନ ଯିବାକୁ ଅରୁଣକୁ ଆକଟ କରିଥିଲେ । ନିଜେ କେବେ ଯିବାକୁ ମନ କରିନାହିଁ । ଦରିଦ୍ରର କୁଟୀର ତାକୁ ଘୃଣା ଲାଗେ । ତାର ଧାରଣା, ଦାରିଦ୍ର୍ୟ ପୂର୍ବଜନ୍ମ ପାପର ଫଳ, ଭଗବାନଙ୍କର ଅଭିଶାପ ।

 

ବସା ଠିକଣା ସେ କହିଲା । ପଚାରିଲା, ରବିବାବୁଙ୍କ ସ୍ତ୍ରୀଙ୍କୁ ମୁଁ କଣ କହିବି ?

 

ସୁକାନ୍ତି ଆଖି ଛଳ ଛଳ କରି କହିଲେ, ତାଙ୍କୁ ତୁ କହିଦେବୁ, ରାଧାମାଧବଙ୍କର ଯାହା ଇଚ୍ଛା ତାହାହିଁ ହେବ । ସେଇ ଏକା ଦୁଷ୍ମନ୍ତର ମନ ବଦଳାଇ ପାରିବେ ।

 

ହତାଶାକୁଳ ଦୃଷ୍ଟିରେ ହେମ ତାର ଜନନୀର ମୁହଁକୁ ଚାହିଁ ରହିଲା ।

 

ସଭା ନୁହେଁ, ବୈଠକ, ସାନ୍ଧ୍ୟ ମିଳନ । ଯୋବରା ସ୍କୁଲର ଗୋଟିଏ କୋଠରୀରେ ନଟବରବାବୁ କରିଥିଲେ । ଦୁଷ୍ମନ୍ତ ଚା ଜଳଖିଆର ବ୍ୟବସ୍ଥା କରିଥିଲା । ବଛା ବଛା କେତେଜଣ ବନ୍ଧୁଙ୍କର ଆଗମନ ।

 

କେତେ ଦିନ ହେଲା ଦୁଷ୍ମନ୍ତ ମନରେ ଖେଳୁଥିଲା ଗୋଟାଏ ଭାବନା– ଅକ୍ଷମ, ଅପାରଗ ମଣିଷ ଓ ନିରାଶ୍ରୟ ଶିଶୁଙ୍କ ପାଇଁ କିଛି ବରିବାକୁ ହେବ । ଦେଶ କେବେଠୁଁ ସ୍ୱାଧୀନ ହେଲାଣି । ସରକାର ଗଠନମୂଳକ କାର୍ଯ୍ୟରେ ସବୁ ଶକ୍ତି ନିୟୋଗ କରୁଛନ୍ତି, କିନ୍ତୁ ଏ ଦିଗରେ ବିଶେଷ କିଛି କାର୍ଯ୍ୟ ହୋଇପାରୁ ନାହିଁ । ସବୁ କଥାରେ କେବଳ ସରକାରଙ୍କୁ ଚାହିଁ ବସିଲେ ହେବ ନାହିଁ । ପ୍ରତ୍ୟେକ ଦେଶବାସୀର ଏ ଦିଗରେ କର୍ତ୍ତବ୍ୟ ଅଛି । ସମୂହ ଚେଷ୍ଟା ବିନା ଏତେବଡ଼ କାମ ସମ୍ଭବ ନୁହେଁ । ବନ୍ଧୁମାନଙ୍କର ପରାମର୍ଶ ନିଆଯାଉ ।

 

ଏହି ବିଷୟର ଆଲୋଚନା ।

ଜଳଯୋଗ ପରେ ।

 

ସମାଧାନ ହୋଇପାରିଲା ନାହିଁ । କେବଳ ତର୍କ, କଥା କଟାକଟି, ବାକ୍‍ବିତଣ୍ଡା । ମିଲ୍ ମାଲିକ ଲକ୍ଷପତି ଅବନୀବାବୁ, ଜମିଦାର ଅତୁଲବାବୁ, ବ୍ୟବସାୟୀ ରଙ୍ଗଲାଲ୍, ଏମାନେ ଏକକାଳୀନ କିଛି କିଛି ଚାନ୍ଦା ଦେବାକୁ ପ୍ରସ୍ତୁତ । ଅନ୍ଧ, ଛୋଟା, କେମ୍ପା, ରୋଗଣା, ବୋକା, ଯେଉଁମାନେ କାର୍ଯ୍ୟକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ଗୋଟାଏ ଧର୍ମଶାଳା କି ଆଶ୍ରମ ତୋଳାଯିବ । ମାସକୁ ମାସ ଚାନ୍ଦା ଉଠିବ । ସେଇ ଚାନ୍ଦା ଧନରେ ସେମାନଙ୍କର ଖାଇବା ପିନ୍ଧିବାର ବ୍ୟବସ୍ଥା କରାଯିବ ।

 

ଏ ପ୍ରସ୍ତାବ ଦୁଷ୍ମନ୍ତ ମନକୁ ପାଇଲା, କିନ୍ତୁ ମନରେ ସନ୍ଦେହ ଯେ କେବଳ ଚାନ୍ଦା ଧନରେ ଦେଶର ସବୁ ଅନ୍ଧ ଖଞ୍ଜଙ୍କର ରହିବାର ସୁବିଧା କରାଯାଇ ପାରିବ ନାହିଁ । ଅବଶ୍ୟ ସବୁ ଅନ୍ଧ ଖଞ୍ଜ ଅପାରଗ ନିଃସହାୟ ନୁହନ୍ତି !

 

ଗୋପାଳଙ୍କର ପ୍ରସ୍ତାବ ଧ୍ୱଂସମୂଳକ । କାହିଁକି ଏ ରାଜା, ଜମିଦାର, ପୁଞ୍ଜିପତି ରହିବେ, ଆଉ ସମାଜରେ ରକ୍ତ ଶୋଷି ଦୟା ଦେଖାଇବାକୁ, ଧର୍ମ କରିବାକୁ ସୁବିଧା ପାଇବେ ? ହାତଟେକି ସେମାନେ ଚାନ୍ଦା ଦେବାକୁ ଆଗେଇ ଆସିବେ କାହିଁକି ? ସୋମନଙ୍କର ବଳକା ଧନ ଯଦି ହାତ ପୂରାଇ ଟାଣି ଅଣାଯାଏ ଅପାରଗଙ୍କୁ ବଞ୍ଚାଇବାର ସମସ୍ୟା ଏଡ଼େ କଷ୍ଟ କି ଜଟିଳ ହେବ ନାହିଁ । ଥରେ ଯଦି ଏ ସମସ୍ୟାର ସମାଧାନ କରାଯାଇପାରେ, ବଳକା ଧନ ପାଖରେ ସଞ୍ଚି ରଖି ମୋର ଅଛି ବୋଲି କହିବାର ପ୍ରୟୋଜନ ହେବ ନାହିଁ ।

 

ବୁଢ଼ା ନଟବରଙ୍କର ଧାରଣା ଭିନ୍ନ ପ୍ରକାର । ଭଗବାନଙ୍କର ଇଚ୍ଛା ପୂରଣ ହେଉଛି । ନିଃସହାୟ ଅପାରଗଙ୍କର ସେବା କରିବାକୁ ପ୍ରତ୍ୟେକ ଗୃହସ୍ଥ ଯଦି ନିଜର କର୍ତ୍ତବ୍ୟ ବୋଲି ଗ୍ରହଣ କରନ୍ତି, ଅପାରଗଙ୍କର ସେବା କରନ୍ତି, ଯାହାକୁ ଏତେବଡ଼ ସମସ୍ୟା ବୋଲି ଧରାଯାଉଛି, ସେ ଆଉ ସମସ୍ୟା ହୋଇ ରହିବ ନାହିଁ । ଲୋକଙ୍କୁ କର୍ତ୍ତବ୍ୟ ଶିକ୍ଷା ଦେବାକୁ ଆବେଦନ କରାଯାଉ । ଦେଖାଯାଉ ଫଳାଫଳ ।

 

ନଟବରଙ୍କର ପ୍ରସ୍ତାବ ମୂଲ୍ୟହୀନ ଓ ପିଲାଳିଆ ବୋଲି ଗୋପାଳବାବୁ ହସି ଉଡ଼ାଇ ଦେଲେ । ତାଙ୍କ ମତରେ ଆବେଦନ ନିବେଦନରେ ଫଳ ନାହିଁ । ହାତରେ ଠେଙ୍ଗା ଧରି ମଣିଷକୁ ସିଧା ବାଟକୁ ଆଣିବା ସହଜ । ହୃଦୟର ପରିବର୍ତ୍ତନ କେବଳ ସମ୍ଭବ ହେବ ଯଦି ମନରେ ଭୟସଞ୍ଚାର କରାଯାଇପାରେ । ନୋହିଲେ ନ୍ୟସ୍ତ–ସ୍ୱାର୍ଥ ଛାଡ଼ିବାକୁ କିଏ କାହିଁକି ରାଜି ହେବ ? ଭୟ ହିଁ ମଣିଷ ସଭ୍ୟତାକୁ ଏତେଦୂରକୁ ଆଗେଇ ଆଣିଛି, ନୋହିଲେ ପଛରେ ଆଣିଛି ।

 

ନଟବରବାବୁ କହିଲେ, ଅସମ୍ଭବ । ଭୟ ଯେତିକି ଦୂର ହେଉଛି, ମଣିଷ ସେତିକି ଆଗଉଛି ପ୍ରଗତି ପଥରେ । ମହାତ୍ମା ଗାନ୍ଧି ଦିଓଟି କଥା ଉପରେ ଜୋର ଦେଇଥିଲେ,–ସତ୍ୟ ଓ ଅହିଂସା । ମଣିଷ ନିର୍ଭୀକ ନ ହେଲେ ଏହି ମହାନୀତି ପାଳନ କରିପାରିବ ନାହିଁ । ଆଉ ସତ୍ୟ ଓ ଅହିଂସା ଯଦି ମଣିଷ ଜାତିର ଦୁଇ ଆଖି, ଦୁଇ ହାତ ଓ ଦୁଇ ଗୋଡ଼ ନ ହୁଏ, ମଣିଷ ସମାଜ ତିଷ୍ଠି ପାରିବ ନାହିଁ । ପ୍ରଚାରଦ୍ୱାରା ମଣିଷ ସମାଜକୁ ଶିକ୍ଷା ଦେବାକୁ ହେବ, ମଣିଷ ଜାତିର ହୃଦୟ ପରିବର୍ତ୍ତନ କରିବାକୁ ହେବ ।

 

ଗୋପାଳ ହସିଲେ । କହିଲେ, ଆହୁରି ପ୍ରଚାର ଲୋଡ଼ା ? ବହୁବର୍ଷ ଧରି ଶତ–ସହସ୍ର ତୁଣ୍ଡରେ ପ୍ରଚାର ତ ହୋଇଥିଲା, ହେଲା କି ହୃଦୟର ପରିବର୍ତ୍ତନ ? ଧନିକ ତାର ଉଚ୍ଚ କୋଠାଘର ଉପରୁ ଓହ୍ଲାଇ ଆସି ଦରିଦ୍ର ଓ ଅକ୍ଷମର ହାତଧରି ପଚାରିଲା କି ଭଲମନ୍ଦ କଥା ? ଦୋଷ କଣ ତାର ? ନା, ଦୋଷ ତାର ନୁହେଁ । ଧନର ବୋଝ ମୁଣ୍ଡରେ ବୋହି ସେ ହେଉଛି ଛଟପଟ । ବୋଝ ସେ ଫିଙ୍ଗି ଦେଇପାରୁ ନାହିଁ । କାହିଁକି ? କେବଳ ଭୟ । ଅନ୍ଧ, ଖଞ୍ଜ, ଅକ୍ଷମ, ଭିକ୍ଷୁକକୁ ଦେଖିଲେ ଥରି ଉଠୁଛି ତାର ଛାତି । କାଲି ଯଦି ଏଇ ଅବସ୍ଥା ତାର ହୁଏ କଅଣ ସେ କରିବ ? କଅଣ କରିବେ ତାର ମାଇପେ ? ଦୁଃଖ, କଷ୍ଟ, ରୋଗ, ମୃତ୍ୟୁ, ବଂଶ ଲୋପ । ଭୟ ନୁହେଁ ତ ଆଉ କଣ ? ଧନର ବୋଝ ତାର ଦୁଃଖର କାରଣ । ଧନ କାଢ଼ନିଅ ସବୁ ଅଳସୁଆଙ୍କ ମୁଣ୍ଡରୁ, ଦୁଃଖୀ, ଦରିଦ୍ର, ଅକ୍ଷମର ଦୁର୍ଦ୍ଦଶା ଦୂର କର । ତାଙ୍କ ମୁହଁରେ ଫୁଟାଅ ହସ । ଧନିକ ତାର ଧନର ବୋଝ ଭୟର କାରଣ ଫୋପାଡ଼ି ଦେଇ ଦୁନିଆଁର କର୍ମମୟ ପଥ ଉପରକୁ ଡେଇଁ ପଡ଼ିବ । ଅତଏବ–

 

ରଙ୍ଗଲାଲ ବାବୁ ଉଠିଲେ । ବାଧା ଦେଇ କହିଲେ, ତୁନି ହୁଅନ୍ତୁ ମହାଶୟ, ଅତଏବ ଆପଣ ବିପ୍ଳବ ଚାହାନ୍ତି, ସମାଜର ଧ୍ୱଂସ । ଉପକାର ତ କରିବେ ନାହିଁ ଦୁନିଆଁର, କରିବେ ଅପକାର । ଆଇନ୍‍ ଓ ଶୃଙ୍ଖଳା ଭଙ୍ଗକରି ଦେଶ ଓ ସମାଜକୁ ରସାତଳକୁ ନେବେ, ଆଉ ନିଜେ ବି–

 

ଗୋପାଳବାବୁ ନାକ ଫୁଲାଇ କହିଲେ, ଆଇନ୍‍ ? ଓଃ ଚାଲିଛି ଅବିରାମ ଗୋଟାଏ ପରେ ଗୋଟାଏ । ଆଇନ୍ ନୁହେଁତ ବନ୍ଧନର ଭୟ, ସନ୍ଦେହ– । ଆହେ, ଏତେ ଆଇନ୍ ଲୋଡ଼ା ପଡ଼ୁଛି କାହିଁକି ? ଧନିକ ଓ ନ୍ୟସ୍ତ–ସ୍ୱାର୍ଥଙ୍କୁ ବଞ୍ଚାଇ ରଖିବାକୁ ସମସ୍ତଙ୍କୁ ଯଦି ମୁଠିଏ ଭଲରେ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ମିଳନ୍ତା, ଭବିଷ୍ୟତ କଥା ନ ବିଚାରି ଯଦି ସମସ୍ତେ କାର୍ଯ୍ୟରେ ମନ ଦିଅନ୍ତେ, ଆଉ ଭବିଷ୍ୟତ ପାଇଁ ସଞ୍ଚି ରଖିବାର ଦାୟିତ୍ୱ ଯଦି ନିଜର ନ ଥାନ୍ତା କି ସଞ୍ଚିବା ଆବଶ୍ୟକ ଯଦି ନ ହୁଅନ୍ତା, ଆଇନ୍‌ଗୁଡ଼ା ହୁଅନ୍ତା କଣ ? ଆଇନ୍ ପରିବର୍ତ୍ତେ ହୁଅନ୍ତା ଉତ୍ପାଦନ ବଢ଼ାଇବାର ନିୟମ । ସମସ୍ତେ ଖୁସିରେ ଗ୍ରହଣ କରନ୍ତେ । ଦଣ୍ଡ ପାଇବାର ଭୟ ନ ଥାନ୍ତା କାହାରି । ଆଜିକାଲି ସଭ୍ୟତା ଭୟ ଓ ସନ୍ଦେହର ଭିତ୍ତି ଉପରେ ଠିଆ । ହିଂସା ଓ ଅସତ୍ୟ ତାର ଦୁଇ ହାତ ।

 

ଅବନୀବାବୁ କହିଲେ, ଦେଖନ୍ତୁ ଗୋପାଳ ବାବୁ, ବର୍ତ୍ତମାନର ପରିସ୍ଥିତି ଭିତରେ ଆମକୁ କାମ କରିବାକୁ ହେବ । ସେଇଥିପାଇଁ ଦୁଷ୍ମନ୍ତବାବୁ ବ୍ୟାକୁଳ ହୋଇ ସଭିଙ୍କୁ ଡକାଇଛନ୍ତି । ଆପଣଙ୍କର ମତାମତ ସତ୍ୟ ବୋଲି ଗ୍ରହଣକରି ଆପଣଙ୍କ ବୁଦ୍ଧିର ପ୍ରଶଂସା କଲେ ଲାଭ ହେବ କଣ ? ଆପଣଙ୍କ ଲେକ୍‌ଚର ଶୁଣି ସବୁ ଧନିକ, ଯାହାଙ୍କୁ ଆପଣ ପୁଞ୍ଜିପତି କହୁଛନ୍ତି, ସେମାନେ ତାଙ୍କର ଧନ ସମ୍ପତ୍ତି ଫୋପାଡ଼ି ଦେଇ ଭିକ ମାଗିବାକୁ ଧାଇଁ ଆସିବେ ନାହିଁ । ତର୍କ କରି ଲାଭ ନାହିଁ-। ଅକ୍ଷମ ଦରିଦ୍ରମାନଙ୍କ ପାଇଁ ଯଦି ପ୍ରକୃତରେ ଆପଣମାନେ ବ୍ୟାକୁଳ, ଆସନ୍ତୁ, ସମସ୍ତେ ଏକଜୁଟ ହୋଇ କାମ ଆରମ୍ଭ କରି ଦେବା । କଟକରେ ଆଗ ଖୋଲିବ କେନ୍ଦ୍ର । କାମ ଥରେ ଆରମ୍ଭ ହେଲେ ଟଙ୍କା ଅଭାବ ହେବ ନାହିଁ । ସମସ୍ତେ ଟଙ୍କା ଦେବେ । ଆପଣଙ୍କ ମତ କଣ ତୁଷାର ବାବୁ ?

 

ଧୋଇଆ ମୁଲକରେ ଘର । ଦେବୀ ନଦୀର ଶାଖା, ଦେବୀ ନଦୀରୁ ବାହାରି ଦୁଇ ମାଇଲ ତଳେ ପୁଣି ସେଇ ନଦୀର ମିଶିଛି । ମଝିରେ ଯେଉଁ ଦ୍ୱୀପ ଖଣ୍ଡିକ ତାରି ଉପରେ ପାଞ୍ଚ ଖଣ୍ଡି ଗାଁ । ମଝି ଗାଁଟି ରତ୍ନପୁର, ଆଉ ଗାଁ ଗୁଡ଼ିକରୁ ବଡ଼ । ଦୁଇଆଡ଼ୁ ଦେବୀ ନଦୀର ପାଣି ଗାଁରେ ପଶେ, ଘରଦ୍ୱାର ଭାଙ୍ଗେ । ଜମିରେ ଚଢ଼ାଏ ବାଲି । କେବେ କେବେ ଫସଲ ଧୋଇ ନିଏ । ଶାଗ ମୁଗ କରି ଲୋକେ ଦୁଃଖ କଷ୍ଟେ ଚଳନ୍ତି । ସମସ୍ତେ ଗରିବ ।

 

ସେହି ରତ୍ନପୁରର ଗୋଟିଏ ଗରିବ କୁଟମ୍ବରେ ତୁଷାରକାନ୍ତିର ଜନ୍ମ । ଜମି ଅନେକ ଥିଲା । ହେଲେ, ଧୋଇ ମରୁଡ଼ି ବାଲି ପାଇଁ ଅମାରକୁ ଧାନ ନ ଆସିବା ଯାଏ ମନରେ ଭରସା ନ ଥାଏ । ପିଲାଦିନରୁ ଅଭାବର ତାଡ଼ନା ସେ ସହିଛି । ଉପାସ ଭୋକରେ ବେଳ କାଟିଛି । ଖଣ୍ଡି ଖଣ୍ଡି କରି ଧୋଇଆ ଜମି ବିକି ତାକୁ ସ୍କୁଲ କଲେଜରେ ପଢ଼ାଇବାର ଉତ୍ସାହ ବାପାଙ୍କର ସେ ଦେଖିଛି । କେଉଁ ଆଶାରେ ? ପୁଅ ପାଠପଢ଼ିବ, ବଡ଼ ଚାକିରି କରିବ, ଧୋଇଆ ମୁଲକ ଛାଡ଼ି ନାଳକୂଳରେ ଭଲ ସ୍ଥାନରେ ଘର କରିବେ, ଜମିବାଡ଼ି କରି ସୁଖରେ ରହିବେ । ସୁଖ,–ଦୁଇବେଳା ମୁଠିଏ ଭାତ ଓ ମୋଟାସୋଟା ଖଣ୍ଡେ ଲୁଗା ।

 

ଦୁଃଖ କଷ୍ଟରେ ଯେତେବେଳେ ସେ ମନ୍ଥି ହେଉଥିଲା ଓ ଭବିଷ୍ୟତରେ ଧନୀ ହେବ, ସୁଖରେ ରହିବ ଓ ବାପମାଙ୍କୁ ସୁଖ ଶାନ୍ତିରେ ରଖିପାରିବ, ଏହି ବାସନରେ ସେ ପାଠପଢ଼ୁଥିଲା । ଧନିକର ଧନସମ୍ପତ୍ତି ଦେଖି ଭାବୁଥିଲା ବେଳେ ବେଳେ–କାହିଁକି ଏପରି ବଡ଼ ସାନ ଭେଦ ରହିବ ? ମଣିଷର ଆତ୍ମା ଯଦି ଭଗବାନ ହୁଏ ସବୁ ଆତ୍ମା ତ ଭଗବାନ, ଜଣେ କାହିଁକି ଉପାସରେ ଛଟପଟ ହେବ, ଆଉ ଆରକ ଘିଅ ଦୁଧରେ ଭାସିବ ?

 

କାହିଁକି ହେବ ଏପରି ? ମନୁଷ୍ୟେତର ପ୍ରାଣୀ ଭିତରେ ଏପରି ଭେଦ ନାହିଁ । ବଞ୍ଚିବାକୁ ସମସ୍ତେ କରନ୍ତି ପରିଶ୍ରମ । ଯିଏ ଯେତେ ପରିଶ୍ରମ କରେ ସିଏ ସେତେ ଖାଇବାକୁ ପାଏ, ସୁଖରେ ରହେ । ଯିଏ ପରିଶ୍ରମକାତର ସେ ମରେ । ମଣିଷ ସମାଜରେ ଏହି ପ୍ରାକୃତିକ ନିୟମର ବିପରୀତ କାହିଁକି ? ସବୁଠାରୁ ପରା ମଣିଷ ଉନ୍ନତ, ବୁଦ୍ଧିମାନ ?

 

କେତେ ଧ୍ୱଂସମୂଳକ ଭାବନା ଖେଳୁଥିଲା ମନରେ, ସେଇ ଛାତ୍ର ଜୀବନରେ । ସେ ଭାବନାକୁ ତୁଣ୍ଡରେ ପ୍ରକାଶ କରିବା ଅନ୍ୟାୟ, ଅବିଧି । ଅଭାବବଶତଃ ଭୋକରେ ଯେତେବେଳେ ପେଟ ଗର୍ଜି ଉଠେ, ଆଖି ଆଗରେ ଦିଶେ ଜୁଳୁଜୁଳିଆ ପୋକ, ସେତିକିବେଳେ ମଣିଷର ଦେହ ଫିଙ୍ଗିଦେଇ ପଶୁ କି ପକ୍ଷୀର ଅବତାର ହେବାକୁ ମନହୁଏ । ଇଚ୍ଛାହୁଏ, ରାକ୍ଷସ ହୋଇ ମଣିଷର ରକ୍ତ ଶୋଷିନେବ ।

 

ସବ୍‍ଡ଼ିପୋଟି ଚାକିରି । ମାସକୁ ମାସ ଦରମା । ଚଳି ଯାଉଛି ତ । ଉଜ୍ଜ୍ୱଳ ଭବିଷ୍ୟତ ଆଗରେ ଲମ୍ବିଛି । ଦିନକୁଦିନ ଉତ୍ସାହ ବଢ଼ିବ, ସୁଖ ଆନନ୍ଦ ଆସିବ । ସବ୍‌ଡ଼ିପୋଟିରୁ ସେ ହେବ ଜିଲା କିଲଟର-ନା, ଆହୁରି ବଡ଼, ଆହୁରି ବଡ଼ । ବୁଦ୍ଧି ଅଛି, ଦକ୍ଷତା ଅଛି, ପରିଶ୍ରମ କରିବ । ମଣିଷ ସମାଜର ସଂସ୍କୃତି ଅଛି, କେତେ ଯୁଗର । ଯିଏ କରିବ କର୍ମ ସେ ହେବ ଧନୀ । ସୁଖରେ ରହିବ । ପିଲା କୁଟୁମ୍ବ-ପୁଅ, ନାତି, ଅଣନାତି ସମସ୍ତେ ସୁଖରେ ରହିବେ ।

 

ଅନ୍ଧ ତୁଷାର !

 

ଭାବି ପାରୁନାହିଁ କେଉଁଟା ସତ । ଅଭାବର ପେଷଣ, ଜଞ୍ଜାଳ, ଅକ୍ଷମତା । ଧ୍ୱଂସ କରିବାକୁ ମନ ହୁଏ ଅନ୍ଧାର । ଧ୍ୱଂସ କରିବାକୁ ସାହସ, ଶକ୍ତି, ପୁଣି ଚକ୍ଷୁ କାହିଁ ?

 

ପେଟ ଗର୍ଜେ । ଅନ୍ଧ ମୂକ ହୋଇ ବସେ ।

ମୂକ ହୋଇ ସେ ବସିଥିଲା ।

 

ଅବନୀ ବାବୁଙ୍କ ପ୍ରଶ୍ନର ଉତ୍ତର ସେ ଦେଲା, ଗୋପାଳ ବାବୁଙ୍କ କଥାକୁ ହସି ଉଡ଼ାଇ ଦେବା ଠିକ୍ ନୁହେଁ । ଦୁନିଆଁର ପ୍ରତି କଣରେ, ଆକାଶ ପବନର ଧ୍ୱଂସର ଧାରଣା ଖେଳି ବୁଲୁଛି । ଯେଉଁମାନେ ମନରେ ଏପରି ଧାରଣା ଧରି ବିପ୍ଳବ କରିବାକୁ ଚାହାନ୍ତି ସେମାନେ ତ ଦୁନିଆଁର, କି ମଣିଷ ସମାଜର ଧ୍ୱଂସ ଚାହାନ୍ତି ନାହିଁ ? ସେମାନେ ବି ଚାହାନ୍ତି ମଣିଷ ଜାତିର କଲ୍ୟାଣ, ଦୁନିଆର ପ୍ରଗତି । ସେମାନଙ୍କର ବି ଉଦ୍ଦେଶ୍ୟ ମଣିଷ ସୁଖରେ ରହୁ, ଆନନ୍ଦରେ ରହୁ । ଯେତେଦିନଯାଏ କ୍ଷୁଧା, ଅଭାବ ଅନ୍ୟାୟ ଓ ଶୋଷଣ ରହିଥିବ, ସେତେଦିନଯାଏ ଅଶାନ୍ତିର ନିଆଁ ମଣିଷ ମନରେ ଜଳୁଥିବ, ସେତେଦିନଯାଏ ବିପ୍ଳବ ପାଇଁ ପ୍ରଶସ୍ତ କ୍ଷେତ୍ର ରହିଥିବ । ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ତ୍ୟାଗ, ସେବା ଓ ଅନୁକମ୍ପା ଲୋଡ଼ା । ଯେଉଁମାନେ ଆଜି ଉଚ୍ଚ ପିଣ୍ଡାରେ ବସି ଗୋଟିଏ ଆଖିରେ ଆଇନ୍‍ ଓ ଆର ଆଖିରେ ସଂସ୍କୃତିକୁ ଅନାଇଁ ବସିଛନ୍ତି, ସେଇମାନଙ୍କ ଆଡ଼ୁ ଏସବୁ ଆଗ ହେବା ଆବଶ୍ୟକ ।

 

ମୁଁ ଅନ୍ଧ, ଅକ୍ଷମ, ଦରିଦ୍ର, ତୁଷାରକାନ୍ତି ଭୋକିଲା ପେଟରେ ଅନ୍ତରାତ୍ମାର ମୁକ୍ତାବାଣୀ ପ୍ରକାଶ କରୁଛି, ହେ ଅବନୀବାବୁ, ଅତୁଲ ବାବୁ, ରଙ୍ଗଲାଲ, ଗୋପାଳ, ଦୁଷ୍ମନ୍ତ ବାବୁମାନେ ଯଦି ନିଜର ମଙ୍ଗଳ ଆଉ ଦୁନିଆର ମଙ୍ଗଳ ଚାହୁଁଛ, ମୋରି ଏଇ ଫୁଟିଲା ଆଖିକୁ ଦେଖ । ଦୟା ପରିବର୍ତ୍ତେ କର୍ତ୍ତବ୍ୟର ଧାରଣା ମନକୁ ଆଣ । ତମରି ଭବିଷ୍ୟତ ପାଇଁ ମୁକ୍ତ ହସ୍ତରେ ଗନ୍ତାଘରୁ ଧନ କାଢ଼ିଦିଅ । ଗୋପାଳ ବାବୁଙ୍କର ମୁହଁ ଖୋଲିବ ନାହିଁ । ଯାହା ଆଜି ଅଛି ସେତକ ଯଦି ନ ଥିଲା ଅପାରଗର ମଙ୍ଗଳ ପାଇଁ ବ୍ୟୟିତ ହୁଏ, ଯାହାର ଅଛି ତାର ଏଇ ମନୋଭାବ ହୁଏ, ତେବେ ଯାହା ଅଛି ତାକୁ ଧ୍ୱଂସ କରି ପୁଣି ନୂଆ କରି ନୂଆ ଆଦର୍ଶରେ ଗଢ଼ିବା ଲୋଡ଼ା ହେବ ନାହିଁ । ମନ ବଦଳିଲେ ହେଲା । ନୋହିଲେ ପୂର୍ବଜନ୍ମର କର୍ମଫଳର ଡର, କି ଏ ଜନ୍ମର ଆଇନ୍ ଦୁନିଆକୁ ଧ୍ୱଂସପଥରୁ ବଞ୍ଚାଇ ପାରିବ କି ନାହିଁ ସନ୍ଦେହ ।

 

ଅନ୍ୟମାନେ ତୁନିହୋଇ ଚିନ୍ତା କଲେ ।

 

ତୁଷାରକାନ୍ତିର କଥା ଦୁଷ୍ମନ୍ତର ପ୍ରାଣରେ ଆଘାତ ଦେଲା । ସେ କହିଲା, ସେବା ହିଁ ମୋ ଜୀବନର ବ୍ରତ ହେଉ । ଜାଣେ ନାହିଁ କେତେବେଳେ କଅଣ ହେବ । ଆପଣମାନଙ୍କ ଆଗରେ ମୁଁ ଏତିକି ଆଜି ପ୍ରତିଶ୍ରୁତି ଦେଉଛି, ମୋର ସବୁ ସମ୍ପତ୍ତିରୁ ଅଧେ ମୁଁ ଅପାରଗ ଅକ୍ଷମଙ୍କର ସେବା ପାଇଁ ବନ୍ଧୁ ତୁଷାରକାନ୍ତି କିମ୍ବା ଅନ୍ୟ ଯାହାକୁ ଆପଣମାନେ ମନୋନୀତ କରିବେ, ତାଙ୍କରି ହାତରେ ଅର୍ପଣ କରିବି ।

 

ଅବନୀବାବୁ କହିଲେ, ଏ ବିଷୟରେ ବିବେଚନା କରି ପରେ ଆପଣମାନଙ୍କୁ କହିବି । ଦେଶର ଇଣ୍ଡଷ୍ଟ୍ରି ବଢ଼ାଇବାକୁ ମୁଁ ଜୀବନ ପଣ କରିଛି, ତଥାପି ମୋ କର୍ତ୍ତବ୍ୟରେ ମୁଁ ହେଳା କରିବି ନାହିଁ ।

 

ଅନ୍ୟମାନେ ଏ ବିଷୟରେ ଚିନ୍ତା କରିବାକୁ ସମୟ ଲୋଡ଼ିଲେ । ଗୋପାଳ ବାବୁ କେବଳ ହସିଲେ ।

 

ବୈଠକ ସରିଲା । ସମସ୍ତେ ନିଜ ନିଜ ଘରକୁ ଫେରିଲେ । ଦୁଷ୍ମନ୍ତ ନିଜ କାର୍‌ରେ ତୁଷାରକାନ୍ତିକୁ ବସାଇ ତାର ଘରେ ଛାଡ଼ିବାକୁ ଗଲା ।

 

ରାତି ନଅଟା ।

 

ଖବରଟା କଟକ ସହରରେ ରାଷ୍ଟ୍ର ହୋଇଗଲା । ଖବର କାଗଜମାନଙ୍କରେ ଛପା ହେଲା, ଓକିଲ ଦୁଷ୍ମନ୍ତବାବୁ ତାଙ୍କର ସ୍ଥାବରାସ୍ଥାବର ସମସ୍ତ ସମ୍ପତ୍ତିରୁ ଅଧେ ଦରିଦ୍ର ଅରକ୍ଷ ଅନ୍ଧ ଖଞ୍ଜ ରୁଗ୍‍ଣଙ୍କର ସେବା ପାଇଁ ଉତ୍ସର୍ଗ କରିଛନ୍ତି । ଶ୍ରୀଯୁକ୍ତ ତୁଷାରକାନ୍ତି, ଯେ ନିଜେ ଅନ୍ଧ ଓ ଦରିଦ୍ର, ଅଥଚ ଶିକ୍ଷିତ ଓ ବୁଦ୍ଧିମାନ, ତାଙ୍କର ହାତରେ ଦୁଷ୍ମନ୍ତ ସବୁ ସମ୍ପତ୍ତି ଅର୍ପଣ କରିଛନ୍ତି । ଅଧେ ସମ୍ପତ୍ତିର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା ହେବ । ସେହି ଟଙ୍କାର କଟକ ସହରରେ ଅକ୍ଷମମାନଙ୍କ ପାଇଁ ଆଶ୍ରମ ତୋଳା ହେବା । ସେମାନଙ୍କ ଭରଣ ପୋଷଣ, ଶିକ୍ଷା ଓ ଆନନ୍ଦ ପାଇଁ ସବୁ ବ୍ୟବସ୍ଥା କରାହେବ । ସାଧୁ ଉଦ୍ୟମ ! ସମସ୍ତଙ୍କର ସାହାଯ୍ୟ ଓ ସହାନୁଭୂତି ଲୋଡ଼ା । ଦେଶର ଧନିକ, ବଣିକ, ଜମିଦାର ଓ ମିଲ୍ ମାଲିକମାନେ ଅକୁଣ୍ଠିତ ଚିତ୍ତରେ ଏହି ଲୋକହିତକର କାର୍ଯ୍ୟକୁ ସାହାଯ୍ୟ କରନ୍ତୁ । କଟକରେ ପ୍ରଥମେ କେନ୍ଦ୍ର ଖୋଲା ହେବ । ତାପରେ ପ୍ରତି ଜିଲାର ରାଜଧାନୀରେ, ସବ୍‌ଡ଼ିଭିଜନରେ, ସେଇଠୁ ଗ୍ରାମର–

 

ବିରାଟ କଳ୍ପନା, ସାଧୁ ଉଦ୍ୟମ ! ମୁକ୍ତ ହସ୍ତରେ ଧାଇଁଆସ ଉତ୍ସାହ ଧନିକେ, ମଣିଷ ଜାତିର ସେବା କର, ଅକ୍ଷମ ଲୋକଙ୍କର ଦୁଃଖ ଦୂର କର ।

 

କାହିଁ, କେହି ତ ସାହାଯ୍ୟ କରିବାକୁ ଆଗଭର ହୋଇ ଧାଇଁ ଆସିଲେ ନାହିଁ ? କାହାନ୍ତି ଅବନୀବାବୁ, ଅତୁଲ ବାବୁ, ରଙ୍ଗଲାଲ ବାବୁ ? ଏତେ କଥାତ ସେମାନେ କହୁଥିଲେ ସେଦିନ ସଞ୍ଜରେ, ଚିଠି ଲେଖିଲେ ଉତ୍ତର ମିଳୁନାହିଁ । ସମସ୍ତେ ସମସ୍ତଙ୍କ ଆଡ଼କୁ କଣେଇ ଚାହୁଁଛନ୍ତି, କିଏ ଆଗ ଆସୁଛି ଦେଖାଯାଉ ।

 

ଦୁଷ୍ମନ୍ତର ଲାଇବ୍ରେରୀ ଘରେ । ଦିନ ପ୍ରାୟ ଦୁଇ ଘଣ୍ଟା ।

 

ଆଖିର ଚଷମା ସଜାଡ଼ି ମୁଣ୍ଡ ହଲାଇ ଗୋପାଳ କହିଲେ, ଦେଖିଲେ ତ ଦୁଷ୍ମନ୍ତ ବାବୁ ଆବେଦନ ଫଳ ? କେହି ଉତ୍ତର ଦେଲେ କି ? ଆପଣ ଯେଉଁ ଉଇଲ୍ ସମ୍ପାଦନ କରିଛନ୍ତି ତାର ଅବିକଳ ନକଲ ଖବର କାଗଜରେ ବାହାରିଲା । କେତେ ଜଣ ଲୋକ ଧାଇଁ ଆସିଲେ ସାହାଯ୍ୟ ଘେନି ?

 

ଦୁଷ୍ମନ୍ତ ଅବିଚଳିତ ହୋଇ କହିଲା, ଏତେଶୀଘ୍ର କଅଣ ହୃଦୟର ପରିବର୍ତ୍ତନ ହୋଇପାରେ ? ଯେଉଁମାନେ ଆଜି ଆସି ନାହାନ୍ତି ସେମାନେ କାଲି ଆସିବେ । ଆଗ ଆମର କାର୍ଯ୍ୟ ଆରମ୍ଭ ହେଉ । କାମ ଦେଖିଲେ ସେମାନଙ୍କର ମନ ତଟିବ । ଯଦି ତଥାପି ସେମାନେ ଅତୁଟ ରହନ୍ତି, ଆମେ ଯିବା, ହାତପାତି ଭିକ ମାଗିବା ।

 

ଗୋପାଳ ଗର୍ଜି ଉଠିଲେ, ଭିକ୍ଷା ? କାହିଁକି ମହାଶୟ ? ସେମାନେ ଯେଉଁ ଧନ ସଞ୍ଚି ରଖିଛନ୍ତି ସେ କାହାର ? ଯେଉଁମାନେ ଅପାରଗ ଅକ୍ଷମ ସେମାନେ ପେଟ ପାଇଁ ଭିକ ମାଗି ବାଟ କଡ଼ରେ ମରିବେ, ଆଉ ତାଙ୍କର ଧନ ଏମାନଙ୍କ ପାଖେ ସାଇତା ହୋଇ ରହିବ ? ହାତପାତିବା କାହିଁକି ? ସେମାନଙ୍କୁ ହାତପାତି ମାଗିବା ଧନକୁ ଗୋଡ଼ରେ ଠେଲି ନ ଦେବା କାହିଁକି ? ହାତରେ ଠେଙ୍ଗା ଧରିଲେ ସବୁ ହେବ ସମ୍ଭବ । ଆବେଦନ ନୁହେଁ, ଠେଙ୍ଗା ଲୋଡ଼ା, ଠେଙ୍ଗା ।

 

ନଟବର ବୁଢ଼ା ଚମକି ଉଠିଲେ । କହିଲେ, ପୁଣି ସେଇ ବିପଦ କଥା ଭାବୁଛନ୍ତି, ସଭ୍ୟତା ଓ ସଂସ୍କୃତିର ଧ୍ୱଂସ କଥା ? ସବୁତ ଧ୍ୱଂସ ହେବ ରହିବ କଅଣ ? ଠେଙ୍ଗା ଧରି ଉଦ୍ଦେଶ୍ୟ ସାଧନା କରିହେବ ନାହିଁ । ମୁଁ କହୁଛି, ଆସନ୍ତୁ, ସତ୍ୟାଗ୍ରହ ଆରମ୍ଭ କରିବା । ଧନିକର ଘର ଆଗରେ ବସି ଆମରଣ ଅନଶନ ବ୍ରତ ପାଳନ କରିବା ।

 

ଗୋପାଳ ଖେଙ୍କି ଉଠିଲା, ଅନଶନ, ପୁଣି ଆମରଣ ? ସାବାସ୍ । ବାଟରେ ଘାଟରେ ନିତି କେତେ ତ ବାଧ୍ୟ ହୋଇ ଅନଶନ କରୁଛନ୍ତି, ବଞ୍ଚିବାକୁ ଆକୁଳ ବିକଳ ହୋଇ ମରୁଛନ୍ତି । କାହାର ଭଲା ଛାତି ଥରି ଉଠୁଛି ସେ ମରଣ ଦେଖି ? ତ୍ରିତଳ ପ୍ରାସାଦ ଉପରେ ମଉଜ ମଜଲିସର ଧୁମ୍ ଯେଉଁଠି ଉଡ଼ୁଛି, ସେଇ କୋଠା କଡ଼ ନର୍ଦମାରୁ ଛାଣି ଆଣି ଖାଉଛି ବୁଭୁକ୍ଷୁ । ହୁଏତ ସେଇଠି ସେ ଟଳି ପଡ଼ୁଛି । ଧନିକର ମନ ତରଳୁଛି କି ? ଧନର ନିଶାରେ ସେ ଘାରି ହେଉଛି । ତମ ଆମ ପରି ଲୋକେ ଅନଶନ କଲେ କୌଣସି ଲାଭ ନାହିଁ । କେହି ଭ୍ରୂକ୍ଷେପ କରିବେ ନାହିଁ । ଅନଶନ କରିବାହିଁ ସାର ହେବ । ହୁଏତ ପ୍ରତିଜ୍ଞା ଭାଙ୍ଗିବ ନୋହିଲେ ହେବ ମରଣ ।

 

ଦୁଷ୍ମନ୍ତ କହିଲା, ତର୍କର ପ୍ରୟୋଜନ ନାହିଁ । ଆମର କର୍ତ୍ତବ୍ୟ ଆମେ କରିଯିବା, ଯେତିକି ଆମର ଶକ୍ତି । ଦୃଷ୍ଟାନ୍ତ ଦେଖି ଯଦି ଅନ୍ୟମାନେ ଆସନ୍ତି ଆହୁରି ଭଲ ହେବ । ଠେଙ୍ଗା ଧରି ଡରେଇ ହରେଇ ଲୋକଙ୍କୁ ବାଧ୍ୟ କରିବାର ପକ୍ଷପାତୀ ମୁଁ ନୁହେ । ମୁଁ ଜାଣେ, ତୁଷାର ବି ନୁହେ । ଧ୍ୱଂସ କରିବା ଆମର ଉଦ୍ଦେଶ୍ୟ ନୁହେ । ଗଠନମୂଳକ କାର୍ଯ୍ୟ ହିଁ ଆମର ପନ୍ଥା । ଅତଏବ ଆପଣଙ୍କ ଧର୍ମରେ ଆମକୁ ଦୀକ୍ଷିତ କରିବାକୁ ପ୍ରୟାସ ଛାଡ଼ନ୍ତୁ ।

 

ଗୋପାଳ ଓ ନଟବର ବିଦାୟ ନେଲେ ।

 

ଦୁଷ୍ମନ୍ତ ଓ ତୁଷାରକାନ୍ତି ତୁନି ହୋଇ ବସିଲେ । ଉଭୟଙ୍କର ଭାବନା, କଃ ପନ୍ଥା ? ପ୍ରାୟ ଦୁଇଲକ୍ଷ ଟଙ୍କାର ସମ୍ପତ୍ତି ଓ ବ୍ୟାଙ୍କ ବାଲାନ୍‌ସରେ ଅଧେ, ପ୍ରାୟ ପଚାଶ ହଜାର ଟଙ୍କା ସେ ତୁଷାରକାନ୍ତି ହାତରେ ରଖି ଦେଇଛି । ସେ ନିଜେ ଯାହା ଭାବି ସ୍ଥିର କରୁଛି କରୁ । ମତାମତ ଚାହିଁଲେ ଦୁଷ୍ମନ୍ତ ସିନା ଭଲ କି ମନ୍ଦ କହିପାରିବ, ସିଦ୍ଧାନ୍ତ ତୁଷାର ହାତରେ ।

 

ବିଳମ୍ବରେ ପ୍ରୟୋଜନ ନାହିଁ । କଟକ ସହରରେ ଦୁଷ୍ମନ୍ତର ଖାନାବାଡ଼ି ଅତି ବଡ଼ । ବଡ଼ ରାସ୍ତାର ଗେଟ୍ ପାଖରୁ ହତା ଭିତରକୁ ଘରୋଇ ରାସ୍ତା ପଡ଼ିଛି । ରାସ୍ତାର ଦୁଇ ପାଖେ ଖୋଲା ଜାଗା । ବଗିଚା । ବଗିଚା ଭିତରେ ଛୋଟ ପୁଷ୍କରିଣୀ । ପୁଷ୍କରିଣୀକୁ ଲାଗି ଅତିଥିଶାଳା । ସେଇଠି ଆଗେ ଅନନ୍ତ ବାବୁଙ୍କର ମହକିଲମାନେ ରହୁଥିଲେ । ଅନନ୍ତବାବୁଙ୍କର ମୃତ୍ୟୁପରେ ଯେତେବେଳେ ଓକିଲାତି କାର୍ଯ୍ୟରେ ଅବହେଳା କରି ଦୁଷ୍ମନ୍ତ ଦେଶ କାମରେ ମନଦେଲା, ଦୂର ଦେଶାଗତ ବନ୍ଧୁମାନଙ୍କର ରହିବା ପାଇଁ ସେଇ ଅତିଥିଶାଳା ପ୍ରୟୋଜନ ହେଲା । କାର୍ଯ୍ୟଟା ଆଗ ସେଇଠି ଆରମ୍ଭ ହେଉ ।

 

ଯେଉଁ ଅତିଥିଶାଳାରେ ମାମଲାଖୋର ଧନୀ ମହକିଲ କିମ୍ବା ନାମ କମେଇବା ପ୍ରୟାସୀ ଦେଶ–କର୍ମୀ ଆଶ୍ରୟ ନେଉଥିଲେ ସେଇଠି ରହନ୍ତୁ ଅପାରଗ ଅକ୍ଷମ ନିରାଶ୍ରୟ । ସ୍ଥାନ ନିଅଣ୍ଟ ହେଲେ ଆଉ ଘର ତୋଳି ହେବ । ଆଶ୍ରିତମାନଙ୍କର ସେବା ନିମନ୍ତେ ସବୁ ଆୟୋଜନ ହେବ ।

 

ଦୁଷ୍ମନ୍ତର ବଡ଼କୋଠା, ଯେଉଁଠି ସେ ସୁଖରେ ରହେ, ଦୋତାଲା, ତିନି ଧାଉଡ଼ି, ତାରି ଆଗରେ ଏକତାଲା ଘର, ଦୁଇ ଖଞ୍ଜା । ସେଇଠି ମୋହରୀରମାନେ ଆଗେ ରହୁଥିଲେ । ସବୁ ଖୋଲା ପଡ଼ିଛି । ଲୋକବାକ ଗହଳ ଚହଳ ନାହିଁ । ଗୋଟିଏ ଖଞ୍ଜାରେ ଦୁଷ୍ମନ୍ତର ବନ୍ଧୁ ଓ ସହକର୍ମୀ ତୁଷାରକାନ୍ତି ସ୍ୱଚ୍ଛନ୍ଦରେ କୁଟୁମ୍ବ ଧରି ରହିପାରେ ।

 

ରହିଲେ ସୁବିଧା ହେବ । ଦୁଷ୍ମନ୍ତର କଚେରୀ ଘରର ତଳ ମହଲାରେ ତୁଷାର କରିବ କଚେରୀ । କ୍ଷଣପ୍ରଭା ସାହାଯ୍ୟ କରିବ । ଉପର ତାଲାରେ ଲାଇବ୍ରେରୀ । ରିସର୍ଚ୍ଚ କରିବାକୁ ସୁବିଧା-। ଛୋଟ ହ୍ୟାଣ୍ଡ୍‌ପ୍ରେସଟିଏ ମଧ୍ୟ ତଳ ମହଲାର ବଡ଼ ହଲରେ ବସାଯାଇ ପାରିବ । ଗୋଟିଏ ସପ୍ତାହିକ ପତ୍ରିକା ବାହାରିବ, ସମ୍ପାଦକ ହେବ ଦୁଷ୍ମନ୍ତ, ପରିଚାଳାକ ତୁଷାରକାନ୍ତି ଓ ସହକାରୀ କ୍ଷଣପ୍ରଭା ।

 

ଦୁଷ୍ମନ୍ତର ପ୍ରସ୍ତାବ ତୁଷାରକାନ୍ତିର ମନକୁ ପାଇଲା । ନିରାଶ୍ରୟ ଅକ୍ଷମଙ୍କର ସେବା କରିବାକୁ ସେ ଜୀବନ ପଣ କରିବ, କିନ୍ତୁ ତାର ନିଜର ମଧ୍ୟ ଦାୟିତ୍ୱ ରହିଛି । ସେ ଦୁଷ୍ମନ୍ତ ପରି ମୁକ୍ତ ଆକାଶର ବିହଙ୍ଗ ନୁହେ । ସେ ବିବାହିତ, କୁଟୁମ୍ବୀ । ମା, ସ୍ତ୍ରୀ ଓ ଭଉଣୀଙ୍କ ପ୍ରତି ତାର କର୍ତ୍ତବ୍ୟ ରହିଛି । ସେମାନଙ୍କର ଭବିଷ୍ୟତ କଥା ତାକୁ ଭାବିବାକୁ ପଡ଼ିବ । ଯେଡ଼େ ଆପଣାର ବନ୍ଧୁ ହେଲେ ମଧ୍ୟ ଦୁଷ୍ମନ୍ତର ଆଶ୍ରିତ କି ଦୟାର ପାତ୍ର ହୋଇ ରହିବାକୁ ସେମାନେ କୁଣ୍ଠିତ ହେବେ । ତେବେ ଉପାୟ ?

 

ତୁଷାରର ମନଖୋଲା କଥା ଶୁଣି ଦୁଷ୍ମନ୍ତ କହିଲା, ଏହାର ସମାଧାନ ଅତି ସହଜ । ଅରକ୍ଷମାନଙ୍କର ସେବକ ଓ ସେବିକାରୂପେ ସେମାନଙ୍କ ପାଇଁ ଯେଉଁ ପାଣ୍ଠି ସ୍ୱତନ୍ତ୍ର ରଖାଯାଇଛି, ସେଇଥିରୁ ତୁମେ ଦୁହେଁ ପାରିଶ୍ରମିକ ଗ୍ରହଣ କରିବ । ପାଣ୍ଠିର ମାଲିକ ମୁଁ ନୁହେଁ କି ତୋରି ନାମରେ ରଖାଯାଇଛି ବୋଲି ତୁ ନୁହଁ । ଯେଉଁ ଅନ୍ଧ, ଖଞ୍ଜ, ନିରାଶ୍ରୟ, ଅକ୍ଷମମାନଙ୍କ ପାଇଁ ତାହା ରଖାଯାଇଛି, ସେହିମାନେ ତାର ଅଧିକାରୀ । ତୁ ଓ କ୍ଷଣପ୍ରଭା ଉଭୟେ ମାସକୁ ଏକଶତ କରି ଟଙ୍କା ପାରିଶ୍ରମିକ ଗ୍ରହଣ କରିପାର ।

 

ଦୁଇଶ ଟଙ୍କା !

 

ଦୁଷ୍ମନ୍ତ କହିଲା, ଦୁଇଶ ଟଙ୍କା ବେଶି ନୁହେଁ । ତମେ ଦୁହେଁ ନିଶ୍ଚିନ୍ତ ହେଲେ ଓ ଅର୍ଥର କଥା ନ ଭାବିଲେ, ମୁଁ ନିଶ୍ଚିନ୍ତ ହେବି । ‘‘ଅକ୍ଷମ-ନିବାସ’’ ପାଇଁ ଯେଉଁ ପାଣ୍ଠି ରଖାଯାଇଛି ତାରି ସୁଧରୁ ମାସିକ ପାରିଶ୍ରମିକ ପାଇବ, ଆଉ, ମୁଁ ବି ।

 

ତୁଷାରକାନ୍ତି ବିସ୍ମିତ ହୋଇ କହିଲା, ଏ ସବୁ ତୋରି ଦାନ, ତୁ କାହିଁକି ପାରିଶ୍ରମିକ ନେବୁ ? କାହାଠାରୁ ବା ତୁ ନେବୁ ?

 

ଦୁଷ୍ମନ୍ତ ହସିଲା । କହିଲା, ମୋର ଦାନ ନୁହେଁ କି କାହାର ଦାନ ନୁହେଁ । ମୁଁ ସେ ଧନ ଅର୍ଜନ କରି ନ ଥିଲି । ମୁଁ ତାର ରକ୍ଷକ ମାତ୍ର । ସେହିମାନଙ୍କର ସେବାରେ ହିଁ ସେ ଧନ ବ୍ୟୟିତ ହେବ । ମା ମୋର ଜୀବିତା, ତାଙ୍କର ମନକଥା ମୁଁ ଜାଣେ ନାହିଁ । ସେଇଥିପାଇଁ ସବୁ ସମ୍ପତ୍ତିରୁ ଅଧେ ତାଙ୍କ ପାଇଁ ଆଡ଼େଇ ରଖିଛି । ମୋର କଅଣ ଲୋଡ଼ାରେ ? ପ୍ରାଣ ବଞ୍ଚାଇବାକୁ ମୋଟା ସୋଟା ମୁଠିଏ ଭାତ ଓ ଲଜ୍ଜା ନିବାରଣ ପାଇଁ ଯେତିକି ଲୋଡ଼ା ସେତିକି । ମୋର ପାରିଶ୍ରମିକର ପରିମାଣ ତମେ ସ୍ଥିର କରିବ ।

 

ତୁଷାରକାନ୍ତିର ତୁଣ୍ଡରୁ କଥା ବାହାରିଲା ନାହିଁ । ଦୁଷ୍ମନ୍ତ ପାଗଳ । କାହିଁକି ସେ ତ୍ୟାଗ କରୁଛି ? କୌଣସି ଛପିଲା ବ୍ୟଥାର ଅଭିମାନ, କେବଳ ଉତ୍ତେଜନା, ଅଥବା ପ୍ରକୃତରେ ନିଆଶ୍ରା ଲୋକଙ୍କର ଦୁଃଖ ଯନ୍ତ୍ରଣା ତାକୁ ବ୍ୟାକୁଳ କରିଛି, ଆତ୍ମତ୍ୟାଗର ପ୍ରେରଣା ଆଣିଛି ତା ମନରେ ? ଯାହା ସେ କରିଛି ଓ କରିବାକୁ ସଂକଳ୍ପ କରିଛି ସେ ସବୁ କଅଣ ତାର ହୃଦୟର କଥା ? ଆହା ଭଗବାନ୍, ଯଦି କ୍ଷଣକ ପାଇଁ ତାର ଦୃଷ୍ଟିଶକ୍ତି ଫେରାଇ ଦିଅନ୍ତି, ବନ୍ଧୁ ଦୁଷ୍ମନ୍ତର ଆଖିକୁ ଚାହିଁ ତାର ପ୍ରାଣର ଭାଷା ଥରେ ସେ ବୁଝନ୍ତା !

 

ତୁଷାର ବ୍ୟଥାଭରା କଣ୍ଠରେ କହିଲା, ଦୁଷ୍ମନ୍ତ, କାହିଁକି ତୋର ମନର ଏତେବଡ଼ ପରିବର୍ତ୍ତନ ହେଲା ? ଧନୀର ପିଲା ତୁ–

 

ତୁନି ରହ ତୁଷାର, ମନେକର ତୋରି ନିଜର କଥା । ମନେକର ଭାଇ, ତୁ ଆଜି ଆଖି ଫେରି ପାଇଛୁ, ଆଉ ତୋର ବନ୍ଧୁ ଦୁଷ୍ମନ୍ତ ତାର ଦିଓଟି ଆଖି ହରାଇ ବସିଛି । ମଟର ଦୁର୍ଘଟଣାରେ ସେଇ ରିକ୍‍ସାବାଲାଟି ପରି ଦୁଷ୍ମନ୍ତର ଗୋଡ଼ ଓ ଅଣ୍ଟା ଭାଙ୍ଗି ଚିରଦିନ ପାଇଁ ଅଚଳ ହୋଇଛି । ଆଜୀବନ ସେ ହେବ ଅପାରଗ । ବିହାରର ଭୂମିକମ୍ପରେ ଦୁଷ୍ମନ୍ତର କୋଠାବାଡ଼ି ଧୂଳିସାତ୍ ହୋଇଛି-। ମହାନଦୀର ବନ୍ୟାରେ ତାର ଜମି ଜମିଦାରୀ ହୋଇଛି ସାହାରା । ଭାଇ ତୁଷାର, ଦେଖିପାରୁଛୁ ସେ ହତଭାଗ୍ୟ ଦୁଷ୍ମନ୍ତକୁ, ଦେଖିପାରୁଛୁ, ପେଟପାଇଁ ସେ କିପରି ହାତପାତି ଆକୁଳ କଣ୍ଠରେ ଡାକୁଛି ? ତା ପାଇଁ ତୋର କିଛି କର୍ତ୍ତବ୍ୟ ନାହିଁ ।

 

ଏ ସବୁ ତୋର ସହାନୁଭୂତିଶୀଳ ଉତ୍ତେଜିତ ମନର ଭାବନା ।

 

ସତ ହେବାକୁ ସମୟ ଲାଗେ ନାହିଁରେ, ତୁଷାର, ମୁହୂର୍ତ୍ତକରେ ସବୁ ଘଟିଯାଏ, ଯେମିତି ଘଟିଲା ତୋରି ଜୀବନରେ ପୁଣି ସେଇ ଦରିଦ୍ର ରିକ୍‌ସାବାଲାର ଜୀବନରେ । ଡେରିଲାଗେ ନାହିଁରେ, ଡେରି ଲାଗେ ନାହିଁ । ମୁଁ ଯାହା କରିବାକୁ ଯାଉଛି ତାହା କେବଳ ମୋର ଭବିଷ୍ୟତ ପାଇଁ, ତୋରି ପରି ଆଉ ମୋରି ଦୁନିଆଁର ହତଭାଗ୍ୟମାନଙ୍କ ପାଇଁ । ମୋର ସ୍ୱାର୍ଥ ଅଛିରେ ତୁଷାର-

 

ତୁଷାରକାନ୍ତି ମନଖୋଲି କହିଲା, ତୋରି ସୁବିବେଚିତ ପ୍ରସ୍ତାବରେ ମୁଁ ଏକମତ କିନ୍ତୁ କ୍ଷଣପ୍ରଭାର ମତାମତ ନ ବୁଝି ପକ୍‌କା ଜବାବ୍ ଦେଇପାରିବି ନାହିଁ । ସେ ଯଦି ଏଠାକୁ ଆସି ଆମର କାର୍ଯ୍ୟରେ ସାହାଯ୍ୟ କରିବାକୁ ସମ୍ମତ ହୁଅନ୍ତି ତେବେ ସବୁ ସୁବିଧା ହେବ । କିନ୍ତୁ ସେ ଯଦି ସମ୍ମତ ନ ହୁଅନ୍ତି ?

 

ନ ହେବ କାହିଁକି ?

 

ତୋ ପ୍ରଶ୍ନର ଉତ୍ତର ଏକା ସେ ଦେଇପାରିବେ । ଆଜିକାଲିକା ଶିକ୍ଷିତା ନାରୀ ଆତ୍ମସମ୍ମାନ ଜ୍ଞାନ ଓ ସ୍ୱାଧୀନତା ଧାରଣା ସେମାନଙ୍କର ଟିକିଏ ବେଶି । ଦୁଃଖ କଷ୍ଟ ଅଭାବ ଅସୁବିଧାର ଚାପ ଭିତରେ ବି ତାଙ୍କର ଅହମିକା ମୁଣ୍ଡଟେକି ଉଠେ ।

 

କ୍ଷଣପ୍ରଭାଙ୍କର ଅହମିକା ନାହିଁ କି ଆତ୍ମଭିମାନର ଧାରଣା ତାଙ୍କର ମନରେ ରହିପାରେ ନାହିଁ । ତୁଷାର, ତାଙ୍କୁ ମୁଁ ପିଲାଟି ଦିନରୁ ଦେଖି ଆସିଛି । ତାଙ୍କର ପ୍ରତିକଥାରେ ସେବିକାର ମନୋଭାବ ଫୁଟି ଉଠେ । ଆଜି ସେ ସେବିକା, ଆଦର୍ଶ ପତ୍ନୀ, ଆଦର୍ଶ ଗୃହିଣୀ ! ତୋର ସେବା କାର୍ଯ୍ୟରୁ ତାଙ୍କୁ ସାମାନ୍ୟ ବିଚ୍ୟୁତ ହୋଇ ଦୁନିଆଁର ନିରାଶ୍ରୟ ଅକ୍ଷମଙ୍କ ସେବା କରିବାକୁ ସେ କୁଣ୍ଠିତ ହେବେ ନାହିଁ ।

 

ସେ ନାରୀ ପୁଣି ସଂସାରୀ । ସ୍ୱାର୍ଥପରତା ଆସିବ । ଯଦି ସେ ରାଜି ନ ହୁଏ ?

 

ମୁଁ ନିଜେ ଯାଇଁ ତାଙ୍କୁ ଅନୁରୋଧ କରିବି । ଦୁନିଆର ଅକ୍ଷମ ନିରାଶ୍ରୟଙ୍କ ପାଇଁ ମୁଁ ନିଜେ ତାଙ୍କର ସେବା ଭିକ୍ଷା ମାଗିବି ।

 

ତୁଷାର ଗମ୍ଭୀର ହେଲା ।

 

ଦୁଷ୍ମନ୍ତକୁ ସେବା–ଭିକ୍ଷା ମାଗିବାର ସୁଯୋଗ ମିଳିଲା ନାହିଁ । ସେଇଦିନ ସଞ୍ଜରେ, ଯେତେବେଳେ ତୁଷାରକାନ୍ତିକୁ ଛାଡ଼ିବାକୁ ସେ ମଟର ଗାଡ଼ି ନେଇ ତାର ଛୋଟ ବସାରେ ପହଞ୍ଚିଲେ, ସେ ଦେଖିଲା ତୁଷାରର ସାନ ଭଉଣୀ ନୀହାରିକା କ୍ଷଣପ୍ରଭା ପାଖରେ ବସି ଆଖିରୁ ଲୁହ ଢାଳୁଛି । କ୍ଷଣପ୍ରଭାକୁ ଜର । ସେ ହତଜ୍ଞାନ ପ୍ରାୟ ହୋଇପଡ଼ିଛି । ବେଶି ଉତ୍ତାପ । ଆରଘରେ ତୁଷାରକାନ୍ତିର ମାଆ ମଧ୍ୟ ଜରରେ ଛଟପଟ ହେଉଛନ୍ତି ।

 

ଛୋଟ ଲ୍ୟାମ୍ପଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । ମଶାପଲ ଭାଉଁ ଭାଉଁ ହେଉଛନ୍ତି । ଶୀତଦିନ, ତଥାପି ତାଙ୍କର ଉତ୍‍ପାତ କମି ନାହିଁ । ମଶାରି ନାହିଁ । ଘୋଡ଼ିହେବାକୁ କମ୍ୱଳ କି ରେଜେଇ ତ ଦୂରର କଥା, ଭଲ ଚଦର ଖଣ୍ଡେ ବି ନାହିଁ । ପଛପଟ ପୋଖରୀରୁ ପଚା ଦଳର ଗନ୍ଧ ଉଠୁଛି । ଘରର ଯୁଆଡ଼େ ଚାହିଁଲେ ଦିଶୁଛି ଅଭାବର ନଗ୍ନରୂପ ।

 

ଏଇ ବନ୍ଧୁ ତୁଷାରକାନ୍ତିର ଘର ଓ ସଂସାର !

ଦୁଷ୍ମନ୍ତ ବିଚଳିତ ହେଲା ।

 

ତୁଷାର ଓ ଦୁଷ୍ମନ୍ତଙ୍କୁ ଦେଖି ନୀହାରିକା ଦୁଃଖ, ଅଭିମାନ ଓ ରାଗରେ ଅନର୍ଗଳ କହିବାକୁ ଲାଗିଲା, ତମେ ଦଶଟାବେଳୁ ନ ଖାଇ ନ ପିଇ ଯାଇଥିଲ, ଏତେବେଳଯାଏ ଥିଲ କେଉଁଠି ? ବୋଉକୁ ଜର ହେଲା । ନୂଆଉ ତାର ସେବା କରୁଥିଲେ । ଦିନ ଦୁଇଟାରୁ ସେ ବି ଜରରେ ଛଟପଟ ହେଉଛନ୍ତି । ଆଉ କେହି ଘରେ ନାହିଁ । ଏକା ମୁଁ କଅଣ କରିବି ? ଘରବାଲା ଧୋବା ଆସି ଭଡ଼ା ପାଇଁ ବିରକ୍ତ କଲା, କହିଲା, ଦି ମାସର ଭଡ଼ା ବାକି । ମଦଖାଇ ଅଭଦ୍ର ଭାଷାରେ ଗାଳିଦେଲା । କହିଲା, ଘର ଛାଡ଼ି ଚାଲିଯାଅ । ନୂଆଉଙ୍କୁ ଜର ହୋଇଛି ଶୁଣି ସେ ଚାଲିଗଲା । ତମେ କୁଆଡ଼େ ରହିଲ ଭାଇ ? ଚୁଲି ଉପରେ ଭାତ ଶୁଖି ଚଣା ଚାଉଳ ହେଲାଣି । ତମେ ଉପାସରେ ଗଲ, ରାଗିକରି ଗଲ, ଆଉ କେହି ଖାଇଲେ ନାହିଁ । ସେ ବଢ଼େଇ ଟୋକା ଥାଳି ଖଣ୍ଡ ଫେରାଇ ଦେଇ ଗଲା । କହିଲା, ତିନି ଟଙ୍କାକୁ କେହି ନେଲେ ନାହିଁ ।

 

ବାଧା ଦେଇ ତୁଷାର କହିଲା, ତୁନି ହ ନୀର, କଅଣ ଗୁଡ଼ାଏ ବକୁଛୁ, ଦେଖୁନୁ, ମୋ ସଙ୍ଗରେ ଭଦ୍ରଲୋକ ଆସିଛନ୍ତି ।

 

ନୀର ତୁନି ହେଲା । ଘୃଣାଭରା ଆଖିରେ ଦୁଷ୍ମନ୍ତର ମୁହଁକୁ ଚାହିଁ କହିଲା, ନୂଆଉ ଟିକେ ଶୋଇ ପଡ଼ିଛନ୍ତି । ତମେ ଏଇଠି ବସ । ମୁଁ ବୋଉ ପାଖକୁ ଯାଉଛି । ସେ ଆଉଳି ବାଉଳି ହେଉଛି-। ଭାଇ, ସେଇ ଶୁଖିଲା ଭାତରୁ ମୁଠିଏ ଖାଇବ ?

 

ତୁଷାର ଉତ୍ତର ଦେଲା ନାହିଁ । ଖଟ ଉପରେ କ୍ଷଣପ୍ରଭା ପାଖରେ ତୁନି ହୋଇ ବସିଲା । ବାର ବର୍ଷର ଝିଅ ନୀହାରିକା, ମୁହୂର୍ତ୍ତେ ଅପେକ୍ଷା ନ କରି ମୁହଁ ଫଣଫଣ କରି ଚାଲିଗଲା ଆରଘରକୁ । ଦୁଷ୍ମନ୍ତ ସବୁ ଶୁଣିଲା, ସବୁ ଦେଖିଲା । ତୁନିହୋଇ ବସି ରହିଲା ଚଉକି ଉପରେ, ତୁଣ୍ଡ ଖୋଲିବାକୁ ତାର ସାହସ ହେଲାନାହିଁ । ମନ ଡାକିଲା କହିବାକୁ, କାହିଁକି ଏତେ ଦୁଃଖ ପାଉଛୁ ଦହଗଞ୍ଜ ହେଉଛୁ ତୁଷାର ? ବନ୍ଧୁର ସାହାଯ୍ୟ ଲୋଡ଼ିଲେ ଆତ୍ମସମ୍ମାନ ହାନୀ ହୁଏ ନାହିଁ । ଜୀବନ ଥିଲେ ତ ଆତ୍ମସମ୍ମାନ ଖୋଜିବ ? ଦାରିଦ୍ର୍ୟର ବଡ଼ିମାରେ ସ୍ନେହମୟୀ ଜନନୀ ଓ ପ୍ରିୟତମା ପତ୍ନୀକୁ ହରାଇ ବସିଲେ ଲାଭ କଅଣ ହେବ ? କାହିଁକି ଏ ସଂସାର ?

 

ତୁଷାର କ୍ଷଣପ୍ରଭାର ମୁଣ୍ଡରେ ହାତ ମାରିଲା । ଖଇଫୁଟା ତାତି । ଫୁଟିଲା ଆଖି କୋଣରେ ଜକେଇ ଆସିଲା ଲୁହ । ଅଭିମାନ ବଡ଼ କରି ଆଜି କ୍ଷଣପ୍ରଭାର ଏ ଦଶା । ଦୁଷ୍ମନ୍ତର ସାହାଯ୍ୟ ଗ୍ରହଣ କରିବାକୁ ଯଦି ସେ ଆପତ୍ତି ନ କରନ୍ତା, ଦୁଷ୍ମନ୍ତର ପ୍ରସ୍ତାବରେ ଯଦି ସେ ମଙ୍ଗନ୍ତା, ଦୁଃଖ ଜଞ୍ଜାଳରେ ସେମାନେ ଘାଣ୍ଟି ଚକଟି ହୁଅନ୍ତେ କାହିଁକି ? କାହିଁକି ଅନ୍ଧର ସଂସାରରେ ଅଶାନ୍ତି ଅସନ୍ତୋଷ ଆସନ୍ତା ?

 

ତୁଷାର ଡାକିଲା, ପ୍ରଭା–

କ୍ଷଣପ୍ରଭା ଉତ୍ତର ଦେଲା, ଉଁ–

 

ହଠାତ୍ ଏମିତି ହେଲା କାହିଁକି ବୁଝୁଛ ତ ? ଯେତେ ମନାକଲେ ମାନୁନ । ଦଳୁଆ ପୋଖରୀରେ ପଚା ପାଣିରେ ଦୁଇବେଳା ଗୋଧୋଇଚ, ବାସନ ମାଜୁଛ, ଘରଯାକର ଲୁଗା କାଚୁଚ-। ଖିଆପିଆ ଠିକଣା ନାହିଁ । କଥା ନ ମାନି ଟିଉସନ୍ ଖୋଜି ବୁଲୁଚ । ଅବାଧ୍ୟତାର ଫଳ ଏବେ ପାଇଲ ତ ।

 

ତୁଷାରକାନ୍ତିର ହାତ ମୁଠାଇ ଧରିଲା କ୍ଷଣପ୍ରଭା । ଆଖିରେ ଲୁହ, ଦେହରେ ଦାହ, ମନରେ କୋହ । ତଥାପି, ଅନ୍ଧ–ସ୍ୱାମୀର ଏଇ ହାତଟିକୁ ମୁଠାଇ ଧରିଲେ ଜୀବନର ମୋହ ସେ ଛାଡ଼ିପାରେ ନାହିଁ । ମରଣକୁ ସେ ଡରୁ ନାହିଁ । ମରଣ ଆସିଲା ନିଜ ପାଇଁ ସେ ଦୁଃଖ କରିବ ନାହିଁ-। କିନ୍ତୁ, ତାର ଏଇ ଅନ୍ଧ ସ୍ୱାମୀ, ରୋଗଣା ଶାଶୁ, ଅଲିଅଳୀ ନଣନ୍ଦଙ୍କର କିଏ କରିବ ସେବା ? ସେଇ କଥା ସେ ଭାବେ । ସବୁ ତାକୁ ଅନ୍ଧାର ଦିଶେ ।

 

କ୍ଷୀଣକଣ୍ଠରେ କ୍ଷଣପ୍ରଭା କହିଲ, ତମେ ଆସିଲଣି, ଏଥର ମୋର ଜର ଭଲ ହୋଇଯିବ-। ମୋ ଉପରେ ବୃଥାରେ ତମେ ରାଗିଲ ସିନା, ଖାଇଲ ନାଇଁ ଚାଲିଗଲ, ତମେ ବୁଝିଲ ନାହିଁ, ତିନିଟା ଟିଉସନ୍ ମୁଁ ଠିକ୍ କରିଛି । ସକାଳେ, ଦିପହରେ, ପାଞ୍ଚଟାବେଳେ । କୋଡ଼ିଏ ଟଙ୍କା କରି ଷାଠିଏ ଟଙ୍କା ମିଳିବ । ଆମର ଆଉ ଅଭାବ ହେବ ନାହିଁ । ମୁଁ ଗୋଟାଏ ସିଲେଇ କଳ ଠିକ୍ କରିଛି-। ସିଲେଇ କାମ ମତେ ଆସେ । ତମେ ଘରେ ରହି ନୀରକୁ ପଢ଼ାଇବ । ରାତିରେ ମୋତେ ବି ପଢ଼ାଇବ । ମୁଁ ବି.ଏ. ପରୀକ୍ଷା ଦେବି । ତମେ ବହି ଡାକିବ, ମୁଁ ଲେଖିବି । ପିଲାଙ୍କ ପାଇଁ ଛୋଟ ଛୋଟ ଓଡ଼ିଆ ବହି, ପିଲାଙ୍କ ପାଇଁ ଭଲ ବହି ନାହିଁ । ବହି ବିକିଲେ ବି କିଛି ଲାଭ ହେବ । ତମେ ରାଗ ନା, ମୋ କଥା ଶୁଣ । ସବୁ ଭାବିଛନ୍ତି ସ୍ଥିର କରିଛି । ଘରକାମ ସବୁ ମୁଁ କରିବି । ରାତି ନ ପାହୁଣୁ ସବୁ ଶେଷ କରିବି । ପୁଣି ଟିଉସନରୁ ଫେରି ସଞ୍ଜରେ । ଭଗବାନ ସହାୟ ହେବେ । ଦୁଃଖ ଫେରିବ । ମୁଠିଏ ଖାଇବାକୁ, ଖଣ୍ଡେ ପିନ୍ଧିବାକୁ ଅଭାବ ହେବ ନାହିଁ । ଆମେ କାହିଁକି ପରମୁଖାପେକ୍ଷୀ ହେବା, ପର ଧନରେ ଆସ୍ଥା ରଖିବା ? ବଡ଼ ଲୋକ ହେବାକୁ ଆମର ଇଚ୍ଛା ନାହିଁ-। ପରର ସାହାଯ୍ୟ ଭିଖାରୀ ହେବାକୁ ଆଗ୍ରହ କରି ତମେ ଆଉ ମୋ ଉପରେ ରାଗିବ ନାହିଁ, କହ, କହ, ମୋର ଜର ଭଲ ହେଇଯିବ ।

 

ତୁଷାରକାନ୍ତିର ହାତଟିକୁ ମୁହଁରେ ଲଗାଇ କାନ୍ଦିବାକୁ ଲାଗିଲା କ୍ଷଣପ୍ରଭା । କାନ୍ଦିଲା ସ୍ୱରରେ ପୁଣି କହିଲା, କହ, କହ, ମୋର ସଂକଳ୍ପରେ ବାଧା ଦେବ ନାହିଁ । ତମ ସେବାରୁ ମତେ ବଞ୍ଚିତ କରିବ ନାହିଁ । ନୋହିଲେ ମତେ ମରିବାକୁ ଅନୁମତି ଦିଅ । ପରର ଭିକ୍ଷା ଯଦି ଗ୍ରହଣ କରିବ ମତେ ମରିବାକୁ ଛାଡ଼ିଦିଅ ।

 

ତୁଷାର ବୁଝିଲା, କ୍ଷଣପ୍ରଭା ଜରର ପ୍ରକୋପରେ ଏଣୁତେଣୁ ଗପୁ ନାହିଁ, ମନର କଥା ହିଁ ସେ କହୁଛି । ଯେଉଁଦିନ ସେ ଜାଣିଲା ଦୁଷ୍ମନ୍ତ ତାର ଅଧେ ସମ୍ପତ୍ତି ନିଃସହାୟ ଦରିଦ୍ର ଅକ୍ଷମଙ୍କର ସେବାପାଇଁ ଦାନ କରିଛି ଓ ସେ ସମ୍ପତ୍ତି ତୁଷାରକାନ୍ତିର ହାତରେ ଅର୍ପଣ କରିଛି ସେହି ଦିନରୁ ସେ ଅନ୍ୟମନସ୍କ ହୋଇଛି । ଏ ସମ୍ବନ୍ଧରେ ବିଶେଷ କିଛି ଜାଣିବାକୁ ସେ କେବେ ଆଗ୍ରହ ଦେଖାଇ ନାହିଁ କି ଦୁଷ୍ମନ୍ତର ଦାନ ପାଇଁ ତାକୁ ପ୍ରଶଂସା କରିନାହିଁ, ଧନ୍ୟବାଦ ଦେଇନାହିଁ । ବରଂ ସେହିଦିନଠାରୁ ଟିଉସନ୍ ଖୋଜିବାରେ ଅଧିକ ବେଳ ବାହାରେ କଟାଉଛି ।

ତୁଷାରକାନ୍ତି କଥାରେ କଥାରେ ଦିନେ ପଚାରିଥିଲା, ଏଡ଼େବଡ଼ ଦାୟିତ୍ୱ ଯେ ଦୁଷ୍ମନ୍ତ ମୋ ମୁଣ୍ଡରେ ଲଦି ଦେଲା ତମେ ସାହାଯ୍ୟ ନ କଲେ ମୁଁ ଏ ଦାୟିତ୍ୱ ଏକାକୀ ମୁଣ୍ଡାଇ ପାରିବି ନାହିଁ-। ଦୁଷ୍ମନ୍ତର ଇଚ୍ଛା, ତମେ ଆମର ସହକର୍ମିଣୀ ହେବ ।

ପ୍ରଭା ସଙ୍ଗେ ସଙ୍ଗେ ତାର ଉତ୍ତର ଦେଇଥିଲା, ଦାୟିତ୍ୱ ମୁଣ୍ଡାଇବା ପୂର୍ବରୁ ତମେ ମୋର ମତାମତ ଚାହିଁନାହଁ । ଦୁଷ୍ମନ୍ତ ବାବୁ ନିଜେ ଏତେବଡ଼ ଦାୟିତ୍ୱ ନିଜ ମୁଣ୍ଡରେ ବୋହିପାରିଥାନ୍ତେ । ନିଜକୁ ଯଦି ଅକ୍ଷମ ମଣିଲେ ତୁଷାରକାନ୍ତି ଅପେକ୍ଷା ତାଙ୍କୁ ଆହୁରି ଅନେକ ସୁଦକ୍ଷ ସହକର୍ମୀ ମିଳିଥାନ୍ତେ । ତାଙ୍କର ବୁଝିବା ଉଚିତ ଥିଲା ଯେ ତୁଷାରକାନ୍ତି ଦରିଦ୍ର ଅକ୍ଷମ ହେଲେ ମଧ୍ୟ ନିଃସହାୟ ନୁହନ୍ତି ।

ତୁଷାର ସେ ଦିନ ବୃଥାରେ ତର୍କ କରିବାକୁ ପ୍ରସ୍ତୁତ ନ ଥିଲା । କ୍ଷଣପ୍ରଭାର କଥା କି ଉଦ୍ଦେଶ୍ୟ ସେ ଦୁଷ୍ମନ୍ତକୁ କହି ନ ଥିଲା । ତାର ଦୃଢ଼ ଧାରଣା ଥିଲା ଯେ କ୍ଷଣପ୍ରଭା କେବେ ତା କଥାରୁ ବାହାର ହେବ ନାହିଁ । ଭଲ ବେଳରେ ବୁଝାଇଦେଲେ ପ୍ରତିବାଦ କରିବ ନାହିଁ । ସେ ଅବୁଝା ନୁହେଁ, ଆଜି ଜରର ପ୍ରକୋପରେ ମୁଣ୍ଡ ଗରମ ଥିଲେ ବି ତାର ଆଦର୍ଶକୁ ବଜାୟ ରଖିବାକୁ ଚାହେ । ବୁଝିପାରେନା ସେ ଦୁନିଆଁରେ ଅନ୍ୟର ସାହାଯ୍ୟ ସହାନୁଭୂତି ବିନା ମଣିଷ ତିଷ୍ଠିପାରେ ନାହିଁ । ଗୋଟିଏ ମଣିଷ ବା ତାର କୁଟୁମ୍ବ ପକ୍ଷରେ ସତ୍ୟ, କୋଟିଏ ମଣିଷର ଗଢ଼ା ସମାଜ ଓ ଦେଶ ପକ୍ଷରେ ତାହା ନିରାଟ ସତ୍ୟ ।

ବର୍ତ୍ତମାନ ଅବସ୍ଥାରେ କ୍ଷଣପ୍ରଭାକୁ ଏସବୁ କହିବା ଉଚିତ ନୁହେଁ । ଯେଉଁ ଦାୟିତ୍ୱ ସେ ମୁଣ୍ଡକୁ ନେଇଛି, ସେତକ ତାକୁ ତୁଲାଇବାକୁ ପଡ଼ିବ, କ୍ଷଣପ୍ରଭା ମଙ୍ଗୁ ବା ଅମଙ୍ଗ ହେଉ । ତାର ନିଜତ୍ୱ ଅଛି, ଆଦର୍ଶ ଅଛି, ଅନ୍ଧର ବଞ୍ଚି ରହିବାକୁ କର୍ମର ଅବଲମ୍ବନ ତ ଲୋଡ଼ା ।

ତୁଷାରକାନ୍ତି କହିଲା, ତମେ ଏତେ ବ୍ୟସ୍ତ ଅଧୀର ହେଉଛ କାହିଁକି ? ଜର ଭଲ ହେଉ, ଭାବି ବିଚାର ଯାହା ଭଲ, ଯାହା ଉଚିତ ତାହା ହିଁ କରିବା । ଉତ୍ତେଜନାରେ ବୁଦ୍ଧି ବୃତ୍ତି ଲୋପ ହୁଏ । ତମେ ସୁସ୍ଥ ହୁଅ । ଦୁଷ୍ମନ୍ତ ଆସିଛି ।

 

କ୍ଷଣପ୍ରଭା ଛାତିରେ ଚମକ ଲାଗିଲା ତଥାପି ସେ ଆଖି ଖୋଲିଲା ନାହିଁ । ପୁଣି ଦୁଷ୍ମନ୍ତ ଆସିଛନ୍ତି ! ନ ଆସିବେ କାହିଁକି, କିଏ ତାଙ୍କୁ ବାଧା ଦେବ, କାହିଁକି ବା ବାଧା ଦେବ, ତାଙ୍କର ଅପରାଧ କଣ ? ବନ୍ଧୁ ଘରକୁ ତ ଆସିଛନ୍ତି । ବନ୍ଧୁଙ୍କୁ ସାହାଯ୍ୟ ଦେବାକୁ ତ ସେ ପ୍ରସ୍ତୁତ । ନିଃସହାୟ ଦରିଦ୍ର ଅକ୍ଷମଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସେ ଉତ୍ସର୍ଗ କରିଛନ୍ତି । ତାଙ୍କର ଅତିପ୍ରିୟ ବନ୍ଧୁକୁ ସବୁ ସମ୍ପତ୍ତି ସେ ଟେକି ଦେଇଚନ୍ତି । ଦୁଷ୍ମନ୍ତଙ୍କ ଉପରେ ଅଭିମାନ କରିବାର କି ଅଧିକାର ତାର ଅଛି ? ଶିକ୍ଷୟିତ୍ରୀ କାର୍ଯ୍ୟ ପାଇଁ ସୁନନ୍ଦା ପ୍ରକୃତରେ ଉପଯୁକ୍ତା । ସୁନନ୍ଦାକୁ ନ ବାଛି ତାକୁ ବାଛିଥିଲେ ଅନ୍ୟାୟ ହୋଇଥାନ୍ତା । ସେ ନିଜେ ଭାବିଥାନ୍ତା ଦିନେ, ପ୍ରକାରାନ୍ତରେ ଏହି ପକ୍ଷପାତ ବିଚାର ମଧ୍ୟ ଗୋଟିଏ ଦାନ, ଦୟା । ଦୟାର ପାତ୍ର ହେବାକୁ ସେ କେବେ ପସନ୍ଦ କରନ୍ତା ନାହିଁ । ଦୁଷ୍ମନ୍ତବାବୁ ଅନ୍ୟାୟ କରି ନାହାନ୍ତି ।

 

କ୍ଷଣପ୍ରଭା ଆଖି ଖୋଲିଲା । କଡ଼ ଲେଉଟାଇ ଉଠି ବସିଲା । ଦୁଇହାତଯୋଡ଼ି ମୁଣ୍ଡରେ ଲଗାଇ କହିଲା, ନମସ୍କାର ।

 

ଦୁଷ୍ମନ୍ତ ବ୍ୟସ୍ତ ହୋଇ ଉଠି ଠିଆ ହେଲା । କହିଲା, ଉଠିଲେ କାହିଁକି ? ଆପଣଙ୍କର ଜର, ଶୁଅନ୍ତୁ, ଆର ଘରେ ମାଆ ବ୍ୟସ୍ତ ହେଉଛନ୍ତି ଜରରେ । ମୁଁ ଟିକିଏ ଦେଖେ– ।

 

ଦୁଷ୍ମନ୍ତ ଆର ଘରକୁ ଗଲା । ଖଟ ଉପରେ ବୁଢ଼ୀ ଶୋଇ ବ୍ୟସ୍ତ ହେଉଛନ୍ତି । ନୀହାରିକା ପିଠିକୁ ଆଉଜି ବସିଛି । ମୁଣ୍ଡ ଚିପୁଛି । ଦୁଷ୍ମନ୍ତକୁ ଦେଖି ସେ ଉଠି ତଳେ ଠିଆ ହେଲା । କହିଲା, ଦୁଷ୍ମନ୍ତ ବାବୁ ଆସିଛନ୍ତି ବୋଉ–

 

କିଏ, ଦୁଷ୍ମନ୍ତ ? ତୁଷାର ଆସିଲାଣି ? ବୋହୂ ଉପରେ ବୃଥା କଥାରେ ରାଗି ନ ଖାଇ ନ ପିଇ ଗଲା । ଏମିତି ରାଗ ହେଲେ ଦୁଃଖୀର ସଂସାର ଚଳିବ କିପରି ? ଧୈର୍ଯ୍ୟ ସିନା ଲୋଡ଼ା । ଆରେ ପୁଅ, ଦରଦ୍ରର ସଂସାରରେ ସବୁ ସିନା ଅଭାବ ହେବରେ, ସହଣୀ ଗୁଣର ତ ଅଭାବ ଦରିଦ୍ର ନୋହୁଁ । ଆମରି ପରି କେତେ ଅଛନ୍ତି । ରାଗ–ରୋଷରେ ଲାଭ କଅଣ ? ବାପ, ତୁଷାରକୁ ତୁ ବୁଝାଇ ଦେବୁ । ବୋହୂଟା ମୋର ଜରରେ ଛଟପଟ ହେଉଛି । ଆହା, କେଡ଼େ ହତଭାଗିନୀ ମୁଁ, ସୁବର୍ଣ୍ଣ ପ୍ରତିମା ବୋହୂ ପାଇଥିଲି, କି ରୂପ ତାର ହେଲାଣି ! ସବୁବେଳେ କାମ, ଚିନ୍ତା, ଚାକିରି ଖୋଜା ।

 

ତୁନି ହଉନୁ ବୋଉ, କାହିଁକି ଏତେ ବକୁଛୁ ? ବେଶି ବକିଲେ କଅଣ ତୋ ଦିହ ଭଲ ହେବ ନା ନୂଆଉ ଦିହ ଭଲ ହେବ ? ଯାହା ତ ହେବାର ହେଉଛି ।

 

ମାଉସୀ !

କଅଣରେ ପୁଅ–

Unknown

 

ପୁଅ ବୋଲି ଡାକିଲ ଯଦି ପୁଅର କର୍ତ୍ତବ୍ୟ କରିବାକୁ ମୋତେ ଅନୁମତି ଦେବ ? ତୁଷାର ସିନା ଅନ୍ଧ, ମୁଁ ତ ଅନ୍ଧ ହୋଇ ନାହିଁ ?

 

ବୁଢ଼ୀ ବ୍ୟସ୍ତହୋଇ କହିଲେ, ନିଆଁ ଲଗା ଜୀବନଟା ମୋର ଖାଲି ଛଟପଟ ହେଉଛିରେ ବାପ, ଜୀବନ ଯାଉନାହିଁ । କି ପାପ କରିଥିଲି ପୂର୍ବଜନ୍ମରେ କେଜାଣି । ଦୁଃଖ, କଷ୍ଟ, ରୋଗ । ସବୁଆଡ଼ୁ ନିରାଶା । ଖାଲି ଛଟପଟ ଦହଗଞ୍ଜିଆ ଜୀବନ । ପେଟରେ ଓଦାକନା ଦେଇ, ଓଳିଏ ଖାଇ ଦିଓଳି ଉପାସ ରହି, ଘରଡିହ ଜମିବାଡ଼ି ବନ୍ଧାଛନ୍ଧା ପକାଇ ପୁଅକୁ ପାଠ ପଢ଼େଇ ଥିଲେ, ପୁଅ ସୁଖରେ ରହିବ, ସଂସାରରେ ନାମ କରିବ, ବାପାମାଙ୍କର ଦୁଃଖ ଯିବ । ସୁନା କଣ୍ଢେଇ ବୋହୂ ଆଣିଲେ ଘରକୁ । ସୁଖର ସପନ ଦେଖୁ ଦେଖୁ ସେ ସିନା ଆଖି ବୁଜିଦେଲେ, ମୋ କପାଳେ ଥିଲା ଏଇ ଯୋଗ । ଠାକୁର କେଡ଼େ ନିର୍ଦ୍ଦୟ ସତେ ! ଆହା, କିଏ ଯଦି ମୋର ଆଖି ଦୁଇଟା ତାଡ଼ିନେଇ ମୋର ତୁଷାରର ଆଖିରେ ଲଗାଇ ଦିଅନ୍ତା, ମୋର ଆଉ ଦୁନିଆଁର ଭଲମନ୍ଦ ଦେଖିବାକୁ ଆଖି ନ ଥାନ୍ତା । କୁଳର ବୋହୂ ମୋର ଲକ୍ଷ୍ମୀ ପ୍ରତିମା, ଦାଣ୍ଡରେ ବୁଲିଲା ପେଟ ପାଇଁ !

 

ନୀହାରିକା ସହି ପାରିଲା ନାହିଁ । ଜର ହେଇଛି ବୋଲି କଣ ବୋଉ ପାଗଳ ହେଇଛି ? ଯେତେ ହେଲେ ପରଲୋକ ଦୁଷ୍ମନ୍ତବାବୁ, –ତାଙ୍କ ଆଗରେ ଏଣୁ ତେଣୁ–ବକି ଯାଉଛି କାହିଁକି ? ନା, ସେ ତାକୁ ବକିବାକୁ ଛାଡ଼ିଦେବ ନାହିଁ । ଆଚ୍ଛା ଭଦ୍ରଲୋକ ଏ ଦୁଷ୍ମନ୍ତବାବୁ ! ସେ କାହିଁକି ପରଘରର ହାନିଲାଭ ଭଲମନ୍ଦ ଶୁଣିବାକୁ ଆସିବେ ?

 

ନୀହାରିକା ବୋଉର ପାଟିରେ ହାତଦେଇ କହିଲା, ତୁନିହ, ତତେ ଆଜି ଅଧିକ ଜର ହୋଇଛି, ସେଥିପାଇଁ ଏଣୁତେଣୁ ବକୁଛୁ । ତୁନିହ କହୁଛି, ନୂଆଉ ତୋର ପାଟି ଶୁଣିଲେ ଧାଇଁ ଆସିବେ । ଜାଣୁ ତ ସେ ଜରରେ ଅଜ୍ଞାନ ହୋଇ ପଡ଼ିଥିଲେ ।

 

କଣ କହିଲୁ ନୀର, ମାଆ ମୋର ଜରରେ ଅଜ୍ଞାନ ହେଇଛି ? ତାକୁ ବି ହରାଇ ବସିବି-? ପଥିପାଞ୍ଚଣ ଦୂରର କଥା, ଔଷଧ ଟୋପିଏ ପାଇଁ ଘରେ କାଣିକଉଡ଼ି ନାହିଁ । ବାପରେ ପ୍ରଭା ପାଇଁ ଔଷଧ ଟିକିଏ ଅଣେଇ ଦେ । ଏଇ ଗରିବ ସଂସାରର ହାତ, ଗୋଡ଼, ଆଖି ଓ ଜୀବନ ଏକା ସେ ।

 

ତମେ ଅଧୀର ହୁଅନା ମାଉସୀ, ଆଜିକାଲି କଟକ ସହରରେ ମେଲେରିଆ ଜର ଘୋଟି ଯାଉଛି । ମୁଁ ଏହିକ୍ଷଣି ଔଷଧ ଅଣାଇ ଦେଉଛି । ତମେ ବ୍ୟସ୍ତ ହୁଅ ନା ।

 

ଦୁଷ୍କନ୍ତ ଫେରି ଆସିଲା ଦାଣ୍ଡ ଘରକୁ ।

 

ଖଟ ଉପରେ କ୍ଷଣପ୍ରଭା ବସିଛି ତୁଷାରକାନ୍ତି ପାଖରେ । ଦୃଷ୍ଟି ନୁଆଁଇ ଦାଣ୍ଡ କବାଟ ଆଡ଼କୁ ଯାଉଣୁ କହିଲା, ଆରେ ତୁଷାର, ଘରେ ଦୁଇଜଣ ରୋଗୀ, ଚିକିତ୍ସା ଲୋଡ଼ା, ଖାଲି ନେଚର ଉପରେ ଛାଡ଼ିଦେଲେ ତ ହେବ ନାହିଁ, ମୁଁ ଆସୁଛି ଏଇଖିଣି ।

 

ଦୁଷ୍ମନ୍ତ ଦାଣ୍ଡକବାଟ ଆଉଜାଇ ନେଲା ।

 

ବେଳ ଦ୍ୱିପ୍ରହର । ଦୁଷ୍ମନ୍ତର ଦେଖା ନାହିଁ । ଅଖିଆଅପିଆ ସକାଳୁ କୁଆଡ଼େ ଯାଇଛି । ଏତେବେଳଯାଏ ଫେରିବାକୁ ମନ କରୁନାହିଁ । ପୁଅ ନ ଖାଇଲେ ସୁକାନ୍ତି ଖଆନ୍ତି ନାହିଁ । ଆଜିକାଲି ଦୁଷ୍ମନ୍ତର ଖିଆପିଆର କି ଠିକଣା ଅଛି ? ଦୁଇବେଳା ଦୁଇ ମୁଠି ଭାତ ଛଡ଼ା ଆଉ କିଛି ଖାଇବାକୁ ଭଲ ପାଉ ନାହିଁ । ନଅ ତୁଣ ଛଅ ଭଜା କରି ଦେଲେ ବି ସେ ଗୋଟିଏ ତୁଣରୁ ଦିଓଟିରେ ହାତ ମାରେ ନାହିଁ ।

 

ଦୁଷ୍ମନ୍ତର ଦିନ ଦିନ ଏ ପରିବର୍ତ୍ତନ ସୁକାନ୍ତି ଦେଖୁଛନ୍ତି । କେବେ କିଛି ପଚାରିବାକୁ ମନ କରନ୍ତି ନାହିଁ । ଯେଉଁ ପୁଅ ଘିଅରେ ଖାଇ ଦୁଧରେ ହାତ ଧୋଇଥିଲା ତାର ଯଦି ମନରେ ପରିବର୍ତ୍ତନ ଆସିଛି, ଆସୁ । ଅଭାବ ତ ନାହିଁ, କେବଳ ମନର ପରିବର୍ତ୍ତନ । ତର୍କ ଅନୁରୋଧ କି ବାଧ୍ୟବାଧକତା କାହାରି ରୁଚି ବଦଳାଇବାକୁ ସେ ଚାହାନ୍ତି ନାହିଁ ।

 

ଦୁଇବେଳା ଦିମୁଠି ମୋଟା ସୋଟା ଭାତ ଓ ଟିକିଏ ଅନାବନା ଶାଗ ଖାଇବାକୁ ନ ପାଇ ଦେଶର ଅଧେ ଲୋକଙ୍କର ବେଳ କଟୁଛି । ଠାକୁରେ ଯାହାକୁ ଯେପରି ଭାବରେ ରଖିଛନ୍ତି । ଅଭାବ ଅସୁବିଧା ଭିତରେ ସେମାନଙ୍କର ବେଳ ସୁଖ ଆନନ୍ଦରେ କଟୁଛି । ଦୁଷ୍ମନ୍ତର ଅଭାବ ନ ଥାଇ ମଧ୍ୟ ସେ ଦୁନିଆର ଅପୋଛା ଅଲୋଡ଼ା ଲୋକଙ୍କ ପରି ଚଳିବାକୁ ଚାହେଁ । କାହିଁକି ସୁକାନ୍ତି ବାଧା ଦେବେ ?

 

ପୁଅ ନ ଖାଇଲେ ସୁକାନ୍ତି ଖାଇବେ ନାହିଁ । ତାଙ୍କର ବି ଖିଆପିଆରେ ଆଦିବିଧି ନ ଥାଏ । ଜୀବନ ବଞ୍ଚାଇ ରଖିବାକୁ ଶାଗ ମୁଗ ଯେତିକି ଲୋଡ଼ା । ପାଟି ସୁଆଦ ଖୋଜିବାର ସମୟ ଗଡ଼ି ଯାଇଛି । ଦୁନିଆର ଦୁଃଖ ଜଞ୍ଜାଳରୁ ତ୍ରାହିଗତି ପାଇବାକୁ ଠାକୁରଙ୍କ ପାଖେ ତାଙ୍କର ଜଣାଣ । କେତେ ଦିନକୁ କେତେ କଥା । ପୋଡ଼ି ପାଉଁଶ ହେବାର ବେଳ ପାଖେଇ ଆସିଲା । ସେଇ କଥା ଭାବିବା ସାର । ଆଉସବୁ ମିଛ, ମାୟା, ପ୍ରହେଳିକା, ଆତ୍ମାର ଅଶାନ୍ତିର କାରଣ ।

 

ଯେତେ ଯାହା ଭାବିଲେ ବି ଅଜାଣତରେ କେବେ କେମିତି ମନରେ ଏଇ ମିଛମାୟା ସଂସାରର ଭାବନା ପଶେ । ଦୁଷ୍ମନ୍ତର କ୍ରିୟାକଳାପ ମନରେ ଛଟପଟ ହୁଏ । ପିଲାଟା କଣ ବାଇଆ ହୋଇଛି ? ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପର ହାତରେ ଟେକି ଦେଇଛି ଦରିଦ୍ରର ସେବା ପାଇଁ । ପଦଟିଏ ପଚାରିଲା ନାହିଁ । ସମସ୍ତେ ଅନ୍ଧ ନୁହନ୍ତି । ସମସ୍ତେ ଭୁଲ କରୁଛନ୍ତି ଆଉ ଏକା ଦୁଷ୍ମନ୍ତ କରୁଛି ଠିକ୍ ? ଦୁଷ୍ମନ୍ତର ସବୁ ସମ୍ପତ୍ତି ଦାରିଦ୍ର୍ୟ–ସମୁଦ୍ରକୁ ଶଙ୍ଖେ । କେତେଜଣ ଦରିଦ୍ରଙ୍କର ଦୁଃଖ ସେ ହରଣ କରିପାରିବେ ?

 

ଆଲୁଅ ଛାଇ ପରି ଭଲମନ୍ଦ, ସୁଖଦୁଃଖ, ଧନୀଦରିଦ୍ର, ଚିର ଦିନ ଥିଲା । ଅତୀତରେ କେତେ ରାଜା ମହାରାଜା ଦରିଦ୍ରର ଦୁଃଖ ଦୂର କରିବାକୁ ସର୍ବସ୍ୱ ଦାନ କରିଥିଲେ । ଦୁନିଆଁରୁ ଦୁଃଖ ଦାରିଦ୍ର୍ୟ ଲୋପ ହେଲା ନାହିଁ । ଯେଉଁମାନେ ଦାନ କରିଥିଲେ ପୁରାଣ ଓ ଇତିହାସର ପୃଷ୍ଠାରେ ବଞ୍ଚି ରହିଲେ ସେମାନେ, ଦରିଦ୍ର ଓ ଭାବପ୍ରବଣର ଜପାମାଳା ହୋଇ ରହିଲେ । ଦାରିଦ୍ର୍ୟ ଘୁଞ୍ଚିଲା ନାହିଁ ।

 

ହେମର କଥା ସତ ? ଦୁଷ୍ମନ୍ତ କ୍ଷଣପ୍ରଭାକୁ ଭୁଲି ପାରିନାହିଁ ? ତାକୁ ସୁଖୀ କରିବାକୁ ଅନ୍ଧ ତୁଷାରକାନ୍ତିର ହାତରେ ଅଧେ ସମ୍ପତ୍ତି ସମର୍ପଣ କରିଛି ? କାହିଁକି ଦୁଷ୍ମନ୍ତ ନୀରବ ?

 

ମନ ଭୁଲାଇବାକୁ ସୁକାନ୍ତି ଭାଗବତ ଖୋଲିଲେ ।

 

ସଞ୍ଜବେଳେ ହେମାଙ୍ଗିନୀ ଆସିଲା । ଏଣୁତେଣୁ କେତେ କଣ କହିଲା, ପୁଣି ଉଠାଇଲା ଦୁଷ୍ମନ୍ତର ବାହାଘର କଥା ।

 

ବୋଉ, ରବୀନ୍ଦ ବାବୁଙ୍କୁ ପକ୍‌କା ଜବାବ ନ ଦେଲେ ସେ ଅପେକ୍ଷା କରି ବସିବେ ନାହିଁ-। ଚନ୍ଦ୍ରମା ଯେପରି ଝିଅ, ତା ପାଇଁ କେତେ ଆଡ଼ୁ ସମ୍ୱନ୍ଧ ଆସୁଛି । ଭାଇଙ୍କୁ ଅନାଇ ବସି ସେ ଅନ୍ୟ କେଉଁଠି ଜବାବ ଦେଉ ନାହାନ୍ତି । ହଁ କି ନାହିଁ ତାଙ୍କୁ ପଦେ କହିଦେଲେ ସେ ମତେ ବିରକ୍ତ କରନ୍ତେ ନାହିଁ । ଭାଇଙ୍କୁ ତୁ ପଚାରିଲୁ ?

 

ସୁକାନ୍ତି କହିଲେ, ପଚାରିବାକୁ ବେଳ ପାଇ ନାଇଁ । ଦୁଷ୍ମନ୍ତ ସବୁବେଳେ କାର୍ଯ୍ୟବ୍ୟସ୍ତ । କେତେବେଳେ ସେ ଘରେ ରହୁଛି ଯେ ସୁଖଦୁଃଖ ହେବ ? ତୁ ପଚାରିଲୁ ନାହିଁ ।

 

କେତେଥର ତାଙ୍କୁ ଡକାଇଲିଣି, ଥରେ ଯିବାକୁ ତାଙ୍କୁ ବେଳ ମିଳୁ ନାହିଁ । ତୁଷାର ବାବୁଙ୍କ ଘରେ ବସି ତାଙ୍କର ରୋଗଣା ମା ଓ ସ୍ତ୍ରୀଙ୍କର ସେବା କରିବାକୁ ତାଙ୍କୁ ବେଳ ମିଳୁଛି । ଘରକୁ ଆସିଲେ, କେତେ କଅଣ ଲଫଙ୍ଗା ଟୋକାଙ୍କ ସଙ୍ଗେ ଖାଲି ବାଜେ ଗପ କରୁଛନ୍ତି । ଆରା ଦେଖାଇ କିଏ କେତେପ୍ରକାର କହି ଟଙ୍କା ନେବାର ଫନ୍ଦି କରୁଛନ୍ତି । ତୁ କିଛି ଜାଣୁନାହୁ ସିନା–

 

ମୋର କିଛି ଜାଣିବା ଦରକାର ନାହିଁ ମା ।

 

ଜାଣିବା ଦରକାର ନାହିଁ ? ଏପରି କଥା କହୁଛୁ କାହିଁକି ? ତୁ ବଞ୍ଚି ଥାଉଣୁ ସେ ତୋର ଆଖି ଆଗରେ ସମ୍ପତ୍ତି ଅପବ୍ୟୟ କରିବେ ? ଲୋକେ କଅଣ କହୁଛନ୍ତି ଯଦି ଶୁଣନ୍ତୁ–

 

ଲୋକଙ୍କ କଥାରୁ ମତେ କଅଣ ମିଳିବ ? ସେମାନେ ସଜ ମାଛରେ ପୋକ ପକାନ୍ତି । ରବୀନ୍ଦ୍ର ବାବୁଙ୍କ ସ୍ତ୍ରୀ ଯଦି ଏତେ ଜିଗର କରୁଛନ୍ତିତ ତୁ ତାଙ୍କୁ ମନା କରିଦେ । ପୁଅର ମନକଥା ନ ଜାଣି ମୁଁ ଜବାବ ଦେଇପାରିବି ନାହିଁ । ଆଲୋ ମା, ଧନ ସମ୍ପତ୍ତି ମୁଁ କାନିରେ ବାନ୍ଧି ନେଇଯିବ ନାହିଁ-। କେହି କେବେ ନେଇଯାଇ ନାହାନ୍ତି । ଦୁଷ୍ମନ୍ତର ଯାହା ଇଚ୍ଛା ସେ କରୁ । ତାର ମନରେ ଆନନ୍ଦ ଆସୁଛି ବୋଲି ସେ କରୁଛି । ଉପରେ ପଡ଼ି ମୁଁ ବାଧା ଦେବି ନାହିଁ । ତୁ ବାଧା ଦେବୁ କାହିଁକି-?

 

ହେମାଙ୍ଗିନୀ ଥକ୍‌କା ହୋଇ ବସି ରହିଲା । ସୁକାନ୍ତିଙ୍କର କଥାଗୁଡ଼ାକ ଯେପରି ତା ଦେହରେ ଛୁରୀ ଚଳାଇଲା । ସେ ଭାବିଲା, ବୋଉ ବିରକ୍ତ ହେଉଛନ୍ତି, ତାର କି ଥାଏ ? ଭାଇ ବୋଲି ଉପରେ ପଡ଼ି ଭଲ ପାଇଁ ସେ କହୁଥିଲା । ବାରମ୍ବାର ସେଇକଥା କହିବାକୁ ହୁଏତ ବୋଉ କଅଣ ଭାବୁଛି । ସ୍ଥିର କଲା, ଆଉ କେବେ ବାହାଘର କଥା ଉଠାଇବ ନାହିଁକି ଏ ଘର ସମ୍ବନ୍ଧରେ କିଛି କେବେ କହିବ ନାହିଁ ।

 

ମୁହୂର୍ତ୍ତେ ଆଉ ରହିବାକୁ ତାର ମନହେଲା ନାହିଁ । ଏଇଘରେ ତାର ଜନ୍ମ, ଖେଳ, କୌତୁକ, ଅଳିଅଳଗରି । ସବୁ ଚିଜକୁ ସେ ଦିନେ ମୋର ବୋଲି କହିବାକୁ କୁଣ୍ଠାବୋଧ କରୁ ନ ଥିଲା । ଏଘରୁ ଗୋଡ଼ କାଢ଼ି ପର ଘରକୁ ଗଲା ଦିନୁ ସେ ହେଲା ପର ଲୋକ । ଆଖି ଆଗରେ ଯାହାସବୁ ଦେଖାଯାଉଛି ଦିନେ ସବୁ ଥିଲା ତାର । ନିଜେ ସେ ଯତ୍ନ ନେଉଥିଲା । ଆଜି ସେ ପରଘରୀ । କାହାକୁ ସେ ମୋର ବୋଲି କହିପାରିବ ନାହିଁ । ଦାସଦାସୀଙ୍କର ଯେଉଁ ଅଧିକାର ଅଛି, ତାର ସେତିକ ନାହିଁ ।

 

ସବୁ ଝିଅଙ୍କର ଭାଗ୍ୟ ଏଇଆ । ଉଠି ଚାଲିଯିବାକୁ ଇଚ୍ଛା ହେଉଥିଲେ ମଧ୍ୟ ହେମାଙ୍ଗିନୀର ଗୋଡ଼ ଚଳିଲା ନାହିଁ ।

 

ସୁକାନ୍ତି ତାର ମନକଥା ବୁଛିଲା ପରି କହିଲେ, ରାଗିଲୁ କି ମା ?

 

ହେମାଙ୍ଗିନୀର ରୁଦ୍ଧ ବେଦନା ଉଛୁଳି ଉଠିଲା । ଆଖିରେ ଛଳ ଛଳ ଲୁହ । ସେ ଉଠି ଠିଆ ହେଲା । କହିଲା ରାଗିବାକୁ ମୋର ଅଧିକାର ନାହିଁ ଲୋ ବୋଉ, ମୁଁ କାହାରିକି କିଛି ମାଗିବାକୁ ଆସି ନ ଥିଲି । ଚନ୍ଦ୍ରମା ହେଉ କି ଆଉ ଯିଏ ହେଉ ଯେ ଏଘରର ବୋହୂ ହୋଇ ଆସିବ ସେ ମତେ ଶହେ କି ଷାଠିଏ ଗଣି ଦେବ ନାହିଁ । ତାଙ୍କର ସବୁ ସମ୍ପତ୍ତି ହାଡ଼ିକୁ ଦେଲେ ବି ମୁଁ ହାତପାତି ମାଗିବାକୁ ଆସିବି ନାହିଁ । ବୋଉ, ମୋ ଭାଗ୍ୟରେ ଯାହା ଅଛି ସେଇଆ ।

 

ହେମାଙ୍ଗିନୀ ପଦାକୁ ବାହାରି ଆସିଲା । ସୁକାନ୍ତି ଉଠି ଡାକିଲେ, ଶୁଣ ମା, ଶୁଣ– ।

 

ହେମାଙ୍ଗିନୀ ଅଟକିଲା ନାହିଁ ।

 

ଝିଅର ଏପରି ବ୍ୟବହାର ସୁକାନ୍ତି ଆଉ କେବେ ଦେଖି ନ ଥିଲେ । ସେ ମର୍ମାହତ ହେଲେ । ଆଜିକାଲିକା ଟୋକାଟୋକୀଗୁଡ଼ା ହୋଇଛନ୍ତି କଅଣ, କଥାକଥାକେ ରାଗ, ରୋଷ, ଅଭିମାନ !

 

ଝିଅର ମନରେ ଦୁଃଖ ହେବାପରି କୌଣସି କଥା ସେ କହିନାହାନ୍ତି । କାହିଁକି ତାର ଆଖିର ଲୁହ ଢଳଢଳ ହେଲା, କାହିଁକି ସେ ତମତମ ହୋଇ ଚାଲିଗଲା ? ଯାଉ, ଭଲ ବେଳରେ ସବୁ ତାକୁ ବୁଝାଇ ଦେଲେ ସେ ବୁଝିବ ।

 

ଦାସୀ ଆସିଲା ।

ସୁକାନ୍ତି କହିଲେ, ଦୁଷ୍ମନ୍ତ କଅଣ କରୁଛି ?

ଦାସୀ କହିଲା, ବୈଠକ ଘରେ ବସି କଥାଭାଷା ହେଉଛନ୍ତି ।

ଆଉ କିଏ ଅଛନ୍ତି ?

ଦୁଇ ତିନିଜଣ କିଏ ।

ରାଜିବକୁ କହ ଖଣ୍ତେ ଘୋଡ଼ାଗାଡ଼ି ଡାକି ଆଣିବ ।

କୁଆଡ଼େ ଯିବକି ମା ?

ହଁ, ଜଲଦି ।

ସେଇ ସଞ୍ଜରେ–

ଦୁଷ୍ମନ୍ତଙ୍କ ଦାଣ୍ତଘରେ ।

 

ନଟବର ବାବୁ କହିଲେ, କେଉଁ ସମସ୍ୟା ବଡ଼ ବା ଆଗ, ଆଉ କିଏ ସାନ ବା ପଛ, କେହି କହିପାରିବେ ନାହିଁ । ମଣିଷର ଧାରଣା ଉପରେ ସବୁ ନିର୍ଭର କରେ । ପୁଣି, ନିଜ ନିଜର ଅଭିଜ୍ଞତା ହିଁ ମନରେ ଧାରଣା ଆଣେ । ଭାରତ ରାଷ୍ଟ୍ରରେ ପ୍ରାଦେଶିକତାର ସ୍ଥାନ ନାହିଁ କହି ହରିବାବୁଙ୍କ କଥାକୁ ଉଡ଼ାଇ ଦେଇ କହିହେବ ନାହିଁ ଯେ ସିଂହଭୂମିର ଆଦିବାସୀମାନେ ଓଡ଼ିଆ ପଢ଼ନ୍ତୁ କି ହିନ୍ଦୀ ପଢ଼ନ୍ତୁ, କି ଫାସି ପଢ଼ନ୍ତୁ, ସେଥିରେ କିଛି ଲାଭ କ୍ଷତି ନାହିଁ, କି ମେଦିନୀପୁରର ବଙ୍ଗଳାକୁହା ଓଡ଼ିଆମାନେ ବଙ୍ଗାଳୀ ହୋଇ ରୁହନ୍ତୁ ସେଥିରେ କିଛି ଲାଭ କ୍ଷତି ନାହିଁ । ଆପଣଙ୍କର ପଦ୍ଧତି ଯେ ସବୁ ସମସ୍ୟାର ଏକମାତ୍ର ସନ୍ତୋଷଜନକ ସମାଧାନ ଏପରି ଧାରଣା ଅଭ୍ରାନ୍ତ ନୁହେଁ ।

 

ତୁଷାରକାନ୍ତି ଗୋପାଳବାବୁଙ୍କର କଥାକୁ ପସନ୍ଦ କରି ମୁଣ୍ତ ହଲାଇଲା । ‘ଅରକ୍ଷ-ନିବାସ’ର କାଗଜପତ୍ର ଗୁଡ଼ିକ ଟେବୁଲ ଉପରେ ରଖି ଆଉ କିଏ କଅଣ କହିବ ଶୁଣିବାକୁ କାନଡେରି ରହିଲା । ତାର ଡାହାଣ ପାଖରେ ବସିଥିଲେ ସିଂହଭୂମିର ବୃଦ୍ଧ କର୍ମୀ ହରିବାବୁ । ସିଂହଭୂମି ଜିଲାରେ ଓଡ଼ିଆର ସଂସ୍କୃତି, ଜାତୀୟତା, ମାନ ସମ୍ଭ୍ରମ,–ଗୋଟିଏ କଥାରେ କହିବାକୁ ଗଲେ ଓଡ଼ିଆର ଜୀବନ ରକ୍ଷା କରିବାକୁ ସେ ସାରାଜୀବନ ଆହାର ନିଦ୍ରା ଭୁଲି ଅକ୍ଳାନ୍ତ ପରିଶ୍ରମ କରିଆସିଛନ୍ତି । ବୟସର ବୋଝରେ ଦୁର୍ବଳ ମୁଣ୍ତ ନଇଁ ପଡ଼ିଛି । ସେପାରିରୁ ସଙ୍କେତ ଆସିଲାଣି । ଅଧାକାମ ସରି ନାହିଁ ବୋଲି ସେ କେବଳ ସମୟ ଲୋଡ଼ୁଛନ୍ତି । ଦୁଷ୍ମନ୍ତର ସେ ଅତିଥି ।

 

ସେ କହିଲେ, ଗୋପାଳବାବୁଙ୍କ ପରି ଲୋକ ଆଜିକାଲିକା ଦୁନିଆର ସବୁ ଦେଶରେ ଅଛନ୍ତି ଓ ସବୁବେଳେ ଧ୍ୱଂସର ଗରଳ ବାନ୍ତି କରୁଛନ୍ତି । ଆଜ୍ଞା, ଆପଣଙ୍କ ସ୍ୱପ୍ନ ଯଦି କେବେ ଭାରତ ଭୂଇଁରେ ସଫଳ ହୁଏ, ତେବେ କଅଣ ମନେକରିଛନ୍ତି ସବୁ ମଣିଷଙ୍କର ଭାଷା ଏକ ହୋଇଯିବ ? ଭାଷାର ପ୍ରଭେଦ ପୁଣି ସୃଷ୍ଟି କରିବ ଆପଣଙ୍କର କଳ୍ପିତ ସ୍ୱର୍ଗ ରାଜ୍ୟରେ କନ୍ଦଳ । ଆଉ ସେ କନ୍ଦଳ ଆପଣଙ୍କର ଭବିଷ୍ୟତର ସ୍ୱର୍ଗକୁ ଜାଳିପୋଡ଼ି ପାଉଁଶ କରିବ । ତେଣୁ ଅନୁରୋଧ, ଆପଣ ଥରେ ସିଂହଭୂଇଁ ଚାଲନ୍ତୁ, ଦେଖନ୍ତୁ ଜାତିର ଅବସ୍ଥା । ଧ୍ୱଂସପଥରୁ ପଛେଇ ଆସି ଜାତୀୟତାର ସଂଗଠନରେ ଲାଗିପଡ଼ନ୍ତୁ ।

 

ହରିବାବୁ ଦମ୍‌ ନେଲେ । ତାଙ୍କ ପାଖରେ ବସିଥିଲେ ବୃଦ୍ଧ ମଧୁବାବୁ । ସେ ବି ଦୁଷ୍ମନ୍ତର ଅତିଥି । ସେ ଆସିଛନ୍ତି ମେଦିନୀପୁରରୁ । ଶୁଣିଲାବେଳେ ସେ ଆଖି ବୁଜନ୍ତି, କହିଲାବେଳେ ଆଖି ଖୋଲନ୍ତି । ମେଦିନୀପୁରର ଅକ୍ଲାନ୍ତ ଓଡ଼ିଆ କର୍ମୀ ସେ । ନିଜକୁ ଓଡ଼ିଆ ବୋଲି ପରିଚୟ ଦେଇ ବଙ୍ଗଳା କୁହା ଓଡ଼ିଆ ପୁଅଙ୍କଠାରୁ କେତେଥର ମାଡ଼ ଖାଇଛନ୍ତି । ଅପମାନ ତ ସହିଛନ୍ତି ଓ ସହୁଛନ୍ତି ନିତି । ଆଖି ବୁଜିଲେ ମେଦିନୀପୁରର ଦୁଇହଜାର ବର୍ଷର ଇତିହାସ ଖେଳିଯାଏ ତାଙ୍କ ଭାବନାରେ-। କଳିଙ୍ଗର ନୌବାଣିଜ୍ୟ, ତାମ୍ରଲିପ୍ତ, କାହ୍ନୁଭୂୟାଁ– । ଆଖିଖୋଲି ରିପ୍‌ଭ୍ୟାନ୍‌ ଉନ୍‌କିଲ ପରି ଭାବି ବସନ୍ତି, ମୁଁ ମୋ ଭିତରେ ନାହିଁ, ମୁଁ ସେଇଠି ସେଇ ଗଛମୂଳରେ– ।

 

ସେ କାଳର କଳିଙ୍ଗ ଆଜି ଓଡ଼ିଶା ଭିତରେ ନାହିଁ । ବଙ୍ଗ ବିଚ୍ଛେଦ ପରେ ମେଦିନୀପୁର ଓଡ଼ିଶା ଭିତରକୁ ଆସିବ କି ନାହିଁ ସନ୍ଦେହ । ନ ଆସୁ, କିନ୍ତୁ ଓଡ଼ିଆ ନିଜକୁ ଚିହ୍ନି ନିଜର ଜାତୀୟତା ଜୀବିତ ରଖନ୍ତୁ । ମଧୁବାବୁଙ୍କର କର୍ମପନ୍ଥା ବଦଳିଛି । ବୀରେନ୍ଦ୍ର ସାମଲ ପୁରୀରୁ ଭଗ୍ନମନୋରଥ ହୋଇ ଫେରି ନ ଥିଲେ ମେଦିନୀପୁର ଆଜି ଓଡ଼ିଶାର ମୁକୁଟ ହୋଇ ରହିଥାନ୍ତା । ନେଡ଼ିଗୁଡ଼ କହୁଣିରେ । ଦେଶ ଯାଇଛି । ଭାଷା ହେଲେ ରହୁ, ଜାତୀୟତା ଫେରୁ ।

 

ମଧୁବାବୁ କହିଲେ, ହରିବାବୁଙ୍କର ପ୍ରସ୍ତାବ ମୋ ମନକୁ ପାଇଲା । ଦେଶର ସ୍ୱାଧୀନତା ପରେ ସମସ୍ତଙ୍କର ଧାରଣା ବଦଳିଛି । କୌଣସି ଭାରତୀୟ ଭାରତ ଭୂଇଁର ଯେ କୌଣସି ସ୍ଥାନରେ ରହିଲେ ବାଧା ନାହିଁ । ସେ ଭାରତୀୟ । ସବୁ ସୁବିଧା ସବୁ ସୁଯୋଗ ସେ ପାଇବ । ମେଦିନୀପୁର ବଙ୍ଗଦେଶରେ ରହିଛି । ସେଇଠି ରହୁ, ଆପତ୍ତି ନାହିଁ. କିନ୍ତୁ ଓଡ଼ିଆ ନିଜକୁ ଚିହ୍ନନ୍ତୁ, ମାତୃଭାଷା ନ ଭୁଲନ୍ତୁ । ନିଜକୁ ବଙ୍ଗବାସୀ ବୋଲି ପରିଚୟ ଦେଉନ୍ତୁ । ବଙ୍ଗର ସମୂହ ଉନ୍ନତି ପାଇଁ ପ୍ରାଣପାତ କରନ୍ତୁ । ଆନନ୍ଦର କଥା, ଗୌରବର କଥା । ନିଜକୁ ବଙ୍ଗାଳୀ ବୋଲି ପରିଚୟ ଦେବାହିଁ ଭୀରୁତା, କାପୁରୁଷତା ।

 

ମଣିଷ-ଜାତିର ସବୁଠାରୁ ବଡ଼ ଦୁଃଖ କଣ ? ଆତ୍ମ ମର୍ଯ୍ୟାଦାର ଅପମାନ । ମେଦିନୀପୁରର ଓଡ଼ିଆ ଆଜି ସେହି ଦୁଃଖରେ ଘାଣ୍ଟି ହେଉଛନ୍ତି । ଉଦ୍ଧାର କରିବାର ଏକମାତ୍ର ଉପାୟ, ନିଜକୁ ଭୁଲି ଯେଉଁମାନେ ଘାଣ୍ଟି ହେଉଛନ୍ତି, ସେମାନଙ୍କୁ ନିଜକୁ ଚିହ୍ନାଇବା । ଏଥିପାଇଁ ପ୍ରଚାର ଲୋଡ଼ା, ଧନ ଲୋଡ଼ା, କର୍ମୀ ଲୋଡ଼ା । ମୁଁ ଯୋଡ଼ହସ୍ତ ହୋଇ ଗୋପାଳବାବୁଙ୍କୁ ଅନୁରୋଧ କରୁଛି, ସେ ଥରେ ମେଦିନୀପୁର ଜିଲାକୁ ଆସନ୍ତୁ, ଦେଖନ୍ତୁ, କିପରି ଗୋଟାଏ ବିରାଟ ଜାତିର ଉଜ୍ଜ୍ୱଳ ଅତୀତ, ସଂସ୍କୃତି, ଭାଷା ସେଠି ଦରମରା ହୋଇଛି । ଏକାଥରେ ମରିପାରୁ ନାହିଁ, ଖାଲି ଛଟପଟ ହେଉଛି ।

 

ଗୋପାଳ କହିଲେ, ଛଟପଟ ଆପଣମାନେ କରୁଛନ୍ତି । ଅତୀତ ସଙ୍ଗେ ବର୍ତ୍ତମାନକୁ ଛନ୍ଦିଲେ ଏମିତି ଛଟପଟ ହେବାକୁ ପଡ଼େ । ଅତୀତ ପୋଡ଼ିଜଳି ପାଉଁଶ ହେଉ । ତାରି ଉପରେ ନୂଆ ସମାଜ ଗଢ଼ନ୍ତୁ । ଆପଣମାନେ ସମସ୍ତେ ବଙ୍ଗାଳୀ ହୋଇଯାଉନ୍ତୁ । ଓଡ଼ିଆଭାଷା, ରୀତିନୀତି, କୁଳପ୍ରଥା ସବୁ ଭୁଲିଯାଆନ୍ତୁ । ମଙ୍ଗଳ ହେବ । ଏଇସବୁ ଛୋଟକଥା ନେଇ ପ୍ରକୃତ ମନୁଷ୍ୟତ୍ୱ ଓ ପ୍ରକୃତ କର୍ମ ପାଶୋରି ଯାଉଛନ୍ତି ।

 

ମଧୁବାବୁ, ଗୋଟିଏ କଥା ମୋତେ ବିଚିତ୍ର ଲାଗେ । ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ସଂସ୍କୃତି ନେଇ ଆପଣମାନେ ତ ଏତେ ବିଚଳିତ ହୋଇପଡ଼ିଛନ୍ତି, କୁହନ୍ତୁ ଭଲା, ଆପଣଙ୍କ ଗାଁରେ, ଆପଣଙ୍କ ଘର ପାଖରେ ଯେଉଁ ପାଣର ଘର, କେବେ ତା ସଙ୍ଗେ ପ୍ରାଣ ଖୋଲି କଥାଭାଷା ହୋଇଥିଲେ ? କେବେ ତା ପିଣ୍ତାରେ ବସି ପାଣି ମନ୍ଦେ ପିଇଥିଲେ ? ଛାଡ଼ନ୍ତୁ, ସେ ପାଣ, ସେ ହରିଜନ ! ଆପଣଙ୍କ ଘର ଆଗରେ ଯେଉଁ କୁମ୍ଭାର କି କମାର କି ଗଉଡ଼ ଘରଟି, ତା ଘରେ କେବେ ଆପଣଙ୍କ ପତର ପଡ଼ିଥିଲା ? ତାର ଘରଣୀ କେବେ ନିଜ ହାତରନ୍ଧା ଭାତ ଆପଣଙ୍କ ପତରରେ ପରଶି ଦେଇଥିଲା ?

 

ନଟବର ଓ ଦୁଷ୍ମନ୍ତ ଏକ ସଙ୍ଗେ ପଚାରି ଉଠିଲେ, କାହିଁକି ଏ ପ୍ରଶ୍ନ ? ନଟବର ପୁଣି କହିଲେ, ଏ ସବୁ ନିଜର ରୁଚି ଉପରେ ନିର୍ଭର କରେ ।

 

ହରିବାବୁ କହିଲେ, ଜାତୀୟତା ସଙ୍ଗେ ଏ ସବୁ ପ୍ରଶ୍ନର କୌଣସି ସମ୍ବନ୍ଧ ନାହିଁ ।

ଦୁଷ୍ମନ୍ତ କହିଲା, ମୋର ବି ସେହି ମତ ।

 

ଗୋପାଳବାବୁ କହିଲେ, ମତାମତ କେହି ଲୋଡ଼ୁନାହିଁ । ସେମାନେ ବି ସମସ୍ତେ ଓଡ଼ିଆ କହନ୍ତି ଆଜ୍ଞା, ଅଥବା ବଙ୍ଗଳାକୁହା ଓଡ଼ିଆ । ତାଙ୍କୁ ଆପଣ ନିଦ୍ରିତ ମନେକରି ଜାଗ୍ରତ କରିବାକୁ ଚାହାନ୍ତି ? ସେମାନେ ଆପଣଙ୍କର ଅତିପାଖରେ ଥାଇ ମଧ୍ୟ ଅତିଦୂରରେ । କେବଳ ଗୋଟିଏ ଭାଷା ତୁଣ୍ତରେ କହିଲେ ମଣିଷ ଜାତି ଗୋଟିଏ ହୋଇପାରେ ନାହିଁ ।

 

ତୁଷାରକାନ୍ତି ମୁଣ୍ତ ଟୁଙ୍ଗାରିଲା । କହିଲା, ସମସ୍ତେ ଠିକ୍‍ କହିଛନ୍ତି । ନଟବରବାବୁଙ୍କର କହିବା ପରି, –ନିଜ ନିଜର ଅନୁଭୂତି ନେଇ ଧାରଣା, ପୁଣି ଧାରଣା ନେଇ ଭାବନା ଓ କର୍ମ । କେଉଁଟା ଠିକ୍‌ କେଉଁଟା ଭୁଲ କହି ହେବନାହିଁ । ଅତୀତରେ ଯେତେବେଳେ ଯାତାୟତର ସୁବିଧା ନ ଥିଲା, କଥାଭାଷା କି ମୁହଁଚାହାଁର ସୁବିଧା ନ ଥିଲା, ସେତେବେଳେ ଦୁନିଆଁ ଥିଲା ଅତି ବଡ଼ । ଦୁନିଆଁର ବିଭିନ୍ନ କୋଣରେ ଭିନ୍ନଭିନ୍ନ ଭାଷା ଭିନ୍ନଭିନ୍ନ ସଭ୍ୟତା ଓ ସଂସ୍କୃତି ଗଢ଼ି ହୋଇ ଉଠିଲା ଆପେ ଆପେ । ଏବକାର ଦୁନିଆଁ ଅତି ଛୋଟ । ବିଜ୍ଞାନର ଉନ୍ନତି ସବୁ ମଣିଷ ସବୁ ଦେଶକୁ ଆଖି ଆଗକୁ କାନ ପାଖକୁ, ହାତ ପହଞ୍ଚାଣିକୁ ଆଣିଛି । ଦୁନିଆଁ ଆଜି ଗୋଟିଏ ଦେଶ । ଗୋଟିଏ ସଭ୍ୟତା ଧୀରେ ଧୀରେ ଗଢ଼ି ହୋଇଉଠୁଛି । ଧର୍ମ ଓ ଭାଷାର ବାହାର ଆଭରଣ ଜରାଜୀର୍ଣ୍ଣ ହୋଇପଡ଼ିଛି । ସେ କେବଳ ନିର୍ଜୀବ, ଅତିଦୁର୍ବଳ ଆଭରଣ ମାତ୍ର ।

 

ପୃଥିବୀର କେଉଁ ଅଜ୍ଞାତ କୋଣରେ କେଉଁ ଅଜଣା ମଣିଷର ମନରେ କେବେ କେଉଁ ଧାରଣା ଜନ୍ମିଲା, ଆଉ ସେ ଧାରଣା କେଉଁ ଅଜ୍ଞାତ ଭାଷାରେ ତାର ତୁଣ୍ତରୁ ବାହାରିଲା, ସେ ଧାରଣା ସେ ଭାଷା ତାର ନିଜର ହୋଇ ରହୁନାହିଁ । ମୁହୂର୍ତ୍ତକରେ ସେ ଧାରଣା ହେଉଛି ଦୁନିଆଁର ସଭିଙ୍କର । ଜଣକର କି ଗଣଙ୍କର କଷଟିରେ ସେ ହଉଛି ପରୀକ୍ଷିତ । ଦୁନିଆଁର ବାୟୁମଣ୍ତଳରେ ବିଭିନ୍ନ ଧାରଣା ଖେଳି ବୁଲୁଛି । ହେଉଛି ସଂଘର୍ଷ, ଧ୍ୱଂସ, ପ୍ରଳୟ । ଜାତି ଧର୍ମ ଭାଷାର ବନ୍ଧନ ସେଠି ରହୁନାହିଁ ।

 

ଭାଷାଗତ ଦେଶ କି ପ୍ରଦେଶର ଅର୍ଥ କଣ ? ଅକ୍ଷରର ବନ୍ଧନୀ ସିନା ରହିଛି, କାହିଁ ଭାଷା ? ସବୁ ଭାଷା ବଦଳିଛି, ଅତି ଦ୍ରୁତଗତିରେ ବଦଳୁଛି । ସବୁ ଭାଷା ଗୋଟିଏ ଭାଷା ହେବ । ଶକ୍ତିଶାଳୀ ଭାଷାର ପ୍ରଭାବ ପଡୁଛି ପଡ଼ୋଶୀ ଭାଷା ଉପରେ । ଅନିର୍ବାର୍ଯ୍ୟ ।

 

କନ୍ଦଳ କାହିଁକି, ଦୁଃଖ ବା କାହିଁକି ?

 

ସତ କଥା । ମଣିଷ ଗୋଟିଏ ଭାଷା କହିଲେ ଗୋଟିଏ ଜାତି ହୁଏନାହିଁ । ମଣିଷର ଭିନ୍ନ ଭିନ୍ନ ଚଳଣର ପରିଧି ଭିନ୍ନ, ଜାତି ଓ ସମାଜ ଭିନ୍ନ ।

 

ଏଇ ମଧୁବାବୁ, ହୁଏ ତ ସେ କ୍ଷତ୍ରିୟ । ତାଙ୍କର କନ୍ୟା ପଞ୍ଜାବରେ ବିବାହ କରିଛନ୍ତି । ଅତିପ୍ରିୟ ତାଙ୍କର ନାତି ନାତୁଣୀମାନେ ଓଡ଼ିଆ ଜାଣନ୍ତି ନାହିଁ । ଯେତେବେଳେ ମନ୍ଦିରରେ ହରିଜନ ପ୍ରବେଶର ପ୍ରଶ୍ନ ଉଠିଥିଲା, ଓଡ଼ିଆ ହିନ୍ଦି ତାମିଲ କୁହା ସବୁ ସନାତନୀ ସମସ୍ୱରରେ ପ୍ରତିବାଦ କରିଥିଲେ । ସେ ଗୋଟିଏ ପରିଧି । ସେତେବେଳେ କେଉଁ ହରିଜନ କେଉଁ ଭାଷା କହୁଛି କେହି ଚିନ୍ତା କରିଥିଲାକି ? ନୂଆଖାଲିର ଦୁର୍ଘଟଣା ପରେ ବିହାରରେ ଯେଉଁ ଝଞ୍ଜା ଉଠିଲା, ଭାଷାର ବନ୍ଧନ ରହିଲା କେଉଁଠି ? ସେ ଆଉ ଗୋଟିଏ ପରିଧି । ଯେତେବେଳେ ଅଭାବ ଅନଟନରେ ଦେଶ ଘାଣ୍ଟି ହେଉଥିଲା, ଏଇ ଓଡ଼ିଆ ପ୍ରଦେଶର ଚୋରାବଜାର କାରବାରୀମାନେ ବମ୍ବେଇର କାରବାରୀଙ୍କ ସଙ୍ଗେ, ଆଉ, ଭାରତର ଚୋରା ବଜାରୀମାନେ ପାକିସ୍ଥାନ କି ଅନ୍ୟ ଦେଶର ବଣିକଙ୍କ ସଙ୍ଗେ ମେଣ୍ଟ ବାନ୍ଧିଥିଲେ । ଚାହିଁଥିଲେ କି ସେ ନିଜ ଦେଶର ଓଡ଼ଆ କୁହା ଦରିଦ୍ର ନିଃସହାୟ ଲୋକଙ୍କର ତୁଣ୍ତକୁ, ଦେହକୁ ? ସେମାନଙ୍କର ସେ ଗୋଟାଏ ସ୍ୱତନ୍ତ୍ର ସମାଜ ।

 

ସେମିତି ବିଜ୍ଞାନ, କଳା, ରାଜନୀତି, ଅର୍ଥନୀତି, ଶୋଷଣନୀତି, ଧ୍ୱଂସନୀତି, ସବୁ ନୀତିର ବିଭିନ୍ନ ପରିଧି ।

 

ଭାଷା ସେହିପରି ଗୋଟିଏ ।

 

ଏବ କାଳର ମଣିଷର ଜୀବନ, କର୍ମ, ଚିନ୍ତା ସବୁ ଜଟିଳ । ତେଣୁ, କେଉଁଟା ଭଲ, କେଉଁଟା ମନ୍ଦ କିଏ କହିବ ? ଯେଉଁ ଧାରଣାକୁ ଯେ ନିଜର କରିଛି ତାରି ଦକ୍ଷତା, ବୁଦ୍ଧି ଓ ପ୍ରଚାର ଉପରେ ଭଲମନ୍ଦ ନିର୍ଭର କରେ । ହରିବାବୁ, ମଧୁବାବୁ ଓ ଗୋପାଳ ବାବୁଙ୍କର ଦକ୍ଷତା ଉପରେ ନିର୍ଭର କରେ, କିଏ ଦୁଷ୍ମନ୍ତ ବାବୁଙ୍କୁ ନିଜର ଧାରଣାରେ ଅନୁପ୍ରାଣିତ କରିପାରିବେ ।

 

ସମସ୍ତେ ହସି ଉଠିଲେ । ନିଜେ ଦୁଷ୍ମନ୍ତ ମୁରୁକେଇ ହସିଲା । ତୁଷାରକାନ୍ତି ନୀରବ ।

 

ନଟବର କହିଲେ, ତୁଷାରକାନ୍ତିର କଣ କୌଣସି ଧାରଣା ନାହିଁ, ଦକ୍ଷତା, ବୁଦ୍ଧି ଓ ପ୍ରଚାର କରିବାକୁ ନୀତି ନାହିଁ ?

 

ମୁଣ୍ତ ହଲାଇ ତୁଷାରକାନନ୍ତି କହିଲା, ନାହିଁ, କିଛି ନାହିଁ । ମୋର ଆଖିର ଆଲୁଅ ଲିଭିଛି-। ତା ସଙ୍ଗେ ସଙ୍ଗେ ମନର ଆଲୁଅ । ଅନ୍ଧାରରେ ମୁଁ ଘାଣ୍ଟି ହେଉଛି । ଭାଷା ପ୍ରସଙ୍ଗ ମୁଁ ଭାବୁନାହିଁ । ଭାଷାଗତ ପ୍ରଦେଶ, ରାଜନୀତି, ଅର୍ଥନୀତି ସବୁ ନୀତି ମୋ ପାଖରୁ ଦୂରରେ । କେବଳ ଗୋଟିଏ ନୀତି ମୋ ଆଗରେ ଅତିବଡ଼ ହୋଇ ଠିଆ ହୋଇଛି । ସେ ହେଉଛି, ପେଟ ।

ଆମେ ବଞ୍ଚିବା ପାଇଁ ଛଟପଟ । ସବୁ ଧନୀ ଦରିଦ୍ର ହେଉନ୍ତୁ, କି ସବୁ ଦରିଦ୍ର ଅକ୍ଷମ ଧନୀ ହେଉନ୍ତୁ, ଏ ଭାବନା ମୋର ମନରେ କେବେ ପଶେନାହିଁ । ମୁଁ ଭାବେ ମୋରି ବିଷୟ, ମୋପରି ବିଶ୍ୱରେ ଯେତେ ଅପାରଗ ରୁଗ୍‍ଣ, ପେଟ ଜାଳାରେ ଛଟପଟ ହେଉଛନ୍ତି, ମଣିଷ ପିଲା, ତାଙ୍କର କଥା । ସେ ମଣିଷର ବର୍ଣ୍ଣ, ଧର୍ମ, ଜାତି, ଭାଷା, ଖାଦ୍ୟ, ବୁଦ୍ଧି, ବିବେକ, ଦକ୍ଷତା, ସମାଜର ପ୍ରଥା ବା ଦେଶର ଆଇନ୍‌ ଅନୁସାରେ ପାପପୁଣ୍ୟ, ଭଲମନ୍ଦର ବିଚାର ମୁଁ କେବେ କରେନାହିଁ । ଅକ୍ଷମ ଅପାରଗର ହୃଦୟର ସ୍ପନ୍ଦର କଥା ମୁଁ ଭାବେ । ଦୁଃଖ ଜଞ୍ଜାଳର ସ୍ପନ୍ଦନ ଭିତରେ ବର୍ଣ୍ଣ, ଧର୍ମ, ଜାତି ଓ ଭାଷାର ସ୍ଥାନ ନାହିଁ । ଅଛି ଜୀବନର, କେବଳ ଜୀବନର, ଆଉ, ସବୁ ମଣିଷଙ୍କର ଜୀବନ ସମାନ ।

ଏବଂ ଆତ୍ମ ଗୋଟାଏ, ନଟବର ବାବୁ ଉତ୍ତେଜିତ ହୋଇ କଥାରେ ଜୋରଦେଇ କହିଲେ, ମୋଟେ ଗୋଟାଏ । ସେଥିପାଇଁ ମହାମାନବ ସତ୍ୟ ଅହିଂସା ଓ କ୍ଷମାର ମନ୍ତ୍ର ପ୍ରଚାର କରି ଜୀବନ ଦେଇଛନ୍ତି ଅପାରଗ ଅକ୍ଷମ ଓ ନିର୍ଯ୍ୟାତିତଙ୍କ ସେବାରେ । ମଣିଷର ଆଦର୍ଶ ଧର୍ମ ସେବା, ଆଦର୍ଶ କର୍ମ ସେବା । ସେଠାରେ ମଣିଷ ମଣିଷ ଭିତରେ ପ୍ରଭେଦ ନାହିଁ ।

ବଡ଼ ଦେଉଳରେ ସତ୍ୟ, ଶିବ ଓ ସୁନ୍ଦର, ଜୀବ ପରମ ଓ ପ୍ରକୃତି, ଦୟା, କ୍ଷମା ଓ ଶାନ୍ତି, ବୁଦ୍ଧି ବିବେକ ଓ ପ୍ରଜ୍ଞାର ପ୍ରତୀନ ତ୍ରିମୂର୍ତ୍ତି, ହସ୍ତପଦ ବିହୀନ ହୋଇ ବସିଛନ୍ତି । ମଣିଷର ସେବା କରିବାକୁ, ଅପରଗ ଅକ୍ଷମ ଓ ନିର୍ଯ୍ୟାତିତର ସେବା କରିବାବୁ ବିଶ୍ୱ-ନୟନରେ ଇଙ୍ଗିତ ଦେଉଛନ୍ତି । ସେ ଇଙ୍ଗିତରେ ଜାତି ବର୍ଣ୍ଣ ଓ ଭାଷାର ସୂଚନା ନାହିଁ, କାରଣ ସଭିଙ୍କର ଆତ୍ମା ଗୋଟିଏ ।

ଗୋପାଳ ଟେବୁଲ ଉପରେ ବିଧା ମାରି ସମସ୍ତଙ୍କୁ ସଚେତନ କରି କହିଲେ, ଆତ୍ମା ନିଶ୍ଚୟ ଗୋଟିଏ । ସେ ଗୋଟିକ ଆତ୍ମା ଅନନ୍ତ । ସବୁ ବିଶ୍ୱବାସୀଙ୍କର ସେହି ଗୋଟିଏ ଆତ୍ମା, ସମସ୍ତେ ସମାନ । ଜୀବନର ସ୍ୱାତନ୍ତ୍ର୍ୟ ପାଇଁ କାହିଁକି ଗୋଟିଏ ଘଟର ଆତ୍ମା କଣିକା ଦୁଃଖକଷ୍ଟରେ ଛଟପଟ ହେବ ଓ ଆର ଘଟର ଆତ୍ମା କଣିକା ଜୀବନର ସ୍ୱାର୍ଥ ଓ କ୍ଷଣିକ ଆନନ୍ଦ ପାଇଁ ଦୁଃଖକଷ୍ଟ ଦେବାକୁ ସୁଯୋଗ ପାଇବ ? ସବୁ ସମାନ, ସବୁ ସମାନ ହେବାହିଁ ବାଞ୍ଛନୀୟ–ଧନୀ ନିର୍ଧନ, ସକ୍ଷମ ଅକ୍ଷମ, ବୁଦ୍ଧିମାନ ଓ ନିର୍ବୁଦ୍ଧି–

ଏତେବେଳକେ ଦୁଷ୍ମନ୍ତ ପାଟି ଖୋଲିଲା । ହସି ହସିକା କହିଲା, କୁହନ୍ତୁ ତେବେ, ନର ଓ ନାରୀ, ଦିନ ଓ ରାତି, ଜଳ ଓ ସ୍ଥଳ, ଜୀବନ ଓ ମରଣ । ଏ ସବୁ କେବଳ ସମ୍ଭବ ହେବ ପ୍ରଳୟ ହେଲେ । ଯେଉଁମାନେ ଯେଉଁ ଦେଶରେ ସବୁ ସମାନ କରିବାକୁ ଚେଷ୍ଟା କରିଛନ୍ତି ସେହିମାନେ ହିଁ ପୁଣି ଏ ବିଭେଦ ସୃଷ୍ଟି କରିଛନ୍ତି । ବିଭେଦ ଆପେ ଆପେ ହେବ, କାରଣ ପ୍ରତି ମଣିଷ ସ୍ୱାତନ୍ତ୍ର୍ୟ ଚାହେଁ ।

ମଧୁବାବୁ କହିଲେ, ଚାହିଁବା ନ ଚାହିଁବା କଥା ଉଠୁନାହିଁ । ପ୍ରତି ମଣିଷ ସ୍ୱତନ୍ତ୍ର, କାରଣ ଆତ୍ମା ଗୋଟିଏ ହେଲେ ମଧ୍ୟ ଜୀବନ ସ୍ୱତନ୍ତ୍ର । ଆସେ, ଅନୁଭବ କରେ, ଆଶା ଆକାଙ୍‍କ୍ଷା ଧରି ଫେରିଯାଏ । ପୁଣି ଆସେ– । ମନୁଷ୍ୟ ଯେପରି, ଜାତି ଭାଷା ଓ ଧର୍ମ ମଧ୍ୟ ସେପରି–ସ୍ୱତନ୍ତ୍ର ।

 

ହରିବାବୁ କହିଲେ, ତେଣୁ ଯିଏ ଯେଉଁ ଦେଶରେ ଜନ୍ମ, ଯେଉଁ ଭାଷା ତାର ନିଜର, ସେଥିପ୍ରତି ମଧ ତାର କର୍ତ୍ତବ୍ୟ ଅଛି । ଅକ୍ଷମ ଅପାରଗଙ୍କର ସେବା ଜାତି ଧର୍ମ ଭାଷା ନ ବିଚାରି, ମଣିଷର କର୍ତ୍ତବ୍ୟ ହେଲେ ମଧ୍ୟ ଦେଶ ଓ ମାତୃଭାଷା ପ୍ରତି କର୍ତ୍ତବ୍ୟ ଭୁଲିବାର କଥା ନୁହେ ।

 

କାଠଯୋଡ଼ୀ ନଈ ସେପାରି–

 

ନଈ କୂଳରୁ ଦୁଇମାଇଲ ବାଟ ହେବ, ନାଲିରାସ୍ତା କଡ଼ରେ ମଜ୍‌ଦୁର୍‌ ପାଟଣାର ପାଣସାହି । ଆଧୁନିକ ଭାଷାରେ କହିଲେ, ମଜ୍‌ଦୁର୍‌ପାଟଣାର ହରିଜନ ସାହି । ଏଇ ସାହିରୁ ପ୍ରାୟ ଦୁଇ ଫର୍ଲଙ୍ଗ ଦୂରରେ ବଡ଼ ରାସ୍ତାର ବାଁ ପାଖେ ପାଟଣା ଗାଁ,–ଭଲ ଜାତିଆଙ୍କ ବସ୍ତି । ବଡ଼ ରାସ୍ତାରୁ ଛୋଟ ରାସ୍ତା ପାଣସାହି ମଝିଦେଇ ପାଟଣା ଗାଁକୁ ପଡ଼ିଛି । ଦି ସାହି ମଝିରେ ଗୋଚର, ବୁଦିବୁଦିକା ବଣ, ଶ୍ମଶାନ ଓ ଝିଲ, ଆମ୍ବତୋଟା, ଗୋଟି ଗୋଟିକା ଆମ୍ବଗଛ, ବାଲିମଡ଼ା ଅନାବାଦୀ ଜମି, ସେଇଠୁ ଦୁଇ ପାଖର ଗହୀର, ତୋଟା, କନିଅର ବଣ, କିଆବଣ, ଶିବ ମନ୍ଦିର । ରାସ୍ତାର ଆର ପାଖେ ଚଣ୍ତୀଙ୍କ ଆସ୍ଥାନ । ଦୁଇଶ ହାତ ଆଗେଇ ଗଲେ ପାଟଣା ଗାଁ, –ଭଲ ମଣିଷଙ୍କ ଘର ।

 

କିନ୍ତୁ, ପାଣସାହି (ସ୍ୱାଧୀନ ଦେଶର ସ୍ୱାଧୀନ ଭାଷାରେ ବଖାଣିଲେ କହିବାକୁ ହେବ–ମଜ୍‌ଦୁର୍‍ପାଟଣା) ବଡ଼ ରାସ୍ତା, ନାଲି ରାସ୍ତାର କଡ଼ରେ, ଯେଉଁ ରାସ୍ତାରେ ଦିନରାତି ଛୁଟେ କାର୍‌, ଟ୍ରକ୍‌, ବାସ୍‌, ରାଜଧାନୀରୁ ଓ ରାଜଧାନୀକୁ । ଅଧିକାଂଶ ଲୋକ ମୂଳ ଲାଗନ୍ତି ।

 

ମଜ୍‌ଦୁର୍‍ପାଟଣାର ଗୋଟିଏ କଡ଼ରେ ବଡ଼ରାସ୍ତା ପାଖରୁ ଶହେ ହାତ ଦୂରରେ ଛୋଟା କାଳୁ ସାମଲର କୁଡ଼ିଆ । ନୁଆଁଣିଆ ଛୋଟ ଦିଓଟି ବଖରା । କଡ଼କୁ ଖଣ୍ତେ ଚାଳୀ । ଉପରେ ଚାଳ-। ଝାଟିମାଟି କାନ୍ଥ, ତାଟି ଆଉଜା । ଘର ପଛକୁ ବଡ଼ ଖାଲ । ରାସ୍ତାରେ ମାଟି ପକାଇବାକୁ ଗତବର୍ଷ କାନ୍ତରାଟି ଖୋଲିଥିଲା । ସେଥିରେ ଚାରି ମାସ ପାଣି ରହେ, ଆଠମାସ ସେ ଶୁଖିଲା ପଡ଼ିଥାଏ । ଅଳିଆ ଗଦା ହୁଏ ।

 

ଏଇ ଛୋଟ କୁଡ଼ିଆରେ କାଳୁ ସାମଲ ଓ ତାର କୁଟୁମ୍ବ ରହନ୍ତି । ବଡ଼ଲୋକର ମଟର ଆଲୁଅରେ ଆଖିଝାପ୍‌ସା ହୋଇ କଟକର ନଇନ ଜୋରୀରେ ରିକ୍‌ସା ପକାଇ ନିଜେ ପଡ଼ି ଅଣ୍ଟା ଗୋଡ଼ ଭାଙ୍ଗି କାଳୁ ହୋଇଛି ଛୋଟା । ବାଁ ଗୋଡ଼ଟି ଆଣ୍ଠୁ ପାଖରୁ ନଡ଼ ନଡ଼ । ତଳେ ଲାଗେ ନାହିଁ-। ବାଡ଼ି ଖଣ୍ତେ ଧରି ଛୋଟେଇ ଛୋଟେଇ ଚାଲେ, ଆଉ ହାତପାତି ଭିକ ମାଗେ । ଭିକ ମାଗିବାକୁ କଟକ ସହରକୁ ଯାଏ ସକାଳୁ, ଫେରି ଆସେ ସଞ୍ଜକୁ ।

 

ଯେତେବେଳେ ସେ ରିକ୍‌ସା ବୋହୁଥିଲା, ଦିନକୁ ଅବଶ୍ୟ ଦୁଇ ଚାରି ଟଙ୍କା ଭେଉଥିଲା-। ଦିହର ମଜରା ଛଡ଼ାଇବାକୁ ଟଙ୍କାର ମସାଏ ମଦପାଣି କି ଅଫିମରେ ଖରଚ କରି ଦେଉଥିଲା । ରିକ୍‌ସା ସିନା ଛାଡ଼ିଛି, ପୁରୁଣା ଅଭ୍ୟାସଟା ଛାଡ଼ି ହେଉନାହିଁ । ଭିକ ମାଗି ଯାହା ପାଏ ସେଥିରୁ ଅଧେ ମଦପାଣି କି ଅଫିମରେ ଖରଚ କରେ । ବାକିତକ ଆଣି ରମୀ ହାତରେ ଦିଏ ।

 

କାଳୁକୁ ପଚାଶ ପୂରି ପାଆଁଚ ।

 

ରମୀ କାଳୁର ଘରଣୀ । ତାକୁ ବି ପଚାଶ ପାଖେଈ ଆସିଲା । ସେ ବିଲ ବାଡ଼ିରେ କାମ କରେ । କାମ ନ ଥିଲେ କୁଆଖାଈ ନଈ ଆରପାରିକି ଯାଇ କଣ୍ଟା କାଟେ । କଣ୍ଟା ଗଛକୁ ବିଡ଼ା କରି ବାନ୍ଧି ମୁଣ୍ତରେ ବୋହି ଆଖପାଖ ଗାଁରେ ବିକେ । ଯାହା ପାଏ ସେଥିରେ ଚାଉଳ ମାଣ୍ତିଆ କୋଳଥ କିଣିଆଣେ । ସବୁବେଳେ କାର୍ଯ୍ୟବ୍ୟସ୍ତ, –କାହାର ଘର ଲିପେ, କେଉଁଠି ମାଟି ବୁହେ, କାହାର କୋଠା ତୋଳା ଲାଗିଛିତ ଆଉ ପାଞ୍ଚଟାଙ୍କ ସଙ୍ଗରେ ଇଟା, ପାଣି, ଚୂନ ବୁହେ । ସୁର୍‌କି କୁଟେ । ରୋଜଗାର କରି ପିଲାଙ୍କୁ ପୋଷେ । କାମ କରେ, ବେଶିଗୁଡ଼ାଏ ଗପେ ନାହିଁ । ବେଳେବେଳେ କାଳୁ ଉପରେ ରାଗେ । ଟାଣଟାଣ କଥା ହାଙ୍କେ ।

 

ବଡ଼ ଝିଅଟି ଦୂର ଗାଁରେ ବାହା ହୋଇଥିଲା । ଜ୍ୱାଇଁ କାମ କରୁଥିଲା ଲୁଗା କଳରେ । କଣ ହେଲା କେଜାଣି, ଜ୍ୱାଇଁ ଗଲା ଜେଲ, ଦି ବରଷ, ଝିଅ ଶଶୁର ଘରେ । ମଝିଆଁ ଝିଅ ହୀରା, ଷୋଳ ପୂରି ସତର ଚାଲିଛି । ବର ଜୁଟି ନାହିଁ । ବାହାହେବା ବୟସ ହେଲାଣି । କେବେ କେମିତି ମା ସଙ୍ଗେ କାମକୁ ଯାଏ ସିନା ନୋହିଲେ ବେଶି ଦିନ ଘରେ ଥାଏ । ଆମ୍ବ ତୋଟାରୁ ପତର ଗୋଟାଏ, କୁଟାକାଠି ଭାଙ୍ଗି ଜାଳ ଯୋଗାଡ଼ କରେ । ଝିଲ କୂଳରୁ ପିତା ଶାଗ, ମଦରଙ୍ଗା, ହିଡ଼ିମିଚି, କାନସିରି, ସୁନୁସୁନିଆ, କଳମ୍ବ ଶାଗ ତୋଳି ଘରକୁ ଆଣେ । ବେଳେ ବେଳେ ଗାଁରେ ପଶି ଦି ଚାରି ପଇସାର ବିକେ । ହୀରା ରୋଷେଇ କରେ । ଛିଣ୍ତା ପୁରୁଣା ଲୁଗାପଟା କଦଳୀ ଫାଡ଼ୁଙ୍ଗା ଖାରରେ କାଚେ । ବୟସର ଝିଅ ସଫାସୁତୁରା ପିନ୍ଧିବାକୁ, ମୁଣ୍ତରେ ଟିକିଏ ତେଲ ମାରିବାକୁ, ମୁହଁରେ ହଳଦୀ ହାତଟା ଘସିବାକୁ ମନହୁଏ । କିଏ କୁଆଡ଼ୁ ତାଳି ମାରିଲେ କି ଗୀତ ବୋଲିଲେ କାନ ଡେରେ । ମନକୁ ମନ ହସେ ।

 

ଆଉ, ସାନଝିଅଟି ଧୀରା, ତେର ବରଷ ଚାଲୁଛି । ସୁନ୍ଦରଟିଏ । ଦେହରେ ଛିଣ୍ତା ନେଙ୍କୁଡ଼ି ଗୁଡ଼େଇ ଟୋକେଇ ଧରି ଯାଏ ଗୋବର ଗୋଟାଇ । ଗାଁ ମୁଣ୍ତ, ଗହୀରୀ ବିଲ, ପୋଖରୀ କୂଳ ସେ ବୁଲେ । ଗୋବର ଗୋଟାଇ ଘଷିପାରେ । କେବେ କେମିତି ଆଖପାଖ କେଉଁ ଗାଁର କେଉଁ ପୋଖାରୀରେ ମାଛଧରା ହେଲେ ଗୋବର ଟୋକେଇ କୂଳରେ ଥୋଇ ପଙ୍କରେ ପଶି ପଙ୍ଗ ଚିପି ଚିପି ମାଛ, କଙ୍କଡ଼ା, ଗେଣ୍ତା, କୋଚିଆ ଧରି ଘରକୁ ଆଣେ ।

 

ହରିଜନ ସାହିରେ ଆଉମାନେ ବେତା, ପାଚିଆ, ତାଟି ବୁଣି ଜୀବିକା ଚଳାନ୍ତି, କେହି କେହି ଢୋଲ ଟମକ ବଜେଇ ଗୁଜୁରାଣ ମେଣ୍ଟାନ୍ତି, ଆଉ କେହି ହଂସ, କୁକୁଡ଼ା, ଛେଳି, ମେଣ୍ତା ପାଳି ସେଥିରୁ କିଛି ପଇସା କାଢ଼ନ୍ତି । କାଳୁ ସାମଲର ସେ ସବୁ କିଛିନାହିଁ । କଲେ କଣ ହୁଅନ୍ତା ନାହିଁ ? ଛୋଟା ହେଲେବି ଏସବୁ କାମ ତ କରିପାରିବ ।

 

କାଳୁର ସେଥିରେ ବିଶ୍ୱାସ ନାହିଁ । ସେ ଜାଣେ ଭିକ ମାଗିଲେ, ପୁଣି ସୁବିଧା ଦେଖି ଆଖି ବୁଲେଇ ହାତ ଏପାଖ ସେପାଖ କଲେ, ନଗଦ ନାରାୟଣ ମିଳିବ । ମଦପାଣି ମନ୍ଦେ କି କଳାକୃଷ୍ଣ ଟିକେ ପେଟରେ ପଶିବ । କେହି ଜାଣିବେ ନାହିଁ । ବେତା ଟୋକେଇ ବୁଣା କି କୁକୁଡ଼ା ପୋଷାରେ ଏସବୁ ସୁବିଧା ନାହିଁ ।

 

ସଞ୍ଜ– ।

 

ରମୀ କହିଲା, ତମ ମୁହଁକୁ ଲାଜ ସରମ ନାହିଁ ? ଠାକୁରେ ଦୁଃଖ ଦେଲେ, ଗୋଡ଼ ଭାଙ୍ଗିଲେ ବୋଲି ଠାକୁରେ କଣ କହିଛନ୍ତି ଭିକ ମାଗି ଯାହା ମିଳିବ ଖାଲି ମଦ ଅଫିମ ଖାଇବ ? କି ମିଳିବ ସେ ଭିକ ମଗାରୁ । ଘରେ ଦିଇଟା ବଢ଼ିଲା ଝିଅ, ପେଟକୁ ପେଜ ନାହିଁ, ଧିଅକୁ କନା ନାହିଁ । କେଡ଼େ ଅଭେକା । ତେଣିକି ନିଘା ନ ଦେଇ ପେଟରେ ମଦ ପୂରେଇ ଆଖି ବୁଜି ବସିଲେ କି ଲାଭ-?

 

ଡିବିରି ଆଲୁଅ ଚାଳିଘରେ ମିଞ୍ଜି ମିଞ୍ଜି ଜଳୁଛି । ଚୁଲିମୁଣ୍ତରେ ବସି ହୀରା ସିଝଉଛି ବଣ ଓଲୁଅ ଗୋବର ପାଣିରେ । ଧୀରା ହାଲିଆ ହୋଇ ଘର ଚଟାଣରେ ଶୋଇପଡ଼ିଛି । ବାହାରେ ଅନ୍ଧାର । ଶୀତ ଛାଡ଼ି ଛାଡ଼ି ଆସୁଛି, ଛାଡ଼ି ନାହିଁ । ଫଗୁଣ ଅଧା । ଆଗରେ ପାହାଡ଼ ପରି ବଡ଼ ରାସ୍ତା । ରାସ୍ତା କଡ଼ର ଗଛଧାଡ଼ି ଅନ୍ଧାର ଭିତରେ ଘନ ଅନ୍ଧାରର ବାଡ଼ ପରି ଦିଶୁଛି । ସେଇ ଅନ୍ଧାର ବାଡ଼ର ଆର ପାଖରୁ ବିଲୁଆ ପଲର ବୋବାଳି ଶୁଭୁଛି । ଘର ଆଗ ଖତ କୁଢ଼ ଓ ଗୋବର ଗଦାରୁ ବାହାରୁଛି ନାକଫଟା ଗନ୍ଧ । ଦୂରରୁ ବୁଦିବୁଦିକା ଜଙ୍ଗଲ ଆଡ଼ୁ ମଇଁଷି ମଢ଼ର ସଢ଼ା ଗନ୍ଧ ଆସି ନାକରେ ବାଜୁଛି । ଛୋଟ ପିଣ୍ତାରେ କାନ୍ଥକୁ ଆଉଜି ବସିଛି କାଳୁ । ହାତ ପାଖରେ ଲମ୍ବ ଠେଙ୍ଗା । ତା ପାଖରୁ ଚାରିହାତ ଛାଡ଼ି ଦୁଆର ବନ୍ଧ ପାଖରେ ଗୋଡ଼ ଲମ୍ବାଇ ବସିଛି ରମୀ ।

 

କାଳୁ କହିଲା, ଆଲୋ ହେ, ରିକ୍‌ସା ଭିଡ଼ା କାମଠୁ ଏ ଭିକ ମଗା କାମରେ ବେଶି ମିହନ୍ତ ଲୋ । ଛୋଟେଇ ଛୋଟେଇ ବଡ଼ରାସ୍ତା ଛୋଟ ଗଳୀ ସବୁବାଟେ ଯାଇ ମାଇ ହାତପାତି ଛୋଟା ଗୋଡ଼କୁ ହଲେଇ ଦାନ୍ତ ନିକୁଟି ମାଗିବା କଣ ସହଜ କଥା ? କାହାର କେତେବେଳେ ମନ ତଟିଲେ ପଇସାଟିଏ ପକେଇ ଦିଏ । ଦବାକୁ କିଏ ଭଲ ପାଏ ? ଆମ ଭଳିକା ଭିକାରୀ ତ ଅଳପ ନାହାନ୍ତି, କେତେ କିଏ ଦେବ ? ବୁଲି ବୁଲି ହାଲିଆ ହୋଇଗଲେ ଟିକିଏ ଅଫିମ କି ଚଳେ ମଦ ପେଟକୁ ନ ଗଲେ ପ୍ରାଣ ରହିବ ?

 

ରମୀ କହିଲା, ଏମିତିଆ ହୀନିମାନିଆଁ ବିକଳିଆ ପ୍ରାଣ ରହିଲେ କେତେ ନ ରହିଲେ କେତେ । ନିଜେତ ଛଟପଟ ହେଉଛ ଆଉ ତିନିଟାକୁ କରୁଛ । ଭିକମଗା ବୃତ୍ତି ଛାଡ଼ି ଘରେ ଥାଇ ବେତା ଟୋକେଇ ବୁଣିଲେ ହଅନ୍ତା ନାହିଁ ? ମହୁରୀଟାଏ ବଜେଇ ଶିଖିଲେ, କତା କି ଝୋଟ ଦଉଡ଼ି ବଳିଲେ, କି କିଛି ନ କରି ଅରଟ ଖଣ୍ତିକରେ ସୁତା କାଟିଲେ ହଅନ୍ତା ନାହିଁ ? ଯେଉଁ ଚାରି ପଇସା ମିଳନ୍ତା ସେଇ ଆସନ୍ତା କାମରେ । ଧିଅ ମଜୁରା ହଅନ୍ତା ନାହିଁ କି ମଦପାଣି ଲୋଡ଼ା ପଡ଼ନ୍ତା ନାହିଁ । ବଢ଼ିଲା ଝିଅକୁ ଘରେ ଏକୁଟିଆ ଛାଡ଼ି କାମକୁ ଯାଉଛି । ମନ ଦକ ଦକ । ଛୁଆଁଛୁତି ସିନା ଉଠିଲା, ଦୁଃଖୀ ଦରିଦ୍ରଙ୍କର ଦୁଃଖ ତ କମିଲା ନାହିଁ । ମୋ ସାନ କୁହା ମାନ ।

 

କାଳୁ ରାଗିଲା । କହିଲା, ରଖ ତୋର ସାନ କୁହା । ମୁଁ ଏମିତି ନିକମା କାମ କରିପାରିବି ନାହିଁ । କୋଡ଼ିଏ ବର୍ଷ ରିକ୍‌ସା ବୋହିଲି । ଯାହା ଭେଇଲି ସବୁ ଆଣି ତତେ ଦେଲି । ଖାଇପିଇ ସବୁ ଉଡ଼େଇ ଦେଲୁ । ମତେ ତୁଇ ଆଜି ଭିକ ମଗେଇଲୁ ଲୋ । କିଛି ଯଦି ରଖିଥାନ୍ତୁ ଏଇକ୍ଷଣି ଏତେ ଦୁଃଖ କାହିଁକି ପାଉଥାନ୍ତୁ ? ଏ ବଅସରେ ମୁଁ ନୂଆକାମ ବସିଲା କାମ କରିପାରିବି ନାହିଁ । ଭିକ ମାଗଲେ ଯେଉଁ ଚାରି ପଇସା ବଞ୍ଚୁଛି ଆଣି ପୁଣି ତତେ ନୋହିଲେ ତୋ ପିଲାକୁ ଦେଉଛି ତ ।

 

ଦେଇଛି ସତରେ । ରମୀର କିଛି କହିବାର ନାହିଁ । ସେ ତୁନି ହେଲା । ପାଖଘରୁ ମହୁରୀର ସ୍ୱର ଶୁଭୁଛି । ନୂଆ ଶିଖାଳୀ । ପାଣସାହି ମଝିରୁ ଶୁଭୁଛି ହୋ ହା, ପାଟି କଜିଆ । ସେ ପାଖରୁ କିଏ ବଜାଉଛି ଢୋଲ । ବଡ଼ ରାସ୍ତା ଉପରେ ଆଲୁଅ ଜାଳି ଦାଲୋଳ କରି ପଛକୁ ପଛ ତିନିଟା ମଟର ଗାଡ଼ି କେଡ଼େ ବେଗରେ ଛଟି ପଳେଇଲା, ପୁଣି ହେଲା ଅନ୍ଧାର । କିଏ କୁଆଡ଼ୁ ଅନ୍ଧାର ଭିତରୁ ମାରୁଛି ତାଳି । ଖଣ୍ତି କାଶ । ଚୁଲିମୁଣ୍ତରେ ହୀରା ତରଙ୍ଗ ତରଙ୍ଗ ହୋଇ ଏପାଖକୁ ସେପାଖକୁ ଚାହୁଁଛି । ଖାଲି ମାଠିଆରେ ହାତ ମାରୁଛି ।

 

କାଳୁ ଆଖି ବୁଜିଲା, ଆଉ ଭାବିଲା, କିଏ ଦେଉଛି ଆଜି କାଲି ? କଟକ ସହର, ବଡ଼ ସହର । ଧନୀ ଲୋକେ ବଡ଼ ଲୋକେ ଗାଡ଼ି ମଟର ଚଢ଼ି ଯାଆନ୍ତି । ଦୁଃଖୀ ରଙ୍କିଙ୍କ ଉପରେ ତାଙ୍କର ଆଖି ପଡ଼େନାହିଁ । ଦୋକାନୀ ବ୍ୟବସାୟୀ, ଯେମିତି ମାଛ ହୁରୁଡ଼ାନ୍ତି, ଭିକାରୀ ପଲକୁ ବି ସେମିତି ହୁରୁଡ଼େଇ ଦିଅନ୍ତି । ଦିଏ କିଏ ? ଚାଲି ଯାଉଥିବା ବାଟୋଇ ନୋହିଲେ ଗଳି କନ୍ଦିର ଘରୋଇ । କିଏ ଦିଏ, କିଏ ନାହିଁ ।

 

କାଳୁ ରୋଜଗାରର ଆଉ କେତୋଟି ବାଟ ଆବିଷ୍କାର କରିଛି । କାହା ଆଗରେ କହିବାକୁ ତାର ସାହସ ହୁଏ ନାହିଁ । ନିଜେ ବି ଭାବି ପାରେନାହିଁ । ତଥାପି ସେ କରେ । ସେହି ଉପାୟରେ ବଡ଼ ଝୁଅ ପାଇଁ ଦି ଦିଟା ଶାଢ଼ୀ ସେ ଭେଇଛି । ସାନ ଝିଅ ପାଇଁ ବି ଖଣ୍ତେ । ଘର ପାଇଁ ଦିଟା ତାଟିଆ, ଗୋଟିଏ ଗିଲାସ, ପଟେ ଥାଳି । ନିଜ ପାଇଁ ଗୋଟିଏ ଚଦର, ହଳେ ଚପଲ, ଖଣ୍ତେ ପାନିଆଁ–ନିଶ ଦାଢ଼ି କୁଣ୍ତେଇବାକୁ ସୁବିଧା ହୁଏ ।

 

ରମୀ ପଚାରିଲେ ସେ କହେ, ଅମୁକ ମା ଦେଇଛନ୍ତି । ମିଛ କଥା ବୋଲି ରମୀ ବୁଝେ । ତୁନି ରହେ । କାଳୁ ତାର ଏ ନୂଆ କାମ ଆରମ୍ଭ କଲା ସେଇ ଅନ୍ଧ ବାବୁଙ୍କ ଘରୁ । ଅନ୍ଧ ବାବୁଙ୍କ ସ୍ତ୍ରୀ ଆଉ ଭଉଣୀ ତା ଦୁଃଖରେ ଶୋକ କରନ୍ତି । କେବେ କେମିତି ମୁଠାଏ ଖାଇବାକୁ ଦିଅନ୍ତି । ମାଗିଥିଲେ ହୁଏତ ଶାଢ଼ୀ ଖଣ୍ତେ ଦେଇଥାନ୍ତେ । ବେମାର ପଡ଼ିଥିଲେ, ମଟରଚଢ଼ା ଖଦଡ଼ ପିନ୍ଧା ବାବୁ କେତେ ଥର ଆସନ୍ତି । କାଳୁ ଆଡ଼କୁ ଅନାନ୍ତି ନାହିଁ । ଦିନେ ସିଉକିଟିଏ ଦେଇଥିଲେ । ହେଲେ, ଅନ୍ଧବାବୁ ଘରକୁ କେତେ ଚିଜ ସେ ଆଣନ୍ତି ।

 

କାଳୁ ଓର ଉଣ୍ତୁଥିଲା । ମୌକା ଦେଖି ଦିନେ ହାତ ବଢ଼େଇଲା, ଆଣିଲା ଭଲ ଶାଢ଼ୀ ଖଣ୍ତେ ଆଉ ଖଣ୍ତେ ଗିନା । ସେଇଦିନୁଁ ସେ ତାଙ୍କ ଘର ଆଡ଼େ ଯାଇନାହିଁ । ନିଜ ଡର ମନକୁ ଖାଉଛି । ଯାଏ ଅନ୍ୟଆଡ଼େ । ଆଖି ଏଣେ ତେଣେ ବୁଲାଏ । ଭିକ ମାଗେ, ଓର ଉଣ୍ତୁଥାଏ ।

 

ଆଜିକା ଉପାୟଟା ନୂଆ । ଭାବିଲା ବେଳକୁ କାଳୁର ଦିହ ଶୀତେଇ ଉଠେ । ଭୟରେ ଛାତି ଥରେ ।

 

ଦିନସାରା ପରିଶ୍ରମ କରି ହାତପାତି ଦାନ୍ତ ନିକୁଟିହୋଇ ଯେତେ ଯାହାକୁ ମାଗିଲା କେହିତ ତାକୁ କିଛି ଦେଲେନାହିଁ । ଏଇ ରିକ୍‌ସାବାଲାମାନେ, ଯେଉଁମାନଙ୍କ ସଙ୍ଗରେ ସେ କୋଡ଼ିଏ ବର୍ଷ କାମ କରିଛି, ସେମାନେ ବି ମୁହଁକୁ ଅନାଇଲେ ନାହିଁ । ଜଣେ କହିଲା, ଆରେ କାଳୁ, ଆଉ କାହିଁକି ଭିକ ମାଗୁଛୁ ? ଦୁଷ୍ମନ୍ତ ଓକିଲ ଅନ୍ଧ, ଛୋଟା ସବୁ ନିପାରିଲାଙ୍କ ପାଇଁ ଧର୍ମ୍ମଶାଳା ଖୋଲେଇଛି । ତୋ ପରିକା କେତେ ଯାଇ ସେଠି ରହିଛନ୍ତି । ତୁ ବି ଯା, ସୁସ୍ଥରେ ରହିବୁ ।

 

କାଳୁର ମନ ନ ମାନେ । ପିଲା କୁଟମ୍ବ ଛାଡ଼ି ପର ଘରେ ସେ ରହିବ ? ଉଁ–ହୁଁ– । କୋଡ଼ିଏ ବର୍ଷରେ କେତେ ସାହୁକାରଙ୍କ ରିକ୍‌ସା ସେ ବୋହିଛି । ସଞ୍ଜ ସକାଳେ ଗଣିଦେଇଛି ପଇସା । ସମସ୍ତେ ଧନୀ । ଯିବ କି ସେମାନଙ୍କ ପାଖକୁ ? ବଳ ପାଉନାହିଁ । ଯେତେ ବାବୁ ରାସ୍ତାରେ ଯାଉଛନ୍ତି, ତାଙ୍କ ଭିତରୁ ଅନେକଙ୍କୁ ସେ ଚିହ୍ନେ । କେହି ତାକୁ ଚିହ୍ନୁ ନାହାନ୍ତି । ପାନ ଖାଇ ଥୁକ ଦେଉଛନ୍ତି, ପଇସାଟେ ଦେଉ ନାହାନ୍ତି ।

 

କାଳୁ ହତାଶ ହେଲା । ଚାଲିଲା ଆଗକୁ । ଛତ୍ରବଜାର ପୋଲ ସେପାଖେ ଯେଉଁଠି ଠିଆ ହେଲେ ସାନମାରେ ଦିଶେ କଲେଜର ବଡ଼ କୋଠା–

 

ପୋଲପାଖ ଗଛମୂଳେ, ଛାଇତଳେ, –ଇସ୍‌, ମାଇକିନାଟେ ଖୋଡ଼ ରୋଗରେ ଧିଅଯାକ ଘା । ଆଙ୍ଗୁଠିରୁ ଅଧେ ଅଧେ ଛିଡ଼ି ପଡ଼ିଲାଣି । ଚାଲିବାର ଶକ୍ତି ନାହିଁ । ଘୁସୁରି ଘୁସୁରି ଗତି କରେ । ଛିଣ୍ତା ମଇଳା କନାର ପୁଡ଼ା ଖୋଲି ଗଣୁଛି, କେତେ ପଇସା । ଖାଲି ଅଣି, ଦୋଅଣି, ଚାରଣି ।

 

କାଳୁ କଟମଟ କରି ଚାହିଁଲା । ଆଗକୁ ଚାଲିଲା ।

ଦିନ ଗୋଟାଏ । ଟାଣ ଖରା ।

 

କାଳୁ ପୋଲ ସେପାଖେ ବସିଲା । ଘଣ୍ଟାଏ ଗଲା, ପୁଣି ଆସିଲା ଏ ପାଖକୁ । ମାଇକିନା ପୁଡ଼ାଟି କତିରେ ରଖି ଛାଇ ତଳେ ଘୁମେଇଁ ପଡ଼ିଛି । କାଳୁ ବାଆଁରେଇ ହୋଇ ପାଖକୁ ଗଲା । ତଣ୍ଟି ଗଲ ଗଲ ହେଲାଣି । ଭୋକରେ ପେଟ ଗର୍ଜିଲାଣି । ସେ ବି ବସିଲା ସେଇ ଗଛ ଛାଇରେ । ଏଣିକି ତେଣିକି ଚାହିଁଲା । ହାତ ବଢ଼ାଇ ଟାଣିଲା ପୁଡ଼ାଟିକୁ ।

 

ଏ ଉପାୟଟି ତାର ନୂଆ ।

ପେଟେ ଖାଇଲା । ମନ ଖୁସିରେ ପିଇଲା ।

 

ବଳକା ପଇସା ଅଣ୍ଟାରେ ଖୋସିଛି । ମନ ହଉଛି ରମୀକୁ ଦେବାକୁ, ପୁଣି ମନ ହଉନାହିଁ । ସବୁଦିନେ କଣ ଏମିତି ଜୁଟିବ ? କାଲି ପୁଣି କଣ କରିବ ? କିଛି ନ ଦେଲେ ରମୀ କଜିଆ କରିବ, କହିବ ଘରେ ରହ, ବେତା ଟୋକେଇ ବୁଣ, ମହୁରୀ ବଜେଇ ଶିଖ, ଦଉଡ଼ି ବଳ, ସୂତା କାଟ–

 

କାଳୁ ଅଣ୍ଟାରେ ହାତ ମାଇଲା । ଅଛି । ମୁଣ୍ତ ଝାଙ୍କୁଛି । ଆଖି ମାଡ଼ି ପଡ଼ୁଛି । ସପନ ଦେଖୁଛି ସେଇ ମାଇକିନିଆକୁ । ଇସ୍‌– । ଗୋଡ଼ ଧିଅଯାକ ଘା । ହାତଗୋଡ଼ର ଆଙ୍ଗୁଠି ଛିଡ଼ି ଛିଡ଼ି ଆସିଲାଣି । ମାଗୁଛି, ଦେ ମୋ ପଇସା, ଦେ, ଦେ । ଅଣ୍ଟାରେ ହାତ ମାରୁଛି । କାଳୁ ଚମକିପଡ଼ି ଅନ୍ଧାରରେ ଆଖି ଖୋଲୁଛି । ଆଗରେ ଦିଶି ଯାଉଛି ସେଇ–

 

ଆଲୋ ହେ–

କଅଣ କି ?

ନେ ତୋ ପଇସା, ନେ –

କାଳୁ ଅଣ୍ଟାରୁ କାଢ଼ୁଛି ।

ନେ– ।

 

ମୁଣ୍ତ ଝାଙ୍କି ଦେଉଛି, ଆଖି ମାଡ଼ିପଡ଼ୁଛି, ଜିଭ ହେଉଛି ଅଠା ଅଠା । ସେଇ ପିଣ୍ତା ଉପରେ ଲୋଟି ପଡ଼ିବାକୁ ମନ ହେଉଛି । କଥା କହିବାର ଆଗ୍ରହ ନାହିଁ । କାଳୁ ହାତ ବଢ଼ାଇଲା । ମନେ ମନେ କହିଲା, ନେ ତୋ ପଇସା, ନେ– ।

 

କାଳୁ ଲୋଟିଗଲା ପିଣ୍ତା ଉପରେ । ହାତରୁ ଝଣ୍‌କରି ପଇସା ଖସି ପଡ଼ିଲା । ତାକୁ ନିଶା ଧରିଛି । ସ୍ୱର ନାହିଁ ।

 

ରମୀ ଡାକିଲା, ଆଲୋ ହୀରା, ଡିବିରି ଆଣିଲୁ–

 

ରାସ୍ତା କଡ଼ରେ କିଏ ତାଳି ମାରୁଛି, ନଇଲେ କାଠହଣା ଚଢ଼େଇ ଗଛ ହାଣୁଛି । ଚିତା ଘିନିବାକୁ ମାଠିଆରେ ପାଣି ଟୋପାଏ ନାହିଁ । ଯେଉଁଠି ବଡ଼ ରାସ୍ତାରୁ ଛୋଟରାସ୍ତା ବାହାରିଛି, ସେଇଠି ଯାଇଁ ସର୍ବସାଧାରଣ କୂଅ । ସିଧା ବାଟ । ନିଜ ଗାଁ । ପାଟି ଶୁଭୁଛି, ଢୋଲ, ମହୁରୀ ବାଜୁଛି-। ସଞ୍ଜ ପହର । ଡର ଭୟ କଅଣ ? ହେଇ, ବଡ଼ ରାସ୍ତା ହାଲ୍ଲୋଳ କରି ପୁଣି ଦୁଇଟା ମଟର ଗାଡ଼ି କେଡ଼େ ବେଗେ ଚାଲିଗଲା ।

 

ହୀରା ଗୋଟାଏ ହାତରେ ଡିବିରି ଆର ହାତରେ ଖାଲି ମାଠିଆଟି ଧରି ପାଖକୁ ଆସିଲା-। ତା ହାତରୁ ଆଲୁଅ ନେଇ ରମୀ ଗୋଟେଇଲା ପଇସା, –ଖାଲି ଅଣି ଆଉ ଦୋଅଣି । କାଳୁ ଘଙ୍ଗୁଡ଼ି ମାରିଲାଣି ।

 

ରମୀ ଗଣିଲା, ହିସାବ କଲା, ଦିଟଙ୍କା ପାଞ୍ଚଅଣା ।

 

ତୋ ବୋପା ଆଜି ଭଲ ରୋଜଗାର କରିଛି ଲୋ । ଯେତେହେଲେ ଭିକମଗା ପଇସା, ହେଉ ପଛେ ଧିଅ ମିହନ୍ତ, ଝାଳ ପଛେ ବହୁ, ଝାଳ ବୁହା ପଇସା ନୁହେତ ।

 

ନେ–ନେ–

କାଳୁ ବିଳିବିଳେଇଳା । କଡ଼ ମୋଡ଼ି ଗୋଡ଼ ସିଧା କଲା ।

ଆଜି ତୋ ବାପ ପେଟେ ପିଇଛି ଲୋ, ରମୀ କହିଲା ।

 

ହୀରା କହିଲା, ମାଠିଆରେ ପାଣି ନାହିଁ । ଧୀରା ସଞ୍ଜକୁ ଆଇଲା, ଘର ଛାଡ଼ି ଦିନରୁ ଯାଇପାରିଲି ନାହିଁ । ନିହିମାକେ ଆଖିରୁ କଜ୍ଜଳ ନେବେ ଏ ଗାଁ ଲୋକେ ।

 

ରମୀ କହିଲା, ଯା, ଧଅସି ଆସିବୁ । ମୁଁ ରନ୍ଧା ଘରକୁ ଯାଉଛି ।

ଦେବରାଜ ବାବୁଙ୍କ ଚିକିତ୍ସାଳୟ ।

 

ଗୋଟିଏ କୋଠରୀରେ ବସିଛନ୍ତି ଡାକ୍ତର ଦେବରାଜ, ସହକର୍ମୀ ସଦାଶିବ, ମାଇନର ସ୍କୁଲର ହେଡ଼ମାଷ୍ଟର ସୁରେନ୍‌ବାବୁ ଓ ବିଜିପୁରର ଜମିଦାର ପରଶୁରାମବାବୁ । ତିନିବର୍ଷ ତଳେ ଦେବରାଜ ଖଣ୍ତିଏ ଖଦଡ଼ ଲୁଗା ପିନ୍ଧି ବେକରେ ଚଦର ଓ ହାତରେ ହୋମିଓପାଥି ବାକ୍‌ସ ଓ ଖଣ୍ତେ ଦୁଇଖଣ୍ତି ବହି ଧରି ବିଜିପୁରରେ ପହଞ୍ଚିଥିଲେ । ଲୋକେ ତାଙ୍କୁ ଦେଖି ମନେକରିଥିଲେ, ସେ ଆସିଛନ୍ତି ଗୋଟାଏ କଅଣ ବକ୍ତୃତା ଦେବେ, ଆଦାୟ କରିବେ, ଯେଉଁ ବାଟରେ ଆସିଥିଲେ ସେହି ବାଟରେ ଫେରିବେ ।

 

ଦେବରାଜ ଫେରିଲେ ନାହିଁକି ଲେକ୍‌ଚର ଦେଲେ ନାହିଁ ।

 

ତିନିବର୍ଷ ପୂରିଗଲାଣି ତଥାପି କେହି ଜାଣିଲେ ନାହିଁ, ସେ କିଏ, କାହିଁକି ଆସିଛନ୍ତି, କେଉଁଠୁ ଆସିଛନ୍ତି, କାହିଁକି ସେ ହୋମିଓପାଥି ବ୍ୟବସାୟ କରିଛନ୍ତି । କେବଳ ବିଜିପୁର ଗାଁରେ ନୁହେ ତ ଆଖପାଖ ପନ୍ଦରଖଣ୍ତି ଗ୍ରାମର ଲୋକେ ତାଙ୍କୁ ଚିହ୍ନନ୍ତି । ଭଲ ପାଆନ୍ତି । ତାଙ୍କ କଥା ଶୁଣନ୍ତି । ଛବିଶି ସତେଇଶି ବର୍ଷ ବୟସ । ସୁନ୍ଦର ସ୍ୱାସ୍ଥ୍ୟ । ଧୀର ପ୍ରକୃତି । କୋମଳ କଥା । ସହାସ୍ୟ ବଦନ ।

 

ଖରା ବର୍ଷା କି ଶୀତ ସେ ମାନି ନାହାନ୍ତି । ଦିନରାତି ତାଙ୍କର ସମାନ । ଧନୀ ଦରିଦ୍ର, ଜାତି ଅଜାତି ସେ ଜାଣନ୍ତି ନାହିଁ । ତାଙ୍କ ଆଖିରେ ସମସ୍ତେ ସମାନ । ଯିଏ ଡାକିଛି ସମୟ ଅସମୟ ନ ମାନି ସେ ଯାଇଛନ୍ତି । ଯିଏ ନ ଡାକିଛି ତା ଦୁଆରେ ମଧ୍ୟ ସେ ଠିଆ ହୋଇଛନ୍ତି । ରାତି ରାତି ଅନିଦ୍ରା ରହି ସେବା କରିଛନ୍ତି । ଔଷଧ ଦେଇ ରୋଗୀକୁ ଭଲ କରିଛନ୍ତି । କାହାକୁ କିଛି ମାଗନ୍ତି ନାହିଁ । ଯିଏ ଯାହା ଦିଏ ଗ୍ରହଣ କରନ୍ତି । ସେଇ ଧନରେ ବିଜୁପୁର ଗାଁ ମଝିରେ ତୋଳା ହୋଇଛି ତିନି ବଖରା ଭଲ ଚାଳଘର, ଚିକିତ୍ସାଳୟ ।

 

ଅନେକ ବହି, ଅନେକ ଔଷଧ ।

 

ଆଖପାଖ ପ୍ରତି ଗାଁରେ ଅଛନ୍ତି ତାଙ୍କର ସହାୟକ । ଦୁଇବର୍ଷ ଭିତରେ ଉପଦେଶ ଦେଇ ଓ ସାହାଯ୍ୟ କରି ପ୍ରତି ଗ୍ରାମରେ ହୋମିଓପାଥି ସୃଷ୍ଟି କରିପାରିଛନ୍ତି । ରୋଗ ବଳାଇ ପଡ଼ିଲେ ଦେବରାଜଙ୍କୁ ଡକରା ପଡ଼େ । ନୋହିଲେ, ଗ୍ରାମର ଚିକିତ୍ସକ ରୋଗକୁ ସମ୍ଭାଳି ନିଅନ୍ତି । ବିଜିପୁରର ସହାୟକ ସଦାଶିବ । ତାଙ୍କୁ ସେ ନିଜ ଆଦର୍ଶରେ ଗଢ଼ିଛନ୍ତି । ସେ ବି ସୁଦକ୍ଷ ।

 

ମଣିଷ ଜାତିର ସେବାହିଁ ତାଙ୍କ ଜୀବନର ଆଦର୍ଶ । ମଣିଷ ସବୁଠି ଅଛନ୍ତି । ବିଜିପୁରରେ ପୂରା ତିନିବର୍ଷ କଟିଗଲା, ଆଉ ସେ କାହିଁକି ରହିବେ ? ସେ ସ୍ଥିର କରିଛନ୍ତି, ଅନ୍ୟ କେଉଁଆଡ଼େ ଚାଲିଯିବେ । କୁଆଡ଼େ ଯିବେ ସେ ନିଜେ ଜାଣନ୍ତି ନାହିଁ, କିନ୍ତୁ ଯିବା ହିଁ ନିଶ୍ଚିତ ଯେତେଶୀଘ୍ର ପାରନ୍ତି-

 

ଏ ଖବର କେହି ଜାଣିଲେଣି । ରାଷ୍ଟ୍ର ହୋଇନାହିଁ । ଲୋକେ ନିଜ ଭିତରେ ପଚରା ପଚରି ହେଲେଣି । ଗୁଣ ବାହୁନିଲେଣି, ଭଲ ଡାକ୍ତର, ଭଲ ଲୋକ, କାହା ଘରର ହାନୀଲାଭ କଥା ନ ଜାଣନ୍ତି ଏପରି ନୁହେ । ସବୁ ପେଟ ଭିତରେ ଛପି ରହିଥାଏ । କେତେ ଲୋକ ତାଙ୍କୁ ହାତ କରିବାକୁ ବସିଲେ, କେହି ପାରିଲେ ନାହିଁ । ତାଙ୍କର ସେହି ଗୋଟିଏ ଉତ୍ତର, ଡାକ୍ତର ଯେ ସେବକ-। ସେ ରୋଗୀର ସେବା କରେ । ରାଜନୀତି, ଅର୍ଥନୀତିର ସ୍ଥାନ ନାହିଁ ସେବାର ପରିଧି ଭିତରେ ।

 

ପରଶୁରାମ କହିଲେ, ଆପଣଙ୍କ ଯିବା ଆଗରୁ ମିଳାମିଶା କରାଇ ଦେଇ ଯାଆନ୍ତୁ । ମୁଁ ଧନ ପାଇଁ ଆକୁଳ ନୁହେ । ଭଗବାନ ଯାହା ଦେଇଛନ୍ତି ସେଥିରେ ସୁଖେ ଦୁଃଖେ ଦିହାତି କଟିବ । ତେବେ, କଥା ହେଉଛି କଣ କି, ଘରପୋଡ଼ିଆଙ୍କ କଥାରେ ମାତି ପ୍ରଜାମାନେ ନ ବୁଝି ନ ସୁଝି ଏପରି ଯେ ଅତ୍ୟାଚାର କରୁଛନ୍ତି ତାର ଶେଷ ପରିଣତ କଣ ? ଗଛ କାଟିନେବା, ଜବରଦସ୍ତି ପୋଖରୀରୁ ମାଛ ଧରିବା, ଖଜଣା ନ ଦେବା ଏ ସବୁ କଣ ଭଲକାମ ? ମୁଁ ଗୋଟାଏ ସଭା ଡକାଉଛି । ମୋର ହୋଇ ଆପଣ ସେମାନଙ୍କୁ ବୁଝାନ୍ତୁ । ଆପରଙ୍କ ଛଡ଼ା ସେମାନେ ଆଉ କାହାରି କଥା ଶୁଣିବେ ନାହିଁ ।

 

ଦେବରାଜ ହସିଲେ । କହିଲେ, ମୋର କର୍ତ୍ତବ୍ୟ ରୋଗୀ ସେବା କରିବା ଔଷଧ ଦେବା ଓ ଯଦି ରୋଗୀ ମରେ ଆଉ ନିଃସହାୟ ହୋଇଥାଏ, କାନ୍ଧରେ ବୋହି ମଶାଣିକୁ ନେବା । ଲୋକେ ମୋ କଥା ଶୁଣିବେ କି ନାହିଁ ମୁଁ ଜାଣେନାହିଁ । ତେବେ କେଉଁଟା ଭଲ କେଉଁଟା ମନ୍ଦ, କାହାର ଠିକ୍‌ କାହାର ଭୁଲ, ଏ ବିଷୟରେ ଯେତେବେଳେ ମୋର ଧାରଣା ନାହିଁ, ତୁଣ୍ତ ଖୋଲି କାହାରିକୁ ପ୍ରବର୍ତ୍ତାଇବାର ଅଧିକାର ବି ମୋର ନାହିଁ ।

 

ପରଶୁରାମ କହିଲେ, ଆପଣଙ୍କ ପରି ବୁଦ୍ଧମାନ ଲୋକର ଯେ କୌଣସି ବିଷୟର ଧାରଣା ନାହିଁ ଏକଥା ବିଶ୍ୱାସ କରିବା କଷ୍ଟ । ଲୋକେ ଜାଣନ୍ତି କଣ ଆଜ୍ଞା ? ସେମାନେ ଅଶିକ୍ଷିତ, ମୂର୍ଖ । ଯିଏ ଯାହା କହି ଦେଉଛି ନ ବୁଝି ନ ସୁଝି ମାତି ଯାଉଛନ୍ତି । ପର ଚିଜକୁ ବଳାତ୍‌କାରରେ ନଷ୍ଟ କରିବା କି ନିଜର କରିବା ସହଜ କଥା । ଲୋକଙ୍କୁ ମତାଇ ଗଣ୍ତଗୋଳ ସଷ୍ଟି କରିବା ଅତି ସହଜ ।

 

ଦେବରାଜ କହିଲେ, ଲୋକଙ୍କର ସେବା କରିବା ମୋର କର୍ତ୍ତବ୍ୟ । ଲୋକଙ୍କୁ ଶିକ୍ଷାଦେବା ହେଡ଼୍‌ମାଷ୍ଟର ବାବୁଙ୍କ କାମ ।

 

ହେଡ଼ମାଷ୍ଟର ସୁରେନ୍‌ବାବୁ କହିଲେ, ଲୋକଙ୍କୁ ଭଲ ବାଟକୁ ଆଣିବା ପ୍ରତ୍ୟେକ ଲୋକର କାମ । ଯେଉଁମାନେ ଦେଶର କର୍ଣ୍ଣଧାର, ଯେଉଁମାନେ ଚିନ୍ତାଶୀଳ, ଯେଉଁମାନେ ଦେଶର କଥା ଭାବନ୍ତି, ଦେଶ ଓ ଦଶ ପାଇଁ କାନ୍ଦନ୍ତି ଓ ଜୀବନ ଉତ୍ସର୍ଗ କରିଛନ୍ତି ବା କରିବାକୁ ପ୍ରସ୍ତୁତ ଅଛନ୍ତି, ସେମାନେ ଯେଉଁ ବାଟ ଦେଖାନ୍ତି ତାହାହିଁ ପ୍ରକୃତ ବାଟ ।

 

ସଦାଶିବ କହିଲେ, ଭଲବାଟର ଯେଉଁ ସଂଜ୍ଞା ଆପଣଦେଲେ ମାଷ୍ଟରବାବୁ, ସେଟା ନିର୍ଭୁଲ । ତେବେ, କଥା ହେଉଛି, ଦେଶରେ ଚିନ୍ତାଶୀଳ ଲୋକ ଅନେକ ଅଛନ୍ତି । ସମସ୍ତଙ୍କ ଚିନ୍ତା ସମାନ ନୁହଁ । ଦୁନିଆଁର ସବୁ ଦେଶରେ କର୍ଣ୍ଣଧାର ବଦଳୁଛନ୍ତି, ବଦଳିବେ । ବିପରୀତ ଚିନ୍ତାର ପୋଷକମାନେ କାନ୍ଦନ୍ତି ଦଶ ଓ ଦେଶ ପାଇଁ । ଜୀବନ ଉତ୍ସର୍ଗ କରନ୍ତି । ନିଜେ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥାଆନ୍ତି । ଯେତେବେଳେ ଯିଏ କର୍ଣ୍ଣଧାର, ତାରି ବାଟ ସେତେବେଳ ଭଲ ଦିଶିବାକୁ ବାଧ୍ୟ । ଅତଏବ ମହଶୟ, ଭଲ ମନ୍ଦ ବାଟ ଆପଣମାନେ ଖୋଜନ୍ତୁ । ଡାକ୍ତରକୁ ରୋଗୀର ସେବା କରିବାକୁ ଛାଡ଼ି ଦିଅନ୍ତୁ ।

 

ଦେବରାଜ ସମ୍ମତି ସୂଚାଇ ମୁଣ୍ତ ହଲାଇଲେ ।

 

ପରଶୁରାମ ସଦାଶିବଙ୍କର ମୁହଁକୁ କଣେଇଁ ଚାହିଁଲେ । ଭାବିଲେ, କେଡ଼େ ବଡ଼ ବଡ଼ କଥା କହୁଛି ଏ ସଦେଇ, କାଲିକାର ଟୋକା, ବର୍ଷ ପଚିଶି ପୂରି ନାହିଁ, ବାପ ଚୋରି କେସ୍‌ରେ ଜେଲ ଯାଇ ସେଇ ଜେଲରେ ମଲା, ମା ଧାନକୁଟି ଖାଉଚି । ପୁଅ ମାଇନର ଖଣ୍ତେ ପାଶ୍‌ କରି ଘରୁ ଛୁ କଲା । ଦଶବର୍ଷ କାଳ କୁଆଡ଼େ ବୁଲି ଶେଷକୁ ମୁଣ୍ତରେ ଖଦଡ଼ ଟୋପି ପିନ୍ଧି ଫେରିଲା ଗାଁକୁ । ଏକାଥରେ ଆର ଛତରା ଦେବରାଜର ସାଙ୍ଗ । ସବୁ ବିଷୟରେ ତାଲିମ । ନାଆଁକୁ ଡାକ୍ତର, ଭିତରେ ଭିତରେ ଲୋକଙ୍କୁ ମତାଇବା ବେଉଷା । ବୁଡ଼ି ବଡ଼ି ପାଣି ପିଉଛନ୍ତି ।

 

ପରଶୁରାମ ମନର ଭାବନା ତୁଣ୍ତକୁ ଆଣିଲେ, ଆପଣମାନେ ଯେତେ କରଛଡ଼ା ଦେଲେ ବି କଥା ଛପି ରହିବ ନାହିଁ । ସମସ୍ତେ ଜାଣନ୍ତି, ଭିତରେ ଆପଣ ଦିହେଁ ଲୋକଙ୍କୁ କୁଶିକ୍ଷା ଦେଇ ମତାଉଛନ୍ତି । ସ୍ପଷ୍ଟକଥା କହିଲି ବୋଲି କିଛି ମନେକରିବେ ନାହିଁ । ଏହାର ପରିଣାମ କଅଣ ଆପଣ ବୁଝନ୍ତି ତ ?

 

ସୁରେନ୍‌ବାବୁ ଓଠ କାମୁଡ଼ି ମୁଣ୍ତ ହଲାଇ କହିଲେ, ଆଟମ୍‌ବମ୍‌ ।

 

ଦେବରାଜ ହସିଲେ । ସେ ଆଜି ଅଭ୍ୟାସ ବିରୁଦ୍ଧ ଅନେକ କଥା କହି ପକାଇଛନ୍ତି । ରୋଗ ଓ ରୋଗୀର କଥା ଛଡ଼ା ତାଙ୍କର ତୁଣ୍ତରୁ ଅନ୍ୟକଥା ବାହାରିବା ନୀତିବିରୁଦ୍ଧ । ଲୋକେ ଯାହା କହିବେ ସେ ଶୁଣିବେ । ଉତ୍ତର କେବଳ ମନ ମତାଣିଆ ହସଟିଏ । ତାଙ୍କ ସମ୍ଭନ୍ଧରେ ଯିଏ ଯାହା ଭାବୁ, ଯିଏ ଯାହା କହୁ, ସେଥିକି ସେ ଖାତିର କରନ୍ତି ନାହିଁ । ମନେରଖନ୍ତି ନାହିଁ ।

 

ସଦାଶିବ ଉତ୍ତେଜିତ ହୋଇ କହିଲେ, ଆପଣମାନଙ୍କର ଧାରଣା ଭୁଲ । ପରିଣାମ କଥା କର୍ମ୍ମୀ କେବେ ଭାବେ ନାହିଁ । କର୍ମହିଁ ତାର ଜୀବନର ବ୍ରତ ଓ ପଣ । ଆମ ଜୀବନର–

 

ଦେବରାଜ ବାଧା ଦେଇ କହିବାକୁ ବାଧ୍ୟ ହେଲେ, ସେତିକି କହ ସଦାଶିବ, ତମର କଥାରେ ବାଧା ଦେବାର ଅଧିକାର ଅବଶ୍ୟ ମୋର ନାହିଁ, ତେବେ ଏତିକି ପଚାରୁଛି, କେଉଁ ରୋଗର ବ୍ୟବସ୍ଥା କରୁଛ ? ମୁଁ ଭାବୁଥିଲି ଏ ଗାଁ ଛାଡ଼ି ତମରି ହାତରେ ରୋଗୀକୁ ସମର୍ପଣ କରି ଅନ୍ୟଆଡ଼େ ଚାଲିଯିବି । ଦେଖୁଛି, ସେତକ ମୁଁ କରିପାରିବି ନାହିଁ । ତମକୁ ହିଁ ଅନ୍ୟଆଡ଼କୁ ଚାଲିଯିବାକୁ ହେବ, ଯେଉଁଠି ତମେ ଅଜ୍ଞାତ କୁଳଶୀଳ ହୋଇ କେବଳ ରୋଗୀ ସେବା କଥା ହିଁ ଭାବିବ ।

 

ସଦାଶିବ ଲଜ୍ଜିତ ହେଲା ।

ବୁଝିଲ ସଦାଶିବ ?

ବୁଝିଲି ।

 

ପ୍ରସ୍ତୁତ ହୁଅ । ରାତି ନ ପାହୁଣୁ । ସାରା ଦୁନିଆଁ ତମର କର୍ମକ୍ଷେତ୍ର । ତମର ସାଥୀ ହୋମିଓପାଥି ବାକ୍‌ସ । ତମର ମାଆଙ୍କର ଦାୟିତ୍ୱ ମୋ ଉପରେ । ପାରିବ ?

 

ପାରିବି । ସେହିକଥା ମୁଁ ଅନେକଦିନୁଁ ଭାବୁଥିଲି ।

ପରଶୁରାମ ବାବୁ ଓ ହେଡ଼ମାଷ୍ଟର ଆବାକାବା ହୋଇ ପରସ୍ପରକୁ ଚାହିଁ ରହିଲେ ।

 

ଧଡ଼ିଆ ଭଣ୍ତାରି ଗୋଟିଏ ହାତରେ ନଲଟଣ ଓ ଆର ହାତରେ ଠେଙ୍ଗା ଧରି ପହଞ୍ଚିଲା । ସମସ୍ତଙ୍କର ଦୃଷ୍ଟି ପଡ଼ିଲା ତା ଉପରେ । ସଙ୍ଗେ ସଙ୍ଗେ ସେ ଆରମ୍ଭ କଲା, ଆରେ, ସାଆନ୍ତେ ଏଇଠି ଅଛନ୍ତି । ପିଲାବାବୁ ସଞ୍ଜରୁ ଖାଲି ରାହା ଧରି କାନ୍ଦୁଛନ୍ତି । ଗୋଡ଼ହାତ ନାଠି ଦେଉଛନ୍ତି । ମା ତାଙ୍କୁ କୋଡ଼ରେ ଧରି ବସିଛନ୍ତି । ସେ ବି କାନ୍ଦୁଛନ୍ତି, ଡାକ୍ତର ବାବୁଙ୍କ ଡାକୁଛନ୍ତି । ଆଜ୍ଞା ଡାକ୍ତର ସାଆନ୍ତେ, ଟିକେ ଆସନ୍ତୁ ।

 

ପରଶୁବାବୁ ଚମକି ଉଠିଲେ । କହିଲେ, ଚାଲନ୍ତୁ ଡାକ୍ତରବାବୁ ।

 

ରୋଷଘରୁ ନରିଆ (ହରିଜନ ପିଲା, ରୋଷେଇ କରେ ପୁଣି ଚିକିତ୍ସା ଶିଖେ) ଡାକି ଛାଡ଼ିଲା, ରୁଟି ଦିଖଣ୍ତ ଖାଇଦେଇ ଯା ଡାକ୍ତରବାବୁ, ରୋଷେଇ ସରିଲାଣି ।

 

ପରଶୁବାବୁ କହିଲେ, ଚାଲନ୍ତୁ ଡାକ୍ତରବାବୁ, ଆଜି ଆମ ଘରେ ଦିଟା ଖାଇନେବେ ।

ଆରେ ନରି, ମୋତେ ଅପେକ୍ଷା କରିବୁ ନାହିଁ ।

ସବୁଦିନେ ତମର ସେଇଆ, ନରିଆ ଅଭିମାନ କରି କହିଲା ।

 

ଦେବରାଜ ଓଷଧ ବାକ୍ସ ଧରି ଧଡ଼ିଆ ସଙ୍ଗରେ ଚାଲିଲେ । ପରଶୁବାବୁ ପଛରେ ଗଲେ-। ସୁରେନ ବାବୁ ମେଲାଣି ନେଲେ । ସଦାଶିବ ସଜାଡ଼ି ବସିଲେ ଔଷଧ ପେଡ଼ି ।

 

ଜମିଦାର ପରଶୁବାବୁଙ୍କ ଘରେ ଡାକ୍ତର ଦେବରାଜଙ୍କର ରାତି ଅଧ ହେଲା । ଉତାଣି ପିଲା । ବଡ଼ ଘର । ବେଶି କ୍ଷୀରଖୋଇ ପିଲାଙ୍କୁ ଅତିଶିଘ୍ର ବଡ଼ ମଣିଷ କରିବାକୁ ଚାହାନ୍ତି । ସେଥିପାଇଁ ପିଲାର ପେଟଫମ୍ପା, କାନ୍ଦଣା, ଅସ୍ଥିରତା । ଦୁଇପାନ ଔଷଧରେ ଭଲହେବାର କଥା । ପିଲା ଶାନ୍ତିରେ ନ ଶୋଇବ ଯାଏ ପାର୍ବତୀ ଛାଡ଼ନ୍ତେ କିପରି ?

 

ଦେବରାଜଙ୍କୁ ସେ ଭଲ ପାଆନ୍ତି । ଭଲ ଚିଜ ଖାଇବାକୁ ଦିଅନ୍ତି । ଉତ୍ତର ନ ପାଇଲେ ମଧ୍ୟ କେତେ କଥା କହନ୍ତି, କେତେ କଥା ପଚାରନ୍ତି । ଗେହ୍ଲେଇ ହୁଅନ୍ତି । ଅଭିମାନ କରନ୍ତି । ରାଣ ନିୟମ ପକାନ୍ତି । ଡାକ୍ତରଙ୍କ ଫିଜ୍ ଉପଲକ୍ଷରେ ଅଧିକ ଟଙ୍କା ବଢ଼ାଇ ଦିଅନ୍ତି ହାତକୁ । ଦେବରାଜ ଗ୍ରହଣ କରନ୍ତି ମୋଟେ ଦୁଇଟି ଟଙ୍କା । ସବୁ ବାଜେ ପ୍ରଶ୍ନର ଉତ୍ତର ଦିଅନ୍ତି ଗୋଟିଏ ହସରେ ।

 

ଦେବରାଜ ସୁନ୍ଦର, ବଳିଷ୍ଠ ଯୁବକ । ତେଜିଆନ୍ । ଅଳ୍ପ ଭାଷୀ, ମିଷ୍ଟ ଭାଷୀ, ଧୈର୍ଯ୍ୟବାନ୍, ସାଧା ସିଧା, ସରଳ । ତାଙ୍କ ଓଠର ହସ ଭଲ ଲାଗେ ପାର୍ବତୀଙ୍କୁ । ସେଇ ଯୁବକର ଗୋଡ଼ତଳେ ମୁଣ୍ଡ ମାରିବାକୁ ମନହୁଏ । ପରଶୁରାମ ଥାଆନ୍ତୁ କି ନ ଥାଆନ୍ତୁ ସେଥିକି ପାର୍ବତୀ ନିଘା ଦିଅନ୍ତି ନାହିଁ । ସେ ଭାବନ୍ତି ଓ ଘରର ଅନ୍ୟମାନେ ମଧ୍ୟ ଉପଲବ୍ଧି କରନ୍ତି, ଦେବରାଜଙ୍କ ଆଗମନରେ ଜମିଦାର ଘରେ ଆନନ୍ଦର ଲହଡ଼ି ଛୁଟେ ।

 

ପରଶୁରାମ ଟିକିଏ ସନ୍ଦେହରେ ପଡ଼ନ୍ତି, ଗମ୍ଭୀର ହୁଅନ୍ତି । ଭାବନ୍ତି କେତେ କଣ । ଭାବନାକୁ ଶାସନ କରନ୍ତି । ଦେବରାଜର ଜ୍ୱଳନ୍ତ ଉଜ୍ଜ୍ୱଳ ଆଖି ତାଙ୍କୁ ସାନ୍ତ୍ୱନା ଦିଏ । ଅବଶ ହୋଇପଡ଼ନ୍ତି । ଭାବନ୍ତି ଦେବରାଜ ଭଲ, କିନ୍ତୁ ସେ ଅଲୋଡ଼ା । ସବୁ ଅଶାନ୍ତି, ଗଣ୍ଡଗୋଳର ସେହି ହିଁ ମୂଳ ।

 

ରାତି ଅଧରେ ଦେବରାଜ ବାହାରିଲେ ।

 

ପାର୍ବତୀ କହିଲେ, ଏତେ ରାତିରେ ନ ଗଲେ କଣ ଚଳିବ ନାହିଁ ? କେହିତ କଅଁଳା ପିଲା କାନ୍ଦୁ ନ ଥିବ, ଏ ଘରେ କଣ ଆପଣଙ୍କର ରହିବାକୁ ଥାନ ନାହିଁ ? ଓଃ, କେଡ଼େ ଅନ୍ଧାର ।

 

କାମ ଅଛି । ହୁଏତ ଆଉ କିଏ ଡାକିବାକୁ ଆସିଥିବ ।

ଦେବରାଜ ଆଗେଇଲେ ।

 

ପାର୍ବତୀ ଅଭିମାନ କରି ପୁଣି କହିଲେ, ଆର ଘରେ ଆପଣଙ୍କ ରହିବାପାଇଁ ମୁଁ ବ୍ୟବସ୍ଥା କରିଛି । ଏତେ ରାତି । ଭଣ୍ଡାରିଟା କେଉଁଠି ଘୁମାଉଥିବ । ମୋ କଥା ମାନନ୍ତୁ । ନା, ଆପଣ ଯିବେ ନାହିଁ ।

 

ପାର୍ବତୀ ଦେବରାଜଙ୍କର ହାତଧରି ଅଟକାଇଲେ । ଯୁବତୀର ହାତ, ସୁନ୍ଦର, କଅଁଳ, ଗରମ । ଆଗ୍ରହଭରା ପ୍ରାର୍ଥନା ଢଳ ଢଳ ଆଖି ଉଜ୍ଜ୍ୱଳ, ଭାବଭରା ଥରିଲା ଓଠର କଥା, ଆପଣ ବଡ଼ ଅବାଧ୍ୟ, ମୁଁ ବି ଅବାଧ୍ୟ ହେବି ।

 

ବିଜୁଳିର ଚମକ ଲାଗିଲା ଦେବରାଜଙ୍କ ଦେହରେ । ମୁଣ୍ଡ ଭିତରେ ନିଆଁ ଖେଳିଗଲା ଆଖି ଆଗରେ କେତଦୃଶ୍ୟ । ସେ ଡାକ୍ତର, ସେ ସେବକ । କେତେ ଯୁବତୀ ସୁନ୍ଦରୀଙ୍କର ହାତ ସେ ଟେକିଛନ୍ତି, ଆଖିର ପତା ଟିପରେ ଉଠାଇଛନ୍ତି, କପାଳରେ ହାତ ବୁଲାଇ ସାନ୍ତ୍ୱନା ଦେଇଛନ୍ତି । କେତେ ଯୁବତୀ କେତେ ସୁନ୍ଦରୀଙ୍କୁ ସେପାରି ଯାତ୍ରାରୁ ଉଦ୍ଧାର କରିଛନ୍ତି, ଉଦ୍ଧାର କରିବାକୁ ଚେଷ୍ଟା କରି, ରାତି ରାତି ଅନିଦ୍ରା ହୋଇ ସେବା କରି ମଧ୍ୟ ବଞ୍ଚାଇ ପାରିନାହାନ୍ତି । ନିଜ ହାତରେ ମଶାଣି ଭୂଇଁରେ କେତେ ଯୁବତୀ ସୁନ୍ଦରୀଙ୍କୁ ସେ ପାଉଁଶ କରିଛନ୍ତି ।

 

ପାର୍ବତୀ ତାଙ୍କରି ଭିତରୁ ଜଣେ ।

 

ଦେବରାଜ ହସିଲେ । କହିଲେ, ହୁଏତ ଆଉ କାହାର ପିଲା ଏମିତି ଝଟପଟ ହେଉଥିବ-। ଟିକିଏ ହେଳା କଲେ କେଉଁ ମା ତାର ପିଲାକୁ ହରାଇ ବସିବ । ତାର ମୃତ୍ୟୁ ପାଇଁ ନିଜକୁ ମୁଁ ଦାୟୀ ମଣିବି । ମୁଁ ଯାଏଁ । କାଲି ସକାଳେ ଖବର ପଠାଇବେ ।

 

ପାର୍ବତୀ ହାତ ଝାଡ଼ିଲେ । ତୁଣ୍ଡରୁ କଥା ବାହାରିଲା ନାହିଁ ।

ବାହରେ ଅନ୍ଧାର ।

 

ଘର ଭିତରେ ଆଲୁଅ ଜଳୁଛି । ଲକ୍ଷ୍ମୀ ଖଟ ଉପରେ ବସି କ୍ଷଣପ୍ରଭାକୁ ବୁଝାଉଛନ୍ତି । ନୀହାରିକା କ୍ଷଣପ୍ରଭା ପାଖରେ ବସିଛି । ଲକ୍ଷ୍ମୀ କହିଲେ, ଅବୁଝା ହଅନା ମା, ଦୁନିଆରେ ବନ୍ଧୁବାନ୍ଧବ ପ୍ରିୟାପ୍ରୀତି ଲୋକେ କରନ୍ତି, ବିପଦ ଆପଦବେଳେ ପାଖକୁ ଆସିବେ, ହାତଧରି ଉପରକୁ ଟାଣି ନେବେ, ଆନନ୍ଦ ଉତ୍ସବରେ ଯୋଗ ଦେବେ । ଦୁଷ୍ମନ୍ତ ତୁଷାରର ଅତି ଆପଣାର ବନ୍ଧୁ-। ଦେଖିଲୁ ତ ମା, କେଡ଼େ ବଡ଼ ବିପଦ ବେଳରେ ସେ ଆସି ପାଖରେ ଠିଆ ହେଲା ।

 

କ୍ଷଣପ୍ରଭା ପାଟି ନ ଖୋଲି ଚାରିଆଡ଼କୁ ଚାହିଁଲା । ସତେ ବିପଦ ! ନିଜେ ସେ ଦଶଦିନ କାଳ ଜରରେ ଘାଣ୍ଟି ହୋଇଛି । ନିମୋନିୟାର ସଙ୍କେତ । ଚିର ରୋଗଣା ଶାଶୁ ମଧ୍ୟ ଜରରେ ଛଟପଟ ହୋଇଛନ୍ତି । ହାତରେ ଧନ ନାହିଁ । ଅନ୍ଧ ଅକ୍ଷମ ସ୍ୱାମୀ ତାର କଣ କରିପାରିଥାନ୍ତେ ? ଅଣହେଳାରେ ସେମାନଙ୍କର ଜୀବନ ରହି ନ ଥାନ୍ତା । କିଏ ନେଲା ଯତ୍ନ, କିଏ ବଞ୍ଚାଇଲା ?

 

ଦୁଷ୍ମନ୍ତ ।

 

ପ୍ରତିଦିନ ଡାକ୍ତର ଆସିଛି, ଔଷଧ, ଫଳ, ଲୁଗାପଟା ଯାହା ଲୋଡ଼ା ସବୁ ସେ ଦେଇଛନ୍ତି-। ନିଜେ ଦୁଷ୍ମନ୍ତ ପ୍ରତିଦିନ କେତେଥର ଆସି ଖବର ବୁଝିଛନ୍ତି ପାଖରେ ବସି ସେବା କରିଛନ୍ତି । ଫେରିଛନ୍ତି ରାତି ଅଧରେ । ଏଇ ଦରଭଙ୍ଗା ଚାଳ ଘରର ଚାରିଆଡ଼କୁ ଚାହିଁଲେ ଚିହ୍ନି ହେଉନାହିଁ । ଦଶ ଦିନଭିତରେ ସବୁ ବଦଳି ଯାଇଛି । ଯୁଆଡ଼େ ଚାହିଁଲେ ଦିଶୁଛି ଦୁଷୁନ୍ତଙ୍କର ଦାନ, ସ୍ନେହ ଓ ତ୍ୟାଗର ସଙ୍କେତ ।

 

ନିଜ ଘରକୁ ନିଜେ ଚିହ୍ନିପାରୁନାହିଁ କ୍ଷଣପ୍ରଭା । ସବୁ ନୂଆ । ଶେଯ, ବିଛଣା, କମ୍ୱଳ, ମଶାରି, ତକିଆ, ପରଦା, ଲୁଗା, ଶାଢ଼ୀ, ସେମିଜ, ବ୍ଲାଉଜ, କାମିଜ୍ । ସବୁ ବାସନ ନୂଆ, ଚାହା କପ୍‍ ର୍ଯ୍ୟନ୍ତ । କଡ଼ଘରେ ଘରକରଣାର ସବୁ ପଦାର୍ଥ । ଛୋଟ ପନିକି ଠୁଁ ଆରମ୍ଭ କରି ନୂଆ ଶିଳ ଚକି ଯାଏ । ବସ୍ତା ବସ୍ତା ଚାଉଳ, ଡାଲି, ତେଲଟିଣ, ଚା, ଚିନି, ମସଲା । ସବୁ ଅଛି । ବାଟ ଭୁଲି ଲକ୍ଷ୍ମୀ ଠାକୁରାଣୀ ଯେପରି ପଶି ଆସିଛନ୍ତି ଏ ଘରକୁ ।

 

ମୋଟ ଦଶଦିନ ସେ ବିଛଣାରେ ପଡ଼ିଥିଲା । ତାରି ଭିତରେ ଦୁଷ୍ମନ୍ତ ବାବୁ ସବୁ ଅଭାବ ଅସୁବିଧା କଥା ବୁଝିଥିଲେ । ବାଧା ଦେଇ ପଦେ କହିବାକୁ କେହି ଭରସା କରି ନ ଥିଲେ । ରୋଷେଇ କରିବାକୁ ବରାଦ ହୋଇଥିଲା ପୂଝାରୀ, ବାହାର କାମ କରିବାକୁ ଚାକରାଣୀ । ପୁଝାରୀ ଚାଲି ଗଲାଣି । କ୍ଷଣପ୍ରଭା ନିଜେ ପଶିଲାଣି ରୋଷାଇ ଘରେ । ଚାକରାଣୀ ଏବେ ବି କାମ କରୁଛି । ସବୁ ଦୁଷ୍ମନ୍ତଙ୍କର ବରାଦ ।

 

ତାଙ୍କର ସ୍ନେହ, ସହାନୁଭୂତି ଓ ଭଲପଣିଆଁରେ ହିଁ ସମସ୍ତେ କିଣି ହୋଇଯାଇଛନ୍ତି । ତାଙ୍କର ଦୟାର ଡୋରରେ ସମସ୍ତେ ବାନ୍ଧି ହୋଇଛନ୍ତି । ସହାନୁଭୂତିର ଛତାତଳେ ସମସ୍ତେ ମୁଣ୍ଡ ଗୁଞ୍ଜିଛନ୍ତି । ଆଗ୍ରହ ଥାଉକି ନ ଥାଉ କ୍ଷଣପ୍ରଭା ନିଜେ ସେ ସ୍ନେହ ଓ ଦୟାର ପ୍ରଭାବରୁ ନିଷ୍କୃତି ପାଇ ପାରିନାହିଁ । ଯେଉଁ ଶାଢ଼ୀଟି ସେ ପିନ୍ଧିଛି, ଯେଉଁ ଜାମାଟି ତାର ଦେହ ଘୋଡ଼ାଇଛି, ଯେଉଁ ମୁକୁରରେ ମୁହଁଟି ଦେଖି ଚିରୁଣୀରେ ସେ ମୁଣ୍ଡ ସଜାଡ଼ିଛି ସବୁ ତାଙ୍କରି ଦାନ ।

 

ସେ ପ୍ରସ୍ତାବ ବାଢ଼ିଛନ୍ତି, ଏ ଘର ଛାଡ଼ି ତାଙ୍କରି ଘରକୁ ଯିବାକୁ ହେବ । ତାଙ୍କରି ରହିବା ଘର ପାଖରେ ଅଲଗା ଖଞ୍ଜା ଅଛି । ସେଇଠି ରହିଲେ ତୁଷାରକାନ୍ତି ଓ କ୍ଷଣପ୍ରଭା ସହଜରେ ଓ ସୁବିଧାରେ ଅକ୍ଷମ ନିବାସର କାର୍ଯ୍ୟ ଦେଖି ପାରିବେ । ଏକା କ୍ଷଣପ୍ରଭାକୁ ଛାଡ଼ି ସମସ୍ତେ ସମ୍ମତ । ପର ଆଶ୍ରା ନ ନେବାକୁ ତାର ସବୁ ତର୍କ ବିଫଳ ହୋଇଛି । ନିଜେ ଶାଶୁ ଆଜି ବୁଝାଉଛନ୍ତି । କାହିଁକି ଆଉ ସେ ଆପତ୍ତି କରିବ, ଦୁଷ୍ମନ୍ତଙ୍କର ଦାନକୁ ଅପମାନ ବୋଲି ମଣିବ, ତାଙ୍କର ସହାନୁଭୂତିକୁ ମଣିବ ଉପହାସ ?

 

ଦଶଦିନ କାଳ ସେ ତାଙ୍କୁ ଅତି ପାଖରେ ଦେଖିଛି । ପ୍ରତିଦିନ ଦେହ ସମ୍ୱନ୍ଧରେ କଥା ହୋଇଛି । ଆପଣ ଛଡ଼ା ତୁମେ ବୋଲି କେବେ ତାଙ୍କ ତୁଣ୍ଡରୁ ବାହାରି ନାହିଁ । ସେବା କରିଛନ୍ତି କିନ୍ତୁ ରହିଛନ୍ତି ଦୂରେଇ ହୋଇ । ଦୁଷ୍ମନ୍ତ ମହତ ଲୋକ । ସମ୍ମାନ ଓ ଭକ୍ତି ତାଙ୍କ ପ୍ରାପ୍ୟ । ତାଙ୍କର ଆଗ୍ରହରେ ସେ ବାଧା ଦେବ ନାହିଁ । ଅନ୍ଧ ବନ୍ଧୁର ସାହା ହେବାକୁ ସେ ଚାହାନ୍ତି । କାହାରି ତ ଆପତ୍ତି ନାହିଁ, ସେ କାହିଁକି ଆପତ୍ତି କରିବ ?

 

ଅନ୍ଧ ବନ୍ଧୁର ସାହାଯ୍ୟ !

 

ଦେଶର ଅପାରଗ ଓ ଅନାଥଙ୍କ ପାଇଁ ସର୍ବସ୍ୱ ସେ ଦାନ କରିଛନ୍ତି, ଟେକି ଦେଇଛନ୍ତି ଅନ୍ଧ ବନ୍ଧୁର ହାତରେ । ଆଜିଯାଏ କାହିଁକି ଅପାରଗ ଅନାଥଙ୍କ ପାଇଁ ତାଙ୍କର ମନ ତଟୁ ନ ଥିଲା ? ବନ୍ଧୁ ଅନ୍ଧ ବୋଲି ଅନେକ ଦିନରୁ ସେ ନିଶ୍ଚୟ ଖବର ପାଇଥିବେ । କେବେ ତ ଥରଟିଏ ପଚାରି ନ ଥିଲେ ? ତୁଷାରକାନ୍ତିଙ୍କ ମୁହଁରୁ ବିପଦବେଳେ ମଧ୍ୟ ଏପରି ଉପକାରିଆ ବନ୍ଧୁଙ୍କର ନାମ ସେ ଶୁଣି ନ ଥିଲା । ଦୁନିଆଁରେ ଏମିତି ଅନେକ ବନ୍ଧୁ ଥାଆନ୍ତି ?

 

ଛାତି ତଳେ କେଉଁ ଅଜଣା କୋଣରେ ଆଘାତ ଲାଗିଲା । ଛାତ୍ର ଜୀବନ, ହେମାଙ୍ଗିନୀ, ସୁକାନ୍ତ, ଖେଳ କୌତୁଳ, ଥଟ୍ଟା ପରିହାସ, ବାହାଘର ପ୍ରସ୍ତାବ, ଉନ୍ନିଦ୍ର ରାତି ଓ ଭାବନାର ଘାତ ପରିଘାତ, ସବୁ ପଡ଼ିଲା ତାର ମନେ । ଗୋଟିଏ ଆଡ଼େ ଧନୀର ସନ୍ତାନ, ସୁନ୍ଦର ଗମ୍ଭୀର ଦୁଷ୍ମନ୍ତ, ଆଖିରେ ପୁଣି ଗାମ୍ଭୀର୍ଯ୍ୟରେ ହୃଦୟର ଭାଷା ପ୍ରକାଶ କରୁଥିଲେ, ଆରପାଖେ ତୁଷାର, ଦରିଦ୍ର, କଥା କହିବାରେ ନିପୁଣ, ମନର କଥାରେ ରଙ୍ଗବୋଳି ତୁଣ୍ଡରେ କହି ପାରନ୍ତି, ଦୁନିଆଁ ସଙ୍ଗେ ଲଢ଼ିବାକୁ ସେ ଅଣ୍ଟା ଭିଡ଼ି ଠିଆ ହୋଇପାରନ୍ତି । କେତେ କଥା । ପ୍ରେମିକ ତୁଷାରକାନ୍ତି !

 

କାହିଁକି ସେ ପ୍ରତିବାଦ କରିବ ?

 

ଲକ୍ଷ୍ମୀ କହିଲେ, ଏତେ କଣ ଭବୁଛୁ ମା, ନିଃସହାୟର ଆଶ୍ରା ଭଗବାନ । ଦୁଷ୍ମନ୍ତକୁ ପୁଅ ପରି ମୁଁ ଭଲ ପାଏ । ସେ ବି ଭଲ ପାଏ ସମସ୍ତଙ୍କୁ । ସରଳ, ସେହ୍ନି, ଉଚ୍ଚମନା । ତାର ଆଗ୍ରହ, ତାର ଇଚ୍ଛା–

 

କ୍ଷଣପ୍ରଭା କହିଲା, ତୁନି ହ ବୋଉ, କାହାରି ନିନ୍ଦା କି ପ୍ରଶଂସା ଶୁଣି ଲାଭ ନାହିଁ । ତୁମେ ମୋର ମା, ମୁଁ ତମର ବୋହୂ । ତମମାନଙ୍କର ଯାହା ଇଚ୍ଛା, ତମର ଯାହା ଆଦେଶ, ସେତକ ମୋର ମୁଣ୍ଡ ନୋଇଁ ପାଳନ କରିବା କର୍ତ୍ତବ୍ୟ । ତମରି ସେବା ମୋର ଧର୍ମ । ଯାହା ତମେ କହିବ, ସେହି ମୋର ବେଦର ଗାର ।

 

ଅଭିମାନ କରୁଛୁ ?

 

କ୍ଷଣପ୍ରଭାର ଆଖିରେ ଢଳ ଢଳ ଲୁହ । ମନର କୋହ ଚାପି ଥରିଲା ସ୍ୱରରେ କହିଲା, କାହା ଉପରେ ଅଭିମାନ କରିବି ? ପାଠ ଚାରି ଅକ୍ଷର ପଢ଼ିଥିଲି ସହି ଅଭିମାନରେ ଆପଣମାନଙ୍କ ମନରେ ଆଘାତ ଦେଇଛି । ବୋଉ, ତମର ଗୋଡ଼ତଳେ ପଡ଼ୁଛି–

 

କ୍ଷଣପ୍ରଭା ତଳେ ମୁଣ୍ଡ ଲଗାଇଲା । ଟିକିଏ ରହି ତଳେ ମୁଣ୍ଡ ମାଡ଼ି କହିଲା, ମତେ କ୍ଷମା କର ।

 

ଉଠି ବସିଲା । କେରା କେରା ଲୁହ ଝରି ପଡ଼ୁଛି ଦୁଇ ଆଖିରୁ । କହିଲା, ପାଠର ଅଭିମାନରେ ମୁଁ ତମର ଆଦେଶରେ, ସ୍ୱାମୀର ଇଚ୍ଛାରେ ବାଧା ଦେବାକୁ ବସିଥିଲି । ମୋର ନିଜତ୍ୱ ମୁଁ ଆଗକୁ ଆଣୁଥିଲି । ସବୁ ମୋର ଭୁଲ । ତମର ବୋହୂ ମୁଁ, ସେତିକି ମୋର ନିଜର ।

 

ତୁନି ହେଲା । ମନ କହିଲା ଆହୁରି, ଆଉ କିଛି ନୁହେଁ, ମୁଁ କିଏ ଥିଲି, କଣ ଅଛି ସବୁ ବୋହୂପଣିଆରେ ବିଲୟ ହେଉ । ମୋର ଅତୀତ ନାହିଁ, ବିଦ୍ୟା, ବୁଦ୍ଧି ଚିନ୍ତାଶକ୍ତି କିଛି ନାହିଁ । ଦୁନିଆଁରେ ମୋର ଆଉ କେହି ନାହିଁ, ଅଛନ୍ତି କେବଳ ରୁଗ୍‍ଣା ଶାଶୁ, ଅନ୍ଧ ସ୍ୱାମୀ, ପିଲା ନଣନ୍ଦ । ମୁଁ ବୋହୂ, ମୁଁ ପତ୍ନୀ, ମୁଁ ଭାଉଜ । ସେତିକି ମୋର ନିଜତ୍ୱ । ସେଇମାନଙ୍କ ଇଚ୍ଛା ହିଁ ମୋରି ଆଦେଶ, କର୍ତ୍ତବ୍ୟ । ସ୍ରୋତର ଫୁଲ ପରି ମୁଁ ଭାସିବି ସେଇମାନଙ୍କର ନିର୍ଦ୍ଦେଶରେ ।

 

ଦାଣ୍ଡ କବାଟର ବାହାର ପାଖ ଝଞ୍ଜିର ଖଡ଼ ଖଡ଼ ହେଲା । କିଏ ଧୀରେ ଧୀରେ ଡାକିଲା-। କ୍ଷଣପ୍ରଭା, କ୍ଷଣପ୍ରଭା ।

 

ନିହାରିକା କବାଟ ଖୋଲିବାକୁ ଗଲା । କ୍ଷଣପ୍ରଭା ତାରି ଆଡ଼କୁ ଚାହିଁ ଭାବିବାକୁ ଲାଗିଲା, ସମସ୍ତେ ତାକୁ ପ୍ରଭା ବୋଲି ଡାକନ୍ତି, କ୍ଷଣପ୍ରଭା ବୋଲି ଡାକେ କିଏ ?

 

ବହୁଦିନ ତଳର କଥା । ସପନ ପରି ଲାଗେ । ଯିଏ ତାକୁ ଏ ଦୁନିଆଁର ଜଞ୍ଜାଳ ଭିତରକୁ ଆଣିଥିଲା, ଯିଏ ସବୁ ସ୍ନେହ ସୋହାଗ ଆଶୀର୍ବାଦ ତାରି ଉପରେ ଅଜାଡ଼ି ଦେଇ ତାକୁ ପୁଣି ନିଷ୍ଠୁର ପିତାର କୋଳରେ ଛାଡ଼ି ଚାଲି ଯାଇଥିଲା, ସେଇ ସ୍ନେହମୟୀ ମାଆର କଅଁଳ ଡାକ, କ୍ଷଣପ୍ରଭା । ସେ କୋମଳ ଡାକ ଆଜି ଯେପରି ସେ ପୁରରୁ ଭାସି ଆସୁଛି ଧୀର, କରୁଣ, ବ୍ୟର୍ଥଭରା, କ୍ଷଣପ୍ରଭା !

 

କିଏ ?

 

ମାଆର କୋମଳ ଡାକ ସେ ପାରିରୁ ଭାସି ଆସିପାରେ ନାହିଁ । ତେବେ କାହାର ସେ ଡାକ ? ଛାତି ଥରି ଉଠିଲା । ନିଜର ଝିଅଠୁଁ ବଳି ସେ ଭଲ ପାଉଥିଲେ, ମାଆର ଆଦର ସ୍ନେହ ସେ ତାଙ୍କରିଠାରୁ ପାଉଥିଲା, ତାକୁ ନିଜର କରି ପାଖକୁ ଚିରଦିନ ପାଇଁ ନେବାକୁ ସେ ଆଗ୍ରହ ଓ ବ୍ୟାକୁଳତା ଦେଖାଇଥିଲେ । ତାଙ୍କର ଆଶା ସେ ଭାଙ୍ଗି ଥିଲା । କଟକ ଆସି ମଧ୍ୟ ନିଜ ସଂସାରର ଦୁଃଖ ଜଞ୍ଜାଳ ଆରାରେ ତାଙ୍କ ସଙ୍ଗେ ଦେଖା କରିବାକୁ ସେ ଜାଣି ଜାଣି ଭୁଲିଥିଲା । ଦୁଷ୍ମନ୍ତ ବାବୁଙ୍କର ଜନନୀ, ଯାହାକୁ ସେ ମା ବୋଲି ଡାକେ, ପିଠି ଆଉଁସି ସେହି ଏକା ଗେହ୍ଲେଇ ଡାକନ୍ତି, କ୍ଷଣପ୍ରଭା !

 

ହଁ, ସେଇ, ସୁକାନ୍ତି ଦେବୀ, ଘର ଭିତରକୁ ପଶି ଆସିଲେ । ନୂଆ ଲ୍ୟାମ୍ପର ଉଜ୍ଜ୍ୱଳ ଆଲୋକ ପଡ଼ିଛି ତାଙ୍କ ମୁହଁରେ, ଦେହରେ । କ୍ଷଣପ୍ରଭାର ଆଖି ଆଗରେ ସପନ ପ୍ରତିମା, ତାର ମା ନୁହଁନ୍ତି, ମାତୃମୂର୍ତ୍ତି । ବଦଳିଛନ୍ତି । ଦେଖିଥିଲା ସେ ରାଜରାଣୀ, ଦେଖୁଛି ବିଧବା, ଦୁନିଆଁର ଶହ ଶହ ସାଧାରଣ ନାରୀ ଭିତରୁ ସେ ଜଣେ । ଧଳା ଛେଦା ଲୁଗା । ମୁଣ୍ଡର ବାଳ ଦର ପାଚିଲା, ଅସଜଡ଼ା । ତୁଣ୍ଡରେ ଦାନ୍ତ ନାହିଁ । ଦେହର ଉଜ୍ଜ୍ୱଳ ଗୌରବର୍ଣ୍ଣ ମଳିନ ହୋଇଛି । କପାଳରେ ରେଖା, ଆଖିପତା ମଳିନ, କିନ୍ତୁ ସେହି ଆଖି ଦିଓଟିରୁ ବାହାରୁଛି କରୁଣାର ଆଭା । ମୁହଁରେ ସହାନୁଭୂତି ଓ ଭଲ ପାଇବାର ହସ, ଆତ୍ମାର ଉଲ୍ଲାସ ।

 

କ୍ଷଣପ୍ରଭା ଠିଆ ହେଲା । ବିହ୍ୱଳ ଆଖିରେ ଅନାଁଇ ରହିଲା ତାର କେତେବର୍ଷ ତଳର ମାଆଙ୍କୁ, ଯାହାଙ୍କର କରୁଣାର ପରିଧିର ବାହାରେ ସେ ଠିଆ ହୋଇଛି, ହୃଦୟ ଓ କାମନା ପାଖରୁ ଦୂରେଇ ଆସିଛି ।

 

ସୁକାନ୍ତି ଚାହିଁଲେ, ଆଗରେ କ୍ଷଣପ୍ରଭା, ସ୍ନେହର ପିତୁଳା, ଦୁର୍ବଳ ରକ୍ତହୀନ ଦେହ, ମଳିନ ମୁହଁ । କେତେ ଦୁଃଖ କେତେ ଚିନ୍ତାର ପ୍ରଭାବ ପଡ଼ିଛି ସେଇ ସୁନ୍ଦର ମୁହଁଟି ଉପରେ । ଆଖିରେ ଲୁହ ଛଳ ଛଳ । ଗାଲ ଉପରେ ଲୁହର ଦାଗ । ପିନ୍ଧିଛି ଦରମଇଳା ଧଳା ଶାଢ଼ୀ ଖଣ୍ଡେ । ଦେହରେ ଅଳଙ୍କାର ନାହିଁ । ହାତରେ ନାଲି କାଚ ଦି ଦି ପଟି ।

 

ଏ ପାଖ ଖଟ ଉପରେ ବସିଛନ୍ତି ରୋଗିଣା ସ୍ତ୍ରୀ ଲୋକଟିଏ, ବୁଢ଼ୀ । ଅତି ଦୁର୍ବଳ, ଗାଲ ଉପରେ ହାଡ଼, ପଶିଲା ପଶିଲା ଆଖି । ସରୁ ସରୁ ହାତଗୋଡ଼ । ମୁଣ୍ଡ ପ୍ରାୟ ଚନ୍ଦା, କେରାଏ ପାଚିଲା ବାଳ । କ୍ଷଣପ୍ରଭାର ଶାଶୁ ହେବେ । ପାଖରେ ଯେଉଁ ଝିଅଟି ଠିଆ ହୋଇଛି, ବାର ତେର ବର୍ଷର ହେବ, ସୁନ୍ଦର, କୁଲୁ କୁଲିଆ, ଭଲ ସ୍ୱାସ୍ଥ୍ୟ, ଚଞ୍ଚଳ ଆଖି, କ୍ଷଣପ୍ରଭାର ନଣନ୍ଦ ହେବ ପରା ସେ !

 

ସୁକାନ୍ତି ଆଖି ଫେରାଇଲେ କ୍ଷଣପ୍ରଭା ଉପରକୁ । ମନେପଡ଼ିଲା ହେମାଙ୍ଗିନୀର କଥା । ନିର୍ବୋଧ, ନିର୍ବୋଧ ଝିଅଟା । ଧନୀଘରର ଝିଅ, ଲକ୍ଷପତିର ଘରଣୀ, ଦାରିଦ୍ର୍ୟର ମହତ ସେ ବୁଝିପାରିନାହିଁ । ଦାରିଦ୍ର୍ୟର ପ୍ରବିତ୍ରତା ସେ ଉପଲବ୍ଧି କରିନାହିଁ । ଅଭାବର ଜଳିଲା ନିଆଁରେ ଶୁଦ୍ଧ ସୁବର୍ଣ୍ଣ ପରି ଦରିଦ୍ର୍ୟର ନିର୍ମଳ ପବିତ୍ର ଆତ୍ମା ଅଗ୍ନିସ୍ନାନ କରି କିପରି ଝଟକି ଉଠେ, ହେମାଙ୍ଗିନୀ କେବେ ଦେଖିବାକୁ ଚେଷ୍ଟା କରିନାହିଁ । ଦରିଦ୍ରର ଦୁଇ ଆଖିରୁ ଝରେ ଗଙ୍ଗା ଯମୁନାର ନୀର । ସେଇ ସଲିଳରେ ଅବଗାହି ତାର ମନହୁଏ ପୁତ, ପବିତ୍ର, ନିର୍ମଳ ।

 

ଆଖି ଆଗରେ ପବିତ୍ରତାର ପ୍ରତୀକ କ୍ଷଣପ୍ରଭା !

 

ସୁକାନ୍ତି ମୁଗ୍ଧ ଚକ୍ଷୁରେ ଚାହିଁଲେ । ପାଖକୁ ଆସି କହିଲେ, ଚିହ୍ନିପାରୁନୁ କି ତୋର ମାଆକୁ ?

 

କ୍ଷଣପ୍ରଭା ମନର ଉଦ୍‌ବେଗ ଅଟକାଇ ପାରିଲା ନାହିଁ । ମଝିରେ କେଇଟି ବର୍ଷ ଯେ ଅତୀତ ହୋଇଛି, ଆଉ ତାହାରି ଭିତରେ କେତେ ଛୋଟ ବଡ଼ ଘଟଣା ମୁଣ୍ଡ ଟେକି ଠିଆ ହୋଇଛନ୍ତି, ମୁହୂର୍ତ୍ତକ ପାଇଁ ସେ ଭୁଲିଗଲା । ସୁକାନ୍ତିର ଗୋଡ଼ତଳେ ମୁଣ୍ଡ ଲଗାଇ ପ୍ରଣାମ କଲା ।

 

ସୁକାନ୍ତି ନଇଁପଡ଼ି ତାର ହାତ ଉଠାଇଲେ । ଛଳ ଛଳ ଆଖିରେ କହିଲେ, ଏତେଦିନ ହେଲା ତୁ ଆସି କଟକରେ ଅଛୁ, ତୋର ମାଆକୁ ଥରେ ଦେଖିବାକୁ ମନ କଲୁନାହିଁ ? ଅବସ୍ଥା ସିନା ବଦଳେ, ନିଜ ହାତର କଥା ତ ନୁହେଁ, ଭଗବାନଙ୍କ ଇଚ୍ଛା, ଭାଗ୍ୟର ନିର୍ଦ୍ଦେଶ, ମନର ସରାଗ ତ ବଦଳେ ନାହିଁ ମା, ବଦଳିବାର ନୁହେଁ । ସରାଗ ସରଗର ଚିଜ ମା ।

 

କ୍ଷଣପ୍ରଭାର ତୁଣ୍ଡରୁ କଥା ବାହାରିଲା ନାହିଁ । ଛଳଛଳ ଆଖିରୁ ଝରି ଆସିଲା ଲୋତକ ଧାର । ଦୁଇ କାନରେ କେବଳ ପ୍ରତିଧ୍ୱନିତ ହେଲା, ମନର ସରାଗ ତ ବଦଳେ ନାହିଁ । ଲୁହର କୁହୁଡ଼ି ଭିତରେ ଉଭାହେଲା ହରଷ ପ୍ରଫୁଲ୍ଲ ସରଳ ମୁହଁ, ଯାହାର ନିରୀହ ଆଖିରେ ମୂର୍ତ୍ତିମାନ ହୋଇଛି ଗୋଟିଏ ଭାବ, ସରାଗ ସରଗର ଚିଜ ମା !

 

ଛାତି ଭିତରୁ କୋହ ଉଠିଲା ।

 

ସୁକାନ୍ତି ପଚାରିଲେ, ଇଏ ତୋର ଶାଶୁ ? ଏଇଟି ତୋର ନଣନ୍ଦ ? ନିହାରିକା ପ୍ରଣାମ କଲା ।

 

ସୁକାନ୍ତି ତାର ହାତ ଧରି କୋଳକୁ ଆଉଜାଇ ସୁନ୍ଦର ମୁହଁଟି ଟେକି ଧରିଲେ । ସରମ ରଙ୍ଗା କପାଳରେ ମୁଣ୍ଡ ଲଗାଇ ମୁହଁ ଟେକି ପଚାରିଲେ, ତୋ ନା କଣ ମା ?

 

କ୍ଷଣପ୍ରଭା କହିଲା ନୀହାରିକା ।

କେତେ ସୁଖଦୁଃଖ, ଗଲା ହଜିଲାଙ୍କ ସ୍ମୃତି ମାନ ଅଭିମାନ ।

 

ଗଳ୍ପ କରୁ କରୁ ଦୁଇଘଣ୍ଟା କଟିଲା । କଅଁଳ ମଧୁର ସାନ୍ତ୍ୱନାବୋଳା କଥାରେ ସୁକାନ୍ତି କିଣିନେଲେ ସଭିଙ୍କର ମନ । କ୍ଷଣପ୍ରଭା ଅନୁଭବ କଲା, ସତେକି ସେ ପୁରରୁ ତାର ଜନନୀ ଫେରି ଆସିଛନ୍ତି, ଦୟାର ଉତ୍ସ, ସ୍ନେହର ପାରାବାର, ତାର ସେ କାଳର ମା ।

 

ଲକ୍ଷ୍ମୀ ବୁଝିଲେ, କରୁଣାମୟୀର ପେଟରୁ ବାହାରେ କରୁଣାର ପ୍ରତିମୂର୍ତ୍ତି ଦୁଷ୍ମନ୍ତ । ପରକୁ ସେ ଆପଣାର କରିପାରେ । ଦରିଦ୍ରର କୁଡ଼ିଆରେ ସେଇ କେବଳ ଅଜାଡ଼ି ଦିଏ ସ୍ନେହ ଓ ସୌଭାଗ୍ୟ ।

 

ସୁକାନ୍ତି କହିଲେ, କ୍ଷଣପ୍ରଭା ମୋ ପେଟରୁ ବାହାରି ନାହିଁ ସତ ଭଉଣୀ, ହେଲେ ପେଟର ଝିଅଠୁଁ ବଳି ମୁଁ ତାକୁ ଭଲପାଏ । ଯେତେବେଳେ ତାର ମଉସା ବଞ୍ଚିଥିଲେ, ତାକୁ ମୋ କୋଳରେ ଦେବାକୁ ପଣ କରିଥିଲେ । ମଣିଷର ଭାବନା, ଆଶା ଓ ଆଗ୍ରହ ଗୋଟିଏ ଆଡ଼େ, ଦଇବର ନିର୍ଦ୍ଦେଶ ଅନ୍ୟଆଡ଼େ । ସେଥିପାଇଁ କେହି କାହାକୁ ଦୋଷ ଦେଇପାରିବେ ନାହିଁ । ଯାହା ଘଟିଯାଏ ତାକୁ ଛାତି ଦମ୍ଭ କରି ସହିବା ଭଲ ।

 

ଚାରି ପୁଅ ମୁଁ କୋଳକୁ ଆଣି ହରାଇଛି । ଦିନେ ଦୁଃଖ କରୁଥିଲି, ଆଜି ଆଉ ମୋର ଦୁଃଖ ନାହିଁ । ସବୁ ପିଲାଙ୍କୁ ମୋର ଯିଏ କୋଳରୁ ନେଇଛି ସେଇ ବାଇଆ ବାତୁଳ ରାଧାମାଧବ ମୋ ଘରେ ଖେଳୁଛି ଭଉଣୀ, ଚାଲ ଦେଖିବ ସେଇ ମୋତେ କହିଦେଲା ଯା ତୋର ଝିଅକୁ ତୁ ନେଇଆ । ଛାତିରେ ସରାଗ ରଖି ସେ ଗଲେ ମଶାଣିକୁ । ଛାତିର ସରାଗ ମତେ ଛଟପଟ କରୁଛି । ଯାହାକୁ ମୁଁ ବୋହୂ କରି ପାଖକୁ ନେଇଥାନ୍ତି, ସେ ମୋର ଝିଅ ହୋଇ ପାଖକୁ ଯିବ ।

 

କ୍ଷଣପ୍ରଭାକୁ କୋଳକୁ ଆଉଜାଇଲେ । ମୁଣ୍ଡରେ ମୁଣ୍ଡ ଲଗାଇ କହିଲେ, ସିଏ ଆଜି ମୋ ପାଖକୁ ଯିବ, ସେ ହେବ ମୋର ଝିଅ, ସେ ହେବ ମୋର ମା ।

 

ଲକ୍ଷ୍ମୀ ହରଷ ଚିତ୍ତରେ କହିଲେ, ତମ ଝିଅକୁ ତମେ ନେଇଯିବ, କିଏ ସେଥିରେ ବାଧା ଦେବ, ନାହିଁ କରିବ ? ତୁଷାର ମୋର କେଡ଼େ ଖୁସି ହେବ ଜାଣ ?

 

ଜାଣେ ଭଉଣୀ । ତୁଷାର ଆଉ ତମେ, ତମର ଏଇ ଗେହ୍ଲାଝିଅ ନୀର, ସମସ୍ତେ ଯିବ ମୋ ପାଖକୁ ।

 

ଲକ୍ଷ୍ମୀ କହିଲେ, ମୋର ଦୁଇ ଆଖି, ମୋର ମାଆ ପ୍ରଭାକୁ ଛାଡ଼ି ଦଣ୍ଡେ ମୁଁ ରହିପାରିବି ନାହିଁ ।

 

ସେ କଥା ମୁଁ ଶୁଣିବି ନାହିଁ । ଏକୁଟିଆ ମୁଁ ଫେରିବି ନାହିଁ । କ୍ଷଣପ୍ରଭା ମୋରି ସାଙ୍ଗରେ ଯିବ । ତୁଷାର ଓ ଦୁଷ୍ମନ୍ତ ଆମଘରେ ପାଟି କରୁଛନ୍ତି । ତାଙ୍କୁ ମୁଁ ଦେଖିନାହିଁ । ତୁଷାର ଫେରିଲେ ତାକୁ କହିଦେବ, କାଲି ସକାଳେ ଦୁଷ୍ମନ୍ତ ଆସି ତମକୁ ସବୁ ନେଇଯିବ ।

 

ଲକ୍ଷ୍ମୀ ତୁନି ରହିଲେ ।

 

କ୍ଷଣପ୍ରଭା ବିଚଳିତ ହେଲା । ଆଉ ଘଣ୍ଟାଏ ଡେରିକଲେ ତୁଷାରକାନ୍ତି ଫେରି ଆସିବେ । ସେ କେବେ ଅମତ ହେବେ ନାହିଁ । ତାଙ୍କର ମନର କଥା ହିଁ ଘଟୁଛି । ଶାଶୁ ସେ କଥା କହୁନାହାନ୍ତି କାହିଁକି ? ସେ କେମିତି ମୁହଁ ଖୋଲିବେ ? ବିବାହିତ ଜୀବନର କେତେବର୍ଷ ଭିତରେ ଦିନେ କେବେ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ପାଖରୁ ଦୂରରେ ରହିନାହିଁ । କେମିତି ସେ ଯିବ ? ମନାକରିବ ବା କିପରି ? ସୁକାନ୍ତି ଦେବୀ, ଯିଏ ତାକୁ କନ୍ୟାଠୁଁ ବଳି ଭଲ ପାଆନ୍ତି, ତାଙ୍କର ଆଗ୍ରହ ଭାଙ୍ଗି ମନରେ ଦୁଃଖ ଦେବ କିପରି ?

 

ଲକ୍ଷ୍ମୀ କହିଲେ, ତୁଷାର ତ ଆସୁଥିବ ।

ସୁକାନ୍ତି ମୁହଁ ଶୁଖାଇ କହିଲେ, ତୁଷାରର ଅନୁମତି ଲୋଡ଼ିବି ମୋର ଝିଅକୁ ନେବାକୁ ।

 

ଲକ୍ଷ୍ମୀ ଲାଜରା ହେଲେ । ବାଆଁରେଇ କହିଲେ, ମୁଁ ସେ କଥା କହୁନାହିଁ । ତମ ଝିଅକୁ ତମେ ନେବ ସେଥିରେ ଅନୁମତି ଦେବାକଥା ଉଠୁ ନାହିଁ । ରନ୍ଧା ରନ୍ଧି ସେ କରି ରଖଛି । ନୀର ମୁଠିଏ ବାଢ଼ି ଦେବ ଯେ । ଯା ପ୍ରଭା, ତୋ ମା ସଙ୍ଗରେ । ଲୁଗାଟା ପାଲଟି ପକା ।

 

ସୁକାନ୍ତି ପ୍ରଭାର ହାତଧରି ଉଠିଲେ । ଛଳଛଳ ଆଖିରେ କହିଲେ, ଥାଉ । ଝିଅ ଲଙ୍ଗଳା ହୋଇ ଗଲେ ବି ସେ ମାଆର ଝିଅ । ଗୋଟିଏ ରାତି ମୋର ମାଆକୁ ମୁଁ ମୋ ପାଖରେ ଏକୁଟିଆ ଏମିତି ବେଶରେ ଦେଖେ !

 

ତୁନି ରହିଲେ । ଆଖିର ଲୁହହିଁ କହିଲା କଥା । ତୁଣ୍ଡ ଖୋଲିଲେ, କାଲି ସକାଳେ ତମର ବୋହୂକୁ ତମରି ପାଖରେ ଛାଡ଼ିଦେବି, ଏଇଠି ନୁହେଁ ତମର ନୂଆ ଘରେ । ମନେରଖ, ତୁଷାର ମୋର ବି ପୁଅ । ଆ, ମା ।

କ୍ଷଣପ୍ରଭାର ହାତଧରି ସୁକାନ୍ତି ପଦାକୁ ଆସିଲେ । ନୀର ଆଲୁଅ ଦେଖାଇଲା । ଚିତ୍ରପିତୁଳା ପରି ନିର୍ବାକ ହୋଇ କ୍ଷଣପ୍ରଭା ସୁକାନ୍ତିଙ୍କ ସଙ୍ଗେ ସଙ୍ଗେ ଗଲା । ସୁକାନ୍ତି ତାର ହାତଧରି ଗାଡ଼ି ଭିତରକୁ ନେଲେ ।

ଘୋଡ଼ାଗାଡ଼ି ଚାଲିଲା ।

କ୍ଷଣପ୍ରଭାର ମନରେ ପ୍ରଶ୍ନ, କୁଆଡ଼େ ସେ ଯାଉଛି, କାହା ସଙ୍ଗରେ, କେଉଁଠିକି, କାହିଁକି-? ଛାତିଥରାଇ ଅଦ୍ୟମ କୋହ ଉଠିଲା । ଓଠ ଚାପି ନିଶ୍ୱାସ ଅଟକାଇ ରଖିଲା । ଦୁଇ ଆଖିରୁ ଗଡ଼ି ଆସିଲା ଲୁହ ଧାର । ଗାଡ଼ିର ଶବ୍‍ଦ ସାଥିରେ ମିଶି କାହାର ଅଟ୍ଟହାସ ସତେକି କାନରେ ବାଜିଲା, ସତେ କି କିଏ କହି ଉଠୁଛି, ଦମ୍ଭ ଭାଙ୍ଗିଲା ତ, ଆସ, ଆସ, ଦୁଷ୍ମନ୍ତ ଏଇଠି ଅଛି ।

ଅନ୍ଧ ତୁଷାରକାନ୍ତି ହସି ଉଠୁଛି !

ଆଖିବୁଜି ସେ ଦୀର୍ଘଶ୍ୱାସ ଛାଡ଼ିଲା । ଦାନ୍ତ ଚିପି ସେ ଛାତି ଟାଣ କଲା । ଉତ୍ତର ଦେଲା ମନ ଭିତରେ ମନଗଢ଼ା ପ୍ରଶ୍ନର, କ୍ଷଣପ୍ରଭା ଭାଙ୍ଗିବ ସିନା, ତାର ଦମ୍ଭ ଭାଙ୍ଗିବ ନାହିଁ ।

ନିହାରିକା ଘର ଭିତରକୁ ଫେରିଆସି କବାଟ ବନ୍ଦ କଲା । ଚାରିଆଡ଼କୁ ଚାହିଁଲା । ଟିକି ମୁଣ୍ଡଟି ଭିତରେ ତାର କେତେ ଭାବନା ଓଲଟ ପାଲଟ ହେଉଥାଏ । ସତେ କି ଏ ଘରୁ ଲକ୍ଷ୍ମୀ ଗୋଡ଼ କାଢ଼ି ପଳାଇଲେ । ସତେ କି ଏ ଘରେ ଆଉ ଜୀବନ ନାହିଁ, ଆଲୁଅ ଲିଭିଛି, ଅନ୍ଧାର ଘୋଟି ଆସିଛି-

ବୋଉ ପାଖକୁ ଯାଇ ପଚାରିଲା, ନୂଆଉକୁ ତୁ କାହିଁକି ଯିବାକୁ କହିଲୁ ? ଦେଖିଲୁ, ଘର କେମିତି ଦିଶୁଛି ।

ନୀହାରିକା କାନ୍ଦି ଉଠିଲା ।

ଲକ୍ଷ୍ମୀ ଝିଅର କାନ୍ଦ ଦେଖି ବିଚଳିତ ହେଲେ । ସତେ ତ, କଣ ଦିଶୁଛି ଏ ଘର ! ଲକ୍ଷ୍ମୀ କାହାନ୍ତି ? ସବୁ ତ ଅଛି, ତଥାପି ଖାଲି ଖାଲି ଲାଗୁଛି କାହିଁକି ? କିଏ ସେ ଆସିଲେ, ଦୁଇଘଣ୍ଟା ରହି କେତେ କଣ କହି ମନ କିଣିନେଲେ, ଶେଷକୁ ସଙ୍ଗରେ ଘେନିଗଲେ କୁଳର ବୋହୂକୁ, ଘରର ଶିରୀକୁ । କାହିଁକି ସେ ଏ ବୁଦ୍ଧି କଲେ, ଅଭାବରେ ପଡ଼ି ନଷ୍ଟକଲେ ସ୍ୱଭାବ ?

ଲକ୍ଷ୍ମୀ ଉତ୍ତର ଦେଇପାରିଲେ ନାହିଁ । ଚାରିଆଡ଼ ସତେକି ଅନ୍ଧାର ଦିଶିଲା । ତୁଷାରକାନ୍ତିର ଖଟ ଉପରେ ଢଳିପଡ଼ି କହିଲେ, ନୀର, ମୋର ବୁଦ୍ଧି ଭ୍ରମ ହେଲାଣି । ମା, ମୋର ମୁଣ୍ଡ ଟେକି ଧରିଲୁ । ଉଃ–, ଛାତି ଭିତର କଣ ହୋଇଯାଉଛି ।

ତ୍ରସ୍ତ ହୋଇ ନୀହାରିକା ପାଖକୁ ଗଲା । ତାର ବୋଉ ପାଖରେ ବସି ଛାତି ଆଉଁସି କହିଲା, କେଡ଼େ ସ୍ନେହୀ ସେ ମାଉସୀ, ନୂଆଉକୁ ରାତିରେ ସାଙ୍ଗରେ ନେଇଗଲେ । କାଲି ସକାଳେ ଆମେ ସବୁ ତ ଯିବା ।

 

ଲକ୍ଷ୍ମୀ କହିଲେ, ଛାତି ଭିତର ମୋର କେମିତି କଣ ହୋଇଯାଉଛି ମା, ଆଉଁସି ଦେ, ଓଃ–

ବୁଢ଼ୀ ଖଁ ଖଁ ହୋଇ କାଶିବାକୁ ଲାଗିଲେ, ଧଇଁ କାଶ ।

ପଦାରୁ ଶୁଭିଲା ଡାକ, ନୀର–

ବୋଉ, ଭାଇ ଆଇଲେଣି ଲୋ ।

ନୀହାରିକା କବାଟ ଖୋଲିଲା । ଘର ଭିତରକୁ ପଶି ଆସିଲେ ଦୁଷ୍ମନ୍ତ ଓ ତୁଷାରକାନ୍ତି ।

 

ଲକ୍ଷ୍ମୀ ଆଖି ଖୋଲିଲେ । ବଲ ବଲ କରି ଚାହିଁଲେ ଚାରିଆଡ଼କୁ । ଛାତରୁ ବିଜୁଳି ଆଲୁଅ ଝୁଲୁଛି । ନେଳିଆ ଆଲୁଅ । ଧୀରେ ଧୀରେ ବୁଲୁଛି ବିଜୁଳି ପଙ୍ଖା । ବଡ଼ କୋଠରୀ । ଚାରିଆଡ଼େ ଧୋବ ଫର ଫର କାନ୍ଥ । ବଡ଼ ବଡ଼ ଝରକା । ଅତି କରୁଣ ସ୍ୱରରେ ପାଖରୁ କି ଦୂରରୁ କିଏ ଗୀତ ବୋଲୁଛି । ପଲଙ୍କ ଉପରେ କଅଁଳ ବିଛଣାରେ କଡ଼ ଲେଉଟାଇ ଚାହିଁଲେ ଚାରିଆଡ଼କୁ-। ପଳଙ୍କ ପାଖରେ ଗୋଟିଏ ଚଉକିରେ ଜଗି ବସିଛି ନୀହାରିକା । ଏତେ ବଡ଼ ଘରେ ଆଉ କେହି ନାହିଁ ।

 

ନୀହାରିକା ଉଠି ଠିଆ ହେଲା । ପଲଙ୍କ ପାଖକୁ ଘୁଞ୍ଚିଆସି ବୁଢ଼ୀଙ୍କର କପାଳରେ ହାତ ରଖି ପଚାରିଲା, କଣ ବୋଉ, ଟିକିଏ ଭଲ ଲାଗୁଛି ? ଓଃ ଦେହରେ ତାତି ପୂରି ରହିଛି ।

 

ଲକ୍ଷ୍ମୀ ଉତ୍ତର ଦେଲେ ନାହିଁ । ଉତ୍ତର ଦେବାର ଶକ୍ତି ଯେପରି ତାଙ୍କର ଲୋପ ହୋଇଛି-

 

ଦୁଷ୍ମନ୍ତଙ୍କ ଘରକୁ ଆସିବାର ସାତଦିନ ପୂରିଲା । ଆସିବା ଆଗରୁ ପୁଣି ତାଙ୍କର ସେଇ ପୁରୁଣା ରୋଗ ଆରମ୍ଭ ହୋଇଥିଲା, ମୁଣ୍ଡ ଝାଇଁ ଝାଇଁ, ଛାତି ଦରଜ, ତଣ୍ଟି ଘଡ଼ ଘଡ଼, ଲଟା କାଶ । କ୍ଷଣପ୍ରଭା ତ ସୁକାନ୍ତିଙ୍କ ସଙ୍ଗରେ ରାତିରୁ ଚାଲି ଆସିଥିଲା, ପରଦିନ ସକାଳେ ଦୁଷ୍ମନ୍ତ ଯାଇ ଲକ୍ଷ୍ମୀ, ନୀହାରିକା ଓ ତୁଷାରକାନ୍ତିକୁ ସାଙ୍ଗରେ ନେଇ ଆସିଲେ । ପୁରୁଣା ବସାର ମାୟା ତୁଟାଇ ଲକ୍ଷ୍ମୀ ଆସିଲାବେଳକୁ ତାଙ୍କର ଅସୁସ୍ଥତା ବଢ଼ିଥିଲା ।

 

ସେମାନଙ୍କୁ ଆଉ ଦୁଷ୍ମନ୍ତଙ୍କ ବାହାର ଖଞ୍ଜାରେ ରାହିବାକୁ ପଡ଼ିଲା ନାହିଁ । ନିଜେ ସୁକାନ୍ତି ଆଣି ଖଞ୍ଜା ଭିତରେ ରଖିଲେ, ଦୋତାଲା ଉପରେ । କେତେ ଘର ଖାଲି ପଡ଼ିଛି, ପଚାଶ ପ୍ରାଣୀ କୁଟୁମ୍ୱ ରହିଲେ ବି କେଉଁ କୋଣରେ ଛପିଯିବେ । ସୁକାନ୍ତି ସମସ୍ତଙ୍କ ପାଇଁ ରହିବାର ସୁବନ୍ଦୋବସ୍ତ କରିଥିଲେ ।

 

ଲକ୍ଷ୍ମୀଙ୍କର ସେବା ଶୁଶ୍ରୂଷାରେ ଅଭାବ ନାହିଁ । ନିତି ଦୁଇ ତିନି ଥର ଡାକ୍ତର ଆସି ଦେଖି ଯାଉଛନ୍ତି, ଔଷଧ ଓ ପଥ୍ୟର ବ୍ୟବସ୍ଥା କରୁଛନ୍ତି । ସୁକାନ୍ତି ଓ ଦୁଷ୍ମନ୍ତ ବାରମ୍ବାର ଆସି ଖବର ବୁଝି ଯାଉଛନ୍ତି । କ୍ଷଣପ୍ରଭା ଓ ନୀହାରିକା ପାଖେ ପାଖେ ଅଛନ୍ତି । ଦାସୀ ପରିବାରୀ, ପଛରେ ଯିଏ ଯାହା କୁହନ୍ତୁ କି ମୁହଁ ମୋଡ଼ନ୍ତୁ ପଛେ, ସୁକାନ୍ତି ଓ ଦୁଷ୍ମନ୍ତଙ୍କ ଡରରେ ସେବା କରିବାରେ ତ୍ରୁଟି କରୁନାହାନ୍ତି ।

 

ଏତେ ସେବା ସତ୍ତ୍ୱେ ଲକ୍ଷ୍ମୀଙ୍କର ଅବସ୍ଥାରେ ଉନ୍ନତି ହେଉନାହିଁ । ଡାକ୍ତରଙ୍କ ମତରେ ଅବସ୍ଥା ସଂକଟାପନ୍ନ । ଦୁର୍ବଳ ଦେହ, ରକ୍ତହୀନତା, ହୃତ୍‌ପିଣ୍ଡର ଅବସ୍ଥା ଭଲ ନୁହଁ । ତଥାପି, ନିରାଶ ହେବାର କାରଣ ନାହିଁ । ଶ୍ୱାସ ରୋଗୀ କଷ୍ଟ ପାଆନ୍ତି ସିନା ସହଜରେ ସେମାନଙ୍କ ଭଲ ମନ୍ଦ କିଛି ହୁଏ ନାହିଁ ।

ଲକ୍ଷ୍ମୀ କ୍ଷୀଣ ସ୍ୱରରେ ପଚାରିଲେ, କିଏ–, ନୀର– ?

କଣ ବୋଉ– ।

ଭାଇ– ?

ଏଇକ୍ଷଣି ଥିଲେ, ଦୁଷ୍ମନ୍ତଭାଇ ଆସି ଡାକି ନେଇଗଲେ । କିଏ ସବୁ ଆସିଛନ୍ତି କେଉଁଠୁ ଯେ ତାଙ୍କ ସଙ୍ଗେ କଥାଭାଷା ହେବାକୁ ଯାଇଛନ୍ତି । ଡାକିବି ?

ତୋ ନୂଆଉ ?

ସେ ବି ଥିଲେ, ମାଉସୀ ଡାକିଲାରୁ ସେ ଏବେ ଯାଇଛନ୍ତି । ସଞ୍ଜ ହେଲା, ରାଧାମାଧବଙ୍କ ଆରତି ବେଳ, କହିଛନ୍ତି, ତୁ ଉଠିଲେ ତାଙ୍କୁ ଖବର ଦେବି, ସେ ଔଷଧ ଦେବେ । ତାଙ୍କୁ ଡାକୁଛି । ଆଲୋ ସତୀ !

ବାରଣ୍ଡାରେ ବସି ବସି ଢୁଳାଉଥିଲେ ଦଶ ଏଗାର ବର୍ଷର ଝିଅଟିଏ । ଉତ୍ତର ଦେଲା, କଣ ।

ଶିଣୁଲୁ ।

ସତୀ ବିରକ୍ତିଆ ସ୍ୱରରେ କହିଲା, କଣ କହୁନା ।

ଶୁଉଣୁ ।

ବୁଢ଼ୀ କହିଲେ, ଥାଉ ମା, କାହାରିକୁ ଡାକିବା ଲୋଡ଼ା ନାହିଁ । କିଏ ଆସି କଣ କରିବ ? ନିଆଁ ଲଗା ରୋଗ ତ ମୋତେ ଖାଇ ଯାଉଛି । ପ୍ରାଣ ହେଲେ ଚାଲି ଯାଆନ୍ତା । ତୁ ବସ ମା ।

ନୂଆଉକୁ ଡାକେ ।

ବେଳ ପାଇଲେ ବଳେ ସେ ଆସିବ, ତୁ ବସ ।

ନୀର ଚଉକି ଉପରେ ବସି ପୁଣି ମୁଣ୍ଡ ଆଉଁସି ଦେଲା । ବୁଢ଼ୀ ଆଖି ବୁଜିଲେ । ଝିଅର କଅଁଳ ହାତର ମୃଦୁ ପରଶରେ ସତେକି ସେ ସ୍ୱର୍ଗୀୟ ଶାନ୍ତି ପାଉଥିଲେ ।

ଆର ଘରେ ସୁକାନ୍ତିଙ୍କ ପାଖରେ କ୍ଷଣପ୍ରଭା ବସିଛି । ରାଧାମଧବଙ୍କର ଆରତି ଓ ପୂଜା ଶେଷ କରି ସୁକାନ୍ତ ବସି କ୍ଷଣପ୍ରଭାକୁ ତାଙ୍କର ମହିମା ବୁଝାଉଛନ୍ତି । ରାଧାମାଧବଙ୍କୁ ଯେତିକି ସେ ଚିହ୍ନୁଛନ୍ତି ତାଙ୍କର ଦୁଃଖ ସେତିକି କମୁଛି । ସବୁ ସୁଖ ସବୁ ଶାନ୍ତିର ଆଦିମୂଳ ଏକା ଜଣେ, ଭଗବାନ–ରାଧାମାଧବ । ସାମାନ୍ୟ ଗୋଟିଏ ପିତଳର ବିଗ୍ରହ ନୁହଁନ୍ତି ଲୋ କ୍ଷଣପ୍ରଭା, ମଣିଷର ବିଶ୍ୱାସର ସମଷ୍ଟି । ବିଶ୍ୱାସ ହିଁ ଭଗବାନ, ବିଶ୍ୱାସ ହିଁ ଆନନ୍ଦ, ଶାନ୍ତି ।

କ୍ଷଣପ୍ରଭା କହିଲା, ଭଗବାନ ଯଦି ରୋଗ, ଶୋକ ଓ ମୃତ୍ୟୁ ମଣିଷକୁ ଦେଇ ନ ଥାନ୍ତେ, ଦୁନିଆଁ ସ୍ୱର୍ଗରେ ପରିଣତ ହୋଇଥାନ୍ତା । ଭଗବାନ ତାଙ୍କର ଅତିପ୍ରିୟ ମଣିଷଜାତି ଉପରେ କାହିଁକି ଏ ସବୁ ଲଦି ଦେଇଛନ୍ତି ମା ?

ସୁକାନ୍ତ କହିଲେ, ଯାହା ଲୋଡ଼ା ଭଗବାନ ତାହା ହିଁ ଦିଅନ୍ତି । ରୋଗ, ଶୋକ, ମରଣ, ଦୁଃଖ, ଦୁର୍ଦ୍ଦଶା, ନିରାଶା ନ ଥିଲେ ଭଗବାନଙ୍କ ଅସ୍ତିତ୍ୱ କେହି ବୁଝିପାରନ୍ତେ ନାହିଁ । ମରଣ ଜୀବନର ଶତ୍ରୁ ନୁହେ ଝିଅ, ବରଂ ଜୀବନର ବନ୍ଧୁ । ମରଣ ହିଁ ବୁଝେଇ ଦିଏ, ଆମର ଜୀବନର ମୁହୂର୍ତ୍ତଗୁଡ଼ିକ ଗଣାହୋଇ ରହିଛି । ତେଣୁ, ଜୀବନର ପ୍ରତିମୁହୂର୍ତ୍ତ ଅତି ମୂଲ୍ୟବାନ୍‌ । ଜୀବନ ଯଦି ଅସରନ୍ତି ହୋଇଥାନ୍ତା, ମଣିଷର ଆଶା ଆକାଙ୍‌କ୍ଷା ବୋଲି କିଛି ନ ଥାନ୍ତା । ମଣିଷ ହୁଏତ ଜୀବନ୍ତ ପଥର ହୋଇପଡ଼ିଥାନ୍ତା ।

 

ମଣିଷ ଜୀବନର ଆଦର୍ଶ କଣ ?

 

ଆଦର୍ଶ ମଣିଷର ବିଶ୍ୱାସ ଉପରେ ଓ ନିଷ୍ଠା ଉପରେ ନିର୍ଭର କରେ । ମଣିଷ ଜୀବନର ଆଦର୍ଶ କଣ ଏ ବିଷୟରେ ମଣିଷ ଜାତିର ସୃଷ୍ଟି କାଳରୁ ଆଜିଯାଏ ଯେତେ ମହାପୁରୁଷ ଯେତେ ଭାବରେ କହିଛନ୍ତି ସବୁ ଠୁଳ କଲେ ଜଣାଯାଏ, ମଣିଷର ଆଦର୍ଶ ଭଗବାନଙ୍କଠାରେ ବିଶ୍ୱାସ । ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ଜୀବନର ଆଦର୍ଶ ପନ୍ଥା ଆଖି ଆଗକୁ ଆପେ ଆପେ ଆସେ-

 

ଘର ଭିତରକୁ ପଶି ଆସିଲା ନୀହାରିକା ।

ସୁକାନ୍ତି ପଚାରିଲେ, କଣ ମା, ବୋଉ ଶୋଇଛନ୍ତି ?

ଉଠିଥିଲା । ନୂଆଉକୁ ଖୋଜୁଥିଲା ।

 

କ୍ଷଣପ୍ରଭା ଉଠିଲା । ଆଲୁଅରେ ଝଟକି ଉଠିଲା ନାଇଥିବା ସୁନା ଗହଣା । କାନରେ ଫୁଲ, ବେକରେ ସୁନା ଫୁଲର ହାର, ହାତରେ ସୁନା କାଚ, ଆଙ୍ଗୁଠିରେ ମୁଦି । କେଡ଼େ ସୁନ୍ଦର ଦାମିକା ରଙ୍ଗିନ ଶାଢ଼ୀ ସେ ପିନ୍ଧିଛି । ଆଖିରେ ସରୁ କଜ୍ଜ୍ୱଳ । ମୁଣ୍ଡରେ ଦାଉ ଦାଉ ସିନ୍ଦୁର ବିନ୍ଦୁ ।

 

ନୀର ମୁଗ୍‌ଧ ହୋଇ ଚାହିଁଲା । ସାତଦିନ ହେଲା ସେ ତାର ନୂଆଉକୁ ଏମିତି ଚାହୁଁଛି । କେତେ ଖୁସି ହେଉଛି ମନେ ମନେ । ନୂଆଉ ତାର କେଡ଼େ ସୁନ୍ଦର । ସାକ୍ଷାତ୍‍ ଦେବୀ ମୂର୍ତ୍ତି । ସବୁ ଗହଣା ତାକୁ ମାଉସୀ ଦେଇଛନ୍ତି ।

 

ନୀରର ବେକରେ ବି ସେ ଝୁଲାଇ ଦେଇଛନ୍ତି ଛୋଟ ହାରଟିଏ । ଆଉ, ଦୁଇ ହାତରେ ଛୋଟ ଛୋଟ ରୁଲି ଦି ପଟ । ମାଉସୀ କେଡ଼େ ଭଲ ।

 

ନୂଆଉଙ୍କର ହସିଲା ମୁହଁ ଗମ୍ଭୀର ଦିଶୁଛି । ସେ ବେଶି କଥାଭାଷା କରୁନାହାନ୍ତି । ସବୁବେଳେ କାର୍ଯ୍ୟବ୍ୟସ୍ତ ।

 

ସତେ, କ୍ଷଣପ୍ରଭା ଆସିଲା ଦିନୁ ସୁକାନ୍ତି ନିଶ୍ୱାସ ମାରିବାକୁ ବେଳ ପାଇଛନ୍ତି । ସେ ଘରକୁ ଆଣିଛନ୍ତି ଝିଅ ପୁଣି ବୋହୂ । ସବୁ କଥା ସେ ବୁଝୁ । ହେମାଙ୍ଗିନୀ ପରଘରୀ । ତା ଉପରେ ଘରର ଦାୟିତ୍ୱ ଲଦିଦେବା ଅସମ୍ଭବ । ନିଜେ ଯଦି ଘରର ଜଞ୍ଜାଳରେ ଘାଣ୍ଟି ହୁଅନ୍ତି, ଶେଷ ବେଳରେ ଠାକୁର ଚିନ୍ତା କରିବାରେ ବ୍ୟାଘାତ ଘଟୁଛି । ଯେ କୌଣସି କାରଣରୁ ହେଉ, ଦୁଷ୍ମନ୍ତ ସଂସାର କରିବାକୁ ଅମଙ୍ଗ । ଶିକ୍ଷିତ ପୁଅକୁ ବାଧ୍ୟ କରିବା ଅସମ୍ଭବ । ସେଇ ବିଷୟ ଚିନ୍ତାକରି ସେ କାହିଁକି ନିଜେ ଛଟପଟ ହେବେ ? କେତେ ଦିନକୁ ?

 

ଦରିଦ୍ର ଅକ୍ଷମ ନିରାଶ୍ରୟର ସେବା ପାଇଁ ଦୁଷ୍ମନ୍ତ ଅଧେ ସମ୍ପତ୍ତି ତୁଷାରକାନ୍ତିର ହାତରେ ଟେକି ଦେଇଛି । ତୁଷାର ଉପରେ ତାର ପ୍ରଗାଢ଼ ବିଶ୍ୱାସ । ତୁଷାରକୁ ସେ କରିଛି ଭାଇ, ଅଧେ ସମ୍ପତ୍ତିର ଅଧିକାରୀ । ତୁଷାର ହୋଇଛି ଏ ଘରର ପୁଅ, ତୁଷାର, ଯାହାର ହାତରେ ହେମାଙ୍ଗିନୀକୁ ସମର୍ପି ଦେବାକୁ ଦିନେ ତାଙ୍କର ଓ ଅନନ୍ତ ବାବୁଙ୍କର ଆଗ୍ରହ ଓ ଆଶା ଥିଲା ।

 

ତୁଷାର ଉପରେ ଦୁଷ୍ମନ୍ତର ସ୍ନେହ, ପ୍ରଗାଢ଼ ବିଶ୍ୱାସ, ଅବା ତୁଷାରର ଦୁଃଖରେ ସେ ବ୍ୟଥିତ, ମର୍ମାହତ । ବନ୍ଧୁର ଅଭିଜ୍ଞତାକୁ ନିଜର କରି ସେ ଅନୁଭବ କରିଛି, ଅନ୍ଧର ଯନ୍ତ୍ରଣା, ନ ଥିଲାର ଦୁଃଖ, ନ ପାରିଲାର ଅସୁବିଧା । ଅଥବା– । ନା, ନା, ଅସମ୍ଭବ । ଦୁଷ୍ମନ୍ତ ତାଙ୍କରି ପେଟର ପିଲା, ଶିକ୍ଷିତ, ସଂଯତ, ଆତ୍ମତ୍ୟାଗୀ । ସେ ନିର୍ବୋଧ ନୁହେଁ ।

 

କ୍ଷଣପ୍ରଭାର ଅବସ୍ଥା ନିଜେ ସେ ଆଖିରେ ଦେଖିଲେ । ଦାରିଦ୍ର୍ୟ ଭିତରେ ପବିତ୍ରତାର ଜ୍ୱଳନ୍ତ ଅଗ୍ନିଶିଖା । ଦୁଷ୍ମନ୍ତ ଏହି ଦରିଦ୍ର ପରିବାରକୁ ନିକଟକୁ ଆଣିବାକୁ ଚାହେଁ । ଦୁଇ କୁଟୁମ୍ୱ ମଝିରେ ଅବସ୍ଥାର ବ୍ୟବଧାନ କାହିଁକି ? ଉଚ୍ଚ କୋଠା ଉପରେ ଠିଆହୋଇ ତଳକୁ ଚାହିଁବାର ବ୍ୟାକୁଳତା କାହିଁକି ? ଦରିଦ୍ର ପରିବାରକୁ ସାହାଯ୍ୟ କରିବାର ଅଭିଳାଷ ଦୁଷ୍ମନ୍ତ ଭିତରେ କାହିଁକି ଛଟପଟ ହେବ ? ସାହାଯ୍ୟ ଦେବାର ସଂକୋଚ ଓ ସାହାଯ୍ୟ ଗ୍ରହଣ କରିବାର ସଂକୋଚ ଦୁଇ ବନ୍ଧୁଙ୍କ ହୃଦୟରେ କାହିଁକି ଅସମାନତା ଆଣିବ ?

 

ପୁଣି, କେତେଦିନ ପାଇଁ ? ସେ ଆଖି ବୁଜିଲେ– ?

 

ନାଇଁ । ଦୁଇଟି ଛୋଟ କୁଟୁମ୍ୱ ମିଶି ଏକ ହେଉ । ସବୁ ବିଭେଦ ଦୂରେଇ ଯାଉ । କ୍ଷଣପ୍ରଭା ହେଉ ଏ ଘରର ଘରଣୀ, କନ୍ୟା, ବଧୂ, କର୍ତ୍ତ୍ରୀ । ବଡ଼ କୋଠାର ବଡ଼ କୋଠରୀରେ ସେ ହେଉ ବନ୍ଦିନୀ । ସୁନା ଓ ଜହରତ୍‌ର କଡ଼ିରେ ସେ ବାନ୍ଧି ହେଉ । ପ୍ରଭୃତ୍ୱର ଜହର ସେ ଚାଖୁ–ମିଠା, ଭାରି ମିଠା, ନିଶା ଲାଗେ, ନିଦ ମାଡ଼େ, ଆଖି ରଙ୍ଗ ହୁଏ । ବଡ଼ଲୋକୀର ଜଞ୍ଜାଳରେ ସେ ବୁଡ଼ୁ । ସୁଖ ଓ ଦୁଃଖର ପ୍ରକୃତ ଅର୍ଥ ସେ ବୁଝୁ ।

 

ଅଗ୍ନିପରୀକ୍ଷା ।

 

ଯଦି ଦୁଷ୍ମନ୍ତର ମନରେ ଦୁଃଖ ହୋଇଥାଏ ସେ ଦୁଃଖ ତାର ଲିଭିବ । ହୁଏତ ସେ ସଂସାର କରିବାକୁ ମନ ବଳାଇବ । କ୍ଷଣପ୍ରଭା ହିଁ ଏହା କରିପାରିବା ସମ୍ଭବ । ଯାହା ସେ କରିପାରି ନାହାନ୍ତି, ହେମାଙ୍ଗିନୀ କରିପାରି ନାହିଁ, କ୍ଷଣପ୍ରଭାଦ୍ୱାରା ହିଁ ତାହା ସମ୍ଭବ ହୋଇପାରିବ । ଯେଉଁଠି ସେମାନେ ପରାସ୍ତ ହୋଇଛନ୍ତି, ସବୁ ବିତର୍କ ବିଫଳ ହୋଇଛି, କ୍ଷଣପ୍ରଭା ଉପସ୍ଥିତ, ତାର ନିଷ୍ଠା, ପବିତ୍ରତା, ନିପୁଣତା ହୁଏତ ଦୁଷ୍ମନ୍ତର ମନରେ ପରିବର୍ତ୍ତନ ଆଣିପାରିବ ।

 

ରାଧାମାଧବ ଜାଣନ୍ତି !

 

ସାତଟି ଦିନ ଭିତରେ କ୍ଷଣପ୍ରଭାର ହାତକୁ ସେ ବଢ଼ାଇ ଦେଇଛନ୍ତି ଦାୟିତ୍ୱ, –ନେ ମା, ଏ ସବୁ ଭଣ୍ଡାରଘରର ଚାବି ପେନ୍ଥା ରଖ । ତୁ ମୋର ବୋହୂ । ଦୁଷ୍ମନ୍ତଟା ବାଇଆ । ବୁଢ଼ୀଦିନେ ଯେତେବେଳେ ଆରପାରିର ଘର, ଆରପାରିର ଦୁନିଆଁ ମୋ ଆଖି ଆଗରେ ଜଳଜଳ ହୋଇ ଦିଶିଲାଣି, ମୋତେ ଏପାଖର ଜଞ୍ଜାଳ ଆଉ ଭଲ ଲାଗୁନାହିଁ । ଦୁଷ୍ମନ୍ତ ଯେବେ ସଂସାର କରିଥାନ୍ତା, ଏ ଘରକୁ ବୋହୂ ଆଣିଥାନ୍ତା, ଏ ସବୁ ତାରି ହାତରେ ସମର୍ପି ଦେଇ ମୁଁ ନିଶ୍ଚିନ୍ତ ହୋଇପାରିଥାନ୍ତି । ଦୁଷ୍ମନ୍ତଟା ବାଇଆ । ଯାହାହେଉ, ତାର ସଂକଳ୍ପରେ କି ଉଦ୍ଦେଶ୍ୟରେ ମୁଁ ବାଧା ଦେବି ନାହିଁ । ଦୁଃଖୀ, ଦରିଦ୍ର, ଅନାଥ, ଅକର୍ମଣ୍ୟଙ୍କର ସେବା ପାଇଁ ଆତ୍ମତ୍ୟାଗ, ସଂସାର ବନ୍ଧନ ଓ ପାରିବାରିକ ମୋହ ତ୍ୟାଗକରିବା ଭଲକଥା ମା, ବଡ଼କଥା, ତଥାପି ମଣିଷର ମନ ଦୁର୍ବଳ । ମଣିଷର ଚିନ୍ତା ପରିବର୍ତ୍ତନଶୀଳ । ଯଦି ଦୁଷ୍ମନ୍ତ କେବେ ସଂସାର କରିବାକୁ ମନ ବଳାଏ, ଏ ଘରକୁ ବୋହୂ ଆଣେ ସେତେବେଳେ ତୁ ତୋର କର୍ତ୍ତବ୍ୟ କରିବୁ । ଯିଏ ଆସିବ ତୋ ପଛରେ ମା, ତୁ ମୋର ଆଗ । ତୁଷାର ମୋର ଆଗ ।

 

କ୍ଷଣପ୍ରଭା ପ୍ରତିବାଦ କରିଥିଲା, ମା, ଏତେବଡ଼ ଦାୟିତ୍ୱ, ଏତେଗୁଡ଼ାଏ ଦାୟିତ୍ୱ ମୁଁ ମୁଣ୍ଡାଇ ପାରିବି ନାହିଁ । ତମର ସେବା କରିବାର ଆନନ୍ଦ ଛଡ଼ା ଆଉ କୌଣସି ଦାୟିତ୍ୱ ମୁଁ ଗ୍ରହଣ କରିପାରିବି ନାହିଁ ।

 

ଆଖି ଛଳ ଛଳ କରି ସୁକାନ୍ତି କହିଲେ, ଏଇ ଛୋଟ ସଂସାରର ଜଞ୍ଜାଳରୁ ମତେ ରକ୍ଷାକର, ସେତିକି ମୋର ମାଗୁଣି ।

 

କ୍ଷଣପ୍ରଭାର ଆଖି ଆଗରେ ଦୁନିଆଁ ଭ୍ରମିବାକୁ ଲାଗିଲା । ସ୍ୱପ୍ନ ନୁହେଁ । ସାତଦିନ ତଳେ ସେ ଭାବୁଥିଲା, ତାର ଛୋଟ ସଂସାର ଚଳାଇବାକୁ ସ୍ୱାମୀର ଇଚ୍ଛା ବିରୁଦ୍ଧରେ ସେ ଡେଇଁ ପଡ଼ିବ ଦୁନିଆର ଛାତି ଉପରକୁ । ନିଜେ ପରିଶ୍ରମ କରି ଅବସ୍ଥାର ବିରୁଦ୍ଧରେ ସଂଗ୍ରାମ କରିବ । ଆଜି ତାରି ହାତରେ ଧନ ଦଉଲତର ପାହାଡ଼ ଅଜାଡ଼ି ହୋଇ ପଡ଼ୁଛି । ସେ ପାହାଡ଼କୁ ହାତରେ ଟେକି ଧରିବାକୁ ସେ ଅକ୍ଷମ, ଅନିଚ୍ଛୁକ । ପରର ବୋଝ, ପରର ଦାୟିତ୍ୱ ।

 

ଜାଣିଲା ପରି ସୁକାନ୍ତି କହିଲେ, ମୁଁ ଜାଣେ ତୁ ଯାହା ଭାବୁଛୁ । ହୃଦୟ ଆଉ ମାଟିଗୋଡ଼ିର ସମ୍ପତ୍ତିକୁ ତୁ ତଉଲ କରୁଛୁ । ତୁଷାରକାନ୍ତି ମୋ ପୁଅ, ବଡ଼ପୁଅ, ତୁ ମୋର ଆଗ । ମୋର ସବୁ ସ୍ନେହର ବୋଝ ଯଦି ତୁ ମୁଣ୍ଡାଇବାକୁ ସକ୍ଷମ, ଏଇ ସାମନ୍ୟ ଚାବି ପେନ୍ଥାକର ଦାୟିତ୍ୱ କଣ ଏଡ଼େ ବଡ଼ ମଣିଛୁ ? ମୁଁ ତୋର ପଛରେ ଅଛି ମା, କିନ୍ତୁ ତୋର ସଂକୋଚ ମୋର ମନରେ ଆଘାତ ଦେବ । ନେ–

 

କ୍ଷଣପ୍ରଭାର ଥରିଲା ହାତରେ ଭଣ୍ଡାର ଘରର ଚାବି ପେନ୍ଥା, ଧନ ଦଉଲତର ପାହାଡ଼, ଆସକ୍ତିର ଜଳିଲା ନିଆଁ, ସ୍ନେହ ସରାଗର ହଳାହଳ ସୁକାନ୍ତି ଟେକି ଦେଲେ । ପ୍ରଫୁଲ୍ଲ ମୁହଁରେ କହିଲେ, ବେଶ୍‌, ସବୁ ତୋର, ସମସ୍ତେ ତୋର । ମୋର କେବଳ ଏଇ ରାଧାମାଧବ, ଆଉ–

 

କ୍ଷଣପ୍ରଭା ପାଣ୍ଡୁର ମୁହଁକୁ ଛାତିରେ ଲଗାଇ, ତାର ମୁଣ୍ଡରେ କପାଳ ଘଷି କହିଲେ, ଆଉ ତୁ । ଶେଷ ବେଳରେ ତୋରି ହାତରୁ କଣିକାଏ ନିର୍ମାଲ୍ୟ ମୋର ଲୋଡ଼ା ।

 

ଘରର ଦାୟିତ୍ୱ ମୁଣ୍ଡାଇ କ୍ଷଣପ୍ରଭା ଆଜି ଘରଣୀ । ଦାସଦାସୀ ଓ ବାହାରର ଲୋକେ ଏତେବଡ଼ ଘରର ଏତେବଡ଼ ପରିବର୍ତ୍ତନ ସହଜରେ ବୁଝନ୍ତେ କିପରି ? ଘରର ଦାସଦାସୀ ଅନୁଭବ କଲେଣି । ମୁହଁକୁ ମୁହଁ ଅନାଇଁ ଏତେବଡ଼ ପ୍ରହେଳିକାର ଭିତିରି କଥା ବୁଝିବାକୁ ଚେଷ୍ଟା କଲେଣି ।

 

ଅଭିମାନ କରି ହେମାଙ୍ଗିନୀ ମା ପାଖରୁ ଚାଲିଗଲା ଦିନୁ ଆଉ ଫେରିନାହିଁ । ସବୁ ତାର କାନରେ ପଡ଼ିଛି । ସେ ରକ୍ତ ଚାଉଳ ଚୋବାଇ ତୁନିରହିଛି, ଦୂରରେ ଥାଇ ଦେଖୁଛି, କେଉଁ ପାଣି ଗତି କରୁଛି କେଉଁ ସୁଅରେ । ଭାବୁଛି, ଭାଇ ସିନା ପାଗଳ, ବୋଉ କଣ ପାଗଳ ହେଲା ?

 

ଦୁଷ୍ମନ୍ତ, ଘର ଭିତରକୁ ସେ ଦିନରେ ଦୁଇ ତିନିଥର ଆସେ । ତର ତର କରି ମୁଠାଏ ଖାଇଦେଇ ପୁଣି ଚାଲିଯାଏ ଲାଇବ୍ରେରୀ ବା ବୈଠକ ଘରକୁ, ଅଥବା ଶୋଇବା ଘରକୁ । ସେ ବି ଅନୁଭବ କରିଛି ପରିବର୍ତ୍ତନ । ବୋଉ ପରିବର୍ତ୍ତେ ପରିବେଷଣ କରୁଛି କ୍ଷଣପ୍ରଭା ।

 

ତୁଷାର ଓ ଦୁଷ୍ମନ୍ତ ଦୁହିଁଙ୍କୁ ସେ ଏକ ସଙ୍ଗେ ଖାଇବାକୁ ଦିଏ । ଆଗେ ଯାହାର ତୁଣ୍ଡରୁ ସହଜରେ କଥା ବାହାରୁ ନ ଥିଲା, ସେ ଏବେ ହସିଲାଣି, ମୁହଁ ଖୋଲି କଥା କହିଲାଣି, ଆଉ ଟିକିଏ ଦିଏଁ, ନା, କେହି, କିଛି ଛାଡ଼ି ପାରିବ ନାହିଁ ।

 

ତୁଷାର ଓ ଦୁଷ୍ମନ୍ତ, ସେତିକି ବାଧ୍ୟ ଶିଶୁ ଦିଓଟି ।

 

ଦୁଷ୍ମନ୍ତ ଏଇ ନୂଆ ଘରଣୀ ଚାହିଁବାକୁ ସାହାସ କରିନାହିଁ । କୌଣସି ବିଷୟ ଭାବିବାକୁ ସମୟ ପାଇନାହିଁ ଅଜାଣତରେ ସେ ଅନୁଭବ କରୁଛି ନୂତନ ଉତ୍ସାହ, ନୂତନ ପ୍ରେରଣା । ତୁଷାରକାନ୍ତିର ପାଖେ ପାଖେ ଥାଇ ଅରକ୍ଷ ନିବାସ ପାଇଁ ସେ କରୁଛି କାର୍ଯ୍ୟ, ଦିନରାତି ଅଣ୍ଟୁ ନାହିଁ-

 

ସାତଦିନ କଟିଛି, ଲାଗୁଛି ସତେକି ସାତଟି ମୁହୂର୍ତ୍ତ ।

 

ନିହାରିକା ସଙ୍ଗେ କ୍ଷଣପ୍ରଭା ଘର ଭିତରକୁ ପଶିଲା । ଲକ୍ଷ୍ମୀ ଆଖିବୁଜି ବିଛଣା ଉପରେ ପଡ଼ିଛନ୍ତି । ପାଖରେ ଠିଆ ହୋଇଛି ଚାକରାଣୀ ଝିଅ ସତୀ ।

 

ଦିନୁଦିନ ସେ ଦୁର୍ବଳ ହେଉଛନ୍ତି । ଖିଆପିଆ ପ୍ରାୟ ଛାଡ଼ିଲେଣି । ପାଣି ଟିକେ ବି ପେଟରେ ରହୁନାହିଁ । ବେଳେ ବେଳେ କଫ ରୁନ୍ଧି ଦେଉଛି । ଚିକିତ୍ସା ଚାଲିଛି । ଡାକ୍ତର ଆଶା ଦେଉଛନ୍ତି । ସେବାର ଅଭାବ ନାହିଁ । ସମସ୍ତେ ଲାଗିଛନ୍ତି ।

 

କ୍ଷଣପ୍ରଭା ଏତେବଡ଼ ସଂସାରର ବୋଝ ମୁଣ୍ଡରେ ବୋହି ମଧ୍ୟ ଶାଶୁଙ୍କର ସେବାରେ ତ୍ରୁଟି କରୁନାହିଁ । ସବୁକାମ ବୁଝି ସମସ୍ତଙ୍କର ତତ୍ତ୍ୱ ନେଇ ମଧ୍ୟ ଟିକିଏ ବେଳ ପାଇଲେ ଶାଶୁଙ୍କ ପାଖକୁ ଧାଇଁ ଆସୁଛି । ଔଷଧ ପାଣି ଦେଉଛି, ପାଖରେ ବସୁଛି, ଗୋଡ଼ରେ ହାତ ମାରୁଛି । ନିଜେ ପୁଣି ତଳକୁ ଓହ୍ଲାଇ ରୋଷ-ଖଞ୍ଜାରେ ପଶି ବାର୍ଲି ପାଣି କରି ଆଣୁଛି । ଭ୍ରମୁଛି ବାତଚକ୍ର ପରି । ସବୁବେଳେ ସବୁଠି ଅଛି ସେ, ନୂଆ ଜୀବନ, ନୂଆ ଉତ୍ସାହ, ନୂଆ ଅଭିଜ୍ଞତା ।

 

କ୍ଷଣପ୍ରଭା କାଚ ଗ୍ଲାସରେ ଔଷଧ ଢାଳି ଲକ୍ଷ୍ମୀଙ୍କ ପାଖରେ ଠିଆ ହେଲା । ଡାକିଲା, ବୋଉ ।

 

ତୁଣ୍ଡ ବାରି ଲକ୍ଷ୍ମୀ ସେମିତି ଆଖିବୁଜି କ୍ଷୀଣ ସ୍ୱରରେ କହିଲେ, ଉଁ ।

ଔଷଧ ଟିକ ପିଇଦିଅ । ନିଅ, ଆଁ କର ।

ଲକ୍ଷ୍ମୀ ଔଷଦ ଢୋକିଲେ ।

କ୍ଷଣପ୍ରଭା ପାଖ ଚଉକିରେ ବସି ପାଦ ଆଉଁସିଲା ।

ଲକ୍ଷ୍ମୀ ଦୀର୍ଘଶ୍ୱାସ ଛାଡ଼ି ଡାକିଲେ, ନୀର ।

କଣ ବୋଉ–

ନୂଆଉକୁ ଡାକ ।

 

ମୁଁ ପରା ପାଖରେ ଅଛି ବୋଉ, କ୍ଷଣପ୍ରଭା କହିଲା ଓ ମୁହଁ ପାଖକୁ ଆସି ମୁଣ୍ଡରେ ହାତ ରଖିଲା ।

ବୁଢ଼ୀ କହିଲେ, କେଉଁଠିକି ଆମେ ଆଇଛୁ ମା, ଆଉ କେତେଦିନ ଏଠି ରହିବା ?

ଏଇଠି ରହିବା ବୋଉ, ଏ ପରା ଦୁଷ୍ମନ୍ତ ବାବୁଙ୍କ ଘର ।

ଏଁ ? ପରଘରେ କାହିଁକି ରହିବା ? ପ୍ରଭା, ମୋର ମା, ଆମ ଘରକୁ ଫେରିଯିବା । ଏଠି ମତେ ଭଲ ଲାଗୁ ନାହିଁ । ରାତିକ ପାଇଁ ମୋର କୁଳଲକ୍ଷ୍ମୀକୁ ସେ ମାଗି ମଣିଥିଲେ, ଛାଡ଼ିଲେ ନାହିଁ, କେତେ ରାତି ଗଲାଣି । ନୀର, କାହିଁଲୋ ମୋର ବୋହୂ, ସେ କାହିଁ ଦିଶୁ ନାହିଁତ, କୁଆଡ଼େ ଗଲା ମୋର ପ୍ରଭା ?

ବୁଢ଼ୀଙ୍କ ଆଖିରୁ ଲୁହ ଝରିଲା ।

ପଣତରେ ଆଖି ପୋଛି କ୍ଷଣପ୍ରଭା କହିଲା, ମୁଁ ତମରି ପାଖରେ ଅଛି ବୋଉ ।

ବୁଢ଼ୀ ଆଖି ଖୋଲିଲେ । ଦୁର୍ବଳ ଥରିଲା ହାତ ଟେକି କ୍ଷଣପ୍ରଭାର ହାତଟି ଧରି କଟମଟ କରି ଚାହିଁଲେ ଘରର ଚାରି ଆଡ଼କୁ । ସବୁ ଯେପରି ଦିଶୁଛି ଇନ୍ଦ୍ରଜାଲ ପରି । କୁହୁକ । ଆଖି ଫେରାଇଲେ କ୍ଷଣପ୍ରଭା ଉପରକୁ । ଚାହିଁ ରହିଲେ, ଶିଶୁର ଚାହାଣୀ । ମୁଁ କେଉଁଠି ? କିଏ ମା ତୁ ?

ବୋଉ– । ଥରି ଉଠିଲା କ୍ଷଣପ୍ରଭାର ସ୍ୱର ।

ଏଁ, ମୋ ମାଆର ପାଟି ଶୁଭୁଛି । ଆଇଲାଣି । ତଡ଼ି ଦେଇଥିଲି ତାକୁ । ରାତିକ ପାଇଁ ନେଇଗଲେ, ଡାକ୍‌ଲୋ ନୀର– ।

ମୁଁ ପରା ତମରି ପାଖରେ ବସିଛି ।

ତୁ–,କିଏ– ? ପ୍ରଭା କାହିଁ ? ପ୍ରଭାକୁ ଡାକ– । ମୋ ବୋହୂକୁ ଡାକ– ।

ବୁଢ଼ୀ ଆଖି ବୁଜିଲେ । ମୁହଁ ବୁଲାଇଲେ ।

ନୀର ବିକଳ ହୋଇ କହିଲା, ବୋଉ ମଣିଷ ଚିହ୍ନିପାରୁନାହିଁ ନୂଆଉ, ମୁଁ ଭାଇଙ୍କି ଡାକେ, ଦୁଷ୍ମନ୍ତ ଭାଇଙ୍କୁ ଡାକେ, ଡାକ୍ତରଙ୍କୁ ଖବର ପଠାନ୍ତୁ ।

Unknown

ନୀହାରିକା ଡାକିବାକୁ ତଳକୁ ଗଲା ।

କ୍ଷଣପ୍ରଭା ଶାଶୁଙ୍କ ଛାତିରେ ମୁଣ୍ଡରଖି ଲୁହ ଢାଳିଲା । ଗୋଟିଏ ଚିନ୍ତା ମନରେ ଛଟପଟ ହେଲା, ଚିହ୍ନିଲେ ନାହିଁ, ଏଇ ରୋଗଣା ଛାତି ପାଖରୁ ଏତେଦୂରକୁ ମୁଁ ଘୁଞ୍ଚି ଆସିଛି ?

ଦୋଳ ପୁନେଇ ଯିବାର ଦଶ ଦିନ ପରେ–

ଦି ପହର । ବାହାରେ ସତେକି ନିଆଁ ବର୍ଷୁଛି । ଦାଣ୍ଡଘର ଚଉପାଢ଼ୀ ଉପରେ ବସିଛନ୍ତି ଜମିଦାର ପରଶୁରାମ । ପାଖରେ ସଦର ଗୁମାସ୍ତା ଓ ଆଉ ଦୁଇଜଣ ମୋହରୀର ନଥିପତ୍ର ମେଲାଇ ବସିଛନ୍ତି । ଧଡ଼ିଆ ଭଣ୍ଡାରୀ ପଙ୍ଖା ହଲାଉଛି । ବାକି ଖଜଣାର ହିସାବପତ୍ର ବୁଝୁଛନ୍ତି ବିଜିପୁରର ଜମିଦାର ।

ମୁଣ୍ଡରେ ହାତ ବୁଲାଇ ପରଶୁରାମ କହିଲେ, ଯାଉ, ଜମିଦାରୀ ଏଥର ନିଲାମ ହେଇଯାଉ । ପ୍ରଜାଏ ତ ଖଜଣା ଦେଲେ ନାହିଁ । ପ୍ରତି ପ୍ରଜାର ନାମରେ ନାଲିସ୍‌ କରିବାକୁ ଗହଣାଗାଣ୍ଠି ବାସନ କୁସନ ବିକି ମକଦମା ଦାଏର କରିବା । କିଏ ଆଉ ଭୋଗ କରିବ ।

 

ସତେ, କିଏ ଭୋଗ କରିବ ? ଯାହା ପାଇଁ ଏ ବୟସରେ ସେ ପୁଣି ସଂସାର ବନ୍ଧନରେ ବାନ୍ଧି ହୋଇଥିଲେ, ପ୍ରିୟତମା କନ୍ୟାକୁ ଜାଣିଜାଣି ହୃଦୟ ପାଖରୁ ଦୂରେଇ ଦେଇଥିଲେ, ଯାହାର ନାମକରଣ କରିବାକୁ ହାତଖୋଲି ସେ ଖରଚ କରିଥିଲେ–ବ୍ରାହ୍ମଣ ଓ ଦୁଃଖୀ ଦରିଦ୍ର ଭୋଜନ, ଦେବାଦେବୀ ଓ ସତ୍ୟନାରାୟଣ ପୂଜା କାରାଇଥିଲେ, ସେ ଆଜି କାହିଁ ? ଦେବାଦେବୀ କି ଡାକ୍ତର ବୈଦ୍ୟ କେହି ରଖିପାରିଲେ ନାହିଁ । ଆଜି ତାର ମରଣର ଏକୋଇଶା !

 

କିଏ ଭୋଗ କରିବ ସମ୍ପତ୍ତି ? କାହିଁକି ବା ଜମିଦାରୀ ?

 

ଟିକିଏ ରହି ନରି ଗୁମାସ୍ତା କହିଲେ, ଭଗବାନ କଲେ ଆରବର୍ଷ ଏଇ ଦିନକୁ ପୁଣି କୋଳ ସୁନ୍ଦର ହେବ । ଗଲା ଆଇଲାତ ଲାଗିଛି, ୟେ ପୁଣି ପାଣିହାଣ୍ଡି ପିଲା । ଏତେ ଭାବିଲେ ହେବ ? ବଞ୍ଚିଥିଲେ ଆଶା ଥାଏ । ଆଶା ଥିଲେ ମଣିଷ ବୁଦ୍ଧି ପାଞ୍ଚେ, କର୍ମ କରେ । ମୁଁ କହୁଛି, ଏଇ ତିରିଶି ପଚିଶି ନମ୍ବର ବାକି ଖଜଣା ଯେ କି ତମାଦି ହେବାକୁ ବସିଛି, ତାରି ପାଇଁ ମକଦମା କରି ଦେବା । ନୋହିଲେ, ଆଉ କେହି ଖଜଣା ଦେବେ ନାହିଁ ।

 

ରଙ୍ଗାଧର ମୋହରୀର ହାତଯୋଡ଼ି ଜଣାଇଲା, କେହି ଖଜଣା ଦେବେ ନାହିଁ ଆଜ୍ଞା, ପ୍ରଜାଗୁଡ଼ା ବେଶି ଉଦ୍‌ବାର୍ଯ୍ୟ ହେବେ । ଦେଖିବା ହେଉନ୍ତୁ ସଞ୍ଜା ଓ ଭଗ ଧାନର ହିସାବ । ସମସ୍ତେ ଟାଳଟୁଳ କରୁଛନ୍ତି, ଫାଙ୍କି ଦେବାକୁ ବସିଛନ୍ତି । କେତେ ନମ୍ବର ମୋକଦ୍ଦମା କରି ଅବାଧ୍ୟ ଭାଗିଦାରମାନଙ୍କ କାନଧରି ଧାନ ଆଦାୟ ନ କଲେ ପ୍ରଜାଙ୍କ ମୁହଁ ଉପରକୁ ହେବ । କେହି ପଚାରିବେ ନାହିଁ । କେତେଜଣ ଛତରା ତାଙ୍କୁ ସବୁ ମତାଉଛନ୍ତି ଆଜ୍ଞା, ରାଣ୍ଡୀପୁଅ ସଦେଇକୁ କଣ କମ୍‌କରି ପାଇଲେ କି ?

 

ପରଶୁରାମ କହିଲେ, ସଦେଇର କି ଦୋଷ, ଯୁଗ ତ ସେମିତି ହୋଇଛି । ଲୋକେ ହେଇଛନ୍ତି ଉତ୍ସୃଙ୍ଖଳ । ଆଇନ କାନୁନକୁ କେହି ସମ୍ମାନ ଦେଖାଉ ନାହାନ୍ତି । ସବୁ ଜବରଦସ୍ତି କାମ । ଦେବରାଜ ଯେତେବେଳେ ଥିଲେ ଗାଁଗଣ୍ଡା ବୁଲି ଲୋକଙ୍କର ସେବା କରୁଥିଲେ । ସେମାନେ ଭାବୁଥିଲେ ହୁଏତ ସେ ଲୋକଙ୍କୁ ମତାଉଥିଲେ । ତିନୋଟି ବର୍ଷ ଏ ଅଞ୍ଚଳରେ ରହି ପ୍ରତି ଗ୍ରାମରେ ସେବକଦଳ ଗଠନ କରି, ସେଇ ରାତିରେ ସେ ଅନ୍ତର୍ଦ୍ଧାନ ହେଲେ । ସଦଶିବ ତାଙ୍କରି ଆଦର୍ଶରେ ଚାଲିଛି । ତାର ଯିବାର ଥିଲା, କିନ୍ତୁ କେଜାଣି କାହିଁକି ସେ ଗଲାନାହିଁ ।

 

ସଦାଶିବର କି ଦୋଷ ? ପିଲାଟାକୁ ବଞ୍ଚାଇବାକୁ ସେ ପ୍ରାଣପଣ ଚେଷ୍ଟା କରିଥିଲା । ବଞ୍ଚିଲା ନାହିଁ । ସେ କ’ଣ କରିବ ? ଦେବରାଜ ଥିଲେ ହୁଏତ ସେ ବଞ୍ଚାଇ ପାରିଥାନ୍ତା । ଛାଡ଼, ଯେ ଯାଇଛି ସେ ଯାଇଛି । ପାର୍ବତୀ ପୁତ୍ରଶୋକରେ ଭାଙ୍ଗି ପଡ଼ିଛନ୍ତି । ବିଛଣାରୁ ଉଠି ନାହାନ୍ତି । ସଦାଶିବ ତାଙ୍କର ବି ସେବା କରୁଛି । ଧନ୍ୟ ଦେବରାଜ, ତାର ସଂସର୍ଗରେ ଆସି ତାର ସତ୍‌ଶିକ୍ଷାରେ ସଦାଶିବ ପରି ଅବାଧ୍ୟ ଉତ୍ସୁଙ୍ଖଳ ପିଲା ମଣିଷ ହୋଇପାରିଛି । ଦୋଷ ତାର ନୁହେଁ କି ସେବକ ଦଳର ନୁହେଁ । ଦୋଷ ଆଉ କାହାର ।

 

ଦୋଷ ଯାହାର ହେଉ, ଝଡ଼ଝଞ୍ଜା ବହିଛି । ଅଟକାଇବାକୁ ଚେଷ୍ଟା ନ କରି ଝଡ଼ ଝଞ୍ଜାର ଗତିକୁ ଭଲ ବାଟରେ ନିୟନ୍ତ୍ରଣ କରିବା କ’ଣ ଠିକ୍‌ ହେବନାହିଁ ? ଶହ ଶହ ପ୍ରଜାଙ୍କର ନାମରେ ନାଲିସ୍‌ କରି ସେମାନଙ୍କ ସମ୍ପତ୍ତି ନିଲାମ ଉଠାଇ କି ପୌରୁଷ ମିଳିବ ? ଆନ୍ଦୋଳନ ତେଜିବ, ହିଁସାର ଅନଳ ବନଅଗ୍ନିପରି ବ୍ୟାପିଯିବ ।

 

ଭଗବାନ ଗୁମାସ୍ତା କହିଲେ, ସୁଖଦୁଃଖ ଲାଗି ରହିଛି ଆଜ୍ଞା ଭାବୁଥିଲେ ଭାବୁଥିବା । ଯାହା କରିବାର କଥା ମୁଠାଟାଣକରି କଲେ ହେବ । ବାଘଛୁଆ ଥରେ ମଣିଷ ରକ୍ତ ଚାଖିଲେ ଆଉ ମାନିବ କି ଆଜ୍ଞା ? ଏଗୁଡ଼ାକ ପଶୁ, ମଣିଷ ନୁହନ୍ତି, ବାଘ । ଅନାବାଦୀରୁ ଗଛ ହାଣି ନେଉଛନ୍ତି, ହେଇ ଦେଖନ୍ତୁ ତାଲିକା । ଜମିଦାରୀର ପୋଖରୀଗୁଡ଼ିକରେ ଗେଣ୍ଡା କୋଚିଆ ବି ନାହାନ୍ତି, ହେଇ ଦେଖନ୍ତୁ ତାଲିକା । ଅନାବାଦୀ, ଗୋଚର, ଦଣ୍ଡା ତାଡ଼ି ନିଜ ଜମିରେ ସାମିଲ କରୁଛନ୍ତି, ଏଇ ତାଲିକା ।

 

ନରି ଗୁମାସ୍ତା ଉପଦେଶ ଦେଲେ, ସମସ୍ତଙ୍କ ନାମରେ ଫୌଜଦାରୀ ମକଦ୍ଦମା ଦାଏର ନ କରି ଲୋକ ଦେଖି ତାଙ୍କ ଭିତରୁ ମୁଖିଆ ମୁଖିଆ କେଇ ଜଣଙ୍କ ନାମରେ କେଶ୍‌ ଫାଇଲ୍‌ କଲେ ଦବି ଯାଆନ୍ତେ । ବସିଥିଲେ ଉପରକୁ ଚାହିଁ ବସିଥିବା, ଘର ପୋଡ଼ିଆଗୁଡ଼ାକ ଚନ୍ଦ୍ର ସୂର୍ଯ୍ୟ ନ ମାନି ଯାହାଇଚ୍ଛା ତା କରିଯିବେ ।

 

ପରଶୁରାମ କହିଲେ, ଏକା ମୋରି ଜମିଦାରୀରେ ତ ଏପରି ହେଉନାହିଁ, ସବୁ ଜମିଦାରୀରେ ଏହି ଅବସ୍ଥା । ଅନ୍ୟମାନେ କ’ଣ କରୁଛନ୍ତି ?

 

କେଶ୍‌ କରୁଛନ୍ତି, ନରି ଗୁମାସ୍ତା କହିଲେ । ପ୍ରତି ଗାଁରେ ନିଜର ଲୋକ ରଖିଛନ୍ତି । ସାକ୍ଷୀ ହେବେ, ଦରକାର ପଡ଼ିଲେ ଠେଙ୍ଗା ଧରିବେ । ଗାଁ ଗୁଡ଼ାକୁ କଳେ ବଳେ କୌଶଳେ ଦିଫାଙ୍କ ନ କଲେ ଜମିଦାରୀ ଚଳିବ ? ସାତସମୁଦ୍ର ସେପାରିରୁ ଗୋରା ଦଳେ ଆସି ଏଇ ଦିଫାଙ୍କିଆ ନୀତି ଧରି ଦେଶକୁ ଶହ ଶହ ବର୍ଷ କଲମ ଗାରରେ ଘୋଷାଡ଼ିଲେ ଆଜ୍ଞା, ଆପଣଙ୍କର ଏଇ ଛୋଟ ଜମିଦାରୀଟା କେତେରେ କେତେ ?

 

ଭଗବାନ ଗୁମାସ୍ତା କଥାକୁ ପସନ୍ଦ କରି କହିଲେ, ସେତେଦୂରକୁ ଯାଉଛ କାହିଁକି ? ଦିଫାଙ୍କିଆ ନୀତିର ଉଦାହରଣ ଆମ ପୋଥି ପୁରାଣରେ ଅଭାବ ନାହିଁ । ଖୋଜିଲେ ପ୍ରତି ଗାଁରେ ବିଭୀଷଣ, ବିଦୁର ମିଳିବେ ।

 

ପରଶୁରାମ କହିଲେ, ଏତେ କନ୍ଦଳକୁ ମିଳିବ କ’ଣ ହେ, ତୁନି ହେଇ ବସିପଡ଼ । କ’ଣ ହେଉଛି ହେଉ । ଜମିଦାରୀ ନିଲାମ ଯାଉ । ଯିଏ ନେବାର ନେଉ । ଉତ୍‌ପାତିଆ ଲୋକେ ଯେଉଁ ନିଆଁ ଜାଳିଛନ୍ତି, ସେଇ ନିଆଁରେ ବଳେ ଛଟପଟ ହେଇ ପୋଡ଼ି ମରିବେ । ମରନ୍ତୁ ।

 

ନରି ଗୁମାସ୍ତା ମୁହଁ ଫଣ ଫଣ କରି କହିଲେ, ଚୋରକୁ ମାନ କରି ଖପରାରେ ଖାଇବା କଥା ଆପଣ କହୁଛନ୍ତି । ନିଆଁ ଜଳିଲେ ଖାଲି ସେମାନେ ଯଦି ପୋଡ଼ିହୋଇ ମରନ୍ତେ ତେବେ ସିନା-। ନିର୍ଦ୍ଦୋଷ ବି ମରିବ, ଆମେ ବି, ଆପଣ ବି । ଏଗୁଡ଼ା କ’ଣ ମଣିଷପଣିଆ କଥା ? ବଳେହୁ କାହିଁକି ନିଆଁ ନ ଲିଭାଇବା ? ଡରି ହରି ରହିଲେ ନେଡ଼ିଗୁଡ଼ କହୁଣୀରେ ଉଠିବ ।

 

ଭାବିଚିନ୍ତି ପରଶୁରାମ କହିଲେ, ଅପେକ୍ଷା କର । କଟକ ଯାଇ ଓକିଲ ପରାମର୍ଶ କରିବା, ଅନ୍ୟମାନଙ୍କୁ ପଚାରିବ, ବିଚାରିବା, ଯାହା ସେମାନେ କହିବେ ଭାବିଚିନ୍ତି ପରିଣାମ ଉପରେ ନିଘା ରଖି କରିବା ।

 

ପୋଷ୍ଟ ପିଅନ୍‌ ପାହାଚ ଉପରକୁ ଉଠିଲା । ଘର ଭିତରକୁ ପଶି ପରଶୁରାମଙ୍କ ହାତକୁ ତିନିଖଣ୍ଡ ଚିଠି ବଢ଼ାଇ ଦେଲା । ପୋଷ୍ଟିପିଅନ୍‌ ବିଦାୟ ନେଲା ।

 

ପରଶୁରାମ ମନେ ମନେ ଚିଠି ପଢ଼ିଲେ ।

 

ଚାଷୀମୂଲିଆଙ୍କର ସଭା ହେବ ବିଜିପୁର ତୋଟାରେ । ଆପଣ ଆମର ଶତ୍ରୁ ନୁହନ୍ତି । ଆପଣଙ୍କର ପଦବୀ, ଯଥା–ଜମିଦାର, ମହାଜନ, ମାଲିକ, ରାଜା ମହାରାଜା–ଏଇସବୁ ପଦବୀ ଓ ତାରି ଭିତରେ ଯେଉଁ ଧାରଣା ପଶିଛି, ସେତିକି ହେଉଛି ଯୁଗର ଶତ୍ରୁ, ଏଯୁଗର ମଣିଷର ଧାରଣା ବାହାରେ । ପଦବୀର ସୁନାଖୋଳ, ବଜ୍ରକବଚ, ଭିତରୁ ଯୁଗମଣିଷ ହୋଇ ବାହାରି ଆସନ୍ତୁ । ଆପଣଙ୍କର ନେତୃତ୍ୱ ପାଇଁ ଯୁଗ ମଣିଷ–ଚାଷୀମୂଲିଆ, ଅନେଇଁ ରହିଛି...

 

ଯୁଗ ଯୁଗ ଧରି ଆପଣ ଠେଙ୍ଗା ହାତରେ, ନାଲି ଆଖିରେ, ମଣିଷ ଉପରେ ରାଜତ୍ୱ କରିଥିଲେ । ଠେଙ୍ଗା ଓ ନାଲିଆଖିର ଯୁଗ ଓଲଟିଛି । ଆପଣ ପୁଣି ଆସନ୍ତୁ, ଠେଙ୍ଗା ଫିଙ୍ଗି, ଦୁଇବାହୁ ତୋଳି, ନାଲି ଆଖିରୁ ଲୁହ ଗଡ଼ାଇ, ଯୁଗମାନବ ପାଇଁ । ରାଜତ୍ୱ କରିବେ, ପଶୁପଲ ଉପରେ ନୁହେଁ, ମଣିଷ ଉପରେ, ମଣିଷର ଦେହ ଉପରେ ନୁହେଁ, ତାର ମନ ଉପରେ, ହୃଦୟ ଭିତରେ... ।

 

ଭୋଖିଲା ମଣିଷ, ନଙ୍ଗଳା ମଣିଷ, ରୋଗଣା ମଣିଷ, ଏ ଯୁଗର ଛଟପଟ ଆତୁର ମଣିଷ, ହାତ ଟେକି ଚାହିଁ ରହିଛି । ତାଙ୍କରି ଭିତରେ ପଶି ଏକାକାର ହୋଇ ବାଟ ଦେଖାନ୍ତୁ । ଯୁଗର ମଣିଷ ବଞ୍ଚିବାକୁ ଚାହେଁ,–ମୁଠିଏ ଭାତ, ଖଣ୍ଡିଏ ଲୁଗା, ଟିକିଏ ଓଷଧ ତାର ଆଗ ଲୋଡ଼ା । ଆପଣ ତାର ବ୍ୟବସ୍ଥା କରନ୍ତୁ । ସାନନ୍ଦ । –

 

ପରଶୁରାମ ଉପରକୁ ଚାହିଁଲେ, ଚାରିଆଡ଼କୁ ଚାହିଁଲେ । ଅନାଇଲେ ପଦାକୁ । ପ୍ରଖର ଖରା, ଆଖି ସହୁ ନାହିଁ । ଆଖି ଫେରାଇ ପୁଣି ପଢ଼ିଲେ ସେଇ ଚିଠି ଖଣ୍ଡି, ବଡ଼ ପାଟିକରି, ଆପଣ ଆମର ଶତ୍ରୁ ନୁହନ୍ତି,... ଭୋଖିଲା ମଣିଷ, ନଙ୍ଗଳା ମଣିଷ, ରୋଗଣା ମଣିଷ, ଏ ଯୁଗର ଛଟପଟ ମଣିଷ ଚାହିଁ ରହିଛି,... ମୁଠିଏ ଭାତ, ଖଣ୍ଡିଏ ଲୁଗା, ଟିକିଏ ଓଷଦ ।

 

ଭଗବାନ ଗୁମାସ୍ତା ହସି ଉଠିଲେ । କେଡ଼େ କୁହାଳିଆ ଏଗୁଡ଼ା ଆଜ୍ଞା, ଶତ୍ରୁ ନୁହନ୍ତି ତ କ’ଣ ମିତ୍ର ? ଘରପୋଡ଼ିଆ ଛତରାଗୁଡ଼ାକ । ଯେଉଁସବୁ କାଣ୍ଡ ଭିଆଇଲେଣି ତହିଁରେ ପୁଣି ଲେଖା ହେଇଚି, ଶତ୍ରୁ ନୁହନ୍ତି । ଓହୋ, ମିତ୍ର !

 

ନରି ଗୁମାସ୍ତା ଭଣିଲେ ଭୋଖିଲା; ନଙ୍ଗଳା ରୋଗଣା ମଣିଷ ଚିରଦିନ ଥିଲେ । ଆଜି କିଛି ନୂଆ ହୋଇ ନାହିଁ । ଉଦ୍‍ବାର୍ଯ୍ୟ ହେଲେଣି । ଆଉ କିଛି ଉତ୍‌ପାତ କରିବାକୁ ଫିକର କରୁଛନ୍ତି । ମୁଁ ପୁଲିସକୁ ଖବର ପଠଉଛି ।

 

ରଙ୍ଗାଧର ବଖାଣିଲେ, ଭାତ, ଲୁଗା, ଔଷଧ ସ୍ୱର୍ଗରୁ ଖସେ ନାହିଁ । ହାତ ଟେକିଲେ ହାତରେ ଅଜାଡ଼ି ହୋଇପଡ଼ିବ ନାହିଁ । ଯେଉଁ ହାତ ପରର ଚିଜ ଧରିବାକୁ ବଢ଼ାଇବ ସେ ହାତରେ ନଙ୍ଗଳ ଧଇଲେ, ତନ୍ତ ଧଇଲେ ସବୁ ମିଳିବ । ସଭାକୁ ମୁଁ ଯିବି । ଲୋକଙ୍କୁ ଏକଥା କହିବି ।

 

ପରଶୁରାମ ଉତ୍ତର ଦେଲେ ନାହିଁ । ଆଉ ଖଣ୍ଡେ ଚିଠି ଖୋଲିଲେ । ପଢ଼ିଲେ ମନେ ମନେ ।

 

ଚାଲି ଆସିବା ହିଁ ଉଚିତ ମନେକଲି । ଆପଣମାନଙ୍କ ସଙ୍ଗେ ତିନି ବର୍ଷର ସମ୍ପର୍କ । ହୁଏ ତ ଆପଣ ଭୁଲ ବୁଝିଥିଲେ । ସେବକ ଦଳ ଗୋଟିଏ ଜାତି, ସେବକ ଜାତି, ତାଙ୍କର ଗୋଟିଏ ଉଦ୍ଦେଶ୍ୟ, ସେବା, ଗୋଟିଏ ନୀତି ସ୍ୱାର୍ଥତ୍ୟାଗ । ସାରା ଦୁନିଆଁ ତାଙ୍କର କାର୍ଯ୍ୟକ୍ଷେତ୍ର--......ଦେବରାଜ ।

 

ତୃତୀୟ ଚିଠି !

 

ପରଶୁରାମ ଚମକି ଉଠିଲେ । କ୍ଷଣପ୍ରଭାର ଚିଠି, ଲମ୍ବା ଚିଠି, ତାଙ୍କରି ପ୍ରିୟତମା କନ୍ୟା ଯାହାକୁ ସେ ଅବହେଳା କରିଥିଲେ, କାହିଁକି ସେ ନିଜେ ବି ଠିକ୍‌ ବୁଝିପାରନ୍ତି ନାହିଁ । ପାର୍ବତୀ କ’ଣ ସେଥିପାଇଁ ଦାୟୀ ? ଦୁର୍ବଳ ଅପପାରଗ ମଣିଷ ନିଜର ଦୋଷକୁ ପର ଉପରକୁ ଟାଳିଦେଇ ସାନ୍ତ୍ୱନା ପାଏ । ପାର୍ବତୀ କାହିଁକି ଦାୟୀ ହେବେ ?

 

ଆଗରେ ଏତେ ଲୋକ ବସିଛନ୍ତି । ଝିଅର ଚିଠି ମନେ ମନେ ପଢିବାକୁ ମଧ୍ୟ ତାଙ୍କୁ ସଂକୋଚ ଲାଗୁଛି ।

 

ଚିଠି ଖଣ୍ଡି ତଳେ ରଖି ପରଶୁରାମ କହିଲେ ଆପଣମାନେ ଯାଆନ୍ତୁ । ଯାହା କରିବାର କଥା ଭାବିଚିନ୍ତି ସ୍ଥିର କରନ୍ତୁ । ମୁଁ ପରେ ସେ ସବୁ କଥା ବିଚାର କରିବି ।

 

ରଙ୍ଗାଧର କହିଲେ, ଏଥିରେ ଆଉ ବିଚାର କରିବାର ଅଛି କ’ଣ ? ସରକାର ଆଇନ୍‌ ଗଢ଼ି ଥୋଇ ଦେଇଛନ୍ତି, ଖଜଣା ନ ଦେଲେ ନାଲିସ୍‌ ହେବ । ପରଭୂମି ଉପରେ ଜବରାନ୍‌ ପଶିଲେ, ଗଛ ହାଣିନେଲେ, ମାଛ ଧରିନେଲେ ଫଉଜଦାରୀ କୋର୍ଟରେ ମକଦ୍ଦମା ଚଳିବ । ଆପଣ ଖାଲି ଅନୁମତି ଦେଲେ ହେଲା । ଟଙ୍କା ପଇସା ଖରଚ ପାଇଁ ଆଦେଶ ଦେଲେ ସବୁ ବିଷୟ ମୁଁ ତୁଲେଇବାକୁ ଚେଷ୍ଟା କରିବି ।

 

ପରଶୁରାମ କହିଲେ, ଯାହାଙ୍କ ନାମରେ ନାଲିସ୍‌ ହେବ ସେଇମାନେ ତ ସରକାର, ଆଇନ ବି ତାଙ୍କରି ।

 

ଭଗବାନ କହିଲେ, ଆଜ୍ଞା ହଁ, ଆଇନ ତାଙ୍କରି, ପୁଣି ତାଙ୍କରି ପାଇଁ । ଆଇନ ନ ମାନିଲେ, ବେଆଇନ କାମ କଲେ, କିଏ ଦୋଷୀ ହେବ, ଦଣ୍ଡ ପାଇବ ?

 

ଆଚ୍ଛା ହେଉ, ସେ ସବୁ ବିଷୟରେ ପରେ ବିଚାର କରିବା । ଆପଣମାନେ ବର୍ତ୍ତମାନ ଯାଉନ୍ତୁ ।

 

ଗୁମାସ୍ତା ଓ ମୋହରୀରମାନେ ବିଦାୟ ନେଲେ ।

 

ପରଶୁରାମ ଚିଠି ପଢ଼ିଲେ, ......ସବୁ ବିଷୟ ଲେଖିଲି । ଦୁଃଖ ଜଞ୍ଜାଳ ଭିତରେ ଯେତେବେଳେ ଘାଣ୍ଟି ହେଉଥିଲି, ରୋଗଣା ଶାଶୁ, ଅନ୍ଧ ସ୍ୱାମୀ, ନିଃସହାୟା ନଣନ୍ଦଟିର ସେବା କରିବାକୁ ଉପାସ ଭୋକରେ ବେଳ କାଟୁଥିଲି, ସେତେବେଳେ ବି ମୋର ମନ ନଇଁ ନ ଥିଲା, ମୁଣ୍ଡ ନଇଁ ନ ଥିଲା । ଆପଣଙ୍କର କନ୍ୟା ବୋଲି ଗର୍ବ କରିବାର ସାହସ ଓ ଦମ୍ଭ ଥିଲା । ନିଜେ ଦାଣ୍ଡକୁ ବାହାରି ଥିଲି ଦୁନିଆଁ ସଙ୍ଗେ ଲଢ଼ି ଛୋଟ କୁଟୁମ୍ବ ପାଇଁ ସ୍ୱାଚ୍ଛନ୍ଦ୍ୟ ଖୋଜି ଆଣିବି । ଶାଶୁ ଆଜି ସ୍ୱର୍ଗରେ । ମୋର ସୁଖ ଦେଖି ମୋତେ ଅଭିଶାପ ଦେଇ ଦୂରକୁ ପଳାଇଲେ । ସ୍ୱାମୀ, ସେ ଅନ୍ଧ ଓ ଅକ୍ଷମ ହେଲେ ବି ମୋର ସେବା ଲୋଡ଼ନ୍ତି ନାହିଁ । ଧନ ଦଉଲତ, କର୍ମ ଓ ପ୍ରତିପତ୍ତି ଯେଉଁ ସୁଖ ମଣିଷକୁ ଦେଇପାରେ, ସବୁ ସେ ପାଇଛନ୍ତି । ସେ ମୋଠାରୁ ଦୂରରେ, ବହୁତ ଦୂରରେ । ଆମ ଦୁହିଁଙ୍କ ମଝିରେ ଆଦର୍ଶ ଓ ପନ୍ଥାର ଶହେକୋଶ ତଫାତ୍‌ । ନଣନ୍ଦଟି, ଯାହାକୁ ସାନ ଭଉଣୀ ପରି ଭଲ ପାଉଥିଲି ସେ ବି ମୋ ପାଖରୁ ଦୂରେଇ ଗଲାଣି । ତାର ଚାହାଣୀରେ ମୁଁ ସନ୍ଦେହ ଅନୁଭବ କରୁଛି ।

 

ଏଇ ଘରର ବୋହୂ କରି ପଠାଇବାକୁ ଆପଣ ବ୍ୟାକୁଳ ଥିଲେ, ମୋରି ସୁଖ ଓ ଆନନ୍ଦ ପାଇଁ । ମୁଁ ଆସିଛି । ଏଘରର ମୁଁ ଘରଣୀ ହୋଇଛି । ସବୁଥିରେ ଅଧିକାର । ସମସ୍ତେ ମୋ କଥା ମାନିବାକୁ ତତ୍ପର । ସେବା କରିବାକୁ ଉତ୍କଣ୍ଠିତ । ଏ ସବୁ ମୁଁ ଚାହିଁ ନ ଥିଲି । ଆପେ ଆପେ ଆସିଲା । କିଏ ଯେପିର ମୋତେ ଆଣି ଏତେ ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ ଓ ପ୍ରଭୁତ୍ୱ ମଝିରେ ଛାଡ଼ି ଦେଇଗଲା । ଆପଣ ତ ଏଇଆ ଚାହିଁଥିଲେ ?

 

ଏବେ ଆପଣ ଆସିବେ । ଆପଣଙ୍କୁ ସମ୍ମାନ ଦେଖାଇବାକୁ ଆପଣଙ୍କ ଝିଅର ସଙ୍ଗତି ଅଛି । ସେତିକି । ଆଉ କିଛି ନାହିଁ । ଅଲୋଡ଼ା ସମ୍ପତ୍ତି, ଅଯାଚିତ ସ୍ନେହ, ସମ୍ମାନ ଓ କ୍ଷମତାର ବୋଝ ତଳେ ଛଟପଟ ହୋଇ ଭାବୁଛି ବୋଧହୁଏ ମୁଁ ସୁଖରେ ଅଛି । ଥରେ ଆସିବେ କି, ଦେଖିଯିବେ କି ଆପଣଙ୍କର ଅଲିଅଳ ଝିଅ କେମିତି ସୁଖର ନିଆଁରେ ସନ୍ତୁଳି ହେଉଛି ?

 

ପରଶୁରାମ ବାରମ୍ବାର ଚିଠିଖଣ୍ଡି ପଢ଼ିଲେ । ଏତେଦିନ ପରେ କାହିଁକି କ୍ଷଣପ୍ରଭା ଲେଖିଲା ? ଉଦ୍ଦେଶ୍ୟ ଉପହାସ ? ସେ ଜଣାଇ ଦେବାକୁ ଚାହେଁ କି, ଦୁଃଖବେଳେ ପଦଟିଏ ପଚାରି ନ ଥିଲ, ପାଖରେ ଠିଆ ହୋଇ ନ ଥିଲ, ସୁଖରେ ଅଛି, ଏବେ ହେଲେ ପଚାର ?

 

ଚିଠି ଖଣ୍ଡି ଟିକି ଟିକି କରି ଚିରିଦେଲେ ।

 

ପାର୍ବତୀ ଘରେ ପଶିଲେ । ଦିନ କେଇଟାରେ । ତାଙ୍କର ଅବସ୍ଥା ନାହିଁ । ଫୁର୍‌ଫୁର୍‌ ବାଳ-। ଦେହର ଯତ୍ନ ନେବାକୁ ଆଗ୍ରହ ନାହିଁ । ଦୁର୍ବଳ ଦେହ । ଆଖି ପଶି ପଶି ଯାଇଛି । ସବୁବେଳେ କାନ୍ଦ । ମଣିହରା ଫଣୀ । ରୂପର ତେଜ ମଉଳିଛି ।

 

ପରଶୁରାମ ବ୍ୟସ୍ତ ହୋଇଉଠିଲେ ।

 

ପାର୍ବତୀ ଆଗରେ ବସିଲେ । କହିଲେ, ଏଠି ଆଉ ରହିପାରିବି ନାହିଁ । ସବୁବେଳେ ପିଲାଟା ମନେପଡ଼ୁଛି । ଆଖିରେ ତାର ମୁହଁଟି ଦିଶୁଛି । ମତେ ବାପଘରେ ଛାଡ଼ିଦେଇ ଆସ ।

 

ଲୁହ ଛଳ ଛଳ ହେଲା ।

ପରଶୁରାମ ଉତ୍ତର ଦେଲେ ନାହିଁ ।

ତୁନି ରହିଲ ଯେ ?

 

ପରଶୁରାମ କହିଲେ, ଯିଏ ଆମର ନୁହେଁ ତା ପାଇଁ ଭାବିଲେ କ’ଣ ହେବ ? ଯେ ଯାଇଛି ସେ ଆଉ ଫେରିବ ନାହିଁ । ଆମକୁ ଡହଳ ବିକଳ କରିବାକୁ ସେ ଆସିଥିଲା, ଫେରିଗଲା । ଯାଉ । ସୁଖ ଦୁଃଖ ମଣିଷ ଜୀବନରେ ଲାଗି ରହିଛି । ଅଧୀର ହେଲେ ଲାଭ ନାହିଁ । ମନେକର ସେ ଏ ଘରେ ଜନ୍ମ ହୋଇ ନ ଥିଲା । ମନକୁ ବୁଝାଇଲେ ସିନା ହେବ । ମନ ନ ବୁଝିଲେ ଯୁଆଡ଼େ ଗଲେ ଏକା ଦୁଃଖ ।

 

ବିରକ୍ତ ହୋଇ ପାର୍ବତୀ କହିଲେ, ଭଲେଇ କଥା ସେତିକି ଥାଉ, ଏ ଘରେ ଆଉ ଦଣ୍ଡେ ରହିବାକୁ ଚାହେଁ ନାହିଁ । ତମରି ପାଇଁ ଦେବରାଜ ଡାକ୍ତର ଏ ଗାଁ ଛାଡ଼ି ଚାଲିଗଲେ । ତମେ ତାଙ୍କୁ ଅପମାନ ଦେଲ । ପିଲାଟାକୁ ସେଇ ବଞ୍ଚାଇ ରଖିଥିଲେ । ତାଙ୍କ ପଛେ ପଛେ ପିଲାଟି ବି ଚାଲିଗଲା-

 

ପାର୍ବତୀ ଆଉ କହିପାରିଲେ ନାହିଁ । ଆଖିରୁ ଲୁହ ଝରିଲା ।

 

ପରଶୁରାମ କହିଲେ, ଦୁନିଆଁରେ ସବୁଠାରେ ଦେବରାଜ ନାହାନ୍ତି, ସବୁଠାରେ ପିଲା ଅଛନ୍ତି । କର୍ମ ନେଇ ଫଳ । କାହାରି ଦୋଷଗୁଣ ବାହୁନି ଲାଭ ନାହିଁ । ଦେବରାଜଙ୍କର ଇଚ୍ଛା ଯେତେଦିନ ହେଲା ସେ ରହିଲେ, ଇଚ୍ଛା ନ ହେଲା ଚାଲିଗଲେ । କେହି ତାଙ୍କୁ ନିମନ୍ତ୍ରଣ କରି ଏ ଗାଁକୁ ଆଣି ନ ଥିଲା, କି କେହି ତାଙ୍କୁ ଚାଲିଯିବାକୁ କହି ନ ଥିଲା । ଦେବରାଜ ଗଲା ବୋଲି ଗାଁ ଲୋକେ ତାଙ୍କ ପଛରେ ଗୋଡ଼ାଇ ଯିବେ ନାହିଁ । କାହାରି ଇଚ୍ଛାରେ ବାଧା ଦେବାକୁ ମୁଁ ଚାହେଁ ନାହିଁ-

 

ପାର୍ବତୀ ବିଳିବିଳେଇ ଉଠିଲା ପରି କହିଲେ, ମତେ ଛାଡ଼ିବ ନାହିଁ ? ଏଇଠି ଛଟପଟ କରି ମାରୁଥିବ ? କି ଦୋଷ ମୁଁ କରିଛି ? ଏ ଘରେ ଦଣ୍ଡେ ରହିବାକୁ ମୋର ମନ ହେଉନାହିଁ । ମତେ ମୋ ବାପଘରେ ଛାଡ଼ିଦେଇ ଆସ, ନୋହିଲେ ମୁଁ ନିଜେ ଯିବି । ତମର ଯଦି ଘର ଚଳାଇବାକୁ ଅସୁବିଧା ହେବ ଭାବୁଛ, ତମ ଝିଅ ଜୋଇଁକୁ ନେଇ ଆସ । ମୁଁ ନିଶ୍ଚୟ ବାପଘରକୁ ଯିବି ।

 

ଟଳିଟଳି ପାର୍ବତୀ ପରର୍ଶୁରାମଙ୍କ ଆଗରୁ ଚାଲିଗଲେ ।

ପରଶୁରାମ ହସିଲେ ।

 

ଜଞ୍ଜାଳରେ ସେ ବାନ୍ଧି ହୋଇଛି । ପଛରେ କିଏ କ’ଣ କହୁଛି, କିଏ କ’ଣ ମନେକରୁଛି ସେ ବିଷୟରେ ମୁଣ୍ଡ ଖରଚ କରିବାକୁ ତାର ବେଳ ନାହିଁ । ଏ ଘରର ସେ କିଏ, ଏ ଘରେ ସେ କାହାର କ’ଣ, କାହିଁକି ସେ ଏଡ଼େ ବଡ଼ ଦାୟିତ୍ୱ ମୁଣ୍ଡକୁ ନେଇଛି, ଏ ସବୁ ଚିନ୍ତା କରିବାକୁ ସେ ସୁଯୋଗ ପାଇନାହିଁ । ଶାଶୁଙ୍କ ମରଣର କିଛିଦିନ ପରେ ଯେତେବେଳେ ସେ ଭାବିଥିଲା ତାଙ୍କ ମରଣପାଇଁ ହୁଏତ ସେ ନିଜେ ଦାୟୀ, ସେତିକିବେଳେ କେଜାଣି କ’ଣ ମନେକରି ବାପାଙ୍କ ପାଖକୁ ଚିଠି ଲେଖିଦେଇଥିଲା । କ’ଣ ଲେଖିଥିଲା ଆଜି ତାର ମନେନାହିଁ, କିନ୍ତୁ ସେ ତ ଅନେକ ଦିନ ତଳର କଥା ।

 

ଶାଶୁଙ୍କ ମରଣର ଦୁଃଖ ବି ଆଜି ତାର ମନେନାହିଁ କି ବାପାଙ୍କର ଅସ୍ନେହ ଅବହେଳା ବିଷୟ ସେ କେବେ ଭାବେ ନାହିଁ । ଦେଖୁ ଦେଖୁ ଗୋଟିଏ ବର୍ଷ କଟିଗଲା । ଏଇ ଗୋଟିଏ ବର୍ଷ ଭିତରେ ସବୁ ଓଲଟ ପାଲଟ ହୋଇଗଲା । ନିଜର ପରିବର୍ତ୍ତିତ ଅବସ୍ଥା ମଧ୍ୟ ଦେହସହା ହୋଇଗଲା-। ସକାଳୁ ଉଠି ରାତି ଅଧଯାଏ କେବଳ କାମ, କାମର ଯେପରି ଅନ୍ତ ନାହିଁ ।

 

ନୀହାରିକା ସ୍କୁଲରେ ନାମ ଲେଖାଇ ରୀତିମତ ପାଠପଢ଼ା ଆରମ୍ଭ କରି ଦେଲାଣି । ତାର ପାଠପଢ଼ା ଦେଖିବାକୁ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛି ସୁନନ୍ଦା । ତୁଷାରକାନ୍ତି ଅକ୍ଷମ ନିବାସର ଉନ୍ନତି ପାଇଁ, ପରିଚାଳନା ପାଇଁ ଦିନରାତି କାର୍ଯ୍ୟବ୍ୟସ୍ତ । ତାକୁ ସାହାଯ୍ୟ କରିବାକୁ ଲୋକ ନିଯୁକ୍ତ ହୋଇଛନ୍ତି । କୌଣସି ଗୁରୁତର ବିଷୟର ସମାଧାନ କରିବାକୁ ଲୋଡ଼ାପଡ଼ିଲେ କ୍ଷଣପ୍ରଭାକୁ ଡାକରା ପଡ଼େ । ତୁଷାର, ଦୁଷ୍ମନ୍ତ ଓ କ୍ଷଣପ୍ରଭା ତିନିହେଁ ବସି ବିତର୍କ କରନ୍ତି ଓ ବିଷୟର ସମାଧନା କରନ୍ତି ।

 

ଦୁଷ୍ମନ୍ତ ବି କାର୍ଯ୍ୟବ୍ୟସ୍ତ । ଆଜିକାଲି ବେଳେ ବେଳେ ସେ ବିଦେଶ ଯାଉଛି । କେଉଁଠି କେଉଁ ସଭାର ସଭାପତି ହୋଇ ବକ୍ତୃତା ଦେଉଛି । ବିଭିନ୍ନ ଜିଲାର ରାଜଧାନୀରେ ଅକ୍ଷମ ନିବାସର ଶାଖା ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରୁଛି । ସ୍ଥାନୀୟ ଲୋକଙ୍କର ସାହାଯ୍ୟ, ସହାନୁଭୂତି ଓ ଉତ୍ସାହ ବିନା ଏତେବଡ଼ କାର୍ଯ୍ୟ ତ ହୋଇପାରେ ନାହିଁ ।

 

ସଭାରେ ଯୋଗଦେବାକୁ କେହି କେହି ଆସନ୍ତି, ଉତ୍ତେଜିତ ହୋଇ ଓଜସ୍ୱିନୀ ଭାଷାରେ ବକ୍ତୃତା ଦିଅନ୍ତି, କିନ୍ତୁ କାମବେଳକୁ କେହି ଧରାଛୁଆଁ ଦିଅନ୍ତି ନାହିଁ । ତଥାପି, ଦୁଷ୍ମନ୍ତର ଉଦ୍ୟମର ଅଭାବ ନାହିଁ ।

 

ସୁକାନ୍ତି ଆଜିକାଲି ଏକାଥରେ ନିଶ୍ଚିନ୍ତ । ରାଧାମାଧବଙ୍କ ଛଡ଼ା ସେ କିଛି ଜାଣନ୍ତି ନାହିଁ । କେହି ତାଙ୍କୁ କିଛି କହିଲେ ସେ କ୍ଷଣପ୍ରଭା ପାଖକୁ ପଠାଇ ଦିଅନ୍ତି । ସତେ କି କ୍ଷଣପ୍ରଭା ଛଡ଼ା ଏ ଘରେ ଆଉ ଦ୍ୱିତୀୟ ଲୋକ କେହି ନାହିଁ । ଯେତେ କାମ ଥିଲେ ବି କ୍ଷଣପ୍ରଭା ସୁକାନ୍ତିଙ୍କର ସେବା ନିଜେ କରେ, ଯତ୍ନ ନିଏ । ସବୁ ବିଷୟ ପଚାରି ବୁଝେ । ପାଖରେ ବସି ଭଲ କଥା ଶୁଣେ । ଉତ୍ତର ଦିଏ । ନିଜେ ମଧ୍ୟ ଠାକୁର ସେବା କରେ । ପାଖରେ ବସି ଧର୍ମଗ୍ରନ୍ଥ ପଢ଼େ ।

 

ଏକା ହେମାଙ୍ଗିନୀ, ତା ଆଖିକୁ ଏ ସବୁ ଭଲ ଦିଶେନାହିଁ । ସେ ଆସେ, କ୍ଷଣପ୍ରଭାକୁ ଦେଖି ମୁଡ଼୍‌କେଇ ହସେ । ବଙ୍କେଇ ବଙ୍କେଇ ଟାଣକଥା କହେ, ଯାହାର ଅର୍ଥ, ତୁ ଏ ଘରର ବୋହୂ-? ଏ ଘରର ଦାସୀ ? ଏ ଘରର ଲୋକଙ୍କ ସଙ୍ଗେ ତୋର ସମ୍ବନ୍ଧ କଣ ? ଦୁଷ୍ମନ୍ତ ଭାଇ କାହିଁକି ବିବାହ କରୁନାହାନ୍ତି ? ସେ କ’ଣ ସତରେ ଆଉ ସଂସାର କରିବେ ନାହିଁ ? ସଂସାରର ସବୁ ଦାୟିତ୍ୱ ତୁ ମୁଣ୍ଡେଇ ନେଇଛୁ, କାହିଁକି ସେ ସଂସାର କରିବେ ? ତୁଷାରକାନ୍ତି ଅନ୍ଧ । ବୋଉ ସଂସାରର ସମସ୍ତଙ୍କୁ ଭଲପାଏ । କାହାରିକୁ ସେ ସନ୍ଦେହ କରି ଜାଣେନାହିଁ । ଦୁଷ୍ମନ୍ତ ଭାଇ ତୋରି ପାଇଁ ପାଗଳ । ଦୁନିଆଁର ଲୋକେ ଅନ୍ଧ ନୁହନ୍ତି । ଭଲମନ୍ଦ ବୁଝିବାର ଶକ୍ତି ସେମାନଙ୍କର ଅଛି ।

 

କ୍ଷଣପ୍ରଭାର ଦେହରେ ଛୁରୀ ଚାଲିଗଲା ପରି ଲାଗେ । ପରର ବୋଝ ମୁଣ୍ଡରେ ବୋହିଲେ, ପରଘରେ ପ୍ରଭୁତ୍ୱର ଅଧିକାର ପାଇଲେ ଦୁନିଆଁ ଲୋକେ ଏପରି ଛଳାଇ କହିବେ । ହେମାଙ୍ଗିନୀର ଆକ୍ଷେପରେ ନୂତନତ୍ୱ କିଛି ନାହିଁ । ତଥାପି, କାହିଁକି ସେ ପରର ସମାଲୋଚନା ସହିବ ? ଦୁନିଆଁର ଆକ୍ଷିରେ ମିଛରେ ସେ ହେବ ଦୋଷୀ ?

 

କ’ଣ କରିପାରିବ ସେ ? ବନ୍ଧନରୁ ମୁକ୍ତି ଲଭିବାର ଉପାୟ ? ହେମାଙ୍ଗିନୀର ଟାଣକଥା, ଛଳକଥା କେତେଦିନ ସେ ସହିବ ନୀରବରେ ? ତୁଷାରକାନ୍ତିକୁ କହିବାକୁ ସାହାସ ହୁଏ ନାହିଁ । କଥା ଆରମ୍ଭ କରିବାକୁ ଚେଷ୍ଟାକଲେ ତୁଷାରକାନ୍ତି କାନକୁ ନିଏ ନାହିଁ । ଅଲଗା ସ୍ଥାନକୁ ଚାଲିଯିବାର ପ୍ରସ୍ତାବ ପକାଇଲେ ସେ ବିରକ୍ତ ହୋଇ କହିଉଠେ, ମାନ ଅଭିମାନ ଆଦର୍ଶ ପାଖରେ ତିଷ୍ଠି ରହିପାରିବ ନାହିଁ । ମୁଠିଏ ଖାଇିବା ଓ ଖଣ୍ଡିଏ ପିନ୍ଧିବା ଛଡ଼ା ଆମେ କାହାରି କିଛି ଧାରୁନାହିଁ । ଯେଉଁକାର୍ଯ୍ୟ ଆରମ୍ଭ କରାଯାଇଛି ତାର ସମାପ୍ତି ନ ହେବା ଯାଏ ଏ ସ୍ଥାନ ଛାଡ଼ି ଚାଲିଯାଇ ହେବ ନାହିଁ । ଗଲେ ଲାଭ ନାହିଁ । ଯଦି ଏପରି ଅବସ୍ଥାକୁ ଅପମାନ ମଣୁଛ ଅପମାନ ସବୁଠି ଅଛି ।

 

ଉପାୟ ?

 

ସୁକାନ୍ତିଙ୍କ ପାଖରେ ମନଖୋଲି କହିପାରେ ନାହିଁ । କେତେଥର ଭାବେ, ଏତେବଡ଼ ଘରର ଦାୟିତ୍ୱ, ହାନୀଲାଭର ବୋଝ ସବୁ ସେ ଫେରାଇ ଦେବ । ବାଆଁରେଇ ହୋଇ କହିବାକୁ ଚେଷ୍ଟା କରେ । ସୁକାନ୍ତି ତା ମନର କଥା ବୁଝିପାରି କହନ୍ତି, ମାଆଲୋ, ବେଳ ମୋର ପାଖେଇ ଆସିଲା । ସବୁ ଜଞ୍ଜାଳ ତୋ ମୁଣ୍ଡରେ ମୁଁ ଲଦି ଦେଇଛି । କାହିଁକି ଜାଣୁ ? ମନ ମୋର ମତେ କହିଛି, ଯିଏ ପବିତ୍ର, ଉଦାର, ମହତ୍‌, ଯାହା ଆଗରେ ଦୁନିଆଁର ସବୁ ପାର୍ଥିବ ପଦାର୍ଥ ମାଟିଗୋଡ଼ି ପରି ତୁଚ୍ଛ, ଦୁନିଆର ଲୋକଙ୍କର ନିର୍ବୋଧ ହସକୁ ସେ କୌତୁକ ମଣେ । ତୁଇ ମୋର ମା, ତୋତେ ପାଇ ମୁଁ ନିଶ୍ଚିନ୍ତ, ଆଉ ଏ ବାଇଆ ଦୁଷ୍ମନ୍ତଟା, ତାର ଦାୟିତ୍ୱ ବି ତୋରି ଉପରେ । ସେ ତୋର ଭାଇ, ସେ ତୋର ପୁଅ । ମନ ଯଦି ତାର ବଦଳେ, ତାର ହାତକୁ ତୁଇ ଦି ହାତ କରାଇଦେବୁ । ହେଲେ ମା, ତୁ ମୋର ଆଗ ତୁ ମୋର ଲକ୍ଷ୍ମୀ ।

 

ତୁଣ୍ଡରେ କଥା ଅଟକି ଯାଏ । କ୍ଷଣପ୍ରଭା ନିଜର ମନଭିତର ଅଣ୍ଡାଳେ । ଦୁଷ୍ମନ୍ତ ସଙ୍ଗେ ଘନିଷ୍ଠତା ବଢ଼ିଛି । ଏତେଦିନ କାଳ ଏକାଠି ସେମାନେ ଚଳି ଆସିଛନ୍ତି । ବ୍ୟବହାରରେ ଆପତ୍ତିର ଲେଶମାତ୍ର ସଂକେତ ସେ କେବେ ପାଇନାହିଁ । କେବେ କେଉଁ ଅତୀତରେ, ଦିନେ ଯେ ତାଙ୍କର ମନରେ ଗୋଟିଏ ଧାରଣା ହୋଇଥିଲା, ଦୁଇଟା ମନରେ ଝଡ଼ ତୋଫାନ ବହିଥିଲା, ତାର ଚିହ୍ନବର୍ଣ୍ଣ ଆଜି ଆଉ ନାହିଁ ।

 

ଦୁଷ୍ମନ୍ତକୁ ସେ ପାଖରେ ବସାଇ ନିତି ଖାଇବାକୁ ଦେଇଛି । ତା ସଙ୍ଗେ ଏକୁଟିଆ ବସି ତର୍କ କରିଛି । ଭଲରେ ମନ୍ଦରେ ମୁହଁକୁ ଚାହିଁ ବସିଛି, ଆକଟ କରିଛି, ଉପଦେଶ ବି ଶୁଣିଛି । ତଥାପି, ଦୁଷ୍ମନ୍ତ ଭଲକରି କେବେ କ୍ଷଣପ୍ରଭାକୁ ଅନାଇ ନାହିଁ । ଶିଶୁ ପରି ସେ ସରଳ, ଉଚ୍ଚମନା, ସ୍ପଷ୍ଟବାଦୀ । କାହିଁକି ସେ ସଂସାର କରିବାକୁ ଅମଙ୍ଗ, ପଚାରିବାକୁ ଅନେକଥର ଆଗ୍ରହ କରି ମଧ୍ୟ ସାହସ କରିପାରେ ନାହିଁ ।

 

ହେମାଙ୍ଗିନୀ ଯେତେ ପରିହାସ କରି କହିଲେ ସେ ଖାତିର କରିବ କାହିଁକି, ଛଳ କରିବ କାହିଁକି ? ଦୁନିଆଁର ସମସ୍ତେ ସମସ୍ୱରରେ ଦିନକୁ ରାତି ବୋଲି କହିଲେ ଦିନ କେବେ ରାତି ହୋଇଯିବ ନାହିଁ ।

 

ଦୁର୍ବଳ ମନ ଛନ ଛନ ହୁଏ । ଦୁଷ୍ମନ୍ତକୁ ପରୀକ୍ଷା କରିବାକୁ ମନ ଡାକେ । କାହିଁକି ସେ ଉଦାସୀନ, କାହିଁକି ସେ ସଂସାର ପାଖରୁ ଦୂରେଇ ରହିବାକୁ ଚାହେଁ ? କିପରି ପରୀକ୍ଷା ସେ କରିବ-?

 

ନିଜ ଭାବନାରେ ନିଜେ ଲଜ୍ଜିତ ହୁଏ । ପରୀକ୍ଷା ଲୋଡ଼ା ନାହିଁ । ଯଦି ତାଙ୍କ ମନରେ ଦୁଃଖର ନିଆଁ କୁହୁଳୁ ଥିବ, ଏବେ ବି ସରାଗ ଓ ପ୍ରଣୟର ଆଲୁଅ ଯଦି ଛାତି ଭିତରେ ଜଳୁଥିବ, ସେଥିକି କିଏ କ’ଣ କରିପାରିବ ? ନିଜ ଆବିଳ ମନର ଯନ୍ତ୍ରଣା ନିଜେ ହିଁ ସହିବ ଦୁଷ୍ମନ୍ତ !

 

ଯୋବ୍ରା ସାର୍ବଜନୀନ ବିଦ୍ୟାଳୟର ସବୁ ଦାୟିତ୍ୱ କ୍ଷଣପ୍ରଭା ମୁଣ୍ଡକୁ ଆସିଛି । ଯେଉଁ ବିଦ୍ୟାଳୟରେ ଚାକିରି କରି ନିଜର ଦରିଦ୍ର ସଂସାର ଚଳାଇବାକୁ ଦିନେ ସେ ଆତୁର ହୋଇ ଧାଇଁ ଯାଇଥିଲା, ସେହି ବିଦ୍ୟାଳୟର ସେ ଆଜି ସର୍ବେସର୍ବା । ସୁଦକ୍ଷ ସମ୍ପାଦକ ନଟବର ଓ ଦୁଷ୍ମନ୍ତଙ୍କର ପରାମର୍ଶ ନେଇ ସେ କାର୍ଯ୍ୟକରେ । ବିଦ୍ୟାଳୟର ଶିକ୍ଷା ପଦ୍ଧତି ସେ ବଦଳାଇଛି । ନିଜର ଅଭିଜ୍ଞତାରୁ ସେ ବୁଝିଛି, କେବଳ ପୁସ୍ତକ ପଢ଼ି, ଇତିହାସ ଭୂଗୋଳ ଘୋଷି, କି ଇଂରେଜୀ ହିନ୍ଦି ଶିଖିଲେ ପ୍ରକୃତ ଶିକ୍ଷା ହୁଏ ନାହିଁ । ଯେଉଁ ଶିକ୍ଷା ଲାଭକଲେ ପରର ସାହାଯ୍ୟ ବିନା ଭବିଷ୍ୟତରେ ପେଟ ପୋଷିବାର, କୁଟୁମ୍ବ ପୋଷିବାର ବ୍ୟବସ୍ଥା ହୋଇପାରିବ, ତାହାହିଁ ପ୍ରକୃତ ଶିକ୍ଷା ।

 

ଯୋବ୍ରା ବିଦ୍ୟାଳୟର ପରିସର ବଢ଼ିଛି । ସାଧାରଣ ଶିକ୍ଷା ସଙ୍ଗେ ସଙ୍ଗେ କୁଟୀର ଶିଳ୍ପର ଶିକ୍ଷା ଦିଆଯାଉଛି । ସବୁ ଶ୍ରେଣୀ, ସବୁ ଜାତିର ଛାତ୍ର ସୁଦକ୍ଷ ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରୁଛନ୍ତି । ଏ ପବିତ୍ର ଅନୁଷ୍ଠାନରେ ଧର୍ମଭେଦ କି ଜାତିଭେଦ ନାହିଁ । ସମସ୍ତେ ସମାନ ।

 

ନଟବର ବାବୁଙ୍କୁ ଦିନରାତି ଅଣ୍ଟୁ ନାହିଁ । ଛାତ୍ରସଂଖ୍ୟା ବଢ଼ିଛି, ପୁଣି, ନିତି ବଢ଼ୁଛି ନୂଆ ଯୋଜନା ।

 

ଏଠି ଅଭଙ୍ଗା କଣ୍ଢେଇ ଗଢ଼ା ହୁଏ, ଏଠି ଲୁଗା ଜାମା ସିଲାଇ, ଟୋକେଇ ବୁଣା, ଦଉଡ଼ି ବଳା, ସୂତା କଟା, ଲୁଗା ବୁଣା, ରଙ୍ଗକରା, ହାଣ୍ଡି ମାଠିଆ ତିଆରି, ଇଟା ଟାଇଲ ପକା, ଉଲ କାମ, ବାଳ କଟା, ଜୋତା ସିଲେଇ, ଲୁହା କାମ, ବଢ଼େଇ କାମ, ସପ ହେଁସ ବୁଣା, ଏପିର କେତେ କାମ, ମଣିଷର ଯାହା ଲୋଡ଼ା । କେତେ ତ ବିଭାଗ ଅଛି । ଧୀରେ ଧୀରେ ଛାତ୍ର ବଢ଼ୁଛନ୍ତି । ନୂଆ ବିଭାଗ ଖୋଲୁଛି । ଆହୁରି କେତେ ବିଭାଗ ଖୋଲିବ ।

 

ଟଙ୍କା ?

 

ଅତି ବଡ଼ ପ୍ରଶ୍ନ । ବିଦ୍ୟାଳୟରେ ଯେଉଁସବୁ ପଦାର୍ଥ ତିଆରି ହୁଏ ସେ ସବୁ ବିକ୍ରୀ କରିବାର ସୁବନ୍ଦୋବସ୍ତ କରାହୋଇଛି । ପ୍ରତି ବିଭାଗ ପାଇଁ ଗଢ଼ା ହୋଇଛି କମିଟି । ବିକ୍ରୀଲବ୍‌ଧ ଧନରେ ଏତେବଡ଼ ଅନୁଷ୍ଠାନ ଚଳିପାରେ ନାହିଁ । ଟଙ୍କା କେଉଁଠୁ ଆସିବ ? ଖବର କାଗଜ ଜରିଆରେ କେତେ ଆବେଦନ ଛାପା ହେଲାଣି । ବଡ଼ ବଡ଼ ଲୋକେ, ଧନୀ ଲୋକେ, ପରିଦର୍ଶନ କରିବାକୁ ଆସି ଖୁସିରେ କିଛିକିଛି ସାହାଯ୍ୟ କରି ଯାଆନ୍ତି । ସମୁଦ୍ରକୁ ଶଙ୍ଖେ ।

 

କ୍ଷଣପ୍ରଭାର ବୁଦ୍ଧି ପାଇଁ ଟଙ୍କାର ଅଭାବ କେତେକ ପରିମାରଣରେ ଦୂର ହୋଇପାରିଛି-। ନିଜେ ସେ ଧନୀ ବ୍ୟବସାୟୀଙ୍କ ପାଖକୁ ଯାଇ ଟଙ୍କା ପାଇଁ ଅନୁରୋଧ କରିଛି । କେହି କେହି ଗୋଟିଏ ଗୋଟିଏ ବିଭାଗର ଖର୍ଚ୍ଚର ଦାୟିତ୍ୱ ବହନ କଲେଣି ।

 

ଏଇଟା ମୋତିଲାଲ ବୟନ ବିଭାଗ, ଏଇଟା, ଚମନ୍‌ ଲାଲ୍‌ ଚମଡ଼ା କାମ ବିଭାଗ, ହରିରାଜ କାଠକାମ ବିଭାଗ, ଇଉସୁନ୍‌ ଅଲ୍ଲି ଲୁହାକାମ ବିଭାଗ, ହରିଘୋଷ ଚିତ୍ରକାମ ବିଭାଗ, ସୁବାରାଓ ସିଙ୍ଘକାମ ବିଭାଗ, ସୁଜନ ସିଂ ମାଟିକାମ ବିଭାଗ, ହରିପାତ୍ର ଝୋଟ କାମ ବିଭାଗ, କାଶି ପଟ୍ଟନାୟକ ଉଲ କାମ ବିଭାଗ, ଯଦୁ ମଙ୍ଗରାଜ ଟୋକେଇ ଓ ବେତା ବୁଣା ବିଭାଗ, ଭିକାରୀ ଚରଣ କଣ୍ଢେଇ ତିଆରି ବିଭାଗ– ।

 

ଦାୟିତ୍ୱ ସେମାନେ ମୁଣ୍ଡାଇଛନ୍ତି । ନିଜ ନିଜର କମିଟି ଗଢ଼ିଛନ୍ତି । ସବୁ କମିଟିର ପ୍ରଧାନ–ସମ୍ପାଦକ ନଟବର ବାବୁ । ବିଭାଗୀୟ ସଭାପତି, ବିଭାଗର ପୃଷ୍ଠପୋଷକା ଉପସଭାପତି କ୍ଷଣପ୍ରଭା, ବିଦ୍ୟାଳୟର ସଭାପତି ଦୁଷ୍ମନ୍ତ ।

 

ପ୍ରତି ସପ୍ତାହରେ ବିଭାଗୀୟ କମିଟି ବସେ । ପ୍ରତି ମାସରେ ଥରେ ବସେ ବିଦ୍ୟାଳୟର କମିଟି । କାମ ସୁରୁଖୁରୁରେ ଚାଲିଛି । ଆହୁରି ଅନେକ କାମ ବାକି ଅଛି । ଅନେକ ବିଭାଗ, ଅନେକ ବିଭାଗୀୟ ପୃଷ୍ଠପୋଷକ ଲୋଡ଼ା ।

 

ଖବରକାଗଜ ତୁନି ରହିନାହିଁ । ସାର୍ବଜନୀନ ବିଦ୍ୟାଳୟର କର୍ମ, କର୍ମକର୍ତ୍ତା, କର୍ମପନ୍ଥା ସମ୍ବନ୍ଧରେ ରୀତିମତ ପ୍ରକାଶ କରୁଛି, ଉତ୍ସାହିତ କରୁଛି, ଦେଶବାସୀଙ୍କର ସହାନୁଭୂତି କାମନା କରୁଛି । ବିଭାଗୀୟ ପୃଷ୍ଠପୋଷକ, ଦୁଷ୍ମନ୍ତ, କ୍ଷଣପ୍ରଭା ଏମାନଙ୍କର ଫଟୋ ମଧ୍ୟ ଖବର କାଗଜରେ ଅନେକଥର ବାହରିଲାଣି । ପାକ୍ଷିକ ପତ୍ରିକାରେ ବେଳେବେଳେ ସମାଲୋଚନା ବି ବାହାରି ପଡ଼ୁଛି । କାମ କଲେ କେବେ କିପରି ପ୍ରମାଦ ଘଟେ, ତଥାପି ମାଛି ଖୋଜେ ବ୍ରଣ, ଶ୍ୱାନ ମନ ମଇଳା ଖାତକୁ ଧାଏଁ ।

 

କିଏ ପଚାରେ ? କର୍ମୀ ସମାଲୋଚନାକୁ ଚାହିଁ ବସେନାହିଁ । ସମାଲୋଚନା ଦେଖିଲେ ତାକୁ କୌତୁକ ଲାଗେ । ସେ ହସେ, ଉତ୍ସାହିତ ହୁଏ, ଆଗକୁ ମାଡ଼ିଚାଲେ । ଯେଉଁ ସମାଲୋଚନା କେବଳ ଅଳିଆ ନ ଘାଣ୍ଟି ସଫାସୁତୁରା ସିଧାସଳଖ ଭଲବାଟ ଦେଖାଇବାକୁ ଚେଷ୍ଟାକରେ, କର୍ମୀ ତାକୁ ଆଦର କରେ, ପରଖି ଦେଖେ । କର୍ଯ୍ୟକାରୀ ହେଲେ ଗ୍ରହଣ କରେ ।

 

ଆଉ କ୍ଷଣପ୍ରଭା, ସେ ବି ହସେ । ଦୁଷ୍ମନ୍ତର ନାମ ସଙ୍ଗେ ତାର ନାମ ଯୋଡ଼ା ହୋଇଥାଏ । –ଚିହ୍ନନ୍ତି କି ? ଇଏ ଦୁଷ୍ମନ୍ତ, ଇଏ ତାଙ୍କର ସହକର୍ମିଣୀ କ୍ଷଣପ୍ରଭା, ସହଗାମିନୀ ମଧ୍ୟ-। ସଭା ଶେଷରେ ଗୋଟିଏ ଗାଡ଼ିରେ ବସି ରାତି ଅଧରେ ଆଶ୍ରମକୁ ଫେରନ୍ତି । ଉଭୟେ ପ୍ରଗତି ପଥର ପଥୁକୀ ।

 

ଅଭଦ୍ର ଭାଷା । ବ୍ୟଙ୍ଗ ।

 

କ୍ଷଣପ୍ରଭା ମୁହଁ ଶୁଖିଯାଏ, ଖରାପ ଲାଗେ । ଉତ୍ସାହ ଭାଙ୍ଗି ପଡ଼େ । ବହିଟାକୁ ଦୂରକୁ ଫିଙ୍ଗିଦିଏ । ଭାବେ, ସମ୍ପାଦକଙ୍କୁ ଗୋଟାଏ କଡ଼ା ଚିଠି ଲେଖିଦେବ । କଲମ ଧରେ । କଲମ ଚାଲେନାହିଁ । ଏସବୁ ସମାଲୋଚନାର ମୂଲ୍ୟ ନାହିଁ । ପତ୍ରିକାର କାଟତି ବଢ଼ିବ । ଲୋକେ କୁତ୍ସା ଶୁଣିବାକୁ ଭଲ ପାଆନ୍ତି । ପାଞ୍ଚ ସାତ ଜଣ ବସି ଚର୍ଚ୍ଚା କରନ୍ତି, ହସନ୍ତି ।

 

ହସନ୍ତୁ ।

 

କ୍ଷଣପ୍ରଭା ଉଠି ପଳାଏ ସୁକାନ୍ତିଙ୍କ ପାଖକୁ । କିଛି କହେ ନାହିଁ । ପାଖରେ ବସି ଉପଦେଶ ଶୁଣେ । ଧର୍ମଗ୍ରନ୍ଥ ପଢ଼େ । ବୁଝେ । ଖଳ ଲୋକଙ୍କର ଖଳକଥା ଭୁଲେ । ପ୍ରକୃତିସ୍ଥ ହୁଏ । ରାତି ବଢ଼େ । ସମସ୍ତଙ୍କର ଖାଇବା ଖବର ବୁଝିବାକୁ ଉଠି ଆସେ ।

 

ଦୁଷ୍ମନ୍ତର ମୁହଁକୁ ଚାହିଁବାକୁ ସଂକୋଚ ଲାଗେ । ନିଶ୍ଚୟ ସେ ପଢ଼ିଥିବେ, କ’ଣ ସେ ଭାବିଥିବେ କେଜାଣି । ଖିଆ ପିଆର ଯତ୍ନ ନିଏ ଦୁଇ ବନ୍ଧୁଙ୍କର । ବେଶି କଥା କହେ ନାହିଁ ।

 

କାମ ସାରି ରାତି ଅଧରେ ଶୋଇବା ଘରକୁ ଫେରେ, ଯେଉଁ ଘରେ ତାର ଶାଶୁ ରହୁଥିଲେ, ଯେଉଁଠି ସେ ଚିରଦିନ ପାଇଁ ଆଖି ବୁଜିଥିଲେ । ନୀର କେତେବେଳୁ ପଢ଼ାସାରି ସୁକାନ୍ତିଙ୍କ ଘରକୁ ଚାଲି ଗଲାଣି । ସେଇଠି ସେ ଶୁଏ । ତୁଷାରକାନ୍ତି କ୍ଲାନ୍ତ ହୋଇ ଶୋଇ ପଡ଼ିଲେଣି । ଚାରିଆଡ଼କୁ ବଲ ବଲ କରି ଚାହେଁ । ଆଖି ମାଡ଼ି ମାଡ଼ି ପଡ଼େ ।

 

କବାଟ କିଳେ । ସ୍ୱିଚ୍‌ ଟିପି ଆଲୁଅ ଲିଭାଏ । ପାଖ ପଲଙ୍କରେ ଶୋଇପଡ଼େ । ପରିଶ୍ରମ ପରେ ନିଦ, ନିଘୋଡ଼ ନିଦ ।

 

ରାତି ପାହେ । ଆଖି ଖୋଲେ ।

 

ଅନ୍ଧାର ଅପସରିଛି । ଫିକା ପାହାନ୍ତାର କଅଁଳ ଶୀତଳ ଦରହସିଲା ଆଲୁଅ ଝରକା ବାଟେ ପରଦାର ଉହାଡ଼ରେ ଉଙ୍କି ମାରୁଛି । ଅରକ୍ଷନିବାସଆଡ଼ୁ ଭାସି ଆସୁଛି ଭ୍ରମରର ଗୁଞ୍ଜନ ପରି ପ୍ରଭାତର ପ୍ରାର୍ଥନା, ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ,–

 

ମନ ପୁଲକି ଉଠେ, କ୍ଷଣପ୍ରଭା ବିଛଣା ଛାଡ଼େ ।

ପାଖ ଖଟରେ ତୁଷାରକାନ୍ତି, ନିଦ ଭାଙ୍ଗି ନାହିଁ ।

 

ଧୀରେ ଧୀରେ କବାଟ ଖୋଲେ । ପଦାକୁ ଆସେ । ନୂତନ ନିର୍ମଳ ପବିତ୍ର ପ୍ରଭାତର ସ୍ନିଗ୍‌ଧ ଆଲୋକକୁ ଅଭ୍ୟର୍ଥନା କରେ । ତଳକୁ ଓହ୍ଲାଏ, କେହି ନ ଉଠୁଣୁ ନିତ୍ୟକର୍ମ ଶେଷ କରିବ । ସୁକାନ୍ତିଙ୍କର ପୂଜାର ଆୟୋଜନ କରି ରଖିବ, କେହି ନ ଉଠୁଣୁ ବ୍ରାହ୍ମ ମୁହୂର୍ତ୍ତରୁ । କେବଳ ଅପେକ୍ଷା କରି ରହିଥିବ ତାର ଦାସୀ ।

 

ଦାସୀ ସମ୍ବାଦ ଦିଏ, ସାନବାବୁ ଗୋଧୋଇ ସାରି ଉପରକୁ ଗଲେଣି ।

କିଏ, ଦୁଷ୍ମନ୍ତବାବୁ ?

ହଁ, ମା ।

 

କ୍ଷଣପ୍ରଭା ଆଶ୍ଚର୍ଯ୍ୟ ହୁଏ ନାହିଁ । ଯେତେ ଆଗରୁ ଉଠିଲେ ବି ଦୁଷ୍ମନ୍ତକୁ ସେ ହରାଇ ପାରେ ନାହିଁ ।

 

ସବୁଦିନେ ସେ ଆଗ । ବିଚିତ୍ର ମଣିଷଟିଏ । ରାତିରେ କ’ଣ ତାଙ୍କୁ ନିଦ ହୁଏନାହିଁ ? କେଜାଣି ତାକୁ ଲାଜ ଦେବାକୁ ଯେ ରାତିଯାକ ଚେଇଁ ବସିଥାନ୍ତି ।

 

ଲାଇବ୍ରେରୀ ଘରୁ ଗ୍ରାମୋଫୋନ୍‌ ଗୀତ ଶୁଭୁଛି, ତାଙ୍କର ପ୍ରିୟ ଗୀତଟି–

 

ତୁମେପରା ସବୁବେଳେ ସବୁଠି ଅଛ ? ଅନୁଭବ କରେ ସିନା ଦେଖିପାରେ ନାହିଁ । ଅଛି ବୋଲି ବିଶ୍ୱାସ କରୁନାହିଁ ବୋଲି ସନ୍ଦେହ ଘୋଟିଆସେ । ନାହିଁ ବୋଲି ଧାରଣା ଆସିଲେ, ଚାରିଆଡ଼ ଶୂନ୍ୟ ଦିଶେ, ହତାଶାର ଅନ୍ଧାର ମାଡ଼ିଆସେ । ଅଛି ନାହିଁର ଦ୍ୱନ୍ଦରେ ମନହୁଏ ଛଟପଟ । ତୁମେ ଥାଅ କି ନ ଥାଅ ମୁଁ ଅଛି, ଆଉ ମୋରି ଭିତରେ ତମକୁ ମୁଁ କଳ୍ପନା କରିଛି, ଆଶା ଆକାଙ୍‌କ୍ଷା ଦେଇ ଗଢ଼ିଛି । ତମର ଧାରଣାଟି ମୋର ପ୍ରିୟ, ଅତିପ୍ରିୟ । ସେଇ ଧାରଣାର ବାହାନାରେ ତୁମେ ଆସ, ଛପି ଛପି ଆସ, ଉଷାର ଆଲୋକରେ, ସଂଧ୍ୟାର ଅନ୍ଧାରରେ । ତୁମେ ଖାଲି ଆସୁଥାଅ, କେବେ ଯାଅନାହିଁ, କାରଣ ତୁମେ ମୋର, ଚିରଦିନ ମୋର । ହେ ଅଛି ନାହିଁରେ ସଂଗମ, ତୁମେ ମୋର ପ୍ରିୟ, ଅତି ପ୍ରିୟ–

 

କ୍ଷଣପ୍ରଭା ପାଦ ଚଳେ ନାହିଁ । ଅଟକି ଠିଆ ହୁଏ । ଚାହେଁ ଆକାଶକୁ । ଉଷାର ଆଲୋକ ଝରି ପଡ଼ୁଛି । ନୀରବତା ଭାଙ୍ଗି କରୁଣ ରାଗିଣୀ ଅନ୍ତରାତ୍ମା ବିହ୍ୱଳ କରୁଛି, ତୁମେ ଖାଲି ଆସୁଥାଅ, କେବେ ଯାଅନାହିଁ ।

 

ରାଗିଣୀ ଥମେ । କାନରେ ଖାଲି ବାଜି ଯାଉଥାଏ, ହେ ଅଛି–ନାହିଁର ସଙ୍ଗମ, ତୁମେ ମୋର ପ୍ରିୟ, ଅତିପ୍ରିୟ ।

 

ଛାତି ଚମକି ଉଠେ, ମନ ପୁଲକି ଉଠେ ।

 

ଦୂରରୁ ଶୁଭେ ପୋଷା କୁକୁଡ଼ାର ଡାକ । ଆକାଶରେ ଉଡ଼ିଯାଏ କାଉ, ଡାକ ଛାଡ଼ି ଛାଡ଼ିକା, –କା–କିଏ –କିଏ ?

 

ମନ ଉତ୍ତର ଦିଏ–ପ୍ରିୟ, ଅତି ପ୍ରିୟ– !

ଏଇ ଦୁନିଆଁ, କର୍ମମୟ ଦୁନିଆଁ ।

 

ଭାବିବାକୁ ସମୟ ନାହିଁ । ଅଳସର ସ୍ଥାନ ନାହିଁ । ଆଲୋକ ଆସିଛି, କର୍ମର ଖୋଲିଛି ଦ୍ୱାର ।

ଅରକ୍ଷନିବାସ ଡାକ ଛାଡ଼ିଲାଣି । ଛୋଟା, କୁଜା, କେମ୍ପା, ଅନ୍ଧ, ବଧିର, ମୂକ–ସମସ୍ତେ ତାର ସନ୍ତାନ । ସମସ୍ତେ ତାକୁ ଚାହିଁ ରହଥିବେ, କେତେ ଆପତ୍ତି, କେତେ ଅଭିଯୋଗ । ତାରି ସନ୍ତାନ !

ଅରକ୍ଷ ନିବାସ ।

ଧାଡ଼ି ଧାଡ଼ି କୋଠାଘର । ଦୁଷ୍ମନ୍ତର ଧନ, ତୁଷାରର ମନ, କ୍ଷଣପ୍ରଭାର ଯତ୍ନରେ ଗଢ଼ାହୋଇଛି । ଦେଶରେ କେତେ ବଦାନ୍ୟ ଲୋକ ନିଜର ଶକ୍ତି ଅନୁଯାୟୀ ସାହାଯ୍ୟ କରିଛନ୍ତି, କରୁଛନ୍ତି । ଅକ୍ଷମ ଲୋକଙ୍କର ଭରଣ ପୋଷଣ ଓ ଶିକ୍ଷାର ବ୍ୟବସ୍ଥା କରାହୋଇଛି । ଯିଏ ଯେଉଁ କାମ କରିପାରିବ ତାକୁ ନିଯୁକ୍ତି କରାଯାଇଛି ସେହି କାମରେ । ସାର୍ବଜନୀନ ବିଦ୍ୟାଳୟ ପରି ଏଠାରେ ମଧ୍ୟ ରହିଛି ଭିନ୍ନ ଭିନ୍ନ ବିଭାଗ । ପ୍ରତ୍ୟେକ ବିଭାଗ ପରିଚାଳନା କରିବାକୁ ଉପଯୁକ୍ତ ତତ୍ତ୍ୱାବଧାରକ ।

ସର୍ବୋପରି ତୁଷାରକାନ୍ତି ।

ଏଠାରେ ଜାତି ଓ ଧର୍ମର ଭେଦ ନାହିଁ । ସମସ୍ତେ ଭଗବାନଙ୍କର ସନ୍ତାନ । ସମସ୍ତେ ଗୋଟିଏ ଜାତି, ମଣିଷ ଜାତି । ସମସ୍ତଙ୍କର ଏକାପରି ଯତ୍ନ ନିଆଯାଏ । ପାତର ଅନ୍ତର ପ୍ରଶ୍ନ ଉଠେ ନାହିଁ । ସ୍ତ୍ରୀ ଓ ପୁରୁଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ, ସ୍ୱତନ୍ତ୍ର ବ୍ୟବସ୍ଥା ।

ଏଗୁଡ଼ିକ ଛୋଟା । କିଏ କେଉଁଠୁଁ ଆସିଛନ୍ତି । ଗୋଡ଼ ଚଳେ ନାହିଁ । ପ୍ରତ୍ୟେକ ଜୀବନର ଇତିହାସ ଲମ୍ବା । କିଏ ଭଗବାନଙ୍କୁ ନିନ୍ଦେ । କିଏ ରାଜ୍ୟର ଦୋଷ ଦିଏ । ପୂର୍ବଜନ୍ମର କର୍ମଫଳକୁ କରେ ଦାୟୀ । କିଏ ନିଜର ଅସାବଧାନତାକୁ ଦୋଷଦିଏ । କିଏ ଅଭିଶାପ ଦିଏ ଅନ୍ୟକୁ । ସମସ୍ତେ ଅକ୍ଷମ । ବାଟ କଡ଼ରେ ପଡ଼ି ହାତପାତି ଭିକ ମାଗୁଥିଲେ । ତିନି ଓଳିରେ ମିଳୁ ନ ଥିଲା ପେଟକୁ । ଦେହ ଘୋଡ଼ାଇବାକୁ ଦଢ଼ କନା ଖଣ୍ଡେ ନ ଥିଲା, ଗଣି ହେଉଥିଲା ଛାତିର ହାଡ଼ ।

ଆଜି ସେମାନେ ଭଲରେ ଅଛନ୍ତି, ସୁଖରେ ଅଛନ୍ତି । ସମସ୍ତେ କର୍ମୀ । ସମସ୍ତେ ଭଦ୍ର ଲୋକ, ପରିଷ୍କାର ପରିଚ୍ଛନ୍ନ । କିଏ ଅରଟ ଧରି ସୂତା କାଟୁଛି । କିଏ ବୁଣୁଛି ସପ, ହେଁସ, ଟୋକେଇ । କିଏ ଗଢ଼ୁଛି କଣ୍ଢେଇ । ସେ ସ୍ତ୍ରୀଲୋକଗୁଡ଼ିକ ଭଲ ଜାମା ବୁଣୁଛନ୍ତି, କେତେ ଜାତିର ରଙ୍ଗ, କେତେ ପ୍ରକାର ଡିଜାଇନ୍‌ । ସେ ପାଖକୁ ଅନା । ଆଖିରେ କାଚ ଲଗାଇ ସେ ଘଣ୍ଟା, ଫାଉଣ୍ଟେନ, ଗ୍ରାମୋଫୋନ୍‌ ମରାମତି କରୁଛି । ସୁଦକ୍ଷ । ସବୁଥିର ହିସାବ ରହୁଛି ।

ଏମାନେ ଅନ୍ଧ । ବିଶ୍ୱାସ ହେଉନି ? ଅଭ୍ୟାସ । ଅରଟ ତାକୁଡ଼ି ଧରି ସୂତା କାଟୁଛନ୍ତି । ସେଠିକି ଚାହାଁ, ପୁଲିଲଗା କୂଅରୁ ପାଣି କାଢ଼ୁଛନ୍ତି ସେ ଦିହେଁ । ସେ ଦିଜଣ ବାସନ ମାଜୁଛନ୍ତି । କି ଫୂର୍ତ୍ତି ! କି ସୁନ୍ଦର ବଗିଚା, ମାଣେ ଜମି ହେବ । ଶାକସବଜି, କଲମୀ ଆମ୍ବ, କାଗେଜି, ସପେଟା, ଅମୃତଭଣ୍ଡା ଧାଡ଼ି ଧାଡ଼ି ଲଗା ହୋଇଛି । ୟାଙ୍କରି ଦିହ ମିହନ୍ତ । କି ସୁନ୍ଦର କଦଳୀ ବଗିଚା ଦେଖ ତ । କାନ୍ଦି କାନ୍ଦି ବନ୍ତଳ, କାଠିଆ କଦଳୀ । ସାହାଯ୍ୟ କରିବାକୁ ଅଛନ୍ତି ।

ସେ ବି ଅନ୍ଧ । ତନ୍ତ ଧରି ଲୁଗା ବୁଣୁଛି । ତା ପାଖରେ ବସିଛି ଯେଉଁ ଝିଅଟି, ତାର ଗୋଟିଏ ଗୋଡ଼ ବଙ୍କା, ଗୋଟିଏ ହାତ କେମ୍ପା । ସେ କହି ଦେଉଛି । କି ସୁନ୍ଦର ମୁହଁ ସେ ଝିଅଟିର କି ଶୋଭା ରୂପ ।

 

ରେଡ଼ିଓର ସଙ୍ଗୀତ ନୁହେଁ, ଅନ୍ଧ ପିଲାଗୁଡ଼ିକ ଗୀତ ଶିଖୁଛନ୍ତି । ଚମତ୍‌କାର କଣ୍ଠ । ଥିଏଟର ଆଉ ଟକି ପାଇଁ ସେମାନଙ୍କୁ ଉପଯୁକ୍ତ କରାଯାଉଛି । ଭାଇ ଭଉଣୀ ପରି ଦିଶୁଛନ୍ତି, ନା ? ଏକାପରିକା ଶାଢ଼ୀ, ବ୍ଳାଉଜ, ଗହଣା । ଏକାପରିକା କାମିଜ୍‌, ଧୋତି । ଭାଇ ଭଉଣୀ ସେମାନେ, ତୁଷାର ଓ କ୍ଷଣପ୍ରଭାଙ୍କର ପୁତ୍ର କନ୍ୟା ।

 

ସେମାନେ କୁଜା, କେମ୍ପା । ସେ ଜୋତା ସିଉଁଛି । ଦେଖ ଆରକ ବଡ଼ି ପାରୁଛି । ଜାତି ଜାତିକା ବଡ଼ି । ସେ ପାଖକୁ ଚାହାଁ, ମୁଗୁନି ପଥରରେ ମୂର୍ତ୍ତି ଗଢୁଛି । ଛାଡ଼ିଗଲେ ଆମ କାଲୁଖାଁକୁ, କେମିତି ଚିତ୍ର ଆଙ୍କିଛି ଦେଖ । ନିପୂଣ ଚିତ୍ରକର । ପତ୍ରପତ୍ରିକାରେ ଛାପା ହୁଏ । ଏ ମହାତ୍ମା ପୁଣି ଭିକ ମାଗୁଥିଲେ ।

 

ସବୁ ଅଭିଶାପ ଭାଗ୍ୟ ୟାଙ୍କର ଉପରେ ଅଜାଡ଼ି ଦେଇଛନ୍ତି, ଏଇ ପିଲା ତିନୋଟି । ସାତବର୍ଷର ଝିଅଟିଏ, ଆଉ ପୁଅ ଦିଓଟିଙ୍କୁ ଦଶ ବାର ବର୍ଷ ହେବ । ଅନ୍ଧ, କାଲ, ମୂକ, ପୁଣି ଦୁଇଗୋଡ଼ ଛୋଟା । ଜୋଲେଖା ଲକ୍ଷ୍ମଣ ଓ ସନାତନ । ତୁଷାର, ଦୁଷ୍ମନ୍ତ ଓ କ୍ଷଣପ୍ରଭାଙ୍କର ଅତି ଆଦର, ଅତି ସ୍ନେହର ପିଲା ତିନୋଟି । ସ୍ୱତନ୍ତ୍ର ବନ୍ଦୋବସ୍ତ । ଜଣେ ଚାକର ଏ ତିନି ପିଲାଙ୍କ ପାଇଁ ନିଯୁକ୍ତ । ଲୁଗାରେ କି ଦେହରେ ଟିକିଏ ମଇଳା ଲାଗିବ ନାହିଁ, କାହାରି ଟିକିଏ ଅସୁବିଧା ହେବ ନାହିଁ । ସାବଧାନ !

 

ବେଳ ନଅଟା, ସକାଳ ।

 

ଏତେ ଦିନକେ ଆଜି ସୁକାନ୍ତି ଆସିଛନ୍ତି, ଅରକ୍ଷନିବାସ ଦେଖିବେ । କ୍ଷଣପ୍ରଭାର ଅନୁରୋଧରେ ସେ ରାଧାମାଧବଙ୍କୁ ଭୁଲି ଆସିଛନ୍ତି । ସେହିମାନଙ୍କୁ ଦେଖିବାକୁ ସେ ଆସିଛନ୍ତି ଯାହାଙ୍କର ଦୁର୍ଦ୍ଦଶା ଦୁଃଖ ପାଇଁ କେବଳ ରାଧାମାଧବ ହିଁ ଦାୟୀ । ସୁକାନ୍ତିଙ୍କର ଧାରଣା, ପୂର୍ବଜନ୍ମର କର୍ମ ଫଳ ପାଇଁ ଲୋକେ ସୁଖ ଦୁଃଖ ଭୋଗ କରନ୍ତି ।

 

ସୁକାନ୍ତିଙ୍କ ସଙ୍ଗରେ ଅଛନ୍ତି କ୍ଷଣପ୍ରଭା ଓ ନୀହାରିକା । ତାଙ୍କ ପଛରେ ଦୁଷ୍ମନ୍ତ ତୁଷାରକାନ୍ତିର ହାତଧରି ଚାଲିଛି । ସଙ୍ଗରେ ଗୋପାଳବାବୁ ଓ ନଟବରବାବୁ । ଦିଓଟି ଉଦ୍ଦେଶ୍ୟ ଘେନି ଏ ଦିହେଁ ଦୁଷ୍ମନ୍ତଙ୍କ ସଙ୍ଗେ ଦେଖା କରିବାକୁ ଆସିଥିଲେ । ମା ଅରକ୍ଷ-ନିବାସ ଦେଖିବାକୁ ଯିବେ ବୋଲି କ୍ଷଣପ୍ରଭାଠାରୁ ସମ୍ବାଦ ପାଇ ବନ୍ଧୁ ଦୁହେଁ ତତ୍‌ପର ହୋଇ ଉଠିଲେ । ସୁକାନ୍ତିଙ୍କୁ ସବୁ ବୁଲାଇ ଦେଖାଇବାକୁ ଓ ବୁଝାଇବାକୁ ସେ ଦିହେଁ ମଧ୍ୟ କ୍ଷଣପ୍ରଭାର ପଛେ ପଛେ ଆସିଲେ । ଗୋପାଳ ଓ ନଟବର ଆସିଲେ ସଙ୍ଗରେ ।

 

ଆଜି ଦୁଷ୍ମନ୍ତର କର୍ମର ପ୍ରକୃତ ପରୀକ୍ଷା । ଏତେ ବଡ଼ ଅନୁଷ୍ଠାନ କରିବାକୁ ସେ ଯେବେ ଯାହା ଭାବିଛି କି କରିଛି, ସୁକାନ୍ତିଙ୍କୁ କେବେ କିଛି କହି ନାହିଁ । ଅନୁମତି ଲୋଡ଼ି ନାହିଁ । ତାର ଧାରଣା, ସେ ଯାହା କରିବ ସେଥିରେ ମା ବାଧା ଦେବେ ନାହିଁ । ଏଇ କାର୍ଯ୍ୟ ପାଇଁ ପ୍ରଦେଶ ଭିତରୁ ଓ ପ୍ରଦେଶ ବାହାରୁ କେତେ ବଡ଼ ବଡ଼ ଲୋକ ତାର ପ୍ରଶଂସା କଲେଣି । କାହାର ପ୍ରଶଂସା ନିନ୍ଦାରୁ ତାକୁ ମିଳିବ କ’ଣ ? ଯାହା କର୍ତ୍ତବ୍ୟ ବୋଲି ମଣିଛି ତାହାହିଁ ସେ କରିଛି । ମାଆ ଯଦି ସମର୍ଥନ ଜଣାନ୍ତେ, ଦୁନିଆଁର ସବୁ ଲୋକଙ୍କର ନିନ୍ଦା ପ୍ରଶଂସାକୁ ଆଡ଼େଇ ଦେଇ ସେ ଛାତି ଫୁଲାଇ ନିଜକୁ କହନ୍ତା, ଶ୍ରମ ସଫଳ ହୋଇଛି ପ୍ରାଣପାତ ପଣକରି ସେ ଲାଗିପଡ଼ନ୍ତା । ଦ୍ୱିଗୁଣ ଉତ୍ସାହରେ ।

 

ଆଝି ଦୁଷ୍ମନ୍ତର କର୍ମର ପରୀକ୍ଷା, ଆଉ, ତା ସଙ୍ଗେ ସଙ୍ଗେ ତୁଷାରକାନ୍ତିର ଉତ୍ସାହ, ପରିଶ୍ରମ ଓ କ୍ଷଣପ୍ରଭାର ଯତ୍ନ ଓ ନିପୁଣତାର ପରୀକ୍ଷା । ଅରକ୍ଷ–ନିବାସର ବିଭିନ୍ନ ବିଭାଗ ପରିଚାଳନା ପାଇଁ ଉପଯୁକ୍ତ ଲୋକ ନିଯୁକ୍ତ ହୋଇଥିଲ ବି ସବୁ କାର୍ଯ୍ୟର ଯୋଜନା ଦୁଷ୍ମନ୍ତ ତୁଷାର ଓ କ୍ଷଣପ୍ରଭାଙ୍କର ସୁଚିନ୍ତିତ ସମାଧାନର ଫଳ ।

 

ସୁକାନ୍ତି ନୀରବରେ ସବୁ ଦେଖୁଛନ୍ତି ସମସ୍ତଙ୍କୁ ଦେଖାଉଛନ୍ତି । ଅରକ୍ଷ ନିବାସର କର୍ମଚାରୀମାନେ ଆଜି ଅତି ତତ୍‌ପର । ଆଗ୍ରହରେ ଚାହିଁ ରହିଛନ୍ତି, ଯିଏ ଯାହା ପଚାରିବ ସଙ୍ଗେ ସଙ୍ଗେ ଉତ୍ତର ଦେବେ । ବାହାରୁ ଯେତେ ଦର୍ଶକ ଯେବେ ଆସିଛନ୍ତି, କେତେ ପ୍ରଶ୍ନ ପଚାରନ୍ତି । ଉତ୍ତର ଶୁଣି ସମର୍ଥନ କଲା ପରି ମୁଣ୍ଡ ହଲାନ୍ତି, ହସନ୍ତି, ଖୁସି ହୁଅନ୍ତି । ବିଦାୟ ନେଲାବେଳକୁ ଅରକ୍ଷ-ନିବାସର ଉନ୍ନତି ପାଇଁ କିଛି କିଛି ଦାନ କରି ଯାଆନ୍ତି ।

 

ସୁକାନ୍ତି କାହାକୁ କିଛି ପଚାରିଲେ ନାହିଁ, ବରଂ କ୍ଷଣପ୍ରଭା ଉତ୍ସାହରେ ନିଜ ମନକୁ କେତେକଥା କହି ଯାଉଥାଏ–

 

ଦେଖ ମା, ଦଶ ଏଗାର ବର୍ଷର ଏଇ ଅନ୍ଧ ପିଲାଟିକୁ ଦେଖ । ଖାଲି ଅନ୍ଧ ତ ନୁହେଁ, କାଲ ପୁଣି ବୋକା । କି ସୁନ୍ଦର ରୂପଟି । ଭିକ ମାଗି ପେଟ ପୋଷୁଥିଲା । ତାର ଘରଦ୍ୱାର, ବାପ ମା ଏ ସମ୍ବନ୍ଧରେ କେହି କିଛି ଜାଣନ୍ତି ନାହିଁ । ନଟବର ବାବୁ ତାକୁ ଦାଣ୍ଡରୁ ଆଣି ଛାଡ଼ିଛନ୍ତି । ସେଥିପାଇଁ ତା ନାମ ଦିଆ ହୋଇଛି ନଟବର ।

 

ଏ ଝିଅଟି, ହାତଗୋଡ଼ କେମ୍ପା, ବଙ୍କେଇ ବଙ୍କେଇ ଅତି କଷ୍ଟରେ ଚାଲେ । ପୁରୀ ଜିଲାରେ ଘର । ବାପ ମା ମଲେ, ଭାଇ ଭାଉଜ ଘରୁ ତଡ଼ି ଦେଲେ । କେତେ ଦୁଃଖ ପାଇଲା । କିଏ ଜଣେ ଆଣି ଏଠି ଛାଡ଼ି ଦେଇଗଲା । ତା ନାମ ସୁଭଦ୍ରା । କି ସୁନ୍ଦର ତାର କଣ୍ଠଟି । ତାକୁ ଗୀତ ଶିଖା ଯାଉଛି । ଥରେ ଯାହା ଶୁଣେ ମନେ ରଖେ ।

 

କିଲୋ, ସୁଭଦ୍ରା–

 

ଚଉଦ ପନ୍ଦର ବର୍ଷର ଝିଅଟି ସୁଭଦ୍ରା, ଚମ୍ପା ଫୁଲ ପରି ରଙ୍ଗ, ତୁଳିରେ ଆଙ୍କିଲା ପରି ନିଖୁଣ ମୁହଁଟି, ହସିଲା । କହିଲା, ମା, ଭାଇ ମୋର ଚିଠି ଲେଖିଛି । ତାର ପୁଅ ହୋଇଛି, କେଡ଼େ ସୁନ୍ଦର ପୁଅ । ତାକୁ ଟିକେ ଦେଖି ଆସିବାକୁ ମତେ ପଠାଇବ ନାହିଁ ?

 

ଆସି ନେଇ ଯିବାକୁ ଲେଖିଛି କି ?

 

ସୁଭଦ୍ରା ଉତ୍ତର ଦେଲା ନାହିଁ । ମୁହଁ ଶୁଖାଇଲା । ସୁକାନ୍ତି ଆଗକୁ ଚାଲିଲେ । କ୍ଷଣପ୍ରଭା ବି ।

 

ଏ ଲୋକଟି ଗଞ୍ଜାମ ବଡ଼–ଖେମୁଣ୍ଡି ଅଞ୍ଚଳରୁ ଆସିଛି । ସକାଳୁ ଉଠି ହଳ ବଳଦ ନେଇ ତା ଖାଉଁଦର ବିଲକୁ ଯାଇଥିଲା । ପାହାଡ଼ କଡ଼ରେ ଭାଲୁ ତାକୁ ଏ ଦଶା କରିଛି ।

କି ବିକଟାଳ ମୁହଁ । ମୁଣ୍ଡରେ ବାଳ ନାହିଁ । ନାକ କାନ ଆଖି ସବୁ ଯାଇଛି । ଦେହଯାକ ସିଆଁ ହୋଇଛି । ଆଇସ ଥିଲା ବଞ୍ଚିଛି । ଶୁଣିପାରେ, କହିପାରେ, କୂଅରୁ ପାଟି ଟାଣେ । ଦେଖିଲେ ଡର ମାଡ଼େ । ଭଲ ନାମଟିଏ ତାର, ତ୍ରିଲୋଚନ । କେହି ତାର ନାହାନ୍ତି । ଖାଉଁଦ ପଚାରିଲା ନାହିଁ । ମୂଲ ଦେଇ ହଳ କରିବାକୁ ପଠେଇଥିଲା, ଭଲ ମନ୍ଦକୁ ସେ କାହିଁକି ଲଗା ହେବ ?

ଏ ଲୋକଟି ଅବନୀ ବାବୁଙ୍କ କାଠ କାରଖାନାରେ କାମ କରୁଥିଲା । ଟିକିଏ ଅସାବଧାନତାରୁ ବାବୁଙ୍କ କରତ କଳରେ ହାତ ଦିଓଟି ହରେଇ ବସିଲା । ଅବନୀ ବାବୁ ବହୁତ ଯତ୍ନ ନେଇଛନ୍ତି । ବଞ୍ଚିଗଲା । କ’ଣ ତୋ ନାମ ?

ବୃନ୍ଦାବନ । ବାବୁ ଯଦି ସାହା ହେଇ ନ ଥାନ୍ତେ, ପ୍ରାଣ ରହି ନ ଥାନ୍ତା । ବାବୁ କେତେ ଟଙ୍କା ମତେ ଦେଲେ । ଭାଗ୍ୟକୁ ନିନ୍ଦିବି ସିନା, ତାଙ୍କୁ ନିନ୍ଦିବି କି ? ଟଙ୍କାତକ ପୁତୁରାକୁ ଦେଲି । ପୁଅ ମାଇପ ନାହାନ୍ତି, ପୁତୁରା ସେଇ, ପୁଅ ସେଇ । ଚାରିମାସ ଚଳେଇଲା । ସେଇଠୁ–

ଜଣ ଜଣଙ୍କର ଜୀବନର ସୁଖଦୁଃଖ କଥା ଶୁଣିବାକୁ କାହାରି ବେଳ ନାହିଁ । ସଭ୍ୟ ଦୁନିଆଁ । ଯନ୍ତ୍ର ଯୁଗ । ସମସ୍ତେ ଯେପରି ଯନ୍ତ୍ରରେ ଚାଲିଛନ୍ତି । ଗତ ମହାଯୁଦ୍ଧରେ ସାତକୋଟି ଅଶୀଲକ୍ଷ ମଣିଷ ମଲେ, ଅର୍ଥାତ୍‌ ଓଡ଼ିଶା ପ୍ରଦେଶର ଲୋକସଂଖ୍ୟାର ପାଞ୍ଚ ଗୁଣରୁ ଅଧିକ ଲୋକ ଦୁନିଆଁରୁ ବିଦାୟ ନେଲେ । ପଦଟିଏ ‘ଆହା’ରେ ସମସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କରିବାକୁ ହେବ ।

ଏଇ ଅରକ୍ଷନିବାସରେ ଯେତେ ଲୋକ ଆଶ୍ରା ନେଇଛନ୍ତି ସମସ୍ତଙ୍କର ଜୀବନର ଇତିହାସ କରୁଣ । ଗୋଟି ଗୋଟି କରି ଇତିହାସ ଚର୍ଚ୍ଚା କରି କି ଲାଭ ବା ହେବ ? ସୁଖ ଦୁଃଖର ସମଷ୍ଟି ହିଁ ମଣିଷ ଜାତି, ମଣିଷ ଜୀବନ । ଦୁଃଖ ଦୂର କରିବାକୁ ଯେଉଁ ବ୍ୟାକୁଳତା, ଯେଉଁ ଚେଷ୍ଟା, ସେତିକି କେବଳ ଜୀବନର ସାର୍ଥକତା ।

ଅରକ୍ଷ ନିବାସ ପରିଦର୍ଶନ କରି ସୁକାନ୍ତି ଫେରିଲେ । ସବୁ ସେ ଦେଖିଲେ, ଶୁଣିଲେ,ତୁଣ୍ଡ ଖୋଲିଲେ ନାହିଁ । ଫେରିଲାବେଳକୁ ପଚାରିଲେ କ୍ଷଣପ୍ରଭାକୁ, କେତେଜଣ ଅଛନ୍ତି ମା ?

ଦୁଷ୍ମନ୍ତ ଆଗ୍ରହରେ ଉତ୍ତର ଦେଲା, ଶହେ ଏଗାର ଜଣ ।

ଅରକ୍ଷ–ନିବାସ ପାଇଁ ଆହୁରି ଧନ ଲୋଡ଼ା । ବେଳୁବେଳ ସେମାନଙ୍କର ସଂଖ୍ୟା ବଢ଼ୁଛି-। ସମସ୍ୟା ବି ବଢ଼ୁଛି । ଅରକ୍ଷ ନିବାସର ଉଦ୍ଦେଶ୍ୟ ଲୋକେ ଯେତିକି ବୁଝୁଛନ୍ତି, ଖବର କାଗଜ ଜରିଆରେ ଯେତିକି ଏହାର ପ୍ରଚାର ବଢ଼ୁଛି, ସେତିକି ଅରକ୍ଷ ଆଶ୍ରା ନେବାକୁ ଧାଇଁ ଆସୁଛନ୍ତି । କାହାକୁ ମନା କରି ହେବ ନାହିଁ । ଯିଏ ଆସୁଛି ସେ ଅରକ୍ଷ ପୁଣି ଅକ୍ଷମ । ଲୋକେ ପ୍ରଶଂସା କରୁଛନ୍ତି ଧନ୍ୟ ଧନ୍ୟ କହୁଛନ୍ତି, କିନ୍ତୁ ଧନ ଦେବାବେଳକୁ ପଛାଇ ରହୁଛନ୍ତି ।

ନିଜେ ଦୁଷ୍ମନ୍ତ ତୁଷାର ଓ କ୍ଷଣପ୍ରଭା ଚିଠି ଲେଖି ଦେଶର ଗଣ୍ୟମାନ୍ୟ ଧନୀ ଲୋକଙ୍କୁ ଆବେଦନ କରି ମଧ୍ୟ ଆଶାନୁରୂପ ଫଳ ହେଉନାହିଁ । ଅହିଘରାକୁ ବାଇଗଣ ଫିଙ୍ଗିଲା ପରି କିଏ କେତେବେଳେ ଶହେ ପଚାଶ ପଠାଇ ଦେଉଛି, ସେତିକିରେ କଅଣ ବା ହେବ ।

ଅରକ୍ଷମାନଙ୍କର ରହିବା ପାଇଁ ନୂଆ ଘର ଲୋଡ଼ା । ଯେତେ ଘର ଥିଲା ଓ ଏ ଭିତରେ ଯେତେ ତୋଳା ହୋଇଥିଲା ସେଥିରେ ଆଉ ଥାନ ଅଣ୍ଟୁ ନାହିଁ । ନୂଆ ନୂଆ ବିଭାଗରେ ଶିକ୍ଷା ଦେବା ପାଇଁ କର୍ମୀ ଲୋଡ଼ା ସେମାନଙ୍କୁ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବେତନ ଦେବାକୁ ଲୋଡ଼ା ଧନ । ପ୍ରାୟ ଦୁଇଶ ଲୋକଙ୍କର ଅନ୍ନ ବସନ ପାଇଁ ଯେତେ ଯାହା ଲୋଡ଼ା, ଦୁଷ୍ମନ୍ତ ଦାନ କରିଥିବା ଜମିଦାରୀର ଆୟ ଓ ଧନର ସୁଧରୁ ତୁଲାଇ ହେଉନାହିଁ ।

 

ଆହୁରି ଗୋଟିଏ ବିପଦ । ଗୋପାଳ ବାବୁଙ୍କ ସହକର୍ମୀମାନେ ଗାଁ ଗଣ୍ଡାକୁ ଯାଇ ନିରୀହ ଲୋକଙ୍କୁ ନାନା କଥା କହି ମତାଉଛନ୍ତି । ଆଇନ ବିରୁଦ୍ଧ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଉଛନ୍ତି । ଲୋକେ ବୁଝନ୍ତୁ ନ ବୁଝନ୍ତୁ ମାତିଯିବା ସ୍ୱାଭାବିକ । ଫଳତଃ ଜମିଦାରୀର ଆୟ କମୁଛି । ଧାନ ଚାଉଳ ଯାହା ଆସୁଥିଲା ସେ ବି ପୁରାପୂରି ମଳୁନାହିଁ କି ଆସୁନାହିଁ । ପ୍ରଜାଙ୍କ ବିରୁଦ୍ଧରେ ନାଲିସ୍‍ କରିବାହିଁ ସାର ହେଉଛି ।

 

ଦୁଷ୍ମନ୍ତର ଲାଇବ୍ରେରୀରେ ବସିଛି ମନ୍ତ୍ରଣା ସଭା । ଦିନ ପ୍ରାୟ ତିନିଟା । ଭବିଷ୍ୟତ କର୍ମପନ୍ଥା ସ୍ଥିର କରିବାହିଁ ଏହି ବୈଠକର ଉଦ୍ଦେଶ୍ୟ ।

 

ନଟବର କହିଲେ, ମୋ ବିବେଚନାରେ ଉଦ୍ୟମଟି ଆମର ଶକ୍ତିରୁ ବଳାଇ ପଡ଼ିଲାଣି । ଧନ ଅଭାବ, ସ୍ଥାନ ଅଭାବ, କର୍ମୀ ଅଭାବ । ତୁଷାରକାନ୍ତି, ଦୁଷ୍ମନ୍ତ କି କ୍ଷଣପ୍ରଭା କଣ କରିପାରିବେ-? ଆରମ୍ଭ କରାଗଲା, କିଛିଦୂର ଆଗେଇ ଦିଆଗଲା । ଏଥର ଅନୁଷ୍ଠାନଟି ସର୍ବସାଧାରଣଙ୍କୁ ହାତରେ ଛାଡ଼ି ଦିଆଯାଉ । ଖବର କାଗଜରେ ଏହି ପ୍ରସ୍ତାବ ପ୍ରକାଶ କରି ଲୋକଙ୍କୁ ଜଣାଇ ଦିଆଯାଉ । ଟାଉନହଲ୍‌ରେ ସଭା ହେବ ସମୟ ଓ ତାରିଖ ଛାପି ନୋଟିସ୍‌ ବଣ୍ଟାଯାଉ । ସେହି ସଭାରେ ଅନୁଷ୍ଠାନର ଚଳାଚଳ ଭାର ସର୍ବସାଧାରଣଙ୍କ ହାତରେ ଛାଡ଼ି ଦିଆଯାଉ । ସେମାନେ କର୍ମକର୍ତ୍ତା ନିର୍ବାଚନ କରନ୍ତୁ, ଅନୁଷ୍ଠାନକୁ ଚଳାନ୍ତୁ । ଲୋକଙ୍କ ଉପରେ ଦାୟିତ୍ୱ ପଡ଼ିଲେ ସେମାନଙ୍କର ସମବେତ ଚେଷ୍ଟାରେ କାର୍ଯ୍ୟଟି ଭଲ ଭାବରେ ଚଳିବ ବୋଲି ମୋର ବିଶ୍ୱାସ ।

 

ସମସ୍ତେ ତୁନି ରହିଲେ । ନଟବର ବାବୁଙ୍କର ପ୍ରସ୍ତାବର କାର୍ଯ୍ୟକାରିତା ବିଷୟ ଚିନ୍ତା କରିବାକୁ ଲାଗିଲେ । ତୁଷାର କହିଲା, ଆପଣ ଯାହା କହିଲେ ସେଇଟା ଆଦର୍ଶ ଓ କର୍ତ୍ତବ୍ୟ ବୋଲି ବୋଲି ଧରି ନିଆଯାଇପାରେ, କିନ୍ତୁ ସର୍ବସାଧାରଣ ବୋଲି ଯାହାକୁ କହୁଛନ୍ତି ସେମାନେ ଖାଲି ହୋ ହୋ ହେବେ ସିନା କାର୍ଯ୍ୟ କରିବାକୁ ଅଣ୍ଟାଭିଡ଼ି ବାହାରିବେ ନାହିଁ ।

 

ଦୁଷ୍ମନ୍ତ କହିଲା, ଯଦି ସର୍ବସାଧାରଣଙ୍କର ସୁଦୃଷ୍ଟି ପଡ଼ିଥାନ୍ତା, ଆଜି ଆମକୁ ଏତେ ଭାବିବାକୁ ପଡ଼ନ୍ତା ନାହିଁ । ଅନୁଷ୍ଠାନ ତ ଅଛି, ସହାନୁଭୂତି ନାହିଁ । ସର୍ବସାଧାରଣ ବୋଲି ଯାହାକୁ କହୁଛନ୍ତି ତାହା ଗୋଟିଏ ନିର୍ଜୀବ ଯନ୍ତ୍ର । ସେ ଯନ୍ତ୍ରର ହୃଦୟ ନାହିଁ, ବିଚାରଶକ୍ତି ନାହିଁ । ସବୁଚାଲେ ଉତ୍ତେଜନାରେ । ଉତ୍ତେଜନା କମିଲେ ଅଚଳ ହୁଏ । ମୋର ଧାରଣା, ଗଣର ସମଷ୍ଟି ରାଜତ୍ୱ ଅପେକ୍ଷା ଜଣର ରାଜତ୍ୱ ଭଲ । ସେ ସ୍ୱାର୍ଥତ୍ୟାଗର ମୂର୍ଚ୍ଛନାରେ କାମ କରେ, ପ୍ରାଣପାତ କରେ । ଗଣ ବା ଗଣ ନାମ ଧରି ମୁଷ୍ଟିମେୟ କେତେଜଣ କାମ କରନ୍ତି ନାମ ପାଇଁ, ଯଶ ବା କ୍ଷମତା ପାଇଁ-। ଏଇ ଶିଶୁ ଅନୁଷ୍ଠାନକୁ ଗଣଙ୍କ ହାତରେ ଛାଡ଼ିଦେବା ମାନେ ଦୁଇଶ ଅପାରଗଙ୍କୁ ପୁଣି ବାଟ କଡ଼କୁ ତଡ଼ିଦେବା ।

 

କ୍ଷଣପ୍ରଭା କହିଲା କେତେଦିନ ଆପଣମାନେ ଏ ଅନୁଷ୍ଠାନଟି ବା ଏହିପରି ଅନୁଷ୍ଠାନଗୁଡ଼ିକ ନିଜ ହାତରେ ରଖି ଚଳାଇ ପାରିବେ ? ଅରକ୍ଷ ଅପାରଗ ସମସ୍ୟା ଆଜି ଏଇଠି ଶେଷ ହେବ ନାହିଁ । ଏ ସମସ୍ୟା ଚିରଦିନ ଥିଲା, ଚିରଦିନ ରହିବ । ଚିରଦିନ ଆମେ ବା ଆମର ଉତ୍ସାହ ବଞ୍ଚି ରହିବ ନାହିଁ । ଦିନେ ନା ଦିନେ ବାଧ୍ୟହୋଇ ଏ ଅନୁଷ୍ଠାନ ସର୍ବସାଧାରଣଙ୍କ ହାତକୁ ଯିବ । ତେବେ, ଆଜିଠାରୁ ସେମାନଙ୍କ ହାତରେ ଏଇ ଅନୁଷ୍ଠାନଟିକୁ ଟେକି ଦେବା ଭଲ ।

 

ଦିଷ୍ମନ୍ତ କହିଲା, ସର୍ବସାଧାରଙ୍କର ହାତରେ ଅନୁଷ୍ଠାନଟି ଛାଡ଼ିଦେବାକୁ କାହାରି କିଛି ଆପତ୍ତି ନାହିଁ । ସେମାନଙ୍କ ହାତକୁ ଗଲେ ଆମର ଦାୟିତ୍ୱ ଓ ଉତ୍ସାହ ଏହି ପରିମାଣରେ ରହିବ ତ-? ଶେଷକୁ ତାହାହିଁ କରିବାକୁ ପଡ଼ିବ, ତେବେ, ତା ଆଗରୁ ଅନୁଷ୍ଠାନକୁ ସ୍ୱାବଲମ୍ବୀ କରିପାରିଲେ ଭଲ ହେବ ।

 

କ୍ଷଣପ୍ରଭା କହିଲା, କିପରି ଏହା ସମ୍ଭବ ହେବ ? ଅବଶ୍ୟ ଅରକ୍ଷମାନଙ୍କ ଭିତରେ ଅନେକ ଅଛନ୍ତି ଯାହାଙ୍କର କର୍ମର ମୂଲ୍ୟରେ ଅକ୍ଳେଶରେ ସେମାନେ ନିଜର ଜୀବିକା ଚଳାଇ ପାରିବେ । ସେମିତି ଅଛନ୍ତି କେତେଜଣ ? ସେମାନଙ୍କୁ ଯଦି ପଦାକୁ କାଢ଼ି ଦିଆଯାଏ, କର୍ମକୁଶଳ ହେଲେ ମଧ୍ୟ ହୁଏତ ସେମାନଙ୍କୁ ପୁଣି ବାଟ କଡ଼ରେ ଠିଆ ହୋଇ ହାତ ପାତିବାକୁ ପଡ଼ିବ । କିଏ ତାଙ୍କର ଯତ୍ନ ନେବ ?

 

ତୁଷାର କହିଲା, ବାଟ କଡ଼କୁ ସେମାନଙ୍କୁ ବିଦାୟ ନ ଦେଇ, ଯିଏ ଯେଉଁ କର୍ମରେ ସୁଦକ୍ଷ ତାକୁ ସେହି କର୍ମ ଚଳାଉଥିବା ଲୋକ ବା ଅନୁଷ୍ଠାନର ତତ୍ୱାବଧାନରେ ଛାଡ଼ି ଦିଆଯାଇପାରେ । ତା ହେଲେ ଅରକ୍ଷ ନିବାସରେ ନୂଆ ଲୋକଙ୍କପାଇଁ ସ୍ଥାନ ହୋଇଯିବ ।

 

କ୍ଷଣପ୍ରଭା କହିଲା, ଯାହାଙ୍କ ପାଖରେ ନେଇ ତାଙ୍କୁ ଛାଡ଼ିବ ସେମାନେ ଯେ ଏଇ ଅପାରଗ ଲୋକଙ୍କ ପ୍ରତି ଭଲ ବ୍ୟବହାର କରିବେ ତାର କି ସ୍ଥିରତା ଅଛି । ଯାହାଙ୍କୁ ଅନୁଷ୍ଠାନରୁ ବିଦାୟ ଦେବ ସେମାନଙ୍କ ପାଇଁ ଅନୁଷ୍ଠାନର ଖର୍ଚ୍ଚ ବା କ’ଣ ହେଉଛି ? ନିଜର ଖର୍ଚ୍ଚ ସେମାନେ ନିଜେ ଭେଉଛନ୍ତି । ସେମାନେ ଗଲେ ଅନୁଷ୍ଠାନର ମହତ୍ୱ ଓ ଆଦର୍ଶ ରହିବ ନାହିଁ ।

 

ସମସ୍ତେ ନୀରବ ହେଲେ ।

 

ନଟବର କହିଲେ, ଆଉ ଗୋଟିଏ ଭାବନା ମୋ ମନକୁ ଆସୁଛି । ଯଦି ଅନୁଷ୍ଠାନରେ ଆଶ୍ରୟ ନେବା ଲୋକଙ୍କର ସଂଖ୍ୟା ସ୍ଥିର କରାଯାଏ ତେବେ ଅସୁବିଧା ହେବ ନାହିଁ । ସାର୍ବଜନୀନ ବିଦ୍ୟାଳୟ ବିଭିନ୍ନ ବିଭାଗରେ ଦିନୁ ଦିନ ଛାତ୍ରସଂଖ୍ୟା ଯେପରି ବଢ଼ୁଛି ସଂଖ୍ୟା ନିର୍ଣ୍ଣୟ ନ କଲେ ଭବିଷ୍ୟତରେ ସେ ଅନୁଷ୍ଠାନଟିକୁ ଚଳାଇ ହେବ ନାହିଁ । ବିଭାଗୀୟ ପୃଷ୍ଠପୋଷକମାନେ ସର୍ବସାଧାରଣଙ୍କ ସାହାଯ୍ୟ ବିନା ଧନ ଦେଇ କାର୍ଯ୍ୟ ଚଳାଇ ପାରିବେ ନାହିଁ । ସେମାନଙ୍କ ମଧ୍ୟରୁ କେହି କେହି ବୀତସ୍ପୃହ ହେବାର ମୁଁ ଲକ୍ଷ୍ୟ କଲିଣି । ଛାତ୍ରସଂଖ୍ୟା ସ୍ଥିର କରିବାର ସମୟ ଆସିଲାଣି-। ଗୋଟିଏ ବିଶେଷ ଅଧିବେଶନ ଡକାଇ ଏ ବିଷୟ ସମସ୍ତଙ୍କ ଆଗରେ ପକାଇବି ବୋଲି ମୁଁ ମନେକରିଛି । ଅବିକଳ ସେହିପରି ପରିସ୍ଥିତି ଅରକ୍ଷ–ନିବାସ ଚଳନରେ ଉପସ୍ଥିତ ହୋଇଛି ।

 

ନଟବର ତୁନି ହେଲେ । ଅନ୍ୟମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ତୁଷାରକାନ୍ତି କହିଲା, ବାଟ କ’ଣ, ଗତି କୁଆଡ଼େ ? ନଟବରବାବୁଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ଛଡ଼ା ଅନ୍ୟ ଉପାୟ ଦିଶୁ ନାହିଁ । ଯୋବ୍ରାର ସାର୍ବଜନୀନ ବିଦ୍ୟାଳୟରେ ପ୍ରଦେଶର ଓ ଦେଶର ସବୁ ଛାତ୍ର ଯୋଗ ଦେଇପାରିବେ ନାହିଁ କି ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାହୋଇ ପାରିବ ନାହିଁ । ଦୁଷ୍ମନ୍ତର ଅରକ୍ଷ–ନିବାସରେ ଦେଶର ସବୁ ଅପାରଗ ଅରକ୍ଷ ବି ସେମିତି ଆଶ୍ରୟ ନେଇପାରିବେ ନାହିଁ ।

 

ତୁଷାର ଭାବିବାକୁ ଲାଗିଲା, ତେବେ ? ଅନୁଷ୍ଠାନ ଦୁଇଟିକୁ ଭଲମନ୍ଦ ନ ବିଚାରି ସର୍ବସାଧାରଣ ହାତରେ ଛାଡ଼ି ଦେବାକୁ ହେବ, ନୋହିଲେ ସଂଖ୍ୟା ସ୍ଥିର କରି କେବଳ ଦିଓଟି ଆଦର୍ଶ ଅନୁଷ୍ଠାନ କରି ରଖିବାକୁ ହେବ । ଲୋକେ ଆହୁରି ଅନୁଷ୍ଠାନ ଖୋଲନ୍ତୁ ।

 

ତୁଷାରକାନ୍ତି ମନକଥା କହିଲା ।

 

ବାଧାଦେଲା ଦୁଷ୍ମନ୍ତ, ଆଦର୍ଶ ଆଉ ରହିବ କିପରି ? ଲୋକେ ଯଦି ଏହିପରି ଅନୁଷ୍ଠାନମାନ ଖୋଲିବାକୁ ଆଗେଇ ନ ଆସନ୍ତି ତେବେ ପୁଣି ଆମେ ବାଟକଡ଼ରେ ଅରକ୍ଷ–ଅପାରଗଙ୍କୁ ମୁଠାଏ ଭାତ ଆଉ ଖଣ୍ଡିଏ କନା ପାଇଁ ହାତପାତି ଭିଖ ମାଗିବାର ଦେଖିବା । ଆଶାମୁଖରେ ଆଶ୍ରା–ନେବାକୁ ଯେଉଁ ଅପାରଟି ଆସି ତମରି ଆଗରେ ଭୋକିଲା ପେଟ, ଛାତିରେ ପିଞ୍ଜରା ହାଡ଼ ଦେଖାଇ ଠିଆ ହେବ, କେଉଁ ସାହସରେ ତମେ ତାକୁ ମନାକରି କହିବ ଯେ ଅନୁଷ୍ଠାନରେ ସ୍ଥାନ ଖାଲି ନାହିଁ ?

 

ଦୁଷ୍ମନ୍ତର ଆଖି ଛଳ ଛଳ । କ୍ଷଣପ୍ରଭା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ତାର ମୁହଁକୁ । ମଣିଷର ଦୁଃଖ ପାଇଁ ମଣିଷର ଛାତିରେ ଏତେ ବ୍ୟଥା ଥାଏ ? ବ୍ୟଥା ଭରା ଚାହାଣୀ ଓ ଛଳଛଳ ଆଖି ଦିଶେ ଏଡ଼େ ସୁନ୍ଦର ! ସତେକି ଦୁଷ୍ମନ୍ତକୁ ସେ ଆଜି ନୂଆକରି ଦେଖିଲା, ତାର ପରିଚୟ ପାଇଲା ।

 

ଦୁଷ୍ମନ୍ତ ଆଖି ନୋଇଁଲା ।

 

ତୁଷାରକାନ୍ତି କହିଲା, ହୁଏତ ତାହାହିଁ କରିବାକୁ ହେବ ଓ ସେହି ଅପାରଗକୁ ଘଉଡ଼ି ଦେବାକୁ ହେବ ସର୍ବସାଧାରଣଙ୍କ ପାଖକୁ । ଏଡ଼େ ଭାବପ୍ରବଣ ହେଲେ ଚଳିବ ଦୁଷ୍ମନ୍ତ ? ଆଦର୍ଶ ଆମେ ଆଖି ଆଗରେ ଧରିବା । ସର୍ବସାଧାରଣ ମାଡ଼ିଚାଲନ୍ତୁ ଆଗକୁ । ନଟବର ବାବୁଙ୍କର ଉପଦେଶହିଁ ଠିକ୍‌, ସଂଖ୍ୟା ନିରୂପଣ, ନୋହିଲେ, ସମ୍ଭାଳି ହେବ ନାହିଁ ।

 

ପ୍ରଭା ପଚାରିଲା, ସର୍ବସାଧାରଣ ଯଦି କିଛି ନ କରନ୍ତି ?

 

ତୁଷାରକାନ୍ତି ତୁନି ହେଲା । ଭାବିଲା, ସର୍ବସାଧାରଣ କାହାକୁ ବୁଝାଏ ? ବିଭିନ୍ନ କର୍ମ ପାଇଁ ଏହାର ସଂଜ୍ଞା ଭିନ୍ନ । ଏ କ୍ଷେତ୍ରରେ ବୁଝାଉଛି ଧନୀ । ଯଦି ସେମାନେ ଆଗଭର ନ ହୁଅନ୍ତି, ଲୋକହିତକର କୌଣସି କାର୍ଯ୍ୟ ହୋଇପାରିବ ନାହିଁ । କ୍ଷତି ହେବ କାହାର ? ସ୍ୱାର୍ଥ ଆଉ ଭବିଷ୍ୟତ ସୁଖ ଆଶାରେ ଯେ ଦେଶ ଓ ଦଶ ପ୍ରତି କର୍ତ୍ତବ୍ୟ ଭୁଲିବ, ସେହି ହେବ ଦେଶର ଶତ୍ରୁ, ନିଜର ପରମ ଶତ୍ରୁ । ଧ୍ୱଂସର ନିଆଁ ଯେ ଜଳି ଉଠିଛି ଦୁନିଆଁର କେତେ ଦେଶରେ, ତାର ପ୍ରଧାନ କାରଣ ସ୍ୱାର୍ଥତ୍ୟାଗର ଅଭାବ, ପଡ଼ୋଶୀର ସୁଖ ଦୁଃଖ ପ୍ରତି ଉଦାସୀନ ଭାବ ।

 

ତୁଷାରକାନ୍ତିର ମନେପଡ଼ିଲା ଗୋପାଳ ବାବୁଙ୍କ କଥା । କେତେଥର ସେ ଦୁଷ୍ମନ୍ତକୁ ଛଳାଇ କହିଛନ୍ତି, ଯାହା ଅଛି ତାକୁ ଦେଶର ମଙ୍ଗଳ ପାଇଁ ନିୟୋଜିତ କରିବା ଓ ନୀତି ହିସାବରେ ତୁଣ୍ଡରେ କହିଯିବା ସହଜ, କାର୍ଯ୍ୟରେ ପରିଣତ କରିବା କଷ୍ଟ । ଆଦର୍ଶ ହିସାବରେ ଠିକ୍‌ ଅଛି, କିନ୍ତୁ ସେ ଆଦର୍ଶରେ ଭକ୍ତ କେତେଜଣ ? ଯାହାର ଅଛି , ଯିଏ ଯୁଗ ଯୁଗ ଧରି ଅଛିର ମହୁ ଚାଟିଛି, ସେ କଣ ଯାହାର ନାହିଁ ତା ପାଖକୁ ଆଗେଇ ଆସିବ, ମୁଠା ଖୋଲି ନେବାକୁ ନିମନ୍ତ୍ରଣ କରିବ ? ମଣିଷର ଜନ୍ମଗତ ସ୍ୱାର୍ଥପରତା ସେ ଛାଡ଼ିବ କିପରି ?

 

ସେଇଥିପାଇଁ ତାଙ୍କର ନୂଆ ନୀତି, –ଯାହା ଅଛି ତାର ପାଉଁଶ ଉପରେ ନୂଆ ସୃଷ୍ଟି, ସଭ୍ୟତା ଓ କୃଷିକୁ ଆହୁରି ପାଦେ ଆଗକୁ ଠେଲିବା, ସାର୍ଥକୁ ମଣିଷ ପ୍ରକୃତିରୁ ଲୋପ କରିବା, ଅଥବା ତାରି ପରିସର ବଢ଼ାଇ ସମଗ୍ର ଦେଶ ବା ସମଗ୍ର ଦୁନିଆଁକୁ ସେଇ ପରିସର ମଝିକୁ ଟାଣି ଆଣିବା । ଲୋକେ ଯଦି ସ୍ୱାର୍ଥ ଛାଡ଼ିବାକୁ ଆଗେଇ ନ ଆସନ୍ତି, ସ୍ୱାର୍ଥ ତାଙ୍କଠାରୁ ଛଡ଼ାଇ ଆଣିବାକୁ ହେବ । ସମସ୍ତଙ୍କର ସ୍ୱାର୍ଥ ହେବ । ସମସ୍ତଙ୍କର ସ୍ୱାର୍ଥର ସନ୍ନିବେଶରେ ହେବ ଯେଉଁ ସମାଜ ସେ ଦେଖିବ ସମସ୍ତଙ୍କୁ ସମାନ ଚକ୍ଷୁରେ । ଅରକ୍ଷ-ନିବାସ ପାଇଁ ଆବେଦନ କରିବା, ଚାନ୍ଦା ମାଗିବା ଦରକାର ପଡ଼ିବ ନାହିଁ । ସବୁ ଅପାରଗ ଦେଶର ଓ ସମାଜର ଦାୟିତ୍ୱ ହୋଇ ରହିବେ ।

 

ଧ୍ୱଂସ କଣ ଅନିବାର୍ଯ୍ୟ ?

ଦୁଷ୍ମନ୍ତ ପଚାରିଲା, ତୁନି ରହିଲୁ ଯେ ?

ତୁଷାର କହିଲା, ଉତ୍ତର ଦେଇପାରୁ ନାହିଁ । କେବଳ ଭାବୁଛି ମୁଁ ସରକାରଙ୍କୁ ସାହାଯ୍ୟ ଆବେଦନ କରିବି ।

ଦୁଷ୍ମନ୍ତ କହିଲା, ଆବାଦନ ତୁ କର । ମୋର ପନ୍ଥା ଅଲଗା । ସେଥିପାଇଁ ମୁଁ କ୍ଷଣପ୍ରଭାଙ୍କର ସାହାଯ୍ୟ ଲୋଡ଼େ ।

ମୋର ସାହାଯ୍ୟ ?

ହଁ । ତମେ ନିଜେ ଯାଇଁ ଦେଶର ଧନୀମାନଙ୍କୁ ଏଇ ଅନୁଷ୍ଠାନଟି ପାଇଁ ଭିକ୍ଷା ମାଗିବ । ସାର୍ବଜନୀନ ବିଦ୍ୟାଳୟ ପାଇଁ ଯେମିତି ମାଗିଥିଲ ।

କିନ୍ତୁ–

ତୁଷାରକାନ୍ତି କହିଲା, ଦେଖ, ଚେଷ୍ଟାକର, ଦେଶରେ ଧନ କୁବେରଙ୍କର ଅଭାବ ନାହିଁ । ସେମାନଙ୍କୁ ଯଦି ଅନୁପ୍ରାଣିତ କରିପାରିବ, ତେବେ ଅନ୍ତତଃ କିଛିଦିନ ପାଇଁ ନିଶ୍ଚିତ ହୋଇପାରିବା । ଅରକ୍ଷ ଆଉ ହତାଶହୋଇ ବାହୁଡ଼ିବେ ନାହିଁ ।

ତମେ ଦିହେଁ ତ ସେପରି ଆବେଦନ ଓ ଭିକ୍ଷା କରି ପାରନ୍ତ ।

ତୁଷାର କହିଲା, ଆମେ ବି ଯିବୁ, କିନ୍ତୁ ତୁମକୁ ଯିବାକୁ ହେବ ।

ନାରୀର ଆବେଦନ ବିଫଳ ହୁଏ ନାହିଁ !

 

ଟଂଟଂ ହୋଇ କାନ୍ଥଘଣ୍ଟା ସଂକେତ ଦେଲା, ରାତି ଦୁଇଟା । କ୍ଷଣପ୍ରଭାର ଆଖିକୁ ନିଦ ନାହିଁ । କେତେ ଭାବନା ଆଜି ତାର ମୁଣ୍ଡରେ ପଶିଛି । ମୁଣ୍ଡ ଗରମ ହୋଇଛି । ବିଜୁଳି ପଙ୍ଖା ମୁଣ୍ଡ ଉପରେ ଧୀରେ ଧୀରେ ବୁଲୁଛି । କ୍ଷୀଣ ନୀଳ ଆଲୁଅରେ କୋଠରୀଟି ଇଷତ୍‌ ଆଲୋକିତ ।

 

ପାଖ ପଲଙ୍କରେ ତୁଷାରକାନ୍ତି । କେଡ଼େ ଶାନ୍ତିରେ ସେ ଶୋଇଛି । ଠିକ୍‌ ହେଉ କି ଭୁଲ ହେଉ ଯେଉଁ ଆଦର୍ଶକୁ ସେ ନିଜର କରିଛି, ଯାହା ପାଇଁ ସେ ସବୁ ଭୁଲିଛି, ସେ ଆଦର୍ଶ ଯେତେବେଳେ ସଫଳ ହୋଇଛି, ତାର ଆଉ ଭାବନା କଣ ? ସେ ନିଶ୍ଚିତ । ମନ ଭିତରେ ସପନର ବି ସ୍ଥାନ ନାହିଁ । ଦୁଷ୍ମନ୍ତ ଯେପରି ତାର କର୍ମୀ କ୍ଷଣପ୍ରଭା ବି ତାର ସେହିପରୀ କର୍ମୀ ।

 

ଦୁଷ୍ମନ୍ତ ସଙ୍ଗରେ କ୍ଷଣପ୍ରଭା କେତେ ଲୋକଙ୍କ ପାଖକୁ ଯାଇଛି, ଅନୁରୋଧ କରିଛି ସାହାଯ୍ୟ ପାଇଁ । କେତେ ଜାଗାରୁ ବିଫଳ ହୋଇ ଫେରିଛି । କେତେ ଜାଗାରେ ସଫଳ ବି ହୋଇଛି-। ବେଳେ ବେଳେ ଦୁଷ୍ମନ୍ତର କାରରେ ଏକୁଟିଆ ସେ ଯାଇଛି ଅରକ୍ଷ–ନିବାସ ପାଇଁ ଭିକ୍ଷା ମାଗିବାକୁ-

 

ଦୁଇମାସ ଅକ୍ଳାନ୍ତ ପରିଶ୍ରମ ସେ କରିଛି । ନିଜ ହାତରେ ହଜାର ହଜାର ଟଙ୍କା ଆଣି ଅଜାଡ଼ି ଦେଇଛି ତୁଷାରକାନ୍ତି ଆଗରେ । ହଜାର ହଜାର ଟଙ୍କାର ପ୍ରତିଜ୍ଞା ପାଇଛି । ହସି ହସି ତୁଷାର କହିଛି, ଟଙ୍କାର ଅଭାବ ହେବ ନାହିଁରେ ଦୁଷ୍ମନ୍ତ, ଟଙ୍କା ମିଳିବ । କେବଳ ଲୋକଙ୍କର ହୃଦୟକୁ ଅନୁପ୍ରାଣିତ କରିପାରିଲେ ହେଲା ।

 

ଦୁଷ୍ମନ୍ତ କହିଲା କ୍ଷଣପ୍ରଭା ସେ ବିଦ୍ୟା ଜାଣନ୍ତି ।

 

କ୍ଷଣପ୍ରଭା ଜାଣେ ? ଲୋକଙ୍କର କୁଣ୍ଠିତ ମନକୁ ତରଳାଇ ତାଙ୍କର ମୁଠା ଭିତରୁ ଟଙ୍କା ଆଣିବାର ଉପାୟ ଜାଣେ କ୍ଷଣପ୍ରଭା ? ଟଙ୍କା ଯେ ଦେଇଛି, ସେ କଣ ଦେଇଛି ଅରକ୍ଷ–ନିବାସ ପାଇଁ, ଅଥବା କ୍ଷଣପ୍ରଭାର ଉପସ୍ଥିତ ପାଇଁ । ସେ ନିଜକୁ ଭଲକରି ସଜାଇଛି, ସେ ହସି ଜାଣିଛ, କଥା କହିବାର କାୟଦା ଶିଖିଛି । ଦେବା ଲୋକ ଓ ନ ଦେବା ଲୋକ ସେ ଚିହ୍ନିଛି । ପଦଟିଏ କଥା କହିଲେ ଆଖିକୁ ଚାହିଁ ସେ ଜାଣିପାରେ । ହାତ ବଢ଼ାଇ କରମର୍ଦ୍ଦନ କରେ । ଟଙ୍କା ଦେବାର ଆଗ୍ରହ ଜନ୍ମାଏଁ ମନରେ ।

 

ନିଆଁ ସଙ୍ଗେ ଖେଳିଛି, ପରକୁ ତତାଇଛି, ନିଜେ ବି ତାତିଛି । ଦୋଷ କାହାର ଦେବ ?

 

ସଞ୍ଜର ଘଟଣା, – ମିଷ୍ଟର ପୃଷ୍ଟି, ଲକ୍ଷପତି, ବ୍ୟବସାୟୀ ଯୁବକ । ଦୁଇଥର ସେ ଦେଇଥିଲେ । ପ୍ରଥମ ଥର କ୍ଷଣପ୍ରଭା ହସିଥିଲା । ଦ୍ୱିତୀୟ ଥର କରମର୍ଦ୍ଦନ କରି ନିଜେ ପୃଷ୍ଟି ପାଖରେ ବସିଥିଲା । ଆଉ ସେ ସେଦିନ କାରରେ ଆଣି ଘର ଆଗରେ ଛାଡ଼ି ଦେଇ ଯାଇଥିଲେ । ତୃତୀୟ ଥର ଟଙ୍କା ସଙ୍ଗେ ସଙ୍ଗେ ମୂଲ୍ୟବାନ୍‌ ହାରଟି ଲମ୍ବାଇ ଦେଲେ ଗଳାରେ । କ୍ଷଣପ୍ରଭାର ଓଠରୁ ହସ ନ ଲିଭୁଣୁ ନିଜର ହସିଲା ଓଠ, ଥରିଲା ଓଠ ମିଶାଇ ଦେଲେ ସେଇ ରଙ୍ଗିମା ହସିଲା ଓଠରେ ।

 

ଆଜି ସଞ୍ଜରେ ଯେଉଁ ନିଆଁ ସେ ଜାଳିଥିଲା, ସେଇ ନିଆଁରେ ସେ ଦହି ହେଉଛି । ତୁଷାରକାନ୍ତିର ଆଦର୍ଶ ପାଇଁ ନିଜର ଆଦର୍ଶରେ ସେ ବୋଲିଛି କାଳି । ମନ ଯେତେବେଳେ ନଇଁଛି, ପବିତ୍ରତା ଆଉ କାହିଁ । ସ୍ୱାମୀର ଆଦର୍ଶ ପାଇଁ, ଧନ ପାଇଁ ନିଜକୁ କଣ ସେ ଖସାଇ ଆଣିବ ତଳକୁ-?

 

ସ୍ୱାମୀ ! ଏଇ–, ନିଗଢ଼ ନିଦରେ ଅଚେତନ !

 

ହୁଏତ ସ୍ୱପ୍ନ ଦେଖୁଛନ୍ତି କ୍ଷଣପ୍ରଭା ଯିବ, ଦୁଷ୍ମନ୍ତ ଯିବ, ଦୁନିଆଁରେ ଟଙ୍କାଗୁଡ଼ା ମାଟିଗୋଡ଼ି ପରି ପଡ଼ିଛି, ଗୋଟେଇ ଆଣିବେ ଲକ୍ଷଲକ୍ଷ ଟଙ୍କା । ଅରକ୍ଷ–ନିବାସ ଆହୁରି ବଡ଼ ହେବ । ଦେଶର ସବୁ ଅରକ୍ଷ– ଅନ୍ଧ, ଖଞ୍ଜ, ମୁକ, ବଧିର ସମସ୍ତେ ଆସି ଏଇଠି ରହିବେ । ସେମାନଙ୍କର ଦୁଃଖ ଯିବ ।

 

କ୍ଷଣପ୍ରଭା ଉଠି ବସିଲା । ଲୁଗାତଳେ ଛାତି ଉପରେ ପୃଷ୍ଟରେ ହାରଟି କାଳ-ସାପ ପରି ଲମ୍ବିଛି, ସତେକି ଦେହସାରା ବିଷ ଚହଟାଇଛି । ନିଜକୁ ସମର୍ପି ଦେଲେ ଧନର ଅଭାବ ରହିବ ନାହିଁ-

 

ଏଇ ତାର ଅନ୍ଧ ସ୍ୱାମୀ ! ଏ ଘରେ ଗୋଡ଼ ଦେଲା ଦିନୁ ଅଭାବ କଣ ସେ ଜାଣନ୍ତି ନାହିଁ-। ତେଣୁ ସ୍ୱାମୀ ସଙ୍ଗେ ଦୁଃଖ ସୁଖ ହେବାର ସୁଯୋଗ ସେ ପାଇନାହିଁ । ସମୟ ନାହିଁ । ଯେତେବେଳେ ସେ ତୁଣ୍ଡ ଖୋଲିଛନ୍ତି, ତୁଣ୍ଡରୁ ବାହାରିଛି କେବଳ ଅରକ୍ଷ-ନିବାସ ସମ୍ବନ୍ଧରେ ନୂଆ ନୂଆ ଯୋଜନା କଥା । ଏଇ ତାଙ୍କର ଦାମ୍ପତ୍ୟ ଜୀବନ, ଏଇ ତାଙ୍କର ସଂସାର !

 

ଦୋଷ ଦିଆ ଚାହାଣୀରେ ଅନେଇଲା ତାର ସ୍ୱାମୀର ଶୋଇଲା ମୁହଁକୁ । ଆଖି ପତା ମୁଦି ହୋଇଛି । ଭଲ । ଆଖିପତା ଖୋଲିଲେ ପୁଅ ନ ଥିଲା ଫୁଲପଡ଼ା ଆଖିଡୋଳା ଦୁଇଟା ଭୟଙ୍କର ଦିଶେ । ଚାହିଁବାକୁ ଘୃଣା ଲାଗେ । ମୁହଁରେ ଗାଡ଼ ଗାଡ଼ ବସନ୍ତ ଦାଗ । ଅସନା ଦିଶେ ।

 

ଦିନେ ସେ ସୁନ୍ଦର ଥିଲେ । ୟାଙ୍କରି ସୁନ୍ଦର ମୁହଁ, ଉଜ୍ଜ୍ୱଳ ଆଖି, ସରସ ହସ ଦେଖି ସେ ଭଲ ପାଇଥିଲା । ୟାଙ୍କରି ବିଦ୍ୟା ବୁଦ୍ଧି ସାହସ ଦେଖି ସମସ୍ତଙ୍କର ଇଚ୍ଛା ବିରୁଦ୍ଧରେ କେଉଁ ଭବିଷ୍ୟତ ସୁଖ ଆଶାରେ ୟାଙ୍କରି ପତ୍ନୀ ହେବାକୁ ସେ କାମନା କରିଥିଲା । କାହିଁ ସେ ଭବିଷ୍ୟତର ସୁଖ ?

 

ସେ ସଂସାର କରିଥିଲା ସୁଖ ପାଇଁ । ପରଘରର ଦାୟିତ୍ୱ ମୁଣ୍ଡରେ ବୋହିବା କଣ ସୁଖ-? ପରର ଧନସମ୍ପତ୍ତି ନିଜର ମଣି ବ୍ୟବହାର କରିବା କଣ ଆନନ୍ଦ ? ସବୁ ଜାଲ । ସବୁ ଅଭିନୟ । ଦୁଷ୍ମନ୍ତ ପ୍ରତିଶୋଧ ନେଉଛନ୍ତି । ଏଇ ନିର୍ବୋଧ ସ୍ୱାମୀର ନିଃସହାୟତାର ନିର୍ବୋଧତାର ସୁଯୋଗ ନେଇ ସେ ନେଉଛନ୍ତି ପ୍ରତିଶୋଧ ! ଦୁହିଁଙ୍କୁ ସେ କରିଛନ୍ତି ତାଙ୍କର ଖେଳଣା ।

 

ସେ ବିବାହ କରିଥିଲା ତୁଷାରକାନ୍ତିକୁ, ସେ ତ ବିବାହ କରି ନ ଥିଲା ଏଇ ଶିକ୍ଷିତ ଅପାରଗ ଅନ୍ଧର ନୂଆ ଆଦର୍ଶକୁ । ସେ ତୁଷାରକାନ୍ତିର ସଂସାର ପାଇଁ ନିଜର ସବୁ ସୁଖ ଜଳାଞ୍ଜଳ ଦେବାକୁ ପଣ କରିଥିଲା ସିନା, ଅନ୍ଧ ତୁଷାରିକାନ୍ତିର ଆଦର୍ଶ ପାଇଁ ଗୋଟାଏ ଧାରଣା ପାଇଁ ନିଜକୁ ବିକି ଧନ ସଂଗ୍ରହ କରିବାକୁ ସେ ବିବାହ କରି ନ ଥିଲା । ଧନ ସେ ସଂଗ୍ରହ କରିଛି, ବିନିମୟରେ ଦେଇଛି ନିଜତ୍ୱରୁ କଣିକାଏ, କଣିକାଏ । ପୃଷ୍ଟି ଆଗେଇ ଆସିଲେ । ଅନ୍ୟମାନଙ୍କର ମଧ୍ୟ ଆଗେଇ ଆସିବାକୁ ଆଗ୍ରହ । ସେପରି ଆଗ୍ରହ ସେ ଅନୁଭବ କରିଛି ସେମାନଙ୍କ ଆଖିରେ, ଢଙ୍ଗରେ ।

 

ଧନ ପାଇଁ ତୁଷାରକାନ୍ତି ହସିଛି, ପ୍ରଶଂସା କରିଛି । ଦୁଷ୍ମନ୍ତର ଓଠରେ ବି ବିକଶିଛି ମ୍ଳାନହସ । ସୁକାନ୍ତି ଗମ୍ଭୀର ହୋଇ ଶୁଣିଛନ୍ତି । ମତାମତ ପ୍ରକାଶ କରିନାହାନ୍ତି । ଭାଷାରେ କି ଭାବ ଭଙ୍ଗୀରେ । ସେମିତି ତାଙ୍କର ଗେହ୍ଲା ଓ ସ୍ନେହ । ନୀହାରିକା ଦୂରେଇ ଠିଆ ହୋଇଛି, ଆଖିରେ ଅବୁଝା ପ୍ରଶ୍ନ, ଡର ଡର ଭାବ । ଖବର କାଗଜ ପ୍ରଶଂସା କରିଛି– ଆଦର୍ଶ ପତ୍ନୀ, ଆଦର୍ଶ ଗୃହିଣୀ, ଆଦର୍ଶ କର୍ମୀ । ପତ୍ରିକା ବ୍ୟଙ୍ଗ କରିଛି – ସ୍ୱାମୀ ଅନ୍ଧ ହେବା ଭଲ, ରାତିଟା ବି ଦିନ ହୁଏ ଆଉ ଦିନ ହୁଏ ରାତି । କ୍ଷଣପ୍ରଭା ସବୁଠି ଦିଶନ୍ତି । ଏଇ ଦେଖନ୍ତୁ–

 

ଜୋତା କାରବାରୀ ଅଜିଜ୍‌ ମିଆଙ୍କ ଆଗରେ । ହସଟି ଚମତ୍କାର, ଅର୍ଥ– ହସ ନିଅନ୍ତୁ ଟଙ୍କା ଦିଅନ୍ତୁ, ମୋଟେ ହଜାରେ । ଲୁହାବେପାରୀ ସୁଜନ ସିଂଙ୍କ ନିରୋଳା କୋଠରୀ – ଟଣାଟଣି ନୁହେ, ହାତ ଗଣ୍ଠି ନୁହେଁ, କରମର୍ଦ୍ଦନ । ନିଅନ୍ତୁ ସ୍ପର୍ଶ, ମୋଟେ ଦୁଇ ହଜାର ଏହାର ମୁଲ୍ୟ । ଲକ୍ଷପତି ଶ୍ରୀଯୁକ୍ତ ପୃଷ୍ଟିଙ୍କ କାରରେ – ପୃଷ୍ଟି ଦମ୍ପତ୍ତି ନୁହନ୍ତି, ଦାନବୀର ପୃଷ୍ଟି ଓ ବୀରଙ୍ଗାନା ଆଦର୍ଶ କର୍ମୀ କ୍ଷଣପ୍ରଭା । ହାସ୍ୟ, ସ୍ପର୍ଶ ଓ ସାନ୍ନିଧ୍ୟ–ମୂଲ୍ୟ ଛଅହଜାର । କର୍ମବୀର ଦୁଷ୍ମନ୍ତ– ସେ ତାଙ୍କର ସର୍ବସ୍ୱ ଅର୍ପଣ କରିଛନ୍ତି, ଏଇ ବିଦୁଷୀ ସୁନ୍ଦରୀ ଯୁବତୀଙ୍କର ଦୁଇ କୋମଳ ହାତରେ । କଣ ସେ ପାଇଛନ୍ତି ? ପାଠକ ତ୍ରୟରାଶିକର ଆଶ୍ରୟ ନେଲେ ଜାଣିପାରିବେ ।

 

ପତ୍ରିକାଟା କ୍ଷଣପ୍ରଭା ଲୁଚାଇ ରଖିଛି ।

 

କ୍ଷଣପ୍ରଭା ପଲଙ୍କ ଉପରୁ ଉଠି ଆସିଲା । ଝରକା ପାଖକୁ ଆସି ଚାହିଁଲା ବାହାରକୁ । ଆକାଶରେ ମେଘ ଘୋଟିଛି । ଅନ୍ଧାର । ନିଛାଟିଆ ରାତି । ସତେ କି ଆକାଶରୁ ଝରି ପଡ଼ୁଛି ବିଷାଦ-। ସେ ଅନୁଭବ କଲା, ସତେ ଯେପରି ବିରାଟ ବିଶ୍ୱରେ ସେ ଏକାକିନୀ, ଜୀବନରେ ତରୀଟି ଭସାଇ ଦେଇଛି, ଲକ୍ଷ୍ୟହୀନ, ଉଦ୍ଦେଶ୍ୟହୀନ । କୁଆଡ଼େ ସେ ଚାଲିଛି, କାହିଁକି ?

 

ଦୂରରୁ ଘଣ୍ଟା ବାଜିଲା, ରାତି ତିନିଟା ।

 

ଆଖରୁ ଲୁହ ପୋଛି କ୍ଷଣପ୍ରଭା ଫେରିଆସିଲା ପଲଙ୍କ ପାଖକୁ । ନେଳିଆ ଆଲୁଅ । ଶୀତଳ ପବନ । ନିଦ୍ରିତ ସ୍ୱାମୀ । ମହକି ଉଠୁଛି ନିଜ ଦେହର ବାସ । ଦେହରୁ ଖସି ପଡ଼ିଛି ସୁଝୀନ ରଙ୍ଗୀନ୍ ବସନ । ଅର୍ଦ୍ଧ ଉଲଗ୍ନ । ନିଜକୁ ନିଜେ ଚାହିଁଲା । ସେ ସୁନ୍ଦରୀ । ସେ ଯୁବତୀ । ଦେହରେ ଓ ମନରେ ନିଆଁ ଲାଗିଛି । ସୌନ୍ଦର୍ଯ୍ୟର ଓ ଯୌବନର ଆଦର ଅଛି ଏ ଦୁନିଆଁରେ । କେବଳ ଆଦର୍ଶର ନାହିଁ ଆଦର । ଅନ୍ଧ ଆଦର୍ଶ ପଛରେ ଗୋଡ଼ାଇ ନିଜକୁ ସେ ବିଲୟ କରୁଛି ।

ସ୍ୱାମୀଙ୍କର ଦେଖା ସେ ପାଏ ନାହିଁ କେବେ ନିରୋଳାରେ । ଦିନବେଳେ ଯେତେବେଳେ ସେ ଖାଇବାକୁ ଆସନ୍ତି, ଦୁଷ୍ମନ୍ତ ସଙ୍ଗରେ ଥାଏ । ରାତିରେ ବି । କାମ କାର୍ଯ୍ୟ ସାରି ଯେତେବେଳେ ସେ ଏ ଘରକୁ ଆସେ ରାତି ଅଧରେ ସେ ଦେଖେ ଦିନସାରା ଖଟି ଖଟି ସ୍ୱାମୀ ଶୋଇପଡ଼ିଥାନ୍ତି । ନିରୋଳାରେ ମନଖୋଲି ପଦଟିଏ କହିବାକୁ ସୁଯୋଗ ପାଏ ନାହିଁ । କେତେଦିନ ଚଳିବ ଏପରି ?

କ୍ଷଣପ୍ରଭା ଭାବିଲା, ଆଜି ସବୁକଥା ସେ କହିବ । ଆଉ ତ ସେ ସହିପାରିବ ନାହିଁ । କହିବ ।

ତୁଷାରକାନ୍ତିକୁ ହଲାଇ ଉଠାଇଲା ।

ଶୋଇ ନାହଁ ? ରାତି କେତେ ହେଲାଣି ?

ଗୋଟିଏ କଥା ମୁଁ ତମକୁ ପଚାରିବାକୁ ଚାହେଁ ।

ତୁଷାରକାନ୍ତି ଉଠିଲା ନାହିଁ, ଦେଖିଲା ନାହିଁ ତ ପଲଙ୍କ ପାଖରେ ଠିଆ ହୋଇଛି ଅପ୍‌ସରା, ଅର୍ଦ୍ଧଉଲଗ୍ନା, ପୂର୍ଣ୍ଣଯୌବନା, ସୁନ୍ଦରୀ ପତ୍ନୀ । ଆଖିରେ ଲୁହ । ଥରଥର ଦେହ ଲତା । ସୁନାଗହଣା ସର୍ବାଙ୍ଗରେ ଝଟକି ଉଠୁଛି ।

ପଚାରିଲା, କି କଥା ? କେଡ଼େ ସୁନ୍ଦର ସ୍ୱପ୍ନଟିଏ ଦେଖୁଥିଲି ପ୍ରଭା । ଆମର ଏଇ ଅରକ୍ଷ–ନିବାସ, ଓଃ, କେଡ଼େବଡ଼ ହୋଇଛି । ସତେ ଯେମିତି, ଏଇ କଟକ ସହରରୁ କେତେଦୂରରେ, କେତେବଡ଼ ଅନୁଷ୍ଠାନ । ସହସ୍ର ସହସ୍ର ଅରକ୍ଷ ଆଶ୍ରା ନେଇଛନ୍ତି, ଆହୁରି, ପ୍ରଦେଶ ବାହାରୁ । ବିରାଟ ଅନୁଷ୍ଠାନ । ନୂଆ ନୂଆ ପ୍ରବ୍‌ଲେମ–

 

ଶୁଣିବ ନାହିଁ ?

ତମର କଥା ? କୁହ ତ –

 

ଅନୁଷ୍ଠାନ ଠିଆ ହୋଇଛି । କାମ ଆଗେଇଛି । ଦୁଷ୍ମନ୍ତ ବାବୁ ଏଥର ତାଙ୍କର କାର୍ଯ୍ୟର ଭାର ବହନ କରନ୍ତୁ । ଅନେକ ସହକର୍ମୀ ତାଙ୍କୁ ମିଳିବେ । କାମ ଅଟକି ରହିବ ନାହିଁ ।

 

ତୁଷାରକାନ୍ତି ଉଠି ବସିଲା । କହିଲା, ପୁଣି ତମର ପୁରୁଣା ପାଗଳାମୀ ବାହାରିଲା ପରା-। ଆମ ଦୁହିଁଙ୍କର ସାହାଯ୍ୟ ବିନା ଦୁଷ୍ମନ୍ତ କଣ କରିପାରିବ ? ଟଙ୍କା ଓ ସମ୍ପତ୍ତି ଦାନ କରିବା ଛଡ଼ା ଦୁଷ୍ମନ୍ତ ବିଶେଷ କିଛି କରିନାହିଁ । ଅନୁଷ୍ଠାନକୁ ଠିଆ କରାଇଛୁ ଆମେ, ତାର ଅଭିବୃଦ୍ଧି ଆମରି ପାଇଁ, ବିଶେଷତଃ ତମରି ପାଇଁ । ଅର୍ଥର ଅଭାବ ଯେପରି ପାହାଡ଼ ପରି ଆଗରେ ଠିଆ ହୋଇଥିଲା, ତମେ ଯଦି ଅକ୍ଳାନ୍ତ ପରିଶ୍ରମ କରି ନ ଥାନ୍ତ ଅବସ୍ଥା କଣ ହୋଇଥାନ୍ତା ଭାବିଲ ?

 

କ୍ଷଣପ୍ରଭା ବଡ଼ ବଡ଼ ଆଖିରେ ଚାହିଁ ରହିଲା ତୁଷାରକାନ୍ତିକୁ । ମନେହେଲା, ଯେପରି ସେ କାହାର ବକ୍ତୃତା ଶୁଣୁଛି । ଟିକିଏ ବିରକ୍ତ ଭାବ ଦେଖାଇ ସେ କହିଲା, କାହାର ନିନ୍ଦା ବା ପ୍ରଶଂସା ମୁଁ ଶୁଣିବାକୁ ଚାହେଁ ନାହିଁ ।

 

ସତ । ଯେ ପ୍ରକୃତ କର୍ମୀ, ପର ପାଇଁ ଯାହାର ମନ କାନ୍ଦେ, ସେ ନିନ୍ଦା କି ପ୍ରଶଂସା ଶୁଣିବାକୁ ଭଲ ପାଏ ନାହିଁ । ପରିଶ୍ରମ କରି ପ୍ରତିଭା ଓ ବୁଦ୍ଧି ବଳରେ ଧନୀ କୁବେର ଯକ୍ଷମାନଙ୍କର ମୁଠା ଭିତରୁ ତିରିଶ ହଜାର ଟଙ୍କା କାଢ଼ି ଆଣି ପାରିଲ । କମ୍‌ ପ୍ରଶଂସାର କଥା ?

 

କିନ୍ତୁ ଲୋକେ ତ ନିନ୍ଦାକରି, କୁତ୍ସିତ ପରିହାସ କରି ପତ୍ରପତ୍ରିକାରେ ଲେଖି ଛାପୁଛନ୍ତି । ଏତେ ନିନ୍ଦା, ଏତେ ଅପମାନ–

 

ବୁଝିଲି, ସେଥିପାଇଁ ତମେ ବିବ୍ରତ ହୋଇପଡ଼ିଛ । ଭଲକାମ ଯେ କରେ ପର ପାଇଁ ପରିଶ୍ରମ କରେ ସେ ନିନ୍ଦା ସହେ । ସେଥିକି ଚିନ୍ତା କରନାହିଁ । ଆହୁରି ଧନ ଲୋଡ଼ା । ଅଧା କାମ ଶେଷ କରିବାକୁ ହେବ । ଆହୁରି ନିନ୍ଦା ସହିବାକୁ ହେବ, ଯକ୍ଷ ଧନକୁବେରମାନଙ୍କ ହାତମୁଠା ଖୋଲି ଅଜସ୍ର ଧନ ସଂଗ୍ରହ କରିବାକୁ ପଡ଼ିବ, ନିଃସହାୟ, ଅନ୍ଧ, ଖଞ୍ଜ, ବଧିରଙ୍କ ପାଇଁ ।

 

ଘୃଣାରେ କଟମଟ କରି ଚାହିଁ କ୍ଷଣପ୍ରଭା କହିଲା, ତମର ବକ୍ତୃତା ସେତିକି ଥାଉ, ଯଥେଷ୍ଟ ହୋଇଛି । ମୁଁ ଆଉ ଭିକ୍ଷା ମାଗିପାରିବି ନାହିଁ । ମୁଁ ଚାହେଁ, ଦୁଷ୍ମନ୍ତ ବାବୁଙ୍କ କାମ ତାଙ୍କ ହାତକୁ ଟେକିଦେଇ ଆମେ ଏଠାରୁ ଚାଲିଯିବା ।

 

ଚାଲିଯିବା କୁଆଡ଼େ ?

ଦୁନିଆ ଛୋଟ ନୁହେଁ ।

ମୁଁ ଅନ୍ଧ, ମୁଁ ଅକ୍ଷମ ।

 

ମୁଁ ନୁହେଁ । କାଲି ପେଟପାଇଁ ଚାକିରି କରି, ପରିଶ୍ରମ କରି ଧନ ଅର୍ଜ୍ଜନ କରିବାକୁ ଦାଣ୍ଡକୁ ବାହାରିଥିଲି, ତମେ ସମର୍ଥନ କରି ନ ଥିଲ । ଆଜି ଦାଣ୍ଡକୁ ବାହାରି ହାତପାତି ଭିଖ ମାଗିବାକୁ ତମେ ତ ଖାଲି ସମର୍ଥନ କରୁନାହଁ ଉତ୍ସାହିତ କରୁଛ ।

 

ପ୍ରଭେଦ ଅଛି ।

 

ହଁ, ପ୍ରଭେଦ ଅଛି ଦୁନିଆର ଆଖିରେ, କିନ୍ତୁ ମୋ ଆଖିରେ ନୁହଁ । ମୋର ଅନ୍ଧ ସ୍ୱାମୀର ସଂସାର ଚଳାଇବାକୁ ଭିକ ମାଗିବାକୁ ଦାଣ୍ଡକୁ ବାହାରିଲେ ମତେ ଲଜ୍ଜା ହେବ ନାହିଁ । ମୁଁ ଏ କାରାଗାରରୁ ନିଷ୍କୃତି ଲଭିବାକୁ ଚାହେ, ଏ ଜଞ୍ଜାଳରୁ ପରିତ୍ରାଣ ପାଇବାକୁ ଚାହେ । ତମର ଗୋଡ଼ ଧରୁଛି, ମତେ ଏ ବନ୍ଧନର ମୁକ୍ତି କର ।

 

କ୍ଷଣପ୍ରଭା ସ୍ୱାମୀର ଲମ୍ବିଲା ଗୋଡ଼କୁ ଦୁଇ ହାତରେ ଧରି କଇଁ କଇଁ ହୋଇ କାନ୍ଦି ଉଠିଲା । କାନ୍ଦଣା ସ୍ୱରରେ କହିଲା, ମୁଁ ଏ ରାଜପ୍ରସାଦ ଚାହିଁ ନ ଥିଲି । ମୁଁ ଚାହିଁଥିଲି ତମକୁ, ତମର ଗୋଡ଼ ଦିଓଟି ତଳେ ଆଶ୍ରା । ବାଟ କଡ଼ର ଗଛ ମୂଳରେ ମଧ୍ୟ ଏଇ ପାଦ ଦିଓଟିରୁ ଧୂଳି କଣିକାଏ ନେଇ ମୁଣ୍ଡରେ ମାରିଲେ ମୁଁ ପାଇବି ଶାନ୍ତ । ଆମେ ଆଉ ଏଠି ରହିବା ନାହିଁ ।

 

ତୁଷାରକାନ୍ତି କ୍ଷଣପ୍ରଭାର ହାତଧରି ଉଠାଇଲା । ପଲଙ୍କ ଉପରେ ପାଖରେ ବସାଇ କହିଲା, ତମେ କଣ ପାଗଳ ହେଲ ପ୍ରଭା ? ଆଦର୍ଶ ବଡ଼ ନା ଉତ୍ତେଜନା ବଡ଼ ? ଅରକ୍ଷ ଅକ୍ଷମଙ୍କ ସେବା ମଣିଷ ଜୀବନର ଅତି ବଡ଼ ସୁଯୋଗ ।

 

ଦୁନିଆରେ ଅନେକ ନିଃସହାୟ ଅଛନ୍ତି । ସେବା କରିବାର ଆଗ୍ରହ ଥିଲେ ସବୁଠି ସୁଯୋଗ ଓ ସୁବିଧା ମିଳିବ । ମୁଁ ଏଇ ପ୍ରାସାଦରେ ରହି ପରର ଆଶ୍ରିତ ହୋଇ ସେବାରେ ଆନନ୍ଦ ପାଉନାହିଁ । ତେଣୁ କହୁଛି– ।

 

ତୁମେ ନିର୍ବୋଧ, ପାଗଳାମୀ ଛାଡ଼ । ଆମେ ଏଠାରୁ ଚାଲିଗଲେ ଦୁଷ୍ମନ୍ତର ଆଗ୍ରହ ଭାଙ୍ଗିବ, ଉତ୍ସାହ କମିବ । ଏତେବଡ଼ ଅନୁଷ୍ଠାନର ଅବସ୍ଥା କଣ ହେବ ଭାବିଲ ?

 

ପ୍ରଭା ଉଠିଲା ।

 

ତୁଷାରକାନ୍ତି ତାର ହାତଧରି ଅଟକାଇ ରଖି କହିଲା, ମୋର ସାନ କୁହା ମାନ । ଆଖି ଆଗରେ ଯାହା ଆମର ବଡ଼ କର୍ତ୍ତବ୍ୟ ବୋଲି ଦେଖାଯାଉଛି, ସେଇ କର୍ତ୍ତବ୍ୟ ପାଳନ କରିବାକୁ ଆଗଭର ହୁଅ । ଅଭିମାନ ଓ ଉତ୍ତେଜନା ଯେ ମନର ଦୁର୍ବଳତା । ସେସବୁ ପୋଛି ପକାଅ ମନରୁ ।

 

କ୍ଷଣପ୍ରଭା ଉତ୍ତର ଦେଲା ନାହିଁ ।

 

ତୁଷାରକାନ୍ତି ଦୁଇ ହାତରେ ପ୍ରଭାକୁ ଆଲିଙ୍ଗନ କରି ତାର ଚିବୁକ ଚୁମ୍ବନ କଲା । ପ୍ରଭା ଆଖି ବୁଜିଲା । ମୁଦିଲା ଆଖି କୋଣରୁ ଝରିଲା ଲୁହ ଧାର । ଦୁଇଟି ଛାତି ମଝିରେ କାଳସର୍ପ ପରି ପୃଷ୍ଟି ଦତ୍ତ ମୂଲ୍ୟବାନ ହାରଟି ପ୍ରତିବନ୍ଧକ ହୋଇ ରହିଲା ।

 

କାନ୍ଥ ଘଣ୍ଟା ବାଜିଲା, ପାଞ୍ଚ ।

 

ଅରକ୍ଷ ନିବାସଆଡ଼ୁ ଭାସି ଆସିଲା ପ୍ରାର୍ଥନାର ଲହରି, ଅଖିଳ ବ୍ରହ୍ମାଣ୍ଡ ପତି ମୋ ଜୀବନ ସ୍ୱାମୀ– ।

 

ଲାଇବ୍ରେରୀ ଘରୁ ବାଜି ଉଠିଲା ଗ୍ରାମୋଫୋନ୍‌, ନୂଆ ଗୀତଟିଏ ।

 

ତମକୁ ମୁଁ ନିତି ଝୁରେ । ତମେ ବୁଝିପାର ନାହିଁ ? ତୁଣ୍ଡର ଭାଷାରେ ପ୍ରକାଶ କରି ହୁଏ ନାହିଁ ମନର ବ୍ୟଥା, ତୁମେ ତ ଅନୁଭବ କରୁଥିବ ଅନ୍ତରର କଥା ? ସେ କଥା ଅତି ଗୋପନ, ସେ ବ୍ୟଥା ଅତି ଦୁର୍ଦ୍ଦମ । ବେଶି ଚାହେ ନାହିଁ, କେବଳ ଚାହେ ତମେ ମୋର ଅନ୍ତରର କଥା ବୁଝ, ମନର ବ୍ୟଥା ଉପଲବ୍‌ଧ କର । ସେତିକି ମୋ ଜୀବନର ମୂଲ୍ୟ, ମୋ ତପସ୍ୟାର ଫଳ ।

 

ପରଦା ଉହାଡ଼ରୁ ଝରି ଆସିଲା ଉଷାର ଆଲୁଅ ।

 

କ୍ଷଣପ୍ରଭା ଦିର୍ଘଶ୍ୱାସ ଛାଡ଼ି ସ୍ୱାମୀ ପାଖରୁ ଉଠିଲା । ଆଲୁଅ ଲିଭାଇ ପଦାକୁ ଆସିଲା । ନୂଆ ଦିନ ତାକୁ ଲାଗିଲା ଅତି ପୁରୁଣା, ନିତିଦିନିଆଁ, ବନ୍ଧାଗତ, କର୍ତ୍ତବ୍ୟର ପୁନରାବୃତ୍ତି ।

 

ଟଳି ଟଳି ସେ ତଳକୁ ଓହ୍ଲାଇଲା ।

 

କାନରେ ବାଜିଲା ଶେଷ ପଦର ପୁନରାବୃତ୍ତି– ତୁମେ ମୋର ଅନ୍ତରର କଥା ବୁଝ, ମନର ବ୍ୟଥା ଉପଲବ୍‌ଧ କର । ସେତିକି ମୋର ଜୀବନର ମୂଲ୍ୟ–

 

କ୍ଷଣପ୍ରଭା ଚାରିଆଡ଼କୁ ଚାହିଁଲା, ସତେକି କେବଳ ପ୍ରଶ୍ନ ଚିହ୍ନଗୁଡ଼ିଏ ତାଆରି ଚାରିପାଖେ ନାଚି ନାଚି ଚାଲୁଛନ୍ତି । ଫିକା ଆକାଶରେ ଛାତି ଉପରେ ଗୋଟିକିଆ କାଉ ଉଡ଼ିଗଲା, ଡାକି ଡାକିକା, – କା, କା, – କିଏ, କିଏ ?

 

ପ୍ରଭା ଉପରକୁ ଚାହିଁଲା ।

 

ଫିକା ପାହାନ୍ତାର ମ୍ଲାନ ଆଲୁଅରେ ବାରଣ୍ଡାରେ ପାରପେଟ୍‌କୁ ଆଉଜି ମୁଣ୍ଡ ବଙ୍କାଇ ତଳକୁ ଚାହିଁ ଠିଆ ହୋଇଛି ଦୁଷ୍ମନ୍ତ – ଠିକ୍‌ ଗୋଟିଏ ପ୍ରଶ୍ନ ଚିହ୍ନ ପରି ।

 

କାଳୁ ଏବେ ସବୁଦିନେ ଘରକୁ ଫେରେନାହିଁ । ଯେଉଁଠି ଯାହା ପାଏ ମୁଠାଏ ଖାଇଦେଇ କାହା ଓଳିତଳେ ଶୋଇପଡ଼େ । ଘରକୁ ଆସିବାକୁ ଡର ମାଡ଼େ । ରମୀ କାଳେ କଣ କହିବ, କାଳେ ସେ ପଇସା ମାଗିବ । ନୋହିଲେ ଘରେ ବସି କାମ କରିବାକୁ ଉପଦେଶ ଦେବ ।

 

କାଳୁ ବି ଘରେ ନାହିଁ । କେଉଁ ଗାଆଁରେ କାହା ପିଣ୍ଡାରେ ସେ ଆଶ୍ରା ନେଇଥିବ କେଜାଣି । କଟକ ସହରକୁ ଏବେ ସେ ବେଶି ଯା ଆସ କରେ ନାହିଁ । ବଡ଼ ସହରର ଲୋକେ ଗରିବ ଲୋକଙ୍କୁ ପଚାରୁ ନାହାଁନ୍ତି । ଛୋଟା ଗୋଡ଼ କେମ୍ପା ହାତ କି ଫୁଟିଲା ଆଖିର ମୁଲ୍ୟ ଆଉ ନାହିଁ । ହାତ ପାତିଲେ ଲୋକେ ସିଧା ବାଟ ଦେଖାଇ ଦେଉଛନ୍ତି– ଅରକ୍ଷ ନିବାସକୁ । କହୁଛନ୍ତି, ସେଇଠିକି ଯା, ଭଲରେ ରହିବୁ, ସୁଖରେ ରହିବୁ । ଭିକ ମାଗୁଛୁ କାହିଁକି ?

 

କାଳୁ କେତେଥର ଯାଏ, ଦୂରରୁ ଚାହେଁ । କେତେ ଲୋକ, କେତେ ଘର । ଲୋକେ କାମ କରୁଛନ୍ତି । ଦି ବେଳା ଦି ଥର ଖାଇବାକୁ ମିଳୁଛି ନିୟମ ପ୍ରକାରେ । ଘଣ୍ଟା ଯେମିତି ବାଜୁଛି, ନିୟମ ସେମିତି ବନ୍ଧା ହୋଇଛି । ଯିବକି ଭିତରକୁ ? ରହିବ ? ବଡ଼ ପାଚେରୀ । ଜେଲ ପରି ଦିଶୁଛି-। ଯିଏ ତା ଭିତରକୁ ଥରେ ଯାଏ, ତାକୁ ସହଜରେ ଛାଡ଼ିଦିଅନ୍ତି ନାହିଁ । ଯିଏ ବାହାରି ଆସେ ତାକୁ ଆଉ ରଖନ୍ତି ନାହିଁ ।

 

କେଡ଼େ ଚଲାଖିରେ କଟକ ସହରର ଧନୀ ଲୋକମାନେ ଛୋଟା, କୁଜା, କେମ୍ପାଙ୍କ ପାଇଁ ଗଢ଼ିଛନ୍ତି ଜେଲଖାନା । କାଳୁ ପଶିବ ତା ଭିତରେ ? ଅଫିମ ଟିକେ ଦେବେ ନାହିଁ । ମଦ ପାଣି ଚଳେ ମିଳିବ ନାହିଁ । ଟକଳା ପାଟିର ଜିଭରୁ ନାଳ ଗଡ଼ୁଥିବ । ଖୋଲା ରାସ୍ତା ଖୋଲା ଦୁନିଆଁ ଅତି ଭଲ । ଯେଉଁ ଚାରିପଇସା ମିଳିଲା ଯାହା ମନ ତାହା ପାଟିରେ ପକା, ମନା କରିବାକୁ କିଏ ଅଛିକି ?

 

କାଳୁ ଭାବିଲା, ଏଇଟା ଜେଲ । ଜାଣି ଜାଣି ୟା ଭିତରେ କିଏ ପଶିବ ? ଭାଗ୍ୟରେ ନାହିଁ ଆଜି ଏବେ ନ ମିଳିଲା । ଲୋକେ ତ ପୁଣି ଜାଣି ଜାଣି ଉପାସ କରୁଛନ୍ତି । ଏକାଦଶୀ, ହରିଜନ୍ମ, ସଂକରାନ୍ତି । ଆଜି ତାର ଏକାଦଶୀ । କପାଳେ ଥିଲେ କାଲି ମିଳିବ । ଏଇଟା ଜେଲ୍‌, ବଡ଼ଲୋକଙ୍କ ଅଠାକାଠି, ଉହୁଁ ।

 

କାଳୁ ଫେରିଲା ।

 

ବାଟଘାଟରେ ରୋଗଣା ମଣିଷ ବୁଲୁଛନ୍ତି । ହାତ ପାତି ଭିକ ମାଗୁଛନ୍ତି । ତାଙ୍କ ଭିତରୁ କେତେ କୁଷ୍ଠରୋଗୀ, କେତେ ଆମ୍ବବାତୁଆ, କେତେ ଯକ୍ଷ୍ମାରୋଗୀ । କଣ୍ଟା ଦୋହଲୁଛି । ବିକୃତି । ଅରକ୍ଷ । ଅପାରଗ । ସେମାନଙ୍କ ପାଇଁ ଅରକ୍ଷ ନିବାସରେ ଥାନ ନାହିଁ । ସେମାନଙ୍କ ପାଇଁ ବଡ଼ କୋଠାର ଧନୀ ଲୋକ, ମଟର ଚଢ଼ା ବାବୁଭୟା, ଆକାଶ ଉଡ଼ା ଦେଶ କର୍ମ୍ମୀଙ୍କର ମନ ତଟୁ ନାହିଁ । ବାଟରେ ଗଲା ଆଇଲା ଲୋକେ ନାକରେ ହାତଦେଇ, ଦୂରେଇ ଚାଲି ପଇସେ ଅଧଲେ ପକେଇ ଦେଇ ଯାଉଛନ୍ତି । ସ୍ୱାଧୀନ ଦେଶ, ରାମରାଜ୍ୟରେ ଧର୍ମ ସଞ୍ଚିବାର ବାଟ ଏକାଥରେ ବନ୍ଦ ହୋଇନାହିଁ । ଧାର୍ମିକ ଲୋକଙ୍କ ପାଇଁ ସ୍ୱର୍ଗକୁ ନିଶୁଣୀ ଡେରା ହୋଇଛି । ସବୁ ନିଶୁଣି ଟଳି ପଡ଼ିନାହିଁ । ଛୋଟ ଛୋଟ ଦାନୀକର୍ଣ୍ଣଙ୍କ ପାଇଁ ଆଶା ରହିଛି, ଏଇ ରୋଗଣା ଅରକ୍ଷ ଅକ୍ଷମ ମଣିଷପଲ ।

 

କାଳୁ ରୋଗଣା ନୁହେଁ । କିଏ ତାକୁ ପଇସା ଦେଇ ଧର୍ମ ଅର୍ଜିବ ? କେହି ନାହିଁ । କଟକ ସହର, ଲକ୍ଷ ଲକ୍ଷ ଲୋକ ଏଠି ରହନ୍ତି, ଯୁଆଡ଼େ ଚାହିଁଲେ ମାଳ ମାଳ କୋଠା । କେଡ଼େ ଉଚ୍ଚ ଉଚ୍ଚ ଚିମ୍‌ନି ଉଠିଛି ଆକାଶକୁ । ନଈ ଏପାରି, ନଈ ସେପାରି । ଧୂଆଁବାନ୍ତି କରୁଛି । ଚାଲିଛି କେତେ କଳ, କେତେ କାରଖାନା । ହଜାର ହଜାର ମୂଲିଆ । ହେଲେ, କାଳୁ ପାଇଁ କେଉଁଠି ଥାନ ନାହିଁ । ମାଗିଲେ ବି କେହି ଗୋଟାଏ ପଇସା ଦେଉ ନାହାନ୍ତି ।

 

ଧର୍ମ ବୁଡ଼ିଗଲା ଏ ଲକ୍ଷ୍ମୀ ସହରରୁ । ଏଠି ଆଉ ଚଳିହେବ ନାହିଁ । ଗାଁ ଗହଳିରେ ଅବଶ୍ୟ ଧର୍ମ ଥିବ । ସେଠିବି ଖଜୁରି ଗଛ ଅଛି । ରସ କାଢ଼ିବାକୁ ଲୋକେ ଅଛନ୍ତି ।

 

କାଳୁ ଗାଁ ଗହଳରେ ପଶିଲା । ଛୋଟା ଗୋଡ଼ର ଟେକି ସେଠି ଅଛି । ଆହା ପଦ ଅଛି ତୁଣ୍ଡରେ । ଦୁଃଖ ଶୁଣିବାକୁ ଲୋକଙ୍କର ହେଲେ ବେଳ ଅଛି ।

 

ଚାଲିଛି କାଳୁର ଜୀବନ ଗୋଟାଏ ଆଶା ବାଟରେ । କେବେ କେମିତି ଘରକୁ ଆସେ । ସ୍ତ୍ରୀ ପିଲାଙ୍କୁ ଆଖି ପୁରାଇ ଦେଖେ । ସେତିକି ତାର ଆନନ୍ଦ । ଗାଳି ଖାଏ, ଉପଦେଶ ଶୁଣେ, ହସିଦିଏ । ଚାଲିଯାଏ ପୁଣି କେଉଁ ଗାଁକୁ ।

 

କୁଟିଗଲା ବର୍ଷା । ତୋଫାନ, ଅନ୍ଧାର, ବିଜୁଳି, ଘଡ଼ଘଡ଼ି, ଚଡ଼ଚଡ଼ି । କାଳୁ ପର ଗାଁରେ, ଜଣକର ଗୁହାଳ ଘରେ ଆଖି ବୁଜି ବସିଛି । ଘରକଥା ମନେପଡ଼ୁ ନାହିଁ ।

 

ରମୀ ଏଣେ ଛଟପଟ । କାଳୁ କଥା ସେ ଭାବୁ ନାହିଁ, ଭାବୁଛି ଧୀରା କଥା । ଅମାନିଆଁ ଝିଅଟା ତିନ୍ତିବୁଡ଼ି ଆମ୍ବ ଗୋଟାଇ ଗଲା ତୋଟା ଆଡ଼କୁ । ଘରଦ୍ୱାର ସେପାଖେ ନାହିଁ । କଣ କରୁଥିବ ? ଚାହିଁ ରହିଲେ ହେବ ନାହିଁ । କାହାକୁ ଡାକିଲେ ଏ ଦୁର୍ଦ୍ଦିନରେ କିଏ ବାହାରିବ ଘରୁ ? ନିଜ ଘରେ ତ ଲହଡ଼ି ଭାଙ୍ଗୁଛି ।

 

ଆଲୋ ହୀରା, ମୋ ମନଟା କେମିତି ହେଉଛି । ଦେଖ ତ ଅନ୍ଧାର କେମିତି ଘୋଟି ଆଉଛି । ଇସ୍‌, ଚଡ଼ଚଡ଼ି । ମୁଁ ଯାଏଁ, ତାକୁ ଦେଖେଁ–

 

ତୁ ପୁଣି ତିନ୍ତିବୁଡ଼ି ଯିବୁ କୁଆଡ଼େ ? ମରିବାକୁ ? ଧୀରା ସେଇ ବାଟେ ତୋଟାରେ ଗଛ ଉହାଡ଼ରେ ବସିଥିବ । ବର୍ଷା କମିଲେ ବଳେ ଆସିବ । ଅମାନିଆଁ ହେବାର ଭାବ ପାଉ ।

 

କେମିତି କଥା ତୁ କହୁଛୁ ଲୋ, ପିଲା ଲୋକ, ଆମ୍ବ ଲୋଭରେ ତ ଯାଇଛି । ଦେ ତୁ ତାଟି ଆଉଜାଇ । ମୁଁ ଯାଉଛି, ପାଖରେ କେଉଁଠି ଥିବ ତ । ସଞ୍ଜ ହୋଇ ନାହିଁ । ଆଲୁଅ ଟିକେ ଅଛି-। ଦେ ତୁ ତାଟି ଆଉଜାଇ-

 

ରମୀ ପଦାକୁ ଗଲା ।

 

ଧୀରା ତିନ୍ତିବୁଡ଼ି ଘରକୁ ଫେରିଲା । ମୁଣ୍ଡରେ ଆମ୍ବ ଟୋକେଇ । ବର୍ଷା ପାଣିରେ ଧିଅ କୋଲ ମାରୁଛି । ଗୋଡ଼ ଟଳୁଛି । ବର୍ଷାରେ ରାହା ଦିଶୁନାହିଁ । ସଞ୍ଜ ହେଲା କି କଣ !

 

ଡାକିଲା, ଆଲୋ ଅପା, ଅପାଲୋ –

ହୀରା ତାଟି ଖୋଲିଲା । କହିଲା, ମରିନୁ କିଲୋ–

 

ଆମ୍ବ ଟୋକେଇ ଘର ଭିତରକୁ ଠେଲିଦେଇ ଧୀରା କହିଲା, ମରି ଥାଆନ୍ତିଲୋ ଅପା, କଞ୍ଚାସୁଆଦି ଆମ୍ବ ଖାଇବାକୁ ଆଇସ ଅଛି । ଏଇ ଦେଖ, ଗୋଟାଛାଏଁ ମୋ ଧିଅ ଥରୁଛି । ଗୋଟାଏ ଝଡ଼ିଲା ଆମ୍ବରେ ହାତ ଦେଲେ ସୋଇଁଘରେ ବୁଢ଼ୀ ପରା ଗାଳି ଦିଏ ? ତା କଞ୍ଚାସୁଆଦି ଗଛ ଟଳି ପଡ଼ିଛି, ତୋଫାନରେ । ନିହିମାକେ ତ ବଞ୍ଚିଗଲି । ହୁଙ୍କା ଉପରେ ପଇଲା । ନେ ଟୋକେଇଏ–

 

ବୋଉ ତତେ ଖୋଜିବାକୁ ଗଲା ଯେ –

ତାର ଯେଉଁ ବୁଦ୍ଧି । କୁଆଡ଼େ ଗଲା ?

ଦି ଭଉଣୀ ପଦାକୁ ଅନାଇଁ ରହିଲେ ।

 

ବର୍ଷା କୁଟିଲା । ତୋଫାନ ବଢ଼ିଲା । ପଡ଼ିଲା ଚଡ଼ଚଡ଼ି । ମାଡ଼ି ଆସିଲା ରାତି । ରମୀର ଦେଖାନାହିଁ । ଘର ଅନ୍ଧାର । ଭଉଣୀ ଦିଓଟି ଆକାଶକୁ ଚାହିଁ କାନ୍ଦିଲେ ।

 

ବର୍ଷା କମିଲା । ତୋଫାନ ଥମିଲା । ହୀରା ଗଲା ପଡ଼ିଶା ଘରକୁ । ରାତି ବଢ଼ିଲା । ମଜଦୁର ପାଟଣାର ଆଖପାଖ ପାଞ୍ଚ ଘରର ଲୋକେ ଜାଣିଲେ, ହୀରା କାନ୍ଦୁଛି ରମୀ ପାଇଁ । ବୋଧ ସୋଧ ଦେଇ କହିଲ, ବଳେ ଆସିବ ମଁ, କୋଉଠି ରହି ଯାଇଥିବ ।

 

ରାତି ଅଧ । ବର୍ଷା ଥମି ଆସିଲା । ହୀରା ହାତ ମାରିଲା ଚନ୍ଦରାର କବାଟରେ । ଚନ୍ଦରା, କଲିକତାରୁ ଯିଏ ବାବୁ ହେଇ ଫେରିଛି, ବଡ଼ ଟର୍ଚ୍ଚ ଆଲୁଅ ତା ଘରେ ଅଛି । ଦାନ୍ତରେ ସୁନାଖିଲ, ହାତରେ ଘଣ୍ଟା, ଆଙ୍ଗୁଠିରେ ସୁନାମୁଦି । ବଇଁଶି ବଜାଏ, ତାଳି ମାରେ । ନିଜ ସ୍ତ୍ରୀକୁ ତଡ଼ି ଦେଇଛି । ପର ଝିଅ ଉପରେ ବଙ୍କା ଚାହାଁଣୀ ହାଣେ । ବଜାରୀଟାଏ ବୋଲି ତା ନାମରେ ହୁରି ପଡ଼ିଛି । ବୁଢ଼ୀ ମାଆଟି ତାର କାଲ । ତା ପିଠିରେ ଚନ୍ଦରା ହାତସୁଖ ସାରେ । ହୀରା ଆଡ଼କୁ ସେ କଣେଇଁ ଚାହେଁ, ମୁଡ଼୍‍କେଇ ହସେ । ରମୀ ତାକୁ ଘୃଣା କରେ । ଘର ମନା କରି ଦେଇଛି ।

 

ଚୋରା ଆଲୁଅ ଧରି ପୁରୁଣା ବରଷାତି ପିନ୍ଧି ସେଇ ବାହାରି ଆସିଲା ଘରୁ । ହୀରାର ହାତଟାକୁ ମୁଠେଇ ଧରି କହିଲା, ଦେଖିଲ ଗାଁ ଲୋକଙ୍କ କଥା, କେହି ଆଇଲେ କିଲୋ ? ଖାଲି ବଡ଼ ବଡ଼ କଥା କହିବେ–

 

ବୋଉ କୋଉଠି ରହିଲା ଚନ୍ଦର ?

ଚାଲ ଖୋଜିବା ।

କାଳୁ ଘରେ, ଅନ୍ଧାରରେ ବସିଛି ଧୀରା । ଆଲୁଅ ଦେଖି ସେ ବି ଉଠିଲା ।

ତାଟି ଆଉଜାରେ ତିନିହେଁ ଖୋଜିବାକୁ ଗଲେ ।

 

ତହିଁ ଆରଦିନ ତିନିଟାବେଳେ କାଳୁ ଘରର ଅବସ୍ଥା ଦେଖିବାକୁ ଆସି ପହଞ୍ଚିଲା । ସେ ଦେଖିଲା, ଗାଁ ଲୋକେ ଜମା ହୋଇଛନ୍ତି । ଗୋଟାଏ ବଳଦ ଠିଆ ହୋଇଛି । ରମୀର ନହୁନୁହାଣ ଖଣ୍ଡିଆ ଖାବୁଡ଼ା ଦେହ ମୁଣ୍ଡକୁ କନାରେ ଗୁଡ଼ାଇ ଗୋଟାଏ ପାଖ ଚନ୍ଦରା, ଆର ପାଖୁ ହୀରା ଧରି ଘରଭିତରୁ ଟେକି ଆଣି ବଳଦ ଗାଡ଼ିରେ ଥୋଇଲେ । ରମୀ ଉପରେ ଗଛ ଡାଳ ପଡ଼ିଛି । ପ୍ରାଣ ଅଛି, ଚେତା ନାହିଁ । କଟକ ଡାକ୍ତରଖାନାକୁ ନେବାକୁ ଆୟୋଜନ କରିଛି ।

 

ଗାଡ଼ି ଚାଲିଲା । ପଛରେ ଚାଲିଲେ ଚନ୍ଦରା, ହୀରା ଓ ଧୀରା । କାଳୁ ଚାହିଁ ରହିଲା ।

କେହି ତାକୁ କିଛି କହିଲେ ନାହିଁ ।

ସୋଇଁଘର ବୁଢ଼ୀ କହିଲା, ଧର୍ମ କଣ ନାହିଁ ?

ଆଉ ଜଣେ କହିଲା, ଚନ୍ଦରାକୁ ଭଲ ପାଇଟି ମିଳିଛି ।

କାଳୁ ଘର ଆଡ଼କୁ ଚାହିଁ କହିଲା, ଏଡ଼େ ବଡ଼ ତୋଫାନ ସହି ଠିଆ ହୋଇଛି ତ ।

ଜଣେ କିଏ କହିଲା, ରିକ୍‌ସାଟଣା ଝାଳ ନିଗିଡ଼ା ପଇସା ।

 

କାଳୁ ଜବାବ ନ ଦେଇ ଘର ଭିତରକୁ ଗଲା ଘୁସୁଡ଼ି ଘୁସୁଡ଼ି । କାଲିଠୁଁ ସେ ଖାଇ ନାହିଁ । ଘରେ ହାଣ୍ଡି ମାଠିଆ ଗଡ଼ୁଛି । ତଳ ମାଟି ଓଦା । ଚାଳରୁ ଓହଳିଛି ଛୋଟ ପୁଡ଼ାଟି । ଆଶା ହେଲା ।

 

ଗାଁ ଲୋକେ ଯିଏ ଯୁଆଡ଼େ ଗଲେ ?

କାଳୁ ଭାବିଲା, ଯିବକି କଟକ ?

 

ଭୋକରେ ପେଟ ଜଳୁଛି । ପାଦେ ଚଳି ହେଉ ନାହିଁ । ଘରେ ସିନା ଚାଉଳ ଅଛି ରାନ୍ଧିବ କିଏ । ଆମ୍ବ ଟୋକେଇରେ ଆଖି ପଡ଼ିଲା, କଞ୍ଚାଗୁଡ଼ା, ଦାନ୍ତ ନାହିଁ । ପୁଣି ଚାହିଁଲା ଉପରକୁ । ଚାଉଳ ପୁଡ଼ା ଝୁଲୁଛି ମୁଣ୍ଡ ଉପରେ ।

 

ଯିବକି କଟକ ?

ଭାରି ଭୋକ ।

ଭାବିଲା, ଗାଡ଼ି ଅଧବାଟରୁ ଫେରିବି କି କଣ ?

 

କାଳୁ ନିଜ ଭାବନାରେ ନିଜେ ଚମକି ଉଠିଲା । ନାଇଁ, ନାଇଁ, ଗାଡ଼ି ଫେରିବ ନାହିଁ । ଦିଟା ବଢ଼ିଲା ଝିଅ । କିଏ ତାଙ୍କୁ ପୋଷିବ, କିଏ ତାଙ୍କୁ ସମ୍ଭାଳିବ ? ସେ ତ ଛୋଟା, ନିଷ୍କର୍ମା, ମଦୁଆ, ଭିଖାରୀଟା । ସେ ବି ଯିବ କଟକ ।

 

କାଳୁ ତାଟି ଆଉଜାଇଲା । ବାଡ଼ି ଖଣ୍ଡି ଧରି ଛୋଟେଇ ଛୋଟେଇ ଉଠିଲା ବଡ଼ରାସ୍ତା ଉପରକୁ । ଗାଡ଼ି ସେଇବାଟେ ଯାଇଛି । ଦିଶୁନାହିଁ । କେତେ ବାଟରେ ହେବଣି । ଆଖିରେ ଛଳଛଳ ହେଲା ଲୁହ ।

 

କାଳୁ ସାମଲ ଆଗକୁ ଚାଲିଲା ।

 

ବିଜିପୁରରୁ ପନ୍ଦର କୋଶ ବାଟ ହେବ ଧନୀପୁର, ଧୋଇଆ ମୂଲକରେ । ହେଲେ, ଦୁଇପାଖ ଦୁଇକୋଶ ଭିତରେ ନଈନାଳ ନାହିଁ । ବଡ଼ ବଢ଼ି ହେଲେ ଦୁଇ ପାଖ ନଈର ପାଣି ଆସେ ଗାଁକୁ । ଗହୀର ବିଲରେ ସୁଅ ପଡ଼େ । ଗାଁ ଦାଣ୍ଡରେ ପିଣ୍ଡାତଳେ ଛାତିଏ କି ବେକେ ପାଣିରେ ସୁଅ ପଡ଼େ । ଧନୀପୁର ଗାଁର ଲୋକଙ୍କ ବସ୍ତି ଛାଡ଼ିଛାଡ଼ିକା ନୁହେଁ । ଅଣଓସାରିଆ ଦାଣ୍ଡ ରାସ୍ତାଗୁଡ଼ିକର ଦୁଇ ପାଖେ ଧାଉଡ଼ି ଧାଉଡ଼ି ଘର । ଉଚ୍ଚ ପିଣ୍ଡା । ଯେତେ ବଡ଼ ବଢ଼ି ଆସିଲେ ବି ପିଣ୍ଡା ଉପରକୁ ପାଣି ଚଢ଼େ ନାହିଁ । ଘର ପଛପଟ ଢିଅ କି ବାରି ଉପରେ ବଡ଼ ବଢ଼ି ହେଲେ ଚରାପାଣି ଚାଲିଯାଏ-

ଦାଣ୍ଡରେ ଛୁଟେ ସୁଅ । ଏ ପିଣ୍ଡାରେ ବସି ଆର ପିଣ୍ଡାରେ ବସିବା ଲୋକ ସଙ୍ଗେ ଖୁସି ଗପ ସିନା ହୋଇ ପାରିବ, ଦେଖା ଦେଖି ପଚରା ଉଚରା ସିନା ହେବ, ପାନଖିଲେ ଦିଆ ନିଆ କରିବାକୁ ଡଙ୍ଗା କି କଦଳୀ ଭେଳା କି ଅଳ୍ପ ପାଣି ଥିଲେ ଗାମୁଛା ଲୋଡ଼ା । ବଢ଼ି ପାଣି ବେଶି ଦିନ ରହେ ନାହିଁ । ଚାରି ପାଞ୍ଚ ଦିନ ରହି ଛାଡ଼ିଯାଏ ।

ଏଇ ଧୋଇଆ ମୂଳକରେ ଧନୀପୁର ଗୋଟିଏ ବଡ଼ଗାଁ । ଡାକଘର, ଥାନା ପ୍ରାଇମେରୀ ସ୍କୁଲ, ଜମିଦାରଙ୍କ କଚେରୀ ଘର ଓ କବିରାଜଙ୍କ ଦୋକାନ । ଗ୍ରାମବାସୀ ସାଧାରଣତଃ ଗରିବ । ଦଶ ପଚିଶ ଘର ଖୁସିବାସିଆ ।

ଚକ୍ରଧରଙ୍କ ଘର ଏଇ ଧନୀପୁର ଗାଁରେ । ବାପାଙ୍କ ଅମଳରେ ଖୁସିବାସିଆଙ୍କ ତାଲିକାରେ ୟାଙ୍କ ଘର ଗଣତି ଥିଲା । ବହୁ କୁଟୁମ୍ବୀ ହେବାରୁ ଚକ୍ରଧରଙ୍କର ଚଳାଚଳ କଷ୍ଟ । ତେବେ ଅଧାଉପାସିଆ ଗରିବଙ୍କ ତାଲିକାରେ ଗଣତି ହେବାକୁ ସେ ପସନ୍ଦ କରନ୍ତି ନାହିଁ । ଭୁମିବାଡ଼ି ଯେଉଁ ଦଶ ବାର ମାଣ ଅଛି, ଦିନରାତି ତାରି ପିଛା ଲାଗିଥାନ୍ତି । ମୋଟାସୋଟା ପାଣି ତୋରାଣି ଯାହା ସମ୍ଭବ, ଚାରୋଟି ପୁଅ, ତିନୋଟି ଝିଅ, ସ୍ତ୍ରୀ, ବିଧବା, ବୁଢ଼ୀ, ପିଉସୀ ଓ ଦୂର ସମ୍ପର୍କ ନିଆଶ୍ରୀ ବିଧବା ଖୁଡ଼ୀଙ୍କ ତୁଣ୍ଡରେ ଆହାର ଦେବାର ବ୍ୟବସ୍ଥା ସେ କରନ୍ତି । ବଡ଼ ପୁଅଟିକୁ ମୋଟେ ତେର ବରଷ, ସବା ସାନ ପୁଅଟିକୁ ଦେଢ଼ ବରଷ । ସ୍ତ୍ରୀ ସୁମତି ଅତି ଦୁର୍ବଳ ହେଲେ ବି କାମିକା । ସ୍ନେହୀ ।

ବିଜିପୁରର ଜମିଦାର ପରଶୁରାମବାବୁଙ୍କ ସ୍ତ୍ରୀ ପାର୍ବତୀ ଚକ୍ରଧରଙ୍କ ସାନ ଭଉଣୀ । କେତେମାସ ହେଲା ସେ ଆସି ଭାଇଙ୍କ ପାଖରେ ଅଛନ୍ତି । ଅଧେଦିନ ଭଲ ତ ଅଧେଦିନ ବେମାର-। ଏଇ ଘରର ଝିଅ ସେ । କେଡ଼େ କାମିକା, କେଡ଼େ ଚଞ୍ଚଳ ସେ ଥିଲେ । ବଡ଼ଲୋକଙ୍କର ହାତଧରି ବଡ଼ଘରର ବୋହୂ ହୋଇ ପରଘରେ କେଇଟି ବର୍ଷ କଟାଇ ଆସିଛନ୍ତି । ଏବେ ସେ ମାଟି-। ସବୁବେଳେ ବିରସ ମୁହଁ । ସତେ କି କଣ ଭାବୁଛନ୍ତି । ଅଳ୍ପ କଥା କହନ୍ତି । ଯେତେବେଳେ ତୁଣ୍ଡ ଖୋଲନ୍ତି, ପାଟିରୁ ବାହାରେ ଭାଗ୍ୟ ବିରୁଦ୍ଧରେ ଅଭିଯୋଗ, ନୋହିଲେ ଆତ୍ମୀୟଙ୍କ ବିରୁଦ୍ଧରେ ଅଭିମାନ ।

ବେଳ କଟେ ଝିଆରୀ ପୁତୁରାଙ୍କ ଅର୍ଦୋଳିରେ । ପରଘରକୁ ଗଲା ଆଗରୁ ଯେଉଁ ଝିଆରୀ ପୁତୁରାଟିମାନେ ସାନ ସାନ ଥିଲେ, ଯାହାଙ୍କୁ ପାର୍ବତୀ ପ୍ରାଣରୁ ବଳି ଭଲ ପାଉଥିଲେ, ସେମାନେ ଆଜି ବଡ଼ ବଡ଼ ହୋଇଗଲେଣି । ଯେଉଁମାନେ ଉତାଣି ପିଲା ଥିଲେ, ସେମାନେ ଖେଳ କୌତୁକ ଆରମ୍ଭ କଲେଣି । ପୁଣି ଦିଓଟି ନୂଆ, ତାଙ୍କରି ସେବାଯତ୍ନ କରି ଜୀବନର ଛୋଟ ଅନୁଭୁତି, କୋଳରେ ଖସି ପଡ଼ିଥିଲା ଯେଉଁ ଟିକି ଚାନ୍ଦଟି, ତାକୁ ସେ ପାସୋରିବାକୁ ଚେଷ୍ଟା କରନ୍ତି ।

ନିଦରେ, ସପନ ଭିତରେ ତାର ସ୍ମୃତି ଆସେ ଛପି ଛପି, ଆଉ, ତାରି ସଙ୍ଗେ ସଙ୍ଗେ ଆଉ ଜଣଙ୍କର ହସ ହସ ମୁହଁ ଯିଏ ସେ ପିଲାଟିକୁ ବଞ୍ଚାଇ ରଖିଥିଲେ, ଯିଏ ମୁହଁ ଛପା ଦେଇ ରହିଲାରୁ ପିଲାଟା ବି ମୁହଁ ଲୁଚାଇଲା ଚିରଦିନ ପାଇଁ, ସେଇ ଦେବରାଜ ।

ସଞ୍ଜ ବୁଡ଼ି ଆସୁଥାଏ । ଦାଣ୍ଡ ପିଣ୍ଡାରେ ବସି ସୁମତି ପାର୍ବତୀଙ୍କର ମୁଣ୍ଡ ବାନ୍ଧି ଦେଉଛନ୍ତି-। ବଢ଼ିପାଣି ଗାଁ ଦାଣ୍ଡରୁ ଛାଡ଼ି ଯାଇଥିଲେ ବି ବଳା ଗଣ୍ଠିଏ ପାଣି ଗଡ଼ି ଗଡ଼ି ଚାଲିଛି । ପିଲାଗୁଡ଼ାକ ଦାଣ୍ଡଘରେ ଗୁଡ଼ୁରି ଗାଡ଼ରି ହୋଇ ଖେଳୁଛନ୍ତି । ଚକ୍ରଧର ବଡ଼ ପୁଅ ସଙ୍ଗରେ ନେଇ ବିଲକୁ ଯାଇଛନ୍ତି ଧାନ ଗଛର ଅବସ୍ଥା ଦେଖିବାକୁ, ଛୋଟ ଛୋଟ ଗଛଗୁଡ଼ିକ ଚାରିଦିନ କାଳ ବଢ଼ି ପାଣିରେ ବୁଡ଼ି ରହିଲା, କଣ ତାର ଅବସ୍ଥା ହୋଇଥିବ ।

ସୁମତି କଅଁଳେଇ ପଚାରିଲେ, ପାର, କଥାଟିଏ କହିବି ଆଇଁଗଣ ପାଇବ ନାହିଁ ?

ତମ କଥାରେ ଆଇଗଣ କେବେ ମୁଁ ପାଏ ? ପଚାରୁନ ।

ପାର, ଏତେମାସ ହେଲା ଏଠି ତ ରହିଲାଣି, କାହିଁ କେବେ ତ ପରଶୁବାବୁ ଖଣ୍ଡେ ଚିଠି ଲେଖି ନାହାନ୍ତି କି ଲୋକ ପଠାଇ ନାହାନ୍ତି ? ତମେ ବି କେବେ ଚିଠି ଲେଖ ନାହିଁ । ତମ ଦିହିଁଙ୍କ ଭିତରେ କଣ ହୋଇଛି କହିବ ନାହିଁ ?

ପାର୍ବତୀ କହିଲେ, ବିବାହ ପରା ହୋଇଛି । ଭଲ ଘର, ଭଲ ବର ଦେଖି, ଦୁନିଆଁ ମନ୍ଥି ସାରିଲା ପରେ ତମେମାନେ ମତେ ବାହା କରାଇଥିଲ । ମୁଁ ତାଙ୍କୁ ଦିନରାତି ଝୁରୁଛି, ଆଉ ସେ ବି ସେମିତି ମତେ ଝୁରୁଥିବେ । ଚିଠି ପତ୍ର ଦେବା ଦରକାର ନାହିଁ ।

ଥଟ୍ଟା ମଣ ନା ପାର ।

ମୋର ଜୀବନ ସଙ୍ଗେ ତମେମାନେ ଥଟ୍ଟା ଖେଳିଲ । ଥଟ୍ଟା ହିଁ ମୋର ଜୀବନର ସର୍ବସ୍ୱ ହେଇଛି, ଶୁଣିବ ତ ଶୁଣ । ତମେ ବର ଦେଖି ମତେ ପର ଘରକୁ ପଠାଇ ନ ଥିଲ, ଘର ଦେଖି ପଠାଇଥିଲ । ଯେଉଁ ବକଟକ ଜନମ ହୋଇଥିଲା ସେ ଚାଲିଗଲା, ଘର ଭାଙ୍ଗିଲା । ମୁଁ ବି ଫେରିଆସିଲି ମୋ ଘରକୁ, ବାପ ମା ନ ଥିଲେ ବି ଜନମ ଥାନକୁ, ମୁଠିଏ ଖାଇବା କଥା ତ–

ପାର, ଯାହା ହେବାର ହୋଇଯାଇଛି, କପାଳ କଥା କିଏ ଅନ୍ୟଥା କରିବ । ପରଶୁବାବୁ ଅତି ଭଲ ବୋଲି ସମସ୍ତେ କହିଲେ । ଝିଅକୁ ପରଘରକୁ ଦେଇ ସାରିଲା ପରେ ଆଉ ତାଙ୍କର କଣ ଥିଲା କି ଜଞ୍ଜାଳ ? ତମେ ତ ପୁଣି ସୁଖରେ ଥିଲ–

ଛାଡ଼ି ଦିଅ ମୋର ସୁଖ କଥା । ମୂଲିଆ ମୂରୂଖ ଏ ରାଜ୍ୟରେ ନ ଥିଲେ କି ? ହଁ, ସେ ମତେ କିଛି କହନ୍ତି ନାହିଁ । ମାଗେ ତ ନାହିଁ କିଛି, ତାଙ୍କ ମନକୁ ସେ ଆଣି ଦିଅନ୍ତି ଭଲ ଶାଢ଼ୀ, ଭଲ ଗହଣା । ବଡ଼ ଲୋକ । ଟଙ୍କା ଆଣି ଅଜାଡ଼ି ଦିଅନ୍ତି ଆଗରେ । ମୁଁ ଗଲାରୁ ଝିଅକୁ ସେ ସାତ ପର କଲେ । ତାକୁ ପଚାରନ୍ତି ନାହିଁ କି ତା ଦୁଆରେ ଗୋଡ଼ ଦିଅନ୍ତି ନାହିଁ । ଲୋକେ ଭାବୁଥିବେ, ତମେ ଭାବୁଥିବ, ମତେ ଏତେ ସୁଖ ପାଆନ୍ତି ଯେ ଦୁନିଆର ସମସ୍ତଙ୍କୁ ମୋ ପାଇଁ ସେ ଛି କରି ଦେଇଛନ୍ତି-

ସତେ ତ ।

ସତ ନୁହେଁ ଭାଉଜ, ମତେ ସେ ଭଲ ପାଆନ୍ତି ନାହିଁ । ବୁଢ଼ାଦିନେ ନୂଆ ଘର କରିଥିଲେ କୁଳରକ୍ଷା କରିବାକୁ । ସେଇଥିଲାଗି ମୋତେ ସେ ଦୟା ଦେଖାନ୍ତି । ମୋ ମନରେ ଦୁଃଖ ନ ଦେବାକୁ ସେ ବ୍ୟାକୁଳ ହୁଅନ୍ତି ।

ଭଲ ପାଇବା ଆଉ କାହାକୁ କହନ୍ତି ପାର ? ତମ ଭାଇଙ୍କି ଦେଖିଲ । ସବୁବେଳେ ତାଙ୍କର ତେଢ଼ା କଥା ଦିନେ କେବେ ତାଙ୍କ ମନକୁ ସେ ଲୁହା ଅଗୁଆଟିଏ ମୋ ପାଇଁ ଆଣିଛନ୍ତି, କହିଲ ? ଯେତେ କାମ କଲେ ତାଙ୍କ ଆଖିକି ଦିଶେ ନାହିଁ । ସବୁ ନାପସନ୍ଦ । ଦରବୁଢ଼ୀ ହେଲିଣି, ବେଳେ ବେଳେ ମୁଁ ଭାବେ ତମ ଭାଇ ମତେ ଭଲ ପାଆନ୍ତି ନାହିଁ । ସ୍ତ୍ରୀ ପୁରୁଷ ହୋଇ ଘର କଲେ ସମସ୍ତେ ସେମିତି ଭାବନ୍ତି କି କଣ ।

କହନା, କହନା ସେ ଗୁଡ଼ା । ବାପଘରକୁ ତମେ ଗଲେ ସାତଦିନରୁ ଆଠଦିନ ରହି ପାର ନାହିଁ ପରା । ଭାଇ ଘରେ ପଶନ୍ତି ନାହିଁ । କାମ ବାହାନାରେ ଦିନରାତି ପଦାରେ ରହନ୍ତି । ମୁଁ ଜାଣେ ନାହିଁ ?

କାହା ଉପରେ ଆଉ ତୁଣ୍ଡ ସୁଖ ସାରିବେ ମୁଁ ନ ଥିଲେ ?

ନୂଆଉ, ସଂସାର କହନ୍ତି ଏଇଆକୁ । ଭଲ ପାଇବା ଏଇଆକୁ କହନ୍ତି ଲୋ । ରାଗରୋଷ, ମାନ ଅଭିମାନ, ସମାନକୁ ସମାନ । ମନଧରା କଥା, ଦୟା ଦେଖା ଆଜ୍ଞାକୁ ଅବଧାନ ଭିତରେ ଭଲ ପାଇବା ନ ଥାଏ । ଯାହାର ମନ ଦୟା ଦେଖାଇବା ଆସନରେ, ତାଠୁ ଭିକ ଗଣ୍ଡାଏ ସିନା ଆଶା କରିବ, ଭଲ ପାଇବା ଆଶା କରିବ ନାହିଁ ।

ସୁମତୀ କାବା ହୋଇ ଭାବିଲେ । ମୁଣ୍ଡ ବିନ୍ଧା ଶେଷ କରି ପାର୍ବତୀଙ୍କର ମୁହଁପୋଛି କହିଲେ ଭଲ ପାଇବାର ନୂଆ ଅର୍ଥଟିଏ ତମେ କହିଲ । ତମେ ଏବେ ସମାନ ହେଇ ପରଶୁବାବୁଙ୍କୁ ଚାରି ପଦ ହାଙ୍କି ଦେଉନ ।

ଭିକାରି ନ ପାଇଲେ ଯେମିତି ହାଙ୍କେ, ପାଳ ପକାଇ ଉଚ୍ଚ ହେଲେ ମଣିଷ ଯେମିତି ସମାନ ହୁଏ ? ତାଙ୍କରି ମନରେ ଭଲ ପାଇବା ଚିଜଟି ନାହିଁ ନୂଆଉ, ଯାହା ସେ କରନ୍ତି ସବୁ ମତେ ସୁଆଙ୍ଗ ପରି ଲାଗେ । ଏତେଦିନକାଳ ସଂସାର କରିଥିଲେ ତ ଆଗରୁ, ତାଙ୍କ ସ୍ତ୍ରୀ ମଲା ବୋଲି ପନ୍ଦର ଦିନ ସେ ବିଛଣାରୁ ଉଠି ନ ଥିଲେ ବୋଲି ଶୁଣିଛି, ମୁଁ ଗଲାବେଳକୁ ତାଙ୍କ ସ୍ତ୍ରୀଙ୍କର ସ୍ମୃତିର ଚିହ୍ନ ସୁଦ୍ଧା ସେ ରଖିନାହାନ୍ତି । ଭୁଲରେ କେବକାଳର ଫଟୋ ଖଣ୍ଡେ ରହି ଯାଇଥିଲା । ମୋ ନଜର ପଡ଼ିଲା । ସେ ଖଣ୍ଡ ବି ଚିରି କୁଆଡ଼େ ପକାଇ ଦେଲେ ।

ଏଇଥିରୁ ବୁଝିବ ପାର, ତୁମକୁ ସେ କେଡ଼େ ସ୍ନେହ କରନ୍ତି । ତମ ମନରେ ମୋଟେ ଦୁଃଖ ଦେବାକୁ ଚହାଁନ୍ତି ନାହିଁ । ତମେ ତାଙ୍କୁ ଭୁଲ ବୁଝନା ।

ମୁଁ ତାଙ୍କୁ ମୋଟେ ଭୁଲ ବୁଝିନାହିଁ । ନୂଆଉ, ଆର ସ୍ତ୍ରୀ ତାଙ୍କର ଛାଡ଼ି ଯାଇଥିଲେ ଝିଅଟିଏ । ମା ମଲା ପରେ ସବୁ ସ୍ନେହ ଅଜାଡ଼ି ଦେଇଥିଲେ ସେଇ ଅଲୀଅଳି ଝିଅ ଉପରେ । ଯେତେ ଭୁଲ କଲେ କଣ ଝିଅକୁ କେହି ଛି କରେ । ଜ୍ୱାଇଁ ଅନ୍ଧ ହେଲା । ଝିଅ ଏତେ ଦୁଃଖ ସହିଲା-। ସହୁଛି ବି । ବାପ ହୋଇ ତ ପଚାରିଲେ ନାହିଁ । ମୁଁ କଣ ମନା କଲି ? ମନା କଲେ ବି ସେ ତ ବାପ ।

ସୁମତୀ ଭାବିଲେ । କହିଲେ ପରଶୁବାବୁ ସିନା ପଚାରିଲେ ନାହିଁ, ତମେ ଯଦି ଦାୟିତ୍ୱ ବୁଝିଲ ତମେ ତ ସେ ଝିଅକୁ ପଚାରି ପାରିଥାନ୍ତ । ଦାଣ୍ଡରେ ପାଇଥାନ୍ତ ପ୍ରଶଂସା ।

ସେ ଝିଅ ମତେ ଘୃଣା କରେ ।

ସେଇଥିପାଇଁ ପରଶୁବାବୁ ତାକୁ ପଚାରନ୍ତି ନାହିଁ । ଏଇଥିରୁ ପ୍ରମାଣ ମିଳୁଛି ସେ ତମକୁ କେତେ ଦେଖି ପାରନ୍ତି । ତାଙ୍କୁ ତମେ ନିନ୍ଦା କର ନା ।

 

ଦୁନିଆଁ ଲୋକ ତ ନିନ୍ଦା କଲେ, ତାଙ୍କୁ ନୁହେଁ, ମତେ । ମୁଁ କୁଆଡ଼େ ମନ୍ତର କଲି; ମୁଁ କୁଆଡ଼େ ଓଷଦ କଲି । ସାବତ ମା ହେବାଠୁ ବଳି କେଉଁ ଦୁଃଖ ବେଶୀ ? କଲେ ମଲ, ନ କଲେ ମଲ । କଲେ ମଲ । କଲେ କହିବେ, ସାବତ ମା ପରା ।

 

କେଉଁ କଥାରୁ ଆସିଲା କେଉଁ କଥାକୁ । ଯାହା ତ ଗଲାଣି ଗଲାଣି, ତମେ ତାଙ୍କୁ ଚିଠି ଲେଖ । ଦେହ ପା କଥା ପଚାରି ପଠାଅ । ମୁଁ ଲୋକ ପଠାଉଛି । ଛି, ଏଗୁଡ଼ା ଭଲ କଥା ନୁହଁ । କପାଳେ ଯାହା ଥିଲା ହେଲା । ରାଗ–ରୋଷ କରି ଅଭିମାନ କରି ଆଇଲ । ଖବର ନ ନେବା ଭଲ ହେବ ନାହିଁ ।

 

କାହିଁକି, ସେ କଣ ଲୋକ ପଠାଇଛନ୍ତି କି ? ନୂଆଉ, ସେ କାହାରି ନୁହନ୍ତି । ଜମିଦାରୀ ନ ଉଠୁଣୁ ସେ ଜମୀଦାରୀକୁ ଲୋକଙ୍କ ହାତକୁ ଟେକି ଦେଲେ । କହିଲେ, କାହିଁକି ଏତେ ହରବର, କିଏ ଭୋଗ କରିବ ? ଦିନେ ତ ଉଠିବ, ଲୋକେ ମାତିଛନ୍ତି, ଯାଉ ତାଙ୍କରି ହାତକୁ । ମତେ ଥରେ ପଚାରିଲେ କି ?

 

ତମେ ବାଧା ଦେଲ ନାହିଁ ?

 

କେତେବେଳେ ? ଗ୍ରାମ କମିଟି ହାତରେ ଜମିଦାରୀ ଦେଇ ସାରିଲା ପରେ ? ଗ୍ରାମ କମିଟି ଜମିଦାରୀ ବୁଝିବେ । ଲାଭ ପଇସାରେ ଲୋକହିତକର କାମ କରିବେ । ମତେ ପୁଣି କହୁଛନ୍ତି ଭଲେଇ ହେଇ, ଲୋକଙ୍କ ରାଇଜ, କାହିଁକି ତାଙ୍କ ସଙ୍ଗେ ଝଗଡ଼ା, ଯେଉଁ ତ ଲାଭ !

 

ସତ ନୁହେଁ କି ପାର, କଣ ମିଳିବ ହଇରାଣରୁ ? ଜମି ଚାଷ କରାଇ ସେଇଥିରୁ ଯାହା ମିଳିବ, ସୁଖରେ ବେଳ କଟିଗଲେ ହେଲା ।

 

ଜମି, ସେତକ ବି କଣ ହାତରେ ? ନିଜ ମନକୁ ସେ ଉପାୟ ଖଞ୍ଜି ଗାଁ ଯାକର ସବୁ ଜମି ଏକାଠି ଚାଷ କରାଇଛନ୍ତି ପରା । ଗହୀର ବିଲରେ କାହାରି ହିଡ଼ ନାହିଁ । ଲେଖା ପଢ଼ି ହେଇଛି, ଲୋକେ ତାଙ୍କ ଜମି ପରିଣାମରେ ଫସଲର ଅଂଶ ପାଇବେ । ସମସ୍ତେ କାମ କରିବେ, ନୋହିଲେ ମୂଲ ଦେବେ । ନିଜେ ମାତିଛନ୍ତି । ଗାଁ ଲୋକଙ୍କୁ ବି ମତାଇଛନ୍ତି । ମୁଁ ସେଥିରେ ବାଧା ଦେଲାରୁ ସବୁ ଅନର୍ଥ ସୃଷ୍ଟି ହେଲା ।

Unknown

 

ଭଲ କାମ ତ ସେ କରିଛନ୍ତ, ତେବେ କାହିଁକି ବାଧା ଦେଲ ? ଏ ଗାଁରେ ଯଦି ସେମିତି ଚାଷ ହୁଅନ୍ତା, ହିଂସାବାଦ ରହନ୍ତା ନାହିଁ, ଫସଲ ନଷ୍ଟ ହୁଅନ୍ତା ନାହିଁ । କେତେ ଦୁଃଖ କଷ୍ଟ ହଇରାଣରୁ ତମ ଭାଇ ରକ୍ଷା ପାଆନ୍ତେ ।

 

ଭଲ କାମ, ନା ? ଜମିଦାରୀ ଛାଡ଼ିଲେ, ଜମି ବି ଛାଡ଼ିଲେ, ଆଉ ରହିଲା କଣ ? ତମେ ପରା ଜମି ଜମିଦାରୀ ଦେଖି ଅଧା ବଇସିଆ ମଣିଷ ଘରକୁ ମତେ ପଠାଇଥିଲ ? ଜମି ଜମିଦାରକୁ ସିନା ତମେ ମତେ ବାହା କରାଇଥିଲ, ତାଙ୍କୁ ତ ନୁହଁ । ସେ ସବୁ ତ ଗଲା ।

 

ଗଲା ବୋଲି କହୁଛ କାହିଁକି ?

 

ମୋର ବୋଲି କହିବାକୁ କିଛି ରହିଲା ନାହିଁ, କି ମୋର ବୋଲି ଚାହିଁବାକୁ କିଛି ରହିଲା ନାହିଁ । ମୁଁ ବାଧା ଦେଲି, ସେ ଶୁଣିଲେ ନାହିଁ । ପୁଅ ମରଣର ଦୁଃଖ ସହି ମୁଁ ରହିପାରିଥିଲି କିନ୍ତୁ ତାଙ୍କର ନାହିଁ କଥା ମୁଁ ସହିପାରିଲି ନାହିଁ । ଫଳ ହେଲା ଅଶାନ୍ତି । ମୁଁ କହିଲି, ମୁଁ ରହିବି ନାହିଁ କି ସହିବି ନାହିଁ । ସେ କହିଲେ, ତମ ଇଚ୍ଛା, ଏ ସବୁ ବିଷୟରେ ମୁଁ କାହାରି ମତାମତ ଲୋଡ଼େ ନାହିଁ । ମୁଁ କହିଲି, ବେଶ ମୋ ଇଚ୍ଛା । ମୁଁ ଆସିଲି ଏଠିକି ।

 

ସୁମତି ଭାବିଚିନ୍ତି କହିଲେ, ଆସିଲ ଭଲ କଲ, ତମ ଘର, ଆସିବାକୁ କିଏ ମନା କରିବ କି ? ଯେତେଦିନ ଖୁସି ରହ । ନଣନ୍ଦର ସେବା କରିବା କାହାର ଭାଗ୍ୟରେ ଥାଏ ? ମୋ ସୁନା ଭଉଣୀଟି, ପରଶୁବାବୁଙ୍କୁ ଚିଠି ଖଣ୍ଡେ ଲେଖ ।

 

ଉପରେ ପଡ଼ି ? ମୋଠି ତାଙ୍କର ଲୋଡ଼ା ନାହିଁ । ସେଥିପାଇଁ ସେ ପଚାରିୁ ନାହାନ୍ତି । ତାଙ୍କଠି ବି ମୋର କି ଦରକାର ? ପିଲା ବକଟେ ହେଇଥିଲା, ସେ ଚାଲିଗଲା ତାଙ୍କରି ପାଇଁ । ନୂଆଉ, ତାଙ୍କରି ପାଇଁ । ଯିଏ ତାକୁ ଓଷଦ ଦେଇ ବଞ୍ଚାଇ ରଖିଥିଲେ, ଡାକ୍ତର, ତାଙ୍କ ବିରୁଦ୍ଧରେ ସେ ପ୍ରଚାର କଲେ । ଡାକ୍ତର ଚାଲିଗଲେ ଗାଁରୁ ତାଙ୍କ ପଛେ ପଛେ–

 

ପାର୍ବତୀଙ୍କ ଆଖିରୁ ଲୁହ ଝରିଲା । କହିଲେ, ଯାଉ ସେ । ତାଙ୍କରି ଗଲା । ମୋରି କଣ ନାହିଁ କି ? ପୁଅ ଝିଅ ମୋର ସାତଟି । ତମେ ସିନା ଜନମ କରିଛ, ମୋ ରକତ ମାଂସ ତ । ତାଙ୍କରି ଅର୍ଦୋଳି କରୁ କରୁ ମୋର ଦିନକାଳ ସରିଯିବ । ଜମି ଜମିଦାରୀ ମୋର ଲୋଡ଼ା ନାହିଁ କି ପାକୁଆ ପାଟିର ହସିଲା କଥା ମୋର ଲୋଡ଼ା ନାହିଁ ।

 

ସୁମତୀ କହିଲେ, ଲୋଡ଼ା ନାହିଁ ତ ଝୁରି ଝୁରି କି ସରି ହେଲାଣି ନିଜ ରୂପ ତମେ ଦେଖିଛ ? କବିରାଜଙ୍କ ଔଷଧ କେମିତି ଧରିବ ? ରୋଗଟା ତ ମନ ଭିତରେ ।

 

ଖାଲି ଝୁରୁଛି ତ ଓହୋ– । ଝୁରିବାକୁ ଆଉ ସଂସାରରେ ଲୋକ ନାହାନ୍ତି ଯେମିତି । ଖାଲି–

 

ତୁଣ୍ଡରେ କଥା ଅଟକି ଗଲା । ମାଇଁ ସଞ୍ଜ ଆସୁଛି । ଗାଁ ଦାଣ୍ଡରେ ଚାଲିଛି ବଳଗଣ୍ଠିଏ ପାଣି । ପାଣି ଭିତରେ ପଶି ଚକ୍ରଧର ଘରକୁ ଫେରୁଛନ୍ତି । ବେକରେ ଗାମୁଛା, ହାତରେ ଠେଙ୍ଗା । ସଫା ଖଦଡ଼ ଲୁଗା ଓ ଜାମା ପିନ୍ଧି ମୁଣ୍ଡରେ ଗାନ୍ଧିଟୋପି ଦେଇ ତାଙ୍କ ପଛରେ ଆସୁଛନ୍ତି ଡାକ୍ତର ଦେବରାଜ । କାନ୍ଧରେ ଖଦଡ଼ ତଉଲିଆ । ଗୋଟିଏ ହାତରେ ଖଣ୍ଡେ ବହି । ଆର ହାତରେ ହୋମିଓପାଥିକ ବାକ୍‌ସ । ସେମିତି ଉଜ୍ଜ୍ୱଳ ଆଖି, ହସିଲା ମୁହଁ ।

 

ସୁମତି କହିଲେ, ଭିତରକୁ ଆସ ପାର, ତମ ଭାଇଙ୍କ ସଙ୍ଗରେ ଡାକ୍ତରବାବୁ ଆସୁଛନ୍ତି । ତମକୁ ଦେଖିବାକୁ ତାଙ୍କୁ ଡକାଇଥିଲି, ଡାକ୍ତର ନୁହନ୍ତି ତ ସାକ୍ଷାତ୍ ଧନ୍ୱନ୍ତରୀ ।

 

ସୁମତିଙ୍କ ପଛେ ପଛେ ପାର୍ବତୀ ଘର ଭିତରକୁ ଗଲେ ।

ମାଈ ସଞ୍ଜ ମାଡ଼ି ଆସୁଥାଏ– ।

ପରଶୁରାମ ପୁଣି ଖବର କାଗଜରେ ଆଖି ପକାଇଲେ ।

 

–ସମସ୍ୟା ଅନେକ । ଦେଶ ପରାଧୀନ ଥାଉ କି ସ୍ୱାଧୀନ ହୋଇ ରହୁ, ସବୁ ଉନ୍ନତିକର ଯୋଜନା କାର୍ଯ୍ୟକାରୀ ହୋଇ ଦେଶରେ ଧନଧାନ୍ୟ ଗୋପଲକ୍ଷ୍ମୀ ପୂର୍ଣ୍ଣ ହେଉ । ସେଥିରେ ଏ ହତଭାଗ୍ୟମାନଙ୍କର କି ଲାଭ ହେବ ? ଦୁଷ୍ମନ୍ତବାବୁଙ୍କର ଅରକ୍ଷ ନିବାସ ପରି ଶହ ଶହ ଅରକ୍ଷ ନିବାସ ପ୍ରତିଷ୍ଠିତ ହେଲେ ବି ଦେଶର ସବୁ ଅକ୍ଷମ ଅରକ୍ଷ ଆଶ୍ରା ପାଇପାରିବେ ନାହିଁ । ପୁରପଲ୍ଲୀରେ ଶତସହସ୍ର ଅରକ୍ଷ ଅକ୍ଷମ ହାତପାତି ଭିକ ମାଗୁଥିବେ, ଉପାସ–ଭୋକରେ ଛଟପଟ ହୋଇ ଶୀତ ବର୍ଷାରେ କଷ୍ଟପାଇ କେବଳ ଅଭିଶାପ ଦେଉଥିବେ । ସମାଧାନର ଉପାୟ କଣ ? ଆହୁରି ଗୋଟିଏ କଥା । ଦାଣ୍ଡ ଘାଟରେ ଏ ଯେଉଁ ରୁଗ୍‍ଣ ଅକ୍ଷମ ହାତପାତି ବୁଲୁଛନ୍ତି, ରୋଗର ଜୀବାଣୁ ବିତରଣ କରି ରୋଗୀର ସଂଖ୍ୟା ବଢ଼ାଉଛନ୍ତି, ସେମାନଙ୍କ ପାଇଁ କଣ କରାଯାଇପାରେ ? ସରକାରୀ ବା ବେସରକାରୀ ଯେତେ ଅନୁଷ୍ଠାନ ହୋଇଛି, ସମସ୍ତଙ୍କୁ ଆଶ୍ରା ଦେବାକୁ ସେ ସବୁ ଯଥେଷ୍ଟ ନୁହେଁ । ଦେଶର ଥିଲା ଲୋକମାନେ ସ୍ୱତଃପ୍ରବୃତ୍ତ ହୋଇ ଏ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସୁନାହାନ୍ତି କାହିଁକି । ଦୁଷ୍ମନ୍ତବାବୁ ତାଙ୍କର ଅବଶିଷ୍ଟ ସମ୍ପତ୍ତିର ଅର୍ଦ୍ଧେକ ଏମାନଙ୍କ ପାଇଁ ଦାନ କରିବାକୁ ପ୍ରତିଶ୍ରୁତି ଦେଲେ, ଅନ୍ୟମାନେ ଆଗେଇ ଆସନ୍ତୁ, ନିଜ ହାତକୁ ଏ ଦାୟିତ୍ୱ ନିଅନ୍ତୁ–

 

ଅକ୍ଷମ ନିବାସ ହେଉ, କି ରୁଗ୍‌ଣାଳୟ ହେଉ ଅଭାବ ତୁଳନାରେ ଏ କେବଳ ଉପହାସ ହେଉ ପଛେ ଉଦ୍ଦେଶ୍ୟର ପଛରେ ଯେଉଁ ବ୍ୟାକୁଳତା ରହିଛି ସେତିକି ହେଉଛି ବଡ଼ । ଯେଉଁମାନଙ୍କର ଅଛି ସେମାନଙ୍କର ହୃଦୟର ପରିବର୍ତ୍ତନ ହେଉ, ମନରେ ଆସୁ ବ୍ୟାକୁଳତା । ଏ ସବୁ ସମସ୍ୟାର ସମ୍ୟକ୍ ସମାଧାନ ହୋଇପାରିବ–

 

ପରଶୁରାମବାବୁ ଖବର କାଗଜରୁ ଆଖି ଟେକିଲେ । ଦୃଷ୍ଟି ପଡ଼ିଲା କାନ୍ଥରେ ଟଙ୍ଗା ହୋଇଥିବା ଛୋଟ ଫଟୋଟି ଉପରେ । କ୍ଷଣପ୍ରଭାକୁ ସେତେବେଳେ ପାଞ୍ଚ ବର୍ଷ ହୋଇଥିଲା । କ୍ଷଣପ୍ରଭା ବକ୍ତୃତା ଦେଇଛି ଟାଉନ୍ ହଲ୍‌ରେ । କେଡ଼େ ଖୁସି ଲାଗିଲା । ଏଇ ଟିକି ପିଲାଟି, ଯାହାକୁ ସେ ଦୂରେଇ ଦେଇଥିଲେ ବଂଶରକ୍ଷାର ମୋହରେ, ଯାହାକୁ ସେ ଘୃଣା କରିଥିଲେ ଅବାଧ୍ୟତ ପାଇଁ, ତାରି ସୁଖ ଓ ଆନନ୍ଦ ପାଇଁ ସେ ଆଜି ମଣିଷ ହେଇଛି, ମଣିଷର ଦୁଃଖକଷ୍ଟ ପାଇଁ, ବ୍ୟାକୁଳ ହୋଇ ଆଗେଇ ଚାଲିଛି, ସମାଲୋଚନାକୁ ଗୋଡ଼ରେ ଦଳି ଚାଲିଛି ।

 

ପରଶୁବାବୁ ପୁଣି ଚାହିଁଲେ ଖବର କାଗଜକୁ । ଗୋପାଳ ବାବୁ ଅଗ୍ନି ଉଦ୍‌ଗାରିଛନ୍ତି–

 

ସରକାରର କର୍ତ୍ତବ୍ୟ । ଧନୀକର ମନ ବଦଳିବ ନାହିଁ । ଧନୀ ପୁଞ୍ଜିପତିଙ୍କର ଧନ ସରକାରକୁ ହିଁ ଆଣିବାକୁ ପଡ଼ିବ । ସରକାର, ଯାହାର ହାତରେ ଶକ୍ତି ଅଛି । କେଇଟା ଟିକସ୍ ବସାଇ ଦେଲେ ଧନୀର ଧନ ଊଣା ହୁଏ ନାହିଁ । ହାତ ପୂରାଇ ଧନ ଟାଣି ଆଣିବାକୁ ହେବ । ଖାଲି ଆକୁଳ ଆବେଦନ କରି ଲାଭ ନାହିଁ, କେହି ଶୁଣିବେ ନାହିଁ । ବଳ ପ୍ରୟୋଗ ଲୋଡ଼ା । ଦୁନିଆଁ ଶୀଘ୍ର ବଦଳୁଛି । ଏ ଦେଶ ଖାଲି ଅନାଇଁ ରହିଲେ ହେବ ନାହିଁ । ବକ୍ତୃତା ଶୁଣିଲେ ଫଳ ନାହିଁ । ଅକ୍ଷମ, ଅନାଥ, ରୁଗ୍‍ଣ ଓ ଦରିଦ୍ରର ଦୁଃଖ ଅପସରିବ ନାହିଁ ବକ୍ତୃତା ଆବେଦନ ଓ ଭିକ୍ଷାରେ । ଉଠ, ହାତଟେକ ଆଗକୁ ଚାହଁ–ଧନକୁବେର, ପୁଞ୍ଜିପତି ମିଲ୍‌ମାଲିକ, ଜମିଦାରର ଧନର ପାହାଡ଼ ଝଟକୁଛି । ପଛକୁ ଅନା, –କାଙ୍ଗାଳ ପଲ, ଅକ୍ଷମ, ରୁଗ୍‍ଣ ପଲ, ଧଡ଼ିଆ ଧେଡ଼ଙ୍ଗ, ନିତି ଉପାସୀ ଖଙ୍କା ପେଟରେ ଚାହିଁ ରହିଛି–

 

–ତେବେ, ସମସ୍ୟାର ସମାଧାନ କିପରି ହେବ ?

 

ଏତେ ବକ୍ତୃତା, ଏତେ ଉତ୍ତେଜନାର ଶେଷ ଫଳ ହେଲା କଣ ? ଅନ୍ୟ କେହି ଧନକୁବେର, ସମ୍ପତ୍ତିର ଅଂଶ ଦାନ କରିବାକୁ ଆଗେଇ ଆସିଲେ ନାହିଁ ତ ? ତିନି ଚାରି ହଜାର ଲୋକଙ୍କ ମଝିରେ ଦଶ ପଚିଶ ଜଣ ପାଟି କରିଥିଲେ–ଭାଙ୍ଗ, ଜାଳ, ପୋଡ଼ । ଧନ ଗଦା ଜୁରକର । ଦରିଦ୍ର ଅନାଥ ନିରାଶ୍ରୟଙ୍କ ପାଇଁ ବ୍ୟବସ୍ଥା କର । ଶହ ଶହ ଲୋକ ପାଟିକରି ଉଠିଲେ, ଏମାନେ ସମାଜଦ୍ରୋହୀ, ଦେଶଦ୍ରୋହୀ, ଯୁଗଦ୍ରୋହୀ । ଧ୍ୱଂସମୂଳକ ଚିତ୍‌କାର ଯେଉଁଠୁ ଆସୁଛି ତାକୁ ହିଁ ଭାଙ୍ଗ, ତାକୁ ହିଁ ପୋଡ଼, ଜାଳ, ଧ୍ୱଂସ କର । ଦେଶର ସଂସ୍କୃତି, ଦେଶର କୃଷ୍ଟି ରକ୍ଷାକର ।

 

ବିଶୃଙ୍ଖଳା । ସଭାଭଙ୍ଗ । – (ସମ୍ପାଦକୀୟ)

 

ପରଶୁରାମ ଚାରିଆଡ଼କୁ ଚାହିଁଲେ, ସତେ କି ସେ ସମାଧାନ ଖୋଜୁଛନ୍ତି । ଘର ଭିତରେ ଏକୁଟିଆ ସେ ଭାବନାରେ ନିମଗ୍ନ । ବାହାରେ ବାଦଲ–ଘେରା ଆକାଶରୁ ଝରି ପଡ଼ୁଛି ବର୍ଷା ବିନ୍ଦୁ । ଦିନ ଦ୍ୱିପ୍ରହରରେ ବି ସୂର୍ଯ୍ୟାଲୋକର ଦେଖା ନାହିଁ । ବିଷର୍ଣ୍ଣ ପ୍ରକୃତି । ଉଦାସ ମନ ।

 

ଛୋଟ ସଂସାର, ସୀମାବଦ୍ଧ ସ୍ୱାର୍ଥ, ସଂକୀର୍ଣ୍ଣ ଭବିଷ୍ୟତ ଆଶା ପାଖରୁ ସେ ଦୂରେଇ ଆସିଛନ୍ତି । କାହାରି ଉପରେ ଅଭିମାନ କରିନାହାନ୍ତି । ଯୁଗର ଆଗୁଆଣି ପାଣି ସୁଅରେ ସେ ଭାସିଛନ୍ତି । ଯୁଗର ଭାବନା ତାଙ୍କୁ ଯୁଗଯୁଗର ସ୍ୱାର୍ଥର ବନ୍ଧନରୁ ମୁକ୍ତ କରିଛି । ସେ ମୁକ୍ତ । ଦେଶର ଶହ ଶହ କର୍ମୀଙ୍କ ଭିତରୁ ସେ ଜଣେ ।

 

ତାଙ୍କ ସଂସାରର ପରିଧି ବଢ଼ିଛି । ନିଃସ୍ୱାର୍ଥ ହୋଇ ସ୍ୱାର୍ଥର ପରିସ୍ଥିତି ସେ ବଢ଼ାଇଛନ୍ତି । ଭବିଷ୍ୟତ ବର୍ତ୍ତମାନ ସଙ୍ଗେ ମିଶି ହୋଇଛି ଏକାକାର । ଯେଉଁ ବିଜିପୁରର ଲୋକଙ୍କର ସେବା ସେ ନାଲି ଆଖି ଦେଖାଇ ଶହ ଶହ ବର୍ଷ ଗ୍ରହଣ କରିଥିଲେ, ଆଜି ସେ ସମସ୍ତଙ୍କର ସେବକ ହୋଇ ସେତକ ସୁଝାଇବାକୁ ଚାହାନ୍ତି । ସେବକର ସମ୍ମାନ, ସେବକର ଆନନ୍ଦ ଓ ଉପଲବ୍‌ଧି କରିଛନ୍ତି ।

 

ଦୁନିଆଁରେ ଏକମାତ୍ର ବନ୍ଧନ ଥିଲେ ପାର୍ବତୀ । କ୍ଷଣପ୍ରଭାର ଅନୁରୋଧକୁ ଉପେକ୍ଷା କରି ଜମିଦାର ବଂଶର କୁଳ ରକ୍ଷା କରିବାକୁ ଜାଣି ଜାଣି ଏ ବୟସରେ ଯୁବତୀ ପାର୍ବତୀଙ୍କର ପାଣିଗ୍ରହଣ କରିଥିଲେ । କ୍ଷଣପ୍ରଭା ଦୂରେଇ ଯାଇଛି । ସେ ନିଜର କର୍ମପନ୍ଥା ବାଛି ନେଇଛି, ପ୍ରକାରାନ୍ତରେ ତାଙ୍କୁ ଶିଖାଇଛି ଗଣର ସେବା, ସ୍ୱାର୍ଥର ବଳି । ଶିଶୁପୁତ୍ରଟି, ବଂଶରକ୍ଷା କରିବାକୁ ଯେ ଦୁନିଆଁକୁ ଓହ୍ଲାଇ ଆସିଥିଲା, ସେ ଚାଲିଯାଇଛି । ଯେତେ ବଡ଼ ପ୍ରଳୟ ହେଲେ ବି ମଣିଷର ବଂଶ ବୁଡ଼ିବ ନାହିଁ । ଆଉ, ସେ ପରଶୁରାମ, ମଣିଷର ସନ୍ତାନ । ତେବେ କାହିଁକି ଆଉ– ?

 

ପାର୍ବତୀ ବୁଝିଲେ ନାହିଁ । ହଁ, ସେ ଆସିଥିଲେ ଜମିଦାରୀ ଓ ଧନସମ୍ପତ୍ତିର ସ୍ତ୍ରୀ ହୋଇ । ଆଦର୍ଶ ବଦଳିଲା । ଧନସମ୍ପଦ ଜଣକର ନ ହୋଇ ଗଣଙ୍କର ହେଲା କାହିଁକି ସେ ଛାଡ଼ି ଚାଲିଗଲେ-? ଅଭିମାନ, ରାଗ–ରୋଷ ? ଏକାଥରେ ସେ ନୀରବ । ହାତ ହାତର ବନ୍ଧନ ବଡ଼ ଅସ୍ୱାଭାବିକ । ସେଇଥିପାଇଁ ପାର୍ବତୀ ଚାଲିଗଲେ । ସ୍ୱାମୀର ଆଦର୍ଶ ପଛରେ ଧାଇଁ ପାରିଲେ ନାହିଁ-। କ୍ଷତି କଣ ? କାହିଁକି ସେ ବାଧା ଦେଇଥାନ୍ତେ ? ପରର ସ୍ୱାଧୀନ ଚଳନକୁ ନିଜର ଗୋଡ଼ରେ ବାନ୍ଧି ଛନ୍ଦୁରି ହୁଅନ୍ତେ ?

 

ପାର୍ବତୀ ଯାଇଛନ୍ତି । ଯେଉଁଦିନ ସ୍ୱାମୀ ତାଙ୍କ ଆଖିକି ବଡ଼ ଦିଶିବେ, ସେଇଦିନ ସେ ଫେରି ଆସିବେ । ନୋହିଲେ ନାହିଁ । ସେ ବିଷୟରେ ଭାବିବାକୁ ବେଳ ନାହିଁ । ଆଖି ଆଗରେ ବିରାଟ କର୍ତ୍ତବ୍ୟ ଠିଆ ହୋଇଛି, ଗୋଟାଏ ଚ୍ୟାଲେଞ୍ଜ୍‌ । ବିଜିପୁରର ସମସ୍ତେ ରହିବେ ସୁଖରେ ଓ ଆନନ୍ଦରେ । ଧ୍ୱଂସର ଡାକ ପଶିବ ନାହିଁ ଏ ଗ୍ରାମରେ । ଯେଉଁମାନେ ବିଜିପୁରକୁ ଧାଇଁ ଆସିଥିଲେ ରେରେକାର କରି, ଲୋକଙ୍କୁ ଧ୍ୱଂସର, ସର୍ବନାଶର ବାଟ ଦେଖାଇବାକୁ ପରଶୁରାମଙ୍କର କଥା ଶୁଣି ସେମାନେ ବାହୁଡ଼ିଥିଲେ– ଆପଣମାନେ ଚାହାନ୍ତି ତ ଜମିଦାରୀ ରହିବ ନାହିଁ ଏ ଗ୍ରାମରେ ? ବେଶ୍, ମୁଁ ମୋର ଜମିଦାରୀ ଆପଣଙ୍କ ହାତରେ ଛାଡ଼ିଦେଲି । ଆପଣମାନେ ଚଳାନ୍ତୁ । ବଳକା ଧନ ଲୋକହିତକର କାର୍ଯ୍ୟରେ ବ୍ୟୟ କରନ୍ତୁ । ଆସନ୍ତୁ, ସମସ୍ତଙ୍କର ଜମି ଏକାଠି ମିଶାଇବା, ଏକାଠି ଚାଷ କରିବା, ଯାହା ପାଇବା ଜମିର ଅଂଶ ମୁତାବକ ବାଣ୍ଟି ନେବା । ହିଂସା ଦ୍ୱେଷ ରହିବ ନାହିଁ । ଯିଏ ଯେଉଁ କାର୍ଯ୍ୟ କରି ପାରିବ ସେ ସେହି କାର୍ଯ୍ୟ କରିବ । ମୂଲିଆ ବି ମୂଲ ପାଇବ ଯଥେଷ୍ଟ, କାମର ଦକ୍ଷତା ପ୍ରକାରେ । ଆସନ୍ତୁ ନୂଆ ଉଦ୍ୟମରେ ଲାଗି ପଡ଼ିବା, ନୂଆ ଦୁନିଆ ଗଢ଼ିବା, ଯେଉଁ ଦୁନିଆରେ ସମସ୍ତେ ରହିବେ ସୁଖରେ, ଆନନ୍ଦରେ । ସମସ୍ତେ ହେବେ ବଡ଼ । ସମସ୍ତେ ସମସ୍ତଙ୍କର ମଙ୍ଗଳ କାମନା କରିବେ ସେହି ଉଦ୍ଦେଶ୍ୟରେ ନିର୍ମଳ ମନ ଓ ନୂତନ ଉତ୍ସାହରେ କର୍ମ କରିବେ । ମୋର ଜମି ଜମିଦାରୀ, ଧନସମ୍ପତ୍ତି ଆପଣମାନଙ୍କ ହାତକୁ ଟେକି ଦେଉଛି । ଆପଣମାନଙ୍କ ସେବା ପାଇଁ ନିଜକୁ ମୁଁ ଆପଣମାନଙ୍କ ହାତରେ ସମର୍ପି ଦେଉଛି ।

 

ପରଶୁରାମଙ୍କର ଦୁଇ ଆଖିରୁ ଦୁଇଧାର ଲୁହ ଝରି ଆସିଥିଲା ।

 

ପରଶୁରାମଙ୍କ ସଙ୍ଗେ ଗ୍ରାମ ଲୋକେ ସହଯୋଗ କଲେ । ବିଜିପୁରର ସବୁ ଜମି ହେଲା ସଭିଙ୍କର, ପୁଣି ନିଜର ରହିଲା ବ୍ୟକ୍ତିଗତ ଅଂଶ । ଏ ସବୁ ଜମିରେ ଭଲ ବିଲାତିଆଳୁ ଫଳିବ । ବିଲାତିଆଳୁ ଚାଷରେ ପାରଙ୍ଗମ ସୁଲଭ ସ୍ୱାଇଁ, ନରି ସାହୁ, ରାଧୁ ଗୋଛେଇତ । ସେମାନେ ସେ କାମ ଦେଖିବେ । କମିଟି ଗଢ଼ିବେ । ବିଲାତିଆଳୁ ଚାଷର ସବୁ ବ୍ୟବସ୍ଥା କରିବେ । ଏ ସବୁ ଜମିରେ ଭଲ ଆଖୁ ହେବ, ଏଠି ଚିନା ବାଦାମ, ଏଠି ରବି, ଏଠି ଜଡ଼ା, ଏସବୁ ଜମି କଦଳୀ ଚାଷ ପାଇଁ ଉପଯୁକ୍ତ । ଝୋଟ, ଧୂଆଁପତ୍ର, କପା, ଧାନ ଇତ୍ୟାଦି ସବୁ ଫସଲ ପାଇଁ ଜମି ବଛା କମିଟି ଗଢ଼ା । ସବୁ ଲେଖାପଢ଼ି ।

 

ଶେଷକୁ ଗ୍ରାମର ମୁଖ୍ୟ କମିଟି, ସବୁ କମିଟିର ବଚ୍ଛା ବଚ୍ଛା ସଭ୍ୟ । ସେମାନେ କରିବେ ହଳ, ଲଙ୍ଗଳ, ବିହନ, ଖତର ବ୍ୟବସ୍ଥା, ଫସଲ ବଣ୍ଟନର ଆୟୋଜନ, ବଳକା ଫସଲର ଆବଶ୍ୟକ ଅନୁରୂପ ବିକ୍ରିବଟାର ଯୋଜନା । ସେମାନେ ପାଣି ଠିକଣା କରିବେ, ମୂଲିଆର ବୋନସ୍, ସାଧାରଣ ଗଚ୍ଛିତ ପାଣ୍ଠିର ରକ୍ଷଣାବେକ୍ଷଣ, ଗ୍ରାମର ସାଧାରଣ କାର୍ଯ୍ୟର ତତ୍ତ୍ୱାବଧାନ ଓ ଗ୍ରାମ ଅନୁଷ୍ଠାନଗୁଡ଼ିକର ପରିଚାଳନା ।

 

ସବୁ ଚାଲିଛି ଭଲରେ, ଶୃଙ୍ଖଳାରେ ।

 

କାର୍ଯ୍ୟ ଚାଲୁ କରିବାକୁ ପ୍ରଥମେ ଯାହା ଧନ ଆବଶ୍ୟକ ହେଲା ସବୁ ଦେଲେ ପରଶୁରାମ । ଗ୍ରାମଟିକୁ ସେ ଗୋଟିଏ କୁଟୁମ୍ବରେ ପରିଣତ କରିଛନ୍ତି । ଗଚ୍ଛିତ ଧନ ତାଙ୍କର ହେବ କଣ ? ସମସ୍ତେ ସୁଖରେ ଚଳିଲେ ହେଲା । ସମସ୍ତେ ତାଙ୍କର ଆତ୍ମୀୟ, ଅତି ପ୍ରିୟ । ଲୋକେ ଉତ୍ସାହରେ ଲାଗିପଡ଼ିଛନ୍ତି । ପରଶୁରାମ ପାଗଳ ହୋଇଛନ୍ତି ନୂଆ କାମର ଉତ୍ତେଜନାରେ । ଆଖି ଆଗରେ ପାହାଡ଼ ପରି ଠିଆ ହୋଇଛି ସମସ୍ୟା–ଗ୍ରାମରେ ଯେଉଁ ଲୋକଗୁଡ଼ିକ ଅନାଥ ଅକ୍ଷମ, ଭିକ ମାଗି ପେଟ ପୋଷୁଛନ୍ତି ଓ ଯେଉଁମାନେ ରୁଗ୍‍ଣ ଅକର୍ମଣ୍ୟ ହୋଇ ଘରେ ପଡ଼ିଛନ୍ତି ସେମାନଙ୍କ ପାଇଁ କି ବ୍ୟବସ୍ଥା କରିବାକୁ ହେବ ? ପୁଣି ଜମିର ଅଂଶ ଅନୁଯାୟୀ ଫସଲ ବା ଫସଲ ବିକା ଧନର ଭାଗ ନେଇ ଯେଉଁ ଦରିଦ୍ରଗୁଡ଼ିକଙ୍କର ଦୁଇବେଳା ପେଟ ଚଳୁ ନାହିଁ, ଦେହ ଘୋଡ଼ାଇବାକୁ ଯାହାକୁ ଲୁଗା ମିଳୁ ନାହିଁ, ସେମାନଙ୍କ ପାଇଁ କଣ କରାଯାଇପାରେ ?

 

ପେଟକୁ ଓ ଦେହକୁ ନ ମିଳିଲେ ପୁଣି ଧ୍ୱଂସର ଧାରଣା ଅତୃପ୍ତ ମଣିଷର ମନରେ ପଶିବ । ଯାହାର ଯେତିକି ଲୋଡ଼ା ତାକୁ ଯଦି ସେତିକି ଦିଆଯାଏ ହୁଏ ତ ଏ ସମସ୍ୟାର ସମାଧାନ ହୋଇପାରନ୍ତା । ସଭିଙ୍କର ଯଦି ନିଅଣ୍ଟ ପଡ଼ନ୍ତା, ଉତ୍ପାଦନ ବଢ଼ାଇବାକୁ ସମସ୍ତେ ପ୍ରାଣପଣେ ଚେଷ୍ଟା କରନ୍ତେ । ଗ୍ରାମର ବିଭିନ୍ନ ଅଂଶୀଦାର ଯେଉଁମାନଙ୍କର ଅଂଶ ଅଧିକ, ଆବଶ୍ୟକ ଅଳ୍ପ, ଯେଉଁମାନେ ସୁଖରେ ଅଛନ୍ତି, ଯେଉଁମାନଙ୍କର ଯଥେଷ୍ଟ ବଳୁଛି, ସେମାନେ ରାଜି ହେବେ କି ? ଯଦି ରାଜି ହୁଅନ୍ତି ବା ବାଧ୍ୟ କରି ସେମାନଙ୍କୁ ଯଦି ରାଜି କରାଯାଏ ସାନନ୍ଦବାବୁଙ୍କ ପଦ୍ଧତିଠାରୁ କେଉଁ ଗୁଣରେ ତାହା ଭିନ୍ନ ହେବ ?

 

ପରଶୁରାମ ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ ।

 

ଝରକା ବାଟେ ପଦାକୁ ଚାହିଁଲେ । ବର୍ଷାର ବେଗ ବଢ଼ିଛି । ପବନ, ରହି ରହି ବିଜୁଳି, ଘଡ଼ଘଡ଼ି । ସବୁ ବର୍ଷ ଏପରି ହୁଏ, ଯେବେ ତାର ଦିନ ଆସେ । ପୃଥିବୀ ଯେପରି ବୁଲୁଛି ନିଜ ଚାରିପାଖେ ପୁଣି ସୂର୍ଯ୍ୟ ଚାରିପାଖେ, ସେମିତି ବୁଲୁଛି ଦିନରାତି, ମାସ ଋତୁ । ସେମିତି ପୁଣି ବୁଲି ଆସୁଛି ମଣିଷର ସଭ୍ୟତା ।

 

ଆଦିମ ଯୁଗର ମଣିଷ ବଣର ମଣିଷ, ନଙ୍ଗଳା ମଣିଷ, ସମାଜ ସଂସ୍କୃତିହୀନ ମଣିଷର ଲୋଡ଼ା ଥିଲା କେବଳ ଆହାର, ନିଦ୍ରା ଓ ମୈଥୁନ । ବିରାଟ ବିଶ୍ୱ ପଡ଼ିଥିଲା ତା ଆଗରେ ମୁକ୍ତ । ହାତ ଗୋଡ଼ର କରାମତିରେ ସେ ଯୋଗାଡ଼ କରୁଥିଲା ଆଧାର । ସେଇ ମଣିଷ ଆଜି ଅଛି । ସେମିତି ଅଛି ତାର ହାତ ଗୋଡ଼; କିନ୍ତୁ କେବଳ ହାତଗୋଡ଼ର କରାମତି ତାକୁ ଆଧାର ଯୋଗାଇ ପାରୁନାହିଁ । ପରସ୍ପର ପ୍ରତି ସହାନୁଭୂତି, ନିଜେ ବଞ୍ଚିବା ପାଇଁ, ପରକୁ ବଞ୍ଚିବାକୁ ସୁବିଧା ସୁଯୋଗ ଦେବାର ଧାରଣା ଗଢ଼ିଛି ମଣିଷ ସଭ୍ୟତା, ମଣିଷ ସମାଜ, ମଣିଷର ଅଭାବ । ଆହାର, ନିଦ୍ରା ଓ ମୈଥୁନ ସବୁ ହୋଇଛି ନିୟନ୍ତ୍ରିତ ।

 

ମଣିଷର ସଂଖ୍ୟା ଯେତେ, ତାର ଅଭାବ ଯେତେ ବଢ଼ୁ ପ୍ରଥମ ଅଭାବ, ପେଟ ପାଇଁ ଯାହା ଲୋଡ଼ା–ଜୀବନ ପାଇଁ ତା ପରେ ସଭ୍ୟତା ପାଇଁ ବସନ, ମୈଥୁନ ସୁନିୟନ୍ତ୍ରଣ ପାଇଁ ବିବାହ, ଘର, ସାମାଜିକ ନିୟମ ସଂସ୍କୃତି । ହାତଗୋଡ଼ ଚାଲିଲେ ମଧ୍ୟ ଯଦି ପେଟ ପାଇଁ, ଜୀବନ ପାଇଁ ପେଟକୁ ମୁଠିଏ ନ ମିଳେ, ଚଳିଲା ହାତଗୋଡ଼ ତୁନି ହୋଇ ରହିପାରିବ କେତେଦିନ ? ନ ଚଳିଲା ହାତଗୋଡ଼ ମାଡ଼ିବସିଥିବା ସୁଯୋଗର ସୁବିଧା ନେଇ ଯଦି ଚଳିଲା ହାତଗୋଡ଼ର ଅଭାବ ଅସୁବିଧା କଥା ନ ବୁଝେ ତେବେ ଚକ ପୁଣି ବୁଲି ଆସିବାକୁ ସୁଯୋଗ ପାଇବ । ଧ୍ୱଂସର ଲୀଳା କିଏ ବା ଅଟକାଇ ପାରିବ ? ମଣିଷ ସମାଜ ଫେରିଯିବ ଆଦିମ ଅସଭ୍ୟ ଅନ୍ଧାର ଯୁଗକୁ ।

 

ସଭ୍ୟତା ରହିବ କିପରି ?

 

ପରଶୁରାମ ଭାବିବାକୁ ଲାଗିଲେ । ହଁ, ଉପାୟ ଅଛି । ଧନସମ୍ପତ୍ତିହୀନ ଗାଁର ମୂଲିଆ ପରିଶ୍ରମ କରି ଯଦି ମୁଠିଏ ଖାଇବାକୁ ପାଏ, ଖଣ୍ଡେ ପିନ୍ଧିବାକୁ ପାଏ, ତେବେ ସିନା ସମାଜ ବଞ୍ଚିପାରିବ ଧ୍ୱଂସ ମୁଖରୁ । ବିଜିପୁରର ସବୁ କୁଟୁମ୍ବ ପରିଶ୍ରମ ଦରକାର ମାନିଆଁ ଆଗ ପାଇବ ଫସଲ ଓ ଚଳିବା ପାଇଁ ଧନ । ଯାହା ବଳିବ, ସେଥିରୁ ରୁଗ୍‍ଣ ଅକ୍ଷମ ନିରାଶ୍ରୟଙ୍କ ପାଇଁ ବ୍ୟବସ୍ଥା କରାଯିବ । ଅବଶିଷ୍ଟ ଅଂଶ ହାରରେ ବଣ୍ଟାଯିବ ।

 

ଅନ୍ନବସ୍ତ୍ରର ଅଭାବ ରହିବ ନାହିଁ । ଯାହାର ଯାହା ଅଂଶ ସେହି ପ୍ରକାରେ ସେ ପାଇବ ସୁବିଧା ।

 

ପରଶୁରାମ ସତେ କି ଆକାଶରୁ ଶୂନ୍ୟବାଣୀ ଶୁଣିଲେ । ଆନନ୍ଦରେ ବାହାରି ଆସିଲେ ପଦାକୁ । କିପରି ସେ ଗ୍ରାମଲୋକଙ୍କୁ ବୁଝାଇ ଅନୁପ୍ରାଣିତ କରିପାରିବେ, ଆମେ ସମସ୍ତେ ଏଇ ଗ୍ରାମର ପିଲା, ଗୋଟିଏ କୁଟୁମ୍ବର ଲୋକ । ସମସ୍ତେ ହାଡ଼ଭାଙ୍ଗି ପରିଶ୍ରମ କରିବା, ମାଟିତାଡ଼ି ଲକ୍ଷ୍ମୀଠାକୁରାଣୀକୁ କାଢ଼ିବା । ଆମେ ସମସ୍ତେ ଆଗ ଖାଇବା ପିନ୍ଧିବା ପାଠ ପଢ଼ିବା, ଯାହା ବଳିବ ସେତକ ପଛେ ବାଣ୍ଟି ନେବା ଅଂଶ ପ୍ରକାରେ । ସେତିକି ହେବ ନିଜସ୍ୱ । ଭୋଗ ପାଇଁ ନୁହେଁ, ଲୋଡ଼ା ପଡ଼ିଲେ ଆମରି ଏଇ ବଡ଼ କୁଟୁମ୍ବର ଉପକାର ପାଇଁ ।

 

ଦୁଷ୍ମନ୍ତକୁ ନିଦ ହୋଇ ଯାଇଛି ।

 

ରାତି ଅଧ । ଦେହ ଲାଗୁଛି ଅବଶ । ତିନି ରାତି କ୍ଷଣପ୍ରଭା ଅନିଦ୍ରା । ଖିଆପିଆ ଠିକଣା ନାହିଁ, କାର୍ଯ୍ୟର ଅନ୍ତ ନାହିଁ । ଘରର କାର୍ଯ୍ୟ, ପୁଣି ବାହାରର । ଜୀବନଟା ଯେପରି ତାର କର୍ମର ସମଷ୍ଟି ।

 

ଦୁଷ୍ମନ୍ତକୁ ପାଞ୍ଚଦିନ ହେଲା ଜର ହୋଇଥିଲା । ଆଜି ସକାଳେ ରେମିସନ୍ ହୋଇଛି । ଦୁର୍ବଳତା ଛାଡ଼ି ନାହିଁ । ପାଞ୍ଚଦିନ ସାଗୁବାର୍ଲି ସେ ଖାଇଛି । ଆଜି ରାତିରେ ପାଉଁରୁଟି ଓ ଦୁଧ ଖାଇଛି । କ୍ଷଣପ୍ରଭାର ଯତ୍ନରେ ସେ ଭଲ ହୋଇଛି । ଜର ନ ଥିଲେ ମଧ୍ୟ କ୍ଷଣପ୍ରଭା ପାଖରେ ବସି ଗପ କରୁଥିଲା ।

 

ଦୁଷ୍ମନ୍ତ ଶୋଇପଡ଼ିଛି ।

 

କ୍ଷଣପ୍ରଭା ଉଠିଲା । ବିଜୁଳି ପଙ୍ଖାର ବେଗ କମାଇଲା । ବାରଣ୍ଡା ପଟର କବାଟ ଦିଓଟି ବନ୍ଦ କରି ଝରକାଗୁଡ଼ିକର ପରଦା ଟାଣିଲା । ରାକ୍‌ରୁ ଆଲୁଆନ ଟାଣି ଦୁଷ୍ମନ୍ତର ଦେହ ଘୋଡ଼ାଇଲା-। ପାଖ ଘରକୁ ପଶି ଯାଇ ଚାକରଟୋକା ରଙ୍ଗିଆକୁ ଡାକି ଉଠାଇଲା ।

 

ମୁଁ ଶୋଇ ନାହିଁ ମା !

 

ସତେ, ଶୋଇନୁ, ଭଲପିଲା ତୁ, ଶୁଣ । ବାବୁ ଶୋଇଛନ୍ତି । ତୁ କବାଟ ଖୋଲି ଶୋଇଥା-। ଆଲୁଅ ଲିଭାଇବୁ ନାହିଁ । ମଝି କବାଟ ମୁଁ ଆଉଜାଇ ନେଉଛି । ବାବୁ ଖୋଜିଲେ ଏଇ ଲାଇବ୍ରେରୀ ବାଟେ ଯାଇ ମତେ ଡାକିବୁ । କବାଟରେ ହାତ ମାରିଲେ ମୁଁ ଉଠିବି । ବୁଝିଲୁ ?

 

ହାଇ ମାରି ରଙ୍ଗିଆ କହିଲା, ହଅଁ ।

 

କ୍ଷଣପ୍ରଭା ଫେରି ଆସିଲା ଦୁଷ୍ମନ୍ତ ପାଖକୁ । ନେଳିଆ ଆଲୁଅ ଜଳୁଛି । ନିଦ ହୋଇଛି । ଚାହିଁ ରହିଲା ମୁହୂର୍ତ୍ତେ ତାର ଶୋଇଲା ମୁହଁକୁ । ମଳିନ, ଦୁର୍ବଳ । ପାଞ୍ଚଦିନ ପାଞ୍ଚରାତି ସେ ସେବା କରିଛି, ଯତ୍ନ ନେଇଛି, ପାଖରେ ବସିଛି, ଦେହ ଗୋଡ଼ ଆଉଁସିଛି ! ଦେହକୁ ଆଉଜାଇ ଧରିଛି । ସଙ୍କୋଚ ନାହିଁ । ସତେ ଯେପରି ଦୁଷ୍ମନ୍ତ ତାର–

 

କଣ ? ଏହି ପ୍ରଶ୍ନର ଉତ୍ତର ସେ ନିଜେ ଖୋଜି ପାଏନାହିଁ । ଦୁଷ୍ମନ୍ତ ଶିଶୁଟି ପରି ଅଳି କରିଛି । ବନ୍ଧୁ ପରି ନିଃସଙ୍କୋଚରେ କରିଛି ଗଳ୍ପ । ଅତି ପାଖରେ ବସି କାନ୍ଧକୁ ଆଉଜାଇ ଦେଇଛି ମୁଣ୍ଡ ।

 

ଦୁଷ୍ମନ୍ତ ତାର କଣ ?

 

ଆରେ, ସେ ଠିଆ ହୋଇ ରହିଛି କାହିଁକି ? ରାତି ଅଧହେଲା । କର୍ତ୍ତବ୍ୟ ସରିନାହିଁ । ସୁକାନ୍ତିଙ୍କୁ ମଧ୍ୟ ଦୁଇଦିନ ହେଲା ସାମାନ୍ୟ ଜର । କ୍ଷଣପ୍ରଭା ତାଙ୍କର ବି ଯତ୍ନ ନେଉଛି । ନୀର ତାଙ୍କର ସେବାରେ ତ୍ରୁଟି କରୁନାହିଁ । ତଥାପି, ପିଲା ଲୋକ ସେ ।

 

କ୍ଷଣପ୍ରଭା ଲାଇବ୍ରେରୀ ବାଟେ ନିଜ କୋଠରୀରେ ପଶିଲା । କବାଟ ବନ୍ଦ କଲା ।

କିଏ, ପ୍ରଭା ?

କଣ ? ଶୋଇ ନା ?

ତମେ ?

କାମ ସରିନାହିଁ ।

ରାତି ଅଧ ହେଲାଣି ।

ଜାଣେ । ଆଜି କଣ ନୂଆ ? କାମ ସରିଲେ ତ !

କେଉଁଠି ଥିଲ ?

ମାଆଙ୍କ ପାଖରେ ଥିଲି । ସେଇଠୁ ଗଲି ଦୁଷ୍ମନ୍ତଙ୍କ ପାଖକୁ ।

ଦୁଷ୍ମନ୍ତକୁ ତ ସକାଳୁ ଜର ନାହିଁ ।

ନାହିଁ । ମୋତେ ପାଖରେ ବସିବାକୁ କହିଲେ ।

ଚାଲ ଆସିଲ ଯେ ?

ସେ ଶୋଇପଡ଼ିଲେଣି ।

ତମେ ଏଥର ଶୁଅ । ରାତି ବେଶି ହେଉଛି ।

କାମ ସରିନାହିଁ ।

ଆଉ କି କାମ ?

 

ମାଆଙ୍କର ଦେହ ଭଲ ନ ଥିଲା । ଆଜି ସଞ୍ଜରୁ ପୁଣି ଜର ହୋଇଛି । ନୀର ପିଲା ଲୋକ । କଣ କରିବ ? ଯାଏଁ ।

 

ଏତେ ପରିଶ୍ରମ ତ କରୁଛ, ନିଜେ ଯଦି ପଡ଼ିଯାଅ ?

 

କଥାର ଶେଷ ଅଂଶ ଶୁଣିବାକୁ କ୍ଷଣପ୍ରଭା ଅପେକ୍ଷା କଲା ନାହିଁ । ମନରେ ଅବଜ୍ଞାର ଭାବ । ପର ଘରେ ଆଶ୍ରା ନେବାର କେତେବର୍ଷ କଟିଲାଣି, ସେ ହିସାବ କରିନାହିଁ । ଘଣ୍ଟା କଣ୍ଟା ଯେପରି ପ୍ରତିଦିନ ଥରଟିଏ ବୁଲିଆସେ, ଅଟକେ ନାହିଁ, ପୁଣି ଚାଲିଥାଏ ଜାଣି ହୁଏନାହିଁ, କିନ୍ତୁ ଚାଲିଥାଏ ଆଗକୁ ଆଗକୁ, ସେମିତି ସେ ଚାଲିଛି । ପର ଘରର କର୍ତ୍ତୃତ୍ୱ ହୋଇଛି ନିଜର । ଦିନେ ଯେ ସେ ପରଘରେ ଆଶ୍ରା ନେଇଥିଲା ସେ କଥା ତାର ମନେପଡ଼େ ନାହିଁ । ବାହାରର ସମାଲୋଚନା ହୋଇଛି ତାର ଦେହର ମଳି । ପତ୍ରିକାର ଭଲ କାଟତି ହେଉଥିବ । ପତ୍ରିକାରେ ଆଖି ପକାଏ ନାହିଁ । ହେମାଙ୍ଗିନୀର ବାକ୍ୟବାଣ ଦେହସହା ହୋଇଛି । ମନରେ ଅଭିମାନ ଆଣେ ନାହିଁ ।

 

ଯାହା ସେ ନୁହେଁ, ଲୋକେ ତାକୁ ସେଇଆ ଭାବନ୍ତି । କାହାରି ମନର ଧାରଣା ବଦଳାଇବାକୁ ସେ କେବେ ବ୍ୟାକୁଳ ହୋଇନାହିଁ । ବହୁଦିନ ତଳେ ପୃଷ୍ଟି ଯେଉଁ ଆଗ୍ରହ ଦେଖାଇଥିଲେ ସେତିକି ତାକୁ ସାବଧାନ କରିଛି । ଉତ୍ସାହ ଓ ଉଦ୍ୟମର ସୀମା ଅଛି । ଆଉ କେବେ ସେ ସୀମା ଲଙ୍ଘନ କରିବାକୁ ଚେଷ୍ଟା କରିନାହିଁ । ପୃଷ୍ଟିଦତ୍ତ ହାର ରୁଗ୍‍ଣ ନିବାସ ପାଇଁ ସଭାସ୍ଥଳରେ ନିଜ ବେକରୁ କାଢ଼ି ସେ ଦାନ କରିଥିଲା । ଏହା ଦେଖି ଉତ୍ସାହ ଓ ଉତ୍ତେଜନାରେ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିମାନେ ସେହି ସଭାସ୍ଥଳରେ ଯାହାପାଖେ ଯାହାଥିଲା ସଭାପତି ନଟବର ବାବୁଙ୍କ ଟେବୁଲ ଉପରେ ଗଦାଇଥିଲେ । ରୁଗ୍‍ଣ–ନିଳୟର କାର୍ଯ୍ୟ ଚାଲିଲା ।

 

ତଥାପି କଣ ପତ୍ରିକା ଛାଡ଼ିଲା ?

 

କାହାର ସେ ହାର ? ପୃଷ୍ଟି ମହାଶୟ ଏତେ ଟଙ୍କା ଦେଇ ସେହି ହାରଟାକୁ ନିଲାମ ଧରିଲେ କାହିଁକି ? ରୁଗ୍‍ଣ ନିବାସ ପାଇଁ ନିଜେ ସେ ଏତେଗୁଡ଼ାଏ ଟଙ୍କା ଦାନ କରିପାରିଥାନ୍ତେ ? କ୍ଷଣପ୍ରଭା କେଉଁ ବଣିଆ ହାତରେ ହାର ଗଢ଼ଇଥିଲେ କହିବେ କି ? ହାର ନୁହେଁ ତ, ମ୍ୟାଜିକ୍–

 

କ୍ଷଣପ୍ରଭା ପଢ଼ିଲା । ଆଡ଼େଇଦେଲା ପତ୍ରିକାଟି ।

 

ଅରକ୍ଷ ନିବାସ, ସାର୍ବଜନୀନ ବିଦ୍ୟାଳୟ, ରୁଗ୍‍ଣ ନିଳୟ ଭଲରେ ଚାଲିଛି । ନୂଆ ନୂଆ ସମସ୍ୟା ଠିଆ ହେଉଛି ଆଗରେ । ସବୁର ମୂଳ ଅର୍ଥ । ଅର୍ଥ ପାଇଁ ଆବେଦନ କରାହେଉଛି । କେହି କେହି ଦେଉଛନ୍ତି, କେହି ମନା କରୁଛନ୍ତି । ସମସ୍ତଙ୍କର ମନ ଏକା ନୁହେଁ । ଆବେଦନ, ହାତଯୋଡ଼ିବା କେଉଁଠି ଫଳ ଦେଉଛି, କେଉଁଠି ବା ନାହିଁ । କୌଣସିଥିରୁ କ୍ଷଣପ୍ରଭା ନିଜକୁ ଦୂରେଇ ରଖିପାରୁନାହିଁ ।

 

ଦିନରାତି କଟିଯାଉଛି । ଏ ଘର ଛାଡ଼ି ଅନ୍ୟତ୍ର ଚାଲି ଯିବାକୁ ତୁଷାରକାନ୍ତିକୁ ଆଉ କେବେ ସେ କହି ନାହିଁ । ଏ ଘର ଏ କୁଟୁମ୍ବ ସବୁ ହୋଇଛି ତାର । ଅନ୍ୟମାନଙ୍କ ପରି ତୁଷାରକାନ୍ତି ବି ଏ ଘରର ଜଣେ । ସମସ୍ତଙ୍କର ସେବା ସେ ଯେପରି କରେ ତୁଷାରକାନ୍ତିର ସେବା ମଧ୍ୟ ସେହିପରି କରେ । ତୁଷାରକାନ୍ତିକୁ ସେ ବିବାହ କରିଛି । ତୁଷାରକାନ୍ତିର ଆଦେଶ ପାଳନ କରିବାକୁ ଚେଷ୍ଟା କରେ, କର୍ତ୍ତବ୍ୟ ବୋଧ କରେ । ଅନ୍ୟମାନଙ୍କର ଅନୁରୋଧ ସେ ରଖେ ।

 

ଦୁଷ୍ମନ୍ତ ସଙ୍ଗେ ଘନିଷ୍ଠତା ବଢ଼ିଛି । ଅତି ପାଖରେ ସୁଖଦୁଃଖରେ ହସ ଖୁସିରେ ବେଳ କଟିଛି । ଅବୋଧ ମଣିଷଟି ସେ, ଚିହ୍ନି ହେଉନାହିଁ । ଭଦ୍ରତାର ଅବତାର । ସବୁଥିରେ ଆଗ୍ରହ । କୌଣସିଥିରେ ହତାଶାର ସଙ୍କେତ ନାହିଁ । ତାରି ରୋଗଶଯ୍ୟା ପାଖରେ ବସି ପାଞ୍ଚଦିନ କଟାଇଛି । ନିଜ ହାତରେ ଖୋଇ ଦେଇଛି, ଗୋଡ଼ ଆଉଁସିଛି, ସେବା କରିଛି ନିଜକୁ ଭୁଲି, ନିଃସଙ୍କୋଚରେ, ତଥାପି ସେ ଦୁଷ୍ମନ୍ତ ମନର ପରିଚୟ ପାଇ ପାରିନାହିଁ ।

 

ଭାବିବାକୁ ବେଳ ନାହିଁ । ଆଗରେ କାମର ମାଳା, ଗୋଟିକ ପରେ ଗୋଟିଏ, ସରେ ନାହିଁ, ଚାଲିଥାଏ ।

 

ସୁକାନ୍ତି ଶୋଇଛନ୍ତି । ପଲଙ୍କ ପାଖରେ ଗୋଟିଏ ଚଉକି ଉପରେ ବସିଛି ନୀହାରିକା । ଆଖିରେ ଜରଜର ନିଦ । ଅବଶ ଲାଗୁଛି । ହାତରେ ଖଣ୍ଡେ ବହି । ପଢ଼ିବାକୁ ଆଗ୍ରହ ଥିଲେ ବି ଖୋଲିବାକୁ ତର ହେଉ ନାହିଁ ।

 

କ୍ଷଣପ୍ରଭାକୁ ଦେଖି ସେ ଉଠି ଠିଆହେଲା । କହିଲା, ମାଉସୀ ଶୋଇଛନ୍ତି ।

 

ଉତ୍ତର ନ ଦେଇ କ୍ଷଣପ୍ରଭା ନୀହାରିକାର ହାତଧରି ବାରଣ୍ଡାକୁ ଆଣିଲା । କିଛିଦୂର ଆସି ପାରାପେଟକୁ ଆଉଜି ପଚାରିଲା, ମୋତେ ଖୋଜୁଥିଲେ କି ନୀର ?

 

ନାଇଁ, ତମେ ଗଲାବେଳୁଁ ସେ ତୁନି ହୋଇ ଶୋଇଛନ୍ତି । ଦେହରେ ତାତି ଭରି ରହିଛି । ହେମ ଅପା ତମକୁ ଖୋଜୁଥିଲେ ।

 

ମତେ ଖୋଜୁଥିଲା ହେମାଙ୍ଗିନୀ ? କେତେବେଳେ ?

 

ସେ ଆସି ନ ଥିଲେ ଯେ, ଘଣ୍ଟାକ ତଳେ ଫୋନ୍‌ରେ ପଚାରୁଥିଲେ । ଦୁଷ୍ମନ୍ତଭାଇକୁ ଜର ନାହିଁ ଓ ମାଉସୀଙ୍କୁ ଜର ଛାଡ଼ି ନାହିଁ ବୋଲି କହିଦେଲି । କହୁଥିଲେ, ତମ ସାଙ୍ଗରେ ତାଙ୍କର କଣ ଜରୁରୀ କାମ ଅଛି ।

 

ମତେ ଡାକି ଦେଲ ନାହିଁ ।

କାଲି ସକାଳେ ଆସିବେ ବୋଲି କହିଲେ ।

 

କ୍ଷଣପ୍ରଭା ତୁନି ରହିଲା । ହେମାଙ୍ଗିନୀର କାମ, ଛିଦ୍ର ଅନ୍ୱେଷଣ । ଖବର କାଗଜର ସମାଲୋଚନା ସଂଗ୍ରହ । ପରିହାସ । ନିଜେ ସେ କ୍ଲାନ୍ତ ହେଲାଣି । ହେମାଙ୍ଗିନୀକୁ ଖୁସି ଲାଗୁଛି । ନିର୍ବୋଧ । ତା ବିରୁଦ୍ଧରେ ଯେବେ ଯେଉଁ କାଗଜରେ ଯାହା ବାହାରିଛି, ସବୁ ହେମାଙ୍ଗିନୀ ସଂଗ୍ରହ କରି ରଖିଛି । ନିଜେ ପଢ଼ି ସେ ହୁଏତ ଆନନ୍ଦ ପାଏ, ଅନ୍ୟକୁ ଦେଖାଇ ହୁଏ ତ ସେ ଆତ୍ମଗୌରବ ଅନୁଭବ କରେ, ସେ ସତୀ, ମହାସତୀ, ଆଉ କ୍ଷଣପ୍ରଭା, ତାର ଚରିତ୍ରରେ କାଳି ବୋଳା ହୋଇଛି ।

 

କ୍ଷଣପ୍ରଭା ହସି ଉଠିଲା । ନୀହାରିକା ହସର କାରଣ ପଚାରିବାକୁ ସାହସ କଲା ନାହିଁ । ତୁନି ହୋଇ ଠିଆ ହୋଇ ରହିଲା । କ୍ଷଣପ୍ରଭା ତାର ହାତଧରି କହିଲା, ନୀର, ପରର ସଂସାରରେ ପରର ଦାୟିତ୍ୱ ବୋଝ ମୁଣ୍ଡରେ ବୋହି ଚାଲିବାକୁ ଆଉ ଇଚ୍ଛା ନାହିଁ କି ଆଗ୍ରହ ନାହିଁ । ଏ ଜଞ୍ଜାଳ ଭିତରୁ ନିଷ୍କୃତ ଲଭି ଦୂରକୁ ପଳାଇବାକୁ ମନ ଡାକୁଛି । କେତେଥର ତମ ଭାଇଙ୍କୁ ଏ କଥା କହିଲିଣି ଶୁଣୁ ନାହାନ୍ତି । ମୁଁ ଆଉ ଛଟପଟ ହୋଇପାରିବି ନାହିଁ । ଆମର ସେଇ ଦୁଃଖର ସଂସାର ଭଲଥିଲା ନୀର, ଅଭାବ ଓ ଦୁଃଖ ଆମର ଛୋଟ ସଂସାରକୁ ଏକାଠି ବାନ୍ଧି ରଖିଥିଲା । ପରର ସଂସାରରେ ପ୍ରାଚୁର୍ଯ୍ୟ ଓ ପ୍ରଭୁତ୍ୱ ଆମକୁ ପରସ୍ପର ପାଖରୁ ଦୂରେଇ ରଖିଛି ।

 

ନୀରର ଆଖିରେ ଲୁହ ଢଳଢଳ ହେଲା । ଏ କଥା ସବୁଠୁଁ ଅଧିକ ସେ ଅନୁଭବ କରିଛି-। ଏ ଘରେ ଗୋଡ଼ ଦେଲାଦିନୁଁ ନୂଆଉକୁ ସେ ହଜାଇ ବସିଛି । ଖୋଜି ଖୋଜି ସେ ପାଉନାହିଁ । ନୂଆଉ ବଡ଼ ହୋଇଛି । ପତ୍ର-ପତ୍ରିକାରେ ନାମ ବାହାରିଛି, ଫଟୋ ବାହାରିଛି । ବକ୍ତୃତା ଓ ତାର ସମାଲୋଚନା ବାହାରିଛି । ଖଳ ଲୋକଙ୍କର କଲମ ତାଙ୍କ ବିରୁଦ୍ଧରେ କୁତ୍ସା ରଟିଛି । ନୂଆଉ ତାର ଦେଶ-ନେତ୍ରୀ, କେତ ଉପରେ, ସେ ବହୁତ ଦୂରରେ । ଆଜି ସେ କ୍ଷଣକ ପାଇଁ ଖସି ଆସିଛନ୍ତି ତଳକୁ । ନୂଆଉର ପ୍ରକୃତ ରୂପରେ ସେ ଆସି ଆଗରେ ଉଭା ହୋଇଛନ୍ତି ।

 

ତୁନି ରହିଲ କାହିଁକି ନୀର ?

ନୀର ଉତ୍ତର ଦେଲା, ତୁମର କଥାରୁ ମୁଁ ବାହାର ହେବି ନାହିଁ ।

 

ତମର ଭାଇ ମଙ୍ଗୁ ନାହାନ୍ତି । ଦିନାକେତେ ଲୋକ ଦେଖାଣ ସୁଖ ଆନନ୍ଦରେ ବେଳ କଟିଲା । ଭୁଲ ହେଉ କି ଠିକ୍ ହେଉ ଦରିଦ୍ର ନିଃସହାୟଙ୍କର ସେବା ଯତ୍ନର ଆଗରେ ଭଲରେ କି ମନ୍ଦରେ ନାଁ ବି ଦେଶରେ ପଡ଼ିଲା । ଉତ୍ସାହର ପ୍ରେରଣାରେ ତିନିତିନିଟା ଅନୁଷ୍ଠାନ ଗଢ଼ା ହେଲା । ଚାଲିଛି ତ ଭଲରେ, ଆଉ କାହିଁକି ଡେରି ? ନୀର, ମୋର ଆଗ୍ରହ ହେଉଛି ଏଇ ବଡ଼ ସହର ଏଇ ବଡ଼ ଘର, ଆଉ ବଡ଼ଲୋକୀର ଆଡ଼ା ଛାଡ଼ି ଚାଲିଯିବା । କେଉଁ ଅଜଣା ଅଶୁଣା ଗାଁ ଗହଳିରେ ବସା ବାନ୍ଧିବା ! ନୂଆ ଜୀବନର ଦୁଃଖ ସୁଖ ଆସ୍ୱାଦନ କରିବା । ମୁଁ ଭାରି କ୍ଲାନ୍ତ ନୀର– ।

 

ଶୋଇପଡ଼ ଯା, ରାତି ଅଧିକ ହେଲାଣି ।

 

ମୋର କ୍ଲାନ୍ତି ଅନିଦ୍ରା ପାଇଁ ନୁହେଁ । ଜୀବନ ଦୁର୍ବଳ ଲାଗୁଛି । ମନରେ ଉତ୍ସାହ ଆସୁନାହିଁ । କର୍ମରେ ଆଗ୍ରହ ଆସୁନାହିଁ, ମୋତେ ଏକୁଟିଆ ଲାଗୁଛି । ଗାଁ ଗହଳିରେ କେଉଁ ଅଜଣା ଅଶୁଣା ଥାନାକୁ ଗଲେ ହୁଏ ତ ମୁଁ ମୋ ମନର ସ୍ୱରୂପ ଦେଖିବି, ଏକୁଟିଆ ଲାଗିବ ନାହିଁ । ସହରର ଜାଲ୍ ଜୀବନ ପାଖରୁ ଦୂରେଇ ଗଲେ ମୋର କ୍ଲାନ୍ତି ଦୂର ହେବ ।

 

କୁଆଡ଼େ ଯିବା ନୂଆଉ, ଆମର ଘରଦ୍ୱାର ନାହିଁ ।

ଦୁନିଆର ଅନେକଙ୍କର ଘରଦ୍ୱାର ନାହିଁ ନୀର !

 

ସେମାନେ ଯାହା କରୁଛନ୍ତି, ଯେଉଁଠି ରହୁଛନ୍ତି ଆମକୁ ସେଇଆ କରିବାକୁ ହେବ ? ନୂଆଉ, କାଲିପରି ଲାଗୁଛି–ଗଳି ଭିତରର ଭଙ୍ଗାଘର, ଆଗରେ ଅରମା, ପଛେ ସଢ଼ା ପୋଖରୀ । ଅଭାବ, ରୋଗ, ଅପମାନ, ଉପାସଭୋକ ଓ କାଲିର ଭାବନା । ବାଟକୁ ଯାଇ ହାତପାତି ମାଗିବା କେବଳ ବାକି ଥିଲା ।

 

ସତେକି କ୍ଷଣପ୍ରଭା କେଉଁ ସ୍ୱପ୍ନରାଜ୍ୟରୁ ଖସି ପଡ଼ିଲା । ତୁଣ୍ଡରୁ କଥା ବାହାରିଲା ନାହିଁ । ନୀହାରିକା ପିଲା ନୁହେଁ, ନିର୍ବୋଧ ନୁହେଁ । ସମସ୍ତେ ବାସ୍ତବତା ଅନୁଭବ କରୁଛନ୍ତି । ଏକା ସ୍ୱପ୍ନ ରାଜ୍ୟରେ ବୁଲୁଛି ସେ । ତାରି ପାଇଁ କାହିଁକି ନୀହାରିକା ସୁଖର ସଂସାରରୁ ଓହ୍ଲାଇ ଯିବ ଅଭାବ ଅନଟନ ମଝିକି ? କାହିଁକି ତାର ଅନ୍ଧ ଅପାରଗ ସ୍ୱାମୀ ଦରିଦ୍ର ପଞ୍ଚାକ୍ଷର ଜପିବେ, ଟିଉସନ ଖୋଜିବାକୁ ଦାଣ୍ଡକୁ ବାହାରିବେ ? ଅଥବା, ପେଟପାଇଁ ହାତପାତିବେ ଦଶଙ୍କ ଆଗରେ ?

 

ତମେ ଠିକ୍ କହିଛ ନୀର । ଚାଲୁ ଏପରି କେତେଦିନ ଚାଲିଛି । ଦୁନିଆଁରେ ସମସ୍ତେ ସମସ୍ତଙ୍କୁ ଠକୁଛନ୍ତି । ଆମେ ବି ଠକିବା, ଅନ୍ୟକୁ ନ ହେଲେ ନିଜକୁ, ଯେତେଦିନ ଠକି ପାରିବା । ଯାଅ, ଶୋଇବ ।

 

କ୍ଷଣପ୍ରଭା ଚାଲି ଆସିବାକୁ ଉଦ୍ୟତ ହେଉଛି, ସତୀ ପାଖକୁ ଆସି କହିଲା, ବୁଢ଼ୀ ମାଆଙ୍କୁ ବେଶି ଜର ହେଲା କି କଣ, ବ୍ୟସ୍ତ ହେଉଛନ୍ତି । ଆସ ଜଲ୍‌ଦି–

 

ରାତି ହେଲା ଗୋଟାଏ । କ୍ଷଣପ୍ରଭାର ଅନୁରୋଧରେ ନୀର ଶୋଇବାକୁ ଗଲା ପାଖ ଘରକୁ । ସ୍କୁଲର ଭଲ ପିଲା ସେ, ସବୁ ଶିକ୍ଷୟିତ୍ରୀ ତାକୁ ସୁଖ ପାଆନ୍ତି । କେତେଦିନ ହେଲା ପାଠରେ ବ୍ୟାଘାତ ଘଟୁଛି । ବହି ଖୋଲିବାକୁ ବେଳ ନାହିଁ । ସଞ୍ଜ ବୁଡ଼େ ସୁନନ୍ଦା ଆସି ଫେରି ଯାଇଛନ୍ତି । କହିଛନ୍ତି, ସକାଳେ ଆସିବେ ।

 

ସୁକାନ୍ତିଙ୍କ ପାଖରେ ବସି କ୍ଷଣପ୍ରଭା ଗୋଡ଼ ଆଉଁସି ଦେଉଛି । ଭାବୁଛି, ଛାଡ଼ି ଯିବ ଏହି ଦୟାମୟୀ ମାଆକୁ ତାର ? ସ୍ନେହ ସରାଗର ପାରାବାର । ନିଜେ ଆଣିଛନ୍ତି ଗୋଡ଼ ପାଖକୁ, ସମର୍ପି ଦେଇଛନ୍ତି ସବୁ ତାର ହାତରେ । କେବେ ମୁହଁ ଶୁଖାଇ ପଦେକଥା କହିନାହାନ୍ତି । ଆକଟ କରି କାହିଁରୁ ନିବୃତ୍ତ କରିନାହାନ୍ତି । ବରଂ ଘର ଭିତରେ ଓ ବାହାରେ ଯେତେ କାମ ସେ କରିଛି, ସବୁ ଶୁଣିଛନ୍ତି ଆଗ୍ରହରେ । ଭଲ ମନ୍ଦ କହନ୍ତି ନାହିଁ । ସମାଲୋଚନାର ପ୍ରଶ୍ନ ଉଠେ ନାହିଁ ।

 

ତାଙ୍କର ମୌନବ୍ରତ ଆଗରେ ହେମାଙ୍ଗିନୀ ମଧ୍ୟ ହାରିଛି ।

 

ଦୁନିଆଁର ସମାଲୋଚନାକୁ ଡରି କାହିଁକି ସେ ଦୂରେଇ ଯିବ ? ନିଜ ଉପରକୁ ଆଞ୍ଚ ନ ଆସିବା ଯାଏ ସବୁ ଆଦର୍ଶ ସିନା ଭଲ, ଉପରେ ପଡ଼ିଲେ– ?

 

ସୁକାନ୍ତି କହିଲେ, କେତେ ରାତି ଅନିଦ୍ରା ରହିବୁ ମା, ରାତି ଅଧିକ ହେଲାଣି, ଯା ଏଥର ଶୋଇବୁ ।

 

ମତେ ନିଦ ମାଡ଼ୁନାହିଁ । ତମେ ଶୋଇପଡ଼ ।

 

ଶୋଇବି ଏକାଥରେ, ଆଉ ଯେପରି ଉଠିବି ନାହିଁ । ଓଃ, ଆଲୁଅଟା ଭଲ ଲାଗୁନାହିଁ ଅନ୍ଧାର ଭଲ । ମୋର ଚାରିପାଖ କାନ୍ଥରେ ଯେଉଁ ଫଟୋଗୁଡ଼ିକ ଝୁଲୁଛି, ଅନ୍ଧାରରେ ସେ ସବୁ ଜୀଇଁ ଉଠନ୍ତି, କଥା କହନ୍ତି । ସମସ୍ତେ ମତେ ଡାକୁଛନ୍ତି । ଏଠି ଆଉ ରହିବି କାହିଁକି ? ସବୁ ଦୁଃଖ, ସବୁ ଜଞ୍ଜାଳ, ଅଶାନ୍ତି, ଅସନ୍ତୋଷ, ସନ୍ଦେହ, ଭୟ, ଅନୁତାପ ଏଠି ଭରି ରହିଛି ।

 

ଏତେ ବ୍ୟସ୍ତ ହୁଅନା ।

 

ବ୍ୟସ୍ତ ହେଉନାହିଁ, ସତ କହୁଛି । ଯେଉଁମାନେ ଏତେ ଧନସମ୍ପଦ ସଞ୍ଚି ଯାଇଥିଲେ, ସେମାନେ ନେଇ ଯାଇଛନ୍ତି କଣ ? ମୁଁ ବା କଣ ନେଇଯିବ ? ସବୁ ପାର୍ଥିବ ପଦାର୍ଥ ପଡ଼ି ରହିବ । ଦେହଟା ବି ତା ସାଥିରେ ଗୋଟିଏ ନାମ–ଯାହା ସଙ୍ଗେ ଭଲମନ୍ଦ ସବୁ କର୍ମର ବିବରଣୀ ଯୋଡ଼ି ହୋଇ ରହିଥାଏ । ଯିଏ ଯାଏ, ତାର ସେଥିରେ ଲାଭ କ୍ଷତି ନାହିଁ । ସବୁ ପ୍ରହେଳିକା । ଏଇ ରାଧାଗୋବିନ୍ଦ ସେ କି ପ୍ରହେଳିକା । ଦୁଃଖ, ଜଞ୍ଜାଳ, ଅଶାନ୍ତି, ଅସନ୍ତୋଷ, ସନ୍ଦେହ, ଭୟରୁ ପରିତ୍ରାଣ ପାଇବାର ଧାରଣା, ଦୁନିଆରୁ ବିଦାୟ ନେଉଥିବା ଲୋକର ତାଙ୍କଠାରେ ବି ପ୍ରୟୋଜନ ନାହିଁ । ସେ କେବଳ ଜୀବୀର ଆଶ୍ରୟ ।

 

ମରଣ ପରେ ?

 

କିଏ ଜାଣେ ମା ? ମରଣ ପରେ ଜୀବନ,– ଏହା ହୁଏ ତ ଜୀବୀର ଧାରଣା, ଅତୃପ୍ତ ବାସନାର କଳ୍ପନା, । କାନ୍ଥର ଛବି ଅନ୍ଧାରରେ ଚେଇଁ ଉଠେ । କଥା କହେ । ଡାକେ । ସବୁ ଅତୃପ୍ତ ବାସନାର କଳ୍ପନା ।

 

ତେବେ କର୍ତ୍ତବ୍ୟ ?

 

ସୁଖର ଅନ୍ୱେଷଣ । ଯାହାର ଯହିଁରେ ଆନନ୍ଦ । ଯେଉଁ ସୁଖ ଯେଉଁ ଆନନ୍ଦ ପାଇବାକୁ ମଣିଷ ବ୍ୟାକୁଳ, ସେହି ସୁଖ ସେହି ଆନନ୍ଦ ପାଇବାକୁ ଦୁନିଆରେ ସଭିଙ୍କର ଅଧିକାର ସମାନ ଏ କଥା ମାନି ନେବାକୁ ହେବ । ଏଥିପାଇଁ ସଭିଙ୍କୁ ସୁଯୋଗ ଦେବାକୁ ହେବ, ନୋହିଲେ, ମଣିଷ ସମାଜରେ ସୃଷ୍ଟି ହେବ ବିଶୃଙ୍ଖଳା; ମଣିଷ ସମାଜ ଧ୍ୱଂସଆଡ଼କୁ ଛୁଟିବ । ସେଥିପାଇଁ, ସାରା ଦୁନିଆର ମଣିଷ ଜାତିର କଲ୍ୟାଣ ପାଇଁ ଆଦର୍ଶ କର୍ତ୍ତବ୍ୟ, ଆତ୍ମତ୍ୟାଗ । ପରମ ସୁଖ ଓ ସନ୍ତୋଷର ଏକମାତ୍ର ପଥ ସଞ୍ଜମ ।

 

କ୍ଷଣପ୍ରଭା କିଛି ପଚାରିଲା ନାହିଁ । ପ୍ରତି ମଣିଷର ଅନୁଭୂତି ନେଇ ବିଶ୍ୱାସ ଓ ଧାରଣା । ମଣିଷର ତୁଣ୍ଡରୁ ଯେଉଁଦିନ କଥା ବାହାରିଲା ସେହିଦିନୁ ସେ ଉପଦେଶ ଦେଇ ଶିଖିଲା । ଉପଦେଶ ଆଉ ଉପଦେଶର କଟାକଟି । କେବେ ସେ ସଂଗ୍ରାମ ଆରମ୍ଭ ହୋଇଥିଲା କେଜାଣି, ଆଜିଯାଏ ସରିନାହିଁ । ଅଗଣନ ଯୁଦ୍ଧ, ମହାଯୁଦ୍ଧ ଦୁନିଆର ଛାତି ଉପରେ ରକ୍ତର ସ୍ରୋତ ଛାଟାଇଛି । ସବୁ ସଂଗ୍ରାମ ଏକାଠି କରି ଆଗରେ ରଖିଲେ ମଧ୍ୟ ମଣିଷର ଧାରଣା ଓ ଧାରଣା ମଧ୍ୟରେ ଯେଉଁ ସଂଗ୍ରାମ ଚାଲିଛି ତାଆରି ଭିତରେ କାହିଁ କେଉଁଠି ଛପି ଯିବ !

 

କର୍ତ୍ତବ୍ୟ, ସୁଖର ଅନ୍ୱେଷଣ !

ସୁକାନ୍ତିଙ୍କ ଦେହରେ ତାତି ଅଛି ।

ସେ କହିଲେ ତୁ ଶୋଇବୁ ଯା । ପାଖରେ ବସି ରହିଲେ ମୋତେ ବି ନିଦ ହେବ ନାହିଁ ।

 

କ୍ଷଣପ୍ରଭା ଉଠି ଆସିଲା । ସତୀକୁ କହିଲା, ମାଆଙ୍କ ଘରେ ତୁ ଶୋଇଥା । ମା ବ୍ୟସ୍ତ ହେଲେ ମତେ ଡାକିବୁ ।

 

ରାତି ଦୁଇଟା । ତୁଷାରକାନ୍ତିକୁ ନିଦ ହୋଇନାହିଁ । ବିଛଣାରେ ପଡ଼ି ସେ ଛଟପଟ ହେଉଛି । କେତେ ଭାବନା ମନ ଭିତରେ ଘାଣ୍ଟି ଚକଟି ହେଉଛି ।

 

କ୍ଷଣପ୍ରଭା ଘରେ ପଶି କବାଟ ବନ୍ଦ କଲା ।

ତୁଷାରକାନ୍ତି ତାର ଉପସ୍ଥିତି ଅନୁଭବ କରି ଉଠି ବସିଲା । କଅଁଳେଇ ଡାକିଲା, ପ୍ରଭା !

କ୍ଷଣପ୍ରଭା ଆଲୁଅ ଲିଭାଇ ନିଜ ପଲଙ୍କରେ ବସି ଉତ୍ତର ଦେଲା କଅଣ ?

ଶୁଣ, ମୋ ପାଖକୁ ଆସ ।

 

ପ୍ରଭା କହିଲା, ରାତି ଦୁଇଟା ହେଲାଣି, ତମକୁ ନିଦ ହୋଇନାହିଁ ? ତମ ଦେହ ଯଦି ବିଗିଡ଼େ ଆହୁରି ହଇରାଣ ହେବାକୁ ପଡ଼ିବ । ଶୋଇପଡ଼ । ଅରକ୍ଷ ନିବାସ ଓ ରୁଗ୍‍ଣ ନିଳୟ ସମ୍ବନ୍ଧରେ ଯଦି କିଛି ଆଲୋଚନା ଥାଏ କାଲି କଲେ ଚଳିବ । ମତେ ବି ନିଦ ମାଡ଼ୁଛି !

 

କ୍ଷଣକାଳ ନୀରବ ରହିଲା ତୁଷାର । ପୁଣି କହିଲା, ମୁଁ ତମରି କଥାହିଁ ଭାବୁଥିଲି । ଦିନରାତି ପରିଶ୍ରମ କରି ତମେ ଯଦି ପଡ଼ିଯାଅ ?

 

ପାରୁଥିବା ଯାଏ ତମରିମାନଙ୍କ ସେବା କରିବାକୁ ପଛାଇବି ନାହିଁ ।

କ୍ଷଣପ୍ରଭା ଶୋଇଲା । ରୁଦ୍ଧ ଅଭିମାନରୁ ଛାତିରେ ଉଠିଲା କୋହ ।

 

ସ୍ୱାମୀର ସହାନୁଭୂତିବୋଳା କଥା କେଇପଦ ତାର ଛାତିରେ କାତି ହାଣିଲା । ତୁଣ୍ଡରେ ସହାନୁଭୂତି ଦେଖାଇବାକୁ କି ଅଧିକାର ତାଙ୍କର ଅଛି ? ତାର ସ୍ୱାଧୀନତା ସେ ହରଣ କରିଛନ୍ତି, ସେ ଆଜି ପର ଘରର ଦାସୀ, ଆଦର୍ଶର ସେବିକା । ତାରି ଭିତରେ ସେ ନିଜର ସ୍ଥାନ ଖୋଜି ନେଇଛି । ପର ଘରର ଦାସୀ ଆଜି କର୍ତ୍ତ୍ରୀ ହୋଇଛି, ଦେଶ ଓ ଦେଶର ସେବିକା ହୋଇଛି । ନିନ୍ଦା ପ୍ରଶଂସାକୁ ସାଥି କରି ପରାଧିନତାର ବେଷ୍ଟନୀ ଖୋଲି ସେ ହୋଇଛି ସ୍ୱାଧୀନ । ସର୍ବତ୍ର ଅବାଧ ଗତି ସଭିଙ୍କ ସଙ୍ଗେ ଅବାଧ ମିଳାମିଶା । ସ୍ୱାଧୀନ କର୍ମପନ୍ଥା । ସେବାହିଁ ତାର ସ୍ୱାମୀ, ଦୋସର । ଆଉ ଏ ଅନ୍ଧ, ଲୋକ ଦେଖାଣ ସ୍ୱାମୀ । ସେ ମଧ୍ୟ ତାର ସେବାର ସଂସାରର ଗୋଟିଏ ଜୀବ !

 

ଦେହରେ କରର ସ୍ପର୍ଶ । କ୍ଷଣପ୍ରଭା !

 

ପାଖରେ ବସିଲା ତୁଷାରକାନ୍ତି । କ୍ଷଣପ୍ରଭା ଉଠି ବସିଲା । ବିଲିବିଲି ଅନ୍ଧାର । ନିଶା ଗର୍ଜୁଛି । ବିଜୁଳି ପଙ୍ଖାର ପବନ ଓ ଶବ୍ଦ । କ୍ଷଣପ୍ରଭାର ଦେହରେ ବିଜୁଳି ଚରିଲା । ଅନ୍ଧ ହେଲେ ବି ତାରି ସ୍ୱାମୀ । ଚିରଦିନ ସେ ଅନ୍ଧ ନ ଥିଲେ । ଦିନେ ସେ ସୁନ୍ଦର ଥିଲେ । ସବୁ କାର୍ଯ୍ୟ ପଛରେ ପକାଇ ତାକୁ ଆଦର କରୁଥିଲେ ।

 

କ୍ଷଣପ୍ରଭାର ମନ ଛୁଇଁଲା । ଅନ୍ଧାର ଭଲ । ଅନ୍ଧାର ଭିତରେ ମନ ଅତୀତକୁ ଚିତ୍ରିପାରେ-। ପାଖକୁ ଟାଣି ଆଣେ । ବାସ୍ତବତା ଭୁଲି ହୁଏ । ଅନ୍ଧାର ଭଲ ।

 

ପ୍ରଭା, କଥାଟିଏ ପଚାରିବି ?

କି କଥା ?

 

ଥରି ଉଠିଲା କ୍ଷଣପ୍ରଭାର ଦେହ । ତୁଷାରକାନ୍ତି ତାର ହାତ ଧରିଛି, ଅତି ପାଖକୁ ଆଉଜାଇ ନେଇଛି, କଥା ପଚାରିବାକୁ । କି କଥା ? ସନ୍ଦେହ ? ତେବେ, ଏତେ ସୁଆଗ କାହିଁକି ? କୌଣସି କଥାର ଉତ୍ତର ଦେବାକୁ ସେ ବାଧ୍ୟ ନୁହେଁ । ସେ କାହାରି ଦାସୀ ନୁହେଁ । ସେ ସମାଜ ଶୃଙ୍ଖଳା ମାନେ, ତଥାପି, ସେ ହେବ ଅନ୍ଧର ଶିଶୁର ଜନନୀ ?

 

ଲାଇବ୍ରେରୀ କାନ୍ଥର ମଝି କବାଟ ହଲାଇ ଡାକ ଛାଡ଼ିଲା ରଙ୍ଗିଆ ମା, ମା–

 

ପ୍ରଭା ପଲଙ୍କ ଉପରୁ ଉଠି ଆସିଲା । ସୁଇଚ୍ ଟିପି ଆଲୁଅ ଜାଳିଲା । ମଝି କବାଟ ଖୋଲି ପଚାରିଲା କଣରେ ?

 

ରଙ୍ଗିଆ କହିଲା, ବାବୁ ଅସ୍ଥିର ହେଉଛନ୍ତି । ଦେହରେ ହାତ ମାରି ଦେଖେ ତ ଜର ଘୋଟି ଗଲାଣି । ବ୍ୟସ୍ତ ହେଉଛନ୍ତି ।

 

ଚାଲ୍‌ ମୁଁ ଯାଉଛି ।

ରଙ୍ଗିଆ ପରା ଅଛି ?

ସେ କଅଣ କରିବ ? ତମେ ଶୋଇପଡ଼ । ମୁଁ ଦୁଷ୍ମନ୍ତ ବାବୁଙ୍କୁ ଦେଖିଆସେ ।

ତୁଷାରକାନ୍ତିର ମନକଥା ତୁଣ୍ଡରେ ଅଟକି ରହିଲା ।

 

ଗୋପାଳବାବୁ ଆଖିରୁ ଚଷମା କାଢ଼ି ତଳେ ରଖିଲେ । ସାନନ୍ଦବାବୁଙ୍କୁ ଚାହିଁ କହିଲେ, ପରଶୁରାମ ବାବୁଙ୍କୁ ସ୍ୱପ୍ନବାଦୀ କହିବା ଠିକ୍ ନୁହେଁ । ଆମର ଆଦର୍ଶ ସଙ୍ଗେ ତାଙ୍କର ଆଦର୍ଶ ନ ମିଳିଲେ କ୍ଷତି ନାହିଁ । ଆମରି ଆଦର୍ଶଆଡ଼କୁ ସେ ଆଗେଇ ଚାଲିଛନ୍ତି । ବିପ୍ଲବର ଉଦ୍ଦେଶ୍ୟ ନୁହେଁ ଧ୍ୱଂସ । ବିପ୍ଲବର ଉଦ୍ଦେଶ୍ୟ ସମାଜ ଓ ଦେଶରେ ସମତା ଆଣିବାର ଉଦ୍‌ବେଗ ଓ ଉଦ୍‌ଯୋଗ । ତାଙ୍କର ବ୍ୟକ୍ତିତ୍ୱ, ସ୍ୱାର୍ଥତ୍ୟାଗ, ଅକ୍ଲାନ୍ତ ପରିଶ୍ରମ ବିଜିପୁରରେ ଓ ଆଖପାଖ ଗ୍ରାମଗୁଡ଼ିକରେ କେତେକ ପରିମାଣରେ ସମତା ଆଣି ପାରିଛି । ସେ ସ୍ୱପ୍ନବାଦୀ ନୁହନ୍ତି । ବରଂ ମୁଁ କହିବି ଦୁଷ୍ମନ୍ତ ଓ ତୁଷାର ସ୍ୱପ୍ନବାଦୀ ।

 

ସାନନ୍ଦବାବୁ କହିଲେ, ପରଶୁରାମ ବାବୁଙ୍କର ନୀତିରେ ବି ଅସମତା ରହିଛି, ପୁଞ୍ଜିପତିର ରାଜ୍ୟ ବିସ୍ତାର କରିବାକୁ ସୁବିଧା ରହିଛି । ତାଙ୍କର ସମବାୟ ସାମ୍ୟବାଦର ନୀତି ଅନୁସାରେ ଗ୍ରାମ ହେଲା ୟୁନିଟ୍ । ଗ୍ରାମର ସବୁ ଚାଷ–ଜମିର ମାଲିକ ହେଲେ ସମସ୍ତେ । ଜମିର ମୂଲ୍ୟ ସ୍ଥିରହୋଇ ଯାହାର ଯେତେଜମି ଅଛି ସବୁ ଟଙ୍କାର ମୂଲ୍ୟରେ ପରିଣତ ହେଲା, ଅଂଶ ସ୍ଥିର କରାଗଲା; ତେବେ, ଜଣଙ୍କର ଅଂଶ ଯଦି ପାଞ୍ଚ ହେଲା ଆଉ ଜଣଙ୍କର ଅଂଶ ହେଲା ପାଞ୍ଚଶ । ୟାକୁ ଆମେ ସମତା କହିବା କିପରି ? ଏହା ପୁଞ୍ଜିବାଦର ରୂପାନ୍ତର ।

 

ନଟବର ବାବୁ କହିଲେ, ପରଶୁରାମ ବାବୁଙ୍କ ନୀତିରେ ଆଗ ସାଧାରଣ ମଣିଷର ଯାହା ଲୋଡ଼ା ସେଥିପାଇଁ ସଂସ୍ଥାପନା କରାଯାଇଛି ସମୂହ ଉତ୍ପନ୍ନରୁ, ଫସଲ ହିସାବରେ ଧରନ୍ତୁ କି ଟଙ୍କା ହିସାବରେ ଧରନ୍ତୁ, ପ୍ରଥମ ଖର୍ଚ୍ଚ ହେଉଛି ଅକ୍ଷମ, ଅପାରଗ, ନିଃସହାୟଙ୍କ ପାଇଁ । ସେମାନେ ଗ୍ରାମର ଶିଶୁ । ତା ପରେ, ରୁଗ୍‍ଣ, ଅକ୍ଷମ, ନିରାଶ୍ରୟ ସେମାନେ ମଧ୍ୟ ଗ୍ରାମର ଶିଶୁ । ତା ପରେ ମୂଲିଆ । ଅଂଶବିହୀନ ପ୍ରତ୍ୟେକ ସକ୍ଷମ ମୂଲିଆର ମୂଲର ହାର ଏପରି ସ୍ଥିର କରାହୋଇଛି ଯାହାଦ୍ୱାରା କି ସେ ତାର କୁଟୁମ୍ବର ଭରଣପୋଷଣ ଅକ୍ଲେଶରେ କରିପାରିବ । ଦିନକୁ କରିବ ଆଠଘଣ୍ଟା ପରିଶ୍ରମ । ସମସ୍ତେ କାମ କରିବେ, ଆଉ, ଏହି ସର୍ବନିମ୍ନ ପରିମାଣରେ ଭାଗ ପାଇବେ । ଯିଏ ବେଶି ସମୟ କାମ କରିବ, ସେ ବେଶି ପାଇବ । ଯିଏ କାମ ନ କରିବ ସେ ପାଇବ ନାହିଁ । ସଭିଙ୍କ ପାଇଁ ଅନ୍ନ ବସ୍ତ୍ରର ସୁବିଧା କଲାପରେ ଯାହା ବଳକା ରହିବ, ସେଥିରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ରଖାହେବ । ଅବଶିଷ୍ଟରୁ ଭବିଷ୍ୟତର ଉନ୍ନତିକର କାର୍ଯ୍ୟ ପାଇଁ ରଖାଯାଇ ବାକିତକ ଅଂଶୀଦାରଙ୍କ ମଧ୍ୟରେ ବଣ୍ଟାଯିବ । ଯୋଜନାକୁ ପ୍ରକୃତରେ ଚିନ୍ତା କରିବାର କଥା ।

 

ଦୁଷ୍ମନ୍ତ କହିଲା, ପ୍ରକୃତରେ ଚିନ୍ତା କରିବାର କଥା, ଯଦି କାର୍ଯ୍ୟକାରୀ ହୁଏ ତେବେ ଦେଶର ଅନେକ ସମସ୍ୟାର ସମାଧାନ ହୋଇଯିବ । ଅରକ୍ଷ ନିବାସ, ରୁଗ୍‍ଣ ନିଳୟ କି ସାର୍ବଜନୀନ ବିଦ୍ୟାଳୟରେ ସ୍ଥାନାଭାବର ପ୍ରଶ୍ନ ଉଠିବ ନାହିଁ । ଏସବୁ ଅନୁଷ୍ଠାନ ବଡ଼ ସହରରେ ରଖିବା ଆବଶ୍ୟକ ପଡ଼ିବ ନାହିଁ ।

 

ତୁଷାର କହିଲା, ଏ ଯୋଜନା ଅସମ୍ଭବ, କାର୍ଯ୍ୟକାରୀ ହେବ ନାହିଁ । ପରଶୁରାମ ବାବୁଙ୍କ ପରି ସବୁ ଜମିଦାର ନିଜର ସର୍ବସ୍ୱ ଗ୍ରାମବାସୀଙ୍କ ହାତରେ ଟେକି ଦେବେନାହିଁ । ଦେଲେ ମଧ୍ୟ ଗୋଟିଏ ଗ୍ରାମର ସବୁ ଆସେଟ୍ ହୁଏ ତ ନିମ୍ନ ହାରରେ ସମସ୍ତଙ୍କର ଅନ୍ନବସ୍ତ୍ରର ସଂସ୍ଥାପନା ପାଇଁ ନିଅଣ୍ଟ ହୋଇପାରେ । ନିଅଣ୍ଟ ନ ହେଲେ ବି କୁଟୁମ୍ବ କୁଟୁମ୍ବ ଭିତରେ ଅସମତା ରହିଲା ପରି ଗ୍ରାମ ଗ୍ରାମ ଭିତରେ ଅସମତା ରହିବ । ଲାଗିବ ପୁଣି କନ୍ଦଳ, ବାଦବିବାଦ, ମୁଣ୍ଡ ଫଟାଫଟି । ଏ ଯୋଜନାରେ ଅନେକ ଭ୍ରମ ଅଛି ।

 

ଅବନୀବାବୁ କହିଲେ, ଠିକ୍ କଥା । ଏ ଯୋଜନା ସହରରେ ପ୍ରଚଳନ କରାଇ ହେବ ନାହିଁ । ପରଶୁରାମବାବୁ ପାଗଳ, ଅବିକଳ ଗୋପାଳବାବୁଙ୍କ ପରି । ସବୁ ମଣିଷ କେବେ ସମାନ ହୋଇପାରିବେ ନାହିଁ । ଅସମତା ରହିବ । ରହିବା ହିଁ ଲୋଡ଼ା ।

 

ଗୋପାଳବାବୁ ଗର୍ଜି ଉଠିଲେ, ଆପଣଙ୍କ ତୁଣ୍ଡରେ ଏପରି କଥା ଶୋଭାପାଏ । ସାତହଜାର ଶ୍ରମିକଙ୍କର ରକ୍ତ ପିଇ ଆପଣ ହୋଇଛନ୍ତି ବଡ଼ ପୁଞ୍ଜିପତି । ଅସମତାର ପ୍ରଶଂସା ଆପଣ ନ କରିବେ ତ ଆଉ କିଏ କରିବ ?

 

ଅବନୀବାବୁ ହସିଲେ । କହିଲେ, ସାତହଜାର ଶ୍ରମିକ ଆଉ ତାଙ୍କର କୁଟୁମ୍ବଙ୍କ ଦେହରେ ଯେ ରକ୍ତ ବୋହୁଛି ସେ ରକ୍ତ କାହାର ଉଦ୍ୟମର ଫଳ, ଏକଥା ଥରେ ବିଚାର କରନ୍ତୁ । ଆପଣଙ୍କ ଉଦ୍ୟମର ଦଉଡ଼ ଧର୍ମଘଟ ଯାଏ । ଫଳ ହୁଏ କଣ ? ଅନ୍ନାଭାବରେ ଶ୍ରମିକ ବଂଶର ରକ୍ତ ଶୁଖେ । ଉର୍ପନ୍ନ ଅଭାବରେ ଲୋକେ ହଇରାଣ ହୁଅନ୍ତି । ଚାନ୍ଦା ଧନରେ ଆପଣଙ୍କର କିଛି ଅସୁବିଧା ହୁଏ ନାହିଁ । ଶ୍ରମିକର ରକ୍ତ କିଏ ଶୋଷେ କହନ୍ତୁ ।

 

ଗୋପାଳବାବୁ କଣ କହିବାକୁ ବସିଥିଲେ । କ୍ଷଣପ୍ରଭା ଆସି ଯୋଡ଼ହସ୍ତ ହୋଇ କହିଲା, ଆପଣମାନେ, ଏଥର ଉଠନ୍ତୁ । ବଢ଼ାବଢ଼ି ସରିଲାଣି । ଶୁଖିଯିବ । ରାତି ନଅଟା ହେଲାଣି । କାର୍ଯ୍ୟ ଶେଷ କରି ମନଇଚ୍ଛା ତର୍କ କରୁଥିବେ । ଆସନ୍ତୁ ।

 

ସମସ୍ତେ ଚାହିଁଲେ କ୍ଷଣପ୍ରଭା ଆଡ଼କୁ, ତା ପଛରେ ହେମାଙ୍ଗିନୀ । ସୁକାନ୍ତିଙ୍କର ସ୍ୱର୍ଗାରୋହଣର ଏଗାର ଦିନ । ସହରର ଗଣ୍ୟମାନ୍ୟ ଅନେକ ଲୋକ ନିମନ୍ତ୍ରିତ ହୋଇ ଆସିଛନ୍ତି । ଦୁଷ୍ମନ୍ତର ଘର ଆଗରେ ଗାଡ଼ି ମଟରର ଭିଡ଼ । ତଳ ହଲରେ ବିଛଣା ପଡ଼ିଛି । ଭଦ୍ରଲୋକମାନେ ବସିଛନ୍ତି । ତାଆସ, ଚେସ୍, କ୍ୟାରମ, ଗ୍ରାମୋଫୋନ୍, ରେଡ଼ିଓ, ପାନ, ସିଗାରେଟ୍, ସରବତ୍, ଚା, କଫି ।

 

କ୍ଷଣପ୍ରଭା ଓ ହେମାଙ୍ଗିନୀ ଦୁହିଁଙ୍କୁ ଆଜି ତର ନାହିଁ । ଅକ୍ଷମ ନିବାସ, ରୁଗ୍‍ଣ ନିଳୟ, ସାର୍ବଜନୀନ ବିଦ୍ୟାଳୟରେ ଥିବା ଲୋକମାନଙ୍କର ଚର୍ଚ୍ଚା ସନ୍ଧ୍ୟାପୂର୍ବରୁ ଶେଷ କରି ଭଦ୍ରଲୋକମାନଙ୍କର ଚର୍ଚ୍ଚା କରିବାକୁ ବନ୍ଧୁ ଦୁହେଁ ଲାଗି ପଡ଼ିଛନ୍ତି । ଲୋକ ବାକର ଅଭାବ ନାହିଁ । ସବୁ ହେଉଛି ବରାଦ ପ୍ରକାରେ । ଦିହେଁ କ୍ଲାନ୍ତ ।

 

ଗୋପାଳବାବୁ କହିଲେ, ଆପଣଙ୍କର ପିତାଙ୍କର ଆଦର୍ଶ ଓ ଯୋଜନା ସମ୍ବନ୍ଧରେ ଆମର ବିତର୍କ ଅବନୀବାବୁଙ୍କ ମନକୁ ପାଉନାହିଁ । ଆପଣଙ୍କର ମତ କଣ ?

 

କ୍ଷଣପ୍ରଭା କହିଲା, କାହାରି ମତାମତକୁ ଅପେକ୍ଷା କରି କର୍ମ୍ମୀ ଠିଆ ହୋଇ ରହେନାହିଁ । ସେ ଆଗକୁ ମାଡ଼ି ଚାଲେ । ଝୁଣ୍ଟିଲେ ପଡ଼େ । ପଡ଼ି ଉଠିଲେ ସେ ନିଜେ ବିଚାର କରେ ଆଗକୁ ଯିବ ନା ପଛକୁ ଫେରିବ । ନିଜେ ସେ ତାର ବାଟ ଖୋଜେ, ଭଲମନ୍ଦ ବିଚାର କରେ ।

 

ଆପଣଙ୍କର ଆଦର୍ଶ ?

 

ଆଦର୍ଶ ମୋର କିଛି ନାହିଁ । ଦୁନିଆରେ ଯେତେ ବାଦ ଅଛି–ପୁଞ୍ଜିବାଦ, ସାମ୍ୟବାଦ, ଗାନ୍ଧିବାଦ, ସେଥିରୁ କୌଣସିଟି ନୂଆ ନୁହେଁ କି ସେ ସବୁରୁ କୌଣସିଟି ନିର୍ଭୁଲ ନୁହେଁ । ବାଦ ନେଇ ବିବାଦ କରି ବସିଲେ ସବୁ ଥଣ୍ଡା ହୋଇଯିବ । ଆସନ୍ତୁ ଆପଣମାନେ ।

 

ଭଦ୍ରଲୋକମାନେ ଉଠିଲେ ।

 

ଉଠୁ ଉଠୁ ଗୋପାଳବାବୁ ସାନନ୍ଦବାବୁଙ୍କର ହାତଧରି କହିଲେ, ଦେଖିଲ ତ ଅବନୀବାବୁଙ୍କର ଢଙ୍ଗ ? ସବୁ ମିଲ୍ ମାଲିକ ବେପାରୀ ପୁଞ୍ଜିପତିଙ୍କର ମତ ଏଇଆ । ଏହାର ଏକମାତ୍ର ସମାଧାନ– ।

 

ସାନନ୍ଦ କହିଲେ, ବୁଝିଲି । ମୋଫସଲରୁ ଉଦ୍ୟମ କୋହଳ କରି ସହରରେ ସବୁ ଶକ୍ତି କେନ୍ଦ୍ରୀଭୂତ କରିବାକୁ ପଡ଼ିବ । ଦେଖାଯାଉ କାହାର କେତେ ଶକ୍ତି ।

 

ଅବନୀବାବୁ ତୁଷାରକାନ୍ତିର ହାତଧରି ଭଦ୍ରଲୋକଙ୍କ ଗହଳି ଭିତରେ ଆଗେଇ ଚାଲିଥିଲେ । କାନ ଥାଏ ସାନନ୍ଦଙ୍କ କଥାରେ । ଭାବୁଥାନ୍ତି, ବୋଧହୁଏ ପୁଣି ଧର୍ମଘଟର ସୁତ୍ରପାତ । ବେଳହୁଁ ସାବଧାନ ହେବାକୁ ପଡ଼ିବ ।

 

କାମ ସରୁ ସରୁ ରାତି ଅଧ ହେଲା । ବିଶ୍ରାମ ନେବାକୁ ହେମାଙ୍ଗିନୀ ଓ କ୍ଷଣପ୍ରଭା ମଝିଘରକୁ ଆସିଲେ, ଯେଉଁ ଘରେ ସୁକାନ୍ତି ସାରାଜୀବନ କଟାଇ ଶେଷକୁ ଆଖି ବୁଜିଥିଲେ । ସବୁ ସେମିତି ପଡ଼ି ରହିଛି । କାନ୍ଥରେ ଝୁଲୁଛି ନ ଥିଲା ମଣିଷଙ୍କର ପ୍ରତିକୃତି । ପାଖେ ପାଖେ ରହିଲା ମଣିଷଙ୍କର ପ୍ରତିକୃତି । ସୁକାନ୍ତି ନାହାନ୍ତି । ରହିଛି ନାମଟି, ଚିହ୍ନାଇ ଦେବାକୁ କାଗଜ ଉପରେ ପ୍ରତିକୃତିଟି । କେତେ ସ୍ମୃତି ଲାଖି ରହିଛି ସେଇ ନାମଟିରେ ।

 

କ୍ଷଣପ୍ରଭାର ମନେପଡ଼ି ଯାଉଛି ସୁକାନ୍ତିଙ୍କର ସବୁ ସ୍ନେହ ସୁଆଗ । ପାଟି ବନ୍ଦ ହେବା ଆଗରୁ ଖନେଇଁ ଖନେଇଁ କହିଥିଲେ ଯେଉଁ କଥା –ମଣିଷ ଚାଲିଯାଏ, ସବୁ ଛାଡ଼ିଯାଏ, କେବଳ ସଙ୍ଗରେ ନେଇଯାଏ ଛଟପଟ ଆଶା ଓ ଅପୂର୍ଣ୍ଣ ବାସନା ।

 

ତାଙ୍କ ତୁଣ୍ଡର ଶେଷକଥା ପଦଟି–ଦୁଷ୍ମନ୍ତ– । ଆଉ କଣ ସେ କହିବାକୁ ଚାହୁଁଥିଲେ କହିପାରିଲେ ନାହିଁ ।

 

ଯାହା ସେ କହିଥିଲେ ସମସ୍ତେ ଶୁଣିଛନ୍ତି–ଦୁଷ୍ମନ୍ତ, ହେମାଙ୍ଗିନୀ, ତୁଷାର, କ୍ଷଣପ୍ରଭା, ଅବନୀବାବୁ । ମାଙ୍କ ତୁଣ୍ଡର କଥା କେଇପଦର ଅର୍ଥ ବାହାର କରିବାକୁ ହେମାଙ୍ଗିନୀ କେତେ ତର୍କ କରିଛି । ନିଜେ ପୁଣି ସମାଧାନ କରିଛି –ଭାଇଙ୍କ ହାତକୁ ଦି ହାତ କରିବାକୁ କେଡ଼େ ବ୍ୟାକୁଳ ସେ ଥିଲା ଲୋ ପ୍ରଭା, କେତେ ବଡ଼ ଆଶା ନେଇ ସେ ଚାଲି ଯାଇଛି । ତାର ଅତୃପ୍ତ ବାସନା ପୂର୍ଣ୍ଣ ହେବ ନାହିଁ ? ତାର ପବିତ୍ର ଆତ୍ମାକୁ କଣ ଅମୋକ୍ଷ ରଖି ଆମେ ଛଟପଟ କରୁଥିବା ?

 

ସୁକାନ୍ତିଙ୍କର ମରଣ ଦିନରୁ ହେମାଙ୍ଗିନୀ ଆସି ବାପଘରେ ଅଛି । ସବୁବେଳେ କ୍ଷଣପ୍ରଭାର ପାଖେ ପାଖେ । କ୍ଷଣପ୍ରଭାର ଚାଲିଚଳନ ବ୍ୟବହାର ପ୍ରତି ତୀକ୍ଷ୍‌ଣ ଦୃଷ୍ଟି । ନୀହାରିକା ପ୍ରତି ମଧ୍ୟ । ନୀର ଆଉ ପିଲା ହୋଇ ନାହିଁ, ସେ ବଡ଼ ଝିଅ । ସୁନ୍ଦର ରୂପ । ଭଲ ସ୍ୱାସ୍ଥ୍ୟ । ସଜ ଚମ୍ପାଫୁଲ ପରି ଦେହର ରଙ୍ଗ । ଗୋଲ ସୁନ୍ଦର ମୁହଁଟା । କିଏ ଯେପରି ତୁଳିରେ ଚିତ୍ର କରିଛି ଭ୍ରୂଲତା । ଧୀରସ୍ଥିର, ଅଳ୍ପଭାଷୀ, ସାଧାସିଧା । ସେ ବି କ୍ଷଣପ୍ରଭା ସଙ୍ଗେ ମିଶି କାର୍ଯ୍ୟରେ ସାହାଯ୍ୟ କରୁଛି ।

 

ପ୍ରଭା ଏ ଘରର କିଏ ? ସୁକାନ୍ତି ମଲାପରେ ସବୁଥିର ମାଲିକ ହୋଇଛି ସେ । ସବୁ ଟ୍ରଙ୍କ ବାକ୍‌ସ, ଲୁହା ପେଡ଼ି, ଆଲମାରୀ, ଭଣ୍ଡାର ଘରର ଚାବିପେନ୍ଥା ଝୁଲୁଛି ତାର ଲୁଗା କାନୀରେ । ଶୁଦ୍ଧିଘରରେ ଯେତେ ଖରଚ ହେଲା ସବୁ ସେ ହସି ହସି କାଢ଼ି ଦେଲା । ବନ୍ଧୁ ବାନ୍ଧବଙ୍କଠାରୁ ଆରମ୍ଭ କରି ଚାକରବାକରଙ୍କ ଯାଏ ସମସ୍ତେ ସନ୍ତୁଷ୍ଟ ।

 

ସନ୍ତୁଷ୍ଟ ନୁହେଁ ଏକା ହେମାଙ୍ଗିନୀ । ସେ ଅନୁଭବ କରୁଛି, ଏ ଘରର ସେ କେହି ନୁହେଁ, ପ୍ରଭାହିଁ ସବୁ । ସେ କେବଳ ଦୁଇଦିନର କୁଣିଆ । ମନ ଝଗଡ଼ି ଉଠୁଛି । କାହିଁକି ଦାଣ୍ଡରୁ କିଏ ଗୋଟାଏ ଆସି ତ ଏତେ ସମ୍ପତ୍ତିକୁ ରଖିବ ନିଜ ହାତ ମୁଠାରେ, ସମସ୍ତଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବ ? ସୁକାନ୍ତି ନିର୍ବୋଧ ଥିଲେ । ଦୁଷ୍ମନ୍ତ ଆହୁରି ନିର୍ବୋଧ । ଯେ ଦିନେ ଦୟାର ପାତ୍ର ଥିଲା, ସେ ଆଜି ସର୍ବେସର୍ବା !

 

ଉପାୟ ?

 

ପ୍ରଭାର ରୂପ ଅଛି, ଝଟକୁଛି । ସେ ଯୁବତୀ । ପ୍ରଭାର ବୁଦ୍ଧିବିଦ୍ୟା ଅଛି । ସେ କଥା କହି ଜାଣେ, ହସି ଜାଣେ, ଲୋକ ଦେଖାଣ ସ୍ନେହ କରିପାରେ । କଥା, ଚାହାଁଣୀ, ରୂପ ଓ ବ୍ୟବହାରରେ ପରକୁ ଆପଣାର କରିପାରେ । ମାୟାର ଜାଲ ସେ ଖେଳାଇ ଦେଇଛି ।

 

ଦୁଷ୍ମନ୍ତ ଅନ୍ଧ ହୋଇଛି । ଦୁନିଆର ସମାଲୋଚନା ଆଖି ଠାରିକା ମାୟାବିନୀର ମାୟାରୁ ତାକୁ ନିଷ୍କୃତି ଦେଇପାରୁନାହିଁ । ଅନ୍ଧ ସ୍ୱାମୀର ନିଃସହାୟତାର ସୁଯୋଗ ନେଇ ଏଇ ନାଗିଣୀ ପ୍ରଭା ଦୁଷ୍ମନ୍ତର ଦେହକୁ ମନକୁ ଜର୍ଜ୍ଜରିତ କରିଛି ରୂପର ଗରଳରେ ।

 

ଏଇ ନାଗିଣୀ !

ବାରଦିନ ପରେ–

 

ହେମାଙ୍ଗିନୀ ଘୃଣା ଜର୍ଜ୍ଜରିତ ଚାହାଣୀରେ ଚାହିଁଲା, –ଉଜ୍ଜ୍ୱଳ ବିଜୁଳି ଆଲୁଅରେ ଠିଆହୋଇଛି କ୍ଷଣପ୍ରଭା । ନୀରକୁ କହୁଛି, ତମେ ଯା ନୀର ଶୋଇପଡ଼ିବ । ସତୀକି କହିଛି ତମ ଘରେ ସେ ଶୋଇବ । ଯା, ରାତି ବେଶି ହେଲାଣି ।

 

ନାଗିଣୀ ! କାହିଁକି ଏତେ ସଜ ? କାନରେ ମୂଲ୍ୟବାନ୍ ପଥରଲଗା ଫୁଲ, ବେକରେ ହାର, ଝଟକୁଛି ପଥର । ହାତରେ ରତ୍ନ-ଖଚିତ ସୁନା ଖଡ଼ୁ, ସୁନା କାଚ, ମୂଲ୍ୟବାନ୍ ଶାଢ଼ୀ, ବ୍ଲାଉଜ୍ । କ୍ଷଣପ୍ରଭା ସୁନ୍ଦରୀ, ଭୁବନମୋହିନୀ । କାହାପାଇଁ ଏ ସବୁ ?

 

ନୀହାରିକା ଚାଲିଗଲା ।

 

କ୍ଷଣପ୍ରଭା ମୁହଁବୁଲାଇ କହିଲା, ଲୁଗା ପାଲଟିବୁ ନାହିଁ ହେମ ? ରାତି ବେଶି ହେଉଛି । ଦିନସାରା ଖଟି ଖଟି କ୍ଲାନ୍ତ ହୋଇଛୁ । ଶୋଇପଡ଼ ତୁ । ମୋର ଅଳ୍ପ କାମ ଅଛି । ଦୁଷ୍ମନ୍ତ ଔଷଧ ଖାଇବେ । କାମ ଭିଡ଼ରେ ତାଙ୍କ କଥା ଭୁଲି ଯାଇଥିଲି । ତାଙ୍କର ଛାତି ଅତି ଦୁର୍ବଳ । ଡାକ୍ତର କହିଥିଲେ ରାତି ଆଠଟାରେ ଔଷଧ ଖାଇବାକୁ ହେବ । ମୁଁ ଆସୁଛି–

 

ସେ ନିଜେ ଖାଇପାରିବେ ନାହିଁ ?

 

ଖାଇବେ ନାହିଁ । ତାଙ୍କର ପ୍ରକୃତି ଯେମିତି ଉଦାସ ହେଲାଣି ପରର ଦୁଃଖ ଶୁଣିଲେ ବ୍ୟସ୍ତ ହେବେ । ପରର ରୋଗଶଯ୍ୟା ପାଖରେ ଅନିଦ୍ରା ହୋଇ ରାତି ରାତି କଟାଇବେ । ନିଜର କଥା ଭୁଲି ଯିବେ । ମୁଁ ଆସୁଛି ।

 

କ୍ଷଣପ୍ରଭା ଚାଳିଗଲା, ହେମାଙ୍ଗିନୀ ଥକ୍‌କାମାରି ଠିଆହୋଇ ରହିଲା । ଭାବିଲା, କେଡ଼େ ନିର୍ଲଜ ଏ ପ୍ରଭା । ଦୁଷ୍ମନ୍ତ ଯୁବକ, ଅବିବାହିତ । ଦିନେ ପ୍ରଭାକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଭା ଅନ୍ୟର ହାତ ଧରି ଗଲା ବୋଲି ବିବାହ କଲେ ନାହିଁ । ଦୁନିଆ ସବୁ ଜାଣେ । ଦୁଷ୍ମନ୍ତ କେଡ଼େ ନିର୍ଲ୍ଲଜ । ପ୍ରଭା ବି–

 

କେତେଦିନଯାଏ ଏ ଅଭିନୟ ଚାଲିଥିବ ?

ଦଶ ପନ୍ଦର ମିନିଟ୍ ପରେ କ୍ଷଣପ୍ରଭା ଫେରି ଆସିଲା ।

ଲୁଗା ପାଲଟିଲୁ ନାହିଁ ହେମ ?

ଭାଇଙ୍କ ଦେହ କିପରି ଅଛି ?

 

ଭଲ ଅଛି । ଔଷଧ ଖାଇବାକୁ ସେ ଅମଙ୍ଗ । ସବୁ ତାଙ୍କୁ ଉପହାସ ଲାଗେ । ଟିକିଏ ଅବାଧ୍ୟ ଯେ । ଦୁଇ ବନ୍ଧୁ ବସି ପୁଣି ଗଳ୍ପ ଆରମ୍ଭ କରିଥିଲେ ଦୁନିଆ ଯାକରେ ଯେତେ ଦୁଃଖ ଅଛି, ସବୁ ଯାକର ବୋଝ ଯେମିତି ସେମାନଙ୍କ ମୁଣ୍ଡ ଉପରେ ଲଦା ହୋଇଛି । ଦୁହିଙ୍କୁ ଅଲଗା ନ କଲେ ତର୍କ କରି କରି ରାତି ପୁହାଇ ଦେବେ ।

 

ତୁ ତୁଷାରବାବୁଙ୍କ ପାଖକୁ ଯା । ନୀର ମୋ ପାଖରେ ଶୋଇବ ।

 

ତୁଷାରବାବୁ ଶୋଇଲେଣି । ସେ କବଳ ଅନ୍ଧ ତ ନୁହନ୍ତି, ପାଗଳ ବି । ରାତିଯାକ ତର୍କ କରି କଟାଇବେ । ଦିନରାତି ତାଙ୍କ ପକ୍ଷେ ସମାନ କି ନା । ତାଙ୍କ ମୁଣ୍ଡ ଭିତରେ କେବଳ ସମସ୍ୟାର ପୋକଗୁଡ଼ା ବସା କରିଛନ୍ତି–ଠିକ୍ ବରୁଡ଼ିବସା ପରି । କେତେବେଳେ ଯେ ଭାଉଁ କରି ଉଠନ୍ତି କିଏ କହିବ ? ରାତି ଅଧରେ ଉଠି ବସି ଆରମ୍ଭ କରନ୍ତି ପ୍ରଳାପ ।

 

କ୍ଷଣପ୍ରଭା ହସିଲା । ହେମାଙ୍ଗିନୀ ବି ହସି ଉଠିଲା ।

 

ବନ୍ଧୁ ଦିହେଁ ଗୋଟିଏ ପଲଙ୍କରେ ପାଖାପାଖି ହୋଇ ଶୋଇଛନ୍ତି । ଘର ଅନ୍ଧାର । ବାହାର ଅନ୍ଧାର । ଝିପି ଝିପି ବରଷା । ରାତି ପାହିଲେ ଶ୍ରୀଗୁଣ୍ଡିଚା ।

 

ନିଦ ହେଉ ନାହିଁ ।

କେତେ ଭାବନାର ସୁଅ ଛୁଟିଛି ଦୁହିଙ୍କର ମନରେ ।

ଶୋଇଲୁ କି ପ୍ରଭା ?

ନାଇଁ ଲୋ, ନିଦ ହେଉ ନାହିଁ ।

ପଚାରିବି କଥାଟିଏ, ଅଇଁଗୁଣ ପାଇବୁ ନାହିଁ ?

 

କ୍ଷଣପ୍ରଭା କହିଲା, କୌଣସି କଥାରେ ମୁଁ ଅଇଁଗୁଣ ପାଏ ନାହିଁ ହେମ, ତା ହୋଇଥିଲେ ଆଜିଯାଏ ବଞ୍ଚି ରହି ନ ଥାନ୍ତି । ମୋର ମନକୁ ମୁଁ ପଥର କରିପାରିଛି ।

 

ତୋ ବାପା ତୋ ପାଖକୁ ଚିଠି ଦିଅନ୍ତି ନାହିଁ ?

ନାହିଁ ।

କାହିଁକି ?

 

ସେ ମୋତେ ଘୃଣା କରନ୍ତି । ସେତେବେଳେ ଅଭାବ ଅନଟନ ଦୁଃଖ ଦୁର୍ଦ୍ଦଶା ମୋର ଛୋଟ ସଂସାରକୁ ବେଷ୍ଟନ କରି ରହିଥିଲା, ସେତେବେଳେ ବି ସେ ମତେ ପଚାରି ନାହାନ୍ତି । ମୁଁ ବି ନିଜେ କେବେ ତାଙ୍କର ଦୟା–ପ୍ରାର୍ଥିନୀ ହୋଇ ନ ଥିଲି ହେମ । ଲକ୍ଷପତିର ଝିଅ ତୁ, କୋଟିପତିର ହାତ ଧରିଛୁ, କିପରି ତୁ ବୁଝିବୁ ଦରିଦ୍ର ନିଆଶ୍ରାର ଅଭିମାନ କ’ଣ ?

 

ତୋର ବୋଉ ?

ସେ ବି କେବେ ପଚାରି ନାହାନ୍ତି ।

 

ଖବର କାଗଜରୁ ପଢ଼ିଥିଲି, ତୋର ବାପା ତାଙ୍କର ସବୁ ସମ୍ପତ୍ତି ଗ୍ରାମବାସୀଙ୍କ ହାତରେ ଅର୍ପଣ କରିଛନ୍ତି ।

 

ମୁଁ ପଢ଼ିଛି । ମଣିଷ ଏମିତି ବଦଳେ ଲୋ ହେମ । କାହିଁକି ସେ ବଦଳେ, କେମିତି ବଦଳେ, କେତେବେଳେ ବଦଳେ, କେହି କହିପାରିବେ ନାହିଁ । ଶୁଣିଛି ମୋର ଭାଇଟିଏ ହୋଇଥିଲା । ଦେଢ଼ ବରଷର ପିଲାଟି ମରିଗଲା । ଅତି ଦୁଃଖରେ ବୋଉ ଚାଳିଗଲେ ତାଙ୍କର ବାପ ଘରକୁ । ସେଇଠୁ ହେଲା ବାପାଙ୍କର ପରିବର୍ତ୍ତନ । ଛପନ ପୁରୁଷରେ ଜମିଦାରୀ, ଖାନଦାନୀର ଅବତାର, ଆତ୍ମାଭିମାନରେ ଗଢ଼ା ଯାହାର ରକ୍ତ ମାଂସ, ସେ ବି ନିଜ ମନକୁ ଉଚ୍ଚ ପିଣ୍ଡାରୁ ତଳକୁ ଓହ୍ଲାଇ ପଡ଼େ । ହାତରେ ଦାଆଧରି ବିଲ ବାଛେ ।

 

ଆଶ୍ଚର୍ଯ୍ୟ !

ହଁ, ଆଶ୍ଚର୍ଯ୍ୟ, ଦୁନିଆ ଆଖିରେ ।

ତୋର ବୋଉ ?

ତାଙ୍କ କଥା ଶୁଣିନାହିଁ ।

 

ହେମାଙ୍ଗିନୀ ତୁନି ରହିଲା । ଯେଉଁ କଥାଟି ପଚାରିବ ବୋଲି ମନ ଛଟପଟ ହେଉଥିଲା, ତୁଣ୍ଡରୁ ବାହାରିଲା ନାହିଁ । ଚେଷ୍ଟା କରି କହୁ କହୁ ଅନ୍ୟ କଥା ବାହାରିଲା ।

 

ନୀରଟିର ବିବାହ ବୟସ ହେଲାଣି ପ୍ରଭା, ମୋ ମନକୁ ଗୋଟିଏ କଥା ଆସୁଛି–

କହ ।

ଭାଇଙ୍କୁ ଯଦି ମଙ୍ଗେଇ ପାରନ୍ତୁ–

ଅସମ୍ଭବ । ତାଙ୍କ ପାଖରେ ମୁଁ ବିବାହ କଥା ଉଠାଇ ପାରିବି ନାହିଁ । କାହିଁକି ତୁ ଜାଣୁ ।

 

ହେମାଙ୍ଗିନୀ ତୁନି ରହିଲା । କାହିଁକି, ସେ ତ ଜାଣେ ନାହିଁ । ଟିକିଏ ରହି ପଚାରିଲା, କାହିଁକି, ମୁଁ ଜାଣେନାହିଁ ପ୍ରଭା । ପତ୍ର ପତ୍ରିକାରେ ପ୍ରକାରାନ୍ତରେ ଅନେକ କଥା ବାହାରେ । ଲୋକେ ତୋତେ ସନ୍ଦେହ କରନ୍ତି, ଉପହାସ କରନ୍ତି । ତୋର ନିନ୍ଦା ଆଉ ପ୍ରଶଂସା ଗଳ୍ପ କରିବାକୁ ଅନେକଙ୍କୁ ପ୍ରେରଣା ଦିଏ ।

 

କ୍ଷଣପ୍ରଭା କହିଲା, ଜାଣେ । ଦୁନିଆର ମଣିଷ ମତେ ଚିହ୍ନିନ୍ତି ନାହିଁ । ସେମାନେ ସନ୍ଦେହ କରନ୍ତି, ଉପହାସ କରନ୍ତି । ମୋତେ କୌତୁକ ଲାଗେ । ଦୁଷ୍ମନ୍ତ ବାବୁଙ୍କର ଭଉଣୀ ତୁ, ମୋର ଅନ୍ତରଙ୍ଗ ବନ୍ଧୁ, ତୁ ଯେ ସନ୍ଦେହ କରୁ, ତୁ ଯେ ଉପହାସ କରୁ, ସେତିକି ମତେ ବାଧେ । ତୋର ମୁଁ ଦୋଷ ଦେଉ ନାହିଁ । ଦୁନିଆର ଆଉ ଦଶଟା ଲୋକଙ୍କ ଆଖିରେ ତୁ ଆମର ସମ୍ବନ୍ଧ ଦେଖୁଛୁ । ଯେଉଁଦିନ ଦୁଷ୍ମନ୍ତବାବୁ ମତେ ଭଲ ପାଉଥିଲେ ମୁଁ ସେଦିନ ଅନ୍ୟର ପଥ ଅନୁସରଣ କରିବାକୁ ସଂକଳ୍ପ କରିଥିଲି । ମୋର ସଂକଳ୍ପ ତୁ ଜାଣୁ ।

 

କିନ୍ତୁ ପ୍ରଭା, ଜଣକର ମନରେ ତୁ ଦାରୁଣ ଆଘାତ ଦେଇଥିଲୁ ତ । ସେ ତତେ ହିଁ ଜୀବନସଙ୍ଗିନୀ କରିବେ ବୋଲି ସ୍ଥିର କରିଥିଲେ । ମୁଁ ଜାଣେ ସାଇଥିପାଇଁ ସେ ଅନ୍ୟକାହାକୁ ବିବାହ କଲେ ନାହିଁ । ତାଙ୍କ ପାଖରୁ ଦୂରେଇ ରହିବା ତୋର ଉଚିତ ଥିଲା ।

 

ଉଚିତ କଅଣ ଅନୁଚିତ କଅଣ ମୁଁ ଜାଣେ । ଏ ଘରକୁ ମୋତେ ଯେ ଆଣିଥିଲେ, ଯାହାଙ୍କର ସେବା କରି ମୁଁ ସମୟ କଟାଇଲି, କି ଉଦ୍ଦେଶ୍ୟରେ ମତେ ସେ ଆଣିଥିଲେ ମୁଁ ଜାଣେ ନାହିଁ । ସେ ଚାଲିଗଲେ । ମତେ କହି ଯାଇନାହାନ୍ତି । ମୋତେ ସେ ବାନ୍ଧି ଦେଇଗଲେ ଏଇ ସଂସାରର ବନ୍ଧନରେ । ଘରର ଦାୟିତ୍ୱ ସଙ୍ଗେ ତାଙ୍କର ବିର୍ବୋଧ ସନ୍ତାନ ଏଇ ଦୁଷ୍ମନ୍ତର ଦାୟିତ୍ତ୍ୱଟି ସେ ମୋର ମୁଣ୍ଡରେ ନଦି ଦେଇଛନ୍ତି ।

 

ମୋ ମତରେ ତୋର କର୍ତ୍ତବ୍ୟ ତାଙ୍କୁ ତୁ ସଂସାର ବନ୍ଧନରେ ବନ୍ଧାଇ ନିଜେ ଦୂରେଇ ଯା-। ଦୁନିଆଁର ଆଖିରେ ନିନ୍ଦା ସମାଲୋଚନାର ସାମଗ୍ରୀ ହୋଇ ଏଠାରେ ରହିବୁ କାହିଁକି ?

 

ତୋ ଉପଦେଶ ମୁଁ ମାନିବି ହେମ, କିନ୍ତୁ ବିବାହ ପ୍ରସ୍ତାବ ମୁଁ ପକାଇପାରିବି ନାହିଁ, ବିଶେଷତଃ ନୀର ସମ୍ବନ୍ଧରେ । ମୁଁ ଜାଣେ, ସେ ବିବାହ କରିବେ ନାହିଁ । ଏ ଘରକୁ ଆସିଲା ଦିନୁ କର୍ତ୍ତବ୍ୟର ଆଖିରେ ମୋର ଅନ୍ଧ ସ୍ୱାମୀ ଆଉ ତାଙ୍କର ପାଗଳ ବନ୍ଧଙ୍କୁ ସମାନ କରି ଦେଖିଛି । ଦିହେଁ ମୋର ବନ୍ଧୁ । କେବେ ପାତର ଅନ୍ତର କରି ନାହିଁ ।

 

ତୁନି ହ । ଲାଜ ଲାଗୁନାହିଁ ?

 

କାହିଁକି ଲାଜ ଲାଗିବ ? ଦୁଷ୍ମନ୍ତବାବୁ ରଙ୍ଗିଲା ଆଖିରେ କେବେ ତୋର ବନ୍ଧୁ ପ୍ରଭାକୁ ଅନାଇଁ ନାହାନ୍ତି । ତୁଷାରକାନ୍ତି ସ୍ୱାମୀତ୍ୱର ଧାରଣାରେ କେବେ ହୁଏ ତ ମୋର ଏଇ କଅଁଳ ମାଂସର ଅସ୍ୱାଦନ ପାଇଁ ଆଗେଇ ଆସୁ ଆସୁ ପଛେଇ ଯାଇଛନ୍ତି । ସ୍ୱାମିତ୍ତ୍ୱର ଧାରଣା । ତାଙ୍କର ମନରେ କେବ କେମିତି ଦୁର୍ବଳତା ଆଣିଛି । ଦୁଷ୍ମନ୍ତ ବାବୁଙ୍କ ମନରେ ସେ ଧାରଣା କେବେ ଆସିପାରେ ନାହିଁ ।

 

ପ୍ରଭା, ମୁଁ ପିଲା ନୁହେଁ । ମୋ ବି ରକ୍ତ ମାଂସର ଦେହ । ମୋର ବି ମନ ଅଛି, ଭ୍ରମ, ଉତ୍ତେଜନା ଅଛି । ମାତୃତ୍ୱର କାମନା ଅଛି । ଦୁଇ ପାଖରେ ପ୍ରଜ୍ୱଳିତ ଯୌବନର ଦୁଇଟି ଅନଳ ଶିଖା ମଝିରେ ଆତଯାତ ହୋଇ କେଉଁ ସାହସରେ, କେଉଁ ଦମ୍ଭରେ ତୁ ଏ କଥା କହି ପାରୁଛୁ ? କିଏ ବିଶ୍ୱାସ କରିବ ?

 

କେହି ବିଶ୍ୱାସ କରିବେ ନାହିଁ ହେମ, ବିଶ୍ୱାସ କରିବା ଭଳି ମନ କି ଯୋଗ୍ୟତା ତୋର ନାହିଁ । ଦୁନିଆ ଆଗରେ କି ତୋ ଆଗରେ ମୁଁ ସଫେଇ ଦେବାକୁ ଚାହେ ନାହିଁ । ଆବଶ୍ୟକତା ନାହିଁ-। ଦୁଷ୍ମନ୍ତବାବୁ ଯଦି ବିବାହ କରନ୍ତି, ସଂସାର କରନ୍ତି, ସବୁ ଦାୟିତ୍ୱ ସେହି ନବାଗତାର ମୁଣ୍ଡରେ ନଦି ଦେଇ ମୁଁ ନିଶ୍ଚିତ ହେବି । କେବଳ ସେତିକି ନୁହେଁ । ଯଦି ଆବଶ୍ୟକ ପଡ଼େ ଅନ୍ଧ ସ୍ୱାମୀଙ୍କୁ ତାଙ୍କର ବନ୍ଧୁ ହାତରେ ଦେଇ ମୁଁ ଏ ଘର ଛାଡ଼ି ଚାଲିଯିବି ।

 

ପାରିବୁ ?

 

ପାଗଳ, ବିଶ୍ୱାସ ହେଉନାହିଁ ? ଯିଏ ସବୁର ବୋଝ ମୋ ମୁଣ୍ଡରେ ନଦି ଦେଇଥିଲେ ସେ ଆଜି ନାହାନ୍ତି । ଏଇ ମୁଣ୍ଡ ଉପରେ ତକିଆ ତଳେ ଦାୟିତ୍ୱର ବୋଝ ଚାବି ପେନ୍ଥାକୁ ରଖା ହୋଇଛି । ନିଜ ହାତକୁ ସେ ଦାୟିତ୍ୱ ନେଇ ମତେ ମୁକ୍ତି ଦେଇପାରିବୁ ? ଦୁଷ୍ମନ୍ତ ତୋର ଭାଇ । ତୁଷାରକାନ୍ତି ଦୁଷ୍ମନ୍ତର ଛାୟା । ନୀହାରିକା ତାଙ୍କର ଭଉଣୀ । କେହି କାହାକୁ ଛାଡ଼ି ରହିପାରିବେ ନାହିଁ । କିନ୍ତୁ ମୁଁ ପାରିବି । ମନକୁ ମୁଁ ପଥର କରିଛି । କର୍ତ୍ତବ୍ୟକୁ କରିଛି ବଡ଼ । ମୋର କର୍ତ୍ତବ୍ୟର ପଥ ଉନ୍ମୁକ୍ତ ରହିଛି, ମୋ ଆଖି ଆଗରେ । ଏହି ମୁହୂର୍ତ୍ତରେ ମୁଁ ଚାଲିଯିବି ହେମ, ନେଇପାରିବୁ ମୋ ହାତରୁ ଏ ଦାୟିତ୍ୱ ?

 

ଚମକି ଉଠିଲା ହେମାଙ୍ଗିନୀ । କଣ କହୁଛି କ୍ଷଣପ୍ରଭା ? କେବଳ ଉତ୍ତେଜନା । ଛାଡ଼ିପାରିବ ଏତେ ଲୋଭ ? ଛିଣ୍ଡାଇ ପାରିବ ଏତେ ବନ୍ଧନ ? ଏତେ ମମତା ଭସାଇ ଦେଇ ଏହି ମୁହୂର୍ତ୍ତରେ ସେ ଚାଲିଯାଇ ପାରିବ ? ନା, କେବଳ ଉତ୍ତେଜନା । ବୁଦ୍ଧିମତୀ କ୍ଷଣପ୍ରଭା ହୁଏ ତ ତାକୁ ପରୀକ୍ଷା କରିବାକୁ ଚାହୁଛି । ନେବ ସେ ଦାୟିତ୍ୱର ବୋଝ ନିଜ ମୁଣ୍ଡକୁ ? କୋଟିପତିର ଗୃହିଣୀ ସେ-

 

ତୁନି ରହିଲୁ ଯେ, ଭାବୁଛୁ ମୁଁ ତତେ ପରୀକ୍ଷା କରୁଛି ? ସେ କଥା ତୁ ଭାବନା ମୁଁ ଯାହା କହେ, ତାହାହିଁ କରେ । ହେମ, ଏ ଦାୟିତ୍ୱ ମୁଣ୍ଡକୁ ନେବାକୁ ଯଦି ତୁ ଅକ୍ଷମ କିଏ ଆକୁ ମୁଣ୍ଡରେ ବୋହିବ କହିଲୁ ? ବିବାହ ପ୍ରସ୍ତାବ ଦୁଷ୍ମନ୍ତ ବାବୁଙ୍କ ଆଗରେ ମୁଁ ବାଢ଼ିଲେ ସେ ଯଦି କରୁଣା ଆଖିରେ ମୋ ମୁହଁକୁ ଅନାଇବେ ?

 

କ୍ଷତି କଣ ? ତୁ ବୁଝାଇ ଦେବୁ ।

 

ନିର୍ବୋଧ, ଭାଇ ପ୍ରତି ସ୍ନେହ ଆଉ ମୋ ପ୍ରତି ଅବିଶ୍ୱାସ ଏଇ ଦୁଇଟା ଧାରଣା ମଝିରେ ତୁ ଛଟପଟ ହେଉଛୁ । ତୁ ଯାଇ ତୋ ଭାଇଙ୍କୁ ଅନୁରୋଧ କର । ହୁଏ ତ ସେ ତୋର କଥା ରଖିବେ-। ମୁଁ ତାଙ୍କୁ ପଚାରି ପାରିବି ନାହିଁ ।

 

ପଚାରିଲେ ?

ଫଳ ବିଷମ ହେବ ।

କାହିଁକି ?

 

ମତେ ତୁ ପଚାର ନା । ମନର କଥା ଭାଷାରେ ପ୍ରକାଶ କରିହେବ ନାହିଁ । ସବୁ କଥା ମୁଁ ତୋ ଆଗରେ କହିପାରିବି ନାହିଁ ।

 

ହେମାଙ୍ଗିନୀ ଉତ୍ତର ଦେଲା ନାହିଁ ।

 

କ୍ଷଣପ୍ରଭା ଦୁଇ ଆଖିରୁ ଲୁହଧାର ଝରିଲା । ହେମାଙ୍ଗିନୀ ପାଖରେ ମନର କଥା ସେ ଖୋଲି କହିଛି । ମନରୁ ତାର ସନ୍ଦେହ ଘୁଞ୍ଚି ନାହିଁ । ଘୁଞ୍ଚିବ ନାହିଁ । ସେ ମଣିଷ, କିନ୍ତୁ ଜାଣେ ନାହିଁ ତ କ୍ଷଣପ୍ରଭା ମଣିଷ ନୁହେଁ, ପଥର ।

 

ମାସକ ପରେ–

 

ଶ୍ରାବଣର ଝଡ଼ି ବରଷା । ଅବିରାମ । ତିନି ଦିନ ତିନି ରାତି କଟିଛି । ଏବେ ବି ଚାଲିଛି । ଦିନ ଦଶଟା । ସ୍କୁଲକୁ ଯିବାକୁ ନୀହାରିକା ତରତର । ଆଜି ଅନେକ ପାଠ । ଯିବ କିପରି ? ବାଳିକା ସ୍କୁଲର ଗାଡ଼ି ଚାଲିଗଲାଣି । ଟାଉନ୍ ବସରେ ଯିବାକୁ ତାକୁ ଭଲ ଲାଗେ ନାହିଁ । ନୂଆଉ କି ଦୁଷ୍ମନ୍ତ ଭାଇଙ୍କର ଯଦି କେଣିକି ଯିବାର ନ ଥାଏ, କାର୍‌ରେ ନେଇ ଡ୍ରାଇଭର ଛାଡ଼ି ଦେଇ ଆସିଲେ ଭଲ ହେବ । ନୂଆଉଙ୍କୁ କହିବାକୁ ସେ ଏ ପାଖ ଘରକୁ ଆସିଲା ।

 

ଥକ୍‌କା ହୋଇ ଠିଆ ହୋଇ ରହିଲା କ୍ଷଣପ୍ରଭାକୁ ଚାହିଁ । ଦିନୁଦିନ କାହିଁକି ସେ ଦୁର୍ବଳ ହୋଇ ପଡ଼ୁଛନ୍ତି । ସବୁବେଳେ କଣ ଭାବୁଛନ୍ତି । ଅନ୍ୟମନସ୍କ । ଗମ୍ଭୀର । ଆଜିକାଲି କ୍ୱଚିତ୍ ବାହାରନ୍ତି ପଦାକୁ । ପଚାରିବାକୁ ମନ ହୁଏ । ପାଟି ଫିଟେ ନାହିଁ । କିନ୍ତୁ ଆଜି ଏ କଣ ହୋଇଛି ? ଦେହରେ ମୁଣ୍ଡରେ ଖଣ୍ଡିଏ ହୋଇ ଗହଣା ନାହିଁ । ବେକରେ ନାହିଁ ହାର । ହାତରେ ଦି ଦି ପଟି ରଙ୍ଗୀନ୍ କାଚ । ପିନ୍ଧିଛନ୍ତି ସାଧାରଣ ମିଲ୍ ଲୁଗା ଖଣ୍ଡେ । ମନଦେଇ କଣ ଲେଖୁଛନ୍ତି ।

 

ନୀର ପାଖକୁ ଗଲା । ମନର କୋହ ସମ୍ଭାଳି ନ ପାରି ଭୀତି ଜଡ଼ିତ କଣ୍ଠରେ ପଚାରିଲା, ଏ କଣ ନୂଆଉ, ଅଳଙ୍କାର ସବୁ ଉତାରି ରଖିଲ କାହିଁକି ? ଚିହ୍ନି ହେଉନା–

 

ହସିଲା ଓଠରେ ପ୍ରଭା କହିଲା, ସତେ ? ତମର ନୂଆଉ ସବୁଦିନେ ଏଇଆ । ଯାହାଙ୍କ ମନରେ ଆନନ୍ଦ ହେବ ବୋଲି ଗହଣା ନାଇଥିଲି ସେ କେବଠୁଁ ଚାଲି ଗଲେଣି । ସବୁ ଚିଜର ହିସାବ ଲେଖିଥିଲି । ଆଜି ସରିଲା । ଗହଣାର ତାଲିକା କରି ସଜାଡ଼ି ରଖୁଥିଲି ।

 

ସେ ସବୁ ତ ମାଉସୀ ତମୁକୁ ନିଜ ହାତରେ ପିନ୍ଧାଇ ଦେଇଥିଲେ । ସବୁ ତୁମର ।

 

ନାଇଁ ନୀର, ମୋର ନୁହେଁ ପରର । ଦେହ ଓ ମନ ହାଲୁକା ଲାଗୁଛି । ଅନୁଭବ କରୁଛି, ସତେକି ମୁଁ ନାଗସାପର ବନ୍ଧନରୁ ମୁକ୍ତି ପାଇଲି । ଓ, ବୁଝିଲି, ତମେ ସ୍କୁଲକୁ ଯିବ ପରା, କାର୍ ଲୋଡ଼ା ? ନେଇ ଯା, ମୁଁ କୁଆଡ଼େ ଯାଉ ନାହିଁ ।

 

ଦୁଷ୍ମନ୍ତ ଭାଇ ?

 

ବୋଧହୁଏ ସେ ବି ଯିବେ ନାହିଁ । ଗଲେ ବି ତୁମକୁ ଛାଡ଼ିଦେଇ ଆସିବାକୁ କେତେବେଳ ଲାଗିବ ? ଯାଅ ।

 

ନୀହାରିକା ଚାଲିଗଲା ।

 

କ୍ଷଣପ୍ରଭା ହିସାବ କାଗଜର ନଥି ଧରି ଗମ୍ଭୀର ହୋଇ ବାହରି ଆସିଲା । ଦଶ ବାରଦିନ ପରିଶ୍ରମ କରି ସବୁ ଜିନିଷର ଲିଷ୍ଟ ସେ ତିଆରି କରିଛି । ଯାହାର ପଦାର୍ଥ ତାହାରି ହାତରେ ଧରାଇ ଦେବ । ପରର ବୋଝ ମୁଣ୍ଡରେ ବୋହି କାହିଁକି ଛଟପଟ ହେଉଥିବ ? ସେ ଯାହା, ସେଇଆ ।

 

ଘରୁ ବାରଣ୍ଡାକୁ ଆସିଲା । ଆଗକୁ ଯିବାକୁ ଗୋଡ଼ ଚଳୁ ନାହିଁ । ତାକୁ ଦେଖି ଘରର ଲୋକେ କଣ ଭାବିବେ, ଦୁଷ୍ମନ୍ତ କଣ ମନେକରିବେ ? ଯାହା ସେ ପଚାରିବେ, ତାର କି ଉତ୍ତର ଦେବ ? ଦୁଷ୍ମନ୍ତ ହାତକୁ ଦାୟିତ୍ୱ ଟେକି ଦେଇ ସେ ଏ ଘରେ ଆତଯାତ ହେବ କିପରି ? ଏତେ ଜଞ୍ଜାଳର ଦାୟିତ୍ୱ ହାତକୁ ନେଇ ଦୁଷ୍ମନ୍ତ କଣ କରିବେ ?

 

କ୍ଷଣପ୍ରଭା ସ୍ଥିର କରିପାରିଲା ନାହିଁ । ଫେରି ଆସିଲା ଘର ଭିତରକୁ । କାଗଜ ପୁଳିକ ଟେକୁଲ ଉପରେ ରଖିଦେଲା । ଭିତରୁ କବାଟ କିଳି ଭାବିବାକୁ ଲାଗିଲା, କାହିଁକି ଏତେ ଛଟପଟ ? ଭଲ ମନ୍ଦ ଦୁନିଆର ଲୋକେ ବୁଝିବେ ନାହିଁ । ଲୋକେ ଯାହା ବୁଝିବେ ତାହା ହିଁ ସତ୍ୟ । ହେମାଙ୍ଗିନୀ ନିଜେ ଦାୟିତ୍ୱ ମୁଣ୍ଡାଇଲା ନାହିଁ । ଦୁଷ୍ମନ୍ତକୁ ସଂସାର ବନ୍ଧନରେ ବାନ୍ଧି ଦେବାକୁ ଅନୁରୋଧ କଲା ନାହିଁ ।

 

ତୁଷାରକାନ୍ତିକୁ ଥରେ ପଚାରିବ । ତା ପରେ ସେ ଯାହା ଠିକ୍ ମଣିବ ତାହା ହିଁ କରିବ ।

କବାଟ ଖୋଳିଲା ।

 

ବର୍ଷାର ବେଗ ବଢ଼ିଛି । ଦେହ ଶୀତେଇ ଉଠୁଛି । ବାରଣ୍ଡାର ଆରପାଖେ ରଙ୍ଗିଆ ଠିଆ ହୋଇ ବାହାରକୁ ଚାହିଁ ବର୍ଷା ଦେଖୁଛି । କ୍ଷଣପ୍ରଭା ଡାକିଲା । ରଙ୍ଗିଆ ପାଖକୁ ଆସିଲା ଡରି ଡରି । ଅବୁଝା ଦୃଷ୍ଟି ସତେକି ଜାଣିବାକୁ ଚାହୁଛି, କାହିଁକି ଏ ପରିବର୍ତ୍ତନ ! ଯାହାର ଆଖି ଅଛି ତାର ଚାହାଣୀରେ ଫୁଟି ଉଠିବ ପ୍ରଶ୍ନ । ଉଠୁ । କାହାରିକୁ ସେ ଉତ୍ତର ଦେବାକୁ ବାଧ୍ୟ ନୁହେଁ ।

 

ତୁଷାରବାବୁ କେଉଁଠି ଅଛନ୍ତିରେ ?

ତଳେ ଅଛନ୍ତି ମା ।

ଏକା ?

ନାଇଁ, ସାନବାବୁ ଅଛନ୍ତି ।

ଆଉ ସବୁ କିଏ ଅଛନ୍ତି ?

କାଗଜ ପତ୍ର ମେଲାଇ କିରାଣୀବାବୁ ବସିଛନ୍ତି ।

କ୍ଷଣପ୍ରଭା ମୁହୂର୍ତ୍ତରେ ଭାବିଲା । କହିଲା, ତାଙ୍କୁ ଡାକିଦେବୁ ଯା ।

ରଙ୍ଗିଆ ରହି ରହି ପଚାରିଲା, ବଡ଼ବାବୁ ଓ ସାନବାବୁ ଦୁହିଁଙ୍କୁ ଡାକି ଦେବି ?

 

କ୍ଷଣପ୍ରଭା ଅଡ଼ୁଆରେ ପଡ଼ିଲା । ଏ ଘରକୁ ଆସିଲା ଦିନୁ କେବେ ସେ ତୁଷାରକାନ୍ତିକୁ ଏପରି ଡକାଇ ନାହିଁ । ଖାଇବା ବେଳ ହେଲେ ସେ ଡକାଇ ପଠାଏ ଦୁହିଁଙ୍କୁ । ଦୁଷ୍ମନ୍ତ ତାର ହାତ ଧରି ଆଣେ, ହାତ ଧରି ନିଏ । ଆଜି ତାଙ୍କୁ ଏକୁଟିଆ ଡାକିବ କିପରି ? ସୁକାନ୍ତିଙ୍କର ମରଣ ଦିନରୁ ତୁଷାର ସଙ୍ଗେ ତାର ନିରୋଳାରେ ଦେଖା ହୋଇନାହିଁ । ହେମାଙ୍ଗିନୀ ନିଜ ଘରକୁ ଗଲାଦିନୁ ନୀହାରିକାକୁ ସେ ପାଖରେ ଶୁଆଉଛି । ବଢ଼ିଲା ଝିଅ । ତୁଷାରକାନ୍ତି ଏକା ଶୋଉଛି । ପାଖ ଘରେ ରହୁଛି ରଙ୍ଗିଆ । ନିରୋଳାରେ ପଦଟିଏ କଥାଭାଷା ହେବାର ସୁବିଧା ନାହିଁ । କି ଉତ୍ତର ଦେବ ସେ ରଙ୍ଗିଆକୁ ?

 

କାମ କରୁଛନ୍ତି ପରା ଥାଉ । ତୁ ଯା ।

 

କ୍ଷଣପ୍ରଭା ନିଜ କୋଠରୀକୁ ଫେରି ଆସିଲା । ଏ ଘରୁ ନିଷ୍କୃତ ମିଳିବ ନାହିଁ । କବାଟ କିଳିଲା । ଛାତି ଭିତରେ କୋହ । ମନରେ ଅଶାନ୍ତି ଓ ଅସ୍ଥିରତାର ତୋଫାନ । ଦୁନିଆ ଯେପରି ତାର ଚାରିପାଖେ ଭ୍ରମୁଛି । କଣ କରିବ, କିଏ ତାକୁ ବୁଦ୍ଧି ବତାଇବ ? କାହାକୁ ନ କହି ଚାଲିଯିବ ଏଇ ପ୍ରାସାଦ–କାରାଗାରରୁ, ଯୁଆଡ଼େ ଡାକିବ ମନ ? ଅରକ୍ଷ ଅକ୍ଷମ ନିବାସର ତିନିଶ ସନ୍ତାନ, ରୁଗ୍‍ଣ ନିଳୟର ଦୁଇଶ ପୁତ୍ର–କନ୍ୟାଙ୍କର ମାଆ ଡାକ କାନରେ ବାଜୁଥିବ ଯୁଆଡ଼େ ଗଲେ । ସାର୍ବଜନୀ ବିଦ୍ୟାଳୟର ପିଲାଟିମାନେ ବି ପଛରୁ ଡକା ଛାଡୁଥିବେ । ଗୋଡ଼ ବାଟରେ ଅଟକି ଯିବ-

 

କଣ କରିବ ? ଯିବ ନାହିଁ ? ଦୁଇପାଖେ ଦୁଇଟି ପ୍ରଜ୍ଜ୍ୱଳିତ ଲହ ଲହ ଅନଳ ଶିଖା, ତାଆରି ମଝିରେ ସଂଯମର ଆଦର୍ଶ ଧରି ଚାଲିବ ସେ କେତେଦିବ ?

 

ସ୍ଥିର କରିପାରିଲା ନାହିଁ । ପଲଙ୍କ ଉପରେ ପଡ଼ି କେବଳ ଭାବିବାକୁ ଲାଗିଲା । ଆଖିରୁ ଲୁହଧାର ଝରିଲା ।

 

କେତେ ଭାବନା ଖେଳିଲା ତାର ମନରେ । କଣ ସେ କରିବ ? କିପରି ତାର ବେଳକାଳ କଟିବ ? ଯାହାଙ୍କର ହାତ ଧରି ସୁଖରେ ସଂସାର କରିବାକୁ ଆଶା କରିଥିଲା ସେ ଆଜି ବଦଳିଛନ୍ତି । ମଣିଷ ନିଜକୁ ଅସହାୟ ମଣିଲେ ମୁହୂର୍ତ୍ତକେ ବଦଳେ । ଆଖି ଦିଓଟି ହରାଇ ସ୍ୱାମୀ ନିଜକୁ ନିଃସହାୟ ମଣିଛନ୍ତି । ସ୍ତ୍ରୀର ଶକ୍ତି ଉପରେ ବିଶ୍ୱାସ ହେଉନାହିଁ । ପୁରୁଷର ଜନ୍ମଗତ ସ୍ୱାର୍ଥପରତା, ସନ୍ଦେହ ଓ ବଡ଼ପଣିଆ ପାଇଁ ତା ଉପରେ ନିର୍ଭର କରି ଅନାହୂତ ଆସିଲେ ଯେଉଁ ବନ୍ଧୁ ତାଙ୍କରି ଉପରକୁ ଆଉଜି ପଡ଼ିଛନ୍ତି । ବର୍ଷ ବର୍ଷ ଧରି କେତେବର୍ଷ କଟିଗଲା । ଅଭାବ ଅସୁବିଧା କୁଟୁମ୍ବ ଚିନ୍ତା ତାଙ୍କୁ ସ୍ପର୍ଶ କରିପାରିନାହିଁ । ତାଙ୍କର କର୍ମ, ଚିନ୍ତା ଓ ଚେଷ୍ଟା କେବଳ ତାଙ୍କର ଆଦର୍ଶ ପରିପାଳନ ପାଇଁ । ଗତି କୁଆଡ଼େ ଭାବିବାକୁ ବେଳ ନାହିଁ । ସ୍ୱାମୀଙ୍କ ତୁଣ୍ଡରୁ ପଦେ ପ୍ରେମର କଥା ସେ ଶୁଣି ନାହିଁ, ଏ ଘରେ ଗୋଡ଼ ଦେଲା ଦିନୁ । ପ୍ରେମର ଆଲିଙ୍ଗନ ପାଖରୁ ଦୂରେଇ ଆସିଛି, କାରଣ ସେ ଆଲିଙ୍ଗନର ଉତ୍କଣ୍ଠା ପ୍ରେମ ସମ୍ଭୂତ ନୁହେଁ, କେବଳ ସାମୟିକ ଉତ୍ତେଜନାର ମୋହ ।

 

କ୍ଷଣପ୍ରଭା ଯନ୍ତ୍ର ନୁହେଁ । ସେ ନାରୀ, ପ୍ରେମ ତାର କାମ୍ୟ । ସେ ବିବାହିତା ପତ୍ନୀ । ସେ ଖେଳନା ନୁହେଁ । ସେ ବିବାହ କରିଥିଲା ପ୍ରେମ ପାଇଁ, ନିଜର ସଂସାର ପାଇଁ । ପର ସଂସାରର ଗୃହିଣୀ ହେବାକୁ ସେ ବିବାହ କରି ନ ଥିଲା, ବେଦର ନିର୍ଦ୍ଦେଶ ମାନି ଚଳିବାକୁ ପଣ କରି ନ ଥିଲା । ବେଦର ମନ୍ତ୍ର ମାନି ସେ ସ୍ୱାମୀର ଆଜ୍ଞା ପାଳିଛି । ଇଚ୍ଛା ବିରୁଦ୍ଧରେ କାମ କରି ସବୁ ନିନ୍ଦା ସବୁ ଅପମାନ ମୁଣ୍ଡ ଉପରକୁ ଟାଣି ଆଣିଛି । ତୁଷାରକାନ୍ତି ପାଖରେ ସବୁ ଅନୁନୟତକ ଆଖିର ଲୁହ ଓ ଛଳ ବ୍ୟର୍ଥ ହୋଇଛି । ବନ୍ଧୁ ଦୁଷ୍ମନ୍ତକୁ ଛାଡ଼ି ସେ ରହିପାରିବେ ନାହିଁ, କିନ୍ତୁ ସେ କ୍ଷଣପ୍ରଭା ଦୁଷ୍ମନ୍ତର ଦୟାର ପାତ୍ର ହୋଇ ଦୁଷ୍ମନ୍ତର ଅନ୍ନରେ ପ୍ରତିପାଳିତ ହେବାକୁ ଚାହେଁନା ।

 

ଗୋଟିଏ ପଥ ତାଙ୍କୁ ବାଛି ନେବାକୁ ହେବ, –ଦୁଷ୍ମନ୍ତର ବନ୍ଧୁତ୍ୱ, ଅଥବା କ୍ଷଣପ୍ରଭା ପତ୍ନୀତ୍ତ୍ୱ ।

 

ଦୁଷ୍ମନ୍ତର ବନ୍ଧୁତା ।

ତା ପରେ ? ପଥ କଣ ?

 

କ୍ଷଣପ୍ରଭା ଭାବନା ବିଚରଣ କଲା,– ବାପା ! ତାଙ୍କ ପାଖରେ ଅଭିମାନ ନାହିଁ । ବଡ଼ଲୋକୀକୁ ଗୋଡ଼ରେ ଆଡ଼େଇ ସେ ସୃଷ୍ଟି କରିଛନ୍ତି ନୂତନ ପଦ୍ଧତି । ଦେଶର ସମସ୍ତଙ୍କର ମଙ୍ଗଳ ପାଇଁ ସେ ଧରିଛନ୍ତି ନଙ୍ଗଳ, ଦାଆ । ପଲ୍ଲୀବାସୀଙ୍କ ଜୀବନର ସୁଖ ଓ ସ୍ୱଚ୍ଛନ୍ଦ୍ୟ ପାଇଁ ସେ ଖୋଲିଛନ୍ତି ନୂତନ ପଥ । ସବୁ ସମସ୍ୟାର ସମାଧାନ । ଜନ୍ମଭୂମି ବିଜିପୁର ତାକୁ ଆହ୍ୱାନ କରୁଛି–ଚାଲିଆ ମା, ଏଇଠି ତୋର କର୍ମକ୍ଷେତ୍ର, ଏଇଠି ତୋ ପାଇଁ ବି ରଖାହୋଇଛି କର୍ମ । ଦା, ଲେଖନୀ, ଔଷଧ, ସବୁ ତ ଅଛି, ଚାଲିଆ ।

 

କିନ୍ତୁ, ଆଦର୍ଶ ତ ଠିକ୍ ନୁହେଁ । ଦେଶରେ ବିଜିପୁର ଏକମାତ୍ର ଗାଁ ନୁହେଁ । ଯାହା ସେଠାରେ ସମ୍ଭବ ହୋଇପାରିଲା ଅନ୍ୟତ୍ର ହୁଏ ତ ତାହା ସମ୍ଭବ ହୋଇ ନ ପାରେ । ଜଣଙ୍କର ସ୍ୱର୍ଥତ୍ୟାଗ ପାଇଁ ବିଜିପୁରର ସମସ୍ତେ ଗୋଟିଏ କୁଟୁମ୍ଭର ଲୋକ ହୋଇପାରିଲେ । ସମସ୍ତେ ନିଜ ନିଜର ସ୍ୱାର୍ଥ ଯତ୍‌କତଞ୍ଚିତ୍ ଛାଡ଼ି ପାରିଛନ୍ତି । ଅନ୍ୟତ୍ର ତାହା ହୁଏ ତ ସମ୍ଭବ ହୋଇ ନ ପାରେ । ବାପାଙ୍କର କର୍ମକ୍ଷେତ୍ର ଓ କର୍ମ ଏକଆଡ଼ିଆ ହୋଇ ରହିଯିବ । ଦେଶର ଲକ୍ଷ ଲକ୍ଷ କୁଟୁମ୍ବ ନୂଆ ପଦ୍ଧତିକୁ ଆଦର କରିବେ ନାହିଁ । ଗୋଟିଏ ଗ୍ରାମ ଇଉନିଟ୍ ହୋଇ ତିଷ୍ଠି ରହିପାରିବ ନାହିଁ । ପରିସର ବଢ଼ାଇବା ଆବଶ୍ୟକ ପଡ଼ିବ । କେତେଦୂର, କିଏ ଏହା କରିପାରିବ ?

 

ପଦ୍ଧତି ହୁଏ ତ ଭଲ । ଅସମ୍ଭବ ଲଗୁଛି । ଦେଶ ଏହାକୁ ଗ୍ରହଣ କରିପାରିବକି ? ଗ୍ରହଣ ନ କଲେ ପୁଣି ସେଇ ପୁରୁଣା ନୀତି–ଉପାସଭୋକ, ବସ୍ତ୍ରାଭାବ, ଅସମତା, ନିଃସହାୟତା, ରୋଗ, ଯନ୍ତ୍ରଣା, ଅଶାନ୍ତି, ଅସନ୍ତୋଷ, ମରଣ, ବିପ୍ଳବ, ରକ୍ତପାତ, ଧ୍ୱସଂ, ପ୍ରଳୟ, ନୂତନ ସୃଷ୍ଟି । କେଉଁଟା ଭଲ ? କେଉଁଟା କାମ୍ୟ ? ଦରିଦ୍ର, ନିଃସହାୟ, ଅକ୍ଷମ, ରୁଗ୍‍ଣଙ୍କ ପାଇଁ ଭିକ ମାଗିବାକୁ ହାତ ପତାଇବା, କି ହାତ ପୂରାଇ ବଳାତ୍‌କାର କରି ଆଣିବା ?

 

ଆଖିରୁ ଲୁହ ଶୁଖିଛି । ହିନ୍ଦୁନାରୀ ଅନ୍ଧପତ୍ନୀର ଆଦର୍ଶ ମିଳେଇ ଯାଇଛି ଭବିଷ୍ୟତ କର୍ମ ପନ୍ଥାର ଭାବନାରେ । ସାରା ଦୁନିଆର ଅନୀତି, ଅନାଚାର, ଦୁଃଖ, ନିର୍ଯାତନା, ତାର ଉତ୍ତେଜିତ ମନ ଭିତରେ ମୂର୍ତ୍ତିମନ୍ତ ହୋଇଛି । ଭାବୁଛି, ସେ ନିଜେ ତ ନିର୍ଯାତିତା, କାହିଁକି ସେ ଜଣଙ୍କର ବା ଗୋଟିଏ କୁଟମ୍ଭର ଦାସତ୍ୱ କରିବ ? କି ସୁଖ ଆଶାରେ ? ମାଗି ଆଣିଲା ଧନଦଉଲତ ଲୋଭରେ ? କଣ ହେବ ଧନଦଉଲତ ? ପରଘରେ ପ୍ରଭୁତ୍ୱ ? ମୂଲ୍ୟବାନ୍ ଶାଢ଼ୀ, ରତ୍ନ ଖଚିତ ଅଳଙ୍କାର, ରାଜପ୍ରାସାଦ ଭିତରେ ଶେଯ ସୁପାତି ? କିଏ ଦେଖିବ ତାର ଯୌବନର ଲାବଣ୍ୟ ଆଉ ସୌନ୍ଦର୍ଯ୍ୟର ପରିପାଟୀ ?

 

ଅନ୍ଧ–ସ୍ୱାମୀ !

 

ବନ୍ଧୁତାର ଛଳନାରେ ଅଥବା ଆଦର୍ଶର ଆଗରେ ପରାନ୍ନଭୋଗୀ ତୁଷାରକାନ୍ତି ? କାହିଁକି ସେ ରହିବ ଏ ଘରେ ? ଯିବ ଚାଲି ବାପ ପାଖକୁ ? ତାଙ୍କର ପଦ୍ଧତିର ଗୋଟିଏ ଖିଅ ହୋଇ ଟାଣିବ ତାଙ୍କର ଧାରଣାର ରଥଟିକୁ ଅନିଶ୍ଚିତ ପଥରେ ? ପେଣ୍ଡାଲ ଉପରେ ଠିଆ ହୋଇ ଲେକ୍‌ଚର୍ ଦେଇ ରୁମାଲରେ ଆଖିରୁ ଲୁହ ପୋଛି, କରତାଳି ଧ୍ୱନି ଭିତରେ ଉଦ୍‌ଗାରିବ–ଅକ୍ଷମ, ରୁଗ୍‍ଣ, ନିରାଶ୍ରୟଙ୍କ ପାଇଁ ମନର ସହାନୁଭୂତି ? ଧନିକର ମନ ତରଳାଇ ଭିକ୍ଷା ସଂଗ୍ରହ କରିବ ? ଅଥବା ନିଜେ ଧାଇଁଯିବ–

 

ହଁ, ଦୂରକୁ । ସହରରୁ ଦୂରକୁ ଯେଉଁଠି ଏମାନଙ୍କର ଜନ୍ମ । ଦେଶ କହିଲେ ବୁଝାଏ ସେହି ପଲ୍ଲୀ । ଛୋଟ ବଡ଼ ଚାଳଘର । ମାଟିର କାନ୍ଥ, ମାଟିର ଚଟାଣ, ଦିନ ଦୁଇ ପ୍ରହର ଯେଉଁ ଘର ଭିତରେ ଅନ୍ଧାରର ରାଜତ୍ୱ । ଚାରିଆଡ଼େ ଅସନା । ସନ୍ତସନ୍ତ । ରୋଗ ବଇରାଗର ଖଣି । ଅଭାବ, ଅସୁବିଧା, ଦୁଃଖ ଓ ହତାଶର ପ୍ରେତ ପଲ ଯେଉଁଠି ଚରି ବୁଲନ୍ତି । ସୁଦୂର ପଲ୍ଲୀ, ଯାହାର ଶୋଭା ଗାଇବୁଲେ କବି, ଯାହାର ଆନନ୍ଦ ସ୍ୱପ୍ନ ଦେଖେ ଔପନ୍ୟାସିକ, ଯାହାର ଶାନ୍ତି କଳ୍ପନା କରେ ଚିତ୍ରକର ।

 

ପଲ୍ଲୀ !

 

ଗାଁ ପୋଖରୀରେ କଇଁ ଫୁଟେ, ପଦ୍ମ ଫୁଟେ, ପୁଣି ଦଳ ସଢ଼ି ପାଣି ହୁଏ ବିଷାକ୍ତ । ଯୁଆଡ଼େ ଚାହିଁଲେ ଅଳିଆ ଗଦା । ମେଲେରିଆ, ବସନ୍ତ, ହଇଜା ପଲ୍ଲୀର ଶୋଭା । ଅନ୍ନବସ୍ତ୍ରହୀନ କଙ୍କାଳ ଧୂଳିଦାଣ୍ଡରେ ବିଚରଣ କରନ୍ତି । ଅଭାବ ହସ ଲିଭାଇଛି ମୁହଁରୁ, କୋରଡ଼ କରିଛି ଆଖି, ଗଣାଉଛି ପିଞ୍ଜରା କାଠି । ପଲ୍ଲୀର ଆନନ୍ଦ ! ଖାଇବା ଅଭାବରୁ ଛୋଟ କଥାରେ ଲାଗେ କନ୍ଦଳ । ଘରେ ଘରେ ବାବଦିବାଦ, ଷଡ଼ଯନ୍ତ୍ର ମକଦ୍ଦମା । ସର୍ବସ୍ୱାନ୍ତ । ପଲ୍ଲୀର ଶାନ୍ତି ।

 

କର୍ମକ୍ଷେତ୍ର ସେଇଠି ।

ଭାବନାରେ ବାଧା ପଡ଼ିଲା । କବାଟ ବାଡ଼େଇ ସତୀ ଡାକିଲା ମା, ମା !

 

କ୍ଷଣପ୍ରଅଭା ଉଠି ବସିଲା । ଝରକା ବାଟେ ପଦାକୁ ଚାହିଁଲା । ବର୍ଷା କୁଟୁଛି । ଅନ୍ଧାରୁଆ-। ଘଣ୍ଟାକୁ ଚାହିଁଲା । ବେଳ ବେଶି ହୋଇ ନାହିଁ । ବାରଟା ।

 

ପଚାରିଲା, କଅଣ ଲୋ ?

 

ସଦର ଗୁମସ୍ତା ! ଟଙ୍କା କଉଡ଼ି ଆଦାୟ ଅସୁଲ, ଖଜଣା, ରାଜସ୍ୱ, ମକଦ୍ଦମା, ଜମିଦାରୀର ହାନୀଲାଭ, ପ୍ରଜାଙ୍କର ଗୁହାରୀ, ଫସଲ ନଷ୍ଟ, ଉତ୍‌ପାତିଆ ପ୍ରଜାଙ୍କର କାଣ୍ଡ, ବନ୍ଧ ମରାମତି, ପୋଖରୀ ଖୋଳା, ମଛଦିଆ ନିଲାମ ଏମିତି ମାଳଶ୍ରୀ । ଜମିଦାରି ସେ କେବେ ଦେଖି ନାହିଁ । ପ୍ରଜାଙ୍କୁ ଚିହ୍ନି ନାହିଁ । କାହିଁକି ଏତେ ଜଞ୍ଜାଳରେ ପଶିବ ? ଦୁଷ୍ମନ୍ତବାବୁ ନିଜର କାମ ନିଜେ କରନ୍ତୁ ।

 

କହି ଦେ–

 

ତୁଣ୍ଡରେ କଥା ଅଟକିଗଲା । ଦୁଷ୍ମନ୍ତବାବୁ କେବେ କୌଣସି କଥାରେ ଆପତ୍ତି କରିନାହାନ୍ତି । ଦରକାର ପଡ଼ିଲେ ନିଜେ ଆସି ଟଙ୍କା ମାଗନ୍ତି, ସତେ କି ଅଳି କରୁଛନ୍ତି । ଲୁହା ବାକ୍‌ସରେ ଏବେ ବି ପଚିଶ ହଜାର ଟଙ୍କା ଅଛି । ବ୍ୟାଙ୍କରେ ତା ନାମରେ ପଚାଶ ହଜାରରୁ ଅଧିକ ଟଙ୍କା ଅଛି । ଦୁଷ୍ମନ୍ତବାବୁ ନିଜ ଏକାଉଣ୍ଟ ବନ୍ଦକରି ଟଙ୍କାତକ କ୍ଷଣପ୍ରଭା ନାମରେ ବଦଳି କରାଇଛନ୍ତି-। କେବେ ସେ କିଛି ପଚାରି ନାହାନ୍ତି ।

 

କଣ କହିବି ମା ?

କହି ଦେ, କାଲି ଦେଖା ହେବ ।

ସତୀ ଚାଲିଗଲା । କ୍ଷଣପ୍ରଭା ବାହାରକୁ ଚାହିଁ ଭାବିବାକୁ ଲାଗିଲା, ଏତେଗୁଡ଼ାଏ ଟଙ୍କା-

 

ଏତେଗୁଡ଼ାଏ ଟଙ୍କା, କେତେ ପୁରୁଷରୁ ସଂଚିତ ମଣିମାଣିକ୍ୟ, ହୀରାନୀଳା, ସୁନାରୂପା, ମଣିଷ ଯାହା ସ୍ୱପ୍ନରେ ବି ଦେଖିପାରେ ନାହିଁ । କେତେ ମୂଲ୍ୟ ହେବ ସେ ନିଜେ ଜାଣେ ନାହିଁ । ଲକ୍ଷ ଲକ୍ଷ ଟଙ୍କାର ବିତ୍ତ । ସବୁ ଆଜି ତାଆରି ହାତରେ । ପଚାରିବାକୁ କେହି ନାହିଁ । ଯାହା ତାହାର ଇଚ୍ଛା ସେ କରିପାରିବ । ଏତେବଡ଼ ଘର, ଦାସଦାସୀ, ଜମି ଜମିଦାରୀ ସବୁରି ଉପରେ ପ୍ରଭୃତ୍ୱ ତାଆରି ହାତରେ– ଭୋଖିଲା କୁଟୁମ୍ବର ତୁଣ୍ଡରେ ଆହାର ଦେବାକୁ ଯିଏ ତାର ଶେଷ ସମ୍ବଳ କାନର ଫୁଲ ଦିଓଟି ବିକ୍ରି କରିଥିଲା, ସେହି କ୍ଷଣପ୍ରଭାର ହାତରେ ଧନର ପାହାଡ଼ ଓ ପ୍ରଭୁତ୍ୱର ସମଷ୍ଠି !

 

ଯାହାର ଏ ବିତ୍ତ ସେ ଚାହେଁ କଅଣ ? ଦୁଷ୍ମନ୍ତ ! ସେବା, ଯତ୍ନ, ବନ୍ଧୁତା, କେଜାଣିବା ଛାତି ତଳେ ଛପି ରହିଚି କେଉଁ ଆଗ୍ରହ । ମନ ଯାହା ଚାହେଁ ତୁଣ୍ଡରେ ଅଟକେ, ଆଖି ନଏଁ ତଳକୁ । ଭଦ୍ରତା, ସଂକୋଚ, ଭୟ, ଦୁନିଆ ।

 

କ୍ଷଣପ୍ରଭା ଭାବି ପାରିଲା ନାହିଁ । ବିଚଳିତ ହୋଇ ଚାରିଆଡ଼କୁ ଚାହିଁଲା । ଝରକା ବାହାରେ ଝରି ପଡ଼ୁଛି ବର୍ଷାର ଧାରା । ରହି ରହି ବିଜୁଳି, ଘଡ଼ଘଡ଼ି । ଦୁନିଆଁରେ ସୁଖ ବି ଅଛି । ସୁଖ ମଣିଷ ଜୀବନର ସୁଯୋଗ । ନ୍ୟାୟ ଅନ୍ୟାୟ କଥା ପଚାରେ କିଏ ? ଆଖି ବୁଜିଲେ ସବୁ ପଡ଼ିରହେ ପଛରେ । କାହିଁକି ଏ ଜୀବନ, ଯୌବନ, ରୂପ ? ଉତ୍ତେଜନା, ମନର ସରାଗ, ଦେହର ପୁଲକ ? କେତେଦିନ ପାଇଁ ?

 

ସତେ, କେତେଦିନ ପାଇଁ ?

 

ମଣିଷର କର୍ତ୍ତବ୍ୟ ସୁଖାନ୍ୱେଷଣ । ଯାହା ସେ ପାଇଛି ଛାଡ଼ିବ କାହିଁକି ? ଅମାପ ଧନସମ୍ପତ୍ତି, ରୂପ ଓ ଯୌବନ । ଅନ୍ଧସ୍ୱାମୀର ଆଦେଶ ତ ପ୍ରେମ ନୁହେଁ, ଆନନ୍ଦ ନୁହେଁ । ଦୁଷ୍ମନ୍ତର ଗାମ୍ଭୀର୍ଯ୍ୟ, ଅଳ୍ପ କଥା, ଧୀର କଥା, ସେଥିରେ ଥାଏ କେବଳ ଅନୁନୟ । ସେଇ ଅନୁନୟ କଣ ସରାଗର ଅନ୍ୟରୂପ ନୁହେଁ ?

 

କ୍ଷଣପ୍ରଭା ତଳକୁ ଓହ୍ଲାଇଲା । କାନ୍ଥ କଡ଼ ଡ୍ରେସିଂ ଟେବୁଲ ଉପରେ ବଡ଼ ଆଇନା ଭିତରୁ ଚାହିଁ ରହିଛି କ୍ଷଣପ୍ରଭାର ପ୍ରତିଚ୍ଛବି–ଅର୍ଦ୍ଧ–ଉଲଗ୍ନ, ଭରାସ୍ୱାସ୍ଥ୍ୟ, ଢଳଢଳ ଯୌବନ । ସୁନ୍ଦରୀ ସେ, କିଏ ଦେଖୁଛି ତାର ସୌନ୍ଦର୍ଯ୍ୟ ? ଅନ୍ଧ ତୁଷାର ?

 

କ୍ଷଣପ୍ରଭା ଆଖି ବୁଜିଲା । କାହିଁ, ଦିଶୁନାହିଁ ତ ? ଅନ୍ଧର ମନରେ ହୁଏ ତ ଥିବ ଗୋଟାଏ ଅସ୍ପଷ୍ଟ ଧାରଣା । ଆଖି ଖୋଲିଲା । କାହାପାଇଁ ଏ ରୂପ ଆଉ ଯୌବନ ? କାହିଁକି ସଂଯମ ? ଦୁନିଆ କଣ ? ବିନା କାରଣରେ କେତେ ହାସ ପରିହାସ, ବ୍ୟଙ୍ଗ, ସମାଲୋଚନା ହୋଇଗଲା–ସତେ କି ସେ କୁଳଟା, ଦୁଷ୍ମନ୍ତର ମନୋହାରିଣୀ !

 

ଦୁଷ୍ମନ୍ତର ଆଖି ଆଗରେ ଏମିତି ଅଭେକା ହୋଇ ଠିଆହେବ ସେ କିପରି ? କଣ ସେ ଭାବିବେ ? କାହା ଉପରେ ଅଭିମାନ ? ଛି–, କେମିତି ସେ ଦିଶୁଛି ?

 

ପୁଣି କିଏ କବାଟ ବାଡ଼େଇଲା । ଦେଈ, ଦେଈ–

ରାନ୍ଧୁଣୀ । ସେ ଦେଈ ବୋଲି ଡାକେ ।

ବାବୁମାନଙ୍କୁ ଖାଇବାକୁ ଦେବ ନାହିଁ ଦେଈ ?

ତୁ ଆଜି ଦେଇ ଦେ ସୁନୀ ।

ଟିକିଏ ତୁନି ରହି ପଚାରିଲା, ତେମେ ଖାଇବ ନାହିଁ ?

ନା–ଆଁ – ।

ସକାଳୁ କିଛି ତ ଖାଇନା ।

ଭଲ ଲାଗୁ ନାହିଁ ।

 

ସୁନୀ ଚାଲିଗଲା କି କଣ ଆଉ ଡାକଲା ନାହିଁ । କ୍ଷଣପ୍ରଭା ମଝିକବାଟ ଖୋଲି ପାଖ ଘରକୁ ଗଲା । ସ୍ୱିଚ୍ ଟିପିଲା । ଏଇ ଘରେ ଲୁହା ବାକ୍‌ସଗୁଡ଼ିକ ରଖାହୋଇଛି । କେତେଗୁଡ଼ିଏ କାଠ ଆଲମାରୀ । ଆଲମାରୀ ଭିତରେ ଗହଣା । ସବୁ ତାର । ଯେଉଁଟା ମନ ସେ ଆଜି ପିନ୍ଧିବ । ଲୋକ ଦେଖି ହନ୍ତସନ୍ତ ହେବେ । ପଛରେ ଥାଇ ଥଟ୍ଟା କରିବେ । କରନ୍ତୁ ପରିହାସ । କାହିଁକି ସେ କାନ ଦେବ ? ତାର ରୂପ ଅଛି । ଯୌବନ ଅଛି । ରୂପକୁ ଝଟକାଇବାକୁ, ଯୌବନକୁ ମନମତାଣିଆ କରିବାକୁ ସବୁ ସମ୍ବଳ ଅଛି । ପଛାଇବ କାହିଁକି ? ଅଭିମାନର କି ମୂଲ୍ୟ ଅଛି ଏ ସଂସାରରେ ?

 

ଡ୍ରେସିଂ ଟେବୁଲ ଆଗରେ କ୍ଷଣପ୍ରଭା !

 

କିଏ ସେ ଠିଆ ହୋଇଛି ଆଗରେ, କପାଳରେ ରଙ୍ଗରଙ୍ଗର ପଥର ବସା ଟାୟରା, କାନ ଦୁଇଟିରୁ ଝୁଲୁଛି ରତ୍ନଖଚିତ ଇୟାରଡ଼୍ରପ୍, ମୁଣ୍ଡ ଏଣିକିତେଣିକି କଲେ ଦୋହଲୁଛି, ଝଟକୁଛି । ବେକରେ ସରିସରିକା ଡାଇମଣ୍ଡ କଟା ସୁନାର ହାର । ମଝିରେ ମଝିରେ ମୂଲ୍ୟବାନ୍ ରଙ୍ଗ–ପଥର ଖଞ୍ଜା ହୋଇଛି । ଲମ୍ବିଲା ହାର ଉନ୍ନତ ବକ୍ଷକୁ ବେଷ୍ଟନ କରିଛି । ମଝିରେ ଝୁଲୁଛି ହୀରାକଣିବସା ପେଣ୍ଡାଣ୍ଟ୍ । ଆର୍ମଲେଟ୍ । ନୂଆ ଫେସନର ସୁନା କାଚ । ପଥରବସା ଖଡ଼ୁ । ଆଙ୍ଗୁଠିରେ ପ୍ରକାର ପ୍ରକାର ମୁଦି ।

 

କିଏ ସେ, ମନଲୋଭା ରୂପ, ଭରପୁର ଯୌବନର ଶୋଭା ଓ ଆଭାରେ ପରିପୂର୍ଣ୍ଣ ! ମୁଣ୍ଡରେ ଦାଉ ଦାଉ ଝଟକୁଛି ସିନ୍ଦୂର, ଆଖିରେ ସରୁ କଜଳ, ଦେହରେ ବସନ ନାହିଁ ।

 

ତାରି ପ୍ରତିଚ୍ଛବି । ସେ ସୁନ୍ଦର । ସେଇଥିପାଇଁ ଦୁନିଆର ଲୋକେ ତାକୁ ସମ୍ମାନ ଦେଖାନ୍ତି-। ସଭାପତିରେ ବକ୍ତୁତା ଦେଲାବେଳେ ତନ୍ମୟ ହୋଇ ଅନାଇ ରହନ୍ତି । କରତାଳି ମାରି ସଭାଗୃହ କମ୍ପାନ୍ତି । ଦେଶର ଅନାଥଙ୍କ ନାମରେ ହାତ ପାତିଲେ ଧନ ଦେବାକୁ ଆଗେଇ ଆସନ୍ତି । ବନ୍ଧୁତା କରିବାକୁ, କଥା ଶୁଣିବାକୁ, ମୁହଁର ହସ ଦେଖିବାକୁ ଏତେ ରୂପ ଓ ଭରାଯୌବନର ସାନ୍ନିଧ୍ୟ ମୋହର, ଓଟାରି ହୋଇ ଆସନ୍ତି ।

 

ସେଇଥିପାଇଁ ପତ୍ର–ପତ୍ରିକାରେ ବାହାରେ ଫଟୋ–ଶ୍ରୀମତୀ କ୍ଷଣପ୍ରଭା ଦରିଦ୍ର ପିଲାଟିର ହାତ ଧରିଛନ୍ତି, ରୁଗ୍‍ଣ ନିରାଶ୍ରୟଙ୍କ ପାଇଁ ହାତ ପାତିଛନ୍ତି, କରୁଣାର ପ୍ରତିମୂର୍ତ୍ତି, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ହାତ ଟେକିଛନ୍ତି, ଉଜ୍ଜ୍ୱଳ ଆଖିରୁ ପ୍ରଳୟର ନିଆଁ ବାହାରୁଛି, ସାକ୍ଷାତ୍ ମାତୃମୂର୍ତ୍ତି । ଦରିଦ୍ର ଅନ୍ଧ ଅନାଥ ଶିଶୁଟି ତାଙ୍କର କୋଳରେ । କୁଷ୍ଠରୋଗୀକୁ ଖୁଆଉଛନ୍ତି, ଆଖିରେ ଢଳଢଳ ଲୁହ–

 

ସେଇଥି ପାଇଁ ସମାଲୋଚନା–ଦୃଷ୍ଟିରେ ଅଛି ମାଦକତା, ଶ୍ରୀମତୀ କ୍ଷଣପ୍ରଭା ଓ ଶେଠ୍ ଯୁବକ ରଙ୍ଗନାଥ–ମୃଦୁହସ ବଶ କରେ । କ୍ଷଣପ୍ରଭା ଓ ବ୍ୟବସାୟୀ ଅବଦୁଲ୍–ହାତରେ ଦୁଇ ହଜାର ଟଙ୍କାର ଚେକ୍ । ସ୍ନିଗ୍‌ଧ ସ୍ପର୍ଶରେ ପାଷାଣ ତରଳେ । ବୃଦ୍ଧ ଯକ୍ଷ ହରିଲାଲର କରମର୍ଦ୍ଦନ । ଅଜଣା ଅସାବଧାନତା ନୁହେଁ, ଯୌବନର ପୂର୍ଣ୍ଣସମ୍ଭାର ପ୍ରଦର୍ଶନ । – ନତମସ୍ତକ କଣ୍ଟ୍ରାକ୍‌ଟର ଶରତ କୁମାର ଦୁଇ ସହସ୍ର ଟଙ୍କା । ରୂପ ଯୌବନ ଓ ଆଧୁନିକତାର କରାମତି ଦେଖ–ଅନ୍ଧର ପତ୍ନୀ କ୍ଷଣପ୍ରଭା କାର ଭିତରେ ପଶୁଛନ୍ତି–ବ୍ରହ୍ମଚାରୀ ଦୁଷ୍ମନ୍ତ କବାଟ ଖୋଲି ଆଡ଼େଇ ଠିଆ ହୋଇଛନ୍ତି ।

 

ମିଛ ନୁହେଁ ।

 

ଏହି ତାର ପ୍ରତିଚ୍ଛବି ! ଓଠରେ ହସ । ଏତେ କରାମତି ରୂପ, ଯୌବନ, ମୃଦୁହସ, ତେରଛା ଚାହାଣୀ ପୁଣି ଜାଣି ଜାଣି ଅଜଣା ଅସାବଧାନତାର ରାଜପ୍ରସାଦରେ ରହି ସେ ହୋଇଛି ଦେଶସେବିକା, କରୁଣାର ଅବତାର । ଦରଦ୍ର ନିରାଶ୍ରୟଙ୍କର ଦୁଃଖ କିଞ୍ଚିତ୍ ଲାଘବ କରିପାରିଛି । ରାଜପ୍ରାସାଦରୁ ତଳକୁ ଓହ୍ଲାଇ ଭିକାରିଣୀ ବେଶରେ ସୁଦୂର ପଲ୍ଲୀର ଆବର୍ଜନା ମଝିରେ ସେ କଅଣ କରିପାରିବ ? କେହି ତାକୁ ପଚାରିବେ ନାହିଁ । ସ୍ୱମୀଙ୍କ ପାଖରୁ ଦୂରରେ ରହିଲେ ସୁଦୂର ପଲ୍ଲୀର ଲୋକେ ମଧ୍ୟ ସନ୍ଦେହ ଆଖିରେ ଚାହିଁବେ । ନରକର ରୂପାନ୍ତର ପଲ୍ଲୀ ଭିତରେ ତାର ସତ୍ତା ହଜିବ ।

 

ନା, ଏଇ ଜୀବନ ଭଲ । ପ୍ରାଚୁର୍ଯ୍ୟ ମଝିରେ ଦେଶାତ୍ମବୋଧ, ନିନ୍ଦା ଓ ପ୍ରଶଂସା ଭିତରେ ସତର୍କ ଗତି, ରୂପ–ଯୌବନ ଓ ଆଧୁନିକତାର ସୁଯୋଗ ସେ ନେବ । ପ୍ରଶଂସାକୁ ଗ୍ରହଣ କରିବ । ନିନ୍ଦାକୁ ଗୋଡ଼ରେ ଆଡ଼େଇ ଦେବ ।

 

ରୂପ ଓ ଯୌବନ ଯଦି ଲିଭି ଯାଆନ୍ତା, ଭିକାରିଣୀ ବେଶରେ ଯଦି ସେ ସ୍ୱାମୀଙ୍କ ଆଗରେ ଠିଆ ହୁଅନ୍ତା–ଆଖିରେ ଲୁହ, ଓଠରେ ଗାମ୍ଭୀର୍ଯ୍ୟ ? ତାଙ୍କ ଧାରଣାରେ ସେ କେବଳ ଗୋଟିଏ ନାରୀ, ପତ୍ନୀ, ଆଉ କିଛି ନୁହେଁ ।

 

ନିଜତ୍ୱ ହଜିବ ।

 

ପୁଣି କିଏ କବାଟ ଖଡ଼ ଖଡ଼ କଲା । କ୍ଷଣପ୍ରଭାର ଭାବନା ଭାଙ୍ଗିଲା, ସପନ ଅପସରିଲା-। ତ୍ରସ୍ତହୋଇ ଟେବୁଲ ପାଖକୁ ଘୁଞ୍ଚି ଆସିଲା । ଲୁଗାପଟା ସଜାଡ଼ି କାନ ଡେରିଲା । ମନ ଛନ ଛନ-। ଡାକ ଶୁଭିଲା, ମାଈଁ, ମାଈଁ ।

 

କିଏ ?

ମୁଁ ଅରୁଣ ।

 

Unknown

କ୍ଷଣପ୍ରଭା ମୁହୂର୍ତ୍ତେ ଭାବିଲା, ଅରୁଣ କାହିଁକି ଆସିଛି ? ଅବନୀ ବାବୁ ଓ ହେମାଙ୍ଗିନୀ ପ୍ରଚାର କରନ୍ତି ଯେ ପିଲାଟା ନଷ୍ଟ ହୋଇଛି । ମାଟ୍ରିକ ପାସ୍‌କରି ସେ କଲେଜରେ ନାମ ଲେଖାଇଲା ନାହିଁ । ବାପକୁ କର୍ମରେ ସାହାଯ୍ୟ କଲାନାହିଁ । ଘର ଛାଡ଼ି ବାହାରେ ବୁଲିଲା । କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ । ଦୁଇ ଚାରିଦିନ ପରେ କଟକକୁ ଫେରିଆସେ । ପ୍ରତିକ୍ରିୟାଶୀଳ ଲୋକମାନଙ୍କ ସଙ୍ଗେ ସମ୍ପର୍କ ରଖେ । ମୂଲିଆ ଆନ୍ଦୋଳନରେ ଯୋଗଦିଏ । ଷ୍ଟ୍ରାଇକ୍ ଆୟୋଜନ କରେ । ସଭା-ସମିତିରେ ବକ୍ତୁତା ଦିଏ ।

 

କବାଟ ଖୋଲିଲା ।

 

ଆଗରେ ଅରୁଣ, ଅଠର ଊଣେଇଶି ବର୍ଷର ସୁନ୍ଦର ସ୍ୱସ୍ଥ୍ୟବାନ ଯୁବକ । ଉଜ୍ଜ୍ୱଳ ଆଖି । ମୋଟା ମିଲ୍ ଲୁଗାଟିଏ ପିନ୍ଧିଛି । ଦେହରେ ଅଧା କାମିଜ । ପାଣି ଜୁଡ଼ୁବୁଡ଼ୁ ।

 

କ୍ଷଣପ୍ରଭାକୁ ପ୍ରଣାମ କଲା ।

ତିନ୍ତିବୁଡ଼ି କେଉଁଠୁ ଆସିଲ ଅରୁଣ, ଭିତରକୁ ଆସ । ଶୀତରେ ଥରୁଛ ଯେ ।

 

ବର୍ଷା ଛାଡ଼ିଯିବ ଭାବି ଗୋଟିଏ ଦୋକାନରେ ଦୁଇ ଘଣ୍ଟା ଅପେକ୍ଷା କଲି । ବର୍ଷା ଛାଡ଼ିଲା ନାହିଁ । ଧାଇଁ ଧାଇଁ ଆସିଲି ।

 

ଏମିତି କି ଜରୁରୀ କାମ ଥିଲା ? ଆଗ ଭିତରକୁ ଆସ ତ, ଲୁଗାଟା ବଦଳି ପକାଅ ।

 

ନାଇଁ, ମାଈଁ ! ଅତି ଜରୁରୀ କାମ ଅଛି । ଗୋଟିଏ ବିଷୟ ଅନୁରୋଧ କରିବାକୁ ଆସିଛି-। ଖବର ମିଳିଲା, ଦୟାନଦୀର ବନ୍ଧ ଭାଙ୍ଗି ବଢ଼ି ପାଣିରେ ଅନେକଗୁଡ଼ିଏ ଗାଁ ଭାସି ଯାଇଛି-। ଅନେକ ଲୋକ ଓ ଗାଈଗୋରୁଙ୍କର ପତ୍ତା ମିଳୁ ନାହିଁ ।

 

କେବକାର କଥା ?

 

କାଲି ରାତିରେ । ଆମେ ରିଲିଫ୍ ପାଟିର ଆୟୋଜନ କରିଛୁ । କାଳି ସକାଳୁ ଚୁଡ଼ା ଚାଉଳ ଲୁଗା କମ୍ବଳ ନେଇ ଚାରି ପାଞ୍ଚଟା ଡଙ୍ଗା ବୋଝାଇ କରି ଚାଲିଯିବୁ । ଆଜି ସନ୍ଧ୍ୟାରେ ଟାଉନ୍ ହଲରେ ସଭା କରିବାକୁ ବ୍ୟବସ୍ଥା କରିଛୁଁ । ଆପଣ ପ୍ରେସିଡେଣ୍ଟ୍ ହେବେ ।

 

ଏ ପାଗରେ ସଭାରେ ଲୋକେ ଯୋଗ ଦେବାକୁ ଆସିବେ ନାହିଁ । କାହିଁକି ଏ ସଭା ?

 

ଆମର ଧନ ଲୋଡ଼ା । ଯାହା ଆଦାୟ ହୋଇଛି ସାହାଯ୍ୟ ଦେବାକୁ ସେତକ ନଅଣ୍ଟ ହେବ । ଆପଣ ଲୋକଙ୍କୁ ଅନୁରୋଧ କଲେ ସେମାନେ ନିଶ୍ଚୟ ଦେବେ । ପାଗ ଖରାପ ହେଲେ ମଧ୍ୟ କେହି କେହି ଆସିବେ । ତା ଛଡ଼ା ଆମେ ସବୁ ଗଲା ପରେ ଆମ ପଛରେ ଦ୍ୱିତୀୟ ଦଳ ସ୍ୱଚ୍ଛାସେବକ ପଠାଇବାର ଭାର ଆପଣଙ୍କୁ ନେବାକୁ ପଡ଼ିବ ।

 

କ୍ଷଣପ୍ରଭା କହିଲା, ତମର ଦୁଇଟି ଅନୁରୋଧରୁ କୌଣସିଟି ମୁଁ ରଖିପାରିବି ନାହିଁ ଅରୁଣ-! ମୁଁ ସେଥିପାଇଁ ବିଶେଷ ଦୁଃଖିତ । ଧନ ଯଦି ଚାହ, ଯଥାସାଧ୍ୟ ଦେବାକୁ ମୁଁ ପ୍ରସ୍ତୁତ ଅଛି ।

 

ଅରୁଣ ଚିନ୍ତାକଲା । କହିଲା, ଧନ ଅପେକ୍ଷା ଆପଣଙ୍କର ସହାନୁଭୂତି ଓ ଦାୟିତ୍ୱବହନ ଆମର ଲୋଡ଼ା ଥିଲା । ଲୋକଙ୍କର ଦୂରବସ୍ଥା, ନିଃସହାୟତା ଓ ଦୁଃଖ କଥା ଆପଣ ଉପଲବ୍‌ଧି କରୁଥିବେ ।

 

ଟିକିଏ ଅପେକ୍ଷା କର, ମୁଁ ଆସୁଛି ।

କ୍ଷଣପ୍ରଭା ମଝି ଘରକୁ ଗଲା ।

 

ପ୍ରାୟ ଦଶ ମିନିଟ୍ ପରେ ହାତରେ ହଜାର ଟଙ୍କାର ନୋଟ୍ ଧରି ପଦାକୁ ଆସିଲା । ଅରୁଣ ଚାଲିଗଲାଣି । ଚାରିଆଡ଼କୁ ଚାହିଁଲା । ସେ ନାହିଁ । ମାଡ଼ ମାରିଲା ପରି ତାକୁ ଲାଗିଲା । ମନକୁ ମନ ଲଜ୍ଜିତ ହୋଇ କ୍ଷଣପ୍ରଭା ଘର ଭିତରକୁ ଆସି କବାଟ କିଳିଲା । ନୋଟ୍ ବିଡ଼ାଟା ଟେବୁଲ ଉପରେ ଫୋପାଡ଼ି ଦେଲା । ମୁଣ୍ଡରେ ହାତଦେଇ ଚଉକି ଉପରେ ବସି ଭାବିବାକୁ ଲାଗିଲେ–

 

ଏତେଦିନ ଗଲା ପ୍ଳାଟଫର୍ମ ଲେକ୍‍ଚରରେ । ଯାହା ହୋଇପାରିଛି ସେତକ ଦୁଷ୍ମନ୍ତଙ୍କର ଦାନ ପାଇଁ, ତୁଷାରକାନ୍ତିଙ୍କର ବ୍ୟାକୁଳତା ପାଇଁ ସେ କେବଳ ସେମାନଙ୍କର ନିର୍ଦ୍ଦେଶ ମାନିଛି । କୋଠା ଉପରୁ ତଳକୁ ଓହ୍ଲାଇ ମାଟି କାଦୁଅରେ ଘାଣ୍ଟି ହୋଇ ହତଭାଗ୍ୟଙ୍କୁ ରୋଗ-ଯନ୍ତ୍ରଣାରୁ, ମରଣ-ମୁହଁରୁ ସେ ବଞ୍ଚାଇ ନାହିଁ । ଅରକ୍ଷ ନିବାସ ଓ ରୁଗ୍‍ଣ ନିଳୟ ଖୋଲାହେଲା, ଅକ୍ଷମ ଓ ରୁଗ୍‍ଣ ଆପେ ଆପେ ଆସିଲେ ।

 

ବନ୍ୟା ଆସିଲା ଅନାହୁତି । କେତେ ସୁଖର ସଂସାର ଛାରଖାର ହୋଇଥିବ । କୋଳରେ ଶିଶୁ ସନ୍ତାନକୁ ଧରି ସ୍ତନ୍ୟପାନ କରାଉ କରାଉ ଯେଉଁ ମାତା ସ୍ୱର୍ଗର ସୁଖ ଅନୁଭବ କରୁଥିଲା ସେ ଆଜି କେଉଁଠି ଥିବ, ଆଉ, ତାର ସନ୍ତାନ ? ପ୍ରେୟସୀର ସରମ–ରଙ୍ଗା ମୁହଁରେ ପରାଣ–ଭରା ଚୁମ୍ବନରେ ଦାଗ ଆଙ୍କି ଦେଉଣୁ ଆତ୍ମହରା ହୋଇ ଆଖି ବୁଜିଥିଲା ଯେଉଁ ପ୍ରେମିକ, ଆଖି ଖୋଲିଥିବ ପ୍ଳାବନ ଘୂର୍ଣ୍ଣନରେ । କାହିଁ ସେ ଆଉ, କାହିଁ ତାର ପ୍ରେୟସୀ ? ଦେବତାର ଆସ୍ଥାନ ତଳେ ମୁଣ୍ଡରଖି ସେପାରିର ଭାବନାତ୍ରସ୍ତ ବୃଦ୍ଧ ସବୁ ପାପ, ସବୁ ଦୋଷ, ସବୁ ଅକ୍ଷମତାର ସ୍ମୃତି ଅଜାଡ଼ି ଦେଉଥିଲା ଯେ ବିଗ୍ରହର ଚରଣ ତଳେ, କାହିଁ ସେ ଆଉ, କାହିଁ ତାର ବିଗ୍ରହ ? କେଉଁଠି ଥିବେ ସେମାନେ, ଯେଉଁମାନେ ସଂସାରର ସୁଖଦୁଃଖ ସଙ୍ଗେ ଲଢ଼ି ଭବିଷ୍ୟତର ସୁଖ ସ୍ୱପ୍ନ ଦେଖୁଥିଲେ ?

 

ଦୁଷ୍ମନ୍ତର ଧନ ଅଛି । ସେଇ ଧନର ବଳରେ ପ୍ରାସାଦ ଉପରେ ବସି ମନର କୋହ ଛାତିର ଦୁଃଖ ସେ ପ୍ରଚାର କରିପାରିବ । ଧନ ଦେଇ ଅର୍ଜନ କରିବ ସୁନାମ । ଅନ୍ଧ ତୁଷାରର ବଳ ତାର ବନ୍ଧୁ ଦୁଷ୍ମନ୍ତ । ବନ୍ଧୁର ହାତ ଧରି ତାଙ୍କର ଧନରେ, ତାଙ୍କର ପ୍ରେରଣାରେ ସେ ଦୂରରୁ ଦେଖାଇବ ସହାନୁଭୂତି । ଦୈନିକ କାଗଜର ସ୍ତମ୍ଭ ପୂରଣ ହେବ ତାଙ୍କର ପ୍ରାଣସ୍ପର୍ଶୀ ବିବୃତିରେ–ଏହା କର, ତାହା କର, ଏହା ଉଚିତ, ତାହା ଅନୁଚିତ । କାହାରି ଗୋଡ଼ରେ କାଦୁଅ ଲାଗିବ ନାହିଁ, କଣ୍ଟା ବାଜିବ ନାହିଁ । କାହାର ଦେହରେ ପାଣି ଛିରିକା ପଡ଼ିବ ନାହିଁ । କିନ୍ତୁ, ତାର ଅଛି କଣ ? ପତ୍ନୀତ୍ୱ ବା ଦାସୀତ୍ୱର ଦ୍ୱାହି ?

 

ସେବା ମନୋବୃତ୍ତି ?

 

ଏଠି କାହିଁକି ? ସୁଦୂର ସେହି ପଲ୍ଲୀର ବିଭୀଷିକା ଭିତରେ, ନରକ କୁଣ୍ଡରେ, ଦରମରା ଶିଶୁଟିକୁ କୋଳରେ ଧରି ଛାତିର ଉଷୁମଦେଇ ମାତୃତ୍ୱର ସୁଖ ସେ ଅନୁଭବ କରିପାରିବ । ସ୍ୱାମୀ କୋଳରୁ ବିଚ୍ଛିନ୍ନ କେଉଁ ପ୍ରେୟସୀର ପାଣ୍ଡୁର ଗଣ୍ଡରୁ ଲୋତକ ପୋଛି ହୃଦୟଭରା ପ୍ରେମରେ ସେ ତାକୁ ଆପଣାର କରିପାରିବ । ନିଜକୁ ଭୁଲି ଦୁସ୍ଥ ନିରାଶ୍ରୟଙ୍କର ସେବା କରି ଯତ୍ନନେଇ ସେ ଜୀବନଯୌବନ ସାର୍ଥକ କରିପାରିବ ।

 

ଏଠି କାହିଁକି, ଏହି କୃତ୍ରିମତାର ମଝିରେ ସମୟ କାଟିବ ?

କାନ୍ଥ ଘଣ୍ଟା ସୂଚାଇ ଦେଲା, ଦିନ ତିନିଟା ।

ପୁଣି କିଏ କବାଟ ବାଡ଼େଇଲା ।

କ୍ଷଣପ୍ରଭା ବିରକ୍ତ ହୋଇ ଉଠିଲା । କବାଟ ଖୋଲିଲା ।

ତୁଷାରକାନ୍ତି । ରଙ୍ଗିଆ ତାଙ୍କୁ ଛାଡ଼ି ଦେଇ ଫେରିଯାଉଛି ।

କ୍ଷଣପ୍ରଭା ପଚାରିଲା, ବାବୁମାନେ ଚାଲିଗଲେ ?

କେଉଁମାନେ ?

 

କ୍ଷଣପ୍ରଭା ତୁଷାରକାନ୍ତିର ହାତଧରି ଘର ଭିତରକୁ ନେଲା । ଚଉକିରେ ବସାଇ ଆଗରେ ଠିଆ ହୋଇ ପଚାରିଲା; କେଉଁମାନେ ପରା ଆସିଥିଲେ ?

 

ତୁଷାର କହିଲା, ହଁ । ସେମାନେ ସବୁ ବନ୍ୟା କମିଟିର ମେମ୍ବର । ଦୟା ନଦୀର ବନ୍ଧ ଭାଙ୍ଗିଛି । ସ୍ୱଚ୍ଛାସେବକ ପଠାଇବାର ବ୍ୟବସ୍ଥା କରାହେଉଛି । ଦୁଷ୍ମନ୍ତକୁ ସେ କମିଟିର ସଭାପତି କରିବାକୁ ସେମାନେ ପ୍ରସ୍ତାବ କରୁଥିଲେ । ସେ ମନାକଲା ।

 

ଅରୁଣ ସେ କମିଟିର ମେମ୍ବର ?

ବୋଧହୁଏ ସେ ଜଣେ ମେମ୍ବର ।

ଦୁଷ୍ମନ୍ତ ମନାକଲେ କାହିଁକି ?

ମୋରି ପରାମର୍ଶରେ ।

କାହିଁକି ଏପରି ପରାମର୍ଶ ଦେଲ ?

 

ସେମାନେ ବିପ୍ଳବ–ପନ୍ଥୀ । ସେମାନଙ୍କ ସଙ୍ଗେ ସହଯୋଗ କରିବା ଉଚିତ ନୁହେଁ । ତା ଛଡ଼ା କର୍ମର ବିଭାଗ ଲୋଡ଼ା । ଦୁଷ୍ମନ୍ତ ଯେଉଁ କାର୍ଯ୍ୟ ହାତରେ ନେଇଛି । ସେତକ ଭଲରେ ଚଳାଉ-। ଅନ୍ୟମାନେ ଅନ୍ୟ ଦାୟିତ୍ୱ ଗ୍ରହଣ କରନ୍ତୁ ବାରଚାଉଳିଆ ହେଲେ କୌଣସି କାମ ସଫଳ ହେବ ନାହିଁ । ଛାଡ଼ ସେ କଥା, ମୁଁ ଆସିଛି ତମୁକୁ କହିବାକୁ–

 

କଅଣ ?

 

ଏ କେତେଦିନ ହେଲା ତମେ ଆମର କାମରେ ମୋଟେ ସହଯୋଗ କରୁନ । ଅରକ୍ଷ ନିବାସରେ ଆଉ ସ୍ଥାନ ନାହିଁ । ନିତି କେତେ ଅରକ୍ଷ ଆସି ହତାଶ ହୋଇ ଫେରୁଛନ୍ତି । ରୁଗ୍‍ଣ ନିଳୟର ଅବସ୍ଥା ମଧ୍ୟ ଠିକ୍ ସେହିପରି । ବିଦ୍ୟାଳୟଟି କୌଣସିମତେ ଚଳୁଛି । ଭବିଷ୍ୟତରେ ତାର ଅବସ୍ଥା କଣ ହେବ କହିହେଉନାହିଁ । ହାତରୁ ଅର୍ଥ ସରି ଆସିଲାଣି । ପ୍ରାୟ ଦୁଇମାସ ହେବ ତୁମେ କୌଣସି କଥା ବୁଝୁନାହଁ । ଆଦର୍ଶ ପାଖରୁ ଦୂରେଇ ରହିଛ । ଆହୁରି ସଙ୍ଗଠନ ଲୋଡ଼ା । ଆହୁରି ପରିଶ୍ରମ ଲୋଡ଼ା । ନୂଆ ଘର ନ ତୋଳିଲେ ଅନେକଙ୍କୁ ହତାଶ ହୋଇ ଫେରିଯିବାକୁ ହେବ । ପ୍ରଚୁର ଅର୍ଥ ଲୋଡ଼ା ।

 

ସେଥିପାଇଁ ପୁଣି ମତେ ପରର ଦ୍ୱାରସ୍ଥ ହେବାକୁ ପଡ଼ିବ ? ଏଇ ତମର ପରାମର୍ଶ, ନା ଆଦେଶ ? ତମର ହୃଦୟସ୍ପର୍ଶୀ ନିବେଦନରେ ଯେଉଁମାନେ ଅର୍ଥ ଦେବାକୁ କୁଣ୍ଠିତ ସେମାନେ ମୋ ହାତରେ ହଜାର ହଜାର ଟଙ୍କା କାହିଁକି ଦିଅନ୍ତି ଅନୁମାନ କରି ପାରୁଛ ? ଲୋକେ କହନ୍ତି, ମୁଁ ସୁନ୍ଦରୀ, ଆଉ ତମରି ମଦର୍ଶ ଚରିତାର୍ଥ କରିବାକୁ ମୁଁ ମୋର ରୂପକୁ ସତେଜ ରଖିଥାଏ ।

 

ପ୍ରଭା !

 

ବିରକ୍ତର ରେଖା ଫୁଟିଉଠିଲା ଅନ୍ଧର ବିକୃତ ମୁହଁରେ । ଥରି ଉଠିଲା ଓଠ । ଘୃଣାରେ ଭ୍ରୂକୁଞ୍ଚିତ ହେଲା । ଛାତି ଭିତରେ ଯେପରି ବେଦନାର ଝଡ଼ ବହୁଛି । ଧୈର୍ଯ୍ୟଧରି ତୁଷାରକାନ୍ତି କହିଲା, ମୋତେ ମୁଁ ଦେଖିପାରୁନାହିଁ । ଅନୁମାନ କରିପାରୁଛି, ସତେଜ ରୂପର ବଡ଼େଇ ମୁହୂର୍ତ୍ତକରେ କଣ ହୁଏ । ମତେ ଦେଖି ଓ ଅତୀତ ସଙ୍ଗେ ବର୍ତ୍ତମାନକୁ ତଉଲି ଯେକେହି ଏହା ବୁଝିପାରୁଥିବ ।

 

ଭୁକ୍ତ-ଭୋଗୀ ହିଁ ବୁଝେ, ଅନ୍ୟମାନେ ବୁଝନ୍ତି ନାହିଁ । ଦୁନିଆର ସମସ୍ତେ ତମରି ପରି ଭୁକ୍ତ–ଭୋଗୀ ନୁହନ୍ତି । ନିଆଁ ଭିତରେ ବିଚରଣ କରିବାକୁ ତମେ ଆଦେଶ ଦେଉଛ ପୁଣି ଆଶା କରିଛ, ଦେହରେ ଉତ୍ତାପ ଲାଗିବ ନାହିଁ । ମୁଁ କେବଳ ବିଜୟୋନ୍ମତ୍ତ ହୋଇ ଫେରି ଆସିବି, ତମର ଗୋଡ଼ତଳେ ସହସ୍ର ସହସ୍ର ଟଙ୍କା ଅଜାଡ଼ି ଦେବି । ତେଣୁ ଅଭିନୟ କରିବାକୁ ପଡ଼େ । ଆଖିର ଚାହାଣୀ, ଓଠର ହସ, କଥାର ଭଙ୍ଗୀ, ଦେହର ସ୍ପର୍ଶ, ଅବାଧ ଗତି, ଏଇ ସବୁ ବିକ୍ରୟ କରି ମୁଁ ତୁମକୁ ଧନ ଆଣି ଦେଇଛି । ସେମାନଙ୍କୁ ଠକିଛି, ମନରେ ଗୋଟାଏ ଅନିଶ୍ଚିତ ସରାଗର ଆଶା ଜନ୍ମାଇଛି ।

 

ତୁଷାରକାନ୍ତି ଦୀର୍ଘଶ୍ୱାସ ଛାଡ଼ିଲା ।

 

କ୍ଷଣପ୍ରଭା କହିବାକୁ ଲାଗିଲା–ଆଉ ମୁଁ ଏ ଅଭିନୟ କରିପାରିବି ନାହିଁ । ନିଆଁ ଭିତରେ ପଶି ଆତ୍ମରକ୍ଷା କରିପାରିବି ନାହିଁ । ତମକୁ ମୁଁ ବାରମ୍ବାର ଏକଥା କହିଛି । ଆଜି ତମର ଗୋଡ଼ଧରି ପୁଣି ମୁଁ ଅନୁନୟ କରି କହୁଛି, ଚାଲ, ଏ କାରାଗାରରୁ ମୁକ୍ତ ହୋଇଯିବା । ତମର ହାତଧରି ମୁଁ ସୁଦୂର ପଲ୍ଲୀକୁ ଚାଲିଯିବ । ପତ୍ର କୁଡ଼ିଆରେ ରହିଲେ ମଧ୍ୟ ଦାମ୍ପତ୍ୟ ଜୀବନରେ ସୁଖ ଅଛି । ମାଟିର କୁଡ଼ିଆରେ ଅସନା ଆବର୍ଜନା ମଝିରେ ଅଭାବ ଅନଟନର ପେଷଣ ଭିତରେ ସୁଖର ସଂସାର ଗଢ଼ିପାରିବା । ନିଜର ସେବା କରି ମଣିଷର ପ୍ରକୃତ ସେବା କରିବାର ସୁଯୋଗ ପାଇବା ।

 

କ୍ଷଣପ୍ରଭା ତୁଷାରକାନ୍ତିର ଗୋଡ଼ ଧରିଲା । ଆଖିରୁ ଝରିଲା ଶ୍ରାବଣର ଧାରା । ତୁଷାରକାନ୍ତି ତାର ହାତଧରି ତଳୁ ଉଠାଇ କହିଲା, ପୁଣି ସେଇ ପାଗଳାମି ? ଅପଦାର୍ଥ ଦୁଷ୍ମନ୍ତ ହାତରେ ଏତେ ନିରାଶ୍ରୟଙ୍କର ଦାୟିତ୍ୱ ଛାଡ଼ିଦେଇ ନିଜେ ପୁଣି ନିରାଶ୍ରୟ ହୋଇ ବାଟ କଡ଼କୁ ଓହ୍ଲାଇବା ? ତୁମେ ଓ ମୁଁ, ଦିଓଟି ପ୍ରାଣୀଙ୍କର କଳ୍ପିତ ସ୍ୱର୍ଗ–ସୁଖର ବିନିମୟରେ ଏତେଗୁଡ଼ିଏ ମହାପ୍ରାଣୀଙ୍କର ସୁଖ ଓ ସ୍ୱାଚ୍ଛନ୍ଦ୍ୟ କଣ କାମ୍ୟ ନୁହେଁ ।

 

କ୍ଷଣପ୍ରଭା ପଛକୁ ଘୁଞ୍ଚି ଆସିଲା । ନିର୍ବୋଧ ସ୍ୱାମୀର ନିଷ୍ଠୁର ମୁହଁକୁ ଚାହିଁ କହିଲା, ମୁଁ ଏ ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ । ପତ୍ନୀର ଆଦର୍ଶ ଯେଉଁ ସ୍ୱାମୀ ଭାଙ୍ଗେ ସେପରି ସ୍ୱାମୀର ଆଦର୍ଶ ଭାଙ୍ଗିଲେ ପତ୍ନୀର ଅପରାଧ ହେବ ନାହିଁ ।

 

ଅର୍ଥାତ୍ ?

ଅତି ସହଜ କଥା ।

ପ୍ରଭା !

ଚମକି ଉଠିଲା କ୍ଷଣପ୍ରଭା । କି ବିକୃତ ତାଙ୍କର ଭାବ ଭଙ୍ଗୀ !

 

ପ୍ରଭା, ଦୁନିଆର ଅକ୍ଷମ ନିରାଶ୍ରୟ ରୁଗ୍‍ଣଙ୍କ ପାଇଁ ଯଦି ତମର ପତ୍ନୀତ୍ୱର ଗର୍ବ ଭାଙ୍ଗେ ତ ଭାଙ୍ଗୁ ମୁଁ ଧନ ଚାହେଁ । ଯାହାକୁ ତୁମେ ଅନଳ ବୋଲି କହୁଛ ତାଆରି ଭିତରେ ପଶି ଅଭିନୟ କର କି ଯାହା କର, ତମକୁ ଧନ ଆଣିବାକୁ ହିଁ ହେବ । ତମେ ଧ୍ୱଂସ ହୋଇଯାଅ କ୍ଷତି ନାହିଁ, ଆଶ୍ରୟ ପାଇବାକୁ ଆଶା-ମୁଖରେ ଧାଇଁ ଆସି ନାସ୍ତିବାଣୀ ଶୁଣି ଫେରିଯିବାର ଦୁଃଖ ମୁଁ ସହିପାରିବି ନାହିଁ । ମୁଁ ବି ଅନ୍ଧ ଅକ୍ଷମ, ନିରାଶ୍ରୟ !

 

ଏ କଣ ସ୍ୱାମୀର ଆଦେଶ ?

ନା ପ୍ରଭା, ସ୍ୱାମୀର ଆଦେଶ ନୁହେଁ, ତମର ଜଣେ ଅକ୍ଷମ ବନ୍ଧୁର ଅନୁନୟ, ପ୍ରାର୍ଥନା ।

 

କ୍ଷଣପ୍ରଭା ବିଚଳିତ ହୋଇ ଚାହିଁଲା । ଅନ୍ଧର ଆଖିରୁ ଲୁହ ଝରୁଛି । ସବୁ ରାଗ ରୋଷ ଅଭିମାନ ଓ ସ୍ୱାମୀତ୍ୱର ବଡ଼ିମା ଉଭେଇ ଯାଇଛି ମନରୁ । ଆଗରେ ବସିଛି ଦୁନିଆର ସବୁ ନିରାଶ୍ରୟଙ୍କର ଛଟପଟ ଆତ୍ମାର ପୁଞ୍ଜୀଭୂତ ଅବତାର । ମାତୃତ୍ୱ ପାଖରେ ତାର ଆବେଗପୂର୍ଣ୍ଣ ଅନୁରୋଧ, ଜୀବନ ଭିକ୍ଷା ।

 

ମତେ ଭାବିବାକୁ ସମୟ ଦିଅ ।

 

ତୁଷାରକାନ୍ତି ଉଠିଲା । କିଛି ନ କହି ହାତ ଅଣ୍ଡାଳି ଅଣ୍ଡାଳି ପଦାକୁ ଆସୁଥିଲା । କ୍ଷଣପ୍ରଭା ତାର ହାତଧରି କହିଲା, ବସ ।

 

ନାଇଁ, ମୁଁ ଅତି କ୍ଲାନ୍ତ ହୋଇଛି ।

ଏଇଠି ବିଶ୍ରାମ କର ।

ତମେ ଭାବ, ଭଲ କରି ଭାବ ।

 

କ୍ଷଣପ୍ରଭାର ହାତରୁ ହାତ ଖସାଇ ସେ ପୁଣି କାନ୍ଥ ଧରି ଧରି ଆଗକୁ ଚାଲିଲା । କ୍ଷଣପ୍ରଭା ଚାଲିଲା ପଛେ ପଛେ । ବାରଣ୍ଡାର ଶେଷରେ ତୁଷାରକାନ୍ତିର ଘର । ତୁଷାର ସେହି ଘରେ ପଶିଲା । ପଲଙ୍କ ଉପରେ ଲଟେଇ ପଡ଼ିଲା । କ୍ଷଣପ୍ରଭା ତାର ଖଟ ପାଖରେ ଠିଆ ହୋଇ ପଚାରିଲା, ଦେହ ଭଲ ନାହିଁ ?

 

ତୁଷାରକାନ୍ତି କହିଲା, ତମେ ଯାଅ, ମୁଁ ଟିକିଏ ବିଶ୍ରାମ କରେ ।

 

କ୍ଷଣପ୍ରଭା ମୁହୂର୍ତ୍ତେ ଠିଆ ହୋଇ ଭାବିଲା । କିଛି ନ କହି ଧୀରେ ଧୀରେ ଘରୁ ବାହାରି ଆସିଲା । କାନ୍ଦର କୋହ ଛାତି ଥରାଉଛି । କାନ୍ଦିବାକୁ ସାହସ ନାହିଁ ।

 

କବାଟ ଆଉଜାଇ ପଲଙ୍କ ଉପରେ ଶୋଇ କଇଁ କଇଁ ହୋଇ କାନ୍ଦି ଉଠିଲା । ଭାବିଲା, ସେ କଣ ଭୁଲ କରିଛି, ମନର କଥା କହି ଅନ୍ୟାୟ କରିଛି ? ସ୍ୱାମୀ ଅଭିମାନ କରିଛନ୍ତି, ବିରକ୍ତି ହୋଇଛନ୍ତି, ତାଙ୍କର ପ୍ରାଣରେ ଆଘାତ ଲାଗିଛି !

 

କାଳୁ ସାମଲର ମନ ହେଉଛି ଅଫିମ ଟିକେ ଖାଇବ । ଦେହର ମଜରା ଛାଡ଼ି ଯାଆନ୍ତା-। ମନ ହେଉଛି ଢୋକେ ମଦ ପିଇବ । କି ସୁନ୍ଦର ନିଦ ହୋଇ ଯାଆନ୍ତା । ଏତେକଥା ମନରେ ପସନ୍ତା କାହିଁକି, ସେ କାହିଁକି ଛଟପଟ ହୋଇ ବେଳ କାଟନ୍ତା ? ମଲା ସିନା, ଅହିୟରାଣୀ ହୋଇ ଚାଲିଗଲା । ସେ ଜିତିଲା । କାଳୁ ସାମଲର ବେକରେ ପଘା ଗଳାଇ ଖୁଣ୍ଟରେ ବାନ୍ଧିଗଲା । ଯାହା ସେ କହୁଥିଲା କାଳୁ ସେଇଆ କଲା ।

 

ନ କରି ଉପାୟ ନାହିଁ । ଅରକ୍ଷ ନିବାସ ଫାଟକ ଖୋଲି ଅନାଇ ରହିଛି, ଡାକୁଛି, ଆସ, କିଏ ସେ କେଉଁଠି, ଅନ୍ଧ ଛୋଟା କୁଜା କେମ୍ପା, ମୋରି ପେଟ ଭିତରେ, ଏଇ ବଡ଼ ଲୋକଙ୍କ ଜେଲ୍‌ଖାନାରେ ନିଜ ମନକୁ ପଶୁ । କାମ କର, ମୁଠିଏ ଖାଅ, ଖଣ୍ଡେ ପିନ୍ଧ । ପାଟି ସୁଆଦ ମନ ମଉଜ ଖୋଜିବ ନାହିଁ । ଆସ, କିଏ କେଉଁଠି ଅଛ ଅନ୍ଧ ଛୋଟା – । ପଶିଥିଲେ ହୋଇଥାନ୍ତା, ପଶି ପାରିଲା ନାହିଁ । ଦି ପାଖେ ଦୁଇଟା ବଢ଼ିଲା ଝିଅ, ଆଖିରେ ଢଳଢଳ ଲୁହ, ତାରି ଆଡ଼କୁ ଚାହିଁ ରହିଥିଲେ ।

 

ଦୁଇବର୍ଷ କଟିଛି । ପୁଣି ଆସିଛି ବର୍ଷା । ସଞ୍ଜ ନ ବୁଡ଼ୁଣୁ ଚାରିଆଡ଼ ଅନ୍ଧାର, ସୁ ସୁ ପବନ, ହୁ ହୁ ବିଜୁଳି, ଢୁ ଢୁ ବରଷା । କାଳୁ ସାମଲର ଛୋଟ ଘର ଆଉ ନାହିଁ ଯେ ସେ ଡରି ମରୁଥିବ –ଘର କାଳେ ଭାଙ୍ଗି ପଡ଼ିବ, ଚାଳ କୁଆଡ଼େ ଓଲଟି ପଡ଼ିବ । କାଳୁ ସାମଲ ଭଲଘର ଦି ବଖରା ତୋଳିଛି । କଡ଼କୁ ତୋଳିଛି ଗୁହାଳ ବଖରାଏ । ପିଣ୍ଡାକୁ ବାଟ ।

 

ସେ ଭିକ ମାଗିବାକୁ ଘରୁ ବାହାରି ନାହିଁ । ଚୋରି କରିବାକୁ ମନ କରିନାହିଁ । ସବୁ କରିଛି ଦେହ ମିହନ୍ତରେ, ମୁଣ୍ଡଝାଳ ତୁଣ୍ଡରେ ମାରି । ଯାହା କହିଥିଲା ରମୀ, ନଡ଼ିଆକତା ଛେଚି ଦଉଡ଼ି ବଳିଛି, ବାଣିଦେଇ ହେସ ବୁଣିଛି, କୁକୁଡ଼ା ପୋଷିଛି, ଛେଳି ଛୁଆ ପାଳିଛି, ଧୂଆଁପତ୍ର ଆଣି ପିକା ବଳିଛି । ବାଛୁରୀ ଦିଓଟି ବାନ୍ଧୁଛି ଗୁହାଳରେ । କେମିତି ହେଲା ? ଧୁରନ୍ଧର ଦୁଇ ଝିଅ । ସବୁ କାମକୁ ପାରଗ । ଚନ୍ଦରା ବେଳେ ବେଳେ ହେମତ୍‌ ଦିଏ । ହୀରାଠି ତାର ଆଖି । ହଁ କହିଲେ ହେଲା । ବାହା ହେଲା ତିରିଲା ଅଛି ବୋଲି ପଛେଇବା କଥା ସିନା ।

 

ବରଷେ ବିତିଲା । ଗାଁରେ ହାଟ ବସିବ, ସେ ନିନ୍ଦାକୁ ଏ ନିନ୍ଦା ବଳିବ । ଦୁହିଙ୍କର ତ ରାଜି, କାଳୁ କାହିଁକି ନାହିଁ କରିବ ? ଚନ୍ଦରା ହାତରେ ହୀରାକୁ ଦେଲା । ଆଉ ରହିଲା ଧୀରା । ତା ଚିନ୍ତାର ଉଦ୍ଧାର ପାଇଲେ ସେ ହେବ ନିଶ୍ଚିତ । ଦୁଇବର୍ଷ ତୁଣ୍ଡ ମାରି ମନ ମାରି ରହିଲାଣି । ଭଲକରି ଭାତ ମୁଠିଏ ସେ ଖାଇ ନାହିଁ । ପେଜ ତୋରାଣି ମାଣ୍ଡିଆଜାଉ କୋଳଥ ପଇତି ଅନାବନା ଚାରି ପତର ଶାଗ ଖାଇ ସେ ବେଳ କାଟିଛି । ପିନ୍ଧା କରିଆ ଜଙ୍ଘ ମଝିଯାଏ ପଡ଼େ । ଦିନରାତି ପରିଶ୍ରମ କରେ ଆଉ ଭାବେ, ଧୀରାଟା ପାଇଁ ସେ ଅଟକି ରହିଛି ।

କାହା ହାତରେ ତାକୁ ଥୋଇ ଦେବା ବଡ଼ କଥା ନୁହଁ । ଏଇ ଗାଁରୁ କେତେଲୋକ ପ୍ରସଙ୍ଗ ଉଠାଇଲେଣି । କାମିକା ପିଲା । ବିଚକ୍ଷଣ । ପତର କାଠି ଗୋଟେଇବା, ଗୋବର ପାରି ଘସି କରିବା, ଅନାବନା ଶାଗ ତୋଳିବାଠୁଁ ଶୁଖିଲା ପୋଖରୀ ଚକଟି ମାଛ କୋଚିଆ ଧରି ଆଣିବା, କୋଉ କାମ ତାକୁ ନ ଆସେ ? ଛେଳି ବାଛୁରୀ ଚରେଇବା, କୁକୁଡ଼ାଙ୍କୁ ଆଖିଏ ଆଖିଏ ସବୁ ସେ କରେ । ଘରକାମରେ ପାରଙ୍ଗମ । ବାପକୁ ସାହାଯ୍ୟ କରେ । କେବେ କେମିତି ଗାଁରେ ମୂଲକୁ ଯାଏ । ପଦେ କିଏ ନବଜରେ କହିଲେ ଫାଉଁ କରି ଉଠେ । ଏମିତି ବୋହୂକୁ ନ ଚାହେଁ କିଏ ?

ହେଲେ, କାଳୁର ମନକଥା ନିଆରା । କେତେ କଷ୍ଟରେ ସେ ଯେଉଁ ଘର ବାନ୍ଧିଛି, ଆଦିବିଧି କରିଛି, ସେ ସବୁ ହେବ କଣ ? ସବା ବଡ଼ ଝିଅ ପଚାରେ ନାହିଁ । ଦୂର ଗାଁରେ । ଜେଲ ଚଢ଼େଇ ଦାଗୀ ଫେରସ୍ତ ସଙ୍ଗେ ଘରସଂସାର କରି ସେ ବି ଚୋରଣୀ ଖୋଇ ଧରିଛି ବୋଲି ନିନ୍ଦା ରଟୁଛି ଖଣ୍ଡମଣ୍ଡଳରେ । ଚନ୍ଦରାକୁ ପାଇ ହୀରାଟି ଅଛି ଭଲରେ । ବେଳେ ବେଳେ, ଘରେ ବସି ପାଞ୍ଚ ପାଇଟି କରେ । ମାଆକୁ ସମୁରଣା କରି କାନ୍ଦେ । ପୁଣି ନିଜ ସଂସାର କରିବାକୁ ଫେରିଯାଏ ।

ତା ମନରେ ଗୋଟାଏ ବଡ଼ ଦୁଃଖ –ସଉତୁଣୀ ଦୁଲୀକୁ, ଓଲେଈ ଚୋରଣୀ ବୋଲି ଚନ୍ଦରା ସିନା ମାଡ଼ ମାରି ଘଉଡ଼ି ଦେଇଛି, ହେଲେ ଛାଡ଼ପତର ଦେଇନାହିଁ । ଦୁଲୀ ଏବେ ବାପ ଘରେ ପୁଅର ମା ହେଲା । ଦୁଲୀର ମାମୁଁ ଦାଣ୍ଡଘରେ ତାକୁ ଥାନ ଦେଇଥିଲା । ଗାଁ ଲୋକେ, ସାନଭାଇ ବୁଢ଼ାକୁ ବାସନ୍ଦ କଲେ, କହିଲେ, ଦୁଲୀ ଦୋଚାରୁଣୀ । ଦୁଲୀ କହିଲା, ଚନ୍ଦରାର ପୁଅ । ଚନ୍ଦରା କହେ, ମୁଁ କି ଜାଣେ ?

ଦୁଲୀର ମାମୁ ମଲାଣି ।

ସାତ ମାସର ପୁଅକୁ ଧରି ଦୁଲୀ ଆଇଲା ଚନ୍ଦରା ଘରକୁ ।

ଚନ୍ଦରା ଚାହିଁଲା ପୁଅ ମୁହଁକୁ ପୁଣି ହୀରା ମୁହଁକୁ । ଠେଙ୍ଗା ଧରି ଗୋଡ଼େଇଲା, ଏ ଦୁଆର ମୁହଁକୁ ଆସିବୁ ତ ମୁଣ୍ଡ ଫଟେଇ ଦେବି । କାହାର ପିଲା ଲୋ ? ଅ–ଅ–ଥୁ, ମଶାଣି ଚଣ୍ଡୀ, କୋଉଠୁ ମଶାଣିରୁ ଉଠି ଆଇଥିଲୁ । ଯା, କହୁଛି । ଉଠା ତୋ ପିଲାକୁ– ।

ଝାମ୍ପୁରୀମୁଣ୍ଡୀ କାଳୀକୋତରୀ ଦୁଲୀର ଆଖିରୁ କେରା କେରା ଲୁହ ଝରି ପଡ଼ୁଥାଏ । ଚନ୍ଦରାର ପିଣ୍ଡାରେ ଦିବ୍ୟସୁନ୍ଦର ସାତ ମାସର ପୁଅ ଶୋଇ ହାତ ଗୋଡ଼ ବାଡ଼େଇ ଖେଲୁଥାଏ । ମନକୁମନ ହସୁଥାଏ । ଦୁଲୀ କହିଲା ହେଲେ ତୋ ପୁଅକୁ ରଖରେ ଅଳ୍ପଇସିଆ, ମୁଁ ହେଲେ କେଉଁଠୁ ଭିକ ମାଗି ଚଳିବି, ନଇଲେ କୂଅ ପୋଖରୀକୁ ଡେଇଁ ମରିବି ।

ଚନ୍ଦରା ପାଞ୍ଚଣ ବାଡ଼ିରେ ପାହାରେ ପିଟିଲା । ତମତମ ହୋଇ ଧାଇଁ ଯାଉଥିଲା ପିଲାଟା ପାଖକୁ । ମୁଣ୍ଡକୁ ତାର ପିତ୍ତ ଉଠିଛି । ହୀରା ଧରିଲା ତାର ହାତ । ଦୁଲୀକୁ କହିଲା କଅଁଳେଇ, ନେଇ ଯା ଲୋ ତୋ ପୁଅକୁ, କି ଛୁଆ ନାଇଁ କି ଛୁଆ, ପିଣ୍ଡାରେ ଶୁଆଇଛି !

ଦୁଲୀ ପିଲାକୁ ଉଠାଇ ଚାଲିଗଲା । କାନ୍ଦିଲା ଆଖିରେ କହିଲା, ପୋଡ଼ିଜଳି ଯାଉଲୋ ତୋ ରୂପ ଚହଟ, ପିଲାର ମୁହଁ ନ ଦେଖଲୋ ଘଇତା–ସୁଆଗୀ ।

ଦୁଲୀ ଅଣ୍ଟାରେ ପିଲାକୁ ବାନ୍ଧି ଦୁଃଖଧନ୍ଦା କରି ଖାଉଛି । କିଛି ନ ମିଳିଲେ ହାତପାତି ଭିକ ମାଗୁଛି । ନିଜେ ବଞ୍ଚିଛି, ପିଲାଟା ବି ବଞ୍ଚିଛି । ନିନ୍ଦାମିନ୍ଦା କରି ଦାଣ୍ଡରେ ଗପୁଛି । ସେତିକି ହୀରାର ଦୁଃଖ । ହେଲେ, ଚନ୍ଦରା ତାକୁ ଭଲପାଏ । ଯାହା କହନ୍ତି, ମୁଣ୍ଡରେ ଧରିଥାଏ ।

କାଳୁ ନିଶ୍ଚିତ ।

ଧୀରା ପାଇଁ ଯଦି ଗୋଟାଏ ଘରଜୋଇଁଆ ଟୋକା ମିଳନ୍ତା, ହାତକୁ ଦି ହାତ କରି ତାକୁ ଘରେ ଛାଡ଼ି କାଳୁ ଡେଇଁପଡ଼ନ୍ତା ପୁଣି ରାସ୍ତାକୁ । ରକ୍ଷା ପାଇ ଯାଆନ୍ତା ଏ ଘରର ଜଞ୍ଜାଳରୁ । କେତେଦିନ ଆଉ ମନ ମାରି ରହିବ ? ଅଫିମ ଟିକେ ପେଟରେ ପଡ଼ିଲେ, ମଦପାଣି ମନ୍ଦାଏ ଢୋକିଲେ ଯେଉଁ ମଉଜ, ଯେଉଁ ନିଶ୍ଚିତ ସୁଖ ସେ ଏ ଜଞ୍ଜାଳ ଭିତରେ କାହୁ ମିଳିବ ? କାମ, ଖାଲି କାମ । ଯେଉଁ ଚାରି ପଇସା ଦେହରୁ ଝାଳ ନିଗାଡ଼ି ରଖିଛି ସେତକ ଯଦି ମଦପାଣିରେ ଉଡ଼ାଇ ଦିଏ ଘରଟା ଭାଙ୍ଗି ପଡ଼ିବ । ଫୁଟିକି ମାରିଲା ପରି ସବୁ କୁଆଡ଼େ ଉଭେଇ ଯିବ ।

ହଁ, ଉଭେଇ ଯିବ । ତା ପାଇଁ ରାସ୍ତା ପଡ଼ିଛି ଲମ୍ବ । ବାଡ଼ି ବି ଅଛି । ଛୋଟା ଗୋଡ଼ର କରାମତିରେ ସେ ଭେଇବ, ନୋହିଲାବେଳକୁ ବଡ଼ ଲୋକଙ୍କ ଅରକ୍ଷ ନିବାସ । ଏଇ ଧୀରାଟା କଣ କରିବ ? ସବୁ ରାତିରେ ରମୀ ଆସି ତାକୁ ତାଗିଦା କରିଯାଉଛି, ମୋ ଝିଅ ତତେ ଲାଗିଲାରେ ଚଣ୍ଡାଳ, ତାକୁ ତୁ ହୀନଅବସ୍ଥା କରିବୁ ତ ଫେର୍‌ ଦେଖିବୁ–

ଏଇ ଧୀରାଟା, କେମିତି କାହା ହାତରେ ଥୋଇବ କି, ଘର ଜୋଇଁଆ କରିବ । ହାତରେ ଧନ ନାହିଁ । ନିମତ୍ୟ କରିବ କିପରି ? ସାଇଭାଇଙ୍କୁ ମୁଠିଏ ଖୋଇବ ତ !

କାଳୁର ଘୁମା ଭାଙ୍ଗିଲା । କାମ କରି କରି କ୍ଲାନ୍ତ ହୋଇ ସେ ପିଣ୍ଡାରେ ବସି କାନ୍ଥକୁ ଆଉଜି ଢୁଳାଉଥିଲା । ରମୀର ଭାବନାରେ ବେତମାଡ଼ ଖାଇଲା ପରି ସେ ଚମକି ଉଠିଲା । ଆଖି ଖୋଲି ଚାହିଁଲା ଅବିରାମ ବରଷା, ଅନ୍ଧାର ଘୋଟିଛି । ପାଖ ଘରେ ମିଞ୍ଜି ମିଞ୍ଜି ଡିବିରି ଜଳୁଛି । ଦରଶୁଖିଲା ଘସି କୁହୁଳା ପଡ଼ିଛି ଚୁଲିରେ, ଧୂଆଁ ଉଠୁଛି, ଧୀରା ଚୁଲି ଫୁଙ୍କୁଛି ।

କାଳୁ ଡାକିଲା, ଆଲୋ ଧୀରା ।

ଚୁଲିଟା ହାଉ କରି ଜଳି ଉଠିଲା । ଧୀରା ଆଖି ମଳି ମଳି ବାହାରି ଆସିଲା ପଦାକୁ । ପଚାରିଲା, କଅଣ ?

ଆଲୋ ମା, ଆଉ ଗୋଟିଏ ଡିବିରି ଲଗାଇ ଦେ ତ, ତୁଚ୍ଛାଟାରେ ବସିବି କାହିଁକି ? ହେଁସ ଅଧାବୁଣା ହେଇ ପଡ଼ିଛି, କାମ ସାରି ଦିଏ ।

ଧୀରା କହିଲା, କେତେ କାମ ଆଉ ତୁ କରିବୁ କି, ସକାଳୁ ତ କାମ କରୁଛୁ । ଝୋଟ ବଳି ଦି ପୁଞ୍ଜା ପଘା ଭାଙ୍ଗିଲୁ । ଏତେଗୁଡ଼ାଏ କତା ଛେଚିଲୁ । କୂଅଦଉଡ଼ି ତିଆରି କଲୁ । ଅରଟ ଧରି ଦି କେରା ସୁତା କାଟିଲୁ । ହେଁସ ବି ଦି ହାତ ବୁଣିଲୁ । ତୋ ଅଣ୍ଟାପିଠି ଲାଗିଯାଉଥିବ । ଯା, ଟିକେ ଶୋଇପଡ଼ିବୁ ବାପା, ଦେଖିଲୁ କେମିତି ପାଣି ପବନ । ଇସ୍‌ । କେଡ଼େ ଅନ୍ଧାର । ପିଣ୍ଡାରେ କାହିଁକି ବଇଛୁ ? ଆ ।

 

କାଳୁ ଶୁଣିଲା । କଣ ଭାବିଲା, କହିଲା, ତୋ ମାଆଟା ଲୋ, ଟିକିଏ କଣ ଶୁଆଇ ଦେବ-? କେବେଠୁଁ ମଲାଣି, ହେଲେ, ଏ ଘର ଛାଡ଼ୁନାହିଁ କି କଣ । ବରାବର ଆତଯାତ ହେଉଛି । ଟିକିଏ ଢୁଳେଇ ପଡ଼ିଲେ ବେତମାଡ଼ ମାରିଲା ପରି କଥାଗୁଡ଼ା କହୁଛି । ବଞ୍ଚିଥିଲାବେଳେ ଯୋଉ ତୋଡ଼, ମଲାପରେ ବି ସେଇ ତୋଡ଼ ଲୋ ମା, ସେ ମତେ ବସେଇ ଉଠେଇ ଦେବ ନାହିଁ ।

 

ଧୀରା ମନେ ମନେ ହସିଲା । ପଚାରିଲା, କଣ କହୁଛି ?

 

କହୁଛି, କିରେ ବସି ବସି ଖାଇୁବୁ କି ? ଝିଅଟା କାମ କରୁଛି ଆଉ ତୁ ଶୋଇଛୁ । ଯା, ହେସ ବୁଣ, ଟୋକେଇ ବୁଣ, ଦଉଡ଼ି ବଳ, ଏମିତି କେତେକଥା କହୁଛି ଲୋ । ବଞ୍ଚିଥିଲାବେଳେ ସିନା ତା ପାଖରୁ ପଳାଉ ଥିଲି, ଏବେ ଯିବି କୁଆଡ଼େ ? ଯୁଆଡ଼େ ପଳେଇଲେ ସେ ପଛେ ପଛେ ଗୋଡ଼ାଇବ ।

 

ଧୀରା ଭାବିଚିନ୍ତି କହିଲା, ତେବେ ତ ବାପା ବଡ଼ ଖରାପ କଥା । ମଲା ମଣିଷର ଭୂତ ଏ ଘରକୁ ଆତଯାତ ହେଉଛି । କାଲି ଗୁଣିଆ ଡକେଇ ଘର କିଳେଇ ନେବା । ଆଉ ସେ ଆସିବ ନାହିଁ କି ତତେ ଦିକିଦାର କରିବ ନାହିଁ ।

 

କାଳୁ କହିଲା, ଆସୁଥାଉ ସେ, ମୋ ପଛେ ପଛେ ଲଗିଛି । ଯାହା କହୁଛି ସେଇଆ କରିବି । ତୋ ହାତକ ଦି ହାତ କରି ପରଘରକୁ ପଠାଇଲେ ଯାଇ ସେ ମତେ ଛାଡ଼ିବ । ଆସୁଥାଉ । ଦେ, ତୁ ଡିବିରି ଲଗାଇ ଆଣ । ଆଉ ଦି ହାତ ବୁଣି ଦିଏ ।

 

ଖାଇସାରି ବୁଣିବୁ । ଭାତ ଗଣ୍ଡାଏ ଫୁଟାଇ ଦେବି । କେଡ଼େ ସୁନ୍ଦର ବାଲିଛତୁ ପାଚିଆଏ ତୋଳି ଆଣିଛି । ସଜନା ଛୁଇଁଦିଟା ସାରୁ ପୁଞ୍ଜାଏ ପକାଇ ବେସର ପାଣି କରିଦେବାକୁ ବେଶି ବେଳ ଲାଗିବ ନାହିଁ । କଞ୍ଚାମରିଚ ଦିଇଟା ବାରିରୁ ତୋଳି ଆଣିବି, ପଖିଆଟା ମୁଣ୍ଡରେ ଦେଇ ଯିବି ।

 

ଛତୁ ତିଅଣରେ କାଳୁର ଅତି ଶରଧା । କଅଁଳ କଅଁଳ ପୋଇ ପତର ଦି ପୁଞ୍ଜା । ଆଉ ଆମ୍ବୁଲ ଦି ଫାଳ ସେଥିରେ ପକାଇ ଭଲକରି ପରଜି ଦେଲେ କେଡ଼େ ଭଲ ଲାଗିବ । ରସୁଣ ଦି କୋଲା । ଆଉ କଞ୍ଚାମରିଚ ପୁଞ୍ଜାଏ ଯଦି ବେସର ସଙ୍ଗେ ବଟା ହୋଇଥିବ ତ ଜିଭରେ ଲାଗିଲେ ଭାତ ଗୁଣ୍ଡା ତଣ୍ଟି ତଳକୁ ଖସି ପଡ଼ିବ ।

 

କାଳୁ ମନକଥା ମନରେ ଅଛି, ତିନ୍ତି ବୁଡ଼ି ପିଲାଟାକୁ କୋଳରେ ଯାକି ମାଇପିଟାଏ ଡେଇଁ ଡେଇଁକା ପିଣ୍ଡା ଉପରକୁ ଆସିଲା । ପିଲାଟା ରାହାଧରି କାନ୍ଦୁଛି । ମାଛି ଅନ୍ଧାରରେ ବାରି ହେଉ ନାହିଁ କିଏ ସେ । କାଳୁ ଅନାଇଲା ତା ଆଡ଼କୁ । ଧୀରା ବି ଅନାଇଲା । ପିଲାଟା ରାହା ଧରି ଥାଏ । ସ୍ତ୍ରୀଲୋକଟି ଓଦା ସରସର ହୋଇ କାନ୍ଥଆଡ଼କୁ ଆଉଜି ଠିଆ ହୋଇଥାଏ ।

 

ଧୀରା ପଚାରିଲା ବିରକ୍ତିଆ ସ୍ୱରରେ କିଏବା ତୁ, ଆଉ କୋଉଠି ଠା ମିଳିଲା ନାହିଁ ଯେ ଶୁଖିଲା ପିଣ୍ଡାଟା ଓଦା କଲୁ । ମଲାମର ନିଆଁଲାଗୀ, ପିଲାଟାକୁ ହେଲେ କ୍ଷୀର ଦେଉନୁ, ପାଟିକରି କାନ ଅତରା ପକାଉଛି ।

 

ପିଲାକୁ ଛାତିରେ ଲଗାଇ ସ୍ତ୍ରୀଲୋକଟି କହିଲା ଟାଉଁ ଟାଉଁ କରି, ତୋ ପିଣ୍ଡା ଛିଣ୍ଡି ପଡ଼ୁଛି କିଲୋ ? ଗଛମୂଳରେ ଝାଟିକୁଡ଼ିଆ ଖଣ୍ଡ ଉଡ଼ିଗଲା ବୋଲି ପିଲାଟାକୁ ଧରି ଝପଟି ଆଇଲି । ବର୍ଷା ଥମିଲେ ଆଉ କାହା ପିଣ୍ଡାକୁ ପଳେଇବି ପଛେ ।

 

ଆଲୋ ତୁ ଦୁଲୀ କିଲୋ ?

ହଁ ହଁ, ଦୁଲୀ ଚୁଲି ନିଆଁ ପାଉଁଶ ।

ମରଣ ନାହିଁ ?

 

ନାଇଁ ଲୋ, ଏଡ଼େ ଭାଗ୍ୟ ମୋର ହେବ ତ ପିଲାକୁ ଦହଗଞ୍ଜ ହେବ କିଏ ? ଯେଉଁମାନେ ମତେ ଏ ଦଶା ଦେଇଛନ୍ତି ସାତ ନରକରେ ଘାଣ୍ଟି ହେବେ ଲୋ, ତିନି ପୁରେ ତାଙ୍କୁ ଠାବ ମିଳିବ ନାହିଁ । ଏଇ ବାଳୁତ ନିଶ୍ୱାସ ତାଙ୍କ ଉପରେ ପଡ଼ିବ । ମୂଲ ଲାଗି ପାରୁନାହିଁ କି ହାତ ପାତିଲେ ପେଟ ପୂରୁ ନାହିଁ । ଆଖି ଥିଲେ ଦେଖିବୁ, କାନ ଥିଲେ ପୁଣି ଶୁଣିବୁ ଲୋ । ନାଆଁ ଧରିବି ନାହିଁ ସିନା ତୁଣ୍ଡରେ ମନ ମୋର ଅପଶାଇପ ଦେଉଛି, ହେ ଧର୍ମ !

 

ଧୀରା ଚିହିଁକି ଆସିଲା । କହିଲା ବଡ଼ ପାଟି କରି, ତୋର ଏଡ଼େ ବଡ଼େଇ ଲୋ, ଆମରି ପିଣ୍ଡାରେ ଠିଆ ହୋଇ ପୁଣି ଚନ୍ଦରା ଭାଇକି ଗାଳି ଦଉଛୁ ? ଅଲକ୍ଷଣୀ, ଆଗ ତୁ ଯିବୁଟି ଏଠୁଁ ଯିବୁ ନା ପୁଣି ଦେଖିବୁ, ଛାଞ୍ଚୁଣି ପାହାରରେ ତୋ ପିଠି ଭାଙ୍ଗିବି ।

 

ପିଲାଟା ଦୁଲୀ ଛାତିରୁ ଚଁ ଚଁ କରି କ୍ଷୀର ଖାଉଥାଏ । ଦୁଲୀର ଦେହ ଥରୁଥାଏ । ଓଦା ଳୁଗା ପିନ୍ଧିଛି । ପାଟିକରି ହସି ଉଠିଲା । କହିଲା, ଛାଞ୍ଚୁଣୀ ପାହାର ? ଓହୋ, କଅଁଳ ପିଠି ହେଇଛି କିଲୋ, ତୋ ଭଉଣୀ ପିଠି ଦେରେ ? ଯୋଗନୀଖିଆର ବିଧା ଗୋଇଠା ଠେଙ୍ଗା ମାଡ଼ରେ ବିଣ୍ଡି ହେଇଛି ମ । କେତେ ତ ସହିଲି, ପଦେ କହି ନ ଥିଲି । ତଡ଼ି ଦେଲାରୁ ମାମୁଁ ଘରକୁ ପଳେଇଲି । ସେଇଠି ଜାଣିଲି, ପେଟରେ ଏ ଅବେଇଜ ଅଛି । ଭାବିଥିଲି ପୁଅଟିଏ ହେଲେ ସେ ଚଣ୍ଡାଳ ଦେଖିବାକୁ ଯିବ, ପୁଅ ମୁହଁ ଦେଖିଲେ ତା ମନ ତଟିବ । ଓଲଟି ସେ ନିନ୍ଦା ରଟେଇଲା ।

 

ଦୁଲୀ ତୁନି ରହିଲା । ମନରେ ଝଡ଼ ତୋଫାନ ଉଠିଛି, ଅନର୍ଗଳ ଗାଳି ପକାଇବାକୁ ମନ ହେଉଛି, କି ଲାଭ ମିଳିବ ? ମନର ଶାନ୍ତି ? ନା, ତା ବି ନୁହେ । ହୀରାର ଦୋଷ ଦେବ ନାହିଁ, ଜାଣି କରି ତ ସେ ସଉତୁଣୀ ।

 

ଧୀରା କହିଲା ଥାଉ ତୋ ଭଲେଇପଣ ।

 

ଦୁଲୀ କହିଲା, ମୋ ନାମରେ ଦୁର୍ନାମ ରଟିଛି, ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ାଉଛି । ଭଲେଇ ହୋଇ କହିଲେ କି ଲାଭ ଲୋ ? ତୋ ଭଉଣୀକି ନିନ୍ଦିବି ନାହିଁ । ସେ କି ଜାଣେ ? ତୋର ଏଇ ବାପ, ଜାଣି ନ ଥିଲା କି ଚନ୍ଦରାର ମାଇପ ଅଛି ? କାହିଁକି ସେ ଝିଅଟାକୁ ଗେଞ୍ଜି ଦେଲା ମୋ ଗେରସ୍ତ ହାତରେ ? ମୋ ନିଶ୍ୱାସ, ମୋ ପିଲାର ନିଶ୍ୱାସ ପଡ଼ିବ ଆଗ ତା ଉପରେ । କାଲି ଯେତେବେଳେ ଛୋଟେଇ ଛୋଟେଇ ଭିକ ମାଗୁଥିଲା, ଗାଁ ଗାଁ ବୁଲି, ଦୟା ପାଇ ନିଜ ହାତରେ ତା ଅଣ୍ଟିରେ ଭୁଜା ମୁଆଁ ମୁଁ ଅଜାଡ଼ି ଦେଇଛି । ହାତ ଦେଖେଇ ନିକୁଟି ହେଲାରୁ ଅଣ୍ଟା କରାଟରୁ କାଢ଼ି ଦି ପଇସା ତା ହାତରେ ପକେଇଥିଲି । ସେଇ କାଳୁ ସାମଲ ଆଜି ଛାଇ ତଳେ ବସିଛି । କେତେଦିନ ଲୋ ? ସେ ଜାଣି ଜାଣି ମୋର ସଂସାର ପୋଡ଼ିଛି ।

 

କାଳୁ ଚମକି ଉଠିଲା । କହିଲା, ମୁଁ ପୋଡ଼ିଛି ?

 

ଖତେଇ ହେଲା ପରି ଦୁଲୀ କହିଲା, ତୁ ନୁହଁ ତ ଆଉ କିଏରେ ଅଳ୍ପାଇସା ? ଝିଅଟାକୁ ମୋ ଗେରସ୍ତକୁ ଦେଲୁ, ମତେ ଆଣି ଦାଣ୍ଡରେ ଛାଡ଼ିଲୁ । ତୋ ଝିଅର ରୂପ ଚହଟରେ ସେ ବୁଡ଼ିଛି ବୁଡ଼ୁ, ଉବେଇ ଟୁବେଇ ହୋଇ ମରୁ, ମରୁ, ମରୁ, । ମୋ ପିଲାଟାକୁ ତୁ ଜାଣିଶୁଣି ଅନାଥ କଲୁ, ତା ପରାଭବ ତୁ ପାଇବୁ, ପାଇବୁ, ପାଇବୁ । ଧିଅରେ ତୋର ଖୋଡ଼ ବାହାରିବରେ କାଳୁ ସାମଲ, ହାତ ଗୋଡ଼ ଛିଣ୍ଡି ପଡ଼ିବ । ଗଣ ଗଣ ମାଛି ଉଡ଼ିବେ । ଭଣ ଭଣ ପୋକ ଝଡ଼ିବେ । ରହ, ଏଇ ଝିଅ ତତେ ଝାଡ଼ୁ ମାରି ଘରୁ ତଡ଼ିବରେ, ହାତ ପିଠିରେ ତୁ ଲୁହ ପୋଛିବୁ, ପୋଛିବୁ, ବୋଛିବୁ ।

 

ପାଖରେ ବଢ଼ିଣା ପଡ଼ିଥିଲା । ଧୀରା ରାଗ ତମ ତମ ହୋଇ ହାତରେ ଉଠାଇ ଦୁଲୀର ଫୁଙ୍ଗୁଳା ପିଠିରେ ଦୁଇ ପାହାର ଦେଲା । କହିଲା, ଯା ଛତରଖାଇ ଏଠୁ, ଆମରି ପିଣ୍ଡାରେ ଠିଆ ହୋଇ ଆହୁରି ଆମୁକୁ ଦେବୁ ଅପଶାଇପ ? ଯାଉଛୁ ନା ପୁଣି ଦେଖିବୁ ?

 

କାଳୁ ଆଖି ବୁଜି ଶୁଣୁଥିଲା ଆଉ ଭାବୁଥିଲା, ଇସ୍‌ ଖୋଡ଼ ! ହାତଗୋଡ଼ ଛିଣ୍ଡି ପଡ଼ିବ, ମାଛ ଭଣ ଭଣ, ନରକ ଯନ୍ତ୍ରଣା । ଶତ୍ରୁକୁ ନ ହେଉ, ଇସ୍‌କି କଲବଲ । କାହିଁକି ତାକୁ ହେବ, ଚନ୍ଦରା ଏ ବୁଦ୍ଧି କଲା କାହିଁକି ? ନିଜର ରକତର ପିଲାକୁ ନାହିଁ ବୋଲି କହିବାଠୁ ବଳି ପାପ ଅଛି ? ମାଇପି ଜାତିର ସୁବଠୁଁ ବଡ଼ ଦୁଃଖ ଅପମାନ ଆଉ କଣ ହୋଇପାରେ ? ଦୁଲୀର ପାଟିରେ ଆହା ପଦ ଅଛି, ହୀରାର ମନ ତଟୁନାହିଁ ?

 

କେତେ ଭାବନା କାଳୁର ମନରେ ଖେଳିଗଲା । ଭଲରେ କି ମନ୍ଦରେ ଯେତେବେଳେ ସେ ଗାଁ ଗାଁ ବୁଲି ଭିକ ମାଗୁଥିଲା ଏମିତି ବ୍ୟବହାର ସେ ଦୁନିଆଁ ଲୋକଙ୍କଠାରୁ ପାଇଥିଲା । ଝଡ଼ ବରଷାରେ ପର ଓଳିତଳେ କି ପରର ଗୁହାଳରେ ଟିକିଏ ମୁଣ୍ଡ ଗୁଞ୍ଜିଲେ ଏମିତି ଦୂର୍‌ ଦୂର୍‌, ଛୁର୍‌ ଛୁର୍‌, ବଢ଼ିଣା ମାଡ଼, ଗୋଇଠା, କୁଳୁକୁଞ୍ଚା ପାଣି ପାଇଛି ।

 

କାଳୁ ଥିଲା ଛୋଟା । ଦିହ ମିହନ୍ତ କରି ଦିନରାତି ପରିଶ୍ରମ କରି ମୁଣ୍ଡଝାଳରେ ସେ ଘର କରି ପାରିଛି । ପର ଦୁଆରେ ହାତ ପାତୁନାହିଁ । ଆଉ ଏ ଦୁଲୀ ହାତଗୋଡ଼ ଥିଲା ଯୁବତୀ ଝିଅ, ଏତେ ଦୁଃଖ ଏତେ କଷ୍ଟ ସହି ପିଲାଟାକୁ ବଞ୍ଚାଇଛି । ତଣ୍ଟିଚିପି ପାଣି ପୋଖାରୀକୁ ପକାଇ ଦେଇ ନାହିଁ । ମାଆମାନେ ଏମିତି । ରମୀ ମଲାଣି ତଥାପି ତାର ଭୂତ କାଳୁର ପଛେ ପଛେ ଗୋଡ଼ାଇଛି । ଆଖି ବୁଜିଲେ ଆଗକୁ ଆସି କହୁଛି, କିରେ ଶୋଇଲୁ କି, ହାରାକୁ ସିନା ପର ଘରକୁ ଦେଲୁ ଧୀରାର ବୋଝ ତୋରି ମୁଣ୍ଡରେ ଲଦାହୋଇଛି, ଉଠ୍‌ ।

 

ଦୁଲୀକୁ ମୁଣ୍ଡ ଗୁଞ୍ଜିବାକୁ ଥାନ ଟିକିଏ ଦେଲେ ଭଲ ଅହୁଅନ୍ତା । ଯୁବତୀ ଟୋକୀ, ଚାରି ପାଇଟି କଲେ ନିଜ ଖାଇବା ନିଜେ ଅର୍ଜନ କରନ୍ତା । ଧୀରାକୁ ପର ଘରକୁ ପଠାଇବାକୁ କାଳୁ ଆଉ ରହ ରହ ହୁଅନ୍ତା ନାହିଁ । ଦୁଲୀ ରହୁ ଏ ଘରେ । ଭୁଲ କାମଟାଏ କାଳୁ ନିଜେ ତ କରି ପକାଇଛି, ଜାଣି ଜାଣି ଚନ୍ଦରା ହାତରେ ଝିଅଟାକୁ ଥୋଇ ଦେଇଛି, ଦୁଲୀର ଦୁର୍ଦ୍ଦଶା ପାଇଁ ଏକା ସେ ଦାୟୀ ।

 

ଆହା, କେତେ ଦିଅଁ ଦେବତା ପୂଜି ପୁଅ ବକଟକର ମୁହଁ ଦେଖୁନାହିଁ ମଣିଷ, ଦୁଲୀର ପିଲାଟା କାହିଁକି ଅପନ୍ତରାରେ ପଡ଼ି ମରିବ ? କିଏ ଜାଣିଛି କେଡ଼େ ମଣିଷ ସେ ହୋଇପାରିବ । ଜନମରୁ ଦୁଃଖ ସହିଛି ।

 

ବଢ଼ିଣା ଉଠାଇ ଧୀରା ପାଟି କରୁଛି, ଯାଉଛୁନା ଛତରଖାଇ ଫେର୍‌ ଦେଖିବୁ, ଯା, ଯା, ଯା ।

 

ପିଠିରେ ପୁଣି ତିନି ପାହାର ।

ଦୁଲୀ ହସୁଛି । ପିଲାଟା ରାହାଧରି କାନ୍ଦୁଛି ।

 

ସତେ କି ବଢ଼ିଣା ମାଡ଼ କାଳୁ ଧିଅରେ ବାଜିଲା । ପାଟିକରି ଉଠିଲା, ଥାଉ ଥାଉ, ଏ କଣ ଧୀରା ?

 

ଧୀରାର ଉଞ୍ଚା ହାତ ତଳକୁ ନଇଁଲା ।

 

କାଳୁ କହିଲା, ଆଲୋ ଝିଅ ଆଲୋ ଦୁଲୀ ଏତେ ହସନା ଲୋ, ବେଶି ହସିଲେ ପାଗଳ ହେଇଯିବୁ ।

 

ଯୋଗନୀଖିଆ, ହସିବି ନାଇଁ କଣ କାନ୍ଦିବି ? ଆରେ, କାନ୍ଦିବାକୁ ମୋ ଆଖିରେ ଲୁହ ନାହିଁ । ସବୁ ସରି ଯାଇଛି । ମୋ ଫମ୍ପା ପେଟରେ ଖାଲି ଦୁନିଆ ଯାକର ହସ ଭରି ରହିଛି । ଆରେ ଚଣ୍ଡାଳ, କାହାର ମୁଁ କି ଦୋଷ କରିଥିଲି କି ଏତେ ସରି ହେଲି ? ଦଇବ ଦେଲା ରୂପ ଚହଟ ନାହିଁ ବୋଲି ତୋ ଝିଅର ରୂପ ହସ ଦେଖି ମତେ ମାଡ଼ ମାରି ସେ ଘରୁ ତଡ଼ିଲା । ତୋ ଝିଅ ପରି ପରପୁରୁଷର ସାଙ୍ଗରେ ନିରୋଳା ସଞ୍ଜରେ ଗଛମୂଳେ ମୁଁ କେବେ ଫୁସ୍‌ଫୁସ୍‌ ହେଇ ନାହିଁରେ । ବାହାହେଲା ବର କଣ ମୋ ରୂପ ଦେଖି ମତେ ପାଖକୁ ଟାଣିଥିଲା କି ? ନାଇଁ, ଏଇ ଛୁଆ ବକଟକ ପାଇଁ ଦଇବ ମୋତେ ଆଉ ତାକୁ ଏକାଠି କଲା । ତୋଓରି ଝିଅର ରୂପ ପାଇଁ ସେ ତା ମନର ସରାଗ କଥା ଭୁଲିଲା । ରକତର ପିଲାକୁ ପର କଲା । ହସିବି ନାହିଁ କଣ କାନ୍ଦିବି ?

 

କାଳୁ କହିଲା, ପିଲାଟା ରାହା ଧରିଛି । ଆଗ ତାକୁ ତୁନି କର, ସେଇଠୁ ମନଇଚ୍ଛା ହସୁଥିବୁ, ଗାଳି ଦେଉଥିବୁ ।

 

ତା ଜନମ କାନ୍ଦିବାକୁ, ମୋ ଜନମ ହସିବାକୁ ।

 

ବେଶି କାନ୍ଦିଲା ଲୋ, ଆଲୋ ଦୁଲୀ, ଦେଲୁ ତାକୁ ମୋ କୋଳକୁ । ବରଷା ପାଣିରେ ତାକୁ କୋଲ ମାରି ଯାଉଥିବ । ଦେ ଲୋ, ମୋ କୋଳରେ ପୁଅ ପିଲା ବକଟେ ମୁଁ କେବେ ଧରି ନାହିଁ । ଆଲୋ ଦୁଲୀ, ମୋ ଅଣ୍ଟିରେ ଭୁଜାମୁଆ ପରା ଅଜାଡ଼ି ଦେଇଥିଲୁ ? ମୋ ତାତିଲା ପେଟକୁ ଥଣ୍ଡା କରିଥିଲୁ ? ଦେ ଲୋ ସେ ପିଲା ବକଟକୁ ମୋ ଅଣ୍ଟିରେ ଅଜାଡ଼ି । ମୋ ପେଟ ସିନା ତାତି ନାହିଁ, ମୋ ଛାତିଟା ତାତିଛି, ଭାରି ତାତିଛି । ତୋ କଅଁଳ ପିଲାକୁ ଛାତିରେ ଜାକି ଉଷୁମ କରିବି । ମୋ ଛାତି ଜାକର ହବ । ଦେ ଲୋ ଦୁଲୀ ।

 

ଦୁଲୀ ଥାକ ହୋଇ ଠିଆ ହେଲା । କାଳୁର କଥା ଶୁଣିଲା । ସେ କଣ ସପନ ଦେଖୁଛି ? ଚାରିଆଡ଼େ ଅନ୍ଧାର ଘୋଟି ଗଲାଣି । ବର୍ଷା କୁଟୁଛି । ପବନ ବହୁଛି । ରହି ରହି ହସୁଛି ବିଜୁଳି । ଦୁନିଆ ହସୁଛି । କାଳୁ ସାମଲ ବି ହସୁଛି, ଥଟ୍ଟା କରୁଛି । ସେ ବି ହସିବ ।

 

କାଳୁ ସାମଲ ପୁଣି କହିଲା, ଦବୁନାଇଁ ? ଆଲୋ, ଖୋଡ଼ି ହେଇଥିଲା ଯେଉଁ ମାଇକିନାକୁ, ସଞ୍ଚି ରଖିଥିଲା ଭିକମାଗି ଧନ, ତାର ଜୀବନ ସର୍ବସ୍ୱ, ନିହିମାକେ ଆଖି ବୁଜିଲାକୁ କାଳୁ ସାମଲ ହାତ ବଢ଼େଇ ସର୍ବସ୍ୱ ଚୋରିକରି ଆଣି ମଦ ପିଇଥିଲା । ଦବୁନାଇଁ ତୋ ଧନକୁ ? ତୋ ଛାତିରୁ ତାକୁ ମୁଁ ଟାଣି ଆଣିବି ଲୋ । ମଦ ଛାଡ଼ିଛି, ମଦ ଖାଇବାକୁ ସବୁବେଳେ ଝୁରୁଛି ।

 

କାଳୁ ସାମଲ ବାଡ଼ିଭରା ଦେଇ ଉଠିଲା । ପାଦଟିଏ ଡେଇଁ ଦୁଲୀ ଆଗରେ ଠିଆ ହେଲା-। ଦି ହାତ ବଢ଼ାଇ ଦୁଲୀ ଛାତିରୁ ଟାଣି ଆଣିଲା କଅଁଳା କାନ୍ଦିଲା ପିଲାକୁ । ଲାଲୁଆ ମୁହଁରେ ବୋକ ଦେଇ ବସି ପଡ଼ିଲା । ପିଲାକୁ ଛାତିରେ ଜାକି, ଚାଦର ଘୋଡ଼ାଇ କହିଲା ଏଇ ମଦ ଭଲ ଲୋ ଧୀରା, ଲାଳୁଆ, ଥଣ୍ଡା । ଏଥିରେ ମନର ଶୋଷ ମରେ ।

 

ଉଷୁମ ପାଇ ପିଲା ତୁନି ହେଲା । କାଳୁର ଛାତିରେ ପାଟି ବୁଲେଇ ଲାଳ ସରବର କରି କ୍ଷୀର ଖୋଜିଲା ।

 

ଦୁଲୀ କାନ୍ଦି ଉଠିଲା ।

 

କାଳୁ ହସିଲା, ଆଲୋ ଧୀରା, ଠିଆ ହେଲୁ କାହିଁକି, ହୀରା ପରଘରକୁ ଯାଇ ନାହିଁ ତ, ସେ ମରିଛି । ମରୁ ସେ । ଜାଣି ନ ଥିଲା କି ଯାହା ସଙ୍ଗେ ଭାବ କରୁଥିଲା ତାର ପୁଣି ତିରିଲା ଅଛି, ସଂସାର ଅଛି ? ମୁଁ କଣ କରିବି ? ଦିହେଁ ହେଲେ ରାଜି । ଲୋକେ ହସିଲେ ଲୋକେ କହିଲେ । ହଁ ଭରିଲି । କାହିଁକି ଇଆର ଘରକରଣାରେ ମୁଁ ନିଆଁ ଜାଳିଲି ? ନାଇଁ ନାଇଁ ହୀରା ମରିଛି । ଏଇ ମୋର ହୀରା, ଏଇ ମୋର ଦୁଲୀ, ଏଇ ମୋର ଝିଅ । ତା ଛାତିର ରତନ ଦେଇଛି ମତେ । ଭାରି ଭଲ ମତେ ଲାଗୁଛି । ମତେ ସେ ଖାଉଛି ଲୋ ଦୁଲୀ, ମୁଁ ତାକୁ ପଇବି । ଏ ମୋର ମଦ, ଏ ମୋର ଅଫିମ, ମୁଁ ତାକୁ ଛାଡ଼ିବି ନାହିଁ ।

 

ଧୀରା ଡରି ଡରି କହିଲା, ଅପାର, ସଉତୁଣୀ, ଛତରୀଟା, ଭିକାରୁଣୀଟା, ଦୋଚାରୁଣୀଟା–

 

କାଳୁ ସମାଲ ଗର୍ଜିଉଠିଲା, ଚୋପ୍‌ । ଯାହାକୁ ମୁଁ ଛାତିରେ ଧରିଛି, ଯିଏ ମୋର ଛାତି ଅଣ୍ଡାଳୁଛି; ମୋ ଛାତି ଭିତରେ ଖୋଜୁଛି ଭଲ ଆଉ ମନ୍ଦ, ନ୍ୟାୟ ଅନ୍ୟାୟ, ପର ଆପଣା, ଏଇ, ମୋର ଛାତିକୁ ଚାଟି ଚାଟି ସେ ଶୀତଳ କରୁଛି, ସଫା କରୁଛି । ସେ ମତେ ଖାଇବ । ମୁଁ ତାକୁ ପିଇବି । ତାର ମା ଯେ ଛତରୀ, ଭିଖାରୁଣୀ ଯେମିତି ତୋର ବାପ । ତାର ମା ଦୋଚାରୁଣୀ ନୁହେଁ । ଦୁନିଆ କହୁ, ଚନ୍ଦରା କହୁ, ମୁଁ କହିବି ନାହିଁ । ଦୁଲୀ ତୋ ଅପାର ସଉତୁଣୀ ନୁହଁ, ସେ ତୋର ଅପା-। ହୀରା ତାର ସଉତୁଣୀ, ହୀରା ଯିଏ ଏଇ ରତନକୁ ଥରେ ଛାତିରେ ଧରିଲା ନାହିଁ, ଯାହା ଭିତରେ ମାଆର ମନ ନାହିଁ ସେ କି ମୋର ଝିଅ ? ଏଇ ଦୁଲୀ, ଏଇ ମୋର ଝିଅ, ମୁଇଁ ତାର ବାପା, ମୁଇଁ କାଳୁ ସମାଲ, ଘୋର ପାପୀ କାଳୁ ସମାଲ !

 

ଗଛ କାଟିଲା ପରି ଦୁଲୀ ପଡ଼ିଲା କାଳୁର ଗୋଡ଼ ତଳେ ! ଗୋଡ଼ ଧରି କଇଁ କଇଁ ହୋଇ କାନ୍ଦି ଉଠିଲା –କହିଲା । ନାଇଁ, ନାଇଁ, ନାଇଁ–

 

କାଳୁ ତା ମୁଣ୍ଡରେ ହାତ ବୁଲାଇ କହିଲା, ହଁ ହଁ, ତୁଇ ମୋର ଝିଅ । ତୋ ଆଖିରେ ଲୁହ ଅଛି । ଲୁହ ଭଲ ହସ ଖରାପ । ମୁଇଁ ତୋର ବାପ । ଏ ଘର ତୋର । ଘରୁ ଯେବେ ଦାଣ୍ଡକୁ ଯିବା ଭିକ ମାଗିବାକୁ, ତିନି ପୁରୁଷ ଆମେ ବାହାରି ପଡ଼ିବା । ମୁଁ, ତୁ, ଆଉ ମୋ ଛାତିରେ ଯିଏ ମୁହଁ ଘଷୁଛି ।

 

ଧୀରା କହିଲା, ଜାତି ଯିବ ଯେ !

 

କାଳୁ କହିଲା, ନେ, ଆଗ ତୋ ଅପାର ହାତ ଧରି ଭିତରକୁ ନେ । ଓଦାରେ ସେ ଥରୁଛି-। ତାକୁ ପିନ୍ଧିବାକୁ ଲୁଗା ଦେ, ଜାତି କଥା ମୁଁ ବୁଝିବି ।

 

ଧୀରା ଦୁଲୀର ହାତ ଧରିଲା ।

ବତାସ ବହିଲା । ପ୍ରବଳ ବେଗରେ ବିଜୁଳି ଚମକିଲା, କାଳୁ ଆଖି ବୁଜିଲା ।

 

ପରଶୁରାମ ଭାବିବାକୁ ଲାଗିଲେ, ଉପାୟ କଣ, କିପରି ସେ ଲୋକଙ୍କୁ ବୁଝାଇବେ ! ଏତେଦିନର ଚେଷ୍ଟା, ସ୍ୱାର୍ଥତ୍ୟାଗ ପରିଶ୍ରମ, ସବୁ ତାଙ୍କର ବିଫଳ ହେବ ? ଯେଉଁମାନଙ୍କର ଅଧିକ ଜମିଥିଲା ସେମାନେ ଅଡ଼ି ବସିଛନ୍ତି–କାମ କରିବେ ନାହିଁ, ସମୂହ ଉତ୍ପନରୁ ନିୟମ ପ୍ରକାରେ ସମୂହ ମଙ୍ଗଳ ପାଇଁ ଆଗ ଯାହା ରଖାଯାଉଛି ସେତକ ବାଦ୍‌ଦେଲେ ଅବଶିଷ୍ଟ ଉତ୍ପନ୍ନରୁ ଯେଉଁ ଲାଭାଂଶ ମିଳୁଛି ସେତକ ଅତି ସାମାନ୍ୟ, ତେଣୁ ପୁଣି ନିଜ ନିଜର ଜମି ବାଣ୍ଟି ନେବେ, ଏ ନୂଆ ପଦ୍ଧତି ଚଳିବ ନାହିଁ । ସାଧାରଣ ଲୋକେ ଅଡ଼ି ବସିଛନ୍ତି, ସମସ୍ତେ ତ ଆମେ ଗୋଟିଏ କୁଟୁମ୍ବର ହେଲେ, ଆଉ ଏ ଭେଦ କାହିଁକି ? ସମସ୍ତେ ଆମେ କାମ କରିବା, ଖାଇବା, ପିନ୍ଧିବା, ସୁଖରେ ରହିବା । ଲାଭାଂଶର ବଣ୍ଟନ କାହିଁକି ?

 

ଭୁଷୁଡ଼ି ପଡ଼ିବ ତାଙ୍କର ନୀତି ? କେଇଟା ବର୍ଷରେ ବିଜିପୁରର କେତେ ଉନ୍ନତି ହୋଇପାରିଛି । ସବୁ ଜମି ଉର୍ବର ହୋଇଛି, ପତିତ କି ଅନାବାଦୀ ନାହିଁ, ହାତେ କି ଚାଖଣ୍ଡେ କେଉଁଠି ଛାଡ଼ିଦିଆ ହୋଇନାହିଁ । ମରୁଡ଼ିର ଭୟନାହିଁ । ଗାଁ ଗହୀରରେ କେତେ ବଡ଼ ବଡ଼ ପକ୍‌କା କୂଅ ଖୋଳା ହୋଇଛି । ଦରକାର ହେଲେ ପମ୍ପ୍‌କରି ପାଣି ଉଠା ହେଉଛି, ମଡ଼ା ହେଉଛି ଜମିରେ । ଟ୍ରାକ୍‌ଟର ସାହାଯ୍ୟରେ ଚାଷ ହେଉଛି । କେତେ ପରିଶ୍ରମ ରକ୍ଷା ହେଉଛି । ଯେଉଁ ଜମି ବାଲି ଓ ଅକର୍ମଣ୍ୟ ହୋଇ ପଡ଼ିଥିଲା ସେଥିରୁ ଉତ୍ପନ୍ନ ହୋଇଛି ଦୁଇ ହଜାର ବସ୍ତା ଚିନାବାଦାମ । ତେଲ କାଢ଼ିବାକୁ ଗୋଟିଏ ମିଲ୍‌ ବସାଇବାକୁ ସେ ସ୍ୱପ୍ନ ଦେଖିଥିଲେ ।

 

ଭୁଷୁଡ଼ି ପଡ଼ିବ ତାଙ୍କର ଏତେ ବଡ଼ ଉଦ୍ୟମ ? ଲୋକଙ୍କର ସମବାୟ ଚେଷ୍ଟାରେ ଗାଁ ଦାଣ୍ଡ ହସି ଉଠିଛି । ଏତେବଡ଼ ଗାଁର ଚାରିଆଡ଼େ ଫିଟିଛି ଉଚ୍ଚ ରାସ୍ତା । ଦୁଇ କଡ଼ରେ ନାଳ । ବୁନ୍ଦାଏ ପାଣି କେଉଁଠି ଜମି ରହୁନାହିଁ । ଗାଁ ପୋଖରୀଗୁଡ଼ିକ ସଫା ସୁତରା ହୋଇ ନିର୍ମଳ ହୋଇଛି-। ହୁଡ଼ାରେ ଲାଗିଛି ନଡ଼ିଆ ଗଛ । ପାଣିରେ ଛଡ଼ା ହୋଇଛି ରୋହି ଭାକୁଡ଼ ଜାଆଁଳ । ଗାଆଁର ସ୍ୱାସ୍ଥ୍ୟ ବଦଳିଛି । ମେଲେରିଆ, ବସନ୍ତ, ହଇଜା ଦେଖା ନାହିଁ । ପିଲାମାନେ ଖୁସିରେ ଗାଁ ଦାଣ୍ଡରେ ଖେଳୁଛନ୍ତି ।

 

ପ୍ରତିଘରେ ଅରଟ ଚାଲିଛି ।

 

ଗାଁ ସ୍କୁଲରେ ସବୁ ପିଲା ପାଠ ପଢ଼ୁଛନ୍ତି; କେହି ବାଦ୍‌ ପଡ଼ି ନାହାନ୍ତି । କାହିଁକି ନ ପଢ଼ିବେ ? ସାତ ବରଷର ବାଳୁତକୁ ଗୋରୁ ଜଗିବାକୁ ପଡ଼ୁନାହିଁ କି ପତର ଗୋଟାଇବାକୁ ପଡ଼ୁନାହିଁ । ବିଜିପୁରରେ କି ପୁରୁଷ କି ସ୍ତ୍ରୀ ଅପାଠୁଆ କେହି ନାହାନ୍ତି । ରାତି–ସ୍କୁଲରେ ପାଠ ପଢ଼ି ସମସ୍ତେ ଲେଖିପଢ଼ି ଜାଣିଲେଣି । ସମସ୍ତଙ୍କର ଆଖି ଫିଟିଛି, ସମସ୍ତେ ସଫା ସୁତୁରା ।

 

ଚିକିତ୍ସାଳୟର ମହତ୍ୱ ବଢ଼ିଛି । କେତେ ଲୋକ ଚିକିତ୍ସା ଓ ଔଷଧ ବ୍ୟବହାର ଶିଖିଲେଣି-। ରୋଗବୈରାଗ୍ୟକୁ ଡରିବାର ନୁହେ, ତା ସଙ୍ଗେ ଲଢ଼ିବାର କଥା । ଲୋକେ ଏହା ବୁଝିଲେଣି ।

 

ଅନାଥାଶ୍ରମ, ଅକ୍ଷମ ନିବାସ, ରୁଗ୍‍ଣ ନିଳୟ ।

 

ସବୁ ଚାଲିଛି ଭଲରେ । ଆଗେ ଯାହା ଉତ୍ପନ୍ନ ହେଉଥିଲା, ଏବେ ତାହା ତିନିଗୁଣ ବଢ଼ିଛି-। ଗ୍ରାମର ଭିନ୍ନ ଭିନ୍ନ ଷ୍ଟୋରଗୁଡ଼ିକ ସୁଚାରୁରୂପେ ଚାଲିଛି । ଉଦ୍‌ବୃତ୍ତ ପଦାର୍ଥ ରପ୍ତାନି କରି ଆବଶ୍ୟକ ପଦାର୍ଥ ଅଣା ହୋଇ ରଖା ଯାଇଛି । ଯାହାର ଯାହା ଲୋଡ଼ା ସେ ନେଇଯାଇଛି ବନ୍ଧା ସ୍କେଲ ପ୍ରକାରେ । କେବଳ ହିସାବ ରହୁଛି ।

 

ତଥାପି ଅଶାନ୍ତି ?

 

ପୁଣି ସ୍ୱାର୍ଥ ଘୋଟି ଆସୁଛି–ମଣିଷର ଜନ୍ମଗତ ଦୋଷ । ଅଭାବ ଅସୁବିଧା ନ ହେଲେ ମଧ୍ୟ ମଣିଷ ଆହୁରି ଚାହେଁ ଆହୁରି ଚାହେଁ । ସାଇତି ରଖିବାକୁ ବ୍ୟାକୁଳ ହୁଏ । ଏ ଦୁର୍ବଳତା ସଭିଙ୍କୁ ଛାଡ଼ିବାକୁ ହେବ । ଏଇଥିପାଇଁ ତାଙ୍କୁହିଁ ଆଗେଇ ଯିବାକୁ ପଡ଼ିବ । ଯେତିକି ଟିକେ ସ୍ୱାର୍ଥ ଅଛି ସେତକ ମଧ୍ୟ ଛାଡ଼ିବାକୁ ପଡ଼ିବ । ଗାଆଁରେ ସବୁଠୁଁ ବଡ଼ ଅଂଶୀଦାର ସେ । ସବୁ ଅଂଶ ତାଙ୍କୁ ଛାଡ଼ିବାକୁ ହେବ । ଗାଁର ମୂଲିଆ ମଜୁରିଆଙ୍କ ସଙ୍ଗେ ସମାନ ହୋଇ ସେ ଚଳିବେ । କାମ କରି ପେଟ ପୋଷିବେ ।

 

ବାହାରେ ବର୍ଷା କଟୁଛି । ଘର ଭିତରେ ବସି ପରଶୁରାମ ଭାବୁଛନ୍ତି, କେବଳ ଭାବୁଛନ୍ତି-। ଟେବୁଲ ଉପରେ ଉଜ୍ଜ୍ୱଳ ଜଳୁଛି ପେଟ୍ରୋମାକସ । ବିଶ୍ୱାସୀ ଚାକର ଧଡ଼ିଆ କାନ୍ଥକୁ ଆଉଜି ବସିଛି, ଆଖିବୁଜି ଯେପରି ପରଶୁରାମଙ୍କର ମନର ଭାବନା ଶୁଣୁଛି । ପରଶୁରାମଙ୍କ ଆଗରେ ଗଦା ହୋଇଛି ଫୁଟେ ବହଳର କାଗଜପତ୍ର । କେତେଗୁଡ଼ିଏ ଖବର କାଗଜ, ପାକ୍ଷିକ ଓ ମାସିକ ପତ୍ରିକା ଓ କେଇ ଖଣ୍ଡି ପତ୍ର ।

 

ପରଶୁରାମ ସିଦ୍ଧାନ୍ତରେ ପହଞ୍ଚିଲେ । ବଡ଼ପାଟି କରି କହିଲେ, ଏତେ ସମ୍ପତ୍ତି କଣ ହେବ-? ଲାଭାଂଶରୁ ଉଦ୍‌ବୃତ୍ତ ଅମାର ଧାନ ମୁଗ ବିରି ଗୁଡ଼ ଝୋଟ ପୁଣି ଟଙ୍କା । ଗାଈ ମଇଁଷି ଛେଳି, ଏତେ ବଡ଼ ଘର, ବାରି । ଏ ଗାଁରେ ଖାଇବାକୁ ନ ପାଇ ଦୁଃଖ ପାଇବାର ସମ୍ଭାବନା ନାହିଁ । ବସ୍ତ୍ର ଅଭାବରେ ଉଲଗ୍ନ ହେବାର ଉପାୟ ନାହିଁ । କଣ ହେବ ?

 

ଧଡ଼ିଆ ଭଣ୍ଡାରି ଉଠି ଠିଆ ହେଲା । ମନରେ ତାର ଗର୍ବ ଯେ ଏତେବଡ଼ ଲୋକ ତାର ଉପଦେଶ ଚାହୁଁଛନ୍ତି । କହିଲା, କଣ ହେବ ପଚାରୁଛନ୍ତି ? ମାଆ ଫେରି ଆସିବେ । ଚକର ବାବୁ ଚିଠି ଦେଇଛନ୍ତି, ନେଇ ଆସିବେ ବୋଲି ଲେଖିଛନ୍ତି । କଣ ହେବ ବୋଲି ପଚାରୁଛ ? ଘିଅରେ ଖାଇ ଦୁଧରେ ଯେଉଁମାନେ ଆଞ୍ଚଉଥିଲେ ସେମାନେ ଆଜି କିଏ କେଉଁଠି । ପୁଣି ଏ ଘର ହସି ଉଠିବ ଆଜ୍ଞା, ଆପଣ ସିନା ବାଇଆ ହେଉଛନ୍ତି ।

 

ପରଶୁରାମ ଧଡ଼ିଆ ମୁହଁକୁ ଚାହିଁଲେ । ହସିଲେ । କହିଲେ, ଘିଅରେ ଖାଇ ଦୁଧରେ ଆଞ୍ଚୋଇବାର ସମୟ ଆଉ ନାହିଁରେ ଧଡ଼ିଆ । ସେ ଅନ୍ଧାରିଯୁଗ ଓଲଟିଛି । ତମର ମା ଆସନ୍ତୁ କି ଦେଈ ଆସନ୍ତୁ ଆମର ଏ ବିଜିପୁର ଭୂଇଁ ଚାଖଣ୍ଡକରେ ଯିଏ ଗୋଡ଼ ପକାଇବ ତା ମନକୁ ସିଏ କାମରେ ହାତ ଦେବ । ଖାଇବ ପିଇବ ପିନ୍ଧିବ, ସୁଖରେ ରହିବ । ମୁଣ୍ଡରୁ ଝାଳ ନିଗିଡ଼ିଲେ ତୁଣ୍ଡରେ ଆହାର ପଶିବ । ଘିଅରେ ଖାଇ ଦୁଧରେ ଯଦି ଆଞ୍ଚୋଇବା ତ ସମସ୍ତେ, ଗୋଟିଏ ଘର ହସିଉଠି ଦଶଟି ଘର କାନ୍ଦିଉଠିଲେ ଆକାଶ ଖସି ପଡ଼ିବରେ ଧଡ଼ିଆ, ବସୁଧା ଫାଟିପଡ଼ିବ । ସବୁ ଘର ହସି ଆସୁଛି, ସବୁ ଘର ହସିବ ।

 

ଧଡ଼ିଆ କହିଲା, ମୂଷା ବୋଉ ଭାଗବତ ପଢ଼ିଲାଣି ସାଆନ୍ତେ ।

ଆଉ ତୁ ?

ଗୋପୀଭାଷା ପଢ଼ୁଛି ଯେ ଝୁଣ୍ଟୁଛି ।

 

ତତେ ସରମ ନାହିଁ ? ତୁ ସେମିତି ଝୁଣ୍ଟୁଥିବୁ, ତୋ ସ୍ତ୍ରୀ ଆସି ଚରଖା–ସଙ୍ଘର ସମ୍ପାଦକ ହେବ । ଦେଖିବୁ ରହ ।

 

କେଡ଼େ ସରୁ ସୂତା । ସେ କାଟୁଛି ସାଆନ୍ତେ, ହାତରେ ଯୋଉ କଂସା ପିତଳ ଗହଣା ବୋଝ ନାଇଥିଲା ସେଗୁଡ଼ାକ ଓହ୍ଲେଇ ପକେଇ କହିଲା, ବୋଝ ହେଉଛି, ନିଜ ମିହନ୍ତରେ ଦି ଦି ପଟ ସୁନା କାଚ କରାଇ ନାଇଲାଣି । କହିଲା, କାମ କରିବାକୁ କେଡ଼େ ସଜ ହେଉଛି । ଆମ ସାହିରେ ଯେଉଁମାନେ ତାକୁ ହସୁଥିଲେ, ସେଇମାନେ ଏବେ ତାଆରି କଥା କଲେଣି । ମାଇପି କଜିଆ, ପାଟିତୁଣ୍ଡ କଣ ଆଉ ଅଛି ସାଆନ୍ତେ ? ଯୁଆଡ଼େ ଯାଆ ଶୁଣିବ ଖାଲି ଅରଟର ରଟ୍‌ରଟ୍‌, ନଇଲେ ରାମାୟଣ ଭାଗବତ ମଥୁରା ମଙ୍ଗଳ ।

 

ଗଭବାନ୍‌ ଆମକୁ ସାହା ହେବେ । ତାଙ୍କର ଆଶୀର୍ବାଦ ଓହ୍ଲେଇ ଆସୁଛି, ଓହ୍ଲେଇ ଆସିବ । ଏ ଗାଁ ଆମର ହସି ଉଠିବ, ଦେଖିବୁ ରହ ଧଡ଼ିଆ । ସମସ୍ତେ ଖାଲି ଏକମନ ହୁଅ, ଏକ କଥା ହୁଅ । ନିଜର ସ୍ୱାର୍ଥ କଥା ନ ଭାବି ସମସ୍ତଙ୍କ କଥା ଭାବ । ନିଜର ସ୍ୱାର୍ଥ ପାସୋରି ସମସ୍ତଙ୍କର ମଙ୍ଗଳ ମନାସ । ଆମର ଏ ଗାଁ ଗୋଟିଏ ଘର । ଆମେ ସମସ୍ତେ ଗୋଟିଏ କୁଟୁମ୍ବର ମଣିଷ । ସମସ୍ତେ ସୁଖରେ ରହିବା, ଖୁସିରେ ରହିବା ।

 

ଧଡ଼ିଆ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇଲା । ପଚାରିଲା, ବଡ଼ ସାନ ଜାତି କଣ ଉଠେଇ ଦେବ କି ସାଆନ୍ତେ ।

 

ଆରେ ଧଡ଼ିଆ, ଆମେ ସମସ୍ତେ ଗୋଟିଏ ଜାତି, ମଣିଷ ଜାତି । ଜାତିର ନାଆଁ ଥାଉ, ଚାରି ପୁଅଙ୍କର ଚାରିଟି ନାମ ହେଉଛି ତ, ସେମିତି ସବୁ ଜାତି ବଡ଼, ସବୁ ଧର୍ମ ବଡ଼, କେହି ସାନ ନୁହେ । ଆମ ଭିତରେ ଭେଦଭାବ ରଖିବା ନାହିଁ । ସମସ୍ତେ ଆମେ ଏକାଠି ହେବା । ବଡ଼ହେବା ସୁଖରେ ରହିବା ଆନନ୍ଦରେ ରହିବା । ଆମକୁ ଠାକୁରେ ସାହା ହେଉନ୍ତୁ ।

 

ପରଶୁରାମ ନିଜକୁ ଭୁଲିଲେ । ପ୍ରଫୁଲ୍ଲ ମନରେ ମୁହୂର୍ତ୍ତେ ଆଖିବୁଜି ଆଖି ଖୋଲିଲେ । ଖବର କାଗଜର ପତ୍ର ଓଲଟାଇଲେ । ଆଖି ପଡ଼ିଲା–ଧନୀପୁରର ଧୂମକେତୁ, ସେ ପାଣି ପବନ ମାନନ୍ତି ନାହିଁ, କାଦୁଅ ପାଣି କଣ୍ଟାଝଣ୍ଟା ତାଙ୍କୁ ବାଧା ଦେଇପାରେ ନାହିଁ । ଆଶ୍ରମର ସହକର୍ମୀମାନଙ୍କୁ ସଙ୍ଗରେ ଧରି ସେ ଚାଲିଚନ୍ତି । ଯେଉଁଠି ରୋଗୀ ସେଇଠି ସେ । ଅମୃତହସ୍ତ । ପାନେ ଔଷଧରେ ରୋଗ ଛାଡ଼େ । କଞ୍ଚାପରିବା ଚୋବାଇ ଖାଆନ୍ତି । କାହା ପିଣ୍ଡାରେ କେଉଁଠି ଶୁଅନ୍ତି । ଚିରପ୍ରଫୁଲ୍ଲ, ହସ ହସ ମୁହଁ । ରୋଗୀ ତାଙ୍କ ମୁହଁକୁ ଚାହିଁଲେ ଅଧେ ଭଲ ହୋଇଯାଏ । ଦୁନିଆଁଯାକର ଦୁଃଖ ଶୋକ ସତେ କି ତାଙ୍କରି ମୁଣ୍ଡରେ ଲଦା ହୋଇଛି । ଆଦର୍ଶ କର୍ମୀ ! ଦେଶ ଏପରି କର୍ମୀ ଚାହେଁ–

 

ପରଶୁରାମବାବୁ ସାମାନ୍ୟ ହସିଲେ । ଭାବିଲେ, ଦେଶରେ ଏମିତି କର୍ମୀ କଣ କରିବେ-? ରୋଗ ବଇରାଗ ନ ହେବ ଯେପରି ତାର ବ୍ୟବସ୍ଥା ଧୂମକେତୁ କରୁନାହାନ୍ତି କାହିଁକି ? ଅଭାବ ଅନଟନ ଅଶାନ୍ତି ଅସନ୍ତୋଷ ଆଳସ୍ୟ, ଏଇସବୁ ତ ରୋଗର ପ୍ରଧାନ କାରଣ । ନିଜର, କୁଟୁମ୍ବର, ଗ୍ରାମର ଅପରିଷ୍କାରତା ନରକ ଭିତରୁ ରୋଗ ଟାଣି ଆଣେ । ଧୂମକେତୁ ଦେବତା ନୁହନ୍ତି କି ମଣିଷ ନୁହନ୍ତି, ସେ ରୋଗ ଓ ମରଣର ଅଗ୍ରଦୂତ ।

 

ପୁଣି ଖବର କାଗଜରେ ଆଖି ପକାଇଲେ, ଚମକି ଉଠିଲେ ।

 

ବିଜିପୁରର ସୁବିଖ୍ୟାତ ଜମିଦାର ପରଶୁରାମଙ୍କର ଧର୍ମ-ପତ୍ନୀ ପାର୍ବତୀ ! ସ୍ୱାମୀଙ୍କର ସମାଜଭଙ୍ଗା ନୀତିରେ ସେ ଏକମତ ହୋଇପାରିଲେ ନାହିଁ । ସେଥିପାଇଁ ବିଚ୍ଛେଦ । ସାକ୍ଷାତ୍‌ ପାର୍ବତୀ ସେ । ଗୋଟିଏ ଶିଶୁକୁ ହରାଇ କୋଟିଏ ମଣିଷକୁ ନିଜର ଶିଶୁକରି ପାଇଛନ୍ତି । ଧନୀପୁରରେ ଅନାଥ ଶିଶୁସଦନ ସେ ଖୋଲିଛନ୍ତି । କେତେଗୁଡ଼ିଏ ଅନାଥ ଶିଶୁଙ୍କୁ ଆଣି ପାଖରେ ରଖିଛନ୍ତି । ନିଜେ ତାଙ୍କର ସେବାଯତ୍ନ କରନ୍ତି । ସହକର୍ମୀଣୀ ଲୋଡ଼ା । ସର୍ବସାଧାରଣଙ୍କର ସହାନୁଭୂତି ଆବଶ୍ୟକ । ଅର୍ଥାଭାବରୁ ହୁଏତ ଏଡ଼େ ବଡ଼ ଆଦର୍ଶରେ ସ୍ଥାପିତ ଅନୁଷ୍ଠାନଟି ଭାଙ୍ଗିଯିବ-। ଦେଶ ଲୋକଙ୍କର ସହାନୁଭୂତି ଲୋଡ଼ା–

 

ପରଶୁରାମ ବଡ଼ ପାଟି କରି ହସି ଉଠିଲେ । କହିଲେ, ଧନ୍ୟ ଆଦର୍ଶ । ଅର୍ଥ ଅଭାବରୁ ଅନୁଷ୍ଠାନଟି ଭାଙ୍ଗିବ ? ଅର୍ଥର ଅଭାବ ହେବ କାହିଁକି ? ଭିକ୍ଷାକଲେ ଅନୁଷ୍ଠାନ ଚଳେ ?

 

କଣ ସାଆନ୍ତେ ?

ଶୁଣ, ପାର୍ବତୀ କଣ କରୁଛନ୍ତି ।

ପରଶୁରାମ ପଢ଼ିଲେ ।

 

ଧଡ଼ିଆ ଖୁସି ହୋଇ କହିଲା, କେଡ଼େ ଭଲ କାମ କରିଛନ୍ତି ଆମର ମା । ସାଆନ୍ତେ, ଟଙ୍କା ଅଭାବରୁ ଅନୁଷ୍ଠାନ କଣ ସତେ ଭାଙ୍ଗିଯିବ ? ଆପଣଙ୍କର ଟଙ୍କା ଅଭାବ ନାହିଁ, କିଛି ପଠାଇ ଦେଉନ୍ତୁ । ମୁଁ ନିଜେ ଦେଇ ଆସିବ । ଶିଶୁସଦନକୁ ଭଲ କରି ଗଢ଼ି ଲୋକ ରଖି ମା ଏଠାକୁ ଚାଲି ଆସିବେ ।

 

ପରଶୁରାମ କହିଲେ, ମୋର ଟଙ୍କା କାହିଁରେ ଧଡ଼ିଆ ଯାହା ଦେଖୁଛୁ ସବୁ ତମମାନଙ୍କର । ତମର ଧନ ଅନ୍ୟକୁ ଦେବାକୁ ମୁଁ କିଏ ? ତା ଛଡ଼ା ପାର୍ବତୀଙ୍କର ଅନୁଷ୍ଠାନର ମୂଳଦୁଆ ଟଳମଳ ହେଉଛି । ଯେତେ ଧନ ସେଠି ଅଜାଡ଼ିଲେ ବି ସେ ଟଳି ପଡ଼ିବ ।

 

କାହିଁକି ?

 

ପାର୍ବତୀଙ୍କ ପରେ ସେ ଅନୁଷ୍ଠାନର ତତ୍ତ୍ୱ କିଏ ନେବ ? ମଣିଷର ମନ ବଦଳିଲେ ଅନାଥ ଶିଶୁସଦନ ଲୋଡ଼ା ହେବ ନାହିଁ । ରଘୁ ସାମଲର ଉତାଣି ପିଲାକୁ ଛାଡ଼ି ତା ମାଆ ମରିଗଲା-। ରଘୁଆ ହେଲା ବାତୁଆ, ଅକର୍ମଣ୍ୟ । ରଘୁ ରହିଛି ରୁଗ୍‍ଣ ନିଳୟରେ । ତା ପୁଅକୁ ପାଳୁଛି, –କଣ ତା ନାଁ ?

 

ସେରନ୍ତି ବଢ଼ଉଣୀ ।

 

ସେମିତିରେ ଧଡ଼ିଆ, ଯାହାର ନାହିଁ, ତା ଘରେ ପିଲା ଖେଳିବ । ଯାହାର ପାଞ୍ଚଟି ଅଛି ତାର ହେବ ଛଅଟି । ଆମ ବିଜିପୁରରେ ସବୁ ବାପା ସବୁ ମାଆ ସବୁ ପିଲାଙ୍କର ହେବେ । ଅନାଥ ନିଆଶ୍ରା ରହିବେ ନାହିଁ । ଆମ ମନରୁ ଉଚ୍ଚନୀଚ ଭାବ ଯାଉ, ଆମ ଭିତରେ ଘୃଣା ନାକଟେକା ନ ରହୁ, ଆମର ଏଇ ଗାଁଟିକୁ ଆମେ ସରଗ କରିବା । ଲୋକେ ଦେଖିବେ, ସେମାନେ ବି ତାଙ୍କ ଗାଁକୁ ସରଗ କରିବେ ।

ପର ଗାଁ ଲୋକ ବୁଝେଲେଣି ଆଜ୍ଞା, ଏମିତି କାମ କରିବାକୁ ହାଇପାଇଁ ହେଲେଣି । ତାଙ୍କୁ ଆସୁ ନାହିଁ ।

 

ଆମେ ତାଙ୍କୁ ଶିଖାଇ ଦେବା ।

ପରଶୁରାମ ପାକ୍ଷିକ ପତ୍ରିକା ପଢ଼ିଲେ । ଗୋଟାଏ ବ୍ୟଙ୍ଗ ଚିତ୍ରରେ ଆଖି ପଡ଼ିଲା ।

 

ସ୍ୱର୍ଗର ମେନକା ଧରାଧାମରେ ଅବତୀର୍ଣ୍ଣ । ବହୁତ ଚାନ୍ଦା ସେ ଆଦାୟ କରିଛନ୍ତି, କେତେ ବକ୍ତୃତା ଦେଇଛନ୍ତି । ଅରକ୍ଷ ନିବାସରେ ଏବେ ତାଙ୍କର ଚରଣ ଧୂଳି ପଡ଼ୁ ନାହିଁ । ରୁଗଣ–ନିଳୟରେ ତାଙ୍କର ଆଖି ପଡ଼ୁ ନାହିଁ । ସବୁଥିରୁ ସେ ବିଦାୟ ନେଇଛନ୍ତି । ତାଙ୍କର ଅନ୍ଧ ସ୍ୱାମୀ ଓ ବୃଦ୍ଧ କର୍ମୀ ନଟବର ସେ ସବୁ ଦାୟିତ୍ୱ ମୁଣ୍ଡକୁ ନେଇଛନ୍ତି । ମେନକା ନେଇଛନ୍ତି ଜଣେ ନିର୍ବୋଧ ଯୁବକ ଶିଶୁର ଦାୟିତ୍ୱ । ପାଦତଳେ ବସି, ସର୍ବସ୍ୱ ସମର୍ପି କେବଳ କୃପାକଟାକ୍ଷ ଭିକ୍ଷା କରୁଛନ୍ତି ମହର୍ଷି ଦୁଷ୍ମନ୍ତ !

 

ପରଶୁରାମଙ୍କର ମୁହଁ ମଉଳିଲା । ସମାଲୋଚନା କଣ ଏପରି କରାଯାଏ ? ପତ୍ର ଲେଉଟାଇଲେ । କ୍ଷଣପ୍ରଭାର ଚିଠି ଖଣ୍ଡିକ ଆହୁରି ଥରେ ଖୋଲିଲେ– ଆପଣ ବିରକ୍ତ ହୋଇଛନ୍ତି-? ଥରେ ଆସିଲେ ନାହିଁ ? ଦୁଷ୍ମନ୍ତଙ୍କର ମା ମଲାଦିନୁ ଧନର ପାହାଡ଼ ଓ ତା ସଙ୍ଗେ ସଙ୍ଗେ କେତେ ଜଞ୍ଜାଳ ଏବଂ ଅପମାନର ବୋଝ ମୁଣ୍ଡରେ ବୋହି ଚାଲିଛି । କାମ କରିବାକୁ ବେଳ ନାହିଁ କି ବକ୍ତୃତା ଦେବାକୁ ଆଗ୍ରହ ନାହିଁ । ତୁଷାରକାନ୍ତି ମୋର କଥା ଶୁଣୁ ନାହାନ୍ତି । ଆଦର୍ଶ ବୋଲି ଯାହାକୁ ସେ କହୁଛନ୍ତି ତାଆରି ପଛରେ ସେ ଗୋଡ଼ାଇଛନ୍ତି । ସଂସାର ବୋଲି ଆଉ ମୋର କିଛି ନାହିଁ । କେତେବେଳେ ଭାବୁଛି ଆତ୍ମହତ୍ୟା କରି ମରିବି, ପୁଣି କେତବେଳେ ଭାବୁଛି, ଜଞ୍ଜାଳର ପାହାଡ଼କୁ ଫିଙ୍ଗି ଦେଇ ଆପଣଙ୍କ ପାଖକୁ ଚାଲିଯିବି । ସବୁ ଦୋଷ ମାଗି ନେଇ ଆପଣଙ୍କ ପଛେ ପଛେ ଚାଲିବି । ଆପଣ ଯେତେବେଳେ ହାତରେ କୋଡ଼ି ଧରି ହିଡ଼ ହାଣୁଥିବେ, ମୁଁ ହାତରେ ଦାଆ ଧରି ଆଉ ଦଶଟା ଝିଅ ପୁଅଙ୍କ ସଙ୍ଗେ ବିଲ ବାଛୁଥିବି । ଏତେ ବଡ଼ କଠୋର କାରାଗାରରୁ ନିଷ୍କୃତ ଲଭି ମୁକ୍ତ କେଦାର ଉପରେ, ମୁକ୍ତ ଆକାଶ ତଳେ ସମତାର ଅନନ୍ତ ବିସ୍ମୃତି ଭିତରେ ଠିଆ ହେବି । ଅନୁମତି ଦେବେ ?

 

ଦି ଠୋପା ଲୁହ ସେ ଚିଠିରେ ପଡ଼ିଛି ।

ଦି ଠୋପା ଲୁହ ଢଳ ଢଳ ହେଲା ପରଶୁରାମଙ୍କ ଆଖିରେ ।

କଅଣ ସାଆନ୍ତେ ?

ଆରେ ଶୁଣରେ ଧଡ଼ିଆ,– ପଢ଼ିଲେ ।

 

ଧଡ଼ିଆ ଆଖି ପୋଛି କହିଲା, ଏଇଖିଣି ଲେଖିଦିଅ ମୋର ଦେଈକୁ ମୋର ମାଆକୁ, ମୁଁ ଯିବି ନେଇ ଆସିବି । ମୋ ଛାତି ଭିତର କଦର୍ଯ୍ୟ ହେଉଛି । ମାଆ ମୋର ମନେପଡ଼ୁଛନ୍ତି । ଲେଖ ସାଆନ୍ତେ । ଏଁ ହସୁଛ ? ଦେଈ ମୋର ଆସିବେ ନାହିଁ ?

 

ପରଶୁରାମ କହିଲେ, ଆସିବାକୁ କେହି ମନାକରୁ ନାହିଁ । ଗାଁ ଝିଅ ଗାଁକୁ ଫେରିବ । ବାପ ପାଖକୁ ଝିଅ ଫେରିବ, ସେଇଥିପାଇଁ ଅନୁମତି କଣ ? ଆହୁରି ଟିକିଏ ଅଭିମାନ ତା ମନରେ ରହି ଯାଇଛି, ସେଇଥି ପାଇଁ ସେ ଲୋଡ଼ୁଛି ଅନୁମତି ।

 

ଚିଠି ଦେବ ନାହିଁ ?

ନ ଦେଲେ ବି ସେ ଉତ୍ତର ପାଇବରେ ଧଡ଼ି, ମୋ ମନର କଥା ସେ ବୁଝିବ ।

ଧଡ଼ିଆ ତୁନି ରହିଲା ।

 

ପରଶୁରାମ ଚକ୍ରଧରଙ୍କ ଚିଠି ଖଣ୍ଡି ଖୋଲିଲେ–ଲେଖିଲେଖି ଥକିଲିଣି । ଆପଣ ନିଜେ ଆସି ପାର୍ବତୀକୁ ନେଇ ଯାଆନ୍ତୁ । ସେ ଯେ ଘର ଛାଡ଼ି ଶିଶୁ–ସଦନ ଖୋଲି ସେଇଠି ରହୁଛି, ଆଉ କେତୋଟି ଅନାଥ ଶିଶୁଙ୍କୁ ପାଳୁଛି, ସେଇଥିପାଇଁ ଯିଏ ଯେତେ ପ୍ରଶଂସା କରୁ, ଲୋକେ ବି ଏଣୁତେଣୁ କହୁଛନ୍ତି । ଆପଣଙ୍କୁ ଯେତିକି ନିନ୍ଦା ମତେ ବି ସେତିକି ନିନ୍ଦା–

 

ପରଶୁରାମ ଚିଠି ବନ୍ଦ କରି ରଖିଲେ । କାହାରି ପାଖକୁ ସେ ଧାଇଁଯିବେ ନାହିଁ । ଯିଏ ଆସିବ ଆସୁ, ମନା କରିବେ ନାହିଁ । ପରିଶ୍ରମ କଲେ ସମସ୍ତେ ସୁଖରେ ଚଳିବେ । ପରହାତକୁ ଅନାଇଁ ରହିବେ ନାହିଁ । ମନରୁ ନିଃସହାୟତାର ଧାରଣା ଦୂର ହେବ, ଆତ୍ମବିଶ୍ୱାସ ଆସିବ ।

 

ପରଦିନ ସକାଳେ ।

 

ଗାଁ ପଞ୍ଚାୟତ ଘରେ ବିଜିପୁରର ମୁଖିଆ ମୁଖିଆ ଲୋକ ଓ ଖୁସିବାସିଆ ସାଧାରଣ ମୂଲିଆ ଏକାଠି ହୋଇଛନ୍ତି । କାହା ଶିକ୍ଷାରେ ପଡ଼ି କେଜାଣି ଲୋକଙ୍କର ମନ ଫାଟିଛି । ସେମାନଙ୍କ ମଧ୍ୟରୁ ଅନେକେ ଆଜି ପ୍ରସ୍ତୁତ ହୋଇ ରହିଛନ୍ତି, କନ୍ଦଳ ଭିଆଇ ଗଣ୍ଡଗୋଳ ସୃଷ୍ଟି କରିବେ । ପରଶୁରାମ କାଗଜପତ୍ର ଓଲଟାଉଛନ୍ତି । କିଏ କଣ କହିବ ଶୁଣିବାକୁ ଉଦ୍‌ବିଗ୍ନ ହୋଇ କାନ ଡେରିଛନ୍ତି ।

 

ପରଶୁରାମ ହିଁ ଆଗ କହିଲେ, ମୁଁ ଶୁଣୁଛି କେହି ଆଜି ଆପତ୍ତି କରି ଆମର ଏ ନୀତି ଭାଙ୍ଗିବାକୁ ପଣ କରିଛନ୍ତି । କାହିଁକି, ମୁଁ ଶୁଣେ ? ଆମେ ଆଗେଇବା ନା ପଛେଇବା ? କାହାର କେଉଁ କଥାର ଅଭାବ ହେଉଛି । ଆପଣମାନେ ତନଖି ଦେଖନ୍ତୁ, ଚାରିବର୍ଷତଳେ ଗ୍ରାମର ଅବସ୍ଥା ଥିଲା କଣ, ଆଜି ହୋଇଛି କଣ ? ଗ୍ରାମର ସମୂହ ଉତ୍ପନ୍ନ ଯାହା ଥିଲା, ଏବେ ତାହା ତିନିଗୁଣ ବଢ଼ିଛି । ଆହୁରି କିପରି ବଢ଼ିବ ଆସନ୍ତୁ ତାର ଉପାୟ କରିବା । ଉତ୍ପନ୍ନ ଯେତିକି ବଢ଼ିବ, ଆମର ଅବସ୍ଥା ସେତିକି ଭଲ ହେବ । କେହି କେହି ଆପତ୍ତି କରିବାକୁ ଆସିଛ ପରା, ସାଧାରଣ କାର୍ଯ୍ୟ ପାଇଁ ଖର୍ଚ୍ଚ ବାଦ ଯାଇ ଓ ସର୍ବ ନିମ୍ନହାରରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରି ଯାହା ବଳୁଛି, ସେଥିରୁ ଲାଭାଂଶ ବେଶି ମିଳୁ ନାହିଁ ? ସତକଥା, କିନ୍ତୁ ମୁଁ ମନେକରୁଛି, ସମସ୍ତେ ଯଦି ଏକମନ ହୋଇ ବୁଝି ବିଚାରି କାର୍ଯ୍ୟ କରିବା, ଆହୁରି ପାଞ୍ଚ ବର୍ଷ ପରେ ଲାଭାଂଶର ହାର ଯଥେଷ୍ଟ ବଢ଼ିଯିବ । ଆଶା କରୁଛି, ପୂର୍ବରୁ ଆୟକୁ ମଧ୍ୟ ବଳି ପଡ଼ିବ । ଧୈର୍ଯ୍ୟ ଲୋଡ଼ା, ପରିଶ୍ରମ ଲୋଡ଼ା ।

 

ଧୈର୍ଯ୍ୟର ସୀମା ଅଛି ତ ।

 

କେବଳ ଧୈର୍ଯ୍ୟର ନୁହେ ସବୁ କଥାର ସୀମା ଅଛି । ଯେୁଉଁମାନେ ଭାବିଛ, ଆମର ଏ ସୁଶୃଙ୍ଖଳ ନୀତିକୁ ଭାଙ୍ଗି ପୁଣି ଅତୀତରେ ଅନ୍ଧାରକୁ ଫେରିଯିବ, ସେମାନେ ଠିକ୍‌ ଭାବୁ ନାହିଁ । ପୁଣି କଣ ଚାହଁ ଯେ କେଇଟି କୁଟୁମ୍ବର ସ୍ୱାର୍ଥ ପାଇଁ ବିଜିପୁରର ଶହ ଶହ କୁଟୁମ୍ବ ଉପାସ ଭୋକର କୋଳକୁ ବାହୁଡ଼ି ଯିବେ ? ଅଶିକ୍ଷା ଅନ୍ଧାର ଘୋଟିବ ? କୁଟୀରଶିଳ୍ପ ସବୁ ଭାଙ୍ଗିବ ? ରୋଗ ବଇରାଗ ଦୁଃଖ ଯନ୍ତ୍ରଣାକୁ ପୁଣି ଆମେ ନିମନ୍ତ୍ରଣ କରି ଆଣିବା ?

 

ଅସମ୍ଭବ !

କଦାପି ନୁହେ ।

ଆମେ ମରିବୁ ନାହିଁ ।

 

ଶୁଶୁଛ ତ ପ୍ରଳୟ ଝନ୍‌ଜାର ହୁଙ୍କାର ? ସତେ, କେହି ମରିବେ ନାହିଁ । କାହାରିକୁ ମରିବାକୁ ଆମେ ଛାଡ଼ି ଦେଇପାରିବୁ ନାହିଁ । ଆମର ସମସ୍ତେ ଲୋଡ଼ା । ମରିବାକୁ ନିର୍ଦ୍ଦେଶ ଦେଲେ ଧ୍ୱଂସ ଓ ପ୍ରଳୟର ତୋପାନ ବହିବ । ଅଶାନ୍ତି ଅସନ୍ତୋଷ ଓ ଈର୍ଷାର ଅନଳ ଜଳିବ । ସବୁ ପୋଡ଼ିଜଳି ପାଉଁଶ ହେବ । ଯାହା ଅଛି ତାକୁ ଆମେ ଧ୍ୱଂସ ହେବାକୁ ଦେବୁ ନାହିଁ । ଆମେ ସମସ୍ତେ କାମ କରିବା, ସବୁ ଉତ୍ପନ୍ନ ବଢ଼ାଇବା ଯାହା ଆମର ଅଛି ତାର ଉନ୍ନତି ସିନା କରିବା, ଟଳି ପଡ଼ିବାକୁ ଛାଡ଼ି ଦେବା ନାହିଁ । ଆଗକୁ ମାଡ଼ି ଚାଲିବା ସିନା ପଛକୁ ଫେରିବା ନାହିଁ ।

 

ନିଜେ ଆପଣ କେତେ ଅଂଶର ମାଲିକ ?

 

ସେଇ କଥା ମୁଁ କହିବାକୁ ଯାଉଥିଲି । ମୋର କୌଣସି ଅଂଶ ଲୋଡ଼ା ନାହିଁ । ମୋର ଯାହା ଅଂଶ ଥିଲା ସବୁ ମୁଁ ଗ୍ରାମବାସୀଙ୍କ ହାତରେ ଅର୍ପଣ କରି ଲେଖି ଦେଇଛି । କେବଳ ସେତିକି ନୁହେ, ଗତବର୍ଷମାନଙ୍କର ଲାଭାଂଶ ଯାହା ଗଚ୍ଛିତ ଅଛି, ସୁବ ମୁଁ ଆପଣଙ୍କ ହାତକୁ ଟେକି ଦେଇଛି । ମୋର ସମ୍ପତ୍ତି କହିଲେ ଯାହା ଅଛି, ଆଜିଠାରୁ ସବୁ ଆପଣମାନଙ୍କର । ମୋର ଲୋଡ଼ା ଖଣ୍ଡିଏ କୋଡ଼ି, ଗୋଟିଏ ଟାଙ୍ଗିଆ ଓ ପଟେ ଦାଆ, ଖାଇବା ପାଇଁ ଗ୍ରାମ ଦେବତାଙ୍କର ଭୋଗରୁ ମୁଠିଏ ଅନ୍ନ, ରହିବା ପାଇଁ ଘରେ ଟିକିଏ ଥାନ । ସେତିକି ।

 

ସମସ୍ତେ କାବା ହୋଇ ପରଶୁରାମଙ୍କର ପ୍ରଫୁଲ୍ଲ ମୁହଁକୁ ଚାହିଁ ରହିଲେ । ଅବିଶ୍ୱାସ କରିବାର କୌଣସି କାରଣ ନାହିଁ । ସାତ ପୁରୁଷର ବୁନିଆଦ ଜମିଦାର ପରଶୁରାମ, ବିଳାସ ଓ ପ୍ରତିପତ୍ତିର କୋଳରେ ଯିଏ ବଢ଼ି ଆସିଥିଲେ, ହସି ହସି ସବୁ ସମ୍ପତ୍ତି ସେ ଗ୍ରାମର ମଙ୍ଗଳ ପାଇଁ ଅର୍ପଣ କରିଥିଲେ । ନିଜ ପାଇଁ ଓ ନିଜର କୁଟୁମ୍ବ ପାଇଁ ଯେତିକି ସେ ରଖିଥିଲେ, ନିଜ ମନକୁ ସେ ଆଜି ସେତିକି ବି ଛାଡ଼ି ପାରିଛନ୍ତି । ଗ୍ରାମର ଉନ୍ନତି ପାଇଁ ନିଜକୁ ମଧ୍ୟ ଆଜି ସମର୍ପି ଦେଇଛନ୍ତି ।

 

ଝିପି ଝିପି ବରଷା । ବଉଦ ଠେଲି ସୂର୍ଯ୍ୟ ଉଙ୍କି ମାରିଲେ । ରାତିର ତୋଫାନ ଥମିଛି । ପ୍ରକୃତି ନିଶ୍ଚଳ । ସତେ କି ତନ୍ମୟ ହୋଇ ଶୁଣୁଛି ଏହି ବିରାଟ ନିଷ୍ପତ୍ତି । ଅଜାଣତରେ ଓଠରେ ଝଟକିଛି ହସ, ଆଖିରୁ ଝରି ପଡ଼ୁଛି ଆନନ୍ଦ୍ରାଶୁ ।

 

ଲୋକଙ୍କ ମନରେ ବିସ୍ମୟ । କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । ଯେଉଁମାନେ ସମାଲୋଚନା କରିବାକୁ ଆସିଥିଲେ, କନ୍ଦଳ ଭିଆଇବାକୁ ଦୃଢ଼ପଣ କରି ଆସିଥିଲେ, ସେମାନେ ମୁଣ୍ଡ ନୋଇଁଲେ । ଏହି ବିରାଟ ବ୍ୟକ୍ତିତ୍ୱର ଉଜ୍ଜ୍ୱଳ ଆଖିର ଆଲୋକ ତାଙ୍କ ମନରୁ ସନ୍ଦେହର ଅନ୍ଧକାର ବିଦୂରିତ କଲା ।

 

ଉତ୍ତେଜିତ ହୋଇ ସତୁରି ବର୍ଷର ବୁଢ଼ା ୟୁନୁସ୍‌ମିଆଁ ଗହଳି ଠେଲି ଠେଙ୍ଗାଧରି ଆଗକୁ ମାଡ଼ି ଆସିଲା । ମୁଣ୍ଡ ଥୁରୁ ଥୁରୁ ଗୋଡ଼ ଟଳଟଳ । ଠେଙ୍ଗାଟାକୁ ତଳେ ପକାଇ ବୁଲି ପଡ଼ି ହାତ ଦେଖାଇ କହିଲା, ଇଧର୍‌ ଦେଖୋ ଫିର୍‌ସେ ଆଗୟେ !

 

ଲୋକେ ଉପରକୁ ଚାହିଁଲେ । କାନ୍ଥରେ ଟଙ୍ଗାହୋଇଛି ମହାତ୍ମା ଗାନ୍ଧୀଙ୍କର ଫଟୋ । ଛାତିରୁ ଦୁଇଧାର ରକ୍ତ ନିଗିଡ଼ି ପଡ଼ୁଛି । ବିଶ୍ୱମାନବର କଲ୍ୟାଣ ପାଇଁ, ସ୍ୱାର୍ଥନ୍ୱେଷୀ ମଣିଷ ପଲର ଲୋଭିଲା ପାଟିରେ ଅସରନ୍ତି ରକ୍ତର ଧାର ସେ ଅଜାଡ଼ି ଦେଇଛନ୍ତି । ନିର୍ଯାତିତ ବିଶ୍ୱମାନବର ପ୍ରତୀକ ! ତାଙ୍କର ପ୍ରତିମୂର୍ତ୍ତି ଉପରେ ଟଙ୍ଗା ହୋଇଛି ଧ୍ୟାନମଗ୍ନ ବୁଦ୍ଧଦେବଙ୍କର ଛବି, ଆଉ ଦୁଇପାଖେ କ୍ରୁଶ ଉପରେ ଯିଶୁଖ୍ରୀଷ୍ଟ ଓ ମହମ୍ମଦଙ୍କର ପ୍ରତୀକ ପ୍ରାର୍ଥନାରତ ଆଲ୍ଲାଙ୍କର ଛବି ।

 

ବୁଢ଼ାର ଥରିଲା ତୁଣ୍ଡରୁ କଥା ବାହାରିଲା, ସବ୍‌କୋଇ ଫିର୍‌ଆଗୟେ । ଦୁନିଆଁ ମେଁ ଦୁଃଖ ନ ରହେଗା । ନିଅ, ମୋର ଅଂଶ ମୁଁ ଆଜି ମୋର ଭାଇମାନଙ୍କ ହାତରେ ଛାଡ଼ିଦେଲି । କେଡ଼େ ଆନନ୍ଦ ! ସାତପ୍ରାଣୀ କୁଟୁମ୍ବର ଜଣେ ହେବାର ଆନନ୍ଦ ଓ ଗର୍ବ ଅପେକ୍ଷା ସତରଶ ପ୍ରାଣୀ କୁଟୁମ୍ବର ଜଣେ ହୋଇ ରହିବାର ଆନନ୍ଦ ଓ ଗର୍ବ କେଡ଼େ ବଡ଼ ! ଦିଅ, ମୋ ହାତକୁ ବି ଦାଆ ଦିଅ-। ବିଲ ବାଛୁ ବାଛୁ ଯେଉଁଠି ମୁଁ ଟଳି ପଡ଼ିବି ସେଇଠି ମୋର କବର ହେବ । ସାରା ବିଜିପୁରର ସବୁ ଜମି ତ ମୋର, ସମସ୍ତେ ତମେ ମୋଓରି ପିଲାକବିଲା ।

 

ସନକ ସାହୁ, ସୁବଠୁଁ ଯେ ବଡ଼ଧନୀ, ବଡ଼ ମହାଜନ, ଚାଷୀ ମୂଲିଆଙ୍କର ସାକ୍ଷାତ୍‍ ଯମ ଥିଲେ, ଯେଉଁ ଗଜାବଅସିଆ ସନକ ସାହୁ ସେ ବି ମାଡ଼ି ଆସିଲେ ଆଗକୁ । ସବୁ ନାଟର ସେଇ ଥିଲେ ଗୋବର୍ଦ୍ଧନ । ତାଙ୍କର କଣ୍ଠରୁ ଉଠିଲା ଧ୍ୱନି –ମହାତ୍ମା ଗାନ୍ଧିକି ଜୟ !

 

ମହାତ୍ମା ଗାନ୍ଧି କି ଜେ– ଧ୍ୱନୀରେ ଆକାଶ କମ୍ପିଲା, ବାଦଲ ଗଲା ଫସର ଫାଟି, ବରଷା ଗଲା ହଟି । ନିର୍ମଳ ଆକାଶର ମଥା ଉପରେ ଝଟକି ଉଠିଲା ହସିଲା ତପନ । ସପନ କୁହୁଡ଼ି ବିଦୂରିତ କରି ମୁକ୍ତ କିରଣ ସରଗ କୁସୁମ, ମହାମାନବର ରକତ କଣିକା ପରି ଝରି ପଡ଼ିଲା ଧରଣୀ ଛାତିରେ, ଅବିରାମ, ଅବିରାମ, ଗଣ ଦେବତାର ଆରାଧନା ପାଇଁ, ବିଶ୍ୱମାନବର କଲ୍ୟାଣ ପାଇଁ ।

 

ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ, ହରିଜନ୍ମ । ଦେବକୀର ଉଦରୁ ଜନମ ଲଭି କରାଗାର ଛାଡ଼ି ଭଗବାନ ଶ୍ରୀକୃଷ୍ଣ ଯଶୋଦାଙ୍କ କୋଳରେ ଉପସ୍ଥିତ । ଏହା କେଉଁ ଅନାଦି କାଳର କଥା, କିନ୍ତୁ ଉତ୍ସବ ପାଳିତ ହେଉଛି ଘରେ ପ୍ରତି ବରଷ । ରାତିର ମେଘ, ତୋଫାନ ଓ ଯେଉଁ ବିଜୁଳି ପଥ କଢ଼ାଇ ଥିଲା, ଦିନର ଆଲୋକରେ ସବୁ ଅପସରିଛି । କେବଳ ଭାଦ୍ରର ଆକାଶରେ ସକାଳର ଧୀର ପବନରେ ଭାସିଭାସି ଚାଲିଛି ରୂପେଲୀ ବଉଦ ।

 

ଅଦିନିଆଁ ବଢ଼ିରେ ଧନୀପୁର ଗାଁରେ ଛୁଟିଛି ବଳାଗଣ୍ଠିଏ ପାଣି । ଛୋଟ ବଢ଼ି, କ୍ଷତି କରେ ନାହିଁ । ଗହୀର ବିଲ, ଯେତେଦୂରକୁ ଯାଏ ଆଖି, ଚିଲିକା ପରି ଦିଶୁଥିଲା । ପାଣି ଛାଡ଼ିଲାଣି, ସବୁଜ ଧାନ କ୍ଷେତ ପାଣି ଭିତରୁ ଉଙ୍କି ମାରିଲାଣି ।

 

ସେହି ଗହୀର ବିଲର ପାଣି କାଦୁଅକୁ ଦି ଭାଗ କରି ସବୁଜ କ୍ଷେତ ଭିତରେ ଚାଲିଛନ୍ତି ଦିଓଟି ମଣିଷ, ଧୂମକେତୁ ଓ ସହଦେବ ।

 

ଆଗରେ ସହଦେବ, ବଳିଷ୍ଠ ସୁନ୍ଦର ଯୁବକ । ହାତରେ ଛତାବାଡ଼ି । କାନ୍ଧରେ ଔଷଧ ବାକ୍‌ସ । ମୁଣ୍ଡର ବାବୁରି ବାଳ ଉପରେ ଧୋବ ଫରଫର ଖଦଡ଼ ଟୋପି । ଗଜୁରି ଆସୁଛି ନିଶ ଓ ଦାଢ଼ି । ପଛରେ ଧୂମକେତୁ, ଦିନେ ଯେ ଦେବରାଜ ନାମରେ ପରିଚିତ ଥିଲେ । ଆଜି ସେ ବସୁଦେବ, ଛାତିରେ ଜାକି ଧରିଛନ୍ତି ସଦ୍ୟଜାତ ଶିଶୁ । ଆଜି ଜନ୍ମାଷ୍ଟମୀ, ହରିଜନ୍ମ !

 

ଧୂମକେତୁର ଛାତି ଉପରେ ଲୁଗାରେ ଆବୃତ ହୋଇ ଏ ଯୁଗର କୃଷ୍ଣ ଆଖି ବୁଜି ଦେଇଛି । ଧୂମକେତୁ ଚାଲିଚନ୍ତି, ବିଜୁଳି ନୁହେଁ, ଧନୀପୁରର ଗହୀର ବିଲ ଉପରେ ମାଡ଼ିଛି ବଢ଼ି ପାଣି, ଛିଡ଼ିଛିଡ଼ି ଆସୁଛି ।

 

ଆଗରେ ଦିଶୁଛି ଧନୀପୁର ଗାଁ । ଆଉ, ପଛରେ ?

 

ସେ ଗାଁ ନା ବରିଲୋ । ବିଜିପୁରକୁ କୋଶେ । ହଇଜା ଲାଗିଛି ପ୍ରବଳ । ତିନିଜଣ ମଲେଣି । ଆହୁରି ଦି ଜଣ ଘାଣ୍ଟି ହେଉଛନ୍ତି । ବନ୍ଧୁ ଦିଓଟିଙ୍କର ସେଇ ଗାଁରେ ରହଣି ଥିଲା । ଦୁଇ ରୋଗୀଙ୍କ ପାଖରେ ଦୁଇ ଜଣ । ରାତି । ବର୍ଷା । ତୋଫାନ । ଘଡ଼ଘଡ଼ି । ଚାଲିଥାଏ ଅବିରାମ । ରାତି ଅଧରେ ବସାକୁ ଫେରିଲେ । ଲୋଅର ପ୍ରାଇମେରୀ ସ୍କୁଲଘର । ଗାଁ ବାହାରେ ବୁଦିବୁଦିକା ବଣ ପାଖରେ ମଶାଣି ବାଟ । ଘର ଉପରେ ଛପର । ଅଧା କାନ୍ଥ । ତାଟି ଆଉଜା ।

 

ନିଦ ହୋଇଛି କି ନାହିଁ, ବତାସ ସାଥିରେ ଭାସି ଆସିଲା ସଦ୍ୟଜାତ ଶିଶୁର ଡାକ, କୁଆଁ, କୁଆଁ, କୋହମ୍‌ ।

 

ଦିହେଁ ଉଠିଲେ ଏକା ସଙ୍ଗରେ ।

କଣ ଧୂମକେତୁ ?

କଣ ସହଦେବ ?

 

ଦୁହିଁଙ୍କର ଟର୍ଚ୍ଚ ଆଲୁଅ ଜଳିଲା । ଦିହେଁ ଦିହିଁଙ୍କ ମୁହଁଙ୍କୁ ଚାହିଁଲେ, ଘର ପଛରୁ ଶିଶୁ ଦେବତାର ଡାକ, କୋହଂ, କୋହଂ ।

 

ଦିହେଁ ଉଠିଲେ ।

ବୁଦାତଳେ– ।

ବଞ୍ଚିଛି, କାନ୍ଦୁଛି ।

 

ଟର୍ଚ୍ଚ ଆଲୁଅ ଚାରିଆଡ଼େ ବୁଲିଗଲା । କେହି ନାହିଁ କୁଆଡ଼େ । ଧୁମକେତୁ ଶିଶୁକୁ ହାତରେ ଉଠାଇଲା । ସହଦେବ ଛୁଟିଲା ଗାଁ ଭିତରକୁ । ଲୋକେ ଶୁଣିଲେ । କବାଟ କିଳିଲେ । ଦୁର୍ଗମ ରାତି ।

 

ଦୁଇ ଘରୁ ଉଠିଲା କ୍ରନ୍ଦନର ରୋଳ ।

ସହଦେବ ଫେରି ଆସିଲେ ।

ଧନୀପୁର ଗାଁ ।

 

ଅନାଥ–ଶିଶୁ–ସଦନ । ବଡ଼ ହତା ଭିତରେ ତୋଳା ହୋଇଛି ଛୋଟ ଚାଳଘର । ଆଗ ଧାଡ଼ିରେ ଲମ୍ବ ଲମ୍ବ ଦୁଇ ବଖରା ଘର । ପୂର୍ବପଟ ବଖରାକୁ ଲାଗି ଛୋଟ ଘର ବଖୁରିଏ । ସେଇଠି ଏ ଅଫିସ । ପଶ୍ଚିମ ପଟକୁ ଆଉ ବଖୁରିଏ ଛୋଟଘର । ଖଞ୍ଜା ଭିତରକୁ ଯିବାକୁ ସେଇ ବାଟ । ଦୂରେଇ କରି ଖଞ୍ଜା ଭିତରେ ଆହୁରି କେତୋଟି ବଖରା, ରୋଷଘର, ଭଣ୍ଡାରଘର । ଦି ବଖରା ଖାଲି ପଡ଼ିଛି । ଖଞ୍ଜା ମଝିରେ କୂଅ, କୂଅ ପାଖରେ ବାରିକୁ ଯିବାକୁ ବାଟ ।

 

ମୂଳୁଦୁଆ ପୁରୁଷେ ଉଞ୍ଚ ।

 

ଧୂମକେତୁଙ୍କର ଉତ୍ସାହ ପାର୍ବତୀଙ୍କର ଧନରେ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଦିନ କେଇଟାରେ ଅନୁଷ୍ଠାନଟି ଗଢ଼ା ହୋଇପାରିଛି । ସାତଟି ଶିଶୁ ସ୍ଥାନ ପାଇଛନ୍ତି । ସେମାନଙ୍କର ଯତ୍ନ ନେବାକୁ ପାର୍ବତୀ ଦୁଇଜଣ ଧାଈ ନିଯୁକ୍ତ କରିଛନ୍ତି । ସାତୋଟି ଶିଶୁ ମଧ୍ୟରୁ ଚାରୋଟି ପୁଅ ଓ ତିନୋଟି ଝିଅ । ସେମାନଙ୍କର ବୟସ ପାଞ୍ଚ ବର୍ଷରୁ କମ୍‌ ଦୁଇ ବର୍ଷରୁ ବେଶି । ଅନାଥ, ନିରାଶ୍ରୟ । ପିଲାଗୁଡ଼ିଙ୍କ ଭିତରୁ ଅଧିକାଂଶ ସମାଜଚ୍ୟୁତ–ମା’ମାନଙ୍କର ସନ୍ତାନ । କାହାର ମା ମୃତ, କାହାର ମା ପଳାତକ । ଗୋଟିଏ ଶିଶୁର ମାତା ସମାଜ ପତିତା, ଦୁଇବର୍ଷ କାଳ ଭିକ୍ଷାକରି ଶିଶୁଟିକୁ ବଂଚାଇ ଶେଷକୁ ସ୍ୱଇଚ୍ଛାରେ ତାର ପୁଅଟିକୁ ପାର୍ବତୀଙ୍କ ଆଶ୍ରମରେ ଛାଡ଼ି ଦେଇ ଯାଇଛି । ଆଉ ତାର ଦେଖାଦର୍ଶନ ମିଳୁ ନାହିଁ ।

 

ସାତପିଲାର ମା ପାର୍ବତୀ, ଘର ଛାଡ଼ି ଆଭିଜାତ୍ୟ ଭୁଲି, ସମାଜ ଆଖିରେ ଯେଉଁମାନେ ଘୃଣ୍ୟ ପତିତ ପାପର ଫଳ, ସେଇମାନଙ୍କୁ ସେ ନିଜର କରିଛନ୍ତି । ଗୋଟିଏ ସନ୍ତାନ ହରାଇ ସାତଟି ସନ୍ତାନର ମା ହୋଇଛନ୍ତି । ନିଜେ ସିନା ଯତ୍ନ ନେବେ, ଆଦର କରିବେ, ସେମାନଙ୍କୁ ବଞ୍ଚାଇ ମଣିଷ କରିବାକୁ ପାଖରେ ତ ଧନ ନାହିଁ । ସ୍ୱାମୀଙ୍କର ଦାନ, ଦେହରେ ଯେଉଁ କେତେଖଣ୍ଡି ଗହଣା ଥିଲା, ପାଖରେ ଯେତେ ଧନ ଥିଲା, ସବୁ ପ୍ରାୟ ସରି ଆସିଛି । ପିଲାଗୁଡ଼ିଙ୍କୁ କଣ ଖୋଇ ବଞ୍ଚାଇ ରଖିବେ-? ଗୋଟିଏ ଦୁଧିଆଳି ଗାଈ । କ୍ଷୀରର ପରିଣାମ କମି ଆସିଲାଣି । ଛେଳି ଦିଓଟି ଦୁଧିଆଳୀ ହୋଇନାହାନ୍ତି ।

 

ପ୍ରଥମ ଉତ୍ସାହ ଶୀତଳ ହୋଇ ଆସିଲାରୁ ଗ୍ରାମବାସୀ ଆଉ କାମର ସେତେ ମନ ଦେଉ ନାହାନ୍ତି । ମୁଠିଭିକ୍ଷା ଆରମ୍ଭ କରାହୋଇଥିଲା । ଭିକ୍ଷାର ପରିମାଣ କମିଲାଣି । ଅଧିକାଂଶ ବନ୍ଦ କରି ଦେଲେଣି । କେହି କେହି ସମାଲୋଚନା କରି କହିଲେଣି, ପ୍ରଚାର ବି କଲେଣି, ଏପରି ଅନୁଷ୍ଠାନ ଲୋଡ଼ା ନାହିଁ । ସମାଜର ନୈତିକ ଜୀବନ ଉପରେ ଏହାର ପ୍ରଭାବ ପଡ଼ିବ । ସାମାନ୍ୟ କେତୋଟି ଶିଶୁ ଯଦି ମରି ମାଟିରେ ମିଶନ୍ତି ଦେଶର ଲୋକସଂଖ୍ୟା କମିବ ନାହିଁ, ଦେଶ ରସାତଳକୁ ଯିବ ନାହିଁ । କିନ୍ତୁ ଦେଶର ନୈତିକ ଜୀବନ ଉପରେ ଯଦି ଏହାର ପ୍ରଭାବ ପଡ଼େ, ସମାଜରେ ଉତ୍ସୃଙ୍ଖଳା ସୃଷ୍ଟି ହେବ ।

 

କେହି କେହି କହିଲେଣି ଓ ପ୍ରଚାର କଲେଣି, ଯିଏ ବିବାହିତ ସ୍ୱାମୀଙ୍କୁ ଛାଡ଼ି ଆସିଛନ୍ତି, ଯାହାଙ୍କୁ ସ୍ୱାମୀ ପରିତ୍ୟାଗ କରିଛନ୍ତି, ସେ କି ଆଦର୍ଶ ନେଇ ଠିଆ ହୋଇଛନ୍ତି ନାରୀ ସମାଜ ଆଗରେ ? ଯେତେ ସ୍ୱର୍ଥତ୍ୟାଗ କଲେ କି ଦେଶହିତକର କାର୍ଯ୍ୟ କଲେ ମଧ୍ୟ ନିଜର ଆଦର୍ଶ ଦୁନିଆଁ ଆଖିରେ ତାଙ୍କୁ ଛୋଟ କରିଛି ଓ କରିବ । ସେ ନିଜେ ହିଁ ଉତ୍ସୃଙ୍ଖଳତାର ଜୀବନ୍ତ ଉଦାହରଣ !

 

ଭାଇ, ଯିଏ ତାଙ୍କର ଜୀବନକୁ ଭସାଇ ଦେଇଥିଲେ, ସେ ମଧ୍ୟ ଏ କାର୍ଯ୍ୟକୁ ପସନ୍ଦ କରୁନାହାନ୍ତି । ବିଶେଷତଃ ଧୂମକେତୁଙ୍କର ବନ୍ଧୁତ୍ୱ । ଯେଉଁ ଧୂମକେତୁ ଡାକ୍ତର ହିସାବରେ ରୋଗୀ ଦେଖିବାକୁ ଆସିଥିଲେ, ତାଙ୍କରି ଉତ୍ସାହରେ ପାର୍ବତୀ ଶିଖିଲେ ହୋମିଓପ୍ୟାଥି । ତାଙ୍କରି ପ୍ରରୋଚନାରେ ଘର ଛାଡ଼ି ଆଶ୍ରମ ତୋଳି ସେଇଠି ରହୁଚନ୍ତି । କାହାରି ଢଙ୍ଗଢାଙ୍ଗ ଉପରେ ସନ୍ଦେହ ଚାହାଁଣୀ ପକାଇବାର ଅଭ୍ୟାସ ତାଙ୍କର ନାହିଁ । ତଥାପି, ଦୁନିଆଁର ଲୋକେ ଋଷି ନୁହନ୍ତି । ରୂପ, ଯୌବନ, ନିର୍ଜନତା ଓ ସ୍ୱାଧୀନତା ପୁଣି ତାରି ବନ୍ଧୁତା, ଟାଣ ପାଦକୁ ଅବାଟକୁ ଟାଣେ । ସେଇଥିପାଇଁ ତାଙ୍କର ଇଚ୍ଛା, ପାର୍ବତୀ ବିଜିପୁର ଫେରିଯାଉ । ସେଠାରେ ସେ ତାର ଯାହା ମନ କରୁ ।

 

ଭାଉଜ ସୁମତୀ ସେଇଆ ଚାହାନ୍ତି, ସେଇଆ କହନ୍ତି । ଦେଖାଇ ଦେଖାଇ ପରିହାସ ଛଳରେ କଲିଜାଛିଣ୍ଡା କଥା କହନ୍ତି । ସ୍ନେହର ଅବତାର ସେ, ତାଙ୍କର ଇଚ୍ଛା, ପାର୍ବତୀ ଯାହା କରୁଛି କରୁ, ଘରେ ଥାଉ, ଅନାଥ ପିଲାଙ୍କର ଯତ୍ନ ଅନ୍ୟମାନେ ପଛେ ନେଉନ୍ତୁ । ପରଘରେ ବେଳ ଅବେଳରେ ପଶି ଝିଅପିଲାଙ୍କର ସେବା କରୁ କି ଔଷଧ ଦେଉ ଆପତ୍ତି ନାହିଁ । ପୁଅକୁ ସଙ୍ଗରେ ନେଇ ଯାଉ, ପିଲାଟି ବି ଶିଖିଥାଉ ।

 

ସବୁ କଥା ପାର୍ବତୀ ଜାଣନ୍ତି, ଶୁଣନ୍ତି । ନିଜ କାମରୁ ପଛେଇ ରହନ୍ତି ନାହିଁ । ତାଙ୍କ ଆଖି ଆଗରେ ଆଦର୍ଶ ଧୂମକେତୁ ।

 

ଧୂମକେତୁ ତାଙ୍କୁ ପରାମର୍ଶ ଦେଇଛନ୍ତି, ଶିଖାଇଛନ୍ତି, ରୋଗୀର ସେବା କରିବାକୁ ଅନୁପ୍ରାଣିତ କରିଛନ୍ତି । ଦିନ ନାହିଁ ରାତି ନାହିଁ, ଯେତେବେଳେ ଡକାଇଲେ ସେ ଧାଇଁ ଆସନ୍ତି, ପାଖକୁ ଗଲେ ଉଠି ବସନ୍ତି । ଧୈର୍ଯ୍ୟର ସହିତ ସବୁ ଶୁଣନ୍ତି । ଉପଦେଶ ଦିଅନ୍ତି । ରୋଗପାଇଁ ଔଷଧର ବିଧାନ କରନ୍ତି । ଡାକିଲେ ରୋଗୀକୁ ଦେଖିବାକୁ ସାଙ୍ଗରେ ଯାଆନ୍ତି ।

 

ଧୂମକେତୁ, ଦେବତା ! ସେମିତି ହସହସ, ମନକିଣା ଚାହାଁଣୀ, ହୃଦୟଜିଣା କଥା । ମନରେ ଭୟ ନାହିଁ, ସଙ୍କାଚ ନାହିଁ । ସମାଲୋଚନା ତାଙ୍କ କାନରେ ପଶେ ନାହିଁ । ପ୍ରକୃତିର ସନ୍ତାନ ସେ । ପ୍ରକୃତି ସଙ୍ଗରେ ମିଶି ରହିଥାନ୍ତି । ପାର୍ବତୀ ଜାଣନ୍ତି, ଧୂମକେତୁ କି ପଦାର୍ଥ । ନିରୋଳା ରାତିରେ ମନ ନଇଁଯାଏ । ରକ୍ତରେ ବିଷ ଛୁଟେ । ଆଖିରେ ଚହଟେ ନିଶା । ହାଡ଼ରୁ ମାଉଁସ ଅଲଗା ହେବାକୁ ଚାହେଁ । ମାତୃତ୍ୱ ବାହୁନି ଉଠେ । ଥରିଲା ଥରିଲା ଦୁଇହାତ କହାକୁ ଯେପରି ଆଲିଙ୍ଗନ କରିବାକୁ ଛଟପଟ ହୁଏ–

ମନେପଡ଼େ ଗୋଟିଏ ରାତିର ଘଟଣା–ସେତେବେଳେ ସେ ଥିଲେ ଦେବରାଜ । ପାର୍ବତୀ ଧନୀ ଜମିଦାରର ପତ୍ନୀ, ଉର୍ବଶୀ ! ଆଜି ସେ ଧୂମକେତୁ । ପାର୍ବତୀ ସାମାନ୍ୟ ନାରୀ, ସେବିକା । ଦେହର ସମ୍ଭାର ନାହିଁ, ମନର ସମ୍ଭାର ନାହିଁ । ପାର୍ବତୀ ଆଖି ବୁଜି ନିଜକୁ ଖୋଜନ୍ତି ନିଜ ଭିତରେ । ପାଆନ୍ତି ନାହିଁ । ଆଖି ଖୋଲି ଦେଖନ୍ତି, ଧୂମକେତୁ ନାହାନ୍ତି ।

ନିଜ ଭିତରେ ସଂଘର୍ଷ ।

ସଂଘର୍ଷ ଭିତରେ କର୍ମ ।

ଶିଶୁ–ସଦନ ଚଳିବ କିପରି ? ଭିକ୍ଷା ବା ଦାନ କେହି ଦେଉନାହାନ୍ତି । ପତ୍ରପତ୍ରିକାରେ ଆବେଦନ କଲେ କେହି ଶୁଣୁ ନାହାନ୍ତି । ଏଇଟା କଣ ଗର୍ହିତ କାମ, ଅନାବଶ୍ୟକ ? ସାତଟି ପିଲାଙ୍କୁ ସେ ଆଶ୍ରା ଦେଇଛନ୍ତି । ନିଜ ହାତରେ ଗାଧୋଇ ଖୋଇଦିଅନ୍ତି, ଜାମା ଲୁଗା ପିନ୍ଧାଇ ଦିଅନ୍ତି, ତାଙ୍କୁ ଦେଖିଲେ ଅତି ନିଷ୍ଠୁର ଲୋକର ଆଖିରେ ଦିଶେ ବିସ୍ମୟ, ଓଠରେ ହସ । ସେମାନେ କଣ ସମାଜର ଅନାବଶ୍ୟକ ମଳି, ଲୋକଙ୍କର ଦୟା ଓ ସହାନୁଭୂତିର ବାହାରେ ? କଣ ହେବ ସେଇ ଶିଶୁ–କୁସୁମ–ଗୁଡ଼ିଙ୍କର ଅବସ୍ଥା ?

ରାତି ପାହିଲେ ସାତଟି ସନ୍ତାନ ମା ମା ଡାକି ଚାରିପାଖେ ବେଢ଼ିଯାଆନ୍ତି । କିଏ କୋଳରେ ବସେ, କିଏ ପିଠିରେ ନାଉ ହୁଏ, କିଏ ଉଠେ କାନ୍ଧ ଉପରକୁ, କିଏ ଅଭିମାନ କରି ରୁଷେ, କିଏ ପୁଣି କାନ୍ଦେ ।

କାହା ଗାଲରେ ବୋକ, କାହା ପିଠିରେ ହାତ, କାହାକୁ ଛାତିରେ ଜାକେ, କିଏ ମାତୃତ୍ୱର ଅମୃତ କରେ ସନ୍ଧାନ, କିଏ ଲୁଚେ କାନିରେ । ସାତଟି ପିଲା–ସାତଟି ପିଲାର ମା ସେ । ଏତେବଡ଼ ଆନନ୍ଦ ଲୁଚିଯିବ ?

ଆକୁଳ ଲେଖନୀ ପତ୍ର ଲେଖିଥିଲା–ପତ୍ନୀତ୍ୱର ଅଧିକାରରେ ଲେଖୁନାହିଁ, ତମର ଉଦାର ମହତ୍‌ମନ ପାଖରେ ମିନତି କରୁଚି, ହାତଯୋଡ଼ି ଭିକ୍ଷାକରୁଛି ଏଇ ମୋର ସାତଟି ସନ୍ତାନଙ୍କ ପାଇଁ– ତାଙ୍କର ତୁଣ୍ଡରେ ଅଧାର ଦେବାକୁ– ଜୀବନର ପ୍ରଥମ ଓ ଶେଷ ଭିକ୍ଷା ମୋର ।

କାହିଁ, ଉତ୍ତର ବି ନାହିଁ । ଏଡ଼େ ସ୍ୱାର୍ଥପର !

କିପରି ଚଳିବ ?

ରାତିର ଚାଉଁଚାଉଁଆ ନିଦ ସକାଳର ଆଲୁଅ ପରଶରେ ଭାଙ୍ଗି ନାହିଁ । ସପନ ଦେଖୁଛନ୍ତି–ଝଡ଼ତୋଫାନରେ ଶିଶୁ–ସଦନ ଭାଙ୍ଗି ପଡ଼ୁଛି, ସାତଟି ପିଲା ମାଟି କାନ୍ଥ ତଳେ ଚାପିହୋଇ କରୁଣ ଚିତ୍କାର କରୁଛନ୍ତି । ବରଷା ପବନ ଘଡ଼ଘଡ଼ି ଚଡ଼ଚଡ଼ି– । ପାର୍ବତୀ ଆକୁଳ ବିକଳ ଚିତ୍କାର ହୋଇ ଡାକ ଛାଡ଼ିଛନ୍ତି । କେହି ଆସୁ ନାହାନ୍ତି । ତାଳିମାରି ମଜା ଦେଖୁଛନ୍ତି ଦୂରରୁ ।

ଦୂରରୁ ଛୁଟି ଆସୁଛନ୍ତି ଦିଓଟି ଯୁବକ । ଧୂମକେତୁ, ପଛେପଛେ ସହଦେବ ।

ନିଦ ଭାଙ୍ଗିଗଲା । ସପନ ଭାଙ୍ଗିଲା । ଦେହ ଥରୁଛି । ଆଖି ଓଦା । ସାତଟି ପିଲା ନିଶ୍ଚିନ୍ତରେ ଶୋଇଛନ୍ତି । ଝଡ଼ ନାହିଁ । ବରଷା ନାହିଁ । ଦୁଃସ୍ୱପ୍ନ ବାହାରୁ କିଏ ଡାକୁଛି ।

ପାର୍ବତୀ !

ଧୂମକେତୁ ?

 

ପାର୍ବତୀ ଉଠିଲେ । ଶିଶୁର ଡାକ କାନରେ ବାଜିଲା,–କୁଆଁ କୁଆଁ । କେ–ମା । କବାଟ ଖୋଲିଲା । ପାଣି କାଦୁଅ ସରସର, କ୍ଳାନ୍ତ ମଳିନ ମୁହଁ, ଯୁବକ ଦିଓଟି ଘର ଭିତରେ ପଶିଲେ ।

ଧୂମକେତୁ ଚାହିଁଲେ ପାର୍ବତୀଙ୍କୁ । ମଳିନ ବାସ, ଆଲୁଳାୟିତ କେଶ, ଦୁର୍ବଳ ଦେହ, ଗମ୍ଭୀର ମୁହଁ, ଲୁହ ଢଳଢଳ ଆଖି । ବେକରେ ଗୋଟିଏ ସୁନାହାର । ହାତରେ ପଟିଏ ପଟି, ସୁନା କାଚ । କାନରେ ଦିଓଟି ଫୁଲ । ବିଜିପୁର ଜମିଦାରଙ୍କର ଧର୍ମପତ୍ନୀ ଆଜି ଅନାଥ ଶିଶୁଙ୍କର ମା । ମାତୃମୂର୍ତ୍ତି !

 

ଧୂମକେତୁ କାନ୍ଦିଲା ପିଲାଙ୍କୁ ପାର୍ବତୀଙ୍କ ହାତକୁ ବଢ଼ାଇ ଦେଲେ । ପାର୍ବତୀ ହସହସ ମୁହଁରେ ଶିଶୁଟିକୁ ଛାତିରେ ଜାକିଲେ । ପାର୍ବତୀଙ୍କର ପାଟିରୁ ବାହାରିଲା କିପରି ବଞ୍ଚାଇବି ତମର ପିଲାଟିକୁ, ହୋମିଓପ୍ୟାଥି ଔଷଧରେ ତ ପେଟ ପୂରିବ ନାହିଁ ?

 

ସହେଦେବ ପଚାରିଲା, କାହିଁକି ?

ପାର୍ବତୀ କହିଲେ, ହାତରେ ପଇସାଟିଏ ନାହିଁ । ଲୋକେ ସାହାଯ୍ୟ କରିବାକୁ ପଛାଉଛନ୍ତି ।

 

ତୁଣ୍ଡରେ କଥା ଅଟକି ଗଲା । ଧୂମକେତୁଙ୍କର ହସିଲା ଦୃଷ୍ଟିରେ ଆଖି ଦୁଇଟି ଲାଖି ରହିଛି । ବେକରେ ଝୁଲୁଛି ଯେଉଁ ହାରଟି ତାହାରି ଉପରେ ଧୂମକେତୁଙ୍କର ଦୃଷ୍ଟି । ଆଖି ଯେପରି କହୁଛି–ସମ୍ୱଳ ଅଛି, ସବୁ ସରି ନାହିଁ । ଶିଶୁଗୁଡ଼ିଙ୍କର ଜୀବନ ତୁଳନାରେ ସାମାନ୍ୟ ସୁନାର ହାରଟିର ମୂଲ୍ୟ ତୁଚ୍ଛ । ନାରୀର ସୌନ୍ଦର୍ଯ୍ୟ ବେକର ହାର ବଢ଼ାଏ ନାହିଁ, କୋଳର ଶିଶୁ ବଢ଼ାଏ ।

 

ପାର୍ବତୀ କହିଲେ, ପିଲାଟାକୁ କୋଳରେ ଧରିଛି, କେଡ଼େ ବିକଳ ହୋଇ ସେ କାନ୍ଦୁଛି । ମୋ ବେକରେ ଯେଉଁ ହାରଟି ଝୁଲୁଛି ଖୋଲିଦିଅ ତ ଶୀଘ୍ର, ସେତିକିରେ ଆଠୋଟି ପିଲାଙ୍କର କିଛି ଦିନ ଚଳିଯିବ ।

 

ଧୂମକେତୁ ମୁହୂର୍ତ୍ତେ ଭାବିଲେ ନାହିଁ । ନିଜ ହାତରେ ପାର୍ବତୀଙ୍କ ବେକରୁ ଖୋଲିଲେ ହାର । ସହଦେବର ହାତରେ ଦେଇ କହିଲେ, ଆଜି ମୋ ନିୟମ ଭାଙ୍ଗିଛି ସହଦେବ । ସୁନା, ରୂପା, ସ୍ପର୍ଶ କରିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି । ଆଉ ମୁଁ ଅପେକ୍ଷା କରିପାରିବି ନାହିଁ । ମୋତେ ଦୂରକୁ ଯିବାକୁ ପଡ଼ିବ ।

 

ଧୂମକେତୁ ଚାଲିଗଲେ ।

 

ଧନୀପୁରରେ ଚହଳ ପଡ଼ିଲା ନୂଆ ଶିଶୁର କାନ୍ଦଣାରେ । ଦଳକୁଦଳ ସ୍ତ୍ରୀ ପୁରୁଷ ଦେଖିବାକୁ ଧାଇଁଲେ । ପିଲାଟି କେଉଁଠୁ ଆସିଲା ଜାଣିବାକୁ ସମସ୍ତେ ଉତ୍ସୁକ । ପାର୍ବତୀଙ୍କର ପଦଟିଏ ଉତ୍ତର, ଆକାଶରୁ । ଆଜି ତାଙ୍କ ଗୋଡ଼ ତଳେ ପଡ଼ୁ ନାହିଁ । ତାଙ୍କୁ ରତ୍ନ ମିଳିଛି । ସାକ୍ଷାତ୍ ଶ୍ରୀକୃଷ୍ଣ । ଆଜି ହରି ଜନ୍ମାଷ୍ଟମୀ ।

 

ବରଷା ନାହିଁ । ଆକାଶରେ ମେଘ ନାହିଁ । ଲାଲସୂର୍ଯ୍ୟ ଆକାଶରେ ମଥା ଉପରକୁ ମୋହିଛନ୍ତି । ଦିନ ହସୁଛି । ଭଗାରି ହସୁଛନ୍ତି । ମନେ ମନେ ଗୋଟିଏ କଥା ସେ ଆବୃତ୍ତି କରୁଛନ୍ତି–ଆଜି ମୋର ନିୟମ ଭାଙ୍ଗିଛି । ଏଇ କଥା କେଇପଦ ତାଙ୍କୁ ଆନନ୍ଦ ଦେଇଛି । ଏତିକି ଯେପରି ତାଙ୍କର ସବୁ ପରିଶ୍ରମ ଓ ସାଧନାର ଫଳ । ସୁନାହାର ପରିବର୍ତ୍ତେ ଯେପରି ସେ ମୋତିମାଣିକ୍ୟ ଖଚିତ ବିଜୟ ମାଳାଟି ନିଜ ହାତରେ ପିନ୍ଧାଇ ଦେଇଗଲେ ।

 

ସୁମତି ଆସିଲେ ଉଛୁର କରି । ଦେଖିଲେ, କି ସୁନ୍ଦର ପିଲା, କଇଁଫୁଲ ପରି ଧୋବ ଫରଫର, ମୁଣ୍ଡରେ କଳା ମିଚି ମିଚି ବାଳ, ତୁଳିରେ ଆଙ୍କିଲା ପରି ଭ୍ରୁଲତା, କଳା ଭଅଁର ପରି ଟିକି ଡୋଳା, ପଦ୍ମପାଖୁଡ଼ା ପରି ପାଦ ଓ ପାପୁଲି ।

 

କି ଘର ପିଲା ଗୋ ପାର ?

ମଣିଷ–ଘର ପିଲା ଭାଉଜ ।

ନାଇଁ ଗୋ, କାହାର?

ଯାହା କୋଳରେ ଦେଖୁଛ ।

ଛୋପରୀ କହୁନ ।

କହିଲି ପରା ।

ତମୁକୁ ରାଣ ଅଛି, କହ, କେଉଁଠୁ ଆସିଲା ?

ସ୍ୱର୍ଗରୁ ଝଡ଼ିଲା ନୂଆଉ, ବିଶ୍ୱାସ କର ।

ସୁମତୀ ମୁହଁ ଫଣ ଫଣ କରି ବାହୁଡ଼ିଲେ ।

ଦି ପହରେ–

 

ପାର୍ବତୀ ଚାରିଟି ମନିଅର୍ଡର ଟଙ୍କା ପାଇଲେ । ଦୟା ପାଇ ଦୂର ଦେଶରୁ ଅଜଣା ଲୋକେ ପଠାଇଛନ୍ତି । ଶିଶୁ ସଦନ ପାଇଁ ମୋଟେ ଦଶ ପନ୍ଦର କରି ଟଙ୍କା । ଆଉ ଗୋଟିଏ ଇନ୍‌ସିଓର କଭର । ସେଥିରେ ହଜାର ଟଙ୍କାର ନୋଟ । ପ୍ରେରିକା କ୍ଷଣପ୍ରଭା । ଖଣ୍ଡିଏ ଛୋଟ ଚିଠି-। ବୋଉ, ସାମାନ୍ୟ କେଇଟି ଟଙ୍କା ପଠାଇଲି । ତୁ ଯେଉଁ ଦେଉଳ ତୋଳିଛୁ, ସେଥିରେ ଯେଉଁ ଦେବତାଗୁଡ଼ିକ ସ୍ଥାପନା କରିଛୁ, ସେଇମାନଙ୍କର ସେବା ପାଇଁ ପଠାଇଲି । ଗତକଥା ମନେପଡ଼ି ଯାଉଛି ବୋଉ, ଛାତିରୁ କୋହ ଉଠୁଛି । କାନ୍ଦ ମାଡ଼ୁଛି । କେବେ ତ ତୋର କୌଣସି ଦୋଷ କରିନାହିଁ, ଅଜାଣତରେ ଯଦି ତୋ ମନରେ କେବେ ଦୁଃଖ ଦେଇଥାଏଁ କ୍ଷମା କରିବୁ । ଅନହୂତି ଧନ ପାହାଡ଼ର ବୋଝ ଲଦା ହୋଇଛି ମୋର ମୁଣ୍ଡରେ । ବୋହିପାରୁ ନାହିଁ କି ନିଷ୍କୃତ ଲଭିପାରୁ ନାହିଁ । ଅଭାଗିନୀ ଝିଅଟି ମୁଁ ତୋର, ସୁଖ ଦୁଃଖ ଭଳମନ୍ଦ ମୋ ପାଖରେ ସବୁ ସମାନ । କେତେ ଅନାଥ ନିଆଶ୍ରା ଶିଶୁଙ୍କୁ କୋଳରେ ଥାନ ଦେଉଛୁ, ମୁଁ ବି ତୋର ଗୋଟିଏ ନିଆଶ୍ରୀ ଝିଅ, ତୋରି କୋଳରେ ଟିକିଏ ଥାନ ପାଇଁ କଣ ମୁଁ ଅଳି କରିବି ନାହିଁ ?

 

ସେ ଚିଠି ଖଣ୍ଡିକ ଥରକୁଥର ପଢ଼ିଲେ, ବୁଝିଲେ, ପୁଣି ବୁଝିଲେ ନାହିଁ । ଗତକଥା ମନେପଡ଼ିଲା । ଆଖିରେ ଲୁହ ଛଳଛଳ ହେଲା । ପ୍ରଭାର ଝାପ୍‌ସା ରୂପ, ବିଷାଦ ମଳିନ ରୂପ ଆଖି ଆଗରେ ଠିଆ ହେଲା । ସେ ହୁଏତ ଅନ୍ୟାୟ କରିଥିଲେ, କିନ୍ତୁ ଗଲା କଥାକୁ ମନେପକାଇ ଲାଭ ନାହିଁ । ଭଗବାନ୍‌ ସାହା ହୋଇଛନ୍ତି । ଧନର ଅଭାବ ହେବ ନାହିଁ । ଆଗରେ ପାହାଡ଼ ପରି କର୍ତ୍ତବ୍ୟ ଠିଆ ହୋଇଛି । ଅଣ୍ଟା ଭିଡ଼ି ଠିଆ ହେବାକୁ ପଡ଼ିବ । କର୍ତ୍ତବ୍ୟକୁ ମୁଣ୍ଡରେ ବୋହି ଚାଲିବାକୁ ହେବ ।

 

ଉତ୍ତର ଖଣ୍ଡେ ଲେଖିବେ ? କଣ ଲେଖିବେ ? ଝରିଲା ଆଖି ଓ ଥରିଲା ହାତରୁ, ଉଜନ୍ତ୍ରି ମନର କୋହ କାଗଜ ଉପରେ ବିଞ୍ଚି ହୋଇପଡ଼ିଲା–ତତେ ମୁଁ ହତାଦାର କରିଥିଲି ମା, ସେଇଥିପାଇଁ ମୋର ସବୁ ଆଶା ଆକାଂକ୍ଷାର ଧନକୁ ମୁଁ ହରାଇ ବସିଲି । ତୋର ଅଭିଶାପ ନୁହେଁ, ମୋର କର୍ମର ଦଉଡ଼ା, ଯାହାକୁ ମୁଁ ନିଜ ହାତରେ ଯତ୍ନକରି ବଳି ଟାଣ କରିଥିଲି, ସେଇ ଜୀବନ୍ତ କାଳସର୍ପ ହୋଇ ମୋତେ ହିଁ ଦଂଶିଲା । ସାତଜନ୍ମ ତୋର ଅର୍ଦଳି କଲେ ବି ମୋର ମନ ତୃପ୍ତ ହେବ ନାହିଁ । ଭଗବାନ ତତେ ସୁଖରେ ରଖନ୍ତୁ, ରାଜରାଣୀ ହ । ତୋରି ହାତରେ ଯଶ, ମନର କୋହରେ ଶହ ଶହ ନିଆଶ୍ରା, ଅକ୍ଷମ, ରୋଗିଲା, ଭୋକିଲାଙ୍କର ଦୁଃଖ ଦୂରହେଉ । ଗୋଟିଏ ମାଣିକ ମୋର ହଜିଛି ସିନା, ଦାଣ୍ଡରୁ ବାଟରୁ ଗୋଟାଇ କେତେ ମାଣିକର ମାଳ ଗୁନ୍ଥି ମୁଁ ଛାତିରେ ଝୁଲାଇବାକୁ ମନ କରିଛି । ତେବେ ବି କଣ ମୋ ଛାତିର ଦାହ କମିବ ? ତତେ ଛାତିରେ ଧରିଲେ କେଜାଣି ବା ତୃପ୍ତିରେ ମୁଁ ଆଖି ବୁଜିବି । ମୋରି ତୃପ୍ତି ପାଇଁ ତୁ କାହିଁକି ରାଜରାଣୀ ଆସନରୁ ଓହ୍ଲାଇ ଆସିବୁ, ତୋର ଶହ ଶହ ଅରକ୍ଷ ପିଲାଙ୍କୁ ମାତୃହରା କରିବୁ । ଦେବତା ସ୍ୱାମୀର ପଦସେବାରୁ ବଞ୍ଚିତ ହେବୁ-? ନା, ମା, ମୋର ମନ ସେମିତି ଉଜନ୍ତ୍ରି ହେଉଥାଉ, ତୁ ସୁଖରେ ରହ, ଆନନ୍ଦରେ ରହ ।

 

ଚିଠି ପୋଷ୍ଟ ଅଫିସକୁ ପଠାଇଦେଲେ । ଟଙ୍କା ବିଡ଼ାକ ହାତରେ ଧରି ଦାଣ୍ଡ କବାଟ ଆଉଜେଇ ଦେଲେ । ମନଖୁସିରେ ଆର ଘରକୁ ଯାଇ ବଡ଼ ଟ୍ରଙ୍କରେ ରଖି ତାଲା ପକାଇଲେ । ଏ ଘରକୁ ଆସି ଦେଖିଲେ ନିଜ ନିଜ ଖଟିଆ ଉପରେ ପିଲାଗୁଡ଼ିକ ଶୋଇଚନ୍ତି । ସବା ସାନ ପିଲାଟିର ପାଖରେ ଧାଈ ବସି ଘୁମାଉଛି । ବୁଢ଼ୀ ଲୋକ, କେହି ତାର ନାହାନ୍ତି । ସେ ବି ଗୋଟିଏ ଅନାଥ ଶିଶୁ, ଭିକଡାଲା ଫୋପାଡ଼ି ଆଶ୍ରା ନେଇଛି । ଆର ଧାଈଟି ଗାଁ ବାଉରାଣୀ । ବେଳାଏ ଆସେ, କାମ କରି ଯାଏ । ଚିଠି ନେଇ ସେ ପୋଷ୍ଟ ଅଫିସକୁ ଯାଇଛି । ଭଲ ମଣିଷ । ରୋଷେଇବାସ ସେଇ କରେ । ପାର୍ବତୀ ସାହାଯ୍ୟ କରନ୍ତି । ଗାଈଜଗା ଟୋକା ନିତି ଆସେ ନିତି ଯାଏ । ଛେଳି ଦୁଇଟିଙ୍କର ଯତ୍ନ ନିଏ ସେଇ ।

 

ପାର୍ବତୀ ନଇଁପଡ଼ି ଟିକି ପିଲାଟିର ମୁହଁକୁ ଚାହିଁଲେ । ଶାନ୍ତିରେ ଶୋଇଛି । କେଡ଼େ ନିଷ୍ଠୁର ସେ ମାଆର ମନ, କି ଦୋଷ କରିଛି ଏ ଶିଶୁଟି କାହାର ? କାହିଁ ପାଇଁ ତାର ପ୍ରାଣଦଣ୍ଡ ବିଧାନ କରିଥିଲା ଏଇ ନିଷ୍ଠୁର ମଣିଷ ? ସତେ କଣ ଏ ବଞ୍ଚିବ, ମଣିଷ ହୋଇ ଦାଣ୍ଡରେ ଚାଲିବ ?

 

ଚିଠି ପକାଇ ଦେଲି ମା ।

 

ପାର୍ବତୀ ଉଠିଲେ, ଧାଈର କଥା ମନରେ ଭେଦିଲା । ଚିଠି କ୍ଷଣପ୍ରଭା ପାଖକୁ ଚାଲିଗଲା । ସେ କ୍ଷଣପ୍ରଭାର ମା, ଯେଉଁ କ୍ଷଣପ୍ରଭା ତାଙ୍କର ସମବୟସୀ । ମନେହେଲା, ସତେକି ତାଙ୍କୁ ଜରା ଗ୍ରାସ କରିଛି । ବୟସର ବୋଝ ଖସି ପଡ଼ିଛି ମନରୁ । ସେ ପ୍ରଭାର ମା, ଏଇ ବୁଢ଼ୀ ଧାଈ ଦୁହିଁଙ୍କ ପରି ତାଙ୍କ ମୁଣ୍ଡର ବାଳ ଝୋଟ ହୋଇଛି, ଦେହର ଚମ ହୋଇଛି ଲୋଚାକୋଚା, ଆଖି କୋରଡ଼, ଦୃଷ୍ଟିରେ ପରଳ, ଦାନ୍ତ ହଲର ହଲର, ରକ୍ତ ଶୀତଳ, ମନ ପଥୁରିଆ ।

 

ଖଟିଆରେ ଶୋଇଛି ଦିନକର ଶିଶୁ–

 

ଶିଶୁର ଭାବନା ଭିତରେ ଆଖି ଆଗରେ ସତେକି ଉଭାହେଲା, ସୁନ୍ଦର ବଳିଷ୍ଠ ଯୁବକ ! ମନଭୁଲା ଚାହାଣୀ, ପ୍ରାଣପୁଲକା ହସ, ରକ୍ତତେଜା ଗାମ୍ଭୀର୍ଯ୍ୟ । ଦେବରାଜ ଧୂମକେତୁ, ଯିଏ ତାଙ୍କର କୋଳରୁ ବଢ଼ାଇ ଦେଇଛି ଶିଶୁ ସନ୍ତାନ, ଯାହାର ଉତ୍ସାହ ଓ ଆଦର୍ଶ ପାର୍ବତୀଙ୍କୁ ଦୂରେଇ ରଖିଛି ସ୍ୱାମୀ ପାଖରୁ, ଭାଇ ପାଖରୁ, ବ୍ରତୀ କରିଛି ଦୁଃସାହସିକ ଉଦ୍ୟମରେ, ତାଙ୍କ ପାଖରେ ସେ କ୍ଷଣପ୍ରଭାର ମା ହୋଇ, କେତେ କାଳର ବୁଢ଼ୀ ହୋଇ ଠିଆ ହୋଇ ପାରିବେ ନାହିଁ ।

 

ନିଃସହାୟ ନୟନରେ ପାର୍ବତୀ ଧାଈକୁ ଚାହିଁଲେ । ଚିଠିଟି ସେ ପୋଷ୍ଟ ଅଫିସରେ ପକାଇ ଦେଇ ଆସିଛି । ଫେରାଇ ଆଣିବାର ଉପାୟ ନାହିଁ ।

 

ମନ ଯାହାକୁ ଖୋଜୁଛି ତାଙ୍କର ଦେଖା ଦର୍ଶନ ମିଳୁ ନାହିଁ । ଦିନ ପରେ ଦିନ କଟି ଯାଇଛି, ଗୋଟିଏ ମାସ, କାହାକୁ, ସେ ଧୂମକେତୁ ?

 

ଶିଶୁ ସଦନ ଭଲରେ ଚାଲିଛି । କେବେ କେମିତି ବିଦେଶରୁ ଟଙ୍କା ଆସୁଛି ଖବର କାଗଜରେ ବାହାରୁଛି ପ୍ରଶଂସା । ଗ୍ରାମର ଲୋକେ ଧୀରେ ଧୀରେ ଆଗେଇ ଆସିଲେଣି । ଅନୁଷ୍ଠାନଟିର ତତ୍ତ୍ୱ ନେଲେଣି, ତଥାପି କେହି କେହି ଏବେ ନିନ୍ଦା ସମାଲୋଚନା କରୁଛନ୍ତି । ପାର୍ବତୀ ସେମାନଙ୍କର କଥାରେ କାନ ଦେଉନାହାନ୍ତି । ଦିନରାତି ଶିଶୁଗୁଡ଼ିଙ୍କର ପଛରେ ସେ ଲାଗିଛନ୍ତି ।

 

ବେଳେ ବେଳେ ସହଦେବ ଆସନ୍ତି, କିନ୍ତୁ ଧୂମକେତୁଙ୍କର ଦେଖାଦର୍ଶନ ନାହିଁ । ସହଦେବ ବି ଜାଣନ୍ତି ନାହିଁ ସେ କେଉଁଠି ଅଛନ୍ତି । ପାର୍ବତୀ ପଚାରିଲେ ସେ ଉତ୍ତର ଦେଇପାରନ୍ତି ନାହିଁ ।

 

ମନ ତାଙ୍କୁ ଖୋଜେ । ଆଶାହୁଏ, ସେ ଫେରି ଆସିବେ । ମାସକର ଶିଶୁଟିକୁ ଛାତିରେ ଜାକି ବୋକ ଦିଅନ୍ତି । ଆଖି ବୁଜନ୍ତି ଅସୀମ ତୃପ୍ତିରେ ।

 

ନରକ ଭିତରୁ ବାହାରି ଆସିଛି । ରୁଗ୍‍ଣ–ନିଳୟ ନରକର ରୂପାନ୍ତର । ମେଘନାଦ ପାଚେରୀ ଘେରା ସେଇ ବଡ଼ ସ୍ଥାନଟି । ବଡ଼ କବାଟ । ଭିତରେ ଧାଉଡ଼ି ଧାଉଡ଼ି ଲମ୍ବ କୋଠାଘର ଛାଡ଼ି ଛାଡ଼ି । ଗୋଟିଏ ଧାଉଡ଼ି କୋଠା ପରେ ଛୋଟ ପାଚେରୀ, ପୁଣି ଧାଉଡ଼ିଏ । ଏପାଖ ବ୍ଲକ୍‌ରେ କୃଷ୍ଠରୋଗୀ ରହନ୍ତି, ସେ ପାଖ ବ୍ଲକରେ ଯକ୍ଷ୍ମା ରୋଗୀ । ଏ ପାଖ ବ୍ଳକ ପାଏ ବାଟ । ମଝିରେ ଛାଡ଼ିଛାଡ଼ିକା ଆହୁରି ତିନୋଟି ବ୍ଳକ । ଗୋଟିଏ ବ୍ଳକରେ ସାଧାରଣ ଅକ୍ଷମ ରୋଗୀ ରହନ୍ତି, ପୁରୁଷଙ୍କ ପାଇଁ । ପାଖକୁ ଲାଗି ସ୍ତ୍ରୀ–ବ୍ଳକ । ସବୁଠୁ ଦୂରେଇ କଣିକିଆ ହୋଇ ଷ୍ଟାଫ୍‌-କ୍ୱାଟରସ । ତାରି ସମ୍ମୁଖରେ ବିରାଟ ଦିତାଲା କୋଠା, ଡାକ୍ତରଖାନା ।

 

ସବୁ ବିଷୟର ସୁବିଧା କରାହୋଇଛି । ବିଜୁଳି ଆଲୁଅ, ପାଣିକଳ, ଭିତରେ ଫୁଲବଗିଚା ପଟିକୁ ପଟି । ଯେଉଁ ବ୍ଳକ୍‌ ଭିତରକୁ ପଶିଗଲେ ସବୁଜ ପତର, ସବୁଜ ଘାସ, ନାନା ରଙ୍ଗର ଜାତି ଜାତିକା ଫୁଲରେ ଆଖିର ଆନନ୍ଦ ବଢ଼େ, ସୁବାସ କୁସୁମର ଗନ୍ଧରେ ମନ ପ୍ରପୁଲ୍ଲ ହୁଏ । ଉପରେ ସୁନୀଳ ମୁକ୍ତ ଆକାଶ ଛାତିରେ ରଙ୍ଗ ରଙ୍ଗର ଢଙ୍ଗ ଢଙ୍ଗର ଅଛିଣ୍ଡା ମେଘ ବିଶ୍ୱଲୋଚନ ତପନର ପ୍ରଫୁଲ୍ଲ ଉଜ୍ଜ୍ୱଳ ମୁହଁକୁ ଦେଖାଇ ଛପାଇ ଭାସି ଯାଆନ୍ତି । ମହାନଦୀ ସେପାରି ଆକାଶ ଉପରକୁ ଅସଂଖ୍ୟ ଚିମ୍‌ନିରୁ ଉଠୁଛି ଯେଉଁ ଧୂଆଁର ଧାର, କାୟା ଫୁଲାଇ ଫୁଲାଇ ବଙ୍କାଇ ବଙ୍କାଇ ସବୁ ସୁଅ ମିଶି ଏକାକାର ହୁଅନ୍ତି, ଠିକ୍‌ ମହାନଦୀର ପାଣି ପରି, ରିଜର୍ଭ ବ୍ୟାଙ୍କର ଟଙ୍କା ପରି ।

 

ଏଇଠି ସରଗ !

 

ତଳକୁ ଚାହିଁଲେ ମୁଣ୍ଡ ଘୂରାଇ ଯାଏ । ଆଖିକୁ ବିଶ୍ୱାସ କରି ହୁଏ ନାହିଁ । ପାଦ ଚଳେ ନାହିଁ । ତୁଣ୍ଡରୁ କଥା ବାହାରେ ନାହିଁ । ରଙ୍ଗିଲା ଓଠରୁ ହସ ଲିଭେ, ଛାତି ଧଡ଼ ଧଡ଼ ହୁଏ, ନିଜର ଅବସ୍ଥିତି ମଣିଷ ଭୁଲେ । ରୂପର ବଡ଼ାଇ, ଯୌବନର ଉଦ୍ଦୀପନା, ଧନର ଗରିମା, ପଦବୀର ଅହମିକା, ଝଡ଼ି ପଡ଼େ ମୁହୂର୍ତ୍ତକ ପାଇଁ ଛଟପଟ ଉତ୍ତୁଙ୍ଗ ମନରୁ । ମଥା ନଇଁ ଆସେ । କିଏ କଣ ଥିଲା ପଚାରି ବୁଝିବାକୁ ସାହାସ ହୁଏ ନାହିଁ । ସମସ୍ତେ ସମାନ, ସମସ୍ତେ ରୁଗ୍‍ଣ, ନରକ ଭିତରେ ଘାଣ୍ଟି ହେଉଛନ୍ତି ।

 

ନରକ, ଏଇ ମଣିଷ ! ହାତଗୋଡ଼ ଛିଣ୍ଡିଛି । ଦେହର ଖଣ୍ଡିଆ ଦିଶୁଛି ନଲି ନାଲି । ମାଛି ଭଣଭଣ । ଶୁଣୁକା ମୁହଁ । ସେ ହୁଏତ ଥିଲେ ବିଶ୍ୱବିମୋହିନୀ ସୁନ୍ଦରୀ । କଟାକ୍ଷରେ ମାଛି ପଲ ନୁହେଁ, ମଣିଷ ପଲ ଧାଇଁ ଆସୁଥିଲେ ପାଖକୁ । ଆରକ, ଆଣ୍ଠୁଗଣ୍ଠି ଜଳଜଳ । ଯନ୍ତ୍ରଣାରେ ଛଟପଟ-। ପିନ୍‌ସ ରୋଗରେ ନାକ ଛାଡ଼ିଚି । ପାଟି ଭିତର ଦାନ୍ତ ଦିଶୁଛି ପଦାକୁ । ସେ ଥିଲେ ଧନୀ-। ଦେହରେ ରକ୍ତ ମାଂସ ନାହିଁ, ସରୁ ସରୁ ହାତ ଗୋଡ଼ । ଛାତିର ପିଞ୍ଜିରା ଗଣି ହେଉଛି । ଖଁ ଖଁ କାଶ-। ଭକ୍‌ ଭକ୍‌ ରକ୍ତ ପଡ଼ୁଛି ପାଟିରୁ । ସେ ଥିଲେ ଦେଶ କର୍ମୀ ନେତା, ଯାହାଙ୍କର ତୁଣ୍ଡର ଭାଷା ଶୁଣିବାକୁ କେତେ ଲୋକ ରୁଣ୍ଡ ହେଉଥିଲେ ।

ଜଣେ ଜଣେ ନୁହନ୍ତି, ପଲ ପଲ ଆସୁଛନ୍ତି, ମଣିଷ ଗଢ଼ା ନନ୍ଦନ କାନନ ଭିତରେ ନରକ ଯନ୍ତ୍ରଣା ସହି ପୁଣି ଫେରି ଯାଉଛନ୍ତି ଶୂନ୍ୟକୁ, ମାଟିତଳେ ସମାଧି, ଯିଏ ଦୁର୍ଲ୍ଲଭ ମଣିଷ ଜୀବନ ପାଇଥିଲେ ।

କ୍ଷଣପ୍ରଭାର ଚାରିପାଖେ ଯେପରି ସେମାନେ ବୁଲୁଛନ୍ତି । ଅନୁନୟ କରୁଛନ୍ତି, ଖଣ୍ଡିଏ କମ୍ୱଳ ଦିଅ, ଖଣ୍ଡିଏ ଲୁଗାରେ କେତେଦିନ ଯିବ ? ଥରଟିଏ ମିଠାଇ ଦେଲ ପାଟିରେ, ଧର୍ମ ସଞ୍ଚିଲ ସତ, ଆମର ପାଟି ତୁଣ୍ଡ ଜାଣିଲା ନାହିଁ । ଆମର ଔଷଧ ଲୋଡ଼ା, ଭଲ ଡାକ୍ତର, ଭଲ ଖାଦ୍ୟ, ତମେ ଯାହା ଖାଇ ସୁନ୍ଦର ହୋଇଛ । ଦିଅ, ଆଜି ଜନ୍ମାଷ୍ଟମୀ, କେତେ ବଡ଼ ଦିନ, ଦିଅ ଦିଅ– ।

କ୍ଷଣପ୍ରଭା ବିଚଳିତ ହେଲା । ସତେକି ତାର ଚାରିପାଖେ ନରକର ଜୀବଗୁଡ଼ିକ ଆର୍ତ୍ତନାଦ କରୁଛନ୍ତି, ଧିକ୍‌କାର କରୁଛନ୍ତି–ରୂପର ବଡ଼ାଇ, ଯୌବନର ଉଦ୍ଦୀପନା, ଧନର ଗରୀମା-। ଚାହାଁ ଏଣେ ଚାହାଁ ଖଣ୍ଡିଆ ଖାବରା ହାତ ଶୁଣୁକା ମୁହଁ, ଆଖି ନାହିଁ, କାନ ନାହିଁ, ନାକ ନାହିଁ । ଯୁବା ଜନ ମନ-ଓଟରା ମାଂସ ମେଦରୁ ପୋକ ଝଡ଼ୁଛି । ଛାତିର ଗଣିଲା ପିଞ୍ଜରା ଭିତରୁ ରକ୍ତର ଝଲକ ଶୁଖିଲା, ଓଠ ରଙ୍ଗାଇ ତଳେ ପଡ଼ୁଛି । ଚାହାଁ, ଚାହାଁ ଏଣିକି–

କ୍ଷଣପ୍ରଭା ଚାରିଆଡ଼କୁ ଚାହିଁଲା । କୋଠରୀ ଶୂନ୍ୟ । କାନ୍ଥ ଘଣ୍ଟା ଟିକ୍‌ ଟିକ୍‌ ହୋଇ ସୂଚାଇ ଦେଉଛି ସମୟର ଗତି । ଦଶମିନିଟ ବାକି ଅଛି, ପାଞ୍ଚଟା ବାଜିବ । ଆଗର ଆଇନାରେ ପ୍ରତିଫଳିଛି ରୂପ, ଝଟକି ଉଠିଛି । ମୂଲ୍ୟବାନ୍‌ ଶାଢ଼ୀ । ମୂଲ୍ୟବାନ୍‌ ଅଳଙ୍କାର । କି ହେବ ଏ ସବୁ ? ହାତ ଟେକିଲା, ବେକରେ ହାର ଖୋଲି ପକାଇ ଦେବାକୁ ।

ହାତ ଅଟକିଗଲା । କାନରେ ବାଜିଲା କେତେଦିନ ତଳର କଥା, ଜଣେ ଅକ୍ଷମ ବନ୍ଧୁର ଅନୁନୟ, ପତ୍ନୀତ୍ୱର ବଡ଼ାଇ ଭାଙ୍ଗେ ତ ଭାଙ୍ଗୁ ପଛେ, ଧ୍ୱସଂ ହୋଇଯାଅ କ୍ଷତି ନାହିଁ, ଧନ ଆଣିବାକୁ ହିଁ ପଡ଼ିବ । ହଁ, ସେଇ ପନ୍ଥା । ଧନର ପାହାଡ଼ ସେ ଭାଙ୍ଗି ଆଣିବ, ନରକ ଭିତରେ ବର୍ଷିବ ଅମୃତ । ପତ୍ନୀତ୍ୱର ବଡ଼ାଇ ଭାଙ୍ଗୁ; ସେ ଧ୍ୱସଂ ହେଉ କ୍ଷତି ନାହିଁ ।

ଦୁଇ ହାତରେ ମୁହଁ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦି ଉଠିଲା । କ୍ଷଣପ୍ରଭାର ପତ୍ନୀତ୍ୱର ମୃତ୍ୟୁ ହେଉ, ସେ ଧ୍ୱସଂ ହେଉ । ରୂପର ତେଜ, ଯୌବନର ଉତ୍ତେଜନା, ଧନର ପାହାଡ଼ ଓଲଟାଇ ସେ ଧନ ଆଣୁ ।

ନୂଆଉ ?

ନୀହାରିକା ପଛରେ ଠିଆ ହୋଇ ଡାକୁଛି ।

କ୍ଷଣପ୍ରଭା ମୁହଁରୁ ହାତ କାଢ଼ିଲା । ବୁଲି ଚାହିଁଲା ।

ମୁହଁ ଶୁଖେଇ ନୀର ପଚାରିଲା, କାନ୍ଦୁଛ କାହିଁକି ?

 

କ୍ଷଣପ୍ରଭାର ଧୈର୍ଯ୍ୟ ଭାଙ୍ଗିଲା । ଚଉକିରୁ ଉଠି ନୀହାରିକାକୁ ଛାତିରେ ଜାକି ଧରିଲା । ତାର ଯୌବନ ଢଳ ଢଳ ଗଣ୍ଡରେ ବୋକ ଦେଇ ଲୁହ ଦି ଠୋପା ଝାଡ଼ି ଆଖି ବୁଜିଲା । ତୃପ୍ତି ମନର କେଉଁ ଅନ୍ଧାରୀ କୋଣରେ ଠିଆ ହୋଇଛନ୍ତି ସେ, ପ୍ରେମିକ ତୁଷାରକାନ୍ତି, ଆଉ ଛାତି ଉପରେ ଏକା ରକ୍ତ ମାଂସରେ ଗଢ଼ା ସେବକାଳର ସେଇ ତୁଷାରକାନ୍ତିର ଅବିକଳ ନକଲ, ତାର ସ୍ନେହପିତୁଳା ନୀହାରିକା । ତୃପ୍ତି । ବିଦାୟ ।

 

ପତ୍ନୀତ୍ୱର ବଡ଼ାଇ ଭାଙ୍ଗିବ, ସେ ହେବ କଳୁଷିତ, ଧ୍ୱସଂ । ଧନର ପାହାଡ଼ ଭାଙ୍ଗିବା ଆଗରୁ ଅନ୍ତରରୁ ଝରିପଡ଼ୁ ସ୍ନେହ ସରାଗର ମନ୍ଦାକିନୀ, ପବିତ୍ରତାର ଉତ୍ସ ! ଝରିପଡ଼ୁ, ଶେଷ ହେଉ, ଭିତରେ ଜଳୁ ନିଆଁ, ବହୁ ଝନ୍‌ଜା । ଜ୍ୱଳନ୍ତ ଅନଳ ଶିଖା ମଝିରେ ସେ ଚାଲିବ, ଜଳିବ, ଜଳାଇବ, ଧନର ପାହାଡ଼ ଟଳାଇବ, ନରକ ଉପରେ ବର୍ଷା କରିବ ଅମୃତର ଧାରା । ରୁଗ୍‍ଣ ନିରାଶ୍ରୟ ଛଟପଟ ଅଶାନ୍ତ ମଣିଷ ଦଳର ଦୁଃଖ ଦୂର କରିବାକୁ ସେ ପ୍ରାଣପଣ ଚେଷ୍ଟା କରିବ ।

 

କେତେ ବ୍ୟଥାଭରା କେତେ ଆକୁଳ ସେ ଡାକ, ନୂଆଉ ।

କ୍ଷଣପ୍ରଭା ଦୂରେଇ ଆସିଲା ।

ମୋ ରାଣ କହ; କାହିଁକି କାନ୍ଦୁଛ ?

 

କ୍ଷଣପ୍ରଭାର ଓଠରେ ମ୍ଳାନ ହସ । କହିଲା, ଆଉ କାନ୍ଦିବି ନାହିଁ ନୀର, ଏଥର ଖାଲି ହସିବି, ହସାଇବି । ମନ କହିଲା, ଦୁନିଆଁ ବି ହସିବ । ସବୁ ହସ ଶେଷ ହେଲେ କାନ୍ଦଣାର ପାରାବାରରେ ଚିରଦିନ ବୁଡ଼ିବାକୁ ହେବ ।

 

ଆଜି ଜନ୍ମାଷ୍ଟମୀ ନୂଆଉ; ଟକି ହାଉସରେ କଣ ଭଳଖେଳ ଅଛି । ହେମ ଅପା ଫୋନ୍‌ରେ ତମକୁ ଡାକୁଛନ୍ତି ।

 

ହେମ ଡାକୁଛି; ମୁଁ ଆସୁଛି ନୀର !

 

କ୍ଷଣପ୍ରଭା କହି ଘରକୁ ଚାଲିଗଲା । ସେଇଠି ଏ ପାଖରେ ଟେଲିଫୋନ । କାନରେ ଧରିଲା–

 

ଆସିବାକୁ ପ୍ରଭା ସିନେମା ଦେଖିବାକୁ ? ସିଟ୍‌ ରିଜାର୍ଭ କରିବାକୁ ଲୋକ ପଠାଇଛି । ତୁ ଆସିବୁ କି ମୁଁ ଯିବି ତୋ ପାଖକୁ ?

 

ଆଜି ଯାଇପାରିବି ନାହିଁ ହେମ; କେତେ କାମ ବାକି ଅଛି ।

 

ସବୁଦିନେ ତୋର କେତେ କାମ । ଦିନେ ଟିକେ ଫୁର୍ତ୍ତି କଲେ କିଛି ବିଗିଡ଼ି ଯିବନାହିଁ । ଆଜି ମନୁ ଦାସଙ୍କର ବିଖ୍ୟାତ ଛବି ‘କାୟା ଓ ମାୟା’ ଆରମ୍ଭ ହେବ । ଶ୍ରୀମତୀ ରଶ୍ମି ନେଇଛନ୍ତି ନାୟିକାର ପାର୍ଟ । ତପନବାବୁ ନାୟକର ରୋଲରେ । ନୂଆ ରିଲିଜ ହୋଇଛି, ଅତି ଭିଡ଼ । ଆଗରୁ ମୁଁ ସିଟ୍‌ ରିଜାର୍ଭ କରାଇଛି । ଆଉ କେତେ ବନ୍ଧୁ ଯାଉଛନ୍ତି । ଆସିବୁ ନାହିଁ ?

 

କ୍ଷମାକର ହେମ, ମୋର ସୁନା ଭଉଣୀଟି, ରାତି ଆଠଟାବେଳେ ଆଜିମ ମିଆଁଙ୍କ ଘରେ ରୁଗ୍‍ଣ ନିଳୟ ପରିଚାଳନା କମିଟିର ବିଶେଷ ଅଧିବେଶନ ହେଉଛି । ସବୁ ମେମ୍ୱର ଆସିବେ । ଜରୁରି କାମ, ମୁଁ ନ ଗଲେ–

 

କାମ ଅଟକି ଯିବ ?

 

ନାହିଁ ଯେ କେତେ ଜଟିଳ ସମସ୍ୟାର ସମାଧାନ ଆଜି ହେବ । ମୋର ରହିବା ଆବଶ୍ୟକ । ଅବନୀବାବୁ ଅଛନ୍ତି ?

 

ନାହାନ୍ତି ।

ଟିକିଏ ବୁଝି ଖବର ଦେବୁ ?

ଟକ୍‌ । ଉତ୍ତର ନାହିଁ । ବିରକ୍ତ ହୋଇ ହେମ ଚାଲିଗଲା ପରା !

 

ଦିନେ ନାହିଁ କାଳେ ନାହିଁ, ଆଜି କାହିଁକି ହେମର ସ୍ନେହ ଉଛୁଳି ପଡ଼ିଲା ? ସିନେମା ଦେଖାର ନିମନ୍ତ୍ରଣ ଭିତରେ କଣ ଦୁରଭିସନ୍ଧି ଅଛି କେଜାଣି, ଆଗରୁ ସ୍ଥାନ ରିଜାର୍ଭ କରି ପଛେ ନିମନ୍ତ୍ରଣ । ଧନ୍ୟ ହେମାଙ୍ଗିନୀ, ସନ୍ଦେହ ଓ ଇର୍ଷାରେ ଜଳିପୋଡ଼ି ଯାଉଛି, ତା ନାମରେ ଦୁର୍ନାମ ରଟାଉଛି ସେହି । ଏତେ ଦୁର୍ନାମକୁ ଯେ ହଜମ କରିପାରିଛି ତା ପାଖରେ ଛଳନା ଓ ଲୁଚକାଳି ଖେଳ କାହିଁକି ?

 

କ୍ଷଣପ୍ରଭା ହସିଲା । ଫୋନ କଲା,–କିଏ, ନଟବରବାବୁ ? ହଁ, ମୁଁ ପ୍ରଭା । ଆପଣ କାଗଜ ପତ୍ର ନେଇ ଆଗରୁ ଆସିବେ । ମୁଁ ଠିକ୍‌ ସମୟରେ ପହଞ୍ଚିବି । ଧନ୍ୟବାଦ, ନମସ୍କାର ।

 

କ୍ଷଣପ୍ରଭା ରିସିଭର ରଖିଲା । ଦୁଷ୍ମନ୍ତବାବୁଙ୍କ ବୈଠକ ଘରକୁ ଗଲା । ସଙ୍କୋଚ ନାହିଁ, ଲଜ୍ଜା ନାହିଁ, ମନରେ ଭାବନା, ରୁଗ୍‍ଣ ନିଳୟର ସବୁ ଅଭାବ ସେ ଦୂର କରିବ ।

 

ଦୁଷ୍ମନ୍ତ ଏକା ବସିଛି । ଟେବୁଲ ଉପରେ ଖେଳା ହୋଇପଡ଼ିଛି କେତେଖଣ୍ଡି ଚିଠି, କବରକାଗଜ, ମାଗାଜିନ୍‌ । ଖଣ୍ଡେ ଚିଠିକୁ ମନଦେଇ ପଢ଼ୁଛି । ଗମ୍ଭୀର ।

 

କ୍ଷଣପ୍ରଭାର ଆଗମନରେ ମୁହୂର୍ତ୍ତକର ବିସ୍ମୟଭାବ ଭସା ମେଘ ପରି ଭାସିଗଲା ମୁହଁରେ । ଏତେଦିନର ଘନିଷ୍ଠତା ସତ୍ତ୍ୱେ ସେ ଅତର୍କିତ ଭାବରେ ଅସମୟରେ କେବେ ଆସେ ନାହିଁ-। ଥରଟିଏ ଚାହିଁ ସେ ବୁଝିପାରିଲା, କ୍ଷଣପ୍ରଭାର ମୁଣ୍ଡ ଭିତରେ ଝଡ଼ ତୋଫାନ ବହୁଛି ।

 

କହିଲା, ବସ ।

 

ତାର ଅନୁରୋଧକୁ ଅପେକ୍ଷା ନ କରି ପାଖ ଚଉକିରେ କ୍ଷଣପ୍ରଭା ବସିଲା । ପଚାରିଲା, ରୁଗ୍‍ଣ–ନିଳୟ ପରିଚାଳନା କମିଟିର ସଭାରେ ତମେ ଯୋଗ ଦେବାକୁ ଯିବ ତ ?

 

ଦୁଷ୍ମନ୍ତ କହିଲା, ମୁଁ ତ ସଭ୍ୟ ନୁହେଁ ।

 

ମୁଁ ଜାଣେ । ତମେ ସେ ସଭାରେ ଯୋଗଦେଲେ ଭଲ ହେବ । ଆଜି ଲୋକଗୁଡ଼ିଙ୍କର ଅବସ୍ଥା ଦେଖିଲ । ଦାଣ୍ଡ ହାଟରେ ବୁଲୁଥିଲାବେଳେ ସେମାନେ ଯେପରି ଥିଲେ ତା ଅପେକ୍ଷା କେଉଁ ଗୁଣରେ ଭଲରେ ଅଛନ୍ତି ? ବଡ଼ ଘରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ତଳେ ଛାଡ଼ି ଦେଇ ମୁଠାଏ ଖାଇବାର ବ୍ୟବସ୍ଥା କରି ଦେଇ ସେମାନଙ୍କର ଦୁଃଖ କଷ୍ଟ ଦୂର ହେବନାହିଁ । ଭଲ ଡାକ୍ତର ଉପଯୁକ୍ତ ପଥ୍ୟ ଔଷଧ ଇତ୍ୟାଦିର ଯଦି ବ୍ୟବସ୍ଥା କରାଯାଇ ନ ପାରେ ସେମାନଙ୍କୁ ଏ ଜେଲ ଭିତରେ ରଖିଲେ କିଛି ଉପକାର ହେବ ନାହିଁ ।

 

ଦୁଷ୍ମନ୍ତ କହିଲା, ଅନ୍ତତଃ ରୋଗ ବ୍ୟାପିବାର ସମ୍ଭାବନା ରହିବ ନାହିଁ ।

 

ସେମାନଙ୍କର ସେଥିରେ ଯାଏ ଆସେ କଣ ? ସମାଜ ଯଦି ରୋଗ ବ୍ୟାପିବା ଭୟରୁ ସେମାନଙ୍କୁ ଦୂରେଇ ରଖିବାକୁ ଚାହେଁ ଉଭୟଙ୍କର ମଙ୍ଗଳ ପାଇଁ ସମାଜକୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ମୋଟାମୋଟି ହିସାବରୁ ଜଣାଯାଉଛି, ଆହୁରି ପାଞ୍ଚ ଲକ୍ଷ ଟଙ୍କା ହେଲେ ସ୍ଥାୟୀ ଭାବରେ କିଛି କରାଯାଇ ପାରିବ । ପତ୍ର ପତ୍ରିକାରେ ଆବେଦନ କଲେ ଅଇଘରାକୁ ବାଇଗଣ ଫିଙ୍ଗିଲା ପରି କେହି କେହି ସାମାନ୍ୟ ଟଙ୍କା ଦେଇପାରନ୍ତି କିନ୍ତୁ ସେ କେଉଁଠିକି ପାଇବ ? ଗୋଟାଏ ଡ୍ରାଇଭ୍‍ କରିବାକୁ ପଡ଼ିବ । ଆଜି ସେହି ବିଷୟରେ ମୀମାଂସା ହେବ । ମେମ୍ୱର ନ ହେଲେ ତମେ ଗଲେ ଭଲ ହେବ ।

 

ଦୁଷ୍ମନ୍ତ ପଲକହୀନ ଚକ୍ଷୁରେ ଚାହିଁ ରହିଲା । ଦେଖୁଥିଲା ତାର ସୁନ୍ଦର ଉଜ୍ଜ୍ୱଳ ମୁହଁ । ତାର ପ୍ରତି ପଦ କଥାରୁ ଝରି ଆସୁଥିଲା କରୁଣାର ଧାରା, ବ୍ୟଥାବିକ୍ଷୋଭିତ । ଦୁଷ୍ମନ୍ତର କାନ କେବଳ ଶୁଣିଥିଲା, ମନ ଘେନୁ ନ ଥିଲା । ମନ ଚଞ୍ଚଳ, ଭମୁଥିଲା ହୃଦୟ ଭିତରେ, ଆକୁଳ ବିକଳ ହୋଇ ଖୋଲୁଥିଲା ସ୍ମୃତିସମାଧିର ରୁଦ୍ଧସତର୍କ ପ୍ରହରୀ ।

 

Unknown

ମନ ଭ୍ରମିଥିଲା ।

 

କାହିଁକି ? ଏଇ ତ ସେ ପ୍ରଭା, ତାର ରୁଗ୍‍ଣ ଶଯ୍ୟା ପାଖରେ ଯେ ନିଜକୁ ଭୁଲି ଦିନରାତି ବସି ସେବା କରିଛି, ନିଜ ହାତରେ ଉଠାଇ ଦେହକୁ ଆଉଜାଇ ନିଃସଙ୍କୋଚରେ ଶୁଆଇ ଦେଇଛି, କଥା କହି ହସିଛି, ରୋଗୀର ମୁହଁରେ ହସ ଚହଟାଇଛି, ଦେହ ହାତ ଆଉଁସିଛି ।

 

ରକ୍ତ ମାଂସର ଦେହରେ ଉତ୍ତେଜନାର ନିଆଁ ଚହଟିଲେ, ମନପବନରେ କାଳିଆ ମେଘ ଜମାଟ ବାନ୍ଧିଲେ, ଭେଖିଲା ଆଖିର ଛଟପଟ ଚାହାଁଣୀ ଏଇ ଦେବୀ ପ୍ରତିମାକୁ ବେଷ୍ଟନ କରିବାକୁ ଚାହିଁଛି । ଅସ୍ତବ୍ୟସ୍ତ ହୋଇ ଉଠିଆସି ନିରୋଳା ରାତିର ନିସ୍ତବ୍‌ଧତାକୁ ଭାଙ୍ଗେ ଲାବଣୀମୟର ଅମୃତ କଥା– କ୍ଷୀର ଟିକେ ପିଇବ, ବ୍ୟସ୍ତ ଲାଗୁଛି, ନିଦ ହେଉ ନାହିଁ ? ଉଦ୍‌ବିଗ୍ନ ହୋଇ ଅସାବଧାନତାର ପୂର୍ଣ୍ଣ ସମ୍ଭାର ଘେନି ଧାଇଁ ଆସେ ପାଖକୁ । ଏଇ ସେ, ପବିତ୍ରତାର ଜ୍ୱଳନ୍ତ ବହ୍ନି । ପାଖରେ ବସେ, ନଇଁପଡ଼ି ମୁଣ୍ଡରେ ହାତ ରଖେ, କଅଁଳେଇ କହେ, ଆଖି ବୁଜି ଶୋଇବାକୁ ଚେଷ୍ଟା କର, ମୁଁ ପାଖରେ ବସିଛି ।

 

ଆଖିବୁଜି ହୁଏ ଆପେ ଆପେ । ଦେହର ନିଆଁ ଲିଭେ । ମନର ବଉଦ ଅନ୍ତର୍ହିତ ହୁଏ । ପ୍ରାଣ ଉତ୍‌ଫୁଲ୍ଲ ହୁଏ । ଆଜି କାହିଁକି ମନରେ ଚାଞ୍ଚଲ୍ୟ ? ଆଗରେ କ୍ଷଣପ୍ରଭା ! ସତେ କି ସେ ଅନ୍ୟ କେଉଁ ଉପାଦାନରେ ନୂଆ ହୋଇ ଗଢ଼ାହୋଇ ଆସିଛି । ଭାଷାରେ ଅମୃତ ନାହିଁ, ଦୃଷ୍ଟିରେ ନାହିଁ ଜ୍ୱଳନ୍ତ ପବିତ୍ରତାର ଦୀପ୍ତି, ଭଙ୍ଗୀରେ ନାହିଁ କଅଣ, ବୁଝି ହେଉନାହିଁତ । କେବଳ ରୂପ ଯୌବନ, ଅତି ସାବଧାନତାର ଆକର୍ଷଣ, ମନର ଆବିଳ ଭାବକୁ ଅଟକାଇ ପାରୁନି ।

 

କଣ ଏତେ ଭାବୁଛ ?

 

ଦୁଷ୍ମନ୍ତ ଚମକି ଉଠିଲା । ଓଠରେ କୃତ୍ରିମ ହସ । କହିଲା, ଯିବି କି ନାହିଁ, ଭୁଲି ଯାଇଥିଲି କହିବାକୁ, ସନ୍ଧ୍ୟା ଗାଡ଼ିରେ ହରିବାବୁ ଓ ମଧୁବାବୁ ବାଲେଶ୍ୱରରୁ ଆସି ପହଞ୍ଚିବେ । ସିଂହଭୂମି ସମସ୍ୟା ନେଇ କାଲି ଗୋଟାଏ ଜରୁରୀ ବୈଠକ ହେବ । ମୁଁ ଗଲେ ସୁବିଧା ହେବ ନାହିଁ । ତୁଷାର ଯାଉ ।

 

କ୍ଷଣପ୍ରଭା ତୁନି ହୋଇ ଶୁଣିଲା । କେତେ ଭାବନା ଖେଳିଗଲା ତାର ମନରେ । ଦୁଷ୍ମନ୍ତର ଢଙ୍ଗ, କଥା ଓ ବ୍ୟବହାରରେ ସେ ଅଜଣା ପରିବର୍ତ୍ତନ ଅନୁଭବ କଲା । କହିଲା, ସେ ବୋଧହୁଏ କାର୍ଯ୍ୟବ୍ୟସ୍ତ ଥିବେ । କେହି ନ ଯାଉନ୍ତୁ, ମୁଁ ଏକା ଯିବି । ମୋର ଗୋଟିଏ କଥା ପଚାରିବାର ଥିଲା, ଏତେଟଙ୍କା ଦାନ ଉଠାଇବାକୁ ହେବ, ଦୁଷ୍ମନ୍ତବାବୁ କଅଣ ଦେବେ ? ଲୋକେ ଜାଣିବାକୁ ଚାହିଁବେ ।

 

ଦୁଷ୍ମନ୍ତ କହିଲା, ଏଥିପାଇଁ ମୋର ଦରକାର ନାହିଁ । ତମେ ଯାହା ଉଚିତ ମନେକରିବ ଲୋକଙ୍କୁ ଜଣାଇ ଦେବ ।

 

କ୍ଷଣପ୍ରଭା ତୁନି ହେଲା । ଲାଜରା ହେଲା । ସତକଥା, ଏ ବିଷୟରେ ଦୁଷ୍ମନ୍ତର ପରାମର୍ଶ ଲୋଡ଼ିବା କେବେ ଆବଶ୍ୟକ ପଡ଼ିନାହିଁ । ଟଙ୍କାପଇସା ହାନୀଲାଭ ସେ କେବେ ବୁଝିନାହାନ୍ତି । ଏତେ ନନ୍ଦଛନ୍ଦ ଭିତରେ ସେ ପଶି ପାରନ୍ତି ନାହିଁ । ସବୁ କ୍ଷଣପ୍ରଭା କରି ଆସିଛି । ଯେତେଦିନ ଏଇଠି ଥିବ ସବୁ ତାକୁ ହିଁ କରିବାକୁ ପଡ଼ିବ । କିନ୍ତୁ କାହିଁକି ଆଉ ସେ ପରର ବୋଝ ମୁଣ୍ଡରେ ବୋହିବ, ପର ଦାୟିତ୍ୱକୁ ନିଜର କରି ଛଟପଟ ହେଉଥିବ ? ଦୁଷ୍ମନ୍ତ ନିଜର ବୋଝ ନିଜେ ମୁଣ୍ଡାନ୍ତୁ, ସଂସାର କରନ୍ତୁ, ସେ ମୁକ୍ତ ହେବ ।

 

ପଚାରିବ, ଅନୁରୋଧ କରିବ, ତରଳାଇ ପାରିବ ପଥରର ଛାତି ? ହେମ ପାଖରେ ଯାହା ସେ ପ୍ରତିଜ୍ଞା କରିଥିଲା, କହିବ କି ଆଜି ? ଏଇ କଣ ବେଳ ?

 

କ୍ଷଣପ୍ରଭା ଭାବିଲା ।

 

ଦିହେଁ ନୀରବ । ଘଣ୍ଟାର ଟିକ୍‌ ଟିକ୍‌ କୋଠରୀର ନିସ୍ତବ୍‌ଧତା ଭାଙ୍ଗୁଛି । ସନ୍ଧ୍ୟା ହୋଇନାହିଁ । ବାହାର ଆଲୁଅ ମଳିନ ହୋଇ ଆସିଲାଣି । ଆକାଶରେ ମେଘ ଫଉଜ । ବର୍ଷା ନାହିଁ-। ଆଜି ହରିଜନ୍ମ । ନନ୍ଦଘରେ ଉତ୍ସବ । କହିବ ? କ୍ଷଣପ୍ରଭା ଦୃଷ୍ଟି ଟେକିଲା, ଦୁଷ୍ମନ୍ତ ତାରି ମୁହଁକୁ ଚାହିଁଥିଲେ । ଆଖି ଫେରାଇଲେ ଟେବୁଲ ଉପରକୁ ।

 

ଚାରି ଚକ୍ଷୁର ମିଳନ ନୁହେଁ, କଟାକଟି, ମୁହୂର୍ତ୍ତକେ, ବିଜୁଳି ଗତିରେ । ବିଜୁଳି ଚମକ ଲାଗିଲା କ୍ଷଣପ୍ରଭାର ଛାତିରେ । ଥରି ଉଠିଲା ଦେହସାରା । ମୁଣ୍ଡ ଭିତରେ ତଡ଼ିତ୍‌ ପ୍ରବାହ । ତୁଣ୍ଡର କଥା ଅଟକିଲା ଥରିଲା ଓଠରେ । ଭଗବାନର ଶକ୍ତି ସେ ହଜାଇ ବସିଲା ।

 

ଦୁଷ୍ମନ୍ତ ମୁହଁ ଖୋଲିଲା, ସ୍ୱରରେ ନାହିଁ ସ୍ଥିରତା, ଚନ୍ଦ୍ରକଳା ଦେବୀ ଚିଠି ଦେଇଛନ୍ତି ।

 

କ୍ଷଣପ୍ରଭା ବୁଝିଲା ନାହିଁ, ଚନ୍ଦ୍ରକଳା କିଏ । ମନର କୋହକୁ ଆୟତ୍ତ କରି ପଚାରିଲା, କାହିଁକି ?

 

ନାରୀ ସେବାଶ୍ରମ ପାଇଁ ସାହଯ୍ୟ ମାଗିଛନ୍ତି । ପଢ଼ନ୍ତୁ ।

ଚିଠିଖଣ୍ଡ ବଢ଼ାଇଦେଲା ।

 

କ୍ଷଣପ୍ରଭା ମନେ ମନେ ପଢ଼ିବାକୁ ଲାଗିଲା,–ଦୂର ମୋଫସଲ, ପ୍ରୀତିପୁର ଛୋଟଗାଁ । ସମସ୍ତେ ଗରିବ । ଦୂରରେ ଅଛି ବୋଲି ଆପଣମାନଙ୍କର ଦୃଷ୍ଟି ପଡ଼ୁନାହିଁ । ଦେଶରେ ଏତେ ବଡ଼ ବଡ଼ କାମ ଆପଣମାନେ କରି ପାରିଲେ, ମୋର ଏଇ ଛୋଟ ଆଶ୍ରମଟି ଅର୍ଥାଭାବରୁ ଭାଙ୍ଗୁଛି । ଏଣିକି କାହାରି ନଜର ପଡ଼ୁ ନାହିଁ । ଖବର କାଗଜରେ ଆବେଦନ ଅରଣ୍ୟରୋଦନ ସଙ୍ଗେ ସମାନ-

 

ଥରେ ଆସି ଦେଖିଯାଉନ୍ତୁ, ଅନାଥିନୀ ଭଉଣୀଗୁଡ଼ିକଙ୍କର ଅବସ୍ଥା । ମଣିଷ ଜୀବନ ଲଭି ଭୁଲ କରିବା ସମସ୍ତଙ୍କ ପକ୍ଷେ ସ୍ୱାଭାବିକ । ମୁଁ ମଧ୍ୟ ନିଜ ଆଦ୍ୟ ଜୀବନରେ ଭୁଲ କରି ସ୍ୱାମୀ ଗୃହରୁ ତଡ଼ାଖାଇ ଆସିଥିଲି । ଦୁଇ କୁଳରେ ସ୍ଥାନ ମଳିଲା ନାହିଁ । ସେଥିପାଇଁ ଏ ଆଶ୍ରମ ।

 

ପାଞ୍ଚଟି ଅନାଥିନୀ ଏବେ ଅଛନ୍ତି । ଦୁଇ ଜଣଙ୍କୁ ଭଲ ପାତ୍ର ଦେଖି ବାହା କରାଇ ଦେଇଛି । ସେମାନେ ସୁଖରେ ସଂସାର କରୁଛନ୍ତି । ଜଣକର ପୁଅଟିଏ ହୋଇଛି, ଆଉ ଏ ପାଞ୍ଚଟି ପୁଣି ଯେଉଁମାନେ ଆସି ଫେରୁଛନ୍ତି ? ଆପଣଙ୍କର ମନରେ କଣ ଦୟା ହେବ ନାହିଁ ? ଏମାନଙ୍କ ପ୍ରତି ଆପଣଙ୍କର କର୍ତ୍ତବ୍ୟ ନାହିଁ ?

 

ଥରେ ଆସନ୍ତୁ । ସାହାଯ୍ୟ ପଠାନ୍ତୁ, ନୋହିଲେ, ଅନୁଷ୍ଠାନ ଭାଙ୍ଗିବ ।

 

କ୍ଷଣପ୍ରଭା ଦୀର୍ଘଶ୍ୱାସ ଛାଡ଼ିଲା । ତାର ଅସ୍ଥିରତା ଭାଙ୍ଗିଲାଣି । ଚନ୍ଦ୍ରକଳାଙ୍କର ଦୁଇଟି ଧାଡ଼ି ଦରମରା ସାପ ପରି ମନରେ ଛାଟିପିଟି ହେବାକୁ ଲାଗିଲା– ଜୀବନ ଧରି ଭୁଲ କରିବା ସମସ୍ତଙ୍କ ପକ୍ଷେ ସ୍ୱାଭାବିକ, ମୁଁ ମଧ୍ୟ ଭୁଲ କରି ସ୍ୱାମୀ ଗୃହରୁ ତଡ଼ା ଖାଇ ଆସିଥିଲି ।

 

ମନର ଭାବନା ଭାଷାରେ ହେଲା ମୂର୍ତ୍ତିମତୀ, କାହିଁକି ଏପରି ଭୁଲକୁ ସମାଜ ସହିବ, ପ୍ରଶ୍ରୟ ଦେବ ? ଏପରି ଆଶ୍ରମ ସମାଜର କ୍ଷତି କରିବ । ସଂଯମ ହୁଗୁଳା ହେବ । ବିଶୃଙ୍ଖଳା ଆଣିବ ସୁପ୍ରତିଷ୍ଠିତ ସମାଜରେ ।

 

ଦୁଷ୍ମନ୍ତ କହିଲା, ସେଇ କଥା ମୁଁ ଭାବୁଥିଲି । ଭୁଲ କି ପାପ ଘୃଣ୍ୟ, ମଣିଷ ଘୃଣ୍ୟ ନୁହେଁ-। ମଣିଷର ବଞ୍ଚିବାର ଅଧିକାରକୁ କେହି ଉପେକ୍ଷା କରିପାରିବେ ନାହିଁ । ଭଲ ବାଟକୁ ଫେରି ଆସିବାକୁ ସୁଯୋଗ ଦେବାକୁ ହେବ । ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି । ସେଥିପାଇଁ ଚନ୍ଦ୍ରକଳାଙ୍କର ଆଶ୍ରମ ଲୋଡ଼ା । ପାର୍ବତୀ ଦେବୀଙ୍କର ଆଶ୍ରମ ଯଦି କାମ୍ୟ ତେବେ ଚନ୍ଦ୍ରକଳାଙ୍କର ଆଶ୍ରମ କାମ୍ୟ ନ ହେବ କାହିଁକି, ସହାନୁଭୂତି ନ ପାଇବ କାହିଁକି ?

 

କ୍ଷଣପ୍ରଭା କହିଲା, ପାର୍ବତୀ ଦେବୀଙ୍କର ଆଶ୍ରମ ଅନାଥ ଶିଶୁମାନଙ୍କ ପାଇଁ । ଶିଶୁ ଭୁଲ ବା ପାପର ଫଳ ହୋଇପାରେ, କିନ୍ତୁ ସେଥିପାଇଁ ଶିଶୁ ଦାୟୀ ନୁହେଁ । ସେ ପବିତ୍ର !

 

ପାପ ଘୃଣ୍ୟ, ପାପୀ ଘୃଣ୍ୟ ନୁହେଁ ।

 

ଅତି ପୁରୁଣା କଥା । ପାପୀ ଯଦି ଘୃଣ୍ୟ ନ ହୁଏ ପାପକୁ ଯେତେ ଘୃଣା କଲେ ବି ତାର ଗତି କେହି ଅଟକାଇ ପାରିବେ ନାହିଁ ।

 

ଉତ୍ତର ଦେବାକୁ ଦୁଷ୍ମନ୍ତ ଭାଷା ପାଇଲେ ନାହିଁ । କ୍ଷଣପ୍ରଭା ସଙ୍ଗେ ଯୁକ୍ତି ଆରମ୍ଭ କରି କେବେ ସେ ଜିତି ପାରି ନାହିଁ । ଯୁକ୍ତି ବଢ଼ାଇବା ନିଷ୍ପ୍ରୟୋଜନ । କହିଲା, ଚନ୍ଦ୍ରକଳା ଚିଠି ଲେଖିଛନ୍ତି, ସାହାଯ୍ୟ ମାଗିଛନ୍ତି, ତାଙ୍କୁ ଉତ୍ତର ଦେବାକୁ ହେବ । ମନାକରି ଦୁଃଖ ପ୍ରକାଶ କରି ଲେଖିଦେବ ଆପଣଙ୍କର କାର୍ଯ୍ୟ ସମାଜରେ ବିଶୃଙ୍କଳା ମଣିବ ବୋଲି ଆମର ଧାରଣା । ତେଣୁ ଆପଣମାନଙ୍କର କର୍ମ–ପନ୍ଥା ପାଇଁ ଆମର ସମର୍ଥନ ନାହିଁ, ସହାନୁଭୂତି ନାହିଁ ।

 

କ୍ଷଣପ୍ରଭା ହସିଲା । କହିଲା, ପାପପୁଣ୍ୟ ଭଲମନ୍ଦ ବିଚାର ନ କରି ତାଙ୍କ, ପାଖକୁ କିଛି ସାହାଯ୍ୟ ପଠାଇ ଦେଲେ ଭଲ ହେବ । ତାଙ୍କ ମତରେ ସେ ଭଲ କାମ କରୁଛନ୍ତି । ସାହାଯ୍ୟ ନ ପଠାଇଲେ ତାଙ୍କର ଆଦର୍ଶ ଓ ସ୍ୱାର୍ଥତ୍ୟାଗକୁ ଅପମାନ କରାହେବ । ଦୁଇଶହ ଟଙ୍କା ତାଙ୍କ ପାଖକୁ ପଠାଇ ଦେଲେ ଭଲ ହେବ ନାହିଁକି ?

 

ଖୁସି ହୋଇ ଦୁଷ୍ମନ୍ତ କହିଲା, ଭଲ ହେବ, ସେଇଆ କର ।

 

ସନ୍ଧ୍ୟା ଅନ୍ଧାର ମାଡ଼ି ଆସୁଛି । କ୍ଷଣପ୍ରଭା ଉଠିଲା । କହିଲା, ତମ ଦୁହିଁଙ୍କୁ ଚା ଜଳଖିଆ ଦେଲେ ମୁଁ ଆଜିମ୍‌ ମିଆଁଙ୍କ ଘରକୁ ଯିବି । ସେଇଠି ମିଟିଂ ହେବ । ମୁଁ ଚା ଆଣୁଛି । ତମେ ତମ ବନ୍ଧୁଙ୍କୁ ନେଇଆସ ।

 

କ୍ଷଣପ୍ରଭା ଚାଲିଗଲା ।

ଦୁଷ୍ମନ୍ତ ଦୀର୍ଘଶ୍ୱାସ ଛାଡ଼ିଲା ।

 

ରାତି ଆଠଟା । ଅବନୀବାବୁଙ୍କ ବୈଠକ ଘରେ ଗୋପାଳ, ସାନନ୍ଦ ଓ ଅବନୀବାବୁ ମ୍ୟାନେଜର ବସି ଗଳ୍ପ କରୁଛନ୍ତି । ଟେକ୍‌ସ୍‌ଟାଇଲ୍‌ ମିଲ୍‌ ପରିଦର୍ଶନ କରି ଅବନୀବାବୁ ଏବେ ଫେରିଲେ । ଭିତରକୁ ଯାଇଛନ୍ତି । ତାଙ୍କୁ ହିଁ ଅପେକ୍ଷା କରି ଗୋପାଳବାବୁ ବସିଛନ୍ତି ।

 

ଅବନୀବାବୁ ଡେରି କଲେ ନାହିଁ । ପାଞ୍ଚ ଦଶ ମିନିଟ୍‌ ପରେ ଫେରି ଆସିଲେ । ଗୋପାଳବାବୁଙ୍କ ପାଖରେ ବସିଲେ । ସିଗାରେଟ କାଢ଼ି ମୁହଁରେ ଲଗାଇଲେ । ସିଗାରେଟ ଧୂଆଁ କଡ଼କୁ ଛାଡ଼ି କହିଲେ, ଷ୍ଟ୍ରାଇକ୍‌ର ଧମକ ଦେଇ ଆପଣ ମୋତେ ଡରାଇ ପାରିବେ ନାହିଁ । ସେ ଆଶା ଆପଣଙ୍କର ବୃଥା । ସାତ ହଜାର ମୂଲିଆ ମୋ ମିଲ୍‌ଗୁଡ଼ିକରେ କାମ କରନ୍ତି । ସେମାନେ ସମସ୍ତେ ମୋର ଆଶ୍ରିତ । ସେମାନଙ୍କର ଭଲମନ୍ଦ ସୁଖଦୁଃଖ ପ୍ରତି ମୁଁ ଯେତିକି ଦୃଷ୍ଟି ଦିଏ, ଅନୁଷ୍ଠାନର ମଙ୍ଗଳ ଓ ଉନ୍ନତି ପ୍ରତି ସେତିକି ନଜର ଦିଏ ।

 

ଗୋପାଳ ହସି ଉଠିଲେ । କହିଲେ, ଆପଣ ହସାଇଲେ । ସେମାନେ ଆପଣଙ୍କର ଆଶ୍ରିତ ନା ଆପଣ ସେମାନଙ୍କର ଆଶ୍ରିତ ଏତିକି ଆପଣ ବୁଝିପାରୁ ନାହାନ୍ତି । ଷ୍ଟ୍ରାଇକ୍‌ ଧମ୍‌କ ମୁଁ ଦେଉନାହିଁ, ଯେଉଁମାନଙ୍କର ପେଟ ପୂରୁନାହିଁ ଦିନରାତି ଚବିଶଘଣ୍ଟା ଖଟି ଖଟି ଯେଉଁମାନଙ୍କର ପିଲା କୁଟୁମ୍ୱ ଉପାସ ଭୋକର ଗଡ଼ି ମରୁଛନ୍ତି, ସେଇମାନେ ହିଁ ଧର୍ମଘଟ କରିବେ । ତେଣିକି ଯାହା ହେବାର ହେଉ ।

 

ହେବ ଆଉ କଅଣ ? ମିଲ୍‌ଗୁଡ଼ିକ ବନ୍ଦ ହେବ । ସାତ ହଜାର ମୂଲିଆ ବେକାର ହୋଇ ବସିବେ । ଆପଣ ସେମାନଙ୍କୁ ଖାଇବାକୁ ଦେବେ, ସେମାନଙ୍କର ପିଲା କୁଟୁମ୍ୱଙ୍କୁ ପୋଷିବେ । ଆମର କ୍ଷତି ହେବ, ହେଉ । ଯେଉଁ ଧନ ଆମେ ସଞ୍ଚି ରଖିଛୁଁ ସେଥିରେ ଆମର ଚଳିଯିବ, କିଛି ଅସୁବିଧା ହେବନାହିଁ ।

 

ସାନନ୍ଦ ଉଦ୍‌ଗାରିଲେ, ସଞ୍ଚି ରଖିପାରିବେ ? ଯେଉଁ ହଜାର ହଜାର ମୂଲିଆ ବେକାର ହୋଇ ବସିବେ, ଭୋକ ଉପାସରେ ଛଟପଟ ହେବେ, ସେମାନଙ୍କର ଖର ନିଶ୍ୱାସ ଓ ଆଖିର ନିଆଁରେ ଆପଣମାନେ ଜଳିପୋଡ଼ି ପାଉଁଶ ହେବେ ।

 

ମ୍ୟାନେଜର କହିଲେ, ବଙ୍ଗଦେଶରେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା ସେଥିରୁ ଆପଣମାନେ କିଛି ଶିକ୍ଷା କଲେ ନାହିଁ ? ୧୯୪୩ ସାଲର କଥା ମନେଥିବ । ଓଡ଼ିଶାର ନଅଙ୍କ ସିନା ଇତିହାସର କଥା, ହୁଏ ତ ଆପଣମାନଙ୍କର ମନେ ନ ଥିବ, କିନ୍ତୁ ବଙ୍ଗଦେଶର ଦୁର୍ଭିକ୍ଷ ତ ଆଖିରେ ଦେଖିଥିବେ-। ପେଟ ବିକଳରେ ଘରଦ୍ୱାର ପିଲାକୁଟୁମ୍ୱ ଛାଡ଼ି ଲକ୍ଷ ଲକ୍ଷ ଲୋକ ବାଟ କଡ଼ରେ, ରାସ୍ତାଘାଟରେ ପଡ଼ି ଛଟପଟ ହୋଇ ପ୍ରାଣ ହାରିଲେ । କାହାରି ନାଲି ଆଖି, ଖର ନିଶ୍ୱାସ, ଅଭିଶାପ କାହାରିକୁ ଜାଳିପୋଡ଼ି ମାରିଲା ନାହିଁ । ଏ ସବୁ ଅଳସ-ଚିନ୍ତା ।

 

ଗୋପାଳ କହିଲେ, ଯୁଗ ବଦଳିଛି । ଠେଙ୍ଗା କିପରି ଧରିବାକୁ ହୁଏ ଠେଙ୍ଗା କିପରି ବ୍ୟବହାର କରିବାକୁ ହୁଏ ମଣିଷ ଶିଖିଲାଣି । ଆପଣ ଅକଡ଼େଇ ପାରିବେ ନାହିଁ ।

 

ଅବନୀବାବୁ କହିଲେ, ଦୁର୍ବଳ ହାତରେ ଠେଙ୍ଗା ଥରିଉଠିବ ଆଜ୍ଞା, ନିଜ ମୁଣ୍ଡରେ ନିଜ ହାତରେ ଟେକିଲା ଥରିଲା ଠେଙ୍ଗା ଖସି ପଡ଼ିବ, ମୁଣ୍ଡ ଫାଟିବ । ସେ ମଫସୋଲକୁ ଯାଆନ୍ତୁ ସେଇଠି ଆପଣଙ୍କର ବକ୍ତୃତା ଦେବେ । ରାଣ୍ଡ ନିରାଶ୍ରୟ ସ୍ତ୍ରୀ ଲୋକଙ୍କଠାରୁ ପ୍ରଶଂସା ପାଇବେ । ଦେଶର ଆଇନ ହେଉଛି କାଳସର୍ପ । ଜାଣି ଜାଣି ସାପ ଲାଙ୍ଗୁଡ଼ରେ ହାତ ମାରନ୍ତୁ ନାହିଁ । ସାପ ଆଗକୁ ଯିବାକୁ ଗରିବ, ମୂର୍ଖ, ନିରୀହ ଲୋକଙ୍କୁ ପ୍ରବର୍ତ୍ତାଉନ୍ତୁ ନାହିଁ । ସମସ୍ତେ ଚୋଟଖାଇ ମରିବେ-

 

ଦେଶର ଆଇନ୍ ଆମେ ଗଢ଼ିଛୁଁ, ଆମେ ବଦଳାଇବୁ ।

ଠେଙ୍ଗାଧରି ବଦଳାଇବେ ? ଧମକ୍‌ଦେଇ ଭୟ ଦେଖାଇ ବଦଳାଇ ପାରିବେ ?

ଯଦି ଆବଶ୍ୟକ ପଡ଼େ ଠେଙ୍ଗାର ସଦ୍‌ବ୍ୟବହାର କରାଯିବ ।

 

ଆପଣ ମୋର ବନ୍ଧୁ, ସେହି ଅଧିକାରରେ ମୁଁ ଆପଣଙ୍କୁ ଅତି ନିର୍ବୋଧ ବୋଲି ସମ୍ବୋଧିଲେ ଆପଣ କିଛି ମନେକରିବେ ନାହିଁ । ଦେଶର ପ୍ରଚଳିତ ଆଇନ ଦେଶ–ଲୋକଙ୍କର ଇଚ୍ଛାର ସମଷ୍ଟି, ହୃଦୟର ଭାଷାର ସମ–ସ୍ୱର । ଅତି ଟାଣ ସେ ଆଇନ୍ ଦଉଡ଼ି ଆଜ୍ଞା ଯେ କେତୋଟି ଖିଅ ପଦାକୁ ଝୁଲେ ସେ ସବୁ ବି ଦଉଡ଼ି ସାଥିରେ ଚାଲେ । ନିଆଁରେ ପୋଡ଼ିଲେ, ହାତରେ ଛିଣ୍ଡାଇଲେ ଆଗ ସେଇ ଓହଳା ଖିଅ ଯେ ଆପଣମାନେ ଓ ଆପଣମାନଙ୍କ ଆଗରେ ପଛରେ ଯେଉଁମାନେ ଥାନ୍ତି ସେଇମାନେ, ଆଗ ଜଳି ପାଉଁଶ ହୁଅନ୍ତି, ଛିଣ୍ଡିତଳେ ପଡ଼ନ୍ତି । ଆଇନ୍‍ ଦଉଡ଼ା ଟାଣ, ଅତି ଟାଣ ଆଜ୍ଞା !

 

ଆଇନ୍ ଆପଣଙ୍କର !

 

ସମସ୍ତଙ୍କର । ଠେଙ୍ଗା ଦେଖାଇ ବଳ ପ୍ରୟୋଗର ଚେଷ୍ଟା କରି ଆପଣ ଆଇନ ବଦଳାଇ ପାରିବେ ନାହିଁ । ଲୋକଙ୍କୁ ଅବାଟରେ ଚଳାଇ ସେମାନଙ୍କର ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ-। ସେମାନଙ୍କୁ ଟିକିଏ ଉତ୍ତେଜିତ କରିପାରିବେ । ଉତ୍ତେଜନାର ଫଳ କେତେବେଳଯାଏ ରହିବ-? ଉତ୍ତେଜନା କମିଲେ ଫଳ କଣ ହେବ ?

 

ଦୁନିଆଁର ଚାରିଆଡ଼କୁ ଚାହିଁଲେ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । ସବୁଠି ଅନ୍ୟାୟ, ଅନୀତି, ଅତ୍ୟାଚାର, ଅସମତା ବିରୁଦ୍ଧରେ ହାତ ଉଠିଛି । ଅବାଟ ବୋଲି କାହାକୁ କହୁଛନ୍ତି ତାର ଭିତରେ ଫିଟିଛି ବାଟ, ସଳଖ ବାଟ । ସଘର୍ଷକୁ ଯଦି ଏଡ଼ିବାକୁ ଚାହୁଛନ୍ତି ତ ଆପଣ ବିଚାର ବୁଦ୍ଧି ପ୍ରୟୋଗ କରନ୍ତୁ, ମୂଲିଆଙ୍କର ଦାବୀ କଥା ବୁଝନ୍ତୁ ।

 

ନ ବୁଝିଛୁ କଅଣ ? କାର୍ଯ୍ୟ ଓ ଦକ୍ଷତା ଅନୁସାରେ ମଜୁରି ଦିଆ ହେଉଛି । ଶସ୍ତା ଓ ସୁବିଧାରେ ସେମାନଙ୍କୁ ସବୁ ପ୍ରକାର ପଦାର୍ଥ ଯୋଗାହେଉଛି । ସେମାନଙ୍କ ରହିବାର ସୁବନ୍ଦୋବସ୍ତ କରାହୋଇଛି । ସେମାନଙ୍କର ସ୍ୱାସ୍ଥ୍ୟ, ଆନନ୍ଦ, ଆମୋଦ ପ୍ରମୋଦ ଓ ଶିକ୍ଷା ପାଇଁ ସବୁ ବ୍ୟବସ୍ଥା କରାହୋଇଛି । କାର୍ଯ୍ୟର ସମୟ, ଛୁଟିର ପରିମାଣ, ଆକସ୍ମିକ ଦୁର୍ଘଟନା ପାଇଁ ସାହାଯ୍ୟ, ଭବିଷ୍ୟତ ପାଇଁ ବୋନସ୍; ସବୁର ବ୍ୟବସ୍ଥା କରାହୋଇଛି ଗୋପାଳବାବୁ । ଏହାସତ୍ତ୍ୱେ ଯଦି ଆପଣମାନେ ଅନର୍ଥ ଭିଆନ୍ତି, ଅଶାନ୍ତି ସୃଷ୍ଟି କରନ୍ତି, ତାଆରି କୁଫଳ ପାଇଁ ଆପଣମାନେ ନିଜକୁ ଦୋଷ ଦେବେ କି ନିନ୍ଦିବେ କି ଧନ୍ୟବାଦ ଦେବେ ସିନା, ଆମକୁ ଦାୟୀ କରିବେ ନାହିଁ ।

 

ସାନନ୍ଦ କହିଲେ ଯେଉଁସବୁ ବ୍ୟବସ୍ଥା କରିଛନ୍ତି ସେତକ ଯଥେଷ୍ଟ ନୁହେଁ ।

 

ବେଶ୍, ଯଦି ଯଥେଷ୍ଟ ନୁହେଁ ବୋଲି ଆପଣମାନେ ମନେକରୁଛନ୍ତି, ଅଶାନ୍ତି ଅସନ୍ତୋଷ ଓ ଅନର୍ଥ ଭିଆଇଲେ କଣ ଯଥେଷ୍ଟ ହୋଇଯିବ ? ତା ନୁହେ । ଷ୍ଟ୍ରାଇକ୍‍ର ଧମକକୁ ଆଗ ପ୍ରତ୍ୟାହାର କରନ୍ତୁ । ତା ପରେ ବସି ଧୀରସ୍ଥିର ହୋଇ ବିଚାର କରିବା । କେଉଁ କଥାର ଅଭାବ ହେଉଛି ଓ କେଉଁ କଥାର ଉନ୍ନତି ଲୋଡ଼ା । ଚାରିଆଡ଼କୁ ଦୃଷ୍ଟି ଦେଇ ଯଥାସମ୍ଭବ ସୁବିଧା କରାହେବ । ଷ୍ଟ୍ରାଇକର ନୋଟିସ୍ପ୍‍ ପ୍ରତ୍ୟାହାର ନ କରିବା ଯାଏ ସମାଧାନର ପ୍ରଶ୍ନ ଉଠୁ ନାହିଁ । ଏହି ମୋର ଶେଷ କଥା ।

 

ଅବନୀବାବୁ ଏତିକି କହି ସୁନା ସିଗାରେଟ୍‍ କେଶ୍‍ରୁ କାଢ଼ି ସିଗାରେଟ୍‍ ଲଗାଇ ଜୋରରେ ଟାଣିଲେ ।

 

ସମସ୍ତେ ନୀରବ ।

 

ଭାବିଚିନ୍ତି ଗୋପାଳ କହିଲେ, ଆପଣ ମିଲ୍‍ ମାଲିକ ସଂଘର ସମ୍ପାଦକ । ଆପଣ ଯଦି ନିର୍ଭର ଜବାବ ଦେବେ ଯେ ଲାଭାଂଶରୁ ଗୋଟିଏ ସେଆର ୱାକରମାନଙ୍କୁ ଦେବେ, ଷ୍ଟ୍ରାଇକ୍‍ର ନୋଟିସ ପ୍ରତ୍ୟାହାର କରାଯିବ । ଶ୍ରମିକମାନେ ଚାହାନ୍ତି ଲାଭାଂଶର ଶତକଡ଼ା ଷାଠିଏ ଭାଗ ।

 

ଅବନୀ ଚିହିଁକି ଉଠିଲେ; କହିଲେ, ନିର୍ବୁଦ୍ଧିତା ଓ ନିର୍ବୋଧତାର ସୀମା ଅଛି । ନୀତି ହିସାବରେ ଆପଣମାନଙ୍କର ଦାବୀ ଏକାଥରେ ଆଗ୍ରହ୍ୟ । ଲାଭାଂଶ ସଙ୍ଗେ ମଜୁରିଆର ସମ୍ବନ୍ଧ ନାହିଁ । ଲାଭାଂଶର ସୁବିଧା ଯଦି କାହାର ପାଇବାର ଥାଏ, ସେ କେବଳ ଖାଉଟିର । ତାଙ୍କଠାରୁ ସେ ଧନ ଆଦାୟ କରାଯାଇଛି ତେଣୁ ଭିନ୍ନ ଭିନ୍ନ ମିଲରେ ଯେଉଁ ସବୁ ପଦାର୍ଥ ଉତ୍ପାଦନ କରାହେଉଛି, ସେ ସବୁର ମୂଲ୍ୟ ହ୍ରାସ କଲେ ସାଧାରଣ ଖାଉଟିର ଉପକାର ହେବ । ଖାଉଟି ହିସାବରେ ମଜୁରିଆ ବି ତାର ଉପକାର ପାଇବ । ଏ ବିଷୟ ବିଚାର କରାହେଉଛି ।

 

ଗୋପାଳ କହିଲେ, ଆପଣମାନେ ଯେ ଲକ୍ଷ ଲକ୍ଷ ଟଙ୍କା ଗଦା କରି ରଖିଛନ୍ତି ସେ ସବୁ କାହା ପାଇଁ ହୋଇ ପାରିଛି ? ଏଇ ମଜୁରିଆଙ୍କର ମୁଣ୍ଡର ଝାଳ ପାଇଁତ ?

 

ଠିକ୍‌ କଥା, ମଜୁରିଆଙ୍କ ପାଇଁ କିନ୍ତୁ ସେ ଧନ ମଜୁରିଆଙ୍କର ନୁହେଁ । ସବୁ ଆମର । ଭଲକରି ଭାବିଲେ ବୁଝିବେ ସେ ସବୁ ଖାଉଟିଆଙ୍କର । ସେ ଧନ ସଂଗ୍ରହ କରିବାକୁ ମଜୁରିଆ ସାହାଯ୍ୟ କରିଛି । ସେ ଧନ ପୁଣି ସେଇ ମଜୁରିଆ ଓ ଖାଉଟିଙ୍କ କାମରେ ଲାଗୁଛି ଓ ଲାଗିବ । ଏଥିପାଇଁ ମୁଁ ନିର୍ଭର ଜବାବ ଆପଣଙ୍କୁ ଦେଉଛି । କେନ୍ଦୁଝର ଜିଲ୍ଲାରେ ଯେଉଁ ମାଙ୍ଗାନିଜ ଫ୍ୟାକ୍ଟ୍ରିଗୁଡ଼ିକ ବସିଛି ସେ କେଉଁ ଧନରେ ? କାଳାହାଣ୍ଡିର କୋଇଲା ଖଣି, ନବରଙ୍ଗପୁରର ଲୁହା କାରଖାନା, ଆହୁରି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କଳାକାରଖାନା ବସାଇବାର ଯେଉଁ ଯୋଜନା କରାହୋଇଛି, ବିନା ଧନରେ ସେ ସବୁ ହୋଇପାରିବ ନାହିଁ । ଟଙ୍କା କେଉଁଠୁ ଆସିବ କୁହନ୍ତୁ ? ଦେଶର ଉନ୍ନତି ପାଇଁ ଦେଶକୁ ଇଣ୍ଡଷ୍ଟ୍ରିୟେଲାଇଜ୍‌ କରିବାକୁ ହେବ । ତା ହେଲେ ବେକାର ସମସ୍ୟା ସମାଧାନ ହେବ । ଭୂଗର୍ଭ ନିହିତ ସବୁ ସମ୍ପଦ ଲୋକଙ୍କର କାର୍ଯ୍ୟରେ ଲାଗିବ । ଲକ୍ଷ ଲକ୍ଷ ଲୋକ, ଯେଉଁମାନେ କାର୍ଯ୍ୟ ଅଭାବରୁ ଅଳସରେ ବେଳ କାଟୁଛନ୍ତି, ଦରମରା ହୋଇ ଉପାସ ଭୋକରେ ଛଟପଟ ହେଉଛନ୍ତି, ଅଧା ବୟସରେ ମରୁଛନ୍ତି, ସେମାନେ ମଣିଷ ହେବେ, ବଞ୍ଚିବେ । ସମସ୍ତେ ସୁଖରେ ରହିବେ, ଆନନ୍ଦରେ ରହିବେ । ଆପଣମାନେ ଯେଉଁ ଧ୍ୱଂସର ବାଟ ଧରିଛନ୍ତି ସେଥିରେ; ସମସ୍ତଙ୍କର କ୍ଷତି ।

 

ଗୋପାଳ ଭାବିଲେ । କହିଲେ, ଏ ସବୁ କାମ ଦେଶର ସରକାର କରିବେ ।

 

ଅବନୀବାବୁ କହିଲେ, ସରକାର ପଛରେ ଥାଏ, ଲୋକେ କରନ୍ତି । ଆପଣ ଏ ଦେଶରେ ରହି ଋଷିଆର ସ୍ୱପ୍ନ ଦେଖନ୍ତୁ ନାହିଁ ? ଦିଲ୍ଲୀକା ଲଡ଼ୁର ସ୍ୱାଦ ଅନୁମାନ କରି ଓଠ ଚାପି ଆନନ୍ଦ ଅନୁଭବ କରନ୍ତୁ ନାହିଁ । ପ୍ରକୃତ ଅବସ୍ଥାଟା ଦେଖନ୍ତୁ । ଦୂରକୁ ନ ଚାହିଁ ପାଖକୁ ଚାହାନ୍ତୁ ।

 

ଗୋପାଳ ଓ ସାନନ୍ଦ ଉତ୍ତର ଦେଇପାରିଲେ ନାହିଁ ।

ଚାକର ଭିତରୁ ଆସିଲା ।

ଅବନୀ ତା ମୁହଁକୁ ଚାହିଁଲେ ।

 

ଚାକର କହିଲା ମା ସିନେମାରୁ ଫେରି ନାହାନ୍ତି । ପ୍ରଭାଦେବୀ କେତେବେଳୁ ଆସି ତାଙ୍କୁ ଅପେକ୍ଷା କରି ବସିଛନ୍ତି ।

 

କିଏ, କ୍ଷଣପ୍ରଭା ?

ଆଜ୍ଞା ।

ଆରେ, ତାଙ୍କୁ ଡାକି ଦେ ଏଠିକି ।

 

ସେ ଆପଣମାନଙ୍କୁ ଡାକୁଛନ୍ତି । ମା ନାହାନ୍ତି ଶୁଣି ସେ ଆପଣମାନଙ୍କ ପାଇଁ ଜଳଯୋଗର ବ୍ୟବସ୍ଥା କରିଛନ୍ତି ।

 

ଓ,– ଆସନ୍ତୁ ଗୋପାଳବାବୁ, ଆଜି କ୍ଷଣପ୍ରଭା ଦେବୀ ଆମର ଚର୍ଚ୍ଚା କରିବେ । ଆସନ୍ତୁ ସାନନ୍ଦବାବୁ ମ୍ୟାନେଜର ବାବୁ, ବାକି ଯାହା ରହିଲା କାଲି କି ଆଉ କେବେ ଆଲୋଚନା ହେବ । ସମସ୍ତଙ୍କର ସୁବିଧା ଦୃଷ୍ଟିରୁ ଦେଶର କଲ୍ୟାଣ ମନାସି ଆମେ ସମସ୍ତେ ଯଦି ଏକାଠି ମୁଣ୍ଡ ଯୋଡ଼ି ବିଚାର କରିବା, ସମାଧାନ ନିଶ୍ଚୟ ହେବ । ବାଦାନୁବାଦ ଅମେଳ କଜିଆ ସବୁ ଆମର ଲୋଡ଼ା, କିନ୍ତୁ ସବୁବେଳେ ସାମାଧାନ ଆମର ଲକ୍ଷ୍ୟ ଥିଲେ କିଛି ବଳାଇ ଯିବ ନାହିଁ ।

 

ଅବନୀବାବୁ ଉଠିଲେ । ଗୋପାଳବାବୁଙ୍କର ହାତ ଧରିଲେ ।

 

ରାତି ଦଶଟା । ଉପର ମହାଲାର ବୈଠକଘରେ ବିଜୁଳି ଆଲୁଅ ଜଳୁଛି । ଅବନୀବାବୁ କୁସନ ଚେୟାରରେ ବସି ରେଡ଼ିଓ ଯନ୍ତ୍ର ମୋଡ଼ାମୋଡ଼ି କରୁଛନ୍ତି । କେତେବେଳେ କେଉଁ ଷ୍ଟେସନରୁ ଅବୋଧ୍ୟ ଭାଷାର ତାନ–ମାନରୁ ଚିରିକି ଆସୁଛି ପଦେ ଅଧେ । କେତେବେଳେ ଯନ୍ତ୍ର ହେଉଛି ଘଡ଼ଘଡ଼ । ପାଖ ଚେୟାରରେ ବସିଛି କ୍ଷଣପ୍ରଭା । ହସ ଲାଖି ରହିଛି ଓଠରେ । ତନ୍ମୟ ହୋଇ ଚାହିଁ ରହିଛି ରେଡ଼ିଓ ଆଡ଼କୁ । ରୂପର ଢେଉ ସତେ କି ଲହଡ଼ି ଭାଙ୍ଗୁଛି ସେ ଘରେ ।

 

ଅବନୀ ରେଡ଼ିଓ ବନ୍ଦ କରି କ୍ଷଣପ୍ରଭାକୁ ଚାହିଁ ହସହସ ହୋଇ କହିଲେ, ନା, କୌଣସି ଷ୍ଟେସନରୁ ସମ୍ବାଦ ଆସୁନାହିଁ । ଗୀତ ଶୁଣିବାକୁ ମତେ ଭଲ ଲାଗେ ନାହିଁ । ସବୁ ଗୀତ ଏକାପରି ଲାଗେ । ସବୁବେଳେ ରେଡ଼ିଓର ଘାଉଁଘାଉଁ ବିରକ୍ତ ଲାଗେ ।

 

କ୍ଷଣପ୍ରଭା କହିଲା ଯିଏ ତହିଁରେ ବୁଡ଼ି ରହିଥାଏ ତାକୁ ସେ ଆନନ୍ଦ ଦେଇପାରେ ନାହିଁ । ନୂତନତ୍ୱ ହିଁ ମଣିଷକୁ ଆନନ୍ଦ ଦିଏ । ସେଇଥିପାଇଁ ମଣିଷର ଉଦ୍ୟମ କିଛି ନୂଆ ଭାବିବ, ନୂଆ କରିବ, ନୂଆ ଦେଖିବ, ନୂଆ ଚାଖିବ ।

 

ଅବନୀବାବୁ କହିଲେ, ଆନନ୍ଦ ହେଉ କି ଦୁଃଖ ହେଉ ସବୁ କ୍ଷେତ୍ରରେ ଏ ନିଶାପ ସମାନ । ଯେଉଁମାନଙ୍କର ଦୁଃଖକଷ୍ଟ କଥା ଭାବି ତମେ ବ୍ୟାକୁଳ ହୋଇପଡ଼ିଛ, ସେମାନେ ଏତେ ବ୍ୟାକୁଳ ନୁହନ୍ତି । ସବୁ ତାଙ୍କର ଦେହସହା ହୋଇଛି । ଖଣ୍ଡିଆ ହାତ ଗୋଡ଼ ଓ ଛାତିର ପଞ୍ଜରାକାଠି ଦେଖି ସେମାନେ ଚମକି ଉଠୁ ନାହାନ୍ତି । ଦୁଃଖ ଯନ୍ତ୍ରଣା ସେମାନେ ସହୁଛନ୍ତି, ତାରି ଭିତରେ ଘାଣ୍ଟି ହେଉଛନ୍ତି, ଛଟପଟ ହେଉଛନ୍ତି, ମରଣକୁ ପ୍ରତି ମୁହୂର୍ତ୍ତରେ ଆଗରେ ଦେଖୁଛନ୍ତି, କିନ୍ତୁ ଦୂରରେ ଠିଆହୋଇ ଦେଖିଲା ମଣିଷ ପରି ସେମାନଙ୍କର ଛାତି ଚମକି ଉଠୁ ନାହିଁ ।

 

କ୍ଷଣପ୍ରଭା କହିଲା, ଆପଣ ଯାହା କହିଲେ ହୁଏ ତ ତାହା ସତ, କିନ୍ତୁ ଆମର କର୍ତ୍ତବ୍ୟ ଆମକୁ ନିଶ୍ଚୟ କରିବାକୁ ହେବ । ଯେତେଦୂର ସମ୍ଭବ ସେମାନଙ୍କର ଦୁଃଖକଷ୍ଟ ଲାଘବ କରିବାକୁ ହେବ । ପାଞ୍ଚ ଲକ୍ଷ ଟଙ୍କାରୁ କମ୍‍ରେ କିଛି ହୋଇପାରିବ ନାହିଁ । ଆପଣ ଅନେକ ଟଙ୍କା ଆଗରୁ ଦେଇଛନ୍ତି ତଥାପି, ଆପଣଙ୍କ ପାଖକୁ ଏଇ ହତଭାଗ୍ୟମାନଙ୍କ ପାଇଁ ଆଉଥରେ ମୁଁ ହାତ ପାତିବାକୁ ଆସିଛି ।

 

ଅବନୀ ଭାବିଲେ । କ୍ଷଣପ୍ରଭାର ମୁହଁକୁ ଚାହିଁ କହିଲେ ଦେଶର ଏତେ ସମସ୍ୟା, ଚାନ୍ଦାପାଇଁ ଏତେ ଡାକରା ଯେ ଦେବାକୁ ବସିଲେ କୁବେର ସମ୍ପତ୍ତି ବି ନିଅଣ୍ଟ ହେବ । ମୋର ନିଜର ସମ୍ପତ୍ତି ନାହିଁ କହିଲେ ଚଳେ । ଦୁନିଆଁ ସିନା ବୁଝିବି ନାହିଁ, ତମେ ଅବଶ୍ୟ ବୁଝିବ । ବ୍ୟାଙ୍କ ଏକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ରହିଛି ସତ, କିନ୍ତୁ ମୁଁ ପଣ କରିଛି ସେଥିରୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଖରଚ କରିବି ନାହିଁ । ଏତେ ମିଲ୍‍ର ମାଲିକ ହେଲେ ବି ମୁଁ କର୍ମୀ, ମାସକୁ ମାସ ମୁଁ ଦରମା ନିଏ । ଯାହା ମୁଁ ନିଏ ସେତିକି ମୋର ଓ ମୋ ଘର ଖର୍ଚ୍ଚକୁ ନିଅଣ୍ଟ । ଯେଉଁ ପବିତ୍ର ଦାୟିତ୍ୱ ଦେଶର ଧନ ମୋ ହାତରେ ଅଛି, ସେଥିରୁ ନିଜ ପାଇଁ ଖର୍ଚ୍ଚ କରିବାକୁ ଏପରି କି କରଜ ନେବାକୁ ମୁଁ କେବେ ସାହସ କରି ନାହିଁ ।

 

ଆଶ୍ଚର୍ଯ୍ୟ ହୋଇ କ୍ଷଣପ୍ରଭା ଅବନୀବାବୁଙ୍କ ମୁହଁକୁ ଅନାଇଁ ରହିଲା । ତାର ମନେହେଲା ଯେପରି ସେ ଏଇ ଲୁହାପଥର ଗଢ଼ା ଆମେରିକା ଫେରନ୍ତା ମଣିଷ ପାଖରେ ପରାସ୍ତ ହୋଇ ଫେରିବ । ନିଜର ଧନକୁ ପବିତ୍ର ଦାୟିତ୍ୱ ଦେଶର ଧନ ଆଖ୍ୟା ଦେଇ ନିଷ୍କୃତି ଲଭିବାକୁ ସେ ବସିଛନ୍ତି । କହିଲା, ଆପଣଙ୍କ କଥା ଶୁଣିଲେ ସମସ୍ତେ ହସିବେ । ଆପଣ ମୋର ଅନୁରୋଧକୁ ଆଡ଼େଇ ଦେବାକୁ ଏଇ ବୁଦ୍ଧି ପ୍ରୟୋଗ କରୁଛନ୍ତି ।

 

କ୍ଷଣପ୍ରଭା ଭ୍ରୁଲତା ଟେକି କଣେଇଁ ଚାହିଁ ମୁଡ଼ୁକେଇ ହସିଲା । ଅବନୀ ସାମନ୍ୟ ହସି କହିଲେ, ମୋର ଏ କଥା ଆଉ କେହି ଶୁଣିବାର ସୁଯୋଗ ପାଇନାହାନ୍ତି କି ପାଇବେ ନାହିଁ । ତେଣୁ ପ୍ରାଣଭରି ଆମୋଦ ଲଭିବାର ସୌଭାଗ୍ୟ ସେମାନଙ୍କର ନାହିଁ । ତମେ କର୍ମୀ, ତମକୁ ମୁଁ ସମ୍ମାନ କରେ, ତମେ ମନରେ ବଡ଼ ଉଦ୍ଦେଶ୍ୟ ରଖି କାମ କରୁଛ, ତେଣୁ ମୋର ଉଦ୍ଦେଶ୍ୟ ଭଲକରି ବୁଝିପାରିବ । ମୋର ପଣ, ଦେଶର ଇଣ୍ଡଷ୍ଟ୍ରିର ଉନ୍ନତି । ଦେଶକୁ ଉଣ୍ଡଷ୍ଟ୍ରିଏଲାଇଜ୍ କରିବାକୁ ଧନ ଲୋଡ଼ା, କୋଟି କୋଟି ଟଙ୍କା । ଗୁଣ୍ଡୁଚି ମୂଷା ମୁଁ, ମୋଦ୍ୱାରା ଯେତିକି ହୋଇପାରିବ ମୁଁ କରିବି । ଦେଶ ଇଣ୍ଡଷ୍ଟ୍ରିଏଲାଇଜ୍ ନ ହେଲେ ଲୋକଙ୍କର ଦୁଃଖ ଦୂର ହେବ ନାହିଁ । ସବୁଧନ ମୁଁ ସଞ୍ଚି ରଖିବାକୁ ଚାହେଁ । ଏତେ ଯୋଜନା ବର୍ତ୍ତମାନ ପ୍ରସ୍ତୁତ ହୋଇରହିଛି ଯେ ସେଥିରୁ ଗୋଟି ଗୋଟି କରି କାର୍ଯ୍ୟକାରୀ କଲେ କୋଟି କୋଟି ଟଙ୍କା ଲୋଡ଼ାହେବ ।

 

କ୍ଷଣପ୍ରଭା ଗମ୍ଭୀର ହୋଇ କହିଲା, ଆପଣ କୋଟି କୋଟି ଟଙ୍କା କଥା ଭାବୁଛନ୍ତି, ଆମେ ଭାବୁଛୁଁ ମୋଟେ ପାଞ୍ଚ ଲକ୍ଷ ଟଙ୍କା କଥା ! ଅନେକ ଧନୀ ଓ ମହାଜନଙ୍କୁ ମୁଁ କହିଲିଣି, ହାତପାତି ମାଗିଲିଣି, ସେମାନେ ଆପଣଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ଦେଉଛନ୍ତି, ପଚାରୁଛନ୍ତି, ଅବନୀବାବୁ କେତେ ଦେଲେ ? ଦିନରାତି ବୁଲି ବୁଲି ପରିଶ୍ରମ କରି ମାସକ ଭିତରେ ମୋଟେ ଚାଳିଶ ହଜାର ଟଙ୍କା ଉଠାଇ ପାରିଛୁଁ । ପାଞ୍ଚ ଲକ୍ଷ ବହୁତ ଦୂରରେ ଅଛି, ଆଖି ପାଉନାହିଁ । ଆପଣ ଏକା ଏକ ଲକ୍ଷ ଟଙ୍କା ଦାନ କରନ୍ତୁ । ଆପଣଙ୍କ ପକ୍ଷରେ ଏହା ସାମାନ୍ୟ, କିନ୍ତୁ ତାରି ଫଳରେ ଆମେ ଅକ୍ଳେଶରେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଉଠାଇ ପାରିବୁଁ ।

 

ଅବନୀ କହିଲେ, ନିଜର ଅକ୍ଷମତା ପାଇଁ ମୁଁ ଦୁଃଖିତ ଓ କ୍ଷମା ଚାହୁଁଛି । ଏକ ଲକ୍ଷ ଟଙ୍କା କିଏ ଆଉ ମୁଁ କିଏ ? ଅନ୍ୟ କେହି ଆସିଥିଲେ ମୁଁ ମନାକରି ଦେଇଥାନ୍ତି, କିନ୍ତୁ ତମେ କ୍ଷଣପ୍ରଭା ଦେବୀ ଯେତେବେଳେ ଆସିଛ, ମୁଁହ ଖୋଲିଛ , ତମରି ସମ୍ମାନ ରକ୍ଷା କରିବାକୁ ମୁଁ ଏକ ହଜାର ଟଙ୍କା ଦେବି ।

 

ମୋର ସମ୍ମାନ ରଖିବାକୁ ? ଆପଣ ନିଜେ ସେଇ ହତଭାଗ୍ୟ ଲୋକଗୁଡ଼ିକର ଦୁଃଖ ଦେଖି ଦୟାପରବେଶ ହୋଇପାରୁ ନାହାନ୍ତି ?

 

ସେମାନଙ୍କର ଦୁଃଖକଷ୍ଟ ଦେଖିଲେ ପ୍ରାଣରେ ଆଘାତ ଲାଗେ ସତ, କିନ୍ତୁ ଦୟାପରବେଶ ହେଲେ ଲାଭ କଣ ? କେବଳ ଚାନ୍ଦା ଦେବା ତ ! ଯୁଆଡ଼କୁ ଚାହିଁଲେ ଚାନ୍ଦା ଦେବାକୁ ଯଥେଷ୍ଟ ବାଟ ଖୋଲା ପଡ଼ିଛି । ଚିଠି ପତ୍ରର ସୀମା ନାହିଁ । ପ୍ରେସ୍‍ରେ ବି ଆବେଦନ ନିବେଦନ, ବେଳେ ବେଳେ ସମ୍ପାଦକୀୟ ମୂର୍ଚ୍ଛନା ବାହାରୁଛି ବିଶାଳ ଉତ୍କଳ ଆନ୍ଦୋଳନ, ଆସୁ ସିଂହଭୂମି ମାନଭୂମି ଆସୁ ମେଦିନାପୁର, ବାଙ୍କୁଡ଼ା, ଆସୁ ବସ୍ତର, ରାୟପୁର– । ଆଣ ଟଙ୍କା । ଅନାଥ ଶିଶୁ ସଦନ, ନାରୀ ସେବାଶ୍ରମ, ବନ୍ୟା, ତୋଫାନ, ଭୂମିକମ୍ପ ପାଇଁ ସାହାଯ୍ୟ କମିଟି । ଗୋ ମଙ୍ଗଳ ସମିତି, ମନ୍ଦିର ମରାମତି, ପୋଖରୀ ଉଝୁଳା, ଆଦିବାସୀ ଉନ୍ନତି, ହରିଜନ ମଙ୍ଗଳ, ବିଦ୍ୟାଳୟ ସ୍ଥାପନ,–

 

କ୍ଷଣପ୍ରଭା ବିରକ୍ତ ଭଙ୍ଗୀରେ ବାଧା ଦେଇ କହିଲା, ସେତିକି ଥାଉ, ତାଲିକା ଲମ୍ବ କରିବା ସହଜ । ସବୁ କାର୍ଯ୍ୟ ପାଇଁ ଧନ ଲୋଡ଼ା । ଯେଉଁମାନେ ଏ ସବୁ କାର୍ଯ୍ୟର ପଛରେ ଅଛନ୍ତି ସେମାନେ ଆପଣଙ୍କର ଧନ କି ଉପହାସକୁ ଖାତିର କରନ୍ତି ନାହିଁ । ସେମାନେ ସାହାଯ୍ୟ ଲୋଡ଼ନ୍ତି-। ମିଳିଲେ ଭଲ ନ ମିଳିଲେ ଦୁଃଖ ନାହିଁ । ନିଜର ଉଦ୍ୟମ ବଳରେ ଯଦି କାର୍ଯ୍ୟ ଚାଲେ ତ ଚାଲୁ ନୋହିଲେ ଅର୍ଥାଭାବରୁ ଉଦ୍ୟମ ଭୁଷୁଡ଼ି ପଡ଼ୁ ଦୁଃଖ ନାହିଁ । ଅନ୍ୟର ଉପହାସ କରିବାର କି ସମାଲୋଚନା କରିବାର କି ଅଧିକାର ଅଛି ?

 

ଅବନୀ କହିଲେ, ଉପହାସ କି ସମାଲୋଚନା ମୁଁ କରୁନାହିଁ । ମୁଁ କହୁଛି, ଚାନ୍ଦା ଦେଇ ସାମୟିକ କାମ କରିବାକୁ ଅନେକ ବାଟ ଖୋଲାଅଛି । ଦୁଷ୍ମନ୍ତବାବୁ ଏହାର ଜ୍ୱଳନ୍ତ ଉଦାହରଣ । ଉଦ୍ଦେଶ୍ୟହୀନ ହୋଇ, ଚାରିଆଡ଼କୁ ଆଖି ପକାଇ, ଦେଶଭକ୍ତ ଦାନବୀର ମହାକର୍ମୀ ନାମ ହାସଲ କରି ଦେଶର କେଉଁ କାମଟି ସେ କରି ପକାଇଲେ ? ନିଜର ବା କି ଉନ୍ନତି କଲେ ? ବାପ ଅଜାଙ୍କର ଧନ ଥିଲା । ନିଜେ ରୋଜଗାର ଛାଡ଼ି, ପୂର୍ବପୁରୁଷଙ୍କର ଗଚ୍ଛିତ ଧନରେ ସାର୍ବଜନୀନ ବିଦ୍ୟାଳୟ, ଅକ୍ଷମ ନିବାସ, ତା ସଙ୍ଗକୁ ରୁଗ୍‍ଣ–ନିଳୟ ତୋଳା ହୋଇଛି । ଆପଣମାନଙ୍କ ସାହାଯ୍ୟ ପାଇ ଦିନାକେତେ ଏଗୁଡ଼ିକ ଚଳିବ । ପୁଣି ଦିନେ ଧନ ଅଭାବରୁ, ଉତ୍ସାହ ଅଭାବରୁ ଭାଙ୍ଗି ପଡ଼ିବ । ଏହାଛଡ଼ା ଅନ୍ୟ କି ଗତି ଅଛି ? ମୋର କାର୍ଯ୍ୟର ପନ୍ଥା ଭିନ୍ନ, ତମୁକୁ ମୁଁ କହି ସାରିଛି । ଅକ୍ଷମ–ନିବାସରେ ଯେତେ ଅକ୍ଷମକୁ କଏଦୀ କରି ରଖିଛ, କି ରୁଗ୍‍ଣ ନିଳୟରେ ଯେତେ ରୋଗୀଙ୍କୁ ଏକାଠି ରଖି ଛଟପଟ କରୁଛ, ସେମାନେ ଯଦି ଆଗପରି ଦାଣ୍ଡକୁ ବାହାରି ପଡ଼ନ୍ତି ଦେଶର ବିଶେଷ କ୍ଷତି ହେବ ନାହିଁ ।

 

ବାଧାଦେଇ କ୍ଷଣପ୍ରଭା କହିଲା, ତୁନି ହୁଅନ୍ତୁ ! ଆପଣଙ୍କର ବଚନିକା ଅନୁଗତ ଆଶ୍ରିତ ଶ୍ରମିକମାନେ ଶୁଣିଲେ ବାହାବା କରିବେ । ଆପଣଙ୍କର ସବୁ ଯୁକ୍ତି ଧନ ପାହାଡ଼ର ରକ୍ଷା ଓ ବୃଦ୍ଧି ପାଇଁ । ଦେଶ କହିଲେ କାହାକୁ ବୁଝାଏ ? ଆପଣଙ୍କର ଆଙ୍ଗୁଠି ଯଦି ଭାଙ୍ଗିଯାଏ କି ମୁହଁ ଯଦି ପୋଡ଼ିଯାଏ, ଦେହର ଶ୍ରୀ ଯେପରି ବଢ଼ିବ, ଯେଉଁମାନଙ୍କ ଆଡ଼େଇ ଦେଶକୁ ଇଣ୍ଡଷ୍ଟ୍ରିଏଲାଇଜ୍‌ କରି ଶ୍ରୀବୃଦ୍ଧି କରିବାରେ ବଡ଼େଇ କରିଛନ୍ତି ଦେଶ ଠିକ୍ ଆପଣଙ୍କ ପରି ଦିଶିବ – ଭଙ୍ଗା ଆଙ୍ଗୁଠି, ପୋଡ଼ାମୁହଁ ।

 

କ୍ଷଣପ୍ରଭା ହସିବାକୁ ଲାଗିଲା, ପୁଣି କହିଲା, ଭଙ୍ଗା ଆଙ୍ଗୁଠି ଓ ପୋଡ଼ାମୁହଁର ଯତ୍ନ ଆଗେ ନେବେ କି ଗଜାବୁଟ ଚୋବାଇ ଦଣ୍ଡବୈଠକ କରି ଦରଜ ହାତ, ପୋଡ଼ିଲା ଜଳିଲା ମୁହଁ ଧରି ଦେହକୁ ବଳିଷ୍ଠ ସୁଶ୍ରୀ କରିବାକୁ ଚେଷ୍ଟା କରିବେ ? ଆପଣଙ୍କର ଧାରଣା ଭୁଲ, ଏକାଥରେ ଭୁଲ । ଆପଣଙ୍କର ଶକ୍ତି ଅଛି, ଦେଶ ଓ ସମାଜର ଦୁର୍ବଳ ଅଙ୍ଗଗୁଡ଼ିକର ସେବା କରିବାକୁ ସମୟ ନ ଥିଲେ ବି ଆପଣ ଧନ ଦେଇ ଯେଉଁମାନେ ସେବା କରିବାକୁ ତତ୍ପର, ସେମାନଙ୍କୁ ସାହାଯ୍ୟ କରିପାରିବେ, ଉତ୍ସାହିତ କରିପାରିବେ । ଦୁଷ୍ମନ୍ତବାବୁ କି ତୁଷାରକାନ୍ତି ଭୁଲ କରିନାହାନ୍ତି । ଦୁଷ୍ମନ୍ତବାବୁ ଧନର ପାହାଡ଼ ବଢ଼ାଇ ତାରି ଚାପରେ ଛଟପଟ ହେବାକୁ ଚାହିଁଲେ ନାହିଁ । ଧନର ପାହାଡ଼ ଦେଶର ଏଇ ଅକ୍ଷମ ରୁଗୁଣ୍ ଅଙ୍ଗର ସେବାରେ ନିୟୋଜିତ କଲେ, କରୁଛନ୍ତି ଓ ବୋଧହୁଏ କରିବେ ।

 

ଅବନୀବାବୁ କହିଲେ, ନିଜର ଧାରଣା ନିଜ ପାଖରେ ବଡ଼ ଓ ପବିତ୍ର । ତର୍କ କରି କହାରି ଧାରଣାକୁ କେହି ବଦଳାଇ ଦେବା କଷ୍ଟ । ମୁଁ ଯାହା କହିଲି ସେତକ ମୁଁ ପ୍ରତ୍ୟାହାର କରୁଛି ।

 

ମୋର ଯୁକ୍ତ ପ୍ରତ୍ୟାହାର କରିବାକୁ ମୋତେ ଅନୁମତି ଦେବେ ।

ନିଶ୍ଚୟ ।

 

ଦିହେଁ ଦୁହିଁଙ୍କୁ ଚାହିଁ ଏକସଙ୍ଗେ ହସି ଉଠିଲେ । ଅବନୀଙ୍କ ଆଖି ଆଗରେ; ସିନେମାର ନକ୍ଷତ୍ର, ସୁନ୍ଦର ହସିଲା ମୁହଁ, ଦୋହଲା ମୁହଁ । ନାଲି ନାଲି ଓଠ ମଝିରେ ସ୍ଫଟିକ ଧବଳ ଖଞ୍ଜା ହୋଇଥିବା ମୁକ୍ତା ଧାଡ଼ି । ପୂରିଲା ପୂରିଲା ଚିବୁକ ସରୁ ସରୁ ଭ୍ରୂଲତା ତଳେ ଉଜ୍ଜ୍ୱଳ ମିଟି ମିଟି ଆଖି-। ମୁଣ୍ଡରୁ ଖସି ପଡ଼ୁଛି ମୂଲ୍ୟବାନ ସୁଝୀନ ଶାଢ଼ୀ । ସ୍ୱର୍ଣ୍ଣଲତା ହାତ ଦିଓଟି ଅଳସ ଗତିରେ ଉପରକୁ ଉଠି ଓହ୍ଲାଇ ଆସୁଛି କୋଳ ଉପରକୁ । ଛାତିର ବସନ ଲହଡ଼ି ଭାଙ୍ଗି ସ୍ଥିର ନିଶ୍ଚଳ ହେଉଛି-

 

ଅବନୀ ବାବୁଙ୍କର ଦୃଷ୍ଟି ମୁହୂର୍ତ୍ତକରେ ରୂପସୀର ଭଙ୍ଗୀରେ ବନ୍ଦୀ ହୋଇ ଛାଟିପିଟି ହୋଇ ବାହୁଡ଼ି ଆସିଲା । ଛାତି ଭିତରେ ଚମକ ଲାଗିଲା ।

 

କ୍ଷଣପ୍ରଭା ବୁଝିଲା । କହିଲା, କେଉଁଠି ଆମେ ପହଞ୍ଚିଲେ ?

 

ଓଠରେ ହସ । ଆଖିରେ ବିସ୍ମୟର ନିଶା ଲାଗି ରହିଛି । ଛାତି ତଳେ ପଥର ମନ ତରଳି ଆସୁଛି, କଣ ଯେପରି ବାଧା ଦେଉଛି । ଭାଷାରେ କମ୍ପନ । ଅବନୀ କହିଲେ ଅମରାବତୀରେ !

 

କ୍ଷଣପ୍ରଭା ମୁହଁ ବଙ୍କାଇ ଆଖିରେ ଚାହିଁ ହସ ହସ ହୋଇ କହିଲା, ଡେରି ଅଛି, ବହୁତ ଦୂର । ଯେଉଁଠୁ ଆରମ୍ଭ ସେଇଠିକି ଆମେ ଫେରି ଆସିଛୁ । ଆପଣ ଧନକୁବେର ଅବନୀବାବୁ, ଆଉ ମୁଁ ଦୁନିଆର ରୁଗ୍‍ଣ ନିରାଶ୍ରୟଙ୍କର ପ୍ରତିନିଧି କ୍ଷଣପ୍ରଭା, ଭିକ୍ଷା ମାଗିବାକୁ ଆସିଛି, ହାତ ପାତିଛି ।

 

କ୍ଷଣପ୍ରଭା ଅବନୀ ବାବୁଙ୍କ ପାଖକୁ ଉଠି ଆସିଲା । ଆଗରେ ଠିଆ ହୋଇ, ଆଞ୍ଜୁଳା କରି ଅତି ପାଖରୁ ମୁହଁକୁ ଅନାଇଁ କହିଲା, ଦିଅନ୍ତୁ ଭିକ୍ଷା, ଆଞ୍ଜୁଳା ପୂର୍ଣ୍ଣ କରି ଦିଅନ୍ତୁ ।

 

ଅବନୀ ବିଚଳିତ ହେଲେ । ଛାତିତଳେ ପଥର ମନ ତରଳିଛି । ମନ ଭିତରେ ଅଦ୍ୟମ ଅରଣା ଆଶା ଛଟପଟ ହେଉଛି ।

 

ସେ କ୍ଷଣପ୍ରଭାର ହାତ ଧରି ଆଞ୍ଜୁଳା ଫିଟାଇ ଟାଣିଲେ । କହିଲେ, ଏଇଠି ବସ । ମୁଁ ଭିକ୍ଷା ଦେବାକୁ ପସନ୍ଦ କରେ ନାହିଁ, ମୁଁ ବ୍ୟବସାୟୀ ଲୋକ ।

 

ଅବନୀଙ୍କ ପାଖରେ ତାଙ୍କର ଦେହକୁ ଲାଗି ହସି କ୍ଷଣପ୍ରଭା ବସି ପଡ଼ିଲା । ପରକ୍ଷଣରେ ଗମ୍ଭୀର ହେଲା । କଟମଟ କରି ଚାହିଁଲା ତାଙ୍କର ଭୀତଜଡ଼ିତ ମୁହଁକୁ, ଅତି ପାଖରୁ । ଆଖିରେ ତାଙ୍କର ଆକାଙ୍‍କ୍ଷା ଜଳୁଛି, ମନରେ ଝଡ଼ ।

 

କ୍ଷଣପ୍ରଭାର ଆଖିରେ ଲୁହ ଢଳଢଳ ହେଲା । ରହି ରହି କହିଲା, ବେଶ୍‍, ଆପଣ ବ୍ୟବସାୟୀ, ମୁଁ ଭିକ୍ଷା ମାଗିବି ନାହିଁ । ଆପଣଙ୍କର ପ୍ରଚୁର ଧନ ଅଛି, କିନ୍ତୁ–

 

ଅବନୀ ତାର ହାତକୁ ମୁଠାଇ ଧରି କହିଲେ, ତୁମର ବି ପ୍ରଚୁର ରୂପ ଅଛି କ୍ଷଣପ୍ରଭା !

 

କ୍ଷଣପ୍ରଭା ହାତ ଟାଣିଆଣି ଠିଆହେଲା । ଆଖିର ଲୁହ ପଣତରେ ପୋଛି କହିଲା, ଅଛି-। ଆଜି ଆପଣ ହିସାବ କରି ଦେଖନ୍ତୁ, କାହାର ମୂଲ୍ୟ କେତେ ?

 

କ୍ଷଣପ୍ରଭା ପରଦା ଆଡ଼େଇ ପଦାକୁ ଆସିଲା । ଅବନୀବାବୁ ପଛେ ପଛେ ଆସିଲେ ।

ବାହାରେ ମଟର ରହିବାର ଶବ୍ଦ ।

 

ହେମାଙ୍ଗିନୀ ପହଞ୍ଚିଲା । କ୍ଷଣପ୍ରଭାକୁ ଦେଖି ହଠାତ୍‍ ତାର ମୁହଁ ମଉଳିଲା । କ୍ଷଣପ୍ରଭା କହିଲା, ଦୁଇ ଘଣ୍ଟା ତତେ ମୁଁ ଅପେକ୍ଷା କରିଛି ।

 

ହେମାଙ୍ଗିନୀ ଆଶ୍ଚର୍ଯ୍ୟ ହୋଇ କହିଲା, ଦୁଇ ଘଣ୍ଟା ? ମୁଁ ବି ତତେ ଅପେକ୍ଷା କରି ବସିଥିଲି, ଡେରି ହେଲାରୁ ଚାଲି ଆସିଲି । ତୁ ଏଠି ଅଛୁ ବୋଲି ମୁଁ କିପରି ଆଶା କରନ୍ତି ? ନିଜ ମନକୁ କେବେ ତ ତୁ ଆସୁ ନାହିଁ, କଣ ଜରୁରୀ କାମ ଥିଲା ?

 

ଅତି ଜରୁରୀ କାମ । ଗୋଟିଏ ଅନୁରୋଧ–

ଅବନୀବାବୁ ତଳକୁ ଓହ୍ଲାଇ ଗଲେ ।

 

କ୍ଷଣପ୍ରଭାର ହାତଧରି ହେମାଙ୍ଗିନୀ ଶୋଇବା ଘରକୁ ନେଲା । ରାତି ଏଗାରଟା ହୋଇ ଆସୁଥାଏ ।

 

ବିନା ଅବତରଣିକାରେ ହେମାଙ୍ଗିନୀ ସିଧାସଳଖ କହିଲା, ଏ କଣ ଗୌରବର କଥା ପ୍ରଭା, ସବୁଠାରେ ତୋଅରି ଦୁର୍ନାମର ଚହଳ । ସିନେମା ଘରେ, ଅଜଣା ସ୍ତ୍ରୀ ଲୋକଙ୍କ ମହଲରେ ପଡ଼ିଛି ତୋରି ଚର୍ଚ୍ଚା, କାନ ଶୁଣିବ ନାହିଁ । ମତେ ଭାରି ଖରାପ ଲାଗିଲା ସିଧା ତୋ ପାଖକୁ ଧାଇଁ ଯାଇଥିଲି ତୋ ଆଗରେ ସବୁ କହିଥାନ୍ତି– ।

 

କ୍ଷଣପ୍ରଭା ହସ ହସ ହୋଇ କହିଲା, କିଏ କଣ କହୁଛି ଶୁଣିବାକୁ ମୋର ଆଗ୍ରହ ନାହିଁ । କାହାରି ପ୍ରଶଂସା କି ନିନ୍ଦା ମୋ ମନରେ ଭେଦେ ନାହିଁ । ଯେଉଁମାନଙ୍କୁ ଶୁଣିବାକୁ ଖୁସି ଲାଗୁଛି ସେମାନେ ଶୁଣି ଖୁସି ହୁଅନ୍ତୁ । ଯେଉଁମାନଙ୍କୁ ଭଲ ନ ଲାଗୁଛି ସେମାନେ କାନରେ ହାତ ଦେଉନ୍ତୁ । ଭଲମନ୍ଦ କଣ ମୁଁ ଜାଣେ । ମୋର ଚଳନ ପାଇଁ କାହାରି ଉପଦେଶ ମୁଁ ଲୋଡ଼େ ନାହିଁ ।

 

ହେମାଙ୍ଗିନୀ ମୁହଁ ଫଣଫଣ କରି କହିଲା, ଅନ୍ୟମାନଙ୍କ ସଙ୍ଗରେ ମତେ ସମାନ କଲେ ମୁଁ ତାହା ଗ୍ରହଣ କରିପାରିବି ନାହିଁ । ତୋର ନାମ ସଙ୍ଗେ ଯାହାର ନାମ ଯୋଡ଼ି ହୋଇ ନିନ୍ଦାର ଧୂଆଁ ଉଠୁଛି ସେ ହେଉଛନ୍ତି ମୋର ଭାଇ । ତାଙ୍କର ନିନ୍ଦା ମୁଁ ସହିପାରୁନାହିଁ ।

 

କ୍ଷଣପ୍ରଭା କହିଲା, ସେ ସବୁ କଥାରେ ତୁ କାନ ଦେଉଛୁ କାହିଁକି ? କାନକୁ ଯଦି ଆସୁଛି ତ ମିଛ ବୋଲି ହସି ଉଡ଼ାଇ ଦେ । ଯଦି ତୋର ବିଶ୍ୱାସ ହେଉଛି ଯେ ମୁଁ ତୋ ଭାଇର ଉପପତ୍ନୀ, ତୋର ସେ ବିଶ୍ୱାସ ତୁଟାଇବାକୁ ମୁଁ ଚେଷ୍ଟା କରିବି ନାହିଁ । ତୋ ଭାଇଙ୍କୁ ତୁ ପଚାର ଓ ତାଙ୍କୁ ଉପଦେଶ ଦେ ଯେ ସେ ତାଙ୍କର ଅନ୍ଧ ବନ୍ଧୁଟିକୁ ତାଙ୍କ ଘରୁ ବିଦାୟ କରି ଦେଉନ୍ତୁ । ତେବେ ଆଉ ଦୁର୍ନାମ ରଟିବ ନାହିଁ । ତୁ ନିଶ୍ଚିନ୍ତ ହେବୁ ।

 

ଦୁନିଆଁର ଲୋକ ପରଚର୍ଚ୍ଚା କରିବାକୁ ସୁବିଧା ପାଇବେ ନାହିଁ । ନିଶ୍ଚିନ୍ତରେ ଅନ୍ୟ କାମରେ ମନ ଦେବେ । ଅନ୍ଧ ହାତଧରି ନଣନ୍ଦର ହାତଧରି ତମର ଉଞ୍ଚ କୋଠାରୁ ରାସ୍ତା ଉପରକୁ ହସି ହସି ମୁଁ ଓହ୍ଲାଇ ପଡ଼ିବି । ତୋ ଆଗରେ ମୁଁ ନିର୍ଭର ଜବାବ ଦେଉଛି, ତୋ ଆଗକୁ ଆସି ତୋର ସମାନସ୍କନ୍ଧ ହୋଇ କେବେ ତର୍କ କରିବାର ଦୁର୍ଯୋଗ ଜୀବନରେ ଆଉ ଆସିବ ନାହିଁ । କାଲି ଯେତେବେଳେ ଅନ୍ଧ ଅକ୍ଷମ ସ୍ୱାମୀ, ରୋଗଣା ଶାଶୁ ଓ ସାନ ନଣନ୍ଦକୁ ନେଇ ଉପାସ ଭୋକରେ ବେଳ କାଟୁଥିଲି, ଛଟପଟ ହେଉଥିଲି, କେବେ ମୁଠିଏ ଅନ୍ନ କି ଖଣ୍ଡିଏ ବସ୍ତ୍ର କି ଗୋଟିଏ ଟଙ୍କା ଭିକ୍ଷା କରିବାକୁ ତୋ ପାଖକୁ ଧାଇଁ ଆସିଥିଲିକି ? ମୁଁ କଣ ଜାଣେ ନାହିଁ ଯେ ମୋର ପିଲାଦିନର ଅତି ଆପଣାର ବନ୍ଧୁ ହେମାଙ୍ଗିନୀ କୋଟିପତିର ପତ୍ନୀ ?

 

ଜାଣେ । ମୋର ଅନ୍ଧସ୍ୱାମୀ ଯେଉଁଦିନ ତୋ ଘରୁ ଟିଉସନ ହରାଇ ହତାଶ ହୋଇ ଫେରିଗଲେ, ସେଦିନ କଣ ମୁଁ ତୋ ଘରକୁ ଦୟା ଭିକ୍ଷା କରିବାକୁ ଧାଇଁ ଆସିଥିଲି ? କିଏ ମୋର ସ୍ୱାମୀଙ୍କୁ ମୋର ଛାତି ପାଖରୁ ମନ ପାଖରୁ ଦୂରକୁ ଟାଣି ଆଣିଛି ? କିଏ ପୁଣି ମୋ ମୁଣ୍ଡରେ ଧନ ସମ୍ପତ୍ତିର ପାହାଡ଼ ଓ ଦୁଃଖ, ନିନ୍ଦା ଅପମାନ ବୋଝ ଲଦି ଦେଇଯାଇଛି ? ଥରେ ଚିନ୍ତାକର ହେମ ।

 

କ୍ଷଣପ୍ରଭାର ଆଖିରୁ ଲୁହଧାର ଗଡ଼ିବାକୁ ଲାଗିଲା । ଟିକିଏ ତୁନି ହୋଇ ସେ ପୁଣି କହିବାକୁ ଲାଗିଲା, ସବୁ ଓଲଟି ଯାଇଛି । ଦେଶ ଆଗରେ କ୍ଷଣପ୍ରଭା ଆଜି ଅତି ବଡ଼ ହୋଇଛି । ସେ ପରା ଆଦର୍ଶ ନାରୀ, ଆଦର୍ଶ କର୍ମୀ ? କେବଳ ଆଦର୍ଶ । ତୋ ଆଖିରେ ଓ ତୋଓରି ପରି ଆହୁରି ଅନେକଙ୍କ ଆଖିରେ କ୍ଷଣପ୍ରଭା ଦୁଷ୍ମନ୍ତର ଉପପତ୍ନୀ, କ୍ଷଣପ୍ରଭା । କ୍ଷଣପ୍ରଭା କେତେ ଲୋକଙ୍କର ମନୋହାରିଣୀ, କୁଳଟା ! ନିଜ ନିଜର ଧାରଣା ପ୍ରକାରେ ଭିନ୍ନ ଭିନ୍ନ ଲୋକଙ୍କ ଆଖିରେ କ୍ଷଣପ୍ରଭାର ବିଭିନ୍ନ ଅବତାର । ନିଜେ ମୁଁ କଣ କେବଳ ତୋଓର ଶୁଣିବାକୁ ଅଧିକାର ଅଛି । ଶୁଣିବୁ ?

 

ପଚାରିଲା ଆଖିରେ ହେମାଙ୍ଗିନୀ ଚାହିଁ ରହିଲା କ୍ଷଣପ୍ରଭାର ଲୁହଧୁଆ ହସିଲା ମୁହଁକୁ ।

ମୁଁ ଅନ୍ଧର ପତ୍ନୀ, ପରିତ୍ୟକ୍ତା ।

ପାଟିକରି ଉଠିଲା ହମୋଙ୍ଗିନୀ, ପରିତ୍ୟକ୍ତା ?

 

ହଁ, କାରଣ ସ୍ୱାମୀତ୍ୱର ମଧୁର ମନୋହର ଅଧିକାର ଆଉ ତୁଷାରିକାନ୍ତିଙ୍କର ନାହିଁ । ସେ ଆହୁରି ଥରେ ବିବାହ କରିଛନ୍ତି । ତାଙ୍କର ନୂଆପତ୍ନୀ ହୋଇଛି ତାଙ୍କର ଛଟପଟ କାମନା । ନିରନ୍ନ ନିରାଶ୍ରୟଙ୍କର ଦୁଃଖମୋଚନ ହେଲା ତାଙ୍କର ଆଦର୍ଶ । କ୍ଷଣପ୍ରଭାକୁ ସେ ପରିତ୍ୟାଗ କରିଛନ୍ତି, ଦୂରେଇ ଦେଇଛନ୍ତି । ଦୁଷ୍ମନ୍ତ, ଅବନୀ ଓ ହେମାଙ୍ଗିନୀ ଯେପରି ତାଙ୍କର ବନ୍ଧୁ, କ୍ଷଣପ୍ରଭାକୁ ମଧ୍ୟ ସେ ସେହିପରି ବନ୍ଧୁର ଆସନ ଦେଇଛନ୍ତି । କିନ୍ତୁ ଭଉଣୀ, କ୍ଷଣପ୍ରଭାର ନାରୀତ୍ୱ ସେ ଉଚ୍ଚ ଆସନ ଏବଯାଏ ଗ୍ରହଣ କରିପାରିନାହିଁ । ତାର ନାରୀତ୍ୱ ଛଟପଟ ହେଉଛି, ଅଳି କରୁଛି । ନାରୀ ସପତ୍ନୀବାଦ ସହିପାରେ ନାହିଁ । ସେ ସର୍ବତୋଭାବରେ ଚାହେ ତାର ସ୍ୱାମୀକୁ । ରାଜପ୍ରସାଦ ତା ପକ୍ଷରେ ତୁଚ୍ଛ ।

 

ତୁଷାରିକାନ୍ତ ପାଖରେ ପତ୍ନୀତ୍ୱ ଅପେକ୍ଷା ତାଙ୍କର ଆଦର୍ଶ ଅଧିକ ଆଦରଣୀୟ । ତେଣୁ ମୋର ପତ୍ନୀତ୍ୱ ଆଜି ପରିତ୍ୟକ୍ତ । ମୁଁ ପରିତ୍ୟକ୍ତା । ମୋର ଚିନ୍ତା ସ୍ୱାଧୀନ, ମୋର ଗତି ମଧ୍ୟ ସ୍ୱାଧୀନ । ମୋର ଆଦର୍ଶ କଣ ମୁଁ ନିଜେ ଜାଣେ ନାହିଁ । ଯହିଁରେ ମୁଁ ହାତ ଦିଏ, ତାକୁହିଁ ମୁଁ ସାମୟିକ କର୍ତ୍ତବ୍ୟ ବୋଲି ମଣେ । ବିବାହିତ ସ୍ୱାମୀଙ୍କ ପାଖରୁ ଦୂରେଇ ଯିବା ମୋ ପକ୍ଷରେ ମୁହୂର୍ତ୍ତକର କଥା । ତା ପୂର୍ବରୁ ଯହିଁରେ ମୁଁ ହାତ ଦେଇଛ, ସେତକ ମୁଁ ଅବଶ୍ୟ ଶେଷ କରିବି । ସେଥିପାଇଁ ଯଦି ଆହୁରି ଦୁର୍ନାମ ରଟେ, ଆଉ ଦୁର୍ନାମ ଯଦି ସତ ବି ହୁଏ ମୁଁ ତିଳେ ହେଲେ ପଛାଇବି ନାହିଁ ।

 

କାହିଁରେ ତୁ ହାତ ଦେଇଛୁ ?

 

ସେଇଆ ତତେ କହିବାକୁ ମୁଁ ଆସିଥିଲି, ରୁଗ୍‍ଣ ନିଳୟ କଥା । ଅକ୍ଷମ ନିବାସ ତୋ ଭାଇର ଧନରେ ଗଢ଼ା ହେଲେ ମଧ୍ୟ ତୁଷାରିକାନ୍ତିଙ୍କର ଜୀବନର ପ୍ରବାହ ସେଇଠି ବହେ । ସାର୍ବଜନୀନ ବିଦ୍ୟାଳୟ ଦୁଷ୍ମନ୍ତଙ୍କର ମନର ଛବି । ଧନ ଅଭାବରୁ ଦିଓଟି ଯାକ ଅନୁଷ୍ଠାନର ଅବସ୍ଥା ଆଜି କଣ ହୋଇଥାନ୍ତା ? ମୁଁ ଚେଷ୍ଟା କରିଛି । ସବୁ ତ ଜାଣୁ । ପ୍ରଶଂସା ଶୁଣିଛି, ନିନ୍ଦା ବି ସହିଛି । ଅନୁଷ୍ଠାନ ଦିଓଟି ଭଲରେ ଚାଲିଛି । ହୁଏ ତ କିଛିଦିନ ଭଲରେ ଚାଲିବ । ଯେଉଁମାନେ ସେ ସବୁର ଦାୟିତ୍ୱ ମୁଣ୍ଡାଇଛନ୍ତି ସେମାନେ ତାର ଖବର ବୁଝିବେ । ଆହୁରି ଗୋଟିଏ କାମ– ରୁଗ୍‍ଣ– ନିଳୟ, ନରକ ! ମୋର ଦେହରେ ମନରେ ନିଆଁ ଜାଳିଛି । ମନେହେଉଛି, ସତେ ଯେପରି ମୋର ଦେହରୁ ରକ୍ତମାଂସ ଝଡ଼ି ପଡ଼ଛି । ସେତିକି ମୋର ଶେଷ କାମ । ସମସ୍ତେ ମତେ ଅନାଇଁ ରହିଛନ୍ତି, ମୁଁ ପାଞ୍ଚଲକ୍ଷ ଟଙ୍କା ସେମାନଙ୍କ ହାତରେ ଦେବି ।

 

ପାଞ୍ଚଲକ୍ଷ !

ହଁ ।

କେଉଁଠୁ ଆଣିବୁ ?

 

ଭିକ୍ଷା କରିବି । ତୋ ପାଖକୁ ମୁଁ ଭିକ୍ଷା ମାଗିବାକୁ ଆସିଛି । କୋଟିପତିର ପତ୍ନୀ ତୁ, ମୋଟେ ପାଞ୍ଚ ଲକ୍ଷ ଟଙ୍କା ତୋ ପକ୍ଷରେ ତୁଚ୍ଛ । ତୁ ମତେ ଭିକ୍ଷା ଦେବୁ, ଆଜି ଦେବୁ । କାଲିଠାରୁ ଆଉ କ୍ଷଣପ୍ରଭା ପାଇଁ ମନ ଖରାପ କରିବୁ ନାହିଁ । ଭାଇର ଉପପତ୍ନୀ ଅପବାଦ ଶୁଣି ନିଜକୁ ଅପମାନିତ ମଣିବୁ ନାହିଁ । ପାଞ୍ଚ ଲକ୍ଷ ଟଙ୍କା ସେମାନଙ୍କ ହାତକୁ ବଢ଼ାଇ ଦେଲାପରେ ମୁଁ ମୋର ନିଜ ରାହା ଖୋଜି ଚାଲିଯିବ । ବଞ୍ଚିଥିବା ଯାଏ ଆଉ କେବେ ତୋର ଆଗକୁ ଆସିବାର ସୁଯୋଗ କି ଦୁର୍ଯୋଗ ମିଳିବ ନାହିଁ । ବିଶ୍ୱାସ କର ହେମ, ମୋ କଥାର ଅନ୍ୟଥା ହେବ ନାହିଁ ।

 

ତୁ କଣ ପାଗଳ ହୋଇଛୁ ?

ଅନେକ ଦିନରୁ ।

ସତେ ?

 

ମିଛ କହୁ ନାହିଁ । ତୋର ଅନୁମାନ ଅମୂଳକ ନୁହେ । ଦୁନିଆରେ ଅନେକ ପାଗଳ ଅଛନ୍ତି । ସେଇମାନେ କାମ କରନ୍ତି ହେମ, ସେଇମାନେ ହିଁ କାମ କରନ୍ତି । ମୁଁ ତୋ ଠାରୁ ପାଞ୍ଚଲକ୍ଷ ଟଙ୍କା ଚାହେ । ମୋ ପାଇଁ ନୁହେ, ଏହି ସହରରେ କୁଷ୍ଠରୋଗୀ, ଯକ୍ଷ୍ମାରୋଗୀ ସବୁ ଅକ୍ଷମ ନିରାଶ୍ରୟ ରୋଗୀଙ୍କ ପାଇଁ । ହେମ ଦେଖି ଆସିଲି– ସେମାନଙ୍କର ହାତ ଗୋଡ଼ ଛିଣ୍ଡିଛି, ପାଟିରୁ ପଡ଼ୁଛି ରକ୍ତ, ଛାତିରୁ ଗଳୁଛି ପୋକ । ସେମାନଙ୍କର ପାଇଁ ଏ ଧନ ଲୋଡ଼ା । ଥରେ ସେମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି ଦେଖି ଆସିବୁ ଚାଲ ହେମ, ତା ପରେ ସମସ୍ତଙ୍କୁ ବିକଳାଙ୍ଗ ଓ ଦୁଃଖଦୁର୍ଦ୍ଦଶାକୁ ଆରୋପ କରିବୁ । କଣ ଦେଖିଲୁ କହିଲୁ ? ଅନୁମାନ କରିପାରୁଛୁ ? ନିଜକୁ ମୁଁ ସେହି ରୂପରେ ଦେଖିଛି । ସହିପାରିନାହିଁ ସେ ଦୃଶ୍ୟ । ରହିପାରିନାହିଁ ଘରେ । ସେ ଦୁଃଖ ଲାଘବ କରିବାକୁ ମୋର ପାଞ୍ଚ ଲକ୍ଷ ଟଙ୍କା ଲୋଡ଼ା । ତୁ ମୋତେ ଦେବୁ !

 

ମୁଁ କାହୁଁ ପାଇବି ଏତେ ଟଙ୍କା ?

ତୋର ସ୍ୱାମୀ କୋଟିପତି ।

ସେ କାହିଁକି ମତେ ଦେବେ ?

ମାଗି ପାରିବୁ ?

ମୁଁ ପାଗଳ ନୁହେ ।

ମାଗିବୁ ନାହିଁ ?

 

କହିଲି ପରା, ମୁଁ ପାଗଳ ନୁହେଁ । ତୋର ପାଗଳାମିକୁ ସନ୍ତୁଷ୍ଟ କରିବା ପାଇଁ ମୁଁ ତତେ ଦୁଇ ହଜାର ଟଙ୍କା ଦେଇପାରେ ।

 

କ୍ଷଣପ୍ରଭା ହସିଲା । କହିଲା, ମୋଟେ ଦୁଇ ହଜାର ? ପଢ଼ିଥିବୁ ତ ପତ୍ରିକା– କ୍ଷଣପ୍ରଭାର ହସଟିଏର ମୁଲ୍ୟ ଦୁଇ ହଜାର ଟଙ୍କା । ସ୍ପର୍ଶର ମୂଲ୍ୟ କେତେ ?

 

ନିର୍ଲ୍ଲଜ !

 

ସତେ, ଯଦି ଦରକାର ପଡ଼େ କେବେ ଆସି ଦୁଇହଜାର ଟଙ୍କା ତୋଠୁ ମାଗି ନେବି, ଆଜି ନୁହେ । ସେତେଦିନ ଯାଏ ମତେ ବିରକ୍ତ କରିବୁ ନାହିଁ । ପତ୍ରପତ୍ରିକାରେ କ୍ଷଣପ୍ରଭାର ହସ, ସ୍ପର୍ଶ, ସାନ୍ନିଧ୍ୟ, କେତେ କଥା ବାହାରିବ, ସବୁ ସାଇତି ରଖିଥିବୁ । ଦିନେ ଦିହେଁ ବସି ଏକାଠି ପଢ଼ିବା-। ରାତି ବେଶି ହେଲାଣି ।

 

ଯିବୁ କେମିତି ?

ଅବନୀବାବୁ ଛାଡ଼ି ଦେଇ ଆସିବେ । ଡରୁଛୁ କି ?

 

ହେମାଙ୍ଗିନୀର ଗାଲରେ ଟିପ ମାରିଲା । ହେମାଙ୍ଗିନୀ ପ୍ରଭାର ହାତକୁ ଚିପିଧରି କହିଲା, ସେ ତ ଅନ୍ଧ ନୁହନ୍ତି ?

 

କ୍ଷଣପ୍ରଭା ହେମାଙ୍ଗିନୀର ହାତଧରି ପଦାକୁ ବାହାରିଲା । ପରିହାସ କରି କହିଲା, ସବୁ ସ୍ୱାମୀ ଅନ୍ଧଲୋ ହେମ, ସେମାନଙ୍କ ଆଖିକୁ ଦୂର ପରବତ ସୁନ୍ଦର ଦିଶେ । ତହିଁରେ ପୁଣି ମତେ ଦୁନିଆର ଲୋକେ ତାଙ୍କର ଶଳା-ଭାଉଜ କରିଛନ୍ତି । କେବେ ସିନା ନିୟମ ଥିଲା, ସ୍ତ୍ରୀକୁ ଆଉ ରାଜ–ପୁରୁଷକୁ ବିଶ୍ୱାସ ନାହିଁ, ଏବେ ସେ ଯୁଗ ଓଲଟିଛି । ନୂଆ ପାଠ କହୁଛି, ପୁରୁଷକୁ ଆଉ ବ୍ୟବସାୟୀଙ୍କୁ ବିଶ୍ୱାସ କରିବ ନାହିଁ । ଅବନୀବାବୁ ପୁରୁଷ, ପୁଣି ବ୍ୟବସାୟୀ ।

 

ଭାରି କୁହାଳିଆ ତୁ ।

ମନେପକାଉଥିବୁ ଲୋ ।

କ୍ଷଣପ୍ରଭା ଚାଲିଗଲା ।

 

ହେମାଙ୍ଗିନୀ ଶୋଇବା ଘରକୁ ଆସି ଥକ୍କା ହୋଇ ଠିଆ ହୋଇ ରହିଲା । କ୍ଷଣପ୍ରଭା କଣ ସତେ ପାଗଳ ହୋଇଛି, କାହିଁକି କି ସେ ଆସିଥିଲା ? କଣ କହିଲା, କାନ୍ଦିଲା କାହିଁକି ? ପୁଣି ହସିଲା କାହିଁକି ? ସତେ ସେ ଟଙ୍କା ମାଗୁଥିଲା ? ବୁଝି ହେଉନାହିଁତ ।

 

ଆଜି ମହାଳୟା ।

 

ନିହାରିକାର ସ୍କୁଲ ବନ୍ଦ । କଟକ ସହର ଉଠୁଛି ପଡ଼ୁଛି । ମନହେଉଛି, କାହା ସଙ୍ଗରେ ଯାଇ ଦେବୀ ଦେଖି ଆସିବ । ପାଠରେ ମନ ଲାଗୁନାହିଁ । ବେଳ ପାଞ୍ଚଟା ହେଲାଣି । ନ ଖାଇ ନ ପିଇ ସକାଳ ଆଠଟାବେଳୁ କ୍ଷଣପ୍ରଭା କାହାର ମଟର-ଗାଡ଼ିରେ କୁଆଡ଼େ ଯାଇଛି । ଏତେବେଳଯାଏ ଫେରିନାହିଁ । ନିଜେ ସେ ଦୁଇ ଭାଇଙ୍କୁ ଖାଇବାକୁ ଦେଇଛି । ତୁଷାରକାନ୍ତି ନୂଆଉ କଥା ପଚାରି ଥିଲା । ଦୁଷ୍ମନ୍ତ ଚୁପଚାପ ଖାଇ ଉଠି ଚାଲିଗଲା । ଦୁହିଁଙ୍କ ମନ ଯେପରି କେଉଁ ଅଜଣା ଚିନ୍ତାରେ ବୁଡ଼ି ରହିଥିଲା ।

 

ନୂଆଉ ସଙ୍ଗରେ ଦେବୀ ଦେଖିବାକୁ ସେ ଯାଇଥାନ୍ତା, ଦୁଷ୍ମନ୍ତ ଭାଇଙ୍କର ଗାଡ଼ି ଗାରେଜରେ ଥୁଆ ହୋଇଛି । ନୂଆଉ କାହାନ୍ତି ?

 

କେତେଦିନ ହେଲା କ୍ଷଣପ୍ରଭାର ଢଙ୍ଗରେ ସେ ପରିବର୍ତ୍ତନ ଦେଖୁଛି । ସବୁବେଳେ ସେ କାର୍ଯ୍ୟବ୍ୟସ୍ତ । କେତେବେଳେ ସେ ଘରୁ ବାହାରନ୍ତି ପୁଣି କେତେବେଳେ ଫେରନ୍ତି ତାର ଠିକଣା ନ ଥାଏ । ଖିଆପିଆ ଭୁଲୁଛନ୍ତି କହିଲେ ଚଳେ । ସବୁବେଳେ ଦିଶନ୍ତି ଅନ୍ୟମନସ୍କ । କଥା ପଚାରିଲେ ଭଲ ପାଆନ୍ତି । ଲୁଚେଇ ଲୁଚେଇ କାନ୍ଦନ୍ତି । କେତେବବେଳେ ମନକୁ ମନ ହସନ୍ତି । ନିଠେଇ ନିଠେଇ କେଡ଼େ ଯତ୍ନରେ ମୁଣ୍ଡ ବାନ୍ଧନ୍ତି । ଭଲ ଭଲ ଗହଣାଗାଣ୍ଠି କାଢ଼ି ପିନ୍ଧନ୍ତି । ଯତ୍ନକରି ଲୁଗା ପିନ୍ଧନ୍ତି । ଓଠରେ ରଙ୍ଗ ଲଗାନ୍ତି । ଟେଲିଫୋନ କରି କାହାର ଗାଡ଼ି ମଗାନ୍ତି । ଚାଲିଯାନ୍ତି ।

 

କେବଳ ନୀହାରିକା କାହିଁକି ସମସ୍ତେ କ୍ଷଣପ୍ରଭାର କଥା ଭାବନ୍ତି, ପଛରେ ଟୁପ୍‍ଟାପ ହୁଅନ୍ତି । ନୀହାରିକା ଯେପରି କଣ ଭାବେ, ହତାଶ ଲାଗେ । ମନେପଡ଼େ, କ୍ଳାସ ଘରେ ଝିଅମାନେ କିପରି ତାକୁ ଦେଖାଇ ଶୁଣାଇ ପରିହାସ କରନ୍ତି, କୁତ୍ସିତ ସମାଲୋଚନା । ପତ୍ରପତ୍ରିକାରୁ ନିନ୍ଦାକଥା କାଢ଼ି ଦେଖାନ୍ତି । ତାଆରି ଆଗରେ ବ୍ୟଙ୍ଗ-ଚିତ୍ର କାଢ଼ି ନିଜ ଭିତରେ ବାଦବିବାଦ ଲଗାନ୍ତି । ଏଇ କଣ ନାରୀପ୍ରଗତି ? ଏମିତି କର୍ମୀ ହେବା କଣ ଆଦର୍ଶ ? ଲଜ୍ଜା ନାହିଁ, ସଂକୋଚ ନାହିଁ, ପର ପୁରୁଷ ସଙ୍ଗେ ସ୍ୱାଧୀନ ହୋଇ ବୁଲିବା, ଏହାରି ନାମ କଣ ପ୍ରଗତି ?

 

ନୀହାରିକା ଶୁଣି ନ ଶୁଣିବାର ଛଳନା କରେ । ବାଆଁରେଇ ହୋଇ ଅନ୍ୟଆଡ଼େ ଚାଲିଆସେ । କାନ୍ଦର କୋହ ଉଠେ ଛାତି ଭିତରେ, କାନ୍ଦିପାରେ ନାହିଁ । ଭାବେ, କାହିଁକି ନୂଆଉ ନାମରେ କହନ୍ତି, ଏଣୁ ତେଣୁ ଲେଖନ୍ତି ? ନୂଆଉ ତାର ଲକ୍ଷ୍ମୀ ! ପବିତ୍ରତାର ପ୍ରତୀକ, ସ୍ନେହର ପାରାବାର, ସ୍ୱାଧୀନତାର ଜ୍ୱଳନ୍ତ ଶିଖା । ଲୋକେ ସହି ନ ପାରି ନିନ୍ଦା କରନ୍ତି । ବଡ଼ ବଡ଼ ଲୋକେ ପୁଣି ପ୍ରଶଂସା କରି ଲେଖନ୍ତି । ପତ୍ର ପତ୍ରିକାରେ ଛବି ବାହାରେ– କର୍ମୀ, ସେବିକା, ବକ୍ତା, ନେତ୍ରୀ, ନିଃସହାୟର ଜନନୀ !

 

ରାସ୍ତା କଡ଼ରେ ଥାଏ ଆବର୍ଜନା । କାଉ, କୁକର, ଘୁଷୁରି ସେଇଠି ମେଣ୍ଟ ବାନ୍ଧନ୍ତି । ମଣିଷ ଚାଲେ ବାଟରେ । ଆଗକୁ ଅନାଏ, ଦେଖେ, ସବୁ ପରିଷ୍କାର ସୁନ୍ଦର । ନୀହାରିକା ଗର୍ବ ଅନୁଭବ କରେ, ହସେ ।

 

କିନ୍ତୁ ଏଇ କେତେଦିନ ହେଲା ସେ ଦେଖୁଛି ପରିବର୍ତ୍ତନ । ନିଜେ ଯିଏ ପାଖରେ ବସି ସ୍ୱାମୀ ଓ ସ୍ୱାମୀର ବନ୍ଧୁଙ୍କୁ ହସାଇ ହସାଇ ଖୁଆଉଥିଲେ, ସବୁବେଳେ ଯତ୍ନ ନେଉଥିଲେ, ଏବେ ସେ ସେମାନଙ୍କର ପାଖ ପଶୁ ନାହାନ୍ତି । ଘରର ଖବର ବି ବୁଝୁନାହାନ୍ତି । ଯିଏ ଯାହା ପଚାରିଲେ ନୀର ଆଡ଼କୁ ହାତ ଦେଖାଇ ଦେଉଛନ୍ତି । ଖଟ ଉପରେ, ଟେବୁଲ ଉପରେ ଗହଣା ଗାଣ୍ଠି ପକାଇ ଯାଉଛନ୍ତି । ଭଣ୍ଡାର ଘରର ଚାବି ଗୋଛାକ ଏଠି ସେଠି ପଡ଼ିଛି । ନୀର ତାକୁ ସାଇତି ରଖୁଛି ।

 

କାହିଁକି ଏ ପରିବର୍ତ୍ତନ ?

 

କେବେ କେବେ ରାତି ଅଧରେ ସେ ଆସୁଛନ୍ତି । କିଏ ଆଣି ମଟରଗାଡ଼ିରେ ଛାଡ଼ି ଦେଇଯାଏ । ମୁହଁକୁ ଚାହିଁଲେ ଡର ମାଡ଼େ, ବିକଳ ଲାଗେ । ସୁନ୍ଦର ମୁହଁ ଶୁଖିଲା ଦିଶୁଛି, ଆଖିରେ କ୍ଳାନ୍ତି । କାହାକୁ କିଛି କୁହନ୍ତି ନାହିଁ ।

 

ନୀର ପଚାରେ ଡରି ଡରି, ଖାଇବ ନାଇଁ କି ?

ନାଇଁ ନୀରୁ, ଦେହ ଭଲ ନାହିଁ । ତମେ ଖାଇ ନା ?

ଖାଇଛ । ମୋ ରାଣ, ଗଣ୍ଡାଏ ଖାଇ ଦିଅ ।

ଛି, ରାଣ ପକାଅ ନା, ଯା ଶୋଇପଡ଼ ।

କେଡ଼େ ଶୁଖିଲା ଦିଶୁଛି, ନୂଆଉ, ସକାଳେ ଗଣ୍ଡାଏ ଖାଇଥିଲ ଯାହା, ଭୋକ କରୁନି ?

 

ଶୁଖିଲା ମୁହଁ ଆହୁରି ଶୁଖିଲା ଦିଶେ । କ୍ଷଣପ୍ରଭା କହେ, ମୁଁ ଅତି କ୍ଳାନ୍ତ ହୋଇଛି । କେତେ ଆଡ଼େ ବୁଲି ବୁଲି ଆସିଛି । ନିଦରେ ଆଖିପତା ମାଡ଼ି ପଡ଼ୁଛି । ଖାଇବାକୁ ଆଗ୍ରହ ନାହିଁ ।

 

ଏତେଆଡ଼େ ଅଖିଆ ଅପିଆ ବୁଲିଲ ?

 

ହଁ । ନିଅ, ଏ ଚେକ୍‌ ଚାରିଖଣ୍ଡି ରଖ । କାଲି ସକାଳେ ଦେବ । ଦିନଯାକ ପରିଶ୍ରମର ଫଳ ମୋଟେ ପାଞ୍ଚହଜାର ଟଙ୍କା ।

 

ନୀର କାବା ହୋଇ ଚାହେଁ । କଣ ହେବ ?

 

ରଖି ଥା । କାଲି ନଟବର ବାବୁଙ୍କ ପାଖକୁ ପଠାଇଦେବି । ରୁଗ୍‍ଣ–ନିଳୟ ପାଇଁ ଚାନ୍ଦା-। ଓଃ, ବଡ଼ ଲୋକଙ୍କଠୁ ଟଙ୍କା ଆଣିବା କଣ ସହଜ କଥା କି ?

 

ସେଥିପାଇଁ – ?

ହଁ, ସେଇଥିପାଇଁ ଡେରି ।

ଦୁଧ ଗିଲାସେ ହେଲେ ପିଇଦିଅ ।

 

ଉତ୍ତରକୁ ନ ଅନାଇ ନୀର ଆର ଘରକୁ ଧାଇଁଯାଏ । ଦୁଧ ସଙ୍ଗେ ପ୍ଳେଟରେ ଆଣି ଦିଏ ସାମାନ୍ୟ ଜଳଖିଆ । କ୍ଷଣପ୍ରଭା ଚାହେଁ ତାର ନଣନ୍ଦର ମୁହଁକୁ । କଥାମାନି ଖାଇଦିଏ । ମୁହଁ ପୋଛି ଗେହ୍ଲେଇ କହେ, ତୃପ୍ତି ହେଲାନି ନୀର, ପେଟ ପୂରିଲା ନାହିଁ ।

 

ଆଉ ଆଣିବ ?

 

ନୀର ଯିବାକୁ ଉଦ୍ୟତ ହୁଏ । କ୍ଷଣପ୍ରଭା ତାର ହାତ ଧରି ଅଟକାଏ । ଦେବ ନା ଯାହା ମାଗିବ ? ମୋର ପେଟ ପୂରିବ ମନ ପୂରିବ ।

 

କଣ ନୂଆଉ ?

 

ଭୁଲି ଗଲଣି ? ଭାବିଛ କି ଅତିବଡ଼ ମଣିଷଟାଏ ହୋଇ ଗଲଣି ପିଲାଟିଏ ହୋଇଥାଅ, ଯେମିତି ମୋ ଆଗକୁ ଆସି ମତେ ଗେଲ କର । ଗେଲ କରିବ ?

 

ଲାଜରେ ନୀରର ମୁହଁ ନାଲି ହୁଏ । ପାଖକୁ ଆସେ । ଲାଜେଇ ଲାଜେଇ ପ୍ରଭାର ଗାଲରେ ବୋକ ଦିଏ । ପ୍ରଭା ତାକୁ କୋଳ କରେ । ଏଥର ମୋର ପେଟ ପୂରିଲା, ମନ ତୃପ୍ତ ହେଲା । ଯା ଶୋଇବ ।

 

ପିଠି ଆଉଁସେ ।

 

ନୀର ପାଖ ଘରକୁ ଶୋଇବାକୁ ଆସେ । ମଝି କବାଟ ଆଉଯାଇ ନିଏ । ମନ ହୁଏ କୁଣ୍ଢେମୋଟ । ନୂଆଉ ତାର ଲକ୍ଷ୍ମୀ, ନୂଆଉ ସାକ୍ଷାତ୍‍ ଦୟା । କେଡ଼େ ଭଲପାଏ ତାକୁ ।

 

ଆଜି ମହାଳୟା । କେଡ଼େ ବଡ଼ ଦିନ, କେଡ଼େ ଭଲ ଦିନ । କ୍ଷଣପ୍ରଭା ଫେରି ନାହାନ୍ତି । ଘଣ୍ଟାକ ପରେ ସଞ୍ଜ ହେବ । ଅଖିଆ ଅପିଆ କେଉଁଠି ଚାନ୍ଦା ଆଦାୟ କରି ବୁଲୁଥିବେ, ଦୁଃଖିୀ ଦରିଦ୍ର, ନିରାଶ୍ରୟଙ୍କର ମାତା ପର ପାଇଁ ନିଜର ଜୀବନକୁ ଆହୁତି ଦେଉଛନ୍ତି ସ୍ନେହମୟୀ ନୂଆଉ ତାଆରି !

 

ନୀହାରିକା ବହି ବନ୍ଦ କରି ଟେବୁଲ ଉପରେ ରଖିଲା । ଏ ଘରକୁ ଆସି କ୍ଷଣପ୍ରଭାର ଳୁଗାପଟା ସଜାଡ଼ି ଦେଲା । ସମସ୍ତଙ୍କର ଲୁଗାପଟାର ଯତ୍ନ ଯିଏ ନେଉଥିଲେ ନିଜର ଲୁଗାପଟାର ଯତ୍ନ ନେବାକୁ ତାଙ୍କର ବେଳ ନାହିଁ । ପଲଙ୍କ ଉପରେ ତକିଆଗୁଡ଼ିକ ଏଣେତେଣେ ପଡ଼ିଛି । ସଜାଇ ରଖିଲା । ମୁଣ୍ଡପାଖ ତକିଆ ତଳେ ଲୋଚାକୋଚା ହୋଇ ଖଣ୍ଡେ ଛୋଟ ଚିଠି ପଡ଼ିଛି । ପଢ଼ିବାକୁ ଧରିଲା । ଛାତି ଭିତର ଧଡ଼ ଧଡ଼ ହେଲା । କାହିଁକି, ସେ ନିଜେ ଜାଣିପାରିଲା ନାହିଁ । ଡରି ଡରି ଚାଉଁଚାଉଁଆ ହୋଇ କାଗଜ ଖଣ୍ଡି ଖୋଲି ପଢ଼ିଲା । ଟାଇପ୍‍ କରା ଚିଠିଟିଏ ।

 

–ସତ କହିଥିଲ, ମୁଁ ବ୍ୟବସାୟୀ, ତେଣୁ ତଉଲି ଦେଖିବି । ତଉଲି ଦେଖିଲି । ତମେହିଁ ଅଧିକ । ମଣିଷର ରୂପ, ସ୍ୱାସ୍ଥ୍ୟ ଓ ପଦବୀର ଶେଷ ପରିଣତିର ଧାରଣା ଦେବାକୁ ତମେ ରୂଗ୍‌ଣ–ନିଳୟଆଡ଼େ ଆଙ୍ଗୁଠି ଦେଖାଇଥିଲ । ତମର ଛାତି ଥରି ଉଠିଛି ସେ ଦୃଶ୍ୟରେ । ନରକ ଭିତରେ ଅମୃତ ବର୍ଷିବାକୁ ପଣ କରିଛ । ନିଜକୁ ନରକର ଦେବତା ପାଖରେ ଉତ୍ସର୍ଗ କରିଛ । ମୋର ବି ଛାତି ଥରି ଉଠିଥିଲା । କିଏ ଜାଣେ କାଲି କଣ ହେବ, କିନ୍ତୁ ଆଜି ତ ନରକ ବହୁ ଦୂରରେ ଅଛି । ମୁଁ ବ୍ୟବସାୟୀ, ନୀତିଶିକ୍ଷା ମୋ ପାଖରୁ ଦୂରେଇ ରହେ । ଲକ୍ଷେ ଟଙ୍କା ଦେଇ ମୁଁ ବଣିଜ କରିବାକୁ ଚାହେଁ ।

 

କିଏ ଲେଖିଛି ଏ ଚିଠି, କାହିଁକି, ଉଦ୍ଦେଶ୍ୟ କଣ ? ପଢ଼ୁ ପଢ଼ୁ ନୂଆଉ କାହିଁକି ବିରକ୍ତ ହୋଇ ଚିଠିଟାକୁ ମୋଡ଼ି ମକଚି ପକାଇ ଦେଲେ, ପୁଣି କାହିଁକି ଭାଙ୍ଗିଭୁଙ୍ଗି ତକିଆ ତଳେ ରଖିଲେ-?

 

ନୀହାରିକାର ଇଚ୍ଛା ହେଲା ଆଉଥରେ ସେ ଚିଠି ଖଣ୍ଡି ପଢ଼ି ତାର ଅର୍ଥ ବୁଝିବ । ଖୋଲୁ ଖୋଲୁ ହାତ ଥରି ଉଠିଲା; ମୁଣ୍ଡ ବୁଲିଗଲା, ଆଖିରେ ଢଳ ଢଳ ହେଲା ଲୁହ । ଚିଠିଖଣ୍ଡି ପଢ଼ି ହେଲା ନାହିଁ । ଆଖି ଆଗରେ ଝାପ୍ସା ଅକ୍ଷର ଧାଡ଼ିଏ ଥରି ଉଠିଲା – ତଉଲି ଦେଖିଲି ତମେ ହିଁ ଅଧିକ । ଆହୁରି ଧାଡ଼ିଏ–

 

ଲକ୍ଷେ ଟଙ୍କା ଦେଇ ମୁଁ ବଣିଜ କରିବାକୁ ଚାହେଁ–

 

ଚିଠିଖଣ୍ଡି ତକିଆ ତଳେ ରଖି ଆଖିରୁ ଲୁହ ପୋଛିଲା । ସ୍ଥିର ହୋଇ ଠିଆ ହୋଇ ରହିଲା । ଛପି ଛପି ଭାବନା ଭାସିଲା ନିର୍ମଳ କଅଁଳ ମନରେ, ସବୁ କଣ ତେବେ ସତ ? ଦୁନିଆର ଦୁଃଖୀ ଦରିଦ୍ର ନିରାଶ୍ରୟଙ୍କ ତୁଣ୍ଡରେ ଆହାର ଦେବାକୁ ରୁଗ୍‍ଣ ଅପାରଗର ଛଟପଟ ଆତ୍ମାକୁ ଶାନ୍ତ କରିବାକୁ, ତାର ନୂଆଉ କଣ ନିଜକୁ ଜାଣି ଜାଣି ଜାଳିପୋଡ଼ି ତରଳାଇଛି ? ଆଉ, ସବୁ ବ୍ୟଥାର ତରଳ ହଳାହଳ ସ୍ୱାର୍ଥପର ଧନକୁବେର ଯକ୍ଷର ତୁଣ୍ଡରେ ଢାଳି ଆହରଣ କରିଛି ଅର୍ଥ ? ସବୁ କଣ ସତ ତେବେ ନୀହାରିକାର ତରୁଣ ଉଜ୍ଜ୍ୱଳ ଅବୁଝା ଆଖି ଆଗରେ ଦେଖାଯାଉଛି ପତ୍ରପତ୍ରିକାର ସମାଲୋଚନା, ବ୍ୟଙ୍ଗଚିତ୍ର । ଆଖିରେ ପଡ଼ୁଛି ଯେପରି ପତ୍ରପତ୍ରିକାର ଛବି– ସେବିକା, କରୁଣାମୟୀ ପବିତ୍ରତାର ଉତ୍ସ, ସତୀତ୍ୱର ଜ୍ୱଳନ୍ତ ବହ୍ନି ତାଆରି ନୂଆଉ ! ସବୁ ତେବେ ମିଛ ?

 

ଆଗରେ ସତୀ ଠିଆ ହୋଇଛି ।

କଅଣ ଲୋ ?

ବାବୁ ଡାକୁଛନ୍ତି ।

ଯାଉଛି ଚାଲ । ରାନ୍ଧୁଣୀକୁ ନୋହିଲେ ପୁଝାରୀକୁ ଡାକି ଦେ ତ ସତୀ !

ସତୀ ଚାଲିଗଲା ।

 

ଛଅଟା ବାଜିବ । ଚା ଦେବା ବେଳ ହେଲାଣି, ତଥାପି ନୂଆଉ ଆସିଲେ ନାହିଁ । ଦୁଇ ଭାଇଙ୍କର ଯତ୍ନ ନେବାର ଦାୟିତ୍ୱ ଆଜି ତାର ।

 

ସଞ୍ଜ ହୋଇ ଆସୁଛି ।

 

ଦୁଷ୍ମନ୍ତ ଓ ତୁଷାରକାନ୍ତିଙ୍କ ସଙ୍ଗେ ଚା ଟେବୁଲ ପାଖରେ ବସିଛନ୍ତି ନଟବର । ଜଳଖିଆ ଓ ଚା ନୀହାରିକା ପରଷି ଦେଉଛି । ତୁଣ୍ଡରୁ କଥା ବାହାରୁ ନାହିଁ । ଅତି ଧୀର ସ୍ଥିର । କଡ଼େଇ ଠିଆ ହୋଇ ଚାହିଁ ରହିଛି ଟେବୁଲ ଉପରକୁ । ଦୂରେଇ ଠିଆ ହୋଇଛି ସତୀ ।

 

ଚାହା ଢୋକେ ଶୋଷି ନଟବର କହିଲେ, କାମ ଯଥେଷ୍ଟ ବଢ଼ିଛି । ତୁଷାରବାବୁ ଅରକ୍ଷ ନିବାସର ସମ୍ପୂର୍ଣ୍ଣ ଭାର ନେଉନ୍ତୁ । ମ୍ୟାନେଜର, କିରାଣୀ ଓ କର୍ମୀମାନେ ସୁଦକ୍ଷ ଓ ଅଭିଜ୍ଞ ହେଲେଣି । ନୂଆ ପରିଚାଳନା ପରିଷଦର ସଭ୍ୟମାନେ ଉତ୍ସାହୀ । କାମ ଭଲରେ ଚଳିବ । ନୂଆ ନୂଆ ସମସ୍ୟା ଯଦି ଆସେ ଆମେ ସମସ୍ତେ ମିଶି ବିଚାର କରିବା, ନୋହିଲେ ତୁଷାରବାବୁ ସବୁ ଚଳାଇ ନେବେ । ଆପଣ ଦୁଷ୍ମନ୍ତବାବୁ ସାର୍ବଜନୀନ ବିଦ୍ୟାଳୟର ସବୁ ଦାୟିତ୍ୱ ମୁଣ୍ଡକୁ ନିଅନ୍ତୁ । କେବଳ ନାମକୁ ପ୍ରେସିଡେଣ୍ଟ ହୋଇ ସବୁ କାମ ମୋ ଉପରକୁ ଠେଲି ଦେଲେ ରୁଗ୍‍ଣ– ନିଳୟର କାର୍ଯ୍ୟରେ ବ୍ୟାଘାତ ଘଟୁଛି । ସେ ଅନୁଷ୍ଠାନର ଦାୟିତ୍ୱ ମୁଁ ଓ କ୍ଷଣପ୍ରଭା ଦେବୀ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁଁ ।

 

ତୁଷାରକାନ୍ତି ଚା କପ୍‌ ଟେକୁ ଟେକୁ ଟ୍ରେରେ ରଖି ଦେଇ କହିଲା, ସବୁ ଅନୁଷ୍ଠାନର ଦାୟିତ୍ୱ ସମସ୍ତଙ୍କର ଉପରେ । ପରିଚାଳନା କମିଟିଗୁଡ଼ିକର ମତାମତ ଓ ସାହାଯ୍ୟ ସବୁବେଳେ ଲୋଡ଼ା । କେଉଁ ସଭ୍ୟ ମନପ୍ରାଣ ଦେଇ କାମ କରିବାକୁ ଆଗେଇ ଆସୁଛନ୍ତି କହିଲେ ? କେବଳ ବକ୍ତୃତା ଦେଇ ସ୍କିମ୍‌କଲେ ତ ଚଳିବ ନାହିଁ, ଉଦ୍ୟମ ଲୋଡ଼ା । ଅକ୍ଷମ ନିବାସରେ ଆର୍ଥିକ ଅବସ୍ଥା କ୍ଷଣପ୍ରଭାଙ୍କ ଚେଷ୍ଟାରେ ସମାନ୍ୟ ବଦଳିଛି, କିନ୍ତୁ କେତେଦିନ ପାଇଁ ଏ ସ୍ୱଚ୍ଛଳ ଅବସ୍ଥା ରହିପାରିବ ? ଏପରି ଅନୁଷ୍ଠାନ କେବେ ସ୍ୱାବଲମ୍ବୀ ହୋଇ ନ ପାରେ । ଅକ୍ଷମଙ୍କ ସଂଖ୍ୟା ଚାରିଶରୁ ଅଧିକ ହେଲାଣି । ସ୍ଥାନର ଅଭାବ, ଘର ବଢ଼ାଇବାକୁ ସ୍ଥାନ ନାହିଁ, ଧନ ବି ନିଅଣ୍ଟ । ଏଣିକି ଲୋକେ ଆସି ଫେରିବେ । ଆପଣମାନେ ସାହାଭରସା ନ ହେଲେ, ସର୍ବସାଧାରଣଙ୍କର ପୂର୍ଣ୍ଣ ସହାନୁଭୂତି ନ ପାଇଲେ ଅନୁଷ୍ଠାନର ଉଦ୍ଦେଶ୍ୟ ସଫଳ ହେବ ନାହିଁ । ଧନ ପାଇଁ ଜଣ ଜଣ କରି ଆବେଦନ କରିବା ଲୋଡ଼ା । କ୍ଷଣପ୍ରଭାଙ୍କ ବିନା ସାହାଯ୍ୟରେ ଅନୁଷ୍ଠାନ ତିଷ୍ଠି ପାରିବ ନାହିଁ ।

 

ତୁଷାରକାନ୍ତି ଚା କପ୍‌ ଟେକି ଓଠରେ ଲଗାଇଲା ।

 

ଦୁଷ୍ମନ୍ତ କହିଲା, ତୁଷାରର କଥାରେ ଅନ୍ୟମତ ହେବାର ଉପାୟ ନାହିଁ ତଥାପି ନଟବର ବାବୁଙ୍କ ପ୍ରସ୍ତାବ ବିଚାର କରିବାର କଥା । ସାର୍ବଜନୀନ ବିଦ୍ୟାଳୟର ବିଭିନ୍ନ ସବ୍‍କମିଟି ଟିକିଏ ଶିଥିଳ ହୋଇ ପଡ଼ିଛନ୍ତି । ଏ ଅନୁଷ୍ଠାନ ବି ସ୍ୱାବଲମ୍ବୀ ନୁହେଁ । ନୂଆ ସେକ୍ରେଟାରୀ ନିର୍ବାଚନ କରି ନଟବର ବାବୁଙ୍କୁ ଅବ୍ୟାହିତ ଦେବା ଭଲ । ମୁଁ ସବୁ ଭାର ଗ୍ରହଣ କରିବି । କ୍ଷଣପ୍ରଭା ପରିଚାଳନା କମିଟିରେ ରହନ୍ତୁ । ଅନ୍ୟାନ୍ୟ ସଭ୍ୟମାନଙ୍କୁ ଉତ୍ସାହ ଦେଇ କାମ କରାଇବାକୁ ସେଇ ଏକା ପାରଙ୍ଗମ ।

 

ନଟବର କହିଲେ, ଜଣେ ଲୋକକୁ ଚାରିଆଡ଼କୁ ଟାଣିଲେ ଭଲ ହେବ ନାହିଁ । ରୁଗ୍‍ଣ ନିଳୟର ଉନ୍ନତି ପାଇଁ ସେ ଯେପରି ପ୍ରାଣପଣ ଲାଗି ପଡ଼ିଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସେ ପ୍ରତିଜ୍ଞା କରିଛନ୍ତି, ଯେ କୌଣସି ଉପାୟରେ ସେହି ହତଭାଗ୍ୟମାନଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କା ସଂଗ୍ରହ କରିବେ । ତାଙ୍କ ନାମରେ ‘ବାକଟ୍ରୋଲଜିକାଲ ଲାବୋରେଟାରୀ’ ତୋଳିବାର ଆୟୋଜନ ଚାଲିଛି । ସଭ୍ୟମାନେ ଏଥିରେ ଏକମତ ।

 

ତୁଷାରକାନ୍ତି ପଚାରିଲା, ଦିନ ରାତି ତ ଲାଗିପଡ଼ିଛନ୍ତି, ଘରର ସବୁ ଦାୟିତ୍ୱ ଏଇ ପିଲାଟା ଉପରେ ପକାଇ ସେ ପରିଶ୍ରମ କରୁଛନ୍ତି, କେତେ ଟଙ୍କା ସଂଗ୍ରହ କଲେଣି ?

 

ନଟବର କହିଲେ, ଠିକ୍‌ କହି ପାରିବି ନାହିଁ, ବୋଧହୁଏ ତାଙ୍କ ଉଦ୍ୟମର ସଫଳତା ପାଖେଇ ଆସିଲା । ଅର୍ଥ ସାହାଯ୍ୟ ଦେଉଥିବା ବଦାନ୍ୟ ଭଦ୍ରଲୋକଙ୍କର ନାମ ପ୍ରକାଶ ନ କରିବାକୁ ଓ ସଂଗୃହୀତ ଧନର ପରିମାଣ ଗୋପନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏକାଥରେ ତାଲିକା ଓ ଚାନ୍ଦାର ହିସାବ ପ୍ରକାଶ ପାଇବ । ସାହାଯ୍ୟକାରୀଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ବେନାମୀ ହେବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

 

ଦୁଷ୍ମନ୍ତ ଉତ୍ତର ଦେଲା ନାହିଁ ।

 

ତୁଷାର ମନେ ମନେ ଗର୍ବ ଅନୁଭବ କଲା । କହିଲା, କି ଅକ୍ଳାନ୍ତ ପରିଶ୍ରମ ସେ କରନ୍ତି । ନୂଆଉ ତୋର ଫେରି ନାହିଁକି ନୀର ?

 

ନୀହାରିକା କହିଲା, ନାଇଁ, ସକାଳ ନଅଟାବେଳେ ଅଖିଆ ଅପିଆ କାହା ଗାଡ଼ିରେ ବସିଗଲେ ।

 

ତୁଷାରକାନ୍ତି ତୁନି ରହିଲା ।

 

ନଟବର ବାବୁ ଖୁସି ହୋଇ କହିଲେ, କାଲି ସକାଳୁ ପୁଣି ଡକରା ପଡ଼ିବ । ମୋ ହାତରେ ଅନ୍ତତଃ ଦଶଟି ହଜାର ଟଙ୍କାର ଚେକ୍‍ କି ନୋଟ ସେ ଦେବେ । ଟଙ୍କା ତ ଆସୁଛି ଓ ଆସିବ । ବର୍ତ୍ତମାନ କଥା ହେଉଛି, ଯେଉଁ ଯୋଜନା କରାହୋଇଛି ତାକୁ କିପରି କାର୍ଯ୍ୟକାରୀ କରାହେବ । ଅନ୍ତତଃ ଦୁଇଟି ବର୍ଷ ଏଥିରେ ଲାଗି ନ ପଡ଼ିଲେ କାମ ଆଗେଇ ପାରିବ ନାହିଁ । ମତେ ସାର୍ବଜନୀନ ବିଦ୍ୟାଳୟର ପରିଚାଳନା ଦେଖିବାକୁ ଛାଡ଼ିଦେଇ ଆପଣ ଓ କ୍ଷଣପ୍ରଭା ଦେବୀ ରୁଗ୍‍ଣ–ନିଳୟର ଦାୟିତ୍ୱ ନେଉନ୍ତୁ । ଦୁଷ୍ମନ୍ତ ବାବୁ, ଆମ ଭିତରେ ଦାୟିତ୍ୱ ବାଣ୍ଟି ନ ଦେଲେ କାମରେ ବ୍ୟାଘାତ ଘଟିବ ।

 

ଦୁଷ୍ମନ୍ତ କହିଲା, କ୍ଷଣପ୍ରଭାଙ୍କର ମତାମତ ନ ନେଇ କୌଣସି ବିଷୟସ୍ଥିର କରି ହେବ ନାହିଁ ।

 

ତୁଷାର କହିଲା, କ୍ଷଣପ୍ରଭା କିଏ ? ଅନୁଷ୍ଠାନଗୁଡ଼ିକୁ ଆମେ ସିନା ଆରମ୍ଭ କରିଥିଲୁ, ସେଗୁଡ଼ିକୁ ଗଢ଼ି ତୋଳିଛନ୍ତି ଦେଶର ସବୁ ବଦାନ୍ୟ ବ୍ୟକ୍ତି । ବର୍ତ୍ତମାନ ବେଳ ଆସିଛି, ସର୍ବସାଧାରଣ ଏ ସବୁର ଦାୟିତ୍ୱ ନିଅନ୍ତୁ । କ୍ଷଣପ୍ରଭା କର୍ମୀ, ଆମେମାନେ ମଧ୍ୟ କର୍ମୀ । ମନପ୍ରାଣ ଦେଇ ଆମେମାନେ କାର୍ଯ୍ୟ କରିବା, କିନ୍ତୁ ଦେଶର ଲୋକେ ଦାୟିତ୍ୱ ମୁଣ୍ଡାନ୍ତୁ । ସେ ସମୟ ଏବେ ଆସିଛି-। ଯେଉଁମାନେ ସହସ୍ର ସହସ୍ର ଟଙ୍କା ଅକ୍ଳେଶରେ ଦାନ କରିଛନ୍ତି ଓ କରୁଛନ୍ତି, ସେମାନଙ୍କ ମନରେ ଦରିଦ୍ର ଅକ୍ଷମ ରୁଗ୍‍ଣ ନିରାଶ୍ରୟଙ୍କର ଦୁଃଖ ନିଶ୍ଚୟ ଭେଦିଛି । ସୁଯୋଗର ସମୟ ଆସିଛି-। ବହୁଦିନ ତଳେ ନଟବର ବାବୁ ଯେଉଁ ପ୍ରସ୍ତାବ କରିଥିଲେ, ଆଜି ମୁଁ ତହିଁରେ ଏକମତ ହେବାକୁ ସୁଯୋଗ ପାଇଛି ।

 

ନଟବର କହିଲେ, ଭଲକଥା, ପ୍ରତି ଅନୁଷ୍ଠାନର ସଭ୍ୟମାନଙ୍କର ସାଧାରଣ ଅଧିବେଶନ ଡକାଯାଉ । ଆମେ ସମସ୍ତେ ସେଇଠି ଇସ୍ତଫା ଦେବା । ନୂଆ ନିର୍ବାଚନ ହେବ । ଲୋକେ ଯାହାଙ୍କୁ କର୍ମକାର୍ତ୍ତା ନିର୍ବାଚନ କରିବେ ସେମାନଙ୍କ ହାତରେ ଅନୁଷ୍ଠାନଗୁଡ଼ିକର ଚଳାଚଳ ଦାୟିତ୍ୱ ଛାଡ଼ିଦେବା-

 

ଦୁଷ୍ମନ୍ତ କହିଲା, ଏଥିରେ କାହାରି ଅମତ ହେବାର କାରଣ ନାହିଁ । ସତ କଥା, ବୋଝ ବଳାଇ ପଡ଼ିଛି, ଆମର ବୋଝ ବଳାଇ ପଡ଼ିଛି, ଆମର ଛୋଟ ମୁଣ୍ଡ ଆଉ ସହିପାରୁନାହିଁ । ଆମେ କର୍ମୀର ଆସନକୁ ଓହ୍ଲାଇ ଆସିବା । ନୂତନ ଅନୁଷ୍ଠାନ ସ୍ଥାପନର ଚେଷ୍ଟା କରିବା । କଟକ ସହର ତାର ଦାୟିତ୍ୱ ମୁଣ୍ଡାଉ ।

 

ସମସ୍ତେ ତୁନି ହୋଇ ଭାବିବାକୁ ଲାଗିଲେ । ନୀହାରିକା ଓ ସତୀ ଟେବୁଲ ଉପରୁ କପ୍‌ପ୍ଲେଟ ଉଠାଇ ଅନ୍ୟଆଡ଼େ ଚାଲିଗଲେ ।

 

ତୁଷାର ପଚାରିଲା, ତେବେ ନୂତନ କର୍ମର କେନ୍ଦ୍ର କେଉଁଠି କରିବା ?

 

ନଟବର କହିଲେ, ଦେଶସାରା, ଯେଉଁଠି ଇଛା । ଦେଶର ସବୁ ଅନାଥ ଅକ୍ଷମ ଏ ଆଶ୍ରମରେ ନାହାନ୍ତି । ରୁଗ୍‍ଣ ନିଳୟରେ ସବୁ ରୁଗ୍‍ଣ ଆଶ୍ରୟ ନେଇନାହାନ୍ତି ! ରହିବା ଅସମ୍ଭବ । ତେଣୁ ଯେଉଁଠି ଆବଶ୍ୟକ ସେଇଠି । ପ୍ରଦେଶ ବାହାରକୁ ଏବେ ମୋର ଆଖି ଯାଉନାହିଁ, ପ୍ରଦେଶ ଭିତରେ ।

 

ତୁଷାରକାନ୍ତି ଅଭିମତ ଦେଲା, ବ୍ରହ୍ମପୁର, ସମ୍ବଲପୁର କି ବାରିପଦାରେ ଚେଷ୍ଟା କଲେ ଭଲ ହେବ । ଆଗ ଗୋଟିଏ ସ୍ଥାନରେ ଆରମ୍ଭ କରାଯାଉ । ହେଡ଼୍ଅଫିସ ଏଇଠି ରହୁ ।

 

ନଟବର କହିଲେ, ଭଲକଥା, ଦୁଷ୍ମନ୍ତବାବୁ ଥରେ ଯାଇ ସେ ସବୁ ଜାଗାର ଲୋକମାନଙ୍କର ମନୋଭାବ ବୁଝନ୍ତୁ । ଅନୁଷ୍ଠାନ ଆରମ୍ଭ କରିବାକୁ ଅନେକ ଟଙ୍କା ଲୋଡ଼ା । କ୍ଷଣପ୍ରଭା ବି ଯାଉନ୍ତୁ ।

 

ଦୁଷ୍ମନ୍ତ କହିଲା, ଏଠିକାର ବିଷୟ ସ୍ଥିର ନ କରି ଅନ୍ୟସ୍ଥାନରେ ଆରମ୍ଭ କରିବା ପ୍ରସ୍ତାବ ବିଚାରିବା ଉଚିତ ନୁହେ ।

 

ତୁଷାର କହିଲା, ସେଠାକାର ଲୋକମାନଙ୍କର ମତାମତ ବୁଝି ଆସିଲେ କିଛି କ୍ଷତି ହେବ ନାହିଁ । ତୁ ଓ କ୍ଷଣପ୍ରଭା ଥରେ ସେଠାକୁ ଯାଅ, ଦରକାର ହେଲେ ସଭା କରି ଲୋକଙ୍କୁ ବୁଝାଅ ।

 

ଦୁଷ୍ମନ୍ତ କହିଲା, ଆଗ କ୍ଷଣପ୍ରଭାଙ୍କର ମତାମତ ନିଆଯାଉ । ତୁଷାରକାନ୍ତି ହସିଲା । କହିଲା, ଏ ସବୁ କାମରେ ସେ ପଛେଇବେ ନାହିଁ । ହଉ, ସେ ଆସନ୍ତୁ ।

 

ସଞ୍ଜ ଅନ୍ଧାର ଘୋଟି ଆସିଲା । ସମାଧାନ ହୋଇପାରିଲା ନାହିଁ ।

 

ଧନୀ ଜମିଦାରର ମା ନ ଥିଲା ଅଲିଅଳ ଝିଅ । ସ୍ନେହ ଓ ଅଭିମାନର ଉପାଦାନରେ ଗଢ଼ା ହୋଇଥିଲା ତାର ତରୁଣ ମନ । ଅବହେଳିତା ତରୁଣୀ କନ୍ୟା । ଘର କୁଟୁମ୍ୱରୁ ଦୂରେଇ ରହିଥିଲା । ତୁଷାରକାନ୍ତିର ପ୍ରେମର ଡୋରରେ ବାନ୍ଧି ହୋଇଥିଲା । ହେମାଙ୍ଗିନୀର ବନ୍ଧୁତା, ସୁକାନ୍ତିଙ୍କର ସ୍ନେହ, ଦୁଷ୍ମନ୍ତର ବିସ୍ମୟ, ପାର୍ବତୀଙ୍କର ଘୃଣା ଓ ପରଶୁରାମଙ୍କର ଅବହେଳା ମଝିରେ ସେ ବଢ଼ି ଆସିଥିଲା, । ତାଆରି ଭିତରୁ ନିଷ୍କୃତି ଲଭିବାକୁ, ସୁଖ, ଶାନ୍ତି ଓ ଆନନ୍ଦର ସଂସାର ଗଢ଼ିବାକୁ, ତୁଷାରକାନ୍ତିର ପତ୍ନୀତ୍ୱ ଗ୍ରହଣ କରିଥିଲା । ହିନ୍ଦୁ ପତ୍ନୀ, ଆଦର୍ଶ ପତ୍ନୀ !

 

ସୁଖର ସପନ ଭାଙ୍ଗିଲା, ସେ ହେଲା ଅନ୍ଧର ଘରଣୀ । ଅଭାବ ମଝିରେ ସେ ତ ହଜାଇ ନ ଥିଲା ଶାନ୍ତି ଓ ଆନନ୍ଦ ! ହିନ୍ଦୁ ନାରୀର ଆଦର୍ଶ ତାର ଛୋଟ କୁଟୁମ୍ୱକୁ ସରଗ କରିଥିଲା । ସ୍ନେହମୟୀ ଶାଶୁ, ଆଦର ପିତୁଳା ନଣନ୍ଦ ଓ ପ୍ରେମମୟ ସ୍ୱାମୀ । ଅଭାବର ତାଡ଼ନା ତାର ଛୋଟ କୁଟୁମ୍ୱର ଶାନ୍ତି ଓ ଆନନ୍ଦର ବଜ୍ର– ବେଷ୍ଟନୀକୁ ଦୋହଲାଇ ପାରି ନ ଥିଲା ।

 

ଧନର ପାହାଡ଼ ମୁଣ୍ତରେ ହେଲା ବୋଝ । ସ୍ନେହମୟୀ ଶାଶୁ ବିଦାୟ ନେଲେ ଚିରଦିନ ଲାଗି । ନିଃସହାୟତାର ଧାରଣା ଅନିଶ୍ଚତତା ମଝିରେ ଅନ୍ଧ– ସ୍ୱାମୀ ଆଗରେ ଥୋଇଲା ଆଦର୍ଶ । ସେ ବି ଗଲେ ଦୂରେଇ । ପତ୍ନୀତ୍ୱ ହେଲା ଆଦର୍ଶର ସେବିକା, ସାମୟିକ ଉତ୍ତେଜନାର ଆଶ୍ରୟ । ଆଦରର ପିତୁଳା ନଣନ୍ଦ ସେ ବି ଗଲା ଦୂରେଇ । ମଝିରେ ଠିଆହେଲା ବିସ୍ମୟର ଆଖି–ଝଲ୍‌ସା ଆଲୋକସ୍ତମ୍ଭ । କାହିଁ ଶାନ୍ତି ?

 

ଖାଲି ଛଟପଟ, ଅସ୍ଥିରତା, ତାଆରି ମଝିରେ ଟିକିଏ ଆନନ୍ଦ – ସୁକାନ୍ତି !

 

ସେ ବି ଗଲେ । ଛଟପଟ ଅଶାନ୍ତ ଆତ୍ମାର ଅଭିଶାପ–ଲହ ଲହ କାଳସର୍ପ ଧନ ଓ ପ୍ରଭୁତ୍ୱ, କେଉଁ, କେଉଁ ଅଜଣା ଆକାଙ୍‌କ୍ଷାର ବନ୍ଧନରେ ବାନ୍ଧି ଦେଇଗଲେ । କାହିଁ ଆନନ୍ଦ ?

 

ସେ ଆଜି କଅଣ ? ଅନ୍ଧ ତୁଷାରକାନ୍ତିର ଧର୍ମପତ୍ନୀ, ଆଜି ସେ କଅଣ ? ଆଜି ସେ କେଉଁଠି ? ତୁଷାରକାନ୍ତିର ନିଃସହାୟତାର ପ୍ରତୀକ ଟଳମଳ ଆଦର୍ଶର ସେବିକା ! ଦୁଷ୍ମନ୍ତର ମନ ଗହନ ତଳେ ନିବିଡ଼ ବନ୍ଧନୀ ବେଷ୍ଟିତ ଅଜଣା ଆକାଙ୍‌କ୍ଷାର ଖେଳଣା !

 

ସୁଖ, ଶାନ୍ତି ଓ ଆନନ୍ଦ ଆଜି ନାହିଁ । ସ୍ୱାମୀର ଆଦର୍ଶ ତଳେ ଚାପି ହୋଇ ସବୁ ହୋଇଛି ଧୂଳି ଆଦର୍ଶ ବି ତାକୁ ଆନନ୍ଦ ଦେଇପାରିନାହିଁ । ତାକୁ ଗୋଟିଏ ଯନ୍ତ୍ର କରିଛି । ଯେଉଁମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ତାର ଆତ୍ମା ବାହୁନି ଉଠୁଥିଲା, ଆଖିରୁ ଲୁହ ଝରିଥିଲା, ଯେଉଁମାନଙ୍କର ସୁଖ ଆନନ୍ଦ ପାଇଁ ନିନ୍ଦା ପ୍ରଶଂସାକୁ ପଛ କରି ସେ ଗୋଟିଏ ଉତ୍ତେଜନାରେ ଆଗଭର ହୋଇଥିଲା, ନିଜକୁ ଖରଚ କରି ସ୍ୱାର୍ଥାନ୍ଧ କୁବେରମାନଙ୍କର ଆଖିରେ ମୋହ, ମନରେ ଭେଳକି, ରକ୍ତରେ ନିଆଁ ଲଗାଇ ସେ ଧନ ଆହରଣ କରିଥିଲା, ସେମାନଙ୍କ ପାଖରୁ ବି ସେ ଦୂରେଇ ରହିବାକୁ ଚାହେ ।

 

ନରକର ଦୃଶ୍ୟ ସେ ସହିପାରିବ ନାହିଁ । ନିଜକୁ ବାଣ୍ଟିବାର ମୋହ ଦେଖାଇ ସେ ତାର ଉତ୍ତେଜନାକୁ ନିଃଶେଷ କରିଛି, ଉତ୍ସାହର ଉପଶମ କରିଛି । ସେ ଆଜି ଫେରି ଆସିଛି ନିଜ ପାଖକୁ-। ପୁଣି ସେ ହେବ ପତ୍ନୀ, ଆଦର୍ଶ ହିନ୍ଦୁ ପତ୍ନୀ । ସୁଦୂର କେଉଁ ଅଜଣା ପଲ୍ଲୀର କୋଳରେ ଅନ୍ଧସ୍ୱାମୀର ହାତଧରି ସେ ହସି ହସି ଚାଲିବ । ଜନନୀ ହେବାକୁ ଦେବତାର ପଦତଳେ ଅଧୀର ଆତ୍ମାର ଉଦ୍‌ବେଗ ନୟନର ଅଶ୍ରୁ ଢାଳିବ । ସ୍ନେହର ଡୋରରେ ବାନ୍ଧି ରଖିବ ନଣନ୍ଦ ନୀହାରିକାକୁ-। ସୁଖ ଶାନ୍ତି ଓ ଆନନ୍ଦର ଅନୁସରଣ କରିବ ।

 

ସତେ କି ସେ କେଉଁ ନୂଆ ରାଜ୍ୟରୁ ଓହ୍ଲାଇ ଆସିଲା । ଘର ଭିତରେ ବିଲିବିଲି ଅନ୍ଧାର-। ବାହାରେ ଅନ୍ଧାର । କାହାରି ସ୍ୱର ଶବ୍ଦ ନାହିଁ । କଅଁଳ ବିଛଣା, ସୁବାସିତ । ସେ ଏକୁଟିଆ-। ପୁଣି ଆଖି ବୁଜିଲା ।

 

ଆଖି ଆଗରୁ ଅନ୍ଧାର ଅପସରି ଗଲା । ସେ ତ ଏକୁଟିଆ ନାହିଁ, ଚାରିଆଡ଼େ ତାର ଅଭିଶପ୍ତ ମଣିଷ ଦଳ – ଆଖି ନାହିଁ, ଡିମା ନେସଡ଼ି ପଡ଼ିଛି । ଆରକ – ଗାଲ ଫୁଲିଛି, ନାଲି ଘା, ମାଛି ଭଣଭଣ । ଆରକ – ନାକ ନାହିଁ, ଓଠ ଛିଣ୍ଡିଛି, ହଳଦିଆ ଦାନ୍ତ ଦିଧାଡ଼ି ଫୁଟି ଦିଶୁଛି ପଦାକୁ । ସେ ପାଖେ – ହାତଗୋଡ଼ରେ ଆଙ୍ଗୁଠି ଛିଣ୍ଡିଛି, ଚାଲି ପାରୁନାହିଁ, ଘୁସୁରୁଛି । ଏ ପାଖେ – ଛାତିରୁ ଝରୁଛି ପୋକ । ଆଗରେ, କୋରଡ଼ ଆଖି, ଛାତିରୁ ହାଡ଼ ଗଣି ହେଉଛି, ପାଟିରୁ ଗଳୁଛି ରକତ ।

 

ସେ ପାଖେ, – ଅଭିଶପ୍ତ ମଣିଷ ଦଳ ।

ସମସ୍ତଙ୍କ ମଝିରେ କ୍ଷଣପ୍ରଭା । ତାର ବି ହାତ ନାହିଁ, ଗୋଡ଼ ନାହିଁ ତାର ବି –

 

ଅସ୍ଥିର ହୋଇ କ୍ଷଣପ୍ରଭା ଆଖି ଖୋଲିଲା । ଚାରିଆଡ଼ ଅନ୍ଧାର । ଅନ୍ଧାର ଭିତରେ ପ୍ରେତପଲ ଛପି ଯାଇଛନ୍ତି । କ୍ଷଣପ୍ରଭା ଉଠି ବସିଲା । ସେ ତାର କର୍ତ୍ତବ୍ୟ କରିଛି । ଏହି ଅଭିଶପ୍ତ ମଣିଷ ଦଳ ପାଇଁ ସେ ନିଜକୁ ବିକିବାରେ ଛଳନା କରି ଧନର ପାହାଡ଼ ଓଲଟାଇଛି । ଲକ୍ଷ ଲକ୍ଷ ଟଙ୍କା ଆଣି ନଟବର ବାବୁଙ୍କ ହାତକୁ ବଢ଼େଇ ଦେଇଛି ।

 

ହରିରାଜ ବିମୋହିତ ହୋଇଛି ହସରେ, ସୁଜନ ସିଂ ସ୍ପର୍ଶରେ, ମୋତିଲାଲର ଧନଭଣ୍ଡାର ଖୋଲିଛି ଅଭିମାନର ଅଶ୍ରୁରେ । ପୃଷ୍ଟିରେ ହାତମୁଠା ଖୋଲିଛି ଅସରନ୍ତି ଚୁମ୍ୱନର ମୋହରେ, ଚମନଲାଲ ଦାନୀକର୍ଣ୍ଣ ହୋଇଛନ୍ତି ଆଲିଙ୍ଗନର ଉତ୍ତେଜନାରେ । ଆଉ ଅବନୀବାବୁ, ନିବିଡ଼ ଆଲିଙ୍ଗନ ଓ ପ୍ରାଣଭରା ଚୁମ୍ୱନ ସାଥିରେ ଅତି ଗୋପନରେ ହାତକୁ ବଢ଼ାଇ ଦେଇଛନ୍ତି ନଗଦ ପଚାଶ ହଜାର ଟଙ୍କାର ଚେକ୍‌ । ବ୍ୟବସାୟୀ ଅବନୀବାବୁ, ଆର ହାତରେ ପଚାଶ ହଜାର ଟଙ୍କାର ଆଉ ଗୋଟିଏ ଚେକ୍‌ଧରି ଶଯ୍ୟାସଙ୍ଗିନୀ ହେବାକୁ ନିମନ୍ତ୍ରଣ କରିଅଛନ୍ତି ।

 

ସମସ୍ତେ ହସ ହସ, ସମସ୍ତେ ଆଗ୍ରହାନ୍ୱିତ । ଯେଉଁ ରୂପର ଚହଟ ଏକ ଅନ୍ଧାର ରାତିର ଅନ୍ଧକାରରେ ପରିଣତ ହୁଏ, ଯେଉଁ ହସର ବିଜୁଳି ଅଶ୍ରୁର ବାଦଲରେ ହଜେ, ଯେଉଁ କୋମଳ ଓଷ୍ଠର ମାଂସରୁ ଝଡ଼ିପଡ଼େ ରକ୍ତ, ପୂଜ ଓ କୀଟ, ତାର ପାର୍ଥିବ ମୂଲ୍ୟ ଅଛି । ସବୁର ସମଷ୍ଟିକୁ କୋଳରେ ଧରି ନିଜର କରିବାକୁ, ସବୁଯାକର ସମବେତ ପ୍ରତିମା କ୍ଷଣପ୍ରଭାକୁ ନିଜ ରକ୍ତ ମାଂସର ଜନନୀ କରିବାର ଉତ୍ତେଜନାର ଭାଗୀ କରିବାକୁ ସମସ୍ତେ ସେମାନେ ଆଗ୍ରହାନ୍ୱିତ, ହସହସ, ମୁକ୍ତ-ହସ୍ତ ।

 

ସେ ହସିବ କି କାନ୍ଦିବ ?

 

ସେ ନିଆଁ ଜଳାଇଛି, ସେମାନଙ୍କୁ ଉତ୍ତେଜନାରେ ଆଉଟିଛି । ନିଜେ ବି ଜଳିଛି । ସ୍ୱାମୀଙ୍କର ବନ୍ଧୁତ୍ୱର ଅନୁରୋଧ ସେ ପାଳିଛି । ସେତିକି । ସେ ଫେରି ଆସିଛି ନିଜ ପାଖକୁ । ସେ ପତ୍ନୀ ହେବ, ଅନ୍ଧର ପତ୍ନୀ । ଦେହରେ କାଳସର୍ପର ବନ୍ଧନ କାହିଁକି ? କିଏ ଦେଖିବ ? ଜୀବନ ଗଲେ ଯେଉଁ ସଢ଼ା ମାଂସର ଲୋଭରେ ବିଲୁଆ, କୁକୁର, ଶାଗୁଣା ଧାଇଁ ଆସନ୍ତି, ଜୀବନ ଥିଲେ ସେଇ ମାଂସ ଓ ରୂପର ଚହଟ ଲାଳସାରେ ମଣିଷ ବି ଧାଇଁ ଆସେ । ଦୁଷ୍ମନ୍ତ କଣ ସେଇଥିରୁ ଜଣେ-? ରକ୍ତମାଂସର ଆଭରଣ ତଳେ ଯେଉଁ କଳୁଷହୀନ ମଣିଷ ଛପି ରହିଛି ତା ପାଇଁ କଣ ତାଙ୍କର ସମ୍ମାନ ନାହିଁ । ସେ ବି ନିର୍ବୋଧ ?

 

ବିଜୁଳି ଆଲୁଅ ଝଲସି ଉଠିଲା । ରାତି ଗୋଟାଏ । କ୍ଷଣପ୍ରଭାର ଦେହର ବନ୍ଧନ ଝଟକିଲା । ଅଳଙ୍କାର ଖୋଲିଲା ଦେହରୁ, ଗୋଟିଗୋଟି କରି ସବୁ । ଭଣ୍ଡାର ଘରେ ଯତ୍ନ କରି ସାଇତି ରଖିଲା । ହାତରେ ପିନ୍ଧିଲା ଦି ଦି ପଟି ରଙ୍ଗୀନ୍‌ କାଚ । ସୁଝୀନ ବସନ ପାଲଟି କେତେଦିନ ତଳର ସାଇତା ମୋଟା ମିଲ୍‌ଶାଢ଼ୀ ପିନ୍ଧିଲା, ଅଇନାରେ ନିଜକୁ ଦେଖିଲା, କ୍ଷଣପ୍ରଭାକୁ ।

 

ମୁଣ୍ଡର ବୋଝ ଖସି ପଡ଼ିଲା, ଲିଭିଲା ଦେହର ଜ୍ୱାଳା । ଓଠରେ ଚହଟିଲା ତୃପ୍ତିର ହସ ।

 

ସେ ଅନ୍ଧର ପତ୍ନୀ । ଏଠି କାହିଁକି ? ସ୍ୱାମୀଙ୍କର ଗୋଡ଼ତଳେ ନିଜକୁ ସେ ସମର୍ପି ଦେବ-। ନିଜତ୍ୱର ଅହମିକା ପୋଡ଼ି ଜାଳି ପାଉଁଶ ହେବ । ସେ ହେବ ପତ୍ନୀ, ସେବିକା, ଜନନୀ !

 

କବାଟ ଖୋଲିଲା ।

ଆଲୁଅ ନିଭାଇଲା ।

 

ଘୋଟିଗଲା ଅନ୍ଧାର, ବାହାରେ ଓ ଭିତରେ । ବାରଣ୍ଡାର ଶେଷରେ ତୁଷାରକାନ୍ତିର ଘର ଆଉଜା କବାଟ ଫାଙ୍କବାଟେ ନେଳିଆ ଆଲୁଅର ଧାର ପାଖ ବାରଣ୍ଡାରେ ପଡ଼ିଛି, ସତେ କି ନିମନ୍ତ୍ରଣର ସଙ୍କେତ ଦେଉଛି ।

 

ପୁଣି ତମର ପାଗଳାମି ? ପ୍ରଭା, ନିଜ ପାଇଁ ମୁଁ କହୁନାହିଁ, ସୁଖର ଆଶା ପୋଷି ତମୁକୁ ମୁଁ ନିବର୍ତ୍ତାଉ ନାହିଁ । ପଚାରୁଛି, ଦିନେ ଦିନେ କାହିଁକି ତମର ଏପରି ଝୁଙ୍କ ଉଠେ ?

 

ପ୍ରଭା ଉତ୍ତର ଦେଲା ନାହିଁ । ପଲଙ୍କ ଉପରେ ସ୍ୱାମୀ ପାଖରେ ବସି କଟମଟ କରି ଚାହିଁ ରହିଲା ତାଙ୍କ ମୁହଁକୁ । ଭାବିବାକୁ ଲାଗିଲା, ସବୁ ଅନୁରୋଧ ବିଫଳ ହୋଇଛି । ସ୍ତ୍ରୀ ଅପେକ୍ଷା ଆଦର୍ଶ ହୋଇଛି ବଡ଼ । ଆଦର୍ଶ ପାଇଁ ବନ୍ଧୁକୁ ସେ ଅତି ଆପଣାର କରିଛନ୍ତି । ତାଙ୍କୁ ସେ ଛାଡ଼ିପାରିବେ ନାହିଁ । କଣ ତାର କର୍ତ୍ତବ୍ୟ ତେବେ ? ସେ ଆଉ ଘାଣ୍ଟି ହେବାକୁ ଚାହେ ନାହିଁ ।

 

ତୁଷାରକାନ୍ତି ତାର ହାତ ଧରିଲା । କହିଲା, ରୁଗ୍‍ଣ–ନିଳୟ ପାଇଁ ଏକା ତମେ ଯାହା କରିପାରିଲ ଆମେ ସମସ୍ତେ ବର୍ଷ ବର୍ଷ ଲାଗିଥିଲେ ତାହା ସମ୍ଭବ ହୋଇପାରି ନ ଥାନ୍ତା । ଏହାଠୁଁ ବଳି ବଡ଼ କାମ ଆଉ କଣ ହୋଇପାରେ ? ଏତିକିରେ ସରିଗଲା ନାହିଁ ତ, ଆହୁରି ଅନେକ କାମ ବାକି ଅଛି । ବିଭିନ୍ନ ଜିଲ୍ଲାରେ ଅରକ୍ଷ ନିବାସ ଓ ରୁଗ୍‍ଣ–ନିଳୟ ପରି ଅନୁଷ୍ଠାନମାନ ଖୋଲିବାକୁ ପଡ଼ିବ । ସଂଗଠନ କରିବାକୁ ଦୃଷ୍ମନ୍ତ ଯିବ । ତମେ ତା ସଙ୍ଗରେ ଯିବ ।

 

ମୁଁ କାହା ସଙ୍ଗରେ କେଉଁଠିକି ଯିବ ନାହିଁ ।

 

ତମର ଦକ୍ଷତା ଅଛି, ଲୋକମାନଙ୍କର ମନ ତମେ ତରଳାଇ ପାରିବ, ବଦଳାଇ ପାରିବ-। ନାରୀ ମୁହଁରୁ ନିାରାଶ୍ରୟ ରୁଗ୍‍ଣଙ୍କର ଦୁଃଖଯନ୍ତ୍ରଣାର କାହାଣୀ ଶୁଣିଲେ ମଣିଷର ଛାତିରେ ଚମକ ଲାଗେ । ଆପେ ଆପେ ହାତମୁଠା ଖୋଲି ହୋଇଯାଏ ।

 

କ୍ଷଣପ୍ରଭା କହିଲା, ପାଗଳ ମୁଁ ନୁହେ, ପାଗଳ ତମେ । ତମର ଆଖିର ଆଲୁଅ ଲିଭିଛି, ସେଥିପାଇଁ ତମେ ଦୁନିଆଁର ବାହାର ରୂପ ଦେଖିପାରୁନ । ମନ ଭିତରେ ଯେଉଁ କଳ୍ପନାର ସରଗ ଗଢ଼ିଛ ପ୍ରକୃତ ଦୁନିଆ ପାଖରୁ ସେ ବହୁତ ଦୂରରେ । ଆଜିର ଦୁନିଆ ସ୍ୱାର୍ଥପରତାର ରୂପାନ୍ତର । ଯିଏ ଯାହା କରୁଛି ସେ କରୁଛି ସ୍ୱାର୍ଥ ପାଇଁ । ଯିଏ ସ୍ୱାର୍ଥକୁ ଛାଡ଼ି ଦେଶ ଓ ଦଶ ପାଇଁ କାମ କରୁଛି ତାକୁ ଲୋକେ ପାଗଳ କହୁଛନ୍ତି । ସବୁ କାମର ସୀମା ଅଛି । ଦୁନିଆର ଲୋକଙ୍କୁ ତାଙ୍କର କର୍ତ୍ତବ୍ୟ କରିବାକୁ ଛାଡ଼ିଦିଅ । ଚାଲ, ଫେରିଚାଲ, ସହରରୁ ଦୂରରେ, ବହୁତ ଦୂରରେ ଅଜଣା ଅଶୁଣା କେଉଁ ଗାଆଁର ଉପକଣ୍ଠରେ, ଆମେ ଆମର ଛୋଟ କୁଡ଼ିଆ ତୋଳିବା । ସେଇଠି ରହିବା । ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ସ୍ୱାଧୀନ ଜୀବନ ସେଇଠି ଅଛି । ଏଠାରେ ନାହିଁ ।

 

ତୁଷାରକାନ୍ତି ଭାବିବାକୁ ଲାଗିଲା । କହିଲା, ନିଜର ସୁଖ ପାଇଁ ଏ ନିଃସହାୟଗୁଡ଼ିଙ୍କୁ ଛାଡ଼ି ଚାଲିଯିବା କଣ ଉଚିତ ମଣୁଛ ? ସେଇମାନଙ୍କ ସେବାରେ କଣ ସୁଖ ଆନନ୍ଦ ମିଳିବ ନାହିଁ ? ସୁଖ ଓ ଆନନ୍ଦ ମଣିଷର ମନ ଉପରେ ନିର୍ଭର କରେ ।

 

ସେଇ ସୁଦୂର ପଲ୍ଲୀରେ ଆମେ ସେବାରେ ଆନନ୍ଦ ପାଇପାରିବା । ବଡ଼ ସହରର ଅଭିଜ୍ଞତା ବହୁତ ହେଲାଣି । ମୁଁ ଆଉ ଏଠାରେ ରହିପାରିବି ନାହିଁ । ଏଇ ମୋର ଶେଷ କଥା । ଯେଉଁ ଦାୟିତ୍ୱ ତମେ ମତେ ଦେଇଥିଲ, ମୁଁ ସେତକ ତୁଲାଇ ପାରିଛି । ତୁଲାଇବାକୁ ଦାଣ୍ଡକୁ ବାହାରି ରୂପଲୋଭୀ ଯକ୍ଷପଲର ମନରେ ଆଗ୍ରହର ନିଆଁ ଜାଳିଛି । ଆଉ ନୁହେଁ । ଏଥର ପଛାଇ ଯିବାର ସମୟ ଆସିଛି । ତମର ଗୋଡ଼ ଧରୁଛି, ମତେ ଆଉ ସେ ନିଆଁ ଭିତରକୁ ଠେଲି ଦିଅ ନାହିଁ-। ମୁଁ ମୋର ଘର ଚାହେଁ, ସଂସାର ଚାହେଁ, ସ୍ୱାଧୀନ ସଂସାର । ମୋର ସ୍ୱାମୀଙ୍କର ସେବା କରିବାର ସବୁ ସୁଯୋଗ ମତେ ଦିଅ । ଚାଲ, ଏଇ କୃତ୍ରିମ ଦୁନିଆରୁ ବହାରି ଯିବା । ମୁଁ ସ୍ତ୍ରୀ ହେବାକୁ ଚାହେଁ, ଜନନୀ ହେବାକୁ ଚାହେଁ ।

 

କ୍ଷଣପ୍ରଭା ତୁଷାରକାନ୍ତିର କୋଳରେ ଲୋଟି ପଡ଼ିଲା । ଦୁଇହାତରେ ସ୍ୱାମୀର ଦେହକୁ ଗୁଡ଼ାଇ ଧରି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ତୁଷାରକାନ୍ତି ନୀରବ । କ୍ଷଣପ୍ରଭାର ପିଠି ଆଉଁସି ଭାବିବାକୁ ଲାଗିଲା କର୍ତ୍ତବ୍ୟ କଣ ? ସ୍ତ୍ରୀ ତାର ନ୍ୟାର୍ଯ୍ୟ ଦାବୀ ମାଗିଛି–ସ୍ୱାଧୀନ ସଂସାର ପତ୍ନୀତ୍ୱ, ମାତୃତ୍ୱ ଯେଉଁଥି–ପାଇଁ ବାପର ଇଚ୍ଛା ବିରୁଦ୍ଧରେ ସେ ହସି ହସି ଦରିଦ୍ର ତୁଷାରକାନ୍ତିର ହାତ ଧରିଥିଲା । କର୍ତ୍ତବ୍ୟରେ ସେ କେବେ ହେଳା କରିନାହିଁ, କିନ୍ତୁ ଏତେଗୁଡ଼ାଏ କାମ, ଏତେ ନିଃସହାୟଙ୍କର ଦାୟିତ୍ୱକୁ ପଛରେ ପକାଇ ସେ ଚାଲିଯିବ ? ଏତେ ଏତେ ବଡ଼ ଆଦର୍ଶକୁ ପଛରେ ପକାଇ !

 

କ୍ଷଣପ୍ରଭା ଉଠି ବସିଲା । ଆଖିରୁ ଲୁହ ପୋଛି ସ୍ୱାମୀର ବିକୃତ ମୁହଁକୁ ଚାହିଲା । ନିଶ୍ଚଳ ହୋଇ ବସି ସେ କଣ ବିଚାରୁଛନ୍ତି । ପଥର ମଣିଷ । ସ୍ତ୍ରୀତ୍ୱର ଅବମାନନା କରିଛନ୍ତି । ଯେଉଁ ରୂପର ମୋହରେ ଦେହରେ ପରଶ କାମନାରେ ବୃଦ୍ଧର ମନ ବି ନଇଁ ଆସିଛି, ଯାହାକୁ କୋଳ କରିବାକୁ ଆଲିଙ୍ଗନ କରି ନିଜର କରିବାକୁ, କେତେ ଯୁବକ ଧନୀ ଓ ମାନୀ ନିଜକୁ ଭୁଲି ଆଗେଇ ଆସିଛନ୍ତି, ସେଇ ଦେହର ପରଶର କୌଣସି ଅର୍ଥ ଏଇ ସ୍ୱାମୀ ପଥର ପାଖରେ ନାହିଁ ।

 

ତୁଷାରକାନ୍ତି କହିଲା, ପ୍ରଭା, କିଛିଦିନ ଅପେକ୍ଷା କଲେ ଭଲ ହେବ । ଏଇସବୁ ଅନୁଷ୍ଠାନର ଦାୟିତ୍ୱ ଲୋକଙ୍କ ହାତକୁ ଟେକିଦେଇ ଆମେ ନିଶ୍ଚିନ୍ତ ହୋଇ ଅନ୍ୟଆଡ଼େ ଚାଲିଯିବା । କାମ ଅଧାରଖି ଚାଲିଗଲେ ଭଲ ହେବ ନାହିଁ ।

 

କ୍ଷଣପ୍ରଭା ଉତ୍ତର ଦେଲା, ଦୁଷ୍ମନ୍ତବାବୁ ସବୁ କାମ କରିପାରିବେ । ମୁହୂର୍ତ୍ତେ ବି ଏହି ସହରରେ, ଏ ଘରେ ରହିବାକୁ ମୋର ଇଛା ହେଉନାହିଁ ।

 

ତୁଷାର କହିଲା, ବରଂ ତମେ ଦୁଷ୍ମନ୍ତ ସଙ୍ଗେ ଅନ୍ୟ ସହରକୁ ଯାଇ ସେଠାରେ ଏହିପରି ଅନୁଷ୍ଠାନ ସବୁ ସ୍ଥାପନ କରିବାକୁ ଚେଷ୍ଟା କର । ଦରିଦ୍ର ନିଃସହାୟ ରୁଗ୍‍ଣ ଓ ଅପାରଗମାନଙ୍କର ମଙ୍ଗଳ ହେବ ।

 

କ୍ଷଣପ୍ରଭା ଉତ୍ତର ଦେଲା, କାହାରି ସଙ୍ଗରେ ମୁଁ ଆଉ କେଉଁଠିକି ଯିବାକୁ ଚାହେଁ ନାହିଁ । ମୋର ଯଥେଷ୍ଟ ଅଭିଜ୍ଞତା ହୋଇସାରିଛି । ଅରକ୍ଷ, ଅପାରଗ, ରୁଗ୍‍ଣଙ୍କର ଦୁଃଖକଷ୍ଟ ଯଦି ମଣିଷର ମନକୁ ତରଳାଇ ନ ପାରିଲା, ତମର ଆଦର୍ଶ ଏଇ ଅନୁଷ୍ଠାନଗୁଡ଼ିକର ମୂଲ୍ୟ ନାହିଁ । ତମେ ଅପସରି ଗଲେ ହୁଏତ ସବୁ ଅନୁଷ୍ଠାନ ଧୂଳିରେ ଲୋଟିବ । ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଗାନ୍ଧିଙ୍କର ଶିକ୍ଷା ଓ ଆଦର୍ଶ ଯଦି ଲୋକଙ୍କ ମନକୁ ବଦଳାଇ ପାରିନାହିଁ, ଜଣେ ସାଧାରଣ ଲୋକର ଭାଳେଣି ସ୍ୱାର୍ଥପର ସମାଜର ମନକୁ ତରଳାଇ ପାରିବ ନାହିଁ । କ୍ଷଣପ୍ରଭାର ହସ, ସ୍ପର୍ଶ ଓ ଆଲିଙ୍ଗନର ପ୍ରଭାବ ମହାମାନବମାନଙ୍କର ଆଦର୍ଶ ଓ ଶିକ୍ଷାର ପ୍ରଭାବ ଅପେକ୍ଷା ଅଧିକ ହେଲେ ମଧ୍ୟ ଲୋକଙ୍କୁ ବେଶିଦିନ ଭୁଲାଇ ପାରିବ ନାହିଁ । ଅନ୍ୟକିଛି ଲୋଡ଼ା । ସେଇ ଅନ୍ୟକିଛିକୁ ନିଃସହାୟ ମଣିଷ ଅପେକ୍ଷା କରି ବସିଛି । ଆମେ ବି ଅପେକ୍ଷା କରି ବସିବା ।

 

ତୁଷାରକାନ୍ତି ନିରୁତ୍ତର ।

 

କ୍ଷଣପ୍ରଭା କହିଲା, ଯୁକ୍ତିତର୍କ ନ କରି କିମ୍ୱା–କିନ୍ତୁର ବିଚାର ନ କରି ନତମସ୍ତକ ହୋଇ ତମର ଆଦେଶ ମୁଁ ପାଳିଛି । ତମେ ମୋର ଗୋଟିଏ ବିନୀତ ଅନୁରୋଧ ରଖ । ଚାଲ, ଜଟିଳ ପରିସ୍ଥିତି ଭିତରୁ ଦୂରେଇ ଯିବା । ସୁଖର ଅନ୍ୱେଷଣରେ ବାହାରିବା । ଏଠାକାର ଜଞ୍ଜାଳ ମଝିରେ ଘାଣ୍ଟି ଚକଟି ହେଲେ ଜୀବନରେ ସୁଖଶାନ୍ତି ମିଳିବ ନାହିଁ ।

 

ଆଦର୍ଶକୁ ଆଗରେ ଥୋଇ ତାଆରି ସଫଳତା ପାଇଁ ମନପ୍ରାଣ ଦେଇ ଉଦ୍ୟମ କରିବାରେ କଅଣ ସୁଖଶାନ୍ତି ଓ ଆନନ୍ଦ ମିଳିବ ନାହିଁ ?

 

ଆଦର୍ଶ ତ ସମସ୍ତଙ୍କର । କାଲି ଯେତେବେଳେ ପେଟ ପାଇଁ ଓ କୁଟୁମ୍ୱ ପାଇଁ ପରଘରେ ଟିଉସନ୍‌ କରିବାକୁ ଧାଉଁଥିଲେ ସେତେବେଳେ ତମର ଆଦର୍ଶ କଣ ଥିଲା ? ଧନୀବନ୍ଧୁର ଆଶ୍ରା ପାଇ ଆଦର୍ଶ ଓ କର୍ତ୍ତବ୍ୟର ଧାରଣା ତମର ବଦଳିଛି । ମଣିଷର ଅବସ୍ଥା ଓ ପରିସ୍ଥିତି ତାର ଆଦର୍ଶ ଓ କର୍ତ୍ତବ୍ୟର ଧାରଣା ବଦଳାଏ । ମୋର କର୍ତ୍ତବ୍ୟ ସ୍ୱାମୀସେବା । ମୋର ସଂସାରରର ମଙ୍ଗଳ କାମନା । ଏ ଘରକୁ ଆସି ମୁଁ ମୋର ସ୍ୱାମୀ ଓ ମୋର ସଂସାରକୁ ଖୋଜି ପାଉନାହିଁ । ପୁଣି ତାର ଆଖିରୁ ଲୁହ ଝରିଲା ।

 

ତୁଷାରକାନ୍ତିର ଛାତିରେ ସତେ ଯେପରି କିଏ ଆଘାତ କଲା । ସେ ଚମକି ଉଠିଲା । ଦୁଇହାତ ବଢ଼ାଇ କ୍ଷଣପ୍ରଭାକୁ କୋଳକୁ ଆଉଜାଇ ତାକୁ ଚୁମ୍ୱନ କରି କହିଲା, ଖୋଜି ପାଉନାହଁ, ଏଇ ତ ତମର ସ୍ୱାମୀ । ଏଇଟା କଣ ତମର ଘରସଂସାର ନୁହେଁ ?

 

ତୁଷାରକାନ୍ତିର ବାହୁବନ୍ଧନରେ ଥାଇ କ୍ଷଣପ୍ରଭା କହିଲା, ନୁହେଁ ! ଧରାଦେଲେ ରୂପ ଓ ଯୌବନକୁ ସମସ୍ତେ ଆଦର କରିବେ । ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି, ସେମାନେ ବି ତୁଷାରକାନ୍ତିର ପତ୍ନୀକୁ ଏମିତି ଛାତିରେ ଜାକି ତାଆର ମୁଖଚୁମ୍ୱନ କରିଛନ୍ତି, କିନ୍ତୁ କ୍ଷଣପ୍ରଭାର ଦୁଇବାହୁ କେବେ କାହାରିକୁ ଆଲିଙ୍ଗନ କରିନାହିଁ ।

 

ସତେ କି ତୁଷାରକାନ୍ତିର ଦେହରେ ନିଆଁ ଲାଗିଲା । କ୍ଷଣପ୍ରଭାକୁ ଦୂରକୁ ଠେଲି ସେ କହିଲା, କହିବାକୁ ଲଜ୍ଜା ହେଉନାହିଁ ?

 

ଗର୍ଜି ଉଠିଲା କ୍ଷଣପ୍ରଭା, କାହିଁକି ଲଜ୍ଜା ହେବ ? ତମର ରୂପସୀ ଯୁବତୀ ପତ୍ନୀକୁ ଧନ ଆହରଣ କରିବାକୁ ତମେ ଦାଣ୍ଡକୁ ଠେଲିଦେଇଥିଲ କେଉଁ ସାହସରେ ? ସ୍ତ୍ରୀର ମାନମହତ୍ତ୍ୱ ଅପେକ୍ଷା ଆଦର୍ଶକୁ ବଡ଼ ସ୍ଥାନ ଦେଇଛ ପରା ? ସହିପାରୁନା ସତ କଥାର ଜ୍ୱାଳା ? ତମେହିଁତ ଆଦେଶ ଦେଇଥିଲ, ଲଜ୍ଜା ତମୁକୁ ହେଲା ନାହିଁ ? କ୍ଷଣପ୍ରଭାର ରୂପ ଓ ଯୌବନ –

 

ତୁନି ହୁଅ –

 

କାହିଁକି ? ତମରି ଆଦେଶର ଫଳାଫଳ ଜାଣିବାର ଅଧିକାର ଅବଶ୍ୟ ତମର ଅଛି । ଦାମ୍ପତ୍ୟ ଜୀବନରେ ଏପରି ଆଦେଶ ଓ ଏପରି କର୍ମ ସହି ହୁଏନାହିଁ ପରା !

 

ତଥାପି ପତ୍ନୀତ୍ୱର ଗର୍ବ ତମ ମନରେ ଅଛି ?

 

ଅଛି ! ସେଇ ଗର୍ବରେ, ସେଇ ସାହସରେ ମୁଁ ଆଜି ଅନୁରୋଧ କରୁଛି, ତମେ ତଉଲି ଦେଖ, ଯେଉଁ ଆଦର୍ଶର ଛାୟାକୁ ତମେ ଅବଲମ୍ୱନ କରିଛ, ସେ ବଡ଼ କି ତମର ଧର୍ମପତ୍ନୀ ବଡ଼ । ତମର ବିଚାରରେ କାହାର ମୂଲ୍ୟ ଅଧିକ, କିଏ ତମର ପ୍ରିୟ ?

 

ଧର୍ମପତ୍ନୀ !

 

ତୁଷାରକାନ୍ତିର ତୁଣ୍ଡରୁ ବିସ୍ମୟଭରା ଶବ୍ଦଟି ବାହାରି ଆସିଲା । ଓଠରେ ବିକୃତ ହସ, ବିଦ୍ରୂପ ହସ ।

 

କ୍ଷଣପ୍ରଭାର ଆଖିରେ ନିଆଁ ।

ନିସ୍ତବ୍‌ଧ ।

 

ନିସ୍ତବ୍‌ଧତା ଭଙ୍ଗକଲା ଗ୍ରାମ୍‌ଫୋନ୍‌ ରେକର୍ଡ଼, ସତେ କି ଦୁଷ୍ମନ୍ତର ପ୍ରାଣର ଭାଷା ହସିବି କି କାନ୍ଦିବି ? ହସ ଓ କାନ୍ଦ ସବୁଠି ଅଛି, ସବୁବେଳେ ଛନ୍ଦାଛନ୍ଦି । ତମ ଉପରେ ମୁଁ ରାଗେ, ଅଭିମାନ କରେ, ରୁଷେ, କାନ୍ଦେ । ଅଶ୍ରୁ ବାଦଲରେ ସେପାଖେ ଦିଶେ ତମର ହସ ହସ ମୁହଁ । ତମେ ଖାଲି ହସୁଛ, ସବୁବେଳେ ସବୁଠି ଅଶ୍ରୁ ବାଦଲ ଅପସରି ଯାଏ । ଓଠରେ ଝଲକେ ହସ, ଆଖିରେ ଆନନ୍ଦ । ତମେ ପୁଣି କାନ୍ଦୁଛ । ସବୁବେଳେ ସବୁଠି । ହସ କାନ୍ଦର ମିଶ୍ରଣ ତମେ, ଠିକ୍‌ ମୋର ଅଛିଣ୍ଡା ଜୀବନର ଧାରା ପରି । ତୁମେ ହିଁ ସେ ଧାରା, ହେ ମୋର ପ୍ରିୟ, ଅତିପ୍ରିୟ, ତମର ମୋର ସମ୍ୱନ୍ଧ ଅବିଛିନ୍ନ !

 

ଚମକି ଉଠିଲା କ୍ଷଣପ୍ରଭା । ଉଠି ଠିଆ ହେଲା । ଆଖିରୁ ଝରିଲା ଲୁହଧାର । କହିଲା, ହଁ ଧର୍ମପତ୍ନୀ । ନିଜକୁ ମୁଁ ତମରି କାର୍ଯ୍ୟରେ ସମର୍ପି ଦେଇଛି । ଆଦେଶ ପାଳିଛି । ତମରି ଆଦେଶକୁ ମୁଁ ଅପେକ୍ଷା କରୁଛି । ମୁଁ ତମର ପତ୍ନୀ, ଧର୍ମପତ୍ନୀ !

 

ତୁଷାରକାନ୍ତିର ଅସ୍ଥିରତା ପରିଲକ୍ଷିତ ହେଲା ତାର ମୁହଁରେ । ତଣ୍ଟିରେ ଅଟକି ଯାଉଥିଲା କଥା, ସେ ଥରିଲା ସ୍ୱରରେ କହିଲା କ୍ଷମାକର ପ୍ରଭା, ତମେ ଦେବୀ, ତମେ ମାତା ଓ ତମେ ନମସ୍ୟା । ଅପାରଗ, ଅକ୍ଷମ ଓ ରୁଗ୍‍ଣ ସନ୍ତାନମାନଙ୍କ ପାଇଁ ତମେ ନିଜକୁ ଉତ୍ସର୍ଗ କରିଛ । ତମେ ଧନ୍ୟା ତମେ ନମସ୍ୟା, ତମେ ମୋର ବନ୍ଧୁ ପରମ ବନ୍ଧୁ !

 

କ୍ଷଣପ୍ରଭା ଅନୁଭବ କଲା ସତେ କି ତୁଷାରକାନ୍ତିର ପ୍ରତି ପଦ କଥା ତାକୁ ଦୂରକୁ ଦୂରକୁ ଠେଲି ଦେଉଛି । ସତେ କି ଗୋଡ଼ତଳୁ ତାର ବସୁନ୍ଧରା ଅପସରି ଯାଉଛି । ଆଖି ଆଗରେ ସାରା ଦୁନିଆ ଭ୍ରମୁଛି ।

 

କାନରେ ବାଜୁଛି–ହସକାନ୍ଦର ମିଶ୍ରଣ–ତମେ, ଠିକ୍‌ ମୋର ଅଛିଣ୍ଡା ଜୀବନର ଧାରା ପରି, ହେ ମୋର ପ୍ରିୟ, ଅତିପ୍ରୟ, ତମର ମୋର ସମ୍ୱନ୍ଧ ଅବିଛିନ୍ନ –

 

ପୁଣି କାନରେ ବାଜୁଛି–ତମେ ମାତା, ତମେ ନମସ୍ୟା–କାନରେ ବାଜୁଛି, ଅତିଦୂରରୁ, ଅତିକ୍ଷୀଣ ଭାଷା–ସାତଜନ୍ମ ତୋର ଅର୍ଦ୍ଦଳି କଲେ ବି ମନର ତୃପ୍ତି ହେବ ନାହିଁ । ତୋତେ ଛାତିରେ ଜାକିଲେ କେଜାଣିବା ତୃପ୍ତିରେ ମୁଁ ଆଖିବୁଜି ପାରନ୍ତି– । ମନର ତନ୍ତ୍ରୀ ଥରି ଉଠୁଛି କେଉଁ ଅକୁହା କଥାର ସ୍ପନ୍ଦନରେ, ଅଭିମାନର ଉତ୍ତର ନୀରବତା – ଆ ମା, ଫେରିଆ ମୋର ଶୂନ୍ୟ କୋଳକୁ । ସେଠି ତ ତୋର ଜନ୍ମଗତ ଅଧିକାର, ମନା କରିବ କିଏ ?

 

ପାଟିରୁ ବାହାରିଲା, ତେବେ ତମେ ମୋତେ ତମେ କି ଉପଦେଶ ଦେଉଛ, କଅଣ କରିବି ?

 

ତୁଷାରକାନ୍ତି ପ୍ରକୃତିସ୍ଥ ହୋଇ ଅବିଚଳିତ ସ୍ୱରରେ କହିଲା, ସବୁ ତମେ ଜାଣ । ତମର କର୍ତ୍ତବ୍ୟ ତମେ ହିଁ ସ୍ଥିର କରିବ । ପତ୍ନୀତ୍ୱର ବନ୍ଧନ ଛିଣ୍ଡାଇ ତମେ ଅତି ଉପରକୁ ଉଠିଛ । ତମରି କଥା ବିଚାର କଲେ ବିସ୍ମୟ ମାଡ଼ି ଆସେ । ନିଜେ ମୁଁ କେତେଛୋଟ ଭାବି ସ୍ଥିର କରିପାରେ ନାହିଁ । ତମେ ମୋର ବନ୍ଧୁ, ତମେ ବଡ଼, ତମେ ନମସ୍ୟା ।

 

ତୁଷାରକାନ୍ତିର ଆଖିରୁ ଲୋତକ ଧାର ଝରିଲା । ଦୁଇହାତ ଯୋଡ଼ି ହୋଇ ମୁଣ୍ଡରେ ଲାଗିଲା ।

 

ଅରକ୍ଷ ନିବାସ ଆଡ଼ୁ ଭାସିଆସିଲା ପ୍ରାର୍ଥନାର ମିଳିତ ସ୍ୱର, ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ– ।

 

ଉଷାର ଶୀତଳ ଆଲୋକ କବାଟ ଫାଙ୍କ ବାଟେ ଝରି ଆସିଲା । ବାହାରେ ଶୁଭ କାଉ ସୂଚାଇ ଦେଲା ରାତିର ଅନ୍ଧାର ଅପସରିଛି, ଏଥର ସକାଳ ହେବ, ସଜ ସକାଳ ।

 

ଘରକରଣାର ତତ୍ତ୍ୱ ସେ ନେଉଛି, ଜୀବନର ଗତି ବଦଳାଇଛି । ସକାଳୁ ଉଠି ରାତି ଅଧଯାଏ ସେ କାର୍ଯ୍ୟବ୍ୟସ୍ତ ରହେ । ସମସ୍ତଙ୍କର ଯତ୍ନ ନିଏ, କାହାରିକୁ ପ୍ରଶ୍ନ ପଚାରେ ନାହିଁ, ସବୁ କରିଯାଏ ।

 

ସ୍ୱାମୀ, ନଣନ୍ଦ, ଦୁଷ୍ମନ୍ତ, ଦାସଦାସୀ ଗଲା ଅଇଲା, ସମସ୍ତେ ଏ ପରିବର୍ତ୍ତନ ଅନୁଭବ କରିଛନ୍ତି । ଆଖି ଥିଲା ଲୋକେ ଦେଖିଛନ୍ତି ତାର ହସ ହସ ପ୍ରଫୁଲ୍ଲ ମୁହଁ । ତାର କୋମଳ ସ୍ନେହବୋଳା କଥା ଶୁଣି ମୁଗ୍‌ଧ ହୋଇଛନ୍ତି । ମନରେ ପ୍ରଶ୍ନ ଉଠିଛି–କଥା କଅଣ ? କାହିଁକି ଏ ପରିବର୍ତ୍ତନ, କିଏ କଅଣ କହିଲା କି ?

 

କ୍ଷଣପ୍ରଭା ବି ଦେଖେ ସଭିଁଙ୍କ ମୁହଁରେ କୌତୁହଳର ଭାବ, ଆଖିରେ ପ୍ରଶ୍ନ–କାହିଁକି ଏପରି ହେଲା, କାହିଁକି ସେ ରାଜରାଣୀର ଅହମିକା ତଳେ ପକାଇ ଛୋଟ କୁଟୁମ୍ବର ସାଧାରଣ ଦାସୀଟିଏ ପରି ବେଳ କାଟିବାକୁ ସଂକଳ୍ପ କଲା ? ଏବେ ବି ସବୁ ଧନରତ୍ନ, ସବୁ ଅଧିକାର, ପ୍ରଭୁତ୍ୱ ତାର ହାତମୁଠାରେ ।

 

କାହିଁକି ? ଏ ପ୍ରଶ୍ନ ବି ଉଠେ ନୀହାରିକାର ମନରେ । ନୂଆଉ ତାର ନୂଆଉ ହୋଇଛି, ଠିକ୍ ଯେପରି ସେ କାଲି ଥିଲା । ସ୍ନେହ, ଯତ୍ନ, ଆଦର । ବେଳ ପାଇଲେ କେବେ କିପରି ନିଜେ ବହିଧରି ସେ ପାଠ ପଢ଼ାଉଛି । ନିଜ ହାତରେ ମୁଣ୍ଡ ବାନ୍ଧି ଦେଉଛି । ସ୍କୁଲକୁ ଯିବାକୁ ସଜ କରି ଦେଉଛି । ଘରଛାଡ଼ି ପଦାକୁ ବାହାରୁ ନାହିଁ । ମୋଟା ମିଲ୍ ଲୁଗା ନିଜେ ପିନ୍ଧି ଭଲ ଭଲ ଦାମିକା ଶାଢ଼ୀ ତାକୁ ପିନ୍ଧାଇ ଦେଉଛି । କାହିଁକି ଏ ପରିବର୍ତ୍ତନ ? ପଚାରିବାକୁ ସାହସ ହୁଏ ନାହିଁ ।

 

ଦୁଷ୍ମନ୍ତର ମନରେ ବି ଠିକ୍ ସେଇ ପ୍ରଶ୍ନ । ଗାମ୍ଭୀର୍ଯ୍ୟ ଭିତରେ ହସ ହସ ପ୍ରଫୁଲ୍ଲ ମୁହଁ । ଚଞ୍ଚଳ । ସବୁ କାର୍ଯ୍ୟରେ ନିପୁଣତା । ଅଳଙ୍କାରର ବୋଝ ଦେହରୁ ଖସାଇ ସେ ସମୟର ସୁଅରେ ଉଜାଣି ଉଠି ଉଭା ହୋଇଛି ଅତୀତର ସେଇ ପୁଣ୍ୟପୀଠରେ, ଯେଉଁଠି ପ୍ରଥମେ ଦେଖି ବିସ୍ମିତ ତରୁଣ ମନ ତାର ପ୍ରେମର ପୁଷ୍ପାଞ୍ଜଳି ଧରି ଧାଇଁ ଯାଇଥିଲା ଆରାଧନା ପାଇଁ । ସ୍ମୃତି ବ୍ୟାକୁଳ ହୋଇ ଉଠିଛି ।

 

ତୁଷାରକାନ୍ତି ବି ଅନୁଭବ କରୁଛି ପରିବର୍ତ୍ତନ । ରାତିର ସପନ ରାତିରେ ମିଶିଛି, ଛାଡ଼ି ଯାଇଛି ମନରେ କାରୁଣ୍ୟମିଶା ବିସ୍ମୟର ଭାବ । ପତ୍ନୀତ୍ୱର ବନ୍ଧନ ଓ ପରାଧୀନତାରୁ ମୁକ୍ତ କ୍ଷଣପ୍ରଭାର ଆତ୍ମା ଉଠି ଆସିଛି ଉପରକୁ, କେତେ ଉପରକୁ, ଯେଉଁଠି ଦେଖିଲେ ପ୍ରିୟତମା ବନ୍ଧୁ ଓ ସହକର୍ମିଣୀ ଧାରଣାରେ ମୁଣ୍ଡ ନଇଁ ଆସେ, ପାଖରେ ନୁହେ ଦୂରରେ, ଯାହାର ପିବତ୍ର ଆତ୍ମା ଦୁନିଆଁର ରୁଗ୍‍ଣ, ନିରାଶ୍ରୟଙ୍କର ଦୁଃଖକଷ୍ଟ ବିଦୂରିତ କରିବାର ଅଦ୍ୟମ ଆଗ୍ରହରେ ପୁଣ୍ୟ ଆଭାରେ ଝଲସି ଉଠେ ।

 

ଝଲସି ଉଠେ, ବିକଶି ଉଠେ । ପତ୍ନୀ ବୋଲି ଭାବିବାକୁ ସାହସ ହୁଏ ନାହିଁ । ରକ୍ତମାଂସର ଦେହ ସଙ୍ଗେ ରକ୍ତମାଂସର ଯେଉଁ ଏକଚାଟିଆ ସମ୍ବନ୍ଧର ଧାରଣା ଓ ବିବାହିତ ସ୍ୱାମୀର ଯେଉଁ ଗୋପନ ଅଭିମାନ ମୁଣ୍ଡ ଟେକି ଉଠେ ସେ ଧାରଣା ସେ ଅଭିମାନ ମୁଣ୍ଡ ନୁଆଁଏ । ବୃନ୍ତଚ୍ୟୁତ କୁସୁମ ପରି ମନରୁ ଝଡ଼ି ଧୂଳିରେ ମିଶେ ଯାହାର ରୂପଯୌବନ ବୋଳା ଉଲୁସା ଅଙ୍ଗ ସ୍ୱାମୀର କୋଳରୁ ଦୂରେଇ ଯାଇ ଦୁନିଆର କେତେ କୋଳକୁ ଆଉଜିଛି, କେତେ ଉତ୍ତେଜିତ ଉଷ୍ମ ଅଙ୍ଗର ପରଶକୁ, ଉତ୍ତେଜନାକୁ ଅଙ୍ଗରେ ମିଶାଇ ନିଜର କରିଛି, ସେ ନୁହେଁ ପ୍ରତିବ୍ରତା, ସେ ନୁହେଁ ପତ୍ନୀ । ସେ ବ୍ୟଭିଚାରିଣୀ, ସେ କୁଳଟା, ସେ ଦୂରରେ, ଅତିଦୂରରେ–

 

ଉଦ୍ଦେଶ୍ୟ ବା ଆଦର୍ଶ, ତାକୁ ପତ୍ନୀର ଅଧିକାର, ପତିବ୍ରତାର ଆସନ ଦେଇପାରିବ ନାହିଁ-। କ୍ଷମାର ଅଧିକାର ବି ତାର ନାହିଁ । ତାର ନିଃସହାୟତା ତାକୁ ପରର କୋଳକୁ ଆଉଜାଇ ନାହିଁ । ଆଉଜାଇଛି ଗୋଟିଏ ଉଦ୍ଦେଶ୍ୟ, ଧନ ଆହରଣର ଆଗ୍ରହ । ସ୍ୱାମୀର ଆଦେଶ ନୁହଁ, ବନ୍ଧୁର ଅନୁନୟ ଓ ପ୍ରାର୍ଥନା–ପତ୍ନୀତ୍ୱର ଗର୍ବ ଭାଙ୍ଗେ ତ ଭାଙ୍ଗୁ, ତମେ ପଛେ ଧ୍ୱଂସ ହୋଇଯାଅ–

 

ପତ୍ନୀତ୍ୱର ବଡ଼ପଣ ଭାଙ୍ଗିଛି । ସେ ହୋଇଛି ଧ୍ୱଂସ, ବନ୍ଧୁର ଅନୁନୟରେ, ପ୍ରାର୍ଥନାରେ । ସେଇଦିନ ତ ସେ ତାକୁ ଦୂରେଇ ଦେଇଥିଲା, ସେ ବି ଯାଇଥିଲା ଦୂରେଇ, ସ୍ୱାମୀ ପାଇଁ ନୁହେଁ, ବନ୍ଧୁ ପାଇଁ, ପତ୍ନୀ ହୋଇ ନୁହେଁ ବନ୍ଧୁ ହୋଇ । ପତ୍ନୀତ୍ୱକୁ ଧ୍ୱଂସକରି ନୂଆ ରୂପ ସେ ଧରିଛି, ନୂଆ ଅବତାର । ସେ ବନ୍ଧୁ, ଅତି ଉଚ୍ଚରେ ତାର ଆସନ !

 

ବନ୍ଧୁର କର୍ତ୍ତବ୍ୟରେ ସେ ହେଳା କରିନାହିଁ । ତୁଷାରକାନ୍ତିର ଯତ୍ନ ନେଉଛି, ନିଜକୁ ଭୁଲିଛି-। ସ୍ନେହ ଆଦର କୋମଳ କଥା । ସେଇ ରାତିର ଘଟଣା ସପନ ହୋଇଛି, ମନରେ ତାର କୌଣସି କଟୁ ପ୍ରଭାବ ପକାଇ ନାହିଁ । ସେ ବଡ଼, ଅତି ବଡ଼ ।

 

ତୁଷାରକାନ୍ତି ଭାବେ, ବିସ୍ମିତ ହୁଏ ।

ବିସ୍ମିତ ହୁଅନ୍ତି ସମସ୍ତେ ।

 

ଯେଉଁ କ୍ଷଣପ୍ରଭାଙ୍କର ଉଦ୍ୟମ ଆଣି ଦେଇଛି ରୁଗ୍‍ଣ ନିଳୟ ପାଇଁ ଲକ୍ଷ ଲକ୍ଷ ଟଙ୍କା, ସେ ପୁଣି କାର୍ଯ୍ୟନିର୍ବାହିକା ସମିତିର ସଭ୍ୟପଦରୁ ଅବ୍ୟାହିତ ନେଇଛନ୍ତି । ପତ୍ରପତ୍ରିକାରେ ବଡ଼ ବଡ଼ ଅକ୍ଷରରେ ବାହାରିଛି ଗୋଟିଏ ପ୍ରଶ୍ନ–କାହିଁକି ? ଉତ୍ତର ନେବାକୁ ଦୁଷ୍ମନ୍ତର ଘର ଆଗରେ କେତେ ଗାଡ଼ି, କେତେ ମଟର ଠିଆ ହୋଇଛି ।

 

ହସ ହସ ପ୍ରଫୁଲ୍ଲ ମୁହଁରେ ସଭିଙ୍କ ଆଗରେ କ୍ଷଣପ୍ରଭା ଠିଆ ହୋଇଛି । – ନୂଆ ଅବତାରର ପ୍ରଜ୍ଜ୍ୱଳିତ ଦୃଷ୍ଟି, ଉନ୍ନତ ମଥା, ବନ୍ଧୁଙ୍କର ଚା ପାତ୍ରରେ ଚା ଢାଳି ଗୋଟିଏ କଥା ସେ କହିଛି, ସେ ଅକ୍ଷମ । କ୍ଷମା ଚାହିଁଛି ।

 

ସତରଶ ପ୍ରାଣୀ କୁଟୁମ୍ବର ଜଣେ ହୋଇ ନିଜକୁ ମଣିଲେ ବି ପରଶୁରାମ ବେଳେ ବେଳେ ନିଜକୁ ଏକୁଟିଆ ଅନୁଭବ କରନ୍ତି । ଦିଗ–ହଜା ଧାନକ୍ଷେତରେ ଅଶିଣର ଶୀତଳ ମୃଦୁଳ ବାଆ ଲୁଚକାଳି ଖେଳେ, ହିଲ୍ଲୋଳିତ କରେ । ତରୁଣ ଅରୁଣରୁ ସ୍ନିଗ୍‌ଧ ରଙ୍ଗିମା ହସର ଧାରା ଦୁନିଆଁ ଆବୋରି ଝରିପଡ଼େ ସେଇ ସବୁଜ ବିସ୍ତୃତ ଛାତିରେ, ଅସରନ୍ତି, ଅବିରାମ । ଗହୀର ମଝିରେ ଠାଏ ଠାଏ ଉଠେ ହସର କଲ୍ଲୋଳ ।

 

ପରଶୁରାମ ମୁଗ୍‌ଧ ହୋଇ ଚାହିଁ ରହନ୍ତି । ତନ୍ମୟ ହୋଇ ଶୁଣନ୍ତି । ଏଇ ଗ୍ରାମର ପୁଅଝିଅ ମନ ଉଲ୍ଲାସରେ ଗହୀର ବିଲରେ କାମ କରୁଛନ୍ତି, ଗୀତ ବୋଲୁଛନ୍ତି । କାମର ବରାଦ କରାହୋଇଛି । ସମସ୍ତେ ଲାଗିଛନ୍ତି ସଭିଙ୍କ ପାଇଁ । ସମସ୍ତେ ଏଇ ଗାଁର ପିଲା, ତାଙ୍କରି କୁଟୁମ୍ବର ମଣିଷ । ବଡ଼ ସାନ, ଜାତି ଅଜାତି ଭେଦ ଆପେ ଆପେ ଉଠି ଯାଇଛି । ଗୋଟିଏ କୁଟୁମ୍ବର ଘର-କରଣା–ବାପ, ପୁଅ, ଭାଇ, ଭଉଣୀ, ନାତି ନାତୁଣୀ ।

 

ସମସ୍ତେ ଚଳନ୍ତି ଭଲରେ । ସମସ୍ତେ ମଣନ୍ତି ସମସ୍ତଙ୍କୁ ନିଜ କୁଟୁମ୍ବର ମଣିଷ ପରି । ପରଶୁରାମ ବି ନିଜ ଧାରଣା, ନିଜ କଲା କର୍ମର ସତ୍ତା ହଜାଇଛନ୍ତି । ତଥାପି, ନିଜକୁ କିପରି ଏକୁଟିଆ ଲାଗେ । ଅନୁଭବ କରନ୍ତି ଶୂନ୍ୟତା । ଗହୀର ମଝିରୁ ସବୁଜ ଧାନ କ୍ଷେତର ଛାତି ଦୋହଲାଇ ଉଠେ ଯେଉଁ ହସର ଲହରୀ, ସେ ଲହରୀର ଆଘାତ ମନରେ ଲାଗେ । ଉଜ୍ଜନ୍ତ୍ରି ହୁଏ ମରମ, ଭାବନା ହୁଏ ଅଣ୍ଡାଳି, ଖୋଜେ ପ୍ରାଣରୁ ଅଧିକ କନ୍ୟାକୁ, ଯିଏ ତାଙ୍କର ରକ୍ତମାଂସରେ ଗଢ଼ା-

 

ନାରୀ ନେତ୍ରୀ, ଦେଶସେବିକା, କରୁଣାମୟୀ ଅଥବା ମେନକା, ବିପଦଗାମିନୀ, ଅନ୍ଧର–ପତ୍ନୀ କ୍ଷଣପ୍ରଭା, ତାଙ୍କର ଧାରଣା ପାଖରେ ଏ ସବୁର କୌଣସି ଅର୍ଥ ନାହିଁ । ତାଙ୍କ ଆଖି ଆଗରେ ଠିଆହୁଏ ମାତୃହରା ସ୍ନେହର ପିତୁଳା ଅଲିଅଳ ଅଭିମାନିନୀ ଝିଅଟି ।

 

ଶାନ୍ତି କାହିଁ ?

 

ସବୁଜ ଧାନ କ୍ଷେତର ଅନ୍ତରାଳରୁ ଉଠୁଛି ଯେଉଁ ହାସ୍ୟର ରୋଳ, ଯେଉଁଠି ଗାଁ ଝିଏ ମନ ଆନନ୍ଦରେ କାମ କରୁ କରୁ ଗୀତ ବୋଲୁଛନ୍ତି, ହସୁଛନ୍ତି, ହସୁ ହସୁ ଲୋଟି ଯାଉଛନ୍ତି ପାଣି କାଦୁଅରେ, ସେଇଠି ସେ ତାଙ୍କର ପ୍ରାଣର ପ୍ରତିମା ଅଲିଅଳି ଝିଅକୁ ଦେଖିବାକୁ ଚାହାନ୍ତି ।

 

ଅଭିମାନିନୀ !

 

ପରଶୁରାମଙ୍କର ଦୃଷ୍ଟି ଦିଗହଜା ସବୁଜ ଧାନକ୍ଷେତର ବିସ୍ତୃତି ଭିତରେ ହଜିଯାଏ । ନିଜେ ସେ ହଜି ଯାଆନ୍ତି ନିଜର ଧାରଣରେ । ତଥାପି, ଛୋଟ ମଣିଷର ରକ୍ତମାଂସର ଦେହ ଭିତରେ ଅଣ୍ଡାଳି ହୋଇ ଖୋଜେ ମନ, ନିଜର କାହାକୁ ଦେଖିବାକୁ, ଏଇ ରକ୍ତମାଂସରୁ ଯେ ଉତ୍ପନ୍ନ ଲଭିଥିଲା । ସବୁ ମିଶି ଦିଗନ୍ତବ୍ୟାପି ଗହୀର ପରି ଏକାକାର ହେଲେ ବି ମନ ନିଜର ସ୍ୱାତନ୍ତ୍ର୍ୟ ଖୋଜେ, ଯାହାର ମଝିରେ ନିଜକୁ ଅନୁଭବ କରେ ।

 

Unknown

ପରଶୁରାମଙ୍କର ଆଖି ଆଗରେ ଉଭା ହୁଏ କ୍ଷଣପ୍ରଭା । ମଣିଷ ଜାତିର ଅସୀମ ସମୁଦ୍ର, ପଛକୁ ଚାହିଁଲେ ଦୃଷ୍ଟି ପାଏ ନାହିଁ, ଆଗକୁ ଚାହିଁଲେ ଭାବନା ହଜେ, ସେଇ ସମୁଦ୍ରର ବିନ୍ଦୁଟିଏ ସେ କ୍ଷଣପ୍ରଭା, ଯାହାରି ଅସ୍ତିତ୍ୱରେ ନିଜକୁ ସେ ଅନୁଭବ କରନ୍ତି ।

 

ଆଠୋଟି ଶିଶୁର ମା ହୋଇ ମନର କୋହ ସମ୍ଭାଳି ହୁଏ ନାହିଁ । ଅଜାଣତରେ କେବେ କେମିତି ଆଖିରୁ ଲୁହ ଝରେ । କଅଁଳିଆ ଟିକି ମୁହଁଟି, କେଡ଼େ ସୁନ୍ଦର କୁଲୁକୁଲିଆ, ଛୋଟ ଛୋଟ କଳା ଭଅଁର ଆଖି ଦିଓଟି ଆଗ୍ରହରେ ଚାହିଁ ରହିଥାଏ ମୁହଁକୁ । ନାଲି ଟୁକୁ ଟୁକୁ ଓଠରେ ମନପୁଲକା ହସ, ଦରୋଟି କଥା । ଛାତିରେ ଜାକି ମୁହଁରେ ବୋକ ଦେଲେ ସବୁ ଦୁଃଖ ପାସୋରି ଯାଏ ।

 

କାହିଁ ସେ ଦୁଃଖପାସୋରା, କୁଆଡ଼େ ହଜିଲା ?

 

ଆଠୋଟି ପିଲା । କିଏ ବସେ କୋଳରେ, କିଏ ବସେ ଜଙ୍ଘରେ, ପିଠିରେ କିଏ ନାଉ ହୁଏ, ମୁଣ୍ଡରେ ଚଢ଼େ, ପଣତ ଟାଣି ମୁହଁ ଛପାଇ ଲୁଚକାଳି ଖେଳେ । ସବା ସାନ ପିଲାଟି ଛାତିରେ ଜାକିଲେ କ୍ଷୀର ଖୋଜେ, ଛାତି ଅଣ୍ଡାଳେ । ହସର ଲହଡ଼ି ଛୁଟେ ଅନାଥ ଶିଶୁ ସଦନରେ । ଏତେ ପିଲାଙ୍କର ମା ହୋଇ, ସେହିମାନଙ୍କର ସେବା କରି, ଯତ୍ନନେଇ ସମୟ ସିନା କଟେ, ଛାତି ଭିତରେ ଶୂନ୍ୟତା ହାହାକାର କରେ ।

 

ମନଖୋଜେ, କାହିଁ ସେ, ରକ୍ତମାଂସ ଦେଇ ଯାହାକୁ ସେ ଗଢ଼ିଥିଲେ, ସ୍ନେହସରାଗ ଉଦ୍‌ବିଗ୍ନତା ଦେଇ ଯାହାକୁ ସେ ପାଳିଥିଲେ । ପର ମାଆର ପିଲା ଦାଣ୍ଡରୁ ଆଣି କୋଟିଏ ପାଳିଲେ ଓ ସବୁ ସ୍ନେହ ନିଃଶେଷ କରି ଅଜାଡ଼ି ଦେଲେ ବି ପ୍ରାଣରେ ନାହିଁ ତୃପ୍ତି, ମନରେ ନାହିଁ ଶାନ୍ତି । ଏକା ରକ୍ତମାଂସ ତ ସବୁରି, ଏକାପରି ହସ, ଟଳମଟଳ ଚାଲି, ଦିରୋଟି କଥା, କାଖ ହେବା, ଗେଲ ହେବାର ଆଗ୍ରହ, ହତାଶ ହୋଇ ମୁହଁଫଟା କାନ୍ଦ, ଅଳି ଆର୍ଦ୍ଦୋଳି ।

 

ପ୍ରଭେଦ ତେବେ କେଉଁଠି ?

 

ଶିଶୁ ଭିତରେ ନିଜକୁ ଖୋଜିବାର ଆନନ୍ଦ, ଯାହାର ଶିଶୁ ତାରି ପ୍ରେମ ଆଦରର ସ୍ମୃତି, ଶିଶୁଠାରେ ତାଆରି ସନ୍ଧାନ ।

 

ଅନ୍ତଫାଡ଼ି ଦୁନିଆକୁ ଆଣିଥିଲେ ଯେଉଁ ଶିଶୁକୁ ସେ ହଜିଛି । ସେ ସାତ ସପନ । ଧରିତ୍ରୀ ମାତାର ସବୁ ପିଲାଙ୍କୁ ଏକାଠି କରି ଜଣ ଜଣ କରି ଦେଖିଲେ ବି ହଜିଲା ଶିଶୁର ସନ୍ଧାନ ପାଇବେ ନାହିଁ । ଛାତି ତଳର ଛପିଲା ଘା ଭଲ ହେବ ନାହିଁ ।

 

ଶିଶୁ ସାଥିରେ ଆସିଥିଲା ଯେଉଁ ପ୍ରଲୋଭନ, ଯାହାର ହସିଲା ମୁହଁ ଜ୍ୱଳନ୍ତ ଦୃଷ୍ଟି, ବଳିଷ୍ଠ ଦେହ, ଅନାକୃଷ୍ଟ ଭାବ ଦେଖି ତାରୁଣ୍ୟ ବିଚଳିତ ହୋଇଥିଲା, ସେ ବି ଆଜି କାହାନ୍ତି ? ଆଦର୍ଶକୁ ହାତରେ ଧରି ସେ ହଜି ଯାଇଛନ୍ତି । ଯାଉନ୍ତୁ । ପାର୍ବତୀଙ୍କୁ ଦେଇ ଯାଇଛନ୍ତି ସେବାର ମହାମନ୍ତ୍ର, ଦେଖାଇ ଯାଇଛନ୍ତି ଅଛିଣ୍ଡା ପଥ, ଦୁଇ ପାଖରେ ଯନ୍ତ୍ରଣାକୁଳ ଅନାଥ ମଣିଷ ପିଲା, କର୍ତ୍ତବ୍ୟର ପଥ-!

 

ଦେବରାଜ–ଧୂମକେତୁ ହଜିଛନ୍ତି, ହୁଏତ ଚିରଦିନ ପାଇଁ ହଜିଛନ୍ତି ।

 

ସ୍ୱାମୀ ଦେବତାଙ୍କ ପାଖକୁ ଫେରିଯିବାକୁ କେବେ କେବେ ଆଗ୍ରହ ହୁଏ । ଗଣଦେବତା ପାଇଁ ସର୍ବସ୍ୱ ସେ ତ୍ୟାଗ କରିଛନ୍ତି । ତାଙ୍କରି ଗୋଡ଼ତଳେ ପଡ଼ି କ୍ଷମା ମାଗି କହିବାକୁ ମନହୁଏ, ସବୁ ଅପରାଧ ମୋର, କ୍ଷମାକର ଗୋଟିଏ ଶିଶୁର ଜନନୀ, ମୁଁ ନୁହେଁ, ସବୁ ଅନାଥ ଅବହେଳିତ ଶିଶୁ ମୋର ସନ୍ତାନ । ସମସ୍ତଙ୍କର ପିତା ତୁମେ, ସମସ୍ତଙ୍କୁ କୋଳକୁ ନିଅ । ତମରି ଗୋଡ଼ତଳେ ମତେ ଟିକିଏ ସ୍ଥାନ ଦିଅ ।

 

ଅବହେଳା କରିଥିଲେ ଯେଉଁ ସନ୍ତାନଟିକୁ, ସେ ବି ସ୍ୱାମୀଦେବତାର ରକ୍ତମାଂସ । ଯେଉଁ ଶିଶୁଟିକୁ ସେ ହରାଇଛନ୍ତି ତାଆରି ରକ୍ତର ଧାରଟିଏ । ମନ କଣ ହୁଏ ନାହିଁ ତାକୁ ଛାତିରେ ଧରି ତୃପ୍ତିର ଆଖି ବୁଜିବାକୁ ? ସେ ଆଜି ରାଜ-ରାଣୀର ଆସନରେ । କେତେ ବଡ଼ ନାମ, ସେ ଦେଶସେବିକା, ନାରୀନେତ୍ରୀ । କ୍ଷଣପ୍ରଭା ସୁଖରେ ଥାଉ, ଆନନ୍ଦରେ ଥାଉ ।

 

ପାର୍ବତୀଙ୍କ ଆକୁଳ ଆଖିରୁ ଝରୁଥାଏ ଲୋତକ ।

 

ନିଦ ଭାଙ୍ଗେ, ସପନ ଭାଙ୍ଗେ । ନିଶା ଗର୍ଜୁଛି, ଅଶିଣର ଶୀତଳ ନିଶା । ଆଠୋଟି ପିଲା ନିଶ୍ଚିନ୍ତରେ ଶୋଇଛନ୍ତି । ତଥାପି ତାଙ୍କର କୋଳ ଖାଲି, ଛାତିରେ ନାହିଁ ଶିଶୁର ପରଶ ।

 

ନିଶା ଗର୍ଜ୍ଜେ, ପାର୍ବତୀ ଆଖି ବୁଜନ୍ତି ।

 

ହେମାଙ୍ଗିନୀ କହିଲା, ସମାଲୋଚନାକୁ ଯେଉଁମାନେ ଖାତିର ନ କରନ୍ତି, ସେମାନଙ୍କୁ ଦୁନିଆର ଲୋକେ କଣ କହନ୍ତି ଜାଣ ପ୍ରଭା ?

 

କ୍ଷଣପ୍ରଭା ଉତ୍ତର ଦେଲା, ଆହୁରି ସମାଲୋଚନା କରନ୍ତି । ଯେଉଁମାନେ ଡରିହରି ପଛାଇ ରହିଛନ୍ତି ରହନ୍ତୁ, ଯେଉଁମାନେ ସମାଲୋଚନାକୁ ଆଡ଼େଇ ଆଗକୁ ମାଡ଼ି ଚାଲନ୍ତି, ଲୋକଙ୍କର ସମାଲୋଚନା ସେମାନଙ୍କର ଗୋଡ଼ତଳେ ମାଟିରେ ମିଶେ ।

 

ମାଟିରେ ମିଶୁ ପଛକେ ପ୍ରଭାବ ପକାଏ । ତା ନ ହୋଇଥିଲେ ଆଜି ତୋର ଏ ବେଶ ହୋଇ ନ ଥାନ୍ତା । ପ୍ରଭା ତୁ କେଡ଼େ ସୁନ୍ଦର ଦିଶୁଛୁ, ସାଧାସିଧା ବେଶ ତତେ ଭାରି ମାନିଛି ।

 

ସତେ ?

ରାଣ ଅଛି ଲୋ, ଦିଶୁଛୁ ତପସ୍ୱିନୀ ପରି ।

 

କ୍ଷଣପ୍ରଭା ହସିଲା । ଘଣ୍ଟା ଆଡ଼କୁ ଚାହିଁଲା । ବେଳ ଚାରିଟା । ଆଜି ଅନେକ କାମ ଅଛି-! ସନ୍ଧ୍ୟାରେ ଦୁଷ୍ମନ୍ତ ବାବୁଙ୍କର ତଳମହଲା ଲାଇବ୍ରେରୀ ଘରେ ଭାଷାଗତ ପ୍ରଦେଶ ବିଷୟରେ ଆଲୋଚନା ହେବ । ସହରର କେତେ ବିଶିଷ୍ଟ ଭଦ୍ରଲୋକ ନିମନ୍ତ୍ରିତ ହୋଇଛନ୍ତି । ସମସ୍ତଙ୍କର ଚର୍ଚ୍ଚା ସେ କରିବ । ସବୁ ବରାଦ ହୋଇଥିଲେ ମଧ୍ୟ ନିଜେ ନ ଦେଖିଲେ ମନ ଶାନ୍ତି ହେବ ନାହିଁ ।

 

ତୁଷାରକାନ୍ତି ତାଙ୍କର ମତାମତ ଡାକି ଲେଖାଉଛନ୍ତି । ଦୁଷ୍ମନ୍ତ ଉପର ଲାଇବେରୀ ଘରେ ବସି ବହି ଘାଣ୍ଟି କଣ ଟିପୁଛନ୍ତି । କିଛି କହିବାକୁ କ୍ଷଣପ୍ରଭାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ପଢ଼ି ଲେଖିବାକୁ ତାର ବେଳ ନାହିଁ, ଆବଶ୍ୟକ ବି ନାହିଁ । ଭଲମନ୍ଦ ସଭିଙ୍କୁ ଜଣାଅଛି । ସମାଧାନ ହିଁ ଲୋଡ଼ା । ସମାଧାନ କେତେ ପ୍ରକାର ହୋଇପାରେ ସେହି ବିଷୟ ଚିନ୍ତା କରିବାର କଥା । ବେଳନାହିଁ, ତହିଁରେ ପୁଣି ହେମାଙ୍ଗିନୀ ଆସି ବାଜେ କଥା ପକାଇ କେତେ ସମୟ ନଷ୍ଟ କଲାଣି ।

 

କ୍ଷଣପ୍ରଭା କହିଲା, କହିବାକୁ ଆଉ କଣ ଛାଡ଼ିଗଲୁ କି ?

ଅକୁହା କଥା ତୋ କାନକୁ ଶୁଭିଲାଣି ?

 

ତୋ ମନ ଭିତରର କଥା ମୋ କାନକୁ ଶୁଭେ ଲୋ ହେମ । ତୋ ଆଖିକି ମୁଁ ଅତି ସୁନ୍ଦର ଦିଶୁଛି ନା ? ଭଲ ପାଇବାକୁ ମନ ହେଉନାହିଁ ତ ?

 

ହେଉଛି, ତୋତେ ଆଲିଙ୍ଗନ କରିବାକୁ ବି ମନ କହୁଛି ।

ହସିହସିକା ହେମାଙ୍ଗିନୀ କ୍ଷଣପ୍ରଭାର ଦେହକୁ ଦୁଇହାତରେ ଗୁଡ଼ାଇ ଧରିଲା ।

 

କ୍ଷଣପ୍ରଭା ପଲଙ୍କ ଉପରେ ଟିକିଏ ଘୁଞ୍ଚି ଆସି ମୁହଁ ଶୁଖାଇ କହିଲା, ସେତିକି ସୁଆଗ ଥାଉ ହେମ, ଏ ଦେହଟାକୁ ଯିଏ ଏମିତି ଗୁଡ଼ାଇ ଧରେ ତାକୁ କେତେ ତଣ୍ଡ ଦେବାକୁ ପଡ଼େ ତୁ ତ ଜାଣିଥିବୁ ?

 

କ୍ଷଣପ୍ରଭାକୁ ବାହୁବନ୍ଧନରୁ ମୁକ୍ତକରି ହେମାଙ୍ଗିନୀ କହିଲା, ପଢ଼ିଛି ପତ୍ରପତ୍ରିକାରେ ।

ବିଶ୍ୱାସ କରିଛୁ ତ ?

ଅବିଶ୍ୱାସ କରିନାହିଁ ।

 

ଯିଏ ତତେ ନବରତ୍ନଖଚିତ ଅଳଙ୍କାରରେ ମଣ୍ଡିତ କରିଛନ୍ତି, ଯିଏ ତୋ କାନରେ ପ୍ରେମର ମନ୍ତ୍ର ଫୁଙ୍କନ୍ତି, ସେଇ ଅବନୀବାବୁ, ତୋ ସ୍ୱାମୀଙ୍କୁ ଥରେ ପଚାରି ବୁଝିଲେ ବିଶ୍ୱାସ କରିବୁ ।

 

ବାଧାଦେଇ ହେମାଙ୍ଗିନୀ କହିଲା, ତୁନିହ ପ୍ରଭା, ଚନ୍ଦ୍ରରେ କଳଙ୍କ ଥାଇପାରେ, କିନ୍ତୁ–

 

ଚନ୍ଦ୍ରରରେ ଯଦି କଳଙ୍କ ରହେ, ସମସ୍ତଙ୍କଠାରେ କଳଙ୍କ ରହେ । ସ୍ୱାମୀର ନିନ୍ଦା ସହି ପାରୁନୁ ? କେଉଁ ସାହସରେ ମୋ ମୁହଁକୁ ବଲବଲ କରି ଚାହିଁ ସବୁ ନିନ୍ଦା ଅପବାଦର ବୋଝ ଆଣି ମୋ ମୁଣ୍ଡରେ ଅଜାଡ଼ି ଦେଉଛୁ ? ମୁଁ କିପରି ହସି ହସି ସହୁଛି ? ଅବନୀବାବୁ ନିଷ୍କଳଙ୍କ ନୁହନ୍ତି ।

 

ହେମାଙ୍ଗିନୀ ଚମକି ଉଠିଲା । ଖଟରୁ ଓହ୍ଲାଇ ତଳେ ଠିଆ ହୋଇ କଟମଟ କରି ଚାହିଁଲା କ୍ଷଣପ୍ରଭାର ମୁହଁକୁ । ଦୃଷ୍ଟିରେ ସତେ କି ନିଆଁ ଜଳୁଛି ।

 

କ୍ଷଣପ୍ରଭା ତଳକୁ ଓହ୍ଲାଇ ହେମାଙ୍ଗିନୀର ହାତଧରି କହିଲା, ଏମିତି ହୁଏ । ରୂପର ସମ୍ଭାର ଅର୍ପଣ କଲେ ପୁରୁଷ ଜାତି ମୁଣ୍ଡ ନୁଆଁଏ । ଅବନୀବାବୁ ପୁରୁଷ । ଭୟ ନାହିଁ ହେମ, ବେଶିଦୂର ଆଗେଇ ଆସିବାକୁ ତାଙ୍କୁ ମୁଁ ପ୍ରଶ୍ରୟ ଦେଇନାହିଁ । କାହାରିକୁ ମଧ୍ୟ ପ୍ରଶ୍ରୟ ଦେଇନାହିଁ । ରୁଗ୍‍ଣ ନିଳୟ ପାଇଁ ମୋଟେ ଏକ ଏକ୍ଷ ଟଙ୍କା ମୁଁ ଚାହିଁଥିଲି । ସେ ମନା କଲେ । ତୋ ପାଖରେ ହାତ ପାତିଲି । ତୁ ବି ମନା କଲୁ । ବ୍ୟବସାୟୀ ଅବନୀବାବୁ ଟଙ୍କା ବିନିମୟରେ ମୋ ପାଖରୁ କଣ ଚାହିଁଲେ ତୁ ଅନୁମାନ କର ।

 

ହେମାଙ୍ଗିନୀର ଦୁଇ ଆଖିରେ ଲୁହ ଢଳ ଢଳ ହେଲା ।

 

କ୍ଷଣପ୍ରଭା ତାର ହାତଧରି ନିଜ ପାଖରେ ପଲଙ୍କରେ ବସାଇ କହିଲା, ଟଙ୍କା ବଦଳରେ ଦେବାକୁ ମୋର କଣ ଅଛି ହେମ, ପରଘରର ଦାସୀ ମୁଁ, ରୁଗ୍‍ଣ–ନିଳୟ ପାଇଁ ଟଙ୍କା ସଂଗ୍ରହ କରିବା ଦାୟିତ୍ୱ ନିଜ ମୁଣ୍ଡକୁ ମୁଁ ନେଇଥିଲି ।

 

ହେମାଙ୍ଗିନୀର ଆଖିରୁ ଲୁହଧାର ଗଡ଼ିଲା ।

 

କ୍ଷଣପ୍ରଭା ପଣତରେ ପୋଛି କହିଲା, ତୁ ମୋର ସାନ ଭଉଣୀଟା, ତୋର କେଉଁ କଥାରେ ମୁଁ କେବେ ଛଳ କରେ ? ଯାହା ତୁ କହୁ, ଯେତେ ଉପହାସ କରୁ, ସବୁ ମୁଁ ସହେ । ମନର କୋହ ମନରେ ମାରେ । ତୋ ସ୍ୱାମୀକୁ ତୋ ପାଖରୁ ଟାଣି ଆଣି ମୋର କରିବାର ଆଗ୍ରହ ମୋର ନ ଥିଲା କି ନାହିଁ । ଦୁନିଆଁ ତମାମ ବୁଲି ବୁଲି ହସ, ସ୍ପର୍ଶ ଆଉ ସାନ୍ନିଧ୍ୟର ବିନିମୟରେ କାକର ଗୋଟାଇ ମୋ ସଂକଳ୍ପର ଘଡ଼ା ପୂର୍ଣ୍ଣ ହେଲା ନାହିଁ । ତେଣୁ ଅବନୀବାବୁଙ୍କ ଆଡ଼କୁ ହାତ ବଢ଼ାଇବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଦୁନିଆଁ ଲୋକଙ୍କ ମଝିରେ ଘାଣ୍ଟି ହେବାକୁ ଆଉ ମନ ହେଲା ନାହିଁ । ସବୁ ବୀରତ୍ୱ ଶେଷକରି ପଛାଇ ଯିବାକୁ ପଣ କଲି । ତତେ ବି ଥରେ ଚେତାଇ ଦେବାକୁ ହେଲା ।

 

ମୋର ସର୍ବନାଶ କରି ?

 

ନାହିଁ, ତୋର ସର୍ବନାଶ କରିବାର ଇଚ୍ଛା ମାର କେବେ ହୋଇନାହିଁ । କାହିଁକି ହେବ ? ନିଜର ସୁଖ କି ଆନନ୍ଦ ପାଇଁ କାହାଠୁଁ କେବେ ଧନ ଆଣିଛି କି ? ତେବେ କାହିଁକି କାହାର ସର୍ବନାଶ ମୁଁ କରିବି ? ମୋତେ ଆଲିଙ୍ଗନ କରି ଚୁମ୍ବନ କରିବାକୁ ଅବନୀବାବୁଙ୍କ ପଚାଶ ହଜାର ଟଙ୍କା ମୂଲ୍ୟ ଦେବାକୁ ପଡ଼ିଛି । ମତେ ଶଯ୍ୟା-ସଙ୍ଗିନୀ କରି ଆହୁରି ପଚାଶ ହଜାର ଦେବାକୁ ସେ ଅନାଇ ବସିଛନ୍ତି । ସେଥିପାଇଁ ସେ ବ୍ୟାକୁଳ ।

 

ଥକ୍‌କା ହୋଇ ହେମାଙ୍ଗିନୀ ଶୁଣିଲା ।

 

କ୍ଷଣପ୍ରଭା କହିବାକୁ ଲାଗିଲା, ସ୍ତ୍ରୀଙ୍କର ବାଲ୍ୟବନ୍ଧୁ ସଙ୍ଗେ ଟିକିଏ ଥଟ୍ଟା ନକଲ କରିବାର ସୁଯୋଗ ସେ ପାଇଚନ୍ତି, ମୂଲ୍ୟ ବି ଯଥେଷ୍ଟ ଦେଇଚନ୍ତି । ଆଉ ମୋର ଧନ ଲେଡ଼ା ନାହିଁ । ଶଯ୍ୟାସଙ୍ଗିନୀ ହୋଇ ବାକି ପଚାଶ ହଜାର ଟଙ୍କା ନିର୍ବୋଧ ଅବନୀବାବୁଙ୍କ ଠାରୁ ଆଦାୟ କରିବାର ଦାୟିତ୍ୱ ଏଥର ତୋର । ହେଲା ତ ?

 

ହେମାଙ୍ଗିନୀ ଦୀର୍ଘଶ୍ୱାସ ଛାଡ଼ିଲା । ଆକୁଳ ଆଖିରେ କ୍ଷଣପ୍ରଭାକୁ ଚାହିଁ ପଚାରିଲା, ମୋ ଆଗରେ ଏ ସବୁ କହିବାର କାରଣ କଣ ?

 

ତୋ ମନରେ ଟିକିଏ ଦୁଃଖ ଦେବାକୁ, ଟିକିଏ ସାମୟିକ ଇର୍ଷା ଜନ୍ମାଇବାକୁ ସତ କଥା ତତେ କହିଲି । ପୁଣି, କ୍ଷଣପ୍ରଭାର ସ୍ୱରୂପର ଆଭାସ ତତେ ଦେବାକୁ ମଧ୍ୟ କହିଲି । ଏହାଛଡ଼ା ଅନ୍ୟ କିଛି ଉଦ୍ଦେଶ୍ୟ ମୋର ନାହିଁ ।

 

ତୋ ସ୍ୱାମୀ ଏ ସବୁ କଥା ଜାଣନ୍ତି ?

 

ତୋର ଜାଣିବାକୁ କୌତୁହଳ ହେଉଛି କି ? ମୋ କଥା ବିଶ୍ୱାସ କର, ସବୁ ସେ ଜାଣନ୍ତି-। ମୁଁ ନିଜେ ତାଙ୍କୁ କହିଛି, ଗୋଟିଗୋଟି କରି ନୁହେଁ, ସବୁ ଏକାଠି କରି । ଥରେ ନୁହେଁ, ଅନେକ ଥର ।

 

ଲଜ୍ଜା ହେଲା ନାହିଁ ?

 

କାହିଁକି ଲଜ୍ଜା ହେବ ? ସ୍ତ୍ରୀ ଅପେକ୍ଷା ଆଦର୍ଶକୁ ସେ ବଡ଼ ବୋଲି ମଣନ୍ତି । ତାଙ୍କରି ଆଦର୍ଶକୁ କାର୍ଯ୍ୟକାରୀ କରିବାକୁ ସେ ମତେ ନିଆଁ ଭିତରେ ପଶିବାକୁ ଆଦେଶ ଦେଇଥିଲେ । ସବୁ ପୁରୁଷ ନିର୍ବୋଧ ହେମ, ତୁଷାରକାନ୍ତି ଆଉ ଅବନୀବାବୁଙ୍କ ଭିତରେ କିଛି ତଫାତ୍ ନାହିଁ ।

 

ତତେ ସ୍ନେହ ଓ ଆଦର କରିବାକୁ ତୁଷାରବାବୁଙ୍କୁ ଘୃଣା ଲାଗେ ନାହିଁ ?

 

ସ୍ନେହ ଓ ଆଦର କରିବାର ଅଧିକାରରୁ ସେ ନିଜକୁ ବଞ୍ଚିତ କରିଛନ୍ତି । ପତ୍ନୀତ୍ୱର ବନ୍ଧନରୁ ମତେ ସେ ମୁକ୍ତିଦେଇ ବନ୍ଧୁର ଆସନକୁ ଠେଲି ଦେଇଛନ୍ତି । ନିନ୍ଦା ପରିବର୍ତ୍ତେ ପ୍ରଶଂସା କରି, ଘୃଣା ପରିବର୍ତ୍ତେ ବିସ୍ମୟରେ ହାତଯୋଡ଼ି ମୁଣ୍ଡରେ ଲଗାଇ ମୋତେ ସେ ବିଦାୟ ଦେଇଛନ୍ତି । ମୁଁ ମୁକ୍ତ, ମୁଁ ସ୍ୱାଧୀନ ।

 

ତେବେ ?

 

ଜାଣିବାକୁ ଚାହୁଛୁ ଏ ଘରେ ଅଛି କାହିଁକି ? ରତ୍ନଖଚିତ ଅଳଙ୍କାରରେ ମଣ୍ଡିତ ହୋଇ ମୁଁ ଥିଲି ଏ ଘରର ଦାସୀ, ଅକ୍ଷମ ନିରାଶ୍ରୟ ଆଶ୍ରିତ ତୁଷାକାନ୍ତିର ପତ୍ନୀ । ପତ୍ନୀତ୍ୱର ଦାୟିତ୍ୱରୁ ମୁକ୍ତି ଲଭି ମୁଁ ହୋଇଛି ଦୁଷ୍ମନ୍ତର ବନ୍ଧୁ, ଅତିଥି । ସେଇଥିପାଇଁ ମୋର ଏ ପରିବର୍ତ୍ତନ । ତୁଷାରକାନ୍ତି କି ଦୁଷ୍ମନ୍ତର ଆଦର୍ଶ ମୋର ଆଦର୍ଶ ନୁହେଁ ।

 

ତେବେ ଏ ଘରର ଘରଣୀ ହୋଇ ରହିଛୁ କାହିଁକି ?

ସେତିକି ବନ୍ଧନ ମୋର ଅଛି । ମୋତେ ମୁକ୍ତ କରିପାରିବୁ ?

ତୋରି ହାତରେ ତୋରି ମୁକ୍ତି ।

ବୁଝିଲି । କିନ୍ତୁ –

 

କିନ୍ତୁ ଆଉ କଣ ? ତୁଷାରବାବୁ ତତେ ମୁକ୍ତି ଦେଇଛନ୍ତି । ତୁ ସ୍ୱାଧୀନ ଦୁଷ୍ମନ୍ତ ଭାଇଙ୍କୁ ବାନ୍ଧିରଖିବାକୁ ସେ ତତେ ମୁକ୍ତି ଦେଇ ନାହାନ୍ତି ତ ?

 

ନିର୍ବୋଧ ! ନିଜ ମନର ଭୂତକୁ ଦେଖି ତୁ ଡରୁଛୁ ! ଅବନୀବାବୁଙ୍କର ଦୁର୍ବଳତା ଦୁଷ୍ମନ୍ତବାବୁଙ୍କଠାରେ ଦେଖୁଛୁ । ସ୍ନେହମୟୀ ତୁ, ସେଥିପାଇଁ ତୋର ସନ୍ଦେହ, ଡର । ଯେତେଦିନ ଯାଏ ତୁଷାରକାନ୍ତିଙ୍କର ପତ୍ନୀପଣିଆର ଗର୍ବ ମୋ ପାଖରେ ଥିଲା, ସେତେଦିନ ଯାଏ ଦୁଷ୍ମନ୍ତବାବୁଙ୍କୁ କୌଣସି କଥା ପଚାରିବାକୁ ମୋର ସାହସ ହେଉ ନ ଥିଲା । ନିଜର ଭାଇକୁ ଘରକରଣାରେ ରଖିବା ପାଇଁ ତୁ ବି କେବେ ତାଙ୍କର ଆଗକୁ ଯାଇନୁ କି ମୁହଁ ଖୋଲି କହିନୁ, ଭାଇ, ତମେ ବିବାହ କର । ତୁ ଜାଣୁ, ସେ ତୋ କଥା ଶୁଣି ହସିବେ, ଉତ୍ତର ଦେବେ ନାହିଁ । ମୋର ଆଜି ଆଉ ସଂକୋଚ ନାହିଁ ।

 

ପଚାରିବୁ ପ୍ରଭା, ଭାଇଙ୍କୁ ମଙ୍ଗାଇ ପାରିବୁ ?

ଚେଷ୍ଟା କରିବି ।

ଜବାବ ଦେଉଛୁ ?

ହଁ, କିନ୍ତୁ ଫଳାଫଳ ପାଇଁ ମୋତେ ତୁ ଦାୟୀ କରିବୁ ନାହିଁ ।

 

ଫଳାଫଳ କଣ ହେବ ? ମୁଁ ଜାଣେ, ତୋ କଥାରୁ ସେ ବାହାରି ଯିବେ ନାହିଁ । ତାଙ୍କୁ ଯଦି ମଙ୍ଗାଇ ପାରନ୍ତୁ ପ୍ରଭା, କେଡ଼େ ବଡ଼ କାମ କରିପାରନ୍ତୁ କହିଲୁ ? ସ୍ୱର୍ଗପୁରରୁ ମୋର ବାପା ବୋଉ ତୋତେ ଆଶୀର୍ବାଦ କରନ୍ତେ । ବନ୍ଧୁ ବୋଲି ମୁହଁରେ ଡାକି ଯେଉଁ ବିଶ୍ୱାସଘାତକତା ତୁ କରିଛୁ, ରାତିର ଦୁଃସ୍ୱପ୍ନ ପରି ସବୁ ମୁଁ ଭୁଲି ଯାଆନ୍ତି । ପାପର ପ୍ରାୟଶ୍ଚିତ୍ତ ତୁ କରିପାରନ୍ତୁ । ହେମାଙ୍ଗିନୀ ଆକୁଳ ଆଖିରେ ପ୍ରଭାର ମୁହଁକୁ ଚାହିଁଲା ।

 

କ୍ଷଣପ୍ରଭାର ଓଠରେ ମଳିନ ହସ । ସେ ଉତ୍ତର ଦେଲା ନାହିଁ ।

 

ବନ୍ଧୁମାନେ ବିଦାୟ ନେଇଛନ୍ତି । ଦୁଷ୍ମନ୍ତ ଏକୁଟିଆ ବସି ସଞ୍ଜବେଳର ଆଲୋଚନା କଥା ଭାବୁଛି । ‘ଭାଷାଗତ ପ୍ରଦେଶ’ ସମ୍ବନ୍ଧରେ ଅନେକ ବନ୍ଧୁ ଅନେକ କଥା କହିଲେ । ସେ ବି ତାର ମତାମତ ଜଣାଇଲା । ତୁଷାରକାନ୍ତି ତାର ସୁଚିନ୍ତିତ ପ୍ରବନ୍ଧଟି ପଢ଼ିଲା ଆଉ, କ୍ଷଣପ୍ରଭା, ଅଳ୍ପକଥାରେ ମନର ଭାବନା ବଖାଣିଲା । ସଭାପତି ନଟବରବାବୁ ତାଙ୍କର ଛୋଟ ଟିପ୍‌ପଣି ଦେଇ ବୈଠକ ଭାଙ୍ଗିଲେ । ତା ପରେ ବନ୍ଧୁମାନଙ୍କର ଚର୍ଚ୍ଚା, କ୍ଷଣପ୍ରଭାଙ୍କର ତତ୍‌ପରତା ।

 

‘ଭାଷାଗତ ପ୍ରଦେଶ’ । ସମସ୍ତଙ୍କର ଉତ୍ତେଜନା । ତାର ନିଜର ମତ, ଭାଷାଗତ ପ୍ରଦେଶ ନ ରହୁ । ପ୍ରଥମେ ଭାଷା ଓ ସଂସ୍କୃତି ଦେଖି ଯଥାସମ୍ଭବ ଭାରତବର୍ଷକୁ ବିଭିନ୍ନ ପ୍ରଦେଶରେ ବିଭକ୍ତ କରାଯାଉ । ଯେଉଁ ସୀମା ସ୍ଥିର କରାହେବ ସେ ସୀମାକୁ ଯାବତ୍‌ଚନ୍ଦ୍ରାର୍କେ କାଏମ ରଖାଯାଉ । ଅନ୍ୟପ୍ରଦେଶର ଲୋକ ଆସି ସେଇ ସୀମା ଭିତରେ ଘର କରି ରହିଲେ ରାଷ୍ଟ୍ରଭାଷା ଛଡ଼ା ତାକୁ ପ୍ରଦେଶର ଭାଷା ଶିଖିବାକୁ ହେବ । ସଂଖ୍ୟାନ୍ୟୂନ ସମସ୍ୟା ବୋଲି କୌଣସି କଥା ନ ରହୁ । ତା ହେଲେ ଯିଏ ଆସିବ କାଳକ୍ରମେ ଗୋଟିଏ ପୁରୁଷରେ ସେ ପ୍ରଦେଶର ଭାଷାକୁ ମାତୃଭାଷା କରିନେବ । ଜାତିଭେଦର ବନ୍ଧନ ଶିଥିଳ ହୋଇଛି । ଏଥର ଆଉ ଜାତିଭେଦ ରହିବ ନାହିଁ, ରହିବା ବି ଉଚିତ ନୁହେଁ । ଯେଉଁ ପ୍ରଦେଶରେ ଯେ ରହିବ ସେ ସେଇଠି ତାର ନୂଆ ସମ୍ବନ୍ଧ ପାତିବ । ଏହି ଉପାୟରେ ସାରା ଭାରତ ହୋଇପାରିବ ଗୋଟିଏ ଜାତି । ଭାଷାଗତ ପ୍ରଦେଶଗୁଡ଼ିକ ସାରା ଭାରତର ଐକ୍ୟ ସାଧନ କରିବ । ବୃଥା କନ୍ଦଳର ସ୍ଥାନ ରହିବ ନାହିଁ ।

 

ତୁଷାରକାନ୍ତି ଏଥିରେ ଏକମତ ନୁହେଁ । ତାର ଧାରଣା, ସଂସ୍କୃତ ଶବ୍ଦଟାର ପ୍ରୟୋଗ ଭୁଲ । ସାରା ଭାରତରେ ଗୋଟିଏ ମାତ୍ର ସଂସ୍କୃତ । ଦୂରତ୍ୱ ବା ଭାଷା ଭେଦରେ ଚାଲିଚଳନ ଓ ପ୍ରଥାରେ ଯେଉଁ ସାମାନ୍ୟ ପ୍ରଭେଦ ଦେଖାଯାଏ, ସେତକ ସହଜରେ ବାଦ ଦିଆଯାଇପାରେ । କେବଳ ଭାଷାକୁ ଭିତ୍ତିକରି ପ୍ରଦେଶ ଗଠନ କଲେ ହିଁ ଯଥେଷ୍ଟ । ଅବଶ୍ୟ ଏପରି କଲେ ଉତ୍କଳ ପ୍ରଦେଶ ମେଦିନାପୁର ହରାଇପାରେ କିନ୍ତୁ ରାଷ୍ଟ୍ର ତ ଚାହେଁ ସଭିଙ୍କ ଉନ୍ନତି ଓ ସୁଖ । ମେଦିନାପୁରର ବଙ୍ଗଳାକୁହା ଲୋକେ, ଯେଉଁମାନେ ଦିନେ ଓଡ଼ିଆ ଥିଲେ, ଆଜି ବଙ୍ଗାଳୀ ହୋଇଛନ୍ତି, ସେମାନେ ଯଦି ନିଜେ ଅସୁବିଧା ଭୋଗୁ ନାହାନ୍ତି, ଉତ୍କଳ ପ୍ରଦେଶରେ ମିଶିବାକୁ କାହିଁକି ସେମାନେ ବ୍ୟାକୁଳ ହେବେ ? ଉତ୍କଳ ପ୍ରଦେଶର ମୁଣ୍ଡ ବା କାହିଁକି ବଥାଇବ ସେମାନଙ୍କ ଲାଗି ? ଏହି ନୀତିରେ ସବୁ ପ୍ରଦେଶ କଥା ଭାବିବାକୁ ହେବ । ବର୍ତ୍ତମାନର ପ୍ରଦେଶ ବିଭାଗ ଦେଖିଲେ ହସ ମାଡ଼େ । ଗୋଟିଏ ପ୍ରଦେଶ ଭିତରକୁ ଆଉ ଗୋଟିଏ ପ୍ରଦେଶର ହାତ, ଗୋଡ଼, ମୁଣ୍ଡ ପଶି ଆସିଛି । ଭାରତ ପରା ଗୋଟାଏ ରାଷ୍ଟ୍ର, ତେବେ ଏପରି ହାସ୍ୟାସ୍ପଦ ସୀମା କାହିଁକି ? ପ୍ରାକୃତିକ ସୀମାଦ୍ୱାରା ପ୍ରଦେଶ ବିଭକ୍ତ କରାଯାଉ । ଯଦି ଗୋଟିଏ ଭାଷୀ ଅଞ୍ଚଳରୁ ଟିକିଏ ଆଉ ଗୋଟିଏ ପ୍ରଦେଶରେ ସାମିଲ ହେଲା, ସେ ଅଞ୍ଚଳର ଲୋକେ ଧୀରେ ଧୀରେ ପ୍ରଦେଶର ଭାଷାକୁ ନିଜର ମାତୃଭାଷା କରନ୍ତୁ । ଏତକ ହେବାଯାଏ ପ୍ରଦେଶର ସରକାର ପ୍ରଦେଶର ସ୍ୱାର୍ଥ ପାଇଁ ଅଳ୍ପଭାଷୀ ଲୋକଙ୍କର ଶିକ୍ଷାର ବନ୍ଦୋବସ୍ତ କରୁ ।

 

ଗୋପାଳଙ୍କର ମତ ଭିନ୍ନ । ସେ ଚାହାନ୍ତି, ରାଷ୍ଟ୍ରକୁ ତିରିଶି କି ଚାଳିଶି ଭାଗରେ ସମାନ କରି ବାଣ୍ଟିଦିଅ । ଏକାଥରେ ସିଧାସଳଖ ଗାର, ଅବଶ୍ୟ ଯେଉଁଠି ନଦୀ କି ବଡ଼ ପାହାଡ଼ ହାବୁଡ଼ିବ, ସେଇଠି ଯେତେଦୂର ସମ୍ଭବ ପ୍ରାକୃତିକ ରେଖା ଅନୁସରଣ କରାଯାଉ । ପ୍ରାଦେଶିକ ଭାଷାବୋଲି ଗୋଟାଏ କିଛି ନ ରହୁ । ଆରମ୍ଭରୁ ରାଷ୍ଟ୍ରଭାଷା ଶିକ୍ଷା ଦିଆଯାଉ । ପ୍ରାଦେଶିକ ଅତୀତ ସାହିତ୍ୟ ରାଷ୍ଟ୍ରଭାଷାରେ ଅନୁବାଦ କରାହେଉ । ଯେଉଁ ପ୍ରଦେଶରେ ଯେତେ ଲୋକ ରହିଲେ କ୍ଷତି ନାହିଁ । ନିଜ ମନକୁ ଲୋକସଂଖ୍ୟା ସମାନ ହେବ ।

 

ଅବନୀବାବୁଙ୍କ ଧାରଣା–ଭାରତ ଯେତେବଳେ ଗୋଟିଏ ରାଷ୍ଟ୍ର ହେଲା ସବୁ ପ୍ରଦେଶର ଲୋକେ ଅବସ୍ଥା ସୁଧାରିବାର ସମାନ ସୁଯୋଗ ପାଆନ୍ତୁ । ଗୋଟିଏ ପ୍ରଦେଶର ଆୟ ଅନ୍ୟ ପ୍ରଦେଶ ଅପେକ୍ଷା ପ୍ରତିଜଣ ହାରରେ ବେଶି କମ୍ ହେବା ମୋଟେ ଉଚିତ ନୁହେଁ । ତେଣୁ ଅର୍ଥନୈତିକ ଭିତ୍ତିରେ ପ୍ରଦେଶଗୁଡ଼ିକୁ ଏପରି ଭାବରେ ବିଭକ୍ତ କରାଯାଉ ଯେପରି କି ପ୍ରଦେଶର ଆସେଟ୍‌ର ମୂଲ୍ୟ ଓ ପ୍ରାଦେଶିକ ସରକାରଙ୍କ ଆୟ ଲୋକପିଛା ଯଥାସମ୍ଭବ ସମାନ ପଡ଼ିବ । ଟିକିଏ କଷ୍ଟ ହେଲେ ବି ଏପରି ବିଭାଗ ଅସମ୍ଭବ ନୁହେଁ । ହୁଏତ ଗୋଟିଏ ପ୍ରଦେଶରେ ଏକାଧିକ ଭାଷା ରହିବ । ରାଷ୍ଟ୍ରଭାଷା ଯଦି ମୂଳରୁ ସବୁ କ୍ଷେତ୍ରରେ ବାଧ୍ୟତାମୂଳକ କରାଯାଏ, ସାମାନ୍ୟ କେତୋଟି ବର୍ଷରେ ଭାଷା ନେଇ କୌଣସି ଅସୁବିଧା ରହିବ ନାହିଁ । ଅନ୍ୟାନ୍ୟ ଭାଷାର ଉନ୍ନତି ସେହି ସେହି ଭାଷା କହୁଥିବା ଲୋକଙ୍କର ମାରଫତରେ ଛାଡ଼ି ଦିଆଯାଉ । ରାଷ୍ଟ୍ର ବା ପ୍ରଦେଶ ସେଥିରେ ହସ୍ତକ୍ଷେପ କରିବ ନାହିଁ ।

 

କ୍ଷଣପ୍ରଭାର ମତ–ଏତେ କନ୍ଦଳରୁ ମିଳିବ କଣ ? ଯେଉଁମାନେ ଭାଷାଗତ ପ୍ରଦେଶର ପୃଷ୍ଠପୋଷକ ଓ ସେହି ଉଦ୍ଦେଶ୍ୟରେ ଅନ୍ୟ ପ୍ରଦେଶରୁ ଖଣ୍ଡେ କାଟି ନିଜ ପ୍ରଦେଶରେ ସାମିଲ କରି ପ୍ରଦେଶର କଳେବର ଓ ଲୋକସଂଖ୍ୟା ବଢ଼ାଇବାକୁ ଉଦ୍‌ବିଗ୍ନ, ସେମାନଙ୍କର ମନରେ ସନ୍ଦେହ ଭରି ରହିଛି । ସେମାନେ କଣ ଭାବୁଛନ୍ତି, ଭାରତ ରାଷ୍ଟ୍ର ଗୋଟିଏ ହୋଇ ନ ରହି ଭବିଷ୍ୟତରେ ପୁଣି ଅତୀତ ପରି ଭାଙ୍ଗି ଖଣ୍ଡ ଖଣ୍ଡ ହେବ ? ଏପରି ଧାରଣା ଯଦି ମନ ଭିତରେ ନ ଥାନ୍ତା ସମଗ୍ର ରାଷ୍ଟ୍ରକୁ ନିଜର ବୋଲି ନ ଭାବି ପ୍ରଦେଶଟିକୁ ନିଜର ଭାବି ଅନିଶ୍ଚିତ ଆଶଙ୍କାରେ ତାର କାୟା ବଢ଼ାଇବାକୁ ଏତେ ବ୍ୟାକୁଳ ହୁଅନ୍ତେ ନାହିଁ । ସବୁ ପ୍ରଦେଶକୁ ଭାଙ୍ଗି ଦେବା ଭଲ । ଭାରତକୁ ମୋଟେ ଚାରିପାଞ୍ଚଟି ବିଭାଗରେ ବାଣ୍ଟି ସବୁ ବିଭାଗକୁ ସିଧାସଳଖ କେନ୍ଦ୍ର ଅଧୀନରେ ରହିବା ଉଚିତ । ରାଷ୍ଟ୍ରଭାଷା ଛଡ଼ା ଶିକ୍ଷା ବା ସରକାରୀ ଶାସନ ପାଇଁ ଅନ୍ୟ କୌଣସି ଭାଷାକୁ ସ୍ୱୀକାର କରା ନ ଯାଉ । ଅନ୍ୟାନ୍ୟ ଭାଷାର ଉନ୍ନତି ସେଇ ଭାଷୀ ଲୋକଙ୍କର ଉଦ୍ୟମ ଉପରେ ଛାଡ଼ି ଦିଆଯାଉ ।

 

କାହାର ମତ ଠିକ୍ ବା କାହାର ମତ ଭୁଲ ଏହା ସ୍ଥିର କରିବା ସହଜ ନୁହେଁ । ସବୁ ମତର ଭଲମନ୍ଦ ଦୁଇପାଖ ଅଛି । ଟାଣ ହାତରେ ଯାହା କରିଯିବ ତାହାହିଁ ହେବ । ତର୍କରେ ସମାଧାନ ସମ୍ଭବ ନୁହେଁ ।

 

ଦୁଷ୍ମନ୍ତ କେବଳ ଭାବିବାକୁ ଲାଗିଲା । ସତେ କି ଏ ସବୁ ବିଷୟରେ ଦାୟିତ୍ୱ ତାରି ମୁଣ୍ଡରେ ନଦାହୋଇଛି । ସମାଧାନ କରିବାକୁ ହିଁ ହେବ । ଆଜି କିପରି ତାର ମନ ଚଞ୍ଚଳ ହୋଇ ଉଠିଛି । ରାତି ଅଧ ହେଲାଣି, ତଥାପି ଆଖିକୁ ନିଦ ନାହିଁ । ବିଜୁଳି ଆଲୁଅ ବିରକ୍ତ ଲାଗୁଛି । ପଙ୍ଖାର ଧୀର ପବନ ଦେହକୁ ଶୀତଳ ଲାଗୁଛି । କେତେ ବନ୍ଧୁ ଆସିଥିଲେ । ଦୁଇଦିନ ଫୁର୍ତ୍ତିରେ ସମୟ କଟିଲା । ସମସ୍ତେ ଆଜି ବିଦାୟ ନେଇଗଲେ । ସେ ଆଜି ଏକୁଟିଆ ।

 

ରାଷ୍ଟ୍ରର ପ୍ରଦେଶ ବିଭାଗ ପ୍ରଶ୍ନ ନେଇ କାହିଁକି ସେ ବ୍ୟସ୍ତ ହେବ ? କିଏ ତାର ମତାମତ ଚାହୁଁଛି ? ତାର ମତାମତର କି ମୂଲ୍ୟ ଅଛି ? ଯେଉଁମାନଙ୍କ ମୁଣ୍ଡରେ ସେ ବୋଝ ଳଦା ହୋଇଛି, ସେକଥା ସେମାନେ ଭାବନ୍ତୁ । ଏ ସବୁ ବିଷୟ ଭାବି ଏକୁଟିଆ ଜୀବନର ଶାନ୍ତି ଭାଙ୍ଗିବ କାହିଁକି ?

 

ଦୁଷ୍ମନ୍ତ ଟେବୁଲ ଉପରେ ପଡ଼ିଥିବା ଚିଠିଗୁଡ଼ିକ ଖଣ୍ଡି ଖଣ୍ଡି କରି ଓଲଟାଇଲା । ଦୁଇଦିନ ହେଲା ସେ ଡାକ ଦେଖି ନାହିଁ । ଆଖି ପକାଇଗଲା । କେତେ ଅଜଣା ଲୋକ ଚିଠି ଦେଇଛନ୍ତି, ନିମନ୍ତ୍ରଣ, ଅଭିନନ୍ଦନ, ଦାନ ପାଇଁ ନିବେଦନ । ସବୁ ଆଡ଼େଇ ରଖିଲା । ଦାନ କଥା କ୍ଷଣପ୍ରଭା ବୁଝିବେ । ସେଥିପାଇଁ ଯେତେ ଆବେଦନ ପତ୍ର ସବୁ ସେ ଅଲଗା ରଖିଲା ।

 

ଖଣ୍ଡିଏ ଚିଠି ସେ ଆଡ଼େଇ ଦେଇପାରିଲା ନାହିଁ । ଲଫାଫା ଉପରେ କେତେଗୁଡ଼ିଏ ମୋହର ବସିଛି । ଲଫାଫା ଭିତରୁ ବାହାରିଲା ଖଣ୍ଡେ ଚିଠି, ଅଯତ୍ନରେ ଅସୁନ୍ଦର ଅକ୍ଷରରେ ଲେଖା ହୋଇଛି ।

 

ତମର କୁବେର ସମ୍ପତ୍ତିରୁ କଣିକାଏ ଭିକ ଆମେ ଚାହୁଁନୁ ଯେ ତମର ପ୍ରଶଂସା ଗାଇବୁ । ଆମର ଧାରଣା, ତମେ ଭଣ୍ଡ । ସମସ୍ତଙ୍କ ଆଖିରେ କାନରେ ହାତ ଦେଇ ନିଜକୁ ଦେଶଭକ୍ତ, କର୍ମୀ, ଦରିଦ୍ରବନ୍ଧୁ ବୋଲି ଚିତ୍କାର କରିପାର, କିନ୍ତୁ ତମର ପ୍ରକୃତ ସ୍ୱରୂପ ଆମକୁ ଜଣା । ପାଖରେ ଧନ ଥିଲେ ସହଜରେ କିଛି କିଛି ଦାନ କରି ଦେଶଭକ୍ତ, ଦାନୀକର୍ଣ୍ଣ, କର୍ମୀ, ଦରିଦ୍ର–ବନ୍ଧୁ, ବୋଲାଇବା ସହଜ । ରାଜ ପ୍ରାସାଦରେ ଥାଇ ବିଜୁଳି ଆଲୁଅ, ବିଜୁଳି ପଙ୍ଖା ତଳେ ଲେକ୍‌ଚର ଦେଇ ବଡ଼ ବଡ଼ କଥା କହିବା ଭାରି ସୁବିଧା । ନୁହେଁ ?

 

ତମର ଗୋଡ଼ରେ କେବେ କାଦୁଅ ଲାଗିଛି ? ଦେହ କେବେ ଖରାବରଷା, ଝଡ଼ିତୋଫାନ, ଉପାସଭୋକ ସହିଛି ? ମଶାଛାରପୋକର ଉତ୍ପାତ କେବେ ସହିଛ କି ବନ୍ଧୁ ? କେବେ ତମେ କେଉଁ ଅନାଥ ରୁଗ୍‍ଣର ରୋଗଶେଯ ପାଖେ ଅନିଦ୍ରା ହୋଇ ଜଗି ବସିଛ, ଥରେ ଭାବି ଦେଖିବ କି ? ପର ପାଇଁ ଜୀବନକୁ କେବେ ବିପଦାପନ୍ନ କରିଛ ?

 

କେଉଁ ସାହସରେ ଆଜି ନିଜକୁ ଦରିଦ୍ରବନ୍ଧୁ ବୋଲି ପରିଚୟ ଦେବ ?

 

ଦୁନିଆର କେଉଁ କଣରେ ଏ ଚନ୍ଦକା ଗାଁଟି ଅଛି ଜାଣିଛ ? ଯାହାକୁ ତମର ଏଜେନ୍‌ସି ବୋଲି କହ, ସେହି ଅନ୍ଧାରି ମୁଲକର ଅଗନାଗ୍ନି ବନସ୍ତ ଭିତରେ ଏ ଗାଁ ।

 

ଏଠି ଦିଗୋଡ଼ିଆ ପଶୁଙ୍କର ଘର, ଯାହାଙ୍କୁ ତମେ ଆଦିବାସୀ ବୋଲି ବାଛନ୍ଦ କରି ରଖିଛ । ସେମାନେ କହି ଜାଣନ୍ତି ନାହିଁ, ଖାଇ ଜାଣନ୍ତି ନାହିଁ, ପିନ୍ଧି ଜାଣନ୍ତି ନାହିଁ । ବାଘ, ଭାଲୁ, ସାପ, ମେଲେରିଆ, ଇୟସ୍, କଳାଜର ସେମାନଙ୍କର ଚିରଶତ୍ରୁ । ଏମାନଙ୍କୁ ଥରେ ତୁମେ ଦେଖିଯାଅ । ଦେଶ ଭକ୍ତର ମୁଖାଟା ଆପେ ଆପେ ମୁହଁରୁ ଖସି ପଡ଼ିବ । ଏହି ଦିଗୋଡ଼ିଆ ପଶୁଗୁଡ଼ିଙ୍କୁ ମଣିଷ କରିବାକୁ ମନ ହେଉନାହିଁ ? ସେମାନଙ୍କ ତୁଣ୍ଡରେ ଭାଷା, ପେଟକୁ ଦାନା, ଦେହକୁ କନା ଦେବାକୁ ତମର ବାଞ୍ଛା ହେଉ ନାହିଁ ?

 

ଧନ ଲୋଡ଼ା ନାହିଁ । ତମେ ନିଜେ ଆସ । ସେମାନଙ୍କ ସାଥିରେ ରହି, ସଙ୍ଗରେ ମିଶି, ସେମାନଙ୍କୁ ମଣିଷ କର । ତେବେ ଯାଇଁ ତମେ ପ୍ରକୃତ ସେବକ ହେବ । ଦେଶ-କର୍ମୀ ବୋଲାଇବ-। ନିଜର ବିବେକ ପାଖରେ ନିଜେ ଲଜ୍ଜିତ ହେବ ନାହିଁ । ଆସିବ କି, ଆସି ପାରିବ ? ତମୁକୁ ସମସ୍ତେ ଆମ ଚାହିଁ ରହିଛୁ । ତମେ ଆମକୁ ନିଜର କରି ପାରିବ । ତମୁକୁ ନିଜର କରିବାର ସୁଯୋଗ ଦେବ ଆମୁକୁ ?

 

ସଗର ଭତରା ଚିଠି ଲେଖିଛନ୍ତି । ସେ ଜଣେ ଆଦିବାସୀ ସେବକ, ପଟାଙ୍ଗି ପୋଷ୍ଟ ଅଫିସର ଛାପା ମାରିଛି ।

 

ବିଚିତ୍ର ଏ ଚିଠି କିନ୍ତୁ, ମିଛ ନୁହେଁ । ଆଇନ୍ ବ୍ୟବସାୟ ଛାଡ଼ିଲା ଦିନୁ ସମୟ ତାର କିପରି କଟିଛି ? ବାପର ଧନରେ ସେ ଯାହା କରିବାକୁ ଚେଷ୍ଟା କରିଛି କାହାର ଉଦ୍ୟମରେ ସେ ସବୁ ହୋଇଛି ? ତୁଷାରକାନ୍ତି ଓ କ୍ଷଣପ୍ରଭା ! ଧନଛଡ଼ା ସେମାନଙ୍କୁ ସେ ଆଉ କୌଣସି ସାହାଯ୍ୟ ଦେଇ ନାହିଁ । ଲେକ୍‌ଚର,–ଶାଗ ସିଝେ ନାହିଁ । କେଉଁ ସାହସରେ ନିଜକୁ ସେ ଦେଶକର୍ମୀ ବୋଲି କହିବ, ସେବକ ବୋଲି ପରିଚୟ ଦେବ ? ଦେଶପାଇଁ, ଦଶପାଇଁ ଗୋଡ଼ରେ କେବେ କାଦୁଅ ଲାଗିନାହିଁ । ଦେହ କେବେ ଖରାବରଷା, ଝଡ଼ତୋଫାନ, ଉପାସଭୋକ ସହି ନାହିଁ ।

 

ସେ ତେବେ କଣ ?

 

ବଡ଼ କୋଠାରେ ବନ୍ଦୀ ସଭ୍ୟ ମଣିଷ, ଜାଲ୍‍ ମଣିଷ ! ଦୁନିଆର ସ୍ୱରୂପ ସେ ଦେଖିଲା ନାହିଁ । ନିଜ ପାଇଁ, ପର ପାଇଁ ସେ ଅବସ୍ଥା ସଙ୍ଗେ ଲଢ଼ିଲା ନାହିଁ । ପୂର୍ବପୁରୁଷର ସଂଚିତ ଧନରତ୍ନ, ଜମିଜମିଦାରୀ ଉପରେ ବସି ସେ କେବଳ ବଡ଼ ବଡ଼ କଥାର ସ୍ୱପ୍ନ ଦେଖିଛି । ପ୍ରକୃତ ଦେଶ-କର୍ମୀ ଯିଏ ତାଆରି ହାତକୁ ସଂଚିତ ଧନରୁ କାଣିଚାଏ ବଢ଼ାଇ ଦେଶରେ ନାମ କରିଛି, ଫମ୍ପା ନାମ । ତୁଷାରକାନ୍ତିର ଅକ୍ଷମ ନିବାସ, ନଟବରଙ୍କର ସାର୍ବଜନୀନ ବିଦ୍ୟାଳୟ, କ୍ଷଣପ୍ରଭାଙ୍କର ରୁଗ୍‍ଣ–ନିଳୟ, ପାର୍ବତୀଙ୍କର ଶିଶୁସଦନ, ଚନ୍ଦ୍ରକଳାଙ୍କର ନାରୀ-ସେବା ସଦନ, ହରିହରଙ୍କର ଦେଶମିଶ୍ରଣ-ସଂଘ, ବାଳକୃଷ୍ଣଙ୍କର ସାହିତ୍ୟ-ସମାଜ, ଅରୁଣର ବନ୍ୟା-ସାହାଯ୍ୟ-କମିଟି, ସମସ୍ତେ କର୍ମୀ, ସମସ୍ତେ ସେବକ । ଆଉ ସେ, ଭାଷାଗତ ପ୍ରଦେଶ ବିରୁଦ୍ଧରେ ଯେ ମତ ପୋଷଣ କରିଛି, ସେ ?

 

ବଡ଼ କୋଠାରେ ବନ୍ଦୀ ସଭ୍ୟ ମଣିଷ !

କିଏ ତାକୁ ବନ୍ଦୀ କରିଛି, ଅକ୍ଷମ କରିଛି, ପଙ୍ଗୁ କରିଛି ?

 

ଅନ୍ଧାରୀ ମନର କେଉଁ ଗୋପନ କନ୍ଦରାରେ କେତେ ଭଙ୍ଗୀରେ ନାଟ କରୁଛି, ଗୋଟିଏ ଷୋଡ଼ଶୀ ରୂପସୀ ନାରୀ । ପାଖକୁ ଆସୁଛି ମନକୁ ମନ, ହାତ ବଢ଼େଇଲେ ଦୂରେଇ ଯାଉଛି, ଦୂରେଇ ଯାଉଛି–ସମୁଦ୍ରର ଲହଡ଼ି ପରି । କିଏ ସେହି ମାୟାବିନୀ ?

 

କ୍ଷଣପ୍ରଭା !

 

ଭାବିବାକୁ ଲାଜ ମାଡ଼େ । ମନ ଚମକି ଉଠେ । ଗୋଟାଏ ମନ ଭିତରେ ଆଉ ଗୋଟାଏ ଦୁର୍ବଳ ମନ ଚୋରପରି ଛପି ଛପି ବୁଲେ । ମନ ପାଖରେ ମନହୁଏ ଭଲେଇ, ଜବାବ ଦିଏ, –ସେ ତ ଅନେକ ଦିନ ତଳର ଘଟଣା । ସେତେବେଳେ ଆଦ୍ୟ ଯୌବନର କାମନା ଜଳୁଥିଲା-। ମନରେ କ୍ଷଣପ୍ରଭାର ଧାରଣା ମୂର୍ତ୍ତିମତୀ ହୋଇଥିଲା । କ୍ଷଣପ୍ରଭା ଦୁଷ୍ମନ୍ତକୁ ବିବାହ କଲାନାହିଁ, ତୁଷାରକାନ୍ତିକୁ ବିବାହ କଲା ।

 

ଲୋକେ ଭୁଲ ବୁଝିଲେ । ଦୁଷ୍ମନ୍ତ ବିବାହ କଲା ନାହିଁ ଭିନ୍ନ କାରଣରୁ, କ୍ଷଣପ୍ରଭା ପାଇଁ ନୁହେଁ, ହତାଶପ୍ରେମିକ ହେଲା ବୋଲି ନୁହେଁ । ସେ ଏଡ଼େ ଦୁର୍ବଳ ନୁହେଁ । ଗୋଟାଏ ରଙ୍ଗୀନ୍ ଧାରଣାକୁ ସେ ଚିରଦିନ ଲାଗି ବିଦାୟ ଦେଲା । ଦୁର୍ବଳତା ନୁହେଁ, ଦୃଢ଼ତା । ସାମାନ୍ୟ ନାରୀର ପ୍ରେମ ଅପେକ୍ଷା ଦେଶ-ପ୍ରେମକୁ ମନରେ ଉଚ୍ଚ ଆସନ ଦେଲା । ଦେଶ ଓ ଦଶର ସେବା ପାଇଁ ଜୀବନ ପଣକଲା, କ୍ଷଣପ୍ରଭା ପାଇଁ ନୁହଁ ।

 

କ୍ଷଣପ୍ରଭା ପାଇଁ ସେ କେବେ ବ୍ୟାକୁଳ ହୋଇନାହିଁ । ପ୍ରିୟବନ୍ଧୁ ତୁଷାରକାନ୍ତିର ଦୁଃଖରେ ସେ ବ୍ୟଥିତ ହୋଇଥିଲା । ବନ୍ଧୁକୁ ଘରେ ରଖିଲା, ନିରାଶ୍ରୟଙ୍କ ପାଇଁ ଅଧେ ସମ୍ପତ୍ତି ଟେକିଦେଲା ବନ୍ଧୁର ହାତରେ ।

 

ବନ୍ଧୁ–ପତ୍ନୀ କ୍ଷଣପ୍ରଭାକୁ ସେ ସମ୍ମାନ ଦେଖାଇଛି । ତାକୁ ମଧ୍ୟ ବନ୍ଧୁରୂପେ ଗ୍ରହଣ କରିଛି-। ଦୁର୍ବଳତାକୁ ମନରେ କେବେ ସ୍ଥାନ ଦେଇ ନାହିଁ । ନିଜ ଉପରେ ଓ ଭଗବାନଙ୍କ ଉପରେ ତାର ବିଶ୍ୱାସ ଅଛି ।

 

ଲୋକେ ଭୁଲ ବୁଝିଲେ । ପବିତ୍ର ସମ୍ପର୍କରେ ଅନୁମାନ କଲେ ନିଜ ମନର ଆବିଳତା । ପତ୍ରପତ୍ରିକାରେ ବାହାରିଲା ଅଭଦ୍ର କୁତ୍ସିତ ସମାଲୋଚନା । ସବୁ ସେ ସାଇତି ରଖିଛି । ସମାଲୋଚନା, ବ୍ୟଙ୍ଗଚିତ୍ର । ବେଳେ ବେଳେ ଖୋଲେ, ଦେଖେ, ପଢ଼େ । ଲୋକଙ୍କର କୁତ୍ସିତ ରୁଚିର ପରିଚୟ ପାଏ । ରାଗେ । ଘୃଣାରେ ନାକ ଟେକେ । ତୁଣ୍ଡ କହେ,–ଛି, ଛି କିନ୍ତୁ ଗୋଟାଏ ମନ ଆଉ ଗୋଟାଏ ମନ ପାଖରେ କେଜାଣି କାହିଁକି ଦୋଷୀ ପରି ହୁଏ, ଛପି ଛପି ଭ୍ରମେ ।

 

କ୍ଷଣପ୍ରଭା ସବୁ ସର୍ବସାଧାରଣ କାର୍ଯ୍ୟରୁ ଅବ୍ୟାହତ ନେଇଛି । ଆଉ ପଦାକୁ ବାହାରୁ ନାହିଁ । ସେ ଆଜି ତପସ୍ୱିନୀ ବେଶରେ ଆତଯାତ ହେଉଛି କାହିଁକି ? ପଚାରିବା ଦରକାର ନାହିଁ । ଯାହାର ଯାହା ରୁଚି । କାହା ରୁଚିରେ କିଏ ବାଧା ଦେବ ? ଅନ୍ଧ ବନ୍ଧୁର ପତ୍ନୀକୁ କିଛି ପଚାରିବାର ଅଧିକାର ତାର ନାହିଁ ।

 

ତପସ୍ୱିନୀ ବେଶରେ କ୍ଷଣପ୍ରଭା ସୁନ୍ଦର ଦିଶେ । ଦୁଷ୍ମନ୍ତର ଦୁର୍ବଳ ଥର ଥର ଭାବନା ଟଳମଳ ହୋଇ ଯାଏଁ ଅତୀତକୁ । କ୍ଷଣପ୍ରଭା ଦିଶେ ଅବିକଳ ସେଇ ମୂର୍ତ୍ତିପରି, ଯାହାକୁ ନିଜର କରିବାକୁ ଅତୀତର ମନ ଝୁରି ହୋଇଥିଲା । କିନ୍ତୁ ଅତୀତ ଅତୀତର ସ୍ୱମାଧି ଉପରେ ବନ୍ଧୁ-ପତ୍ନୀ, ବନ୍ଧୁ କ୍ଷଣପ୍ରଭା, ସମ୍ମାନ ଓ ବିସ୍ମୟର ଉପାଦାନରେ ନୂଆହୋଇ ଗଢ଼ାହୋଇ ଠିଆ ହୋଇଛି ।

 

ପୂର୍ବପୁରୁଷରୁ ସଂଚିତ ଅବଶିଷ୍ଟ ଚଳନ୍ତି ସବୁ ସମ୍ପତ୍ତି ସେ ତୁଷାରକାନ୍ତି ନାମରେ ଉଇଲ୍ କରି ଦେଇଛି, ସମସ୍ତଙ୍କ ଅଜ୍ଞାତରେ ।

 

ଲୋକେ ଭୁଲ୍ ବୁଝିବେ । କ୍ଷତି କଣ ? ଆଉ ଗୋଟିଏ ଦିଓଟି ବ୍ୟଙ୍ଗଚିତ୍ର, ସମାଲୋଚନା, ପତପତ୍ରିକାରେ ବାହାରିବ । ଅଧିକ କୁତ୍ସିତ, ଅଧିକ ଅଶୀଳ । ଲୋକେ ପଢ଼ିବେ, ଦେଖିବେ, ହସିବେ, ଆମୋଦିତ ହେବେ ।

 

ଡ୍ରୟାର ଟାଣି ତା ଭିତରୁ ଗୋଛାଏ କାଗଜ ଘୋସାରି ଆଣି ଟେବୁଲ ଉପରେ ପକାଇଲା । କାଗଜ ଓଲଟାଇ ଦେଖିଲା । ପଢ଼ିଲା, ଭାବିଲା, ଲୋକଙ୍କର କୁତ୍ସିତ ଧାରଣା ଅପବିତ୍ର ଚିନ୍ତାର ପ୍ରତିମୂର୍ତ୍ତି । କିଏ ପଚାରେ ? ଆହୁରି ଗୋଟାଏ ଦୁଇଟା ଏମିତି ବାହାରିବ, କିନ୍ତୁ ଦୁଷ୍ମନ୍ତ ନ ଥିବ ସେ ସବୁ ଦେଖିବାକୁ, ଜାଣିବାକୁ । ସେ ଚାଲିଯାଇଥିବ ଦୂରକୁ, ବହୁତ ଦୂରକୁ । ନିଜେ ନିଃସ୍ୱ ଓ ସଖାସୋଦରହୀନ ନ ହେଲେ ପ୍ରକୃତ ସେବକ ହୋଇ ପାରିବ ନାହିଁ । ସବୁ ଅନୁଷ୍ଠାନର ଦାୟିତ୍ୱ ତୁଷାରକାନ୍ତି ଓ କ୍ଷଣପ୍ରଭାଙ୍କ ହାତରେ ଥୋଇଦେଇ ସେ ଚାଲିଯିବ । କେହି ଜାଣିବେ ନାହିଁ ।

 

କେବେ ? କେଉଁଠିକି ? ଭାବି ସ୍ଥିର କରିବ ।

 

ଭାବି ସ୍ଥିର କରିପାରିଲା ନାହିଁ ପରିସ୍ଥିତିର ବେଷ୍ଟନୀ ଭିତରୁ ଗୋଡ଼ କାଢ଼ି ପଦାକୁ ଗଲେ, ବନ୍ଧନ ଛିଣ୍ଡିଲେ ଦୁନିଆର ଚାରିଆଡ଼େ ବାଟ ଦିଶିବ । ମନ ଯୁଆଡ଼କୁ ଇଙ୍ଗିତ ଦେବ ସେ ସେଇଆଡ଼େ ଯିବ । ସେ ମୁକ୍ତ ହୋଇଛି, ସ୍ୱାଧୀନ ହୋଇଛି । ଯାହାଙ୍କ ପାଇଁ ତାର ଚିନ୍ତା, ସେ ତାକୁ ପତ୍ନୀତ୍ୱର ଦାୟିତ୍ୱରୁ ନିଷ୍କୃତ ଦେଇଛନ୍ତି ପରର ବୋଝ ମୁଣ୍ଡରେ ବୋହି ମୁହୂର୍ତ୍ତେ ଏ ଘରେ ରହିବାକୁ ତାର ଆଉ ଇଚ୍ଛା ହେଉନାହିଁ । ଯେଉଁ ଅନାଥ ଅକ୍ଷମ ରୁଗ୍‍ଣଙ୍କ ପାଇଁ ସେ ବ୍ୟଥିତ ହୋଇଥିଲା, ସେମାନଙ୍କ ମଙ୍ଗଳ ପାଇଁ ସେ ଯଥାସାଧ୍ୟ କାର୍ଯ୍ୟ କରିଛି । ସବୁ ଅପମାନ ସମାଲୋଚନା ପାଟି ବୁଜି ମୁଣ୍ଡ ନୁଆଇଁ ସହିଛି । ସେମାନଙ୍କ ଖବର ବୁଝିବାକୁ ଅନେକ ଲୋକ ଆଗେଇ ଆସିବେ ।

 

ଅଶିଣ ଆକାଶରୁ ଝରି ପଡ଼ୁଛି ଶୀତଳ ଜୋଛନା । ବାଙ୍କୁଲି ଜହ୍ନ ପଶ୍ଚିମ ଆକାଶର କେତେ ତଳକୁ ଓହ୍ଲାଇ ଗଲେଣି । ଦେହ ଶୀତେଇ ଉଠୁଛି । ସବୁ ଶୂନ୍‌ଶାନ୍, କାହାରି ସ୍ୱରଶବ୍ଦ ନାହିଁ-। ଛାତି ଉପରେ ଏକାକୀ ଠିଆହୋଇ କ୍ଷଣପ୍ରଭା କେବଳ ଭାବୁଛି–ଆଜି ହୁଏତ ଏଇ ଅଟ୍ଟାଳିକାରେ ତାର ଶେଷରାତ୍ରି । ଭଲ ମନ୍ଦରେ, ସୁଖଦୁଃଖରେ କେତେ ଅଶିଣ ସେ ଏଇଠି କଟାଇଛି । ଶାଶୁ ଓ ମାଆଠୁ ବଳି ସ୍ନେହମୟୀ ସୁକାନ୍ତି ଦେବୀଙ୍କୁ ଏଇଠି ସେ ବିଦାୟ ଦେଇଛି । ଦୁଇଟି ନିର୍ମଳ ଆତ୍ମା ।

 

ଆକାଶକୁ ଚାହିଁଲା । ଅଗଣନ ନିଷ୍ପ୍ରଭ ତାରା । ମିଟି ମିଟି । ସେଇ ଅସୀମ ବିସ୍ତୃତିରୁ ଯେପରି ଭାସି ଆସୁଛି ନୀରବ ବାଣୀ–ଭୁଲ ବୁଝନା ମା, ଏ ଘରେ ତୁ ପର ନୋହୁ, ଏ ଘର ତୋର-। ତୋରି ହାତରେ ସବୁ ମୁଁ ଟେକିଦେଇ ଆସିଥିଲି । ସବୁରି ସାଥିରେ ବାଇଆ ଟୋକା ଦୁଷ୍ମନ୍ତର ଦାୟିତ୍ୱ । ସଂସାର ଯାହା କହୁ, ଯାହା ଭାବୁ ସେଥିରୁ ତତେ ମିଳିବ କଅଣ ? ତୁ ପବିତ୍ର, ତୁ ନିଷ୍କଳଙ୍କ । ଅମାନିଆଁ ଦୁଷ୍ମନ୍ତର ଦାୟିତ୍ୱ ତୋଓରି ଉପରେ । ସେ ତୋତେ ଭଲ ପାଏ, ଭକ୍ତି କରେ, ଭୟ କରେ । ତୁଇ ଏକା ତାର ଏଇ ଦୁନିଆର ବନ୍ଧନ । ଛାଡ଼ିଯିବାକୁ ତାକୁ– ?

 

ଛାଡ଼ିଯିବୁ ମା ତୁଷାରକାନ୍ତିକୁ ?

 

ଶାଶୁଙ୍କର ଅଶରୀରୀ ବାଣୀ ଯେପରି ଭାସି ଆସୁଛି ଅନନ୍ତ ଅନ୍ତରୀକ୍ଷରୁ ଜୋଛନା ତରଙ୍ଗରେ ‘ଛାଡ଼ିଯିବୁ’ ? ଏତ ଆଦର୍ଶ ନୁହେଁ, ହିନ୍ଦୁ ନାରୀର ଆଦର୍ଶ । ସ୍ୱାମୀ ସ୍ତ୍ରୀକୁ ଦୂରେଇ ଦେଲେ ସ୍ତ୍ରୀ କଣ ଦୂରେଇ ଯିବ ? ମୁହଁରେ କହି ମୁଣ୍ଡରେ ଯୋଡ଼ହାତ ଲଗାଇଲେ ଆତ୍ମାଠାରୁ ଆତ୍ମା ଅଲଗା ହେବ ? ସ୍ୱାମୀର ଆଦେଶ ପାଳି ସ୍ତ୍ରୀର ଆଦର୍ଶ ପାଖରୁ ଦୂରେଇ ଯାଇଥିଲୁ । ସେଥିପାଇଁ ପ୍ରାୟଶ୍ଚିତ୍ତ ଲୋଡ଼ା । ସ୍ୱାମୀର ଗୋଡ଼ ଧରି କ୍ଷମାଭିକ୍ଷା କର । କ୍ଷମା ପାଇବାକୁ ତୁ ଉପଯୁକ୍ତ । ତୁଷାର ମୋର ବାଇଆ ନୁହେଁ । ସେ ତୋତେ ପାଖକୁ ନେବ ମା, ଅଭିମାନ ଶୋଭା ପାଉନାହିଁ ।

 

ସେ କଣ ଅଭିମାନ କରି ଚାଲିଯିବାକୁ ସଙ୍କଳ୍ପ କରିଛି ?

 

ନୁହେଁ ତ, ତେବେ କାହିଁକି ? ନିଜର ବ୍ୟକ୍ତିତ୍ୱ ପାଇଁ । ଯୁଆଡ଼େ ଗଲେ, ତୁଷାରର ସେ ସ୍ତ୍ରୀ, ତୁଷାର ହିଁ ତାର ମନପ୍ରାଣ ଅଧିକାର କରି ବସିଛି । ମନରେ ତାର ଆସନ ଅକ୍ଷୁଣ୍ଣ । କିନ୍ତୁ, ତୁଷାରକାନ୍ତିର ଧାରଣାରେ କ୍ଷଣପ୍ରଭା ଅନାବଶ୍ୟକ । ଅନାବଶ୍ୟକ ପତ୍ନୀ ବନ୍ଧୁର ଆସନକୁ ଓହ୍ଲାଇଛି-। ଅଲୋଡ଼ା ପତ୍ନୀ ପାଖରେ ଥିବାଠୁ ବଳି ଦୁଃଖଯନ୍ତ୍ରଣା ଆଉ କଣ ହୋଇପାରେ ?

 

ସେଇଥିପାଇଁ ତାର ସଙ୍କଳ୍ପ ।

ଦୂରରୁ ଘଣ୍ଟାର ଶବ୍ଦ ଆସିଲା, ରାତି ଗୋଟାଏ ।

 

କ୍ଷଣପ୍ରଭା ଭାବିବାକୁ ଲାଗିଲା, ଆଉ କାହିଁକି ଡେରି ? ଏଇ, ସେ ଘରୁ ଆଲୁଅ ଦିଶୁଛି । ଦୁଷ୍ମନ୍ତ ଶୋଇ ନାହାନ୍ତି । ସେ ସବୁଦିନେ ଏମିତି ରାତି ଅଧଯାଏ ଉନ୍ମିଦ୍ର ରହନ୍ତି । କଅଣ କରୁଥାନ୍ତି ବସି ? କେବେ ସେ ଜାଣିବାକୁ ଚେଷ୍ଟା କରିନାହିଁ । ଜାଣିବାକୁ ଆଗ୍ରହ ନାହିଁ, କିନ୍ତୁ ଆଜି ସେ ଯିବ, ମନର କଥା କହିବ, ହେମାଙ୍ଗିନୀର ଅନୁରୋଧ ରକ୍ଷା କରିବ ।

 

ତାଙ୍କର ମନତଳେ ଛପିଲା ଆଗ୍ରହ ଆତ୍ମପ୍ରକାଶ କରିବ । ତାଙ୍କର ରୁଦ୍ଧ ଆବେଗର ଦ୍ୱାର ଖୋଲିବ । ସଞ୍ଜମ ହେବ ଉତ୍ସୃଙ୍ଖଳ । ହେଉ । ନ ଜାଣି ଯାହାର କାମନାକୁ ସେ ଗାଡ଼ରେ ଆଡ଼େଇଛି, ସେ ହୁଏତ ସେଇ ଛଟପଟ ଡହଳ ବିକଳ କାମନା ପାଇଁ ଭଦ୍ରତାର ବାଡ଼ ଡେଇଁ ସଞ୍ଜମର ମୁଣ୍ଡ ଦଳି ଧାଇଁ ଆସିବେ । ରୂପଲୋଭୀ କେତେ ମଣିଷ ସେପରି ଧାଇଁ ଆସିଛନ୍ତି । ଅବସ୍ଥା, ସମୟ ଓ ବୟସ ଭୁଲି ରୂପ ଯୌବନର ପ୍ରତିମାକୁ ନିଜର କରିବାକୁ କୋଳ କରିବାକୁ ବ୍ୟାକୁଳ ହୋଇଛନ୍ତି ।

 

ଦୁଷ୍ମନ୍ତ ବି ଧାଇଁ ଆସିବେ ।

 

କ୍ଷଣପ୍ରଭା ଉତ୍ତେଜିତ ହୋଇ ଉଠିଲା । ଶେଷଦେଖା, ଶେଷରାତ୍ରି ! ପଛାଇବ କାହିଁକି ? ହୁଏତ ସେ ଅନୁରୋଧ ରଖିବେ, ବିବାହ କରିବାକୁ ସମ୍ମତ ହେବେ । ଯଦି ସେ ରାଜି ହୁଅନ୍ତି, –ଓଃ କେତେ ଝିଅ, ସୁନ୍ଦରୀ ଶିକ୍ଷିତା ଏ ଦୁନିଆରେ ଅଛନ୍ତି । ନୀହାରିକା ତାଆରି ହାତ ଗଢ଼ା ଝିଅ, ତାଆରି ନଣନ୍ଦ । ଭଲ ହେବ ।

 

ଦୁଷ୍ମନ୍ତର ଘର ଆଗରେ ଠିଆ ହେଲା । କବାଟ ବନ୍ଦ ଅଛି । ଝରକାର ପାତଳା ନୀଳ ପରଦା ସେପାଖେ ଉଜ୍ଜ୍ୱଳ ବିଜୁଳି ଆଲୁଅ । ସବୁ ଦିଶୁଛି ପଦାକୁ । କବାଟରେ ହାତ ମାରିବାକୁ ହାତ ଟେକିଲା । ହାତ ଥରି ଉଠିଲା । ଓଠ ଥରି ଉଠିଲା । ଛାତି ହେଲା ଉଯନ୍ତ୍ରି । କେମିତି ସେ ଡାକିବ, କି ସାହସରେ ?

 

ରାତି ଅଧ । ବାହାରେ ଶୀତଳ ଜୋଛନା ଝରି ପଡ଼ୁଛି । ନୀରବ, ନିର୍ଜନ । ଦେହରେ ତାର ଯୌବନ ଢଳ ଢଳ । ଯେଉଁ ରୂପ ଦୁନିଆକୁ ପାଗଳ କରିଛି, ସେଇ ଜ୍ୱାଳାମୟ ରୂପ ଛଳଛଳ ତାର ଅଙ୍ଗରେ । ଛାତିର ଅଜଣା କୋଣରେ ମାତୃତ୍ୱ କାମନା ଥରହର ହୋଇ ମୁଣ୍ଡ ଟେକୁଛି । ସେ ତରୁଣୀ । ସ୍ୱାମୀ ତାକୁ ଦୂରେଇ ଦେଇଛନ୍ତି । ଆଜି ଆଉ ସେ ପତ୍ନୀ ନୁହେଁ, ବନ୍ଧୁ ।

 

ସେ ତରୁଣୀ ।

ନିର୍ଜନ ନୀରବ ନିଶୀଥ !

 

ଘର ଭିତରେ ଦୁଷ୍ମନ୍ତ । ତରୁଣ, ବଳିଷ୍ଠ, ସୁନ୍ଦର । ଆଜିଯାଏ ସେ ଅପେକ୍ଷା କରି ବସିଛନ୍ତି ।

 

କାହାର ପ୍ରତୀକ୍ଷା ତାହାର ? କାହା ପାଇଁ ଏତେ ସ୍ୱାର୍ଥତ୍ୟାଗ ? କାହା ପାଇଁ ଦୁନିଆର ଅଶ୍ଲୀଳ ଇଙ୍ଗିତ, କୁତ୍ସିତ ସମାଲୋଚନାକୁ ସେ ଉପେକ୍ଷା କରିଛନ୍ତି, ହସିହସି ବେଳ କାଟିଛନ୍ତି ଉନ୍ମିଦ୍ର ହୋଇ ?

 

କିପରି ତାଙ୍କର ସମ୍ମୁଖୀନ ହେବ ?

 

କ୍ଷଣପ୍ରଭାର ଅଙ୍ଗରେ ଛୁଟିଲା ବିଜୁଳିର ପ୍ରବାହ, ରକ୍ତରେ ନିଆଁ । ନିରୋଳା ରାତି । କେମିତି ଡାକିବ, ତୁଣ୍ଡଖୋଲି କଥା କହିବ, ଆଲିଙ୍ଗନ ବିହ୍ୱଳ ଦୁଇବାହୁର ବନ୍ଧନୀ ମଝିରୁ ମୁକ୍ତି ଲଭି ଆସିବ ?

 

ନା ପାରିବ ନାହିଁ ।

 

ଫେରି ଆସିଲା ଝରକା ପାଖକୁ । ପରଦା ସେ ପାଖେ ଦୁଷ୍ମନ୍ତ । ଚଉକିରେ ବସି ତନ୍ମୟ ହୋଇ କଣ ଦେଖୁଛନ୍ତି । ମଳିନ ମୁହଁ । ଆଖିରେ ଆଗ୍ରହ, ଓଠରେ ଛପିଲା ହସ ।

 

ଖଣ୍ଡିଏ ବହି ଟିକିଟିକି କରି ଚିରି ନଇଁପଡ଼ି ଅଳିଆ ଟୋକେଇରେ ପକାଉଛନ୍ତି । ପୁଣି ଆଉ ଖଣ୍ଡେ ବହି । ସେମିତି ମୁଗ୍‌ଧ ତନ୍ମୟ ଚାହାଁଣୀ, ସେମିତି ଛପିଲା ଆଗ୍ରହ । ଆଖିକୋଣରେ କୌତୂହଳ । ଥରିଲା ଓଠରେ, ଜାଣି ହେଉ ନାହିଁ ହସର ଉନ୍ମେଷ । ଚିରୁଛନ୍ତି, ନଇଁପଡ଼ି ତଳେ ପକାଉଛନ୍ତି ।

 

କଅଣ ? କ୍ଷଣପ୍ରଭାର ମନରେ ପ୍ରଶ୍ନ । ବିହ୍ୱଳ ଆଖି ଉତ୍ତର ଖୋଜୁଛି ।

 

ଏଇ କଅଣ ତାର ଉତ୍ତର । ପତ୍ରିକାଟି ଦୁଇ ହାତରେ ଟେକୁଛନ୍ତି ଉପରକୁ, ଧୀରେ, ଅତି ଧୀରେ । ଆଖି ହେଉଛି ଛଳ ଛଳ । ପତ୍ରିକାଟି ମୁହଁ ପାଖରେ । ଚୁମ୍ବନ, ଆଖିପତା ମୁଦି ହୋଇ ଆସୁଛି ।

 

କାନ୍ଥଘଣ୍ଟା ବାଜି ଉଠିଲା–ଟଂ ଟଂ –ରାତି ଦୁଇଟା ।

 

ଦୁଷ୍ମନ୍ତ ଚମକି ଉଠିଲା । ଆଖିଖୋଲି ଚାହିଁଲା । ପତ୍ରିକାଟି ଖସି ପଡ଼ିଲା ହାତରୁ । ମୁହଁ ହେଲା ଗମ୍ଭୀର । ଆଖିରେ କ୍ରୋଧ । ଚଉକିକୁ ସଶବ୍ଦରେ ଘୁଞ୍ଚାଇ ଟେବୁଲ ପାଖରୁ ଟିକିଏ ଦୂରେଇ ଗଲା । କ୍ଷଣକାଳ ଚାହିଁ ରହିଲା ଟେବୁଲ ଉପରକୁ କଟମଟ କରି । ତାପରେ, ଖଣ୍ଡି ଖଣ୍ଡି ନୁହେଁ, ଗୋଛା ଗୋଛା କରି ପତ୍ରିକାଗୁଡ଼ିକ ଚିରିବାକୁ ଲାଗିଲା । ଟିକି ଟିକି ବାସ୍କେଟ୍‌ରେ ପକାଇଲା । ଆହୁରି, –ଆହୁରି– ଆହୁରି –

 

କ୍ଷଣପ୍ରଭା ବୁଝିଲା ।

 

ଆଖିର ବାଦଲ ଭିତରେ ଜଳି ଉଠିଲା ବିଦ୍ୟୁତ୍ । ସବୁ ପ୍ରଶ୍ନର ଉତ୍ତର ସେ ପାଇଛି । ପତ୍ରିକାଗୁଡ଼ିକ କଣ ସେ ଦେଖିପାରିଛି ।

 

ଏଇ ଦୁଷ୍ମନ୍ତ ଭଣ୍ଡ, ପାଷାଣ୍ଡ । ଅନ୍ଧବନ୍ଧୁର ଦୁଃଖରେ ତାଙ୍କର ଆଖିରୁ କେବେ ଲୁହ ଝରି ନାହିଁ । ଅକ୍ଷମ ବନ୍ଧୁ ପାଇଁ ଛାତି ଉଦ୍‌ବେଳିତ ହୋଇନାହିଁ । ମନର କାମନା ନିରୋଳାରେ ଜଳିଛି କ୍ଷଣପ୍ରଭା ପାଇଁ ଦିକିଦିକି, ଚିରଦିନ । ଭଦ୍ରତା କି ଭୀରୁତା ତାଙ୍କ ମୁହଁରେ ଭାଷା ଦେଇ ନାହିଁ । କ୍ଷଣପ୍ରଭାର ଦୃଢ଼ତା ଦୁଷ୍ମନ୍ତକୁ ଦୂରେଇ ରଖିଛି । ଆଖିର ଦୃଷ୍ଟି କରିଛି ଅବନତ । ମନର ଦୁର୍ବଳତା ତାଙ୍କୁ କରିଛି ଉଦାର, ହତାଶ, ବୀତସ୍ପୃହ ଓ ସାଧୁପୁରୁଷ ।

 

ଯାହାର ରକ୍ତମାଂସର ଦେହକୁ ସେ ନିଜର କରିପାରିଲେ ନାହିଁ, ତାଆରି ଛାୟାମୂର୍ତ୍ତିକୁ ଆପଣାର କରିବାର ଚେଷ୍ଟା । ବ୍ୟଙ୍ଗଚିତ୍ର, ଅଶ୍ଲୀଳ ସମାଲୋଚନାକୁ ନିଜର କରି ସେ ଆନନ୍ଦ ପାଆନ୍ତି । ଦୁନିଆ ଯେଉଁ ଅନୁମାନକ ରୂପଦେଇ ଅଶ୍ଲୀଳ ଧାରଣାର ଜୀବନ୍ତ ମୂର୍ତ୍ତିକୁ ଆଖି ଆଗରେ ରଖି ଆମୋଦ ଅନୁଭବ କରେ, ଦୁଷ୍ମନ୍ତ ବି ସେଇ ଧାରଣାର ସେବକ । ଛପିଲା ଆଗ୍ରହ, ଛାତି ତଳର କାମନାର ପ୍ରତିବିମ୍ବ ସେ ଦେଖନ୍ତି ପତ୍ରପତ୍ରିକାର ପୃଷ୍ଠାରେ । ଧାରଣାକୁ ରୂପଦେଇ ସେ ହୁଅନ୍ତି ପ୍ରେମିକ, ଆନନ୍ଦ ପାଆନ୍ତି ।

 

ତଥାପି ଦ୍ୱନ୍ଦ । ଗୋଟିଏ ଦୁଷ୍ମନ୍ତର ଦେହରେ କେତେ ଦୁଷ୍ମନ୍ତ ଛପି ରହିଛନ୍ତି ଛନ୍ଦାଛନ୍ଦି, ମିଶାମିଶି, ସୂର୍ଯ୍ୟରଶ୍ମିର ସାତରଙ୍ଗ ପରି, ଅଗଣନ ରଶ୍ମି ରେଖା ପରି, ଦେଖା ଓ ଅଦେଖା, ଜଣା ଓ ଅଜଣା । ଗୋଟିଏ ଦୁଷ୍ମନ୍ତର ଓଠ ପାଖରୁ ଆର ଦୁଷ୍ମନ୍ତ ଅଶ୍ଲୀଳ ଧାରଣାର ଅବଲମ୍ବନକୁ ଠେଲି ଦେଇଛି । ଛଟପଟ ଦୁଷ୍ମନ୍ତର ଛାତି ଉପରେ ଠିଆ ହୋଇଛି ଦୃଢ଼ ଦୁଷ୍ମନ୍ତ, ଆଖିରେ ନିଆଁ, ନିଶ୍ୱାସରେ ଝଡ଼ ।

 

ସବୁ ମଣିଷ କଣ ଏଇଆ, ଜଣେ ନ ହୋଇ ଅନେକ, ଅନେକର ସମଷ୍ଟି ହୋଇ ଜଣେ-? ଯେଉଁ ଜଣକ ଦୁର୍ବଳ ଅନେକଙ୍କୁ ପରାଜି କରି ମୁଣ୍ଡ ଟେକି ଉଠେ, ସଂସାରରେ ସେଇ ରୂପରେ ସେ ଦେଖାଦିଏ, ପରିଚିତ ହୁଏ । ଅନ୍ୟାନ୍ୟ ବ୍ୟକ୍ତିତ୍ୱ ମୁଣ୍ଡ ନୁଆଁଇ ରହନ୍ତି ।

 

ଦୁଷ୍ମନ୍ତର କେଉଁ ବ୍ୟକ୍ତିତ୍ୱଟି ବିଜୟୀ ?

 

ସେ ଆଦର୍ଶ ବନ୍ଧୁ, ହୁଏତ ଆଦର୍ଶ ପ୍ରେମିକ, ଦେଶକର୍ମୀ, ସେବକ, ଭଦ୍ର । କାହିଁକି ସେ ଭଣ୍ଡ ହେବ, ପାଷାଣ୍ଡ ହେବ ? ସବୁ ଦୁର୍ବଳ ବ୍ୟକ୍ତିତ୍ୱ ତାଙ୍କର ମନର ଆବର୍ଜନା ପରି । ଏତେବଡ଼ ବ୍ୟକ୍ତିତ୍ୱ ଭିତରେ ଦ୍ୱନ୍ଦ ଓ ସଙ୍ଘର୍ଷ ଆଣୁଛି କିଏ, କାହାର ଧାରଣା ? କିଏ ସେଥିପାଇଁ ଦାୟୀ ?

 

ଘରଭିତରେ ବିଜୁଳି ଆଲୁଅ ଲିଭିଲା ।

ପଲଙ୍କର କଡ଼କଡ଼ ଶବ୍ଦ ।

ଦୁଷ୍ମନ୍ତ ଶୋଇଲା । ଦୁଷ୍ମନ୍ତ ବିଜୟୀ ?

କିଏ ଦାୟୀ ତାର ଅସ୍ଥିରତା ପାଇଁ ।

 

ନିଜେ ସେ କ୍ଷଣପ୍ରଭା ତାଆରି ଉପସ୍ଥିତି, ତାରି ସାନ୍ନିଧ୍ୟ ସବୁ ଆଜି ସେ ବୁଝିଛି । ଆଉ ନୁହେଁ ହେମାଙ୍ଗିନୀର ଅନୁରୋଧ ହେମାଙ୍ଗିନୀ ବୁଝୁ । ବଡ଼ଲୋକର ସଂସାର ପଡ଼ିରହୁ ପଛରେ । ସେ ଯିବ ଦୂରକୁ, ଅତି ଦୂରକୁ, ଯେଉଁଠି ଦେହରୁ ଝାଳ ନିଗାଡ଼ି ତତଲା ପେଟରେ ଗଣଦେବତାର ସେବାଯତ୍ନ ସେ କରିପାରିବ । ଯେଉଁଠି ଦୁଷ୍ମନ୍ତର ବ୍ୟାକୁଳତାର ଧାରଣା କି ତୁଷାରକାନ୍ତିଙ୍କର ଛପିଲା ବିଦ୍ରୂପ, ନୀହାରିକାର ଅକୁହା ସନ୍ଦେହ ପାଖରୁ ସେ ଦୂରେଇ ରହିବ, ଯେଉଁଠି ପିତୃତ୍ୱ–ମୂର୍ଚ୍ଛନା, ଆଦିମ ମୋହ କାମନାସକ୍ତ ଲୋଭିଲା ଦୃଷ୍ଟି, ତାର ରକ୍ତମାଂସର ଦେହସୌଷ୍ଠବକୁ ବେଷ୍ଟନ କରିବାକୁ ଆକୁଳ ବିକଳ ହୋଇ ଧାଇଁ ଆସିବ ନାହିଁ, ଯେଉଁଠି ମାତୃତ୍ୱର ପବିତ୍ର ନିର୍ମଳ ଆଗ୍ରହ ତାର ଛଟପଟ ଆତ୍ମାକୁ ବିଶ୍ୱର ଅଗଣନ ମାନବ ଶିଶୁକୁ କୋଳକୁ ନେବାକୁ ଦେବ ଅଦମ୍ୟ ପ୍ରେରଣା-

 

ସେ ଯିବ, ଦୂରକୁ ।

 

ତୁଷାରକାନ୍ତିର ଘର ଆଗରେ ପାଦ ଅଟକିଲା । କବାଟ ଫାଙ୍କ ବାଟେ ଘର ଭତରୁ ନେଳିଆ ଆଲୁଅର ସ୍ରୋତ ଛୁଟିଛି । ସେ ବି ଶୋଇ ନାହାନ୍ତି ! ସେ ବି ଭାବୁଛନ୍ତି, ଯେଉଁ ଆଦର୍ଶର ଛାୟା ପଛରେ ସେ ଗୋଡ଼ାଇଛନ୍ତି, ଯାହାରି ପାଇଁ କ୍ଷଣପ୍ରଭାକୁ ସେ ଦୂରେଇ ଦେଇଛନ୍ତି, ଆଦର୍ଶର ନିର୍ଦ୍ଦେଶ ପାଳନ କରି ପତ୍ନୀ କୁଳଟା ହୋଇଛି ବୋଲି, ସେଇ କଥା ସେ ଭାବୁଛନ୍ତି ? ସେ ବି କଣ ତଉଲି ଦେଖୁଛନ୍ତି ଆହୁରି ଥରେ, ନୂଆ କରି, ଆଦର୍ଶ ବଡ଼ ନା ଧର୍ମପତ୍ନୀ ବଡ଼ ?

 

ଥରେ ନୁହେଁ, ଅନେକ ଥର ତୁଷାର ତଉଲି ଦେଖିଛି, ଆଜି ବି ତାର ମନରେ ବାଦ ପ୍ରତିବାଦ ଝନ୍‌ଜା ଉଠିଛି ।

 

ଅକ୍ଷମ ନିବାସରେ ଦିନୁ ଦିନୁ ଅନାଥଙ୍କର ସଂଖ୍ୟା ବଢ଼ୁଛି । କେତେ ନୂଆଘର ତୋଳା ହେଲାଣି । ଅକ୍ଷମମାନଙ୍କର ତତ୍ତ୍ୱ ନେବାକୁ କେତେ କର୍ମଚାରୀ ରହିଲେଣି । ତଥାପି, ସ୍ଥାନର ଅଭାବ ଧନର ଅଭାବ । ଧନ କାହୁଁ ଆସିବ ? ଅଭାବ ବଳେଇ ପଡ଼ିଲେ ଅନୁଷ୍ଠାନର ଅବସ୍ଥା କଅଣ ହେବ ? ଆଶା ମୁଖରେ ଆସି ଲୋକେ ଫେରି ଯିବେ । କ୍ଷଣପ୍ରଭା ସବୁ କାମରୁ ଦୂରେଇ ଯାଇଛନ୍ତି । ତାଙ୍କୁ ଅନୁରୋଧ କରିବାକୁ ସାହସ ହେଉନାହିଁ ।

 

ସର୍ବସାଧାରଣଙ୍କ ହାତରେ ଅନୁଷ୍ଠାନଟି ଛାଡ଼ି ନ ଦେଲେ ଅନ୍ୟ ଉପାୟ ନାହିଁ । ହୁଏତ, ଚଳନ୍ତି ପରସ୍ଥିତିରେ ପରଶୁରାମ ବାବୁଙ୍କ ପଦ୍ଧତି ଠିକ୍ । ଯେଉଁ ସ୍ଥାନର ଅକ୍ଷମ, ସେଇଠି ରହିବେ । କିନ୍ତୁ, ଦେଶ ତାଙ୍କର ଆଦର୍ଶ ଗ୍ରହଣ କରିବ ତ ? ଆଉ ଆଗେଇ ହେଉନାହିଁ, ପଛେଇ ବି ହେଉନାହିଁ । ବନ୍ଧୁ ଦୁଷ୍ମନ୍ତ ଏହି ମହତ୍ ଅନୁଷ୍ଠାନଟିକୁ ସର୍ବସାଧାରଣ ହାତରେ ଛାଡ଼ିଦେଇ ନିଶ୍ଚିନ୍ତି ହେବାକୁ ରାଜି ହେବ ନାହିଁ । ନିଜେ ସେ ଦାୟିତ୍ୱ ମୁଣ୍ଡରେ ବୋହୁ ।

 

ତୁଷାର ଆଉ ଘାଣ୍ଟି ହେବାକୁ ଚାହେଁ ନାହିଁ । ସେ ବି ଚାହେଁ ମୁକ୍ତି, ନିଷ୍କୃତି । କ୍ଷଣପ୍ରଭାକୁ ସେ ଅପମାନ ଦେଇଛି । ସ୍ୱାମୀର ଆଦେଶ ପାଳି ଯେଉଁ ପତ୍ନୀ ତାର କର୍ତ୍ତବ୍ୟ ପାଳିଛି, ନିଆଁ ଭିତରେ ପଶି ନିଜକୁ ଜାଳିପୋଡ଼ି ଯିଏ ବାହାରି ଆସିଛି ଜୟଯୁକ୍ତ ହୋଇ, ନିଃସଙ୍କୋଚରେ ଆଗରେ ଠିଆହୋଇ ମୁକ୍ତକଣ୍ଠରେ ଯେ ସ୍ୱୀକାର କରିଛି, ସେ ତ କଳଙ୍କିନୀ ନୁହେଁ, ବନ୍ଧୁ ଆଖ୍ୟ ଦେଇ ଦେବୀ ଓ ନମସ୍ୟା କହି ପାଖରୁ ଦୂରେଇ ଦେବାର ଜୀବ ସେ ନୁହେଁ । ଆକୁଳ ବିକଳ ହୋଇ ଯେ ମିନତି କରିଛି, ସ୍ୱାମୀର ସୋହାଗ, ଦରିଦ୍ରର ସ୍ୱାଧୀନ ପବିତ୍ର ସଂସାର, ସେତ ନୁହେଁ ବ୍ୟଭିଚାରିଣୀ ।

 

ପତ୍ନୀ ପ୍ରତି ତାର କଣ କର୍ତ୍ତବ୍ୟ ନାହିଁ ? ଅନ୍ଧ ହେଲା ବୋଲି ବନ୍ଧୁର ସହାୟତାକୁ ଆଉଜି ପତ୍ନୀକୁ ସେ ଦୂରେଇ ଦେବ ? ଯେଉଁ ନିଃସହାୟାଟି ଅନ୍ଧପତିର ହାତଧରି ପେଟ ପାଇଁ ଭିଖ ମାଗେ, ତାର ବି ସଂସାର ଅଛି । ସେଇ ସଂସାରରେ ସୁଖ ଓ ଆନନ୍ଦ ଅଛି । କ୍ଷଣପ୍ରଭା ସେଇ ସୁଖ ଆନନ୍ଦ ଚାହିଁଥିଲା, ପତ୍ନୀର ଦାବୀ ।

 

ଥରକୁ ଥର ପ୍ରତିବାଦ କରି ତାକୁ ପାଖରୁ ଦୂରେଇ ଦେଲେ ବି ସେ ପାଖରେ ଅଛି ଦୂରେଇ ଅଛି, ଗୋଟାଏ ପ୍ରତିବାଦ, ଅଭିମାନ । ନିଜେ ଶିକ୍ଷତା, ବୁଦ୍ଧିମତୀ, ଧନୀ ଜମିଦାରର କନ୍ୟା, ତଥାପି ସେ ଛଳ କରିନାହିଁ । ସ୍ତ୍ରୀର କର୍ତ୍ତବ୍ୟ ପାଳିଛି, ଅଳି କରିଛ– ସୁଖର ସଂସାର ।

 

ତୁଷାର ଜାଣେ, କ୍ଷଣପ୍ରଭା, ଆଉ ଅଳି କରିବାକୁ ଆଗକୁ ଆସିବ ନାହିଁ । ପାଖରେ ଥାଇ ସେ ଦୂରେଇ ଯାଇଛି ।

 

ଚାରିଦିନ ତଳର କଥା । ପାଖରେ ବସି କ୍ଷଣପ୍ରଭା ଖବର କାଗଜ ପଢ଼ି ଶୁଣାଉଅଛି । ରାତି ପ୍ରାୟ ଆଠଟା । ନିଃସଙ୍କୋଚରେ ସେ ପଢ଼ିଲା ।

 

ଶ୍ରୀମତୀ କ୍ଷଣପ୍ରଭା ଦେବୀ ସବୁ ଅନୁଷ୍ଠାନରୁ ସମ୍ପର୍କ ତୁଟାଇଛନ୍ତି । ପ୍ରକୃତ କାରଣ କେହି ଜାଣନ୍ତି ନାହିଁ । ସମ୍ବାଦଦାତା ଖବର ନେବାରୁ ଜଣାପଡ଼ିଛି, ସେ ପୀଡ଼ିତା । ଆମର ଆଶା, ଶୀଘ୍ର ସେ ଆରୋଗ୍ୟ ଲାଭ କରିବେ । ପୁଣି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଭାର ଗ୍ରହଣ କରିବେ । ତାଙ୍କର ଉଦ୍ୟମ ଓ ଉତ୍ସାହରେ ଦେଶରେ ଯେଉଁ ଅନୁଷ୍ଠାନ ଗୁଡ଼ିକ ଗଢ଼ାହୋଇ ପାରିଲା, ସେଥିପାଇଁ ଦେଶ ତାଙ୍କ ପାଖରେ କୃତଜ୍ଞ । ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଏହାହିଁ ଅମର କାମନା–

 

ତୁଷାରକାନ୍ତି ଦୀର୍ଘଶ୍ୱାସ ଛାଡ଼ିଲା । ପଚାରିଲା, ତମର ଦେହ ଭଲ ନାହିଁ ପ୍ରଭା ।

ଖବର କାଗଜର ତାହାହିଁ ମତ ।

ଆଉ ତମର ?

 

କ୍ଷଣପ୍ରଭାର ଉତ୍ତର ସେ ପାଇଲା ନାହିଁ । ପୁଣି ପଚାରିଲା, ତୁନି ରହିଲ ଯେ ? ତମର ସ୍ୱାସ୍ଥ୍ୟ ପାଇଁ ଦେଶ ଲୋକେ କିପରି ଉଦ୍‌ବିଗ୍ନ ଦେଖୁଛ ? ଦେଶଲୋକଙ୍କ ଆଖିରେ ତମର ଆସନ କେଡ଼େ ଉଚ୍ଚରେ ବୁଝିପାରୁଛ ? ମନରେ ମୋର ଗର୍ବ ଆସୁଛି ।

 

ତଥାପି ତୁଷାର ଉତ୍ତର ପାଇଲା ନାହିଁ । ନିଜ ମୁହଁରେ ଭାଷାରେ ନିଜେ ସେ ଚମକି ଉଠିଲା । ନୀରବତା ମଝିରେ ଅକୁହା କଥା ପ୍ରଶ୍ନର ସହସ୍ର ଫଣା ଟେକିଲା, ଦେଶଲୋକ ଓ ସମ୍ପାଦକ କଣ ଏକ କଥା ? କର୍ମୀ କଣ ଦେଶଲୋକଙ୍କ ଆଖିରେ ଉଚ୍ଚ ଆସନ ପାଇବାକୁ କର୍ମ କରେ । ତାର ମନରେ ଗର୍ବ ଆସିବ କାହିଁକି ? କ୍ଷଣପ୍ରଭା ଦୁନିଆର ସହସ୍ର ଲୋକଙ୍କର ଯେପରି ବନ୍ଧୁ, ତାର ମଧ୍ୟ ସେହିପରି ବନ୍ଧୁ । କେଉଁ ପତ୍ନୀ ସ୍ୱାମୀର ଅନୁରୋଧରେ ନିଜକୁ ଭୁଲେ, ଉତ୍ସର୍ଗ କରେ ? ସ୍ୱାମୀର ଇଚ୍ଛା ପୂରଣ କରିବାକୁ ଯେ ନିଜକୁ ଭସାଇ ଦିଏ, ଉବୁଟୁବୁ ହୋଇ କାର୍ଯ୍ୟ ସାଧନ କରି ହାଲିଆ ହୋଇ ଫେରିଆସେ ସ୍ୱାମୀର ଗୋଡ଼ ପାଖକୁ, ସ୍ୱୀକାର କରେ ନିଜର ଅଭିଜ୍ଞତା, ତାର ଆସନ ସ୍ୱାମୀର ଛାତିରେ କି ଦୂରରେ– ?

 

ସେ ଅନ୍ୟାୟ କରିଛି । ଯେଉଁ ପତ୍ନୀ ଛାୟା ପରି ତାର ପାଖେ ପାଖେ ଅଛି, ବିନା ଆପତ୍ତିରେ ବର୍ଷ ବର୍ଷ ଧରି ତାର ଆଦେଶ ପାଳି ଆସିଛି, ସେ କଣ ଆଦର୍ଶ ପତ୍ନୀ ନୁହଁ ? ସେହି ପତ୍ନୀର ଇଚ୍ଛା ପୂରଣ କରିବାକୁ ସ୍ୱାମୀର କଣ କର୍ତ୍ତବ୍ୟ ନୁହେଁ ଯେ ସେ ସ୍ତ୍ରୀର ହାତଧରି ଚାଲିବ ।

 

ସେ ଭୁଲ କରିଛି । ଦୁଇହାତ ଅଣ୍ଡାଳି କ୍ଷଣପ୍ରଭାର ହାତ ଧରିବାକୁ ଚେଷ୍ଟା କଲା । ଆକୁଳ ପ୍ରାଣ ତାର ଡାକିଲା, ଅତୀତର ସବୁ ମାନାଭିମାନ ଭୁଲି କ୍ଷଣପ୍ରଭାକୁ ଛାତିକୁ ଟାଣି ନେବ, ଗୋଟିଏ କଥା ତାର କାନରେ କହିବ, ମୁଁ ପାଷାଣ୍ଡ, ମତେ କ୍ଷମାକର ।

 

ତୁଷାରକାନ୍ତି ଠିଆ ହେଲା । ହାତ ଅଣ୍ଡାଳି ଡାକିଲା, ପ୍ରଭା, ପ୍ରଭା–

 

କ୍ଷଣପ୍ରଭା କେତେବେଳୁ ଚାଲିଗଲାଣି । ସେ ତାର କଥା ଶୁଣି ନାହିଁ, ଶୁଣିବାକୁ ଅପେକ୍ଷା କରି ନାହିଁ । ଶୁଣିବାର ଆଗ୍ରହ ତାର ନାହିଁ । କୌଣସି ଉତ୍ତର ଦେବାକୁ ସେ ବାଧ୍ୟ ନୁହେଁ । ସେ ନୁହେଁ ପତ୍ନୀ, ସେ ବନ୍ଧୁ ।

 

ଚାରିଦିନ କାଳ ସେ ଭାବିଛି । ହେତୁ ପାଇଲା ଦିନୁ ଆଜିଯାଏ ଜୀବନର ପ୍ରତ୍ୟେକ ଘଟଣା ଓ ପ୍ରତି ଘଟଣା ସଙ୍ଗେ କ୍ଷଣପ୍ରଭାର ସମ୍ପର୍କ, ପ୍ରତି ଘଟଣା ଉପରେ କ୍ଷଣପ୍ରଭାର ପ୍ରଭାବ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି । ଯେତେଥର ସେ ଭାବିଛି, ସେ ପହଞ୍ଚିଛି ଗୋଟିଏ ସିଦ୍ଧାନ୍ତରେ, କ୍ଷଣପ୍ରଭା ବୁଦ୍ଧିମତୀ, ସେ ବି ଭାବେ ଦୁନିଆର କଥା । ସେ ପବିତ୍ର, ନିଷ୍କଳଙ୍କ । ତାଆରି ହାତ ଧରି ଚାଲିଲେ ଆଦର୍ଶ ପଛାଇ ଯିବ ନାହିଁ । କ୍ଷଣପ୍ରଭାର ଆଦର୍ଶକୁ ସେ ନିଜର ଆଦର୍ଶ କରିବ । କ୍ଷଣପ୍ରଭାର ଇଚ୍ଛାକୁ ସେ କରିବ ନିଜର ଇଚ୍ଛା ।

 

ଚାରିଦିନ ହେଲା କ୍ଷଣପ୍ରଭାକୁ ମନର କଥା କହିବାକୁ ସେ ଉଦ୍‌ବିଗ୍ନ । କ୍ଷଣପ୍ରଭା ଆସୁଛି, ଯାଉଛି, ସବୁ କାମ କରୁଛି, ତଥାପି ମନର କଥା କହିବାକୁ ସେ ସୁଯୋଗ ପାଇନାହିଁ ।

 

ଆଜି ଆଲୋଚନା ଶେଷରେ ବନ୍ଧୁମାନେ ବିଦାୟ ନେଲେ । ଦୁଷ୍ମନ୍ତ ଗଲା ରେଳ ଷ୍ଟେସନକୁ । ତୁଷାରକାନ୍ତିର ହାତଧରି ତାର ଶୋଇବା ଘରେ ଛାଡ଼ିଲା ।

 

ତୁଷାରକାନ୍ତି କ୍ଷଣପ୍ରଭାର ହାତ ଧରିଲା । କହିଲା, ବସ ।

କେତେ କାମ ବାକି ପଡ଼ିଛି ।

ହଉ, ବସ ଟିକିଏ । ଗୋଟିଏ କଥା ପଚାରିବି ।

 

କ୍ଷଣପ୍ରଭା ହାତ ଖସାଇ ନେଲା । ମନର କୋହକୁ ଚାପି କହିଲା, କାହାରି କଥାର ଜବାବ ଦେବାକୁ ମୁଁ ବାଧ୍ୟ ନୁହେଁ । ତମେ ମତେ ନିଷ୍କୃତି ଦେଇଛ, ସେଥିପାଇଁ ମୁଁ ତମ ପାଖରେ କୃତଜ୍ଞ ।

 

ତୁଷାର ହାତ ବଢ଼ାଇଲା । କହିଲା, ଅଭିମାନ କରିଛ ପ୍ରଭା, ରାଗିଛ ?

 

କ୍ଷଣପ୍ରଭା ଦୂରକୁ ଘୁଞ୍ଚିଯାଇ କହିଲା, ଏଇ ଦିଓଟି ଦୁର୍ବଳତାର ମତେ ମୁକ୍ତ କରିଛ, ସେଥିପାଇଁ ଧନ୍ୟବାଦ ।

 

କ୍ଷଣପ୍ରଭା ଚାଲିଗଲା ।

 

ତୁଷାର ହସିଲା । ସେ ମୁକ୍ତ ହୋଇନାହିଁ । ମନରେ ଅଭିମାନ ଓ ରାଗ ପୂର୍ଣ୍ଣ ହୋଇଛି । ପ୍ରଭାର ବ୍ୟବହାର ହିଁ କହି ଦେଉଛି, ସେ ଚିରଦିନ ତାର । ପ୍ରଭା ତାର ଉତ୍ତେଜନାକୁ ହସି ଉଡ଼ାଇ ଦେଇଛି, ଅଭିମାନିନୀ ପତ୍ନୀର ସବୁ ପ୍ରେମ ଲୁଚାଇ ରଖିଛି ମରମ ତଳେ । ପତ୍ନୀତ୍ୱର ଗର୍ବରେ ସେ ପରିପୂର୍ଣ୍ଣ ।

 

ପ୍ରଭା ତାର, ଚିରଦିନ ତାର ।

 

ରାତି ପାହିଲେ ସେ ନିଜେ ଯାଇ କ୍ଷମା ମାଗିବ । ଅଭିମାନିନୀ ପତ୍ନୀ ପାଶରେ ଦୋଷ ସ୍ୱୀକାର କରି କହିବ, ଦୁଷ୍ମନ୍ତ ତାର ଦାୟିତ୍ୱ ତୁଲାଉ, ଦେଶଲୋକ ତାଙ୍କର କର୍ତ୍ତବ୍ୟର ବୋଝ ମୁଣ୍ଡାନ୍ତୁ, ହାତଧରି ବାଟ କଢ଼ାଅ, ଦୂରକୁ ନିଅ ଯେଉଁଠିକି ଇଚ୍ଛା । ଆମର ଅତି ଆଦର ସ୍ନେହର ନୀରଟି, ସେ ବି ତମରି ଦାୟିତ୍ୱ, ସେ ଅକ୍ଷମ ତା ହାତଟି ବି ଧର ।

 

ତୁଷାରକାନ୍ତି ନିଗଢ଼ ନିଦରେ ଅଚେତନ ।

 

ସପନଟିଏ ଆସିଲା ଛପିଛପି–ପ୍ରେମମୟୀ ପତ୍ନୀ କ୍ଷଣପ୍ରଭା ତାଆରି ପାଖରେ, ପ୍ରେୟସୀର କାନରେ ସେ କହୁଛି ପ୍ରେମର ଭାଷା, ଦେଖ, ଏଇ ମୁକ୍ତ ଆକାଶ, ଶ୍ୟାମଳ କେଦାର, ଅମଳିନ ଜ୍ୟୋତ୍ସ୍ନାରାତି, ବାଟ କଡ଼ର ଆମ୍ବତୋଟା, ତାରି ଭିତରେ ଆମର ଏଇ ଛୋଟ କୁଡ଼ିଆ, ସରଗ ସମାନ । ବନ୍ଧୁର ଅଟ୍ଟାଳିକା କାରାଗାର ତ ଏ ନୁହେଁ ଯାହାକୁ ତମେ ନରକ ମଣିଥିଲେ, ଏ ସରଗ । ତମରି କୋଳରେ ସରଗର ଫୁଲଟିଏ ଝଡ଼ି ପଡ଼ିବ ।

 

ଚିବୁକରେ ଆତ୍ମାର ଉଲ୍ଲାସ ଚୁମ୍ବନ ।

ସୁଖର ସପନ । ନିଗଢ଼ ନିଦ ।

 

ପାଖରେ କ୍ଷଣପ୍ରଭା ଠିଆ ହୋଇଛି । ଭାବୁଛି ଉଠାଇବ ? ପତ୍ନୀ ଅପେକ୍ଷା ମନଗଢ଼ା ଆଦର୍ଶ ତାଙ୍କର ବଡ଼ । ପତ୍ନୀକୁ ସେ ପରିତ୍ୟାଗ କରି ଶାନ୍ତି ପାଇଛନ୍ତି, ନିଶ୍ଚିନ୍ତରେ ଶୋଇ ପାରିଛନ୍ତି-। ତାଙ୍କର ଜୀବନର ସୁଖଶାନ୍ତିର ଅନ୍ତରାୟ ସେ ହେବ ନାହିଁ । ସେ ଦୂରେଇ ଯିବ ।

 

ଦୁଇଆଖିରୁ ରୁଦ୍ଧ ବେଦନାର ସ୍ରୋତ ଛୁଟିଲା ଧାରାଶ୍ରାବଣର ବରଷା ପରି । ପଲଙ୍କ ପାଖରେ ତୁନି ହୋଇ ଠିଆ ହୋଇ କ୍ଷଣପ୍ରଭା ଚାହିଁ ରହିଲା ସ୍ୱାମୀଙ୍କର ମୁହଁକୁ । କେତେ ସ୍ମୃତି ଭାସିଗଲା ତାର ଆଖିର ଲୁହରେ । ମନ ଡାକିଲା, ନଇଁପଡ଼ି ସେଇ ନିର୍ମମ ସ୍ୱାମୀର ନିଦ୍ରିତ ମୁହଁରେ ମୁହଁ ଲଗାଇବ । ଆହୁରି ଥରେ ହୃଦୟର ଭାଷା ପ୍ରକାଶିବ, ମୁଁ ନିର୍ଦ୍ଦୋଷ, ମୁଁ ନିଷ୍କଳଙ୍କ, କେବଳ ତମରି ଆଦେଶ ପାଳିଛି । ମୋତେ ଦୂରକୁ ଠେଲିଦିଅ ନା । ମୁଁ କେବଳ ବନ୍ଧୁ ନୁହେଁ, ମୁଁ ତମର ପତ୍ନୀ । ମତେ କ୍ଷମାକର । ଆସ ମୋର ହାତଧରି ଆସ, –ସେଇ ସୁଦୂର ପଲ୍ଲୀର କୋଳରେ ମୁକ୍ତ ଆକାଶ ତଳେ ବାଟ କଡ଼ ଆମ୍ବତୋଟାରେ ଆମର କୁଡ଼ିଆ । ଚାରିଆଡ଼େ ଶ୍ୟାମଳ କେଦାର, ଜ୍ୟୋତ୍ସ୍ନାର ପାରାବର । ସରଗର ଫୁଲ ସ୍ୱାଧୀନ ସୁନ୍ଦର କୋମଳ ଶିଶୁଟିଏ ଟେକିଦିଅ ମୋର କୋଳକୁ ସେଇଠି, ସେଇ ଦିଗହଜା ଶ୍ୟାମଳ କେଦାର–ଘେରା ଆମର ଛୋଟ କୁଡ଼ିଆରେ । ଏଇ ବଡ଼ କୋଠାର କାରାଗାର ଓ ପରାଧୀନତା ମଝିରେ ମୋର ମାତୃତ୍ୱ କାମନା ମୁଣ୍ଡ ନୋଇଁଛି । ଆସ, ଉଠିଆସ ।

 

କ୍ଷଣପ୍ରଭା କାନ୍ଦି ଉଠିଲା ।

 

ତୁଷାରକାନ୍ତିର ଶୋଇଲା ଓଠରେ ହସ ଖେଳିଲା । ସୁଖର ସପନ କୋଳରେ କ୍ଷଣପ୍ରଭା, ଅଭିମାନରେ ଆଖିରୁ ଝରୁଛି ଲୁହ । ସତେ ଯେପରି ତାର ଅନ୍ଧ ପୁଟୁଳୀ ଖସିଛି । ସବୁ ସେ ଦେଖିପାରୁଛି । ନିଜ ହାତରେ ପ୍ରଭାର ଆଖିରୁ ପୋଛୁଚି ଲୁହ । କହୁଛି, ଗତକଥା ଭୁଲିଯାଅ, କ୍ଷମାକର । ପୁଣି କରୁଛି ଆଲିଙ୍ଗନ, ନିବିଡ଼ ଆଲିଙ୍ଗନ, ପ୍ରାଣଭରା ଚୁମ୍ବନ, ଅଜସ୍ର ।

 

ଓଠରେ ହସ ।

ନେଳିଆ ଆଲୁଅ ଉଜ୍ଜ୍ୱଳ ଜଳୁଛି ।

 

କ୍ଷଣପ୍ରଭା ଚାପି ରଖିଲା ମନର କୋହ । ନିର୍ଦ୍ଦୟ ସ୍ୱାମୀ, କଠୋର ହୃଦୟ, ଅଟଳ ଆଦର୍ଶ । ସୁଖରେ ରହନ୍ତୁ, ଶାନ୍ତିରେ ରହନ୍ତୁ, କ୍ଷଣପ୍ରଭା ଦୂରେଇ ଯାଉ ।

 

ଦୁଇହାତ ଯୋଡ଼ି ପ୍ରଣାମ କଲା । ଥରିଲା ପାଦରେ ଘର ଭିତରୁ ବାହାରି ଆସି କବାଟ ଆଉଜାଇଲା, ଚାହିଁଲା ଚାରିଆଡ଼କୁ । ଦୁଷ୍ମନ୍ତର ଘରେ ଆଲୁଅ ଜଳୁଛି । ଆଲୁଅ ଲିଭିଲା ।

 

ଜହ୍ନ ବୁଡ଼ିଲାଣି ।

ଅନ୍ଧାର ଘୋଟିଛି ।

 

କ୍ଷଣପ୍ରଭା ଆଖିରୁ ଲୁହ ପୋଛିଲା । ସତେ କି ସେ ପାଗଳ ହୋଇଛି, ଦେହରୁ ଖସି ପଡ଼ୁଛି ବାସ, କବରୀ ମୁକୁଳା । ଛାତି ହେଉଛି ଥରଥର, ଗୋଡ଼ ଟଳଟଳ । ସଂକଳ୍ପ ସେ କରିଛି, ବିଦାୟ ନେଇଛି । ଏତେ ଦିନର ବନ୍ଧନ ଛିଣ୍ଡାଇ ସେ ଚାଲିଯିବ । କେହି ତାକୁ ଅଟକାଇ ପାରିବେ ନାହିଁ । ସେ ସ୍ୱାଧୀନ, ସେ ମୁକ୍ତ ।

 

ଘର ଭିତରକୁ ପଶି କ୍ଷଣପ୍ରଭା ଦେଖିଲା, ଆଉ ଜଣେ କିଏ ଅନ୍ଧାରରେ ଆଡ଼େଇ ଯାଉଛି । ଛାତିରେ ଛନକା ପଶିଲା । ସ୍ୱିଚ୍‌ରେ ହାତ ଦେଲା । ବିଜୁଳି ଆଲୁଅ ଜଳି ଉଠିଲା । ଘର ହେଲା ଆଲୋକିତ । ମଝି କବାଟ ମୁକୁଳା ।

 

ନୀହାରିକା ଠିଆ ହୋଇଛି । ଭୟରେ ଥରୁଛି । ମୁହଁ ଗମ୍ଭୀର । ଆଖିରେ ବିସ୍ମୟ । କଣ ଯେପରି ପଚାରିବାକୁ ମନ କରୁଛି । ଥରି ଉଠୁଛି ଓଠ ଦିଫାଳି । ତୁଣ୍ଡରୁ ଭାଷା ବାହାରୁ ନାହିଁ । ଚାହିଁ ରହିଛି ସ୍ଥିରଦୃଷ୍ଟିରେ । ଏଇ ତାର ନୂଆଉ, ଦୁନିଆ ଯାକର ସବୁ ନିନ୍ଦା ଅପବାଦ, କଳଙ୍କ, ହାସପରିହାସ, ସନ୍ଦେହ ଓ ଛଳନାର ପ୍ରତିମୂର୍ତ୍ତି । ସ୍ୱାର୍ଥତ୍ୟାଗର ପେଖନା, ଦେଶସେବିକାର ଆରା, ସଂଯମର ଦ୍ୱାହିଦେଇ ଯେ ନିଜକୁ ଓ ସମସ୍ତଙ୍କୁ ଠକି ଏତେ ତଳକୁ ନରକକୁ ଓହ୍ଲାଇ ପଡ଼ିଛନ୍ତି । ସ୍ୱାମୀ ଅନ୍ଧ ଅପାରଗ ବୋଲି, ନଣନ୍ଦ ନିର୍ବୋଧ ବୋଲି ସେ ଚାଲିଛନ୍ତି ବ୍ୟଭିଚାରର ପଥରେ ।

 

ଏହା କଣ ସମ୍ଭବ, ତାର ନୂଆଉ କ୍ଷଣପ୍ରଭା ?

 

ମନର ସନ୍ଦେହ, ଦୁନିଆର ଅପବାଦ, ସପନରେ ରୂପ ପାଇଥିଲା । ସବୁ ସମାଲୋଚନା, ବ୍ୟଙ୍ଗଚିତ୍ର, ପଢ଼ିଲା ଚିଠି ଜୀବନ ଲଭି ମନର ଅନ୍ଧାରୀ ପରଦା ଉପରେ ଛାୟାଚିତ୍ରରେ ଅଭିନୟ କରିଥିଲା । ନିଦ୍ରିତ ଆଖିରୁ ଝରିଥିଲା ଲୋତକ ଧାରା । ନିଦ ଭାଙ୍ଗିଲା । ସବୁ ଦୃଶ୍ୟ ଗଲା ଅପସରି । ଅନ୍ଧାର । ପଲଙ୍କ ଉପରେ ଏକୁଟିଆ ସେ, ନୀହାରିକା । ଭୟରେ ଛାତି ଥରୁଛି । କାନ୍ଥ କଡ଼କୁ ସତୀ ଶୋଇଛି ।

 

ନିଜକୁ ଅପରାଧୀ ମଣିଲା । ନୂଆଉ ତାର ସ୍ନେହର ସୁବର୍ଣ୍ଣ ପ୍ରତିମା । ନୂଆଉର ଦୁଇଗୋଡ଼ରେ ମୁଣ୍ଡରଖି ସପନର ଆବିଳତା ପାଇଁ କ୍ଷମା ମାଗିବ ।

 

କବାଟ ଖୋଲିଲା । ଚମକି ଉଠିଲା । ବାରଣ୍ଡାର କବାଟ ମୁକୁଳା । ଘର ଅନ୍ଧାର । ପଲଙ୍କ ଖାଲି । ଡାକିଲା, ନୂଆଉ–ନୂଆଉ– । ଉତ୍ତର ନାହିଁ । କୁଆଡ଼େ ଗଲେ ଏତେ ରାତିରେ ? କୁଆଡ଼େ ସେ ଯାଆନ୍ତି ଏମିତି ?

 

ବାରଣ୍ଡାକୁ ଆସିଲା । ମନରେ ସନ୍ଦେହ । ଭୟ । ଛାତି ଥର ଥର । ଚାରିଆଡ଼େ ଅନ୍ଧାର-। କେବଳ ଦୁଷ୍ମନ୍ତ ବାବୁଙ୍କ ଝରକାବାଟେ ଆଲୁଅ ଦିଶୁଛି । ଝରକା ପାଖରେ ଠିଆ ହୋଇଛି ତାରି ନୂଆଉ !

 

ଦୁଷ୍ମନ୍ତବାବୁଙ୍କ ଘରୁ ଆଲୁଅ ଲିଭିଲା । ସବୁ ହେଲା ଅନ୍ଧାର । ନୀହାରିକା କାନ୍ଦି ଉଠିଲା-। ଘର ଭିତରକୁ ପଶି ଆସିଲା । ସବୁ ସେ ବୁଝିଛି । ସେ ପିଲା ନୁହେଁ । ନୂଆଉର ପଲଙ୍କ ଉପରେ ମୁହଁ ମାଡ଼ି ସେ କାନ୍ଦିଲା । ରାଗ ଓ ଅପାମାନରେ ରକ୍ତରେ ନିଆଁ ଜଳିଲା ।

 

ଦୁଷ୍ମନ୍ତବାବୁଙ୍କର ଉଦାରତାର ଅର୍ଥ ସେ ଏବେ ବୁଝିଛି । ବିପଥଗାମିନୀ ନୂଆଉର ସଂଯମର ଆଦର୍ଶ କଥା ସେ ଜାଣିଛି । ସମସ୍ତେ ଭଣ୍ଡ । ସବୁ ଜାଲ । କାହିଁକି ସେ ରହିବ ? ଯିଏ ଯାହାର ଅଭିନୟ କରୁଥାନ୍ତୁ, ସବୁ ସେ ଆଜି ତାର ଭାଇକୁ କହିବ, ଅନ୍ଧ ଭାଇର ହାତଧରି ଏଇ ଉଚ୍ଚକୋଠାର ନରକ ଭିତରୁ ସେ ଓହ୍ଲାଇ ଯିବ ବାଟକୁ ।

 

ସେ ଯିବ, ଭାଇକୁ କହିବ ।

 

ବାରଣ୍ଡାକୁ ଆସିଲା । ପୁଣି ଦୁଷ୍ମନ୍ତ ବାବୁଙ୍କ ଘରେ ଆଲୁଅ ଜଳୁଛି । ବାରଣ୍ଡାର ଏ ପାଖରୁ ଚାଲି ଚାଲି ଆସୁଛନ୍ତି ତାର ନୂଆଉ । ଦୁଷ୍ମନ୍ତ ବାବୁଙ୍କ ଘରେ ଆଲୁଅ ଲିଭିଲା । ନୂଆଉ ପାଖେଇ ଆସିଲେ । ଭାଇ ପାଖକୁ ସେ ଯାଇ ପାରିଲା ନାହିଁ ।

 

ଘର ଭିତରକୁ ପଶିଲା ।

 

ଆଗରେ ଠିଆ ହୋଇଛନ୍ତି । କି ରୂପ ! କି ବେଶ ! ରାତି ଅଧ । ସମସ୍ତେ ନିଦ୍ରିତ । ଏତେ ରାତିରେ ସେ କୁଆଡ଼େ ଯାଇଥିଲେ ? ଏମିତି କାବା ହୋଇ ଚାହିଁ ରହିଛନ୍ତି କାହିଁକି ?

 

କ୍ଷଣପ୍ରଭା ପଚାରିଲା, କଣ ନୀର, ଏମିତି ବୋକାଙ୍କ ପରି ଚାହିଁ ରହିଛ କାହିଁକି ? ସପନ ଦେଖିଲ ? ଡରିଲ କି ?

 

ନୀହାରିକାର ଆଖିରେ ଲୁହ ଢଳ ଢଳ ।

କାନ୍ଦୁଛ କାହିଁକି ନୀର ?

 

ନୀହାରିକା ଥରିଲା ସ୍ୱରରେ କହିଲା, ଏତେ ରାତରେ ଦୁଷ୍ମନ୍ତ ଭାଇଙ୍କ ଘରକୁ ତମେ ଯାଇଥିଲ କାହିଁକି ?

 

ପଚାରି ଦେଇ ଭୟରେ ଥରିବାକୁ ଲାଗିଲା । ସେ କଣ ଅନ୍ୟାୟ କରିଛି, ଭୁଲ କରିଛି, ଏତେ ବଡ଼ କଥା କେଉଁ ସାହସରେ ତୁଣ୍ଡକୁ ଆଣିଲା ? କାହିଁକି ପଚାରିଲା ? କଣ ଭାବୁଥିବେ ତାର ନୂଆଉ, ଯିଏ ତାକୁ କୋଡ଼ରେ କାଖରେ ମଣିଷ କରିଛନ୍ତି, ଯିଏ ତାର ତୁଣ୍ଡରେ ଦେଇଛନ୍ତି ଭାଷା, ହାତରେ କଲମ, ଯିଏ ତାକୁ ଭଲମନ୍ଦ ଶିଖାଇଛନ୍ତି, ଏବେ ବି ଶିଖାଉଛନ୍ତି ? କେଡ଼େ ବଡ଼ ଦୋଷ କରି ପକାଇଛି । ଦୁଇଗୋଡ଼ ଧରି କ୍ଷମା ମାଗିବ ?

 

କ୍ଷଣପ୍ରଭାର ନୀରର ପ୍ରଶ୍ନର ଅର୍ଥ ବୁଝିଲା । ସତେ କି ତାର ମୁଣ୍ଡରେ ବଜ୍ରପାତ ହେଲା, ଆଖି ଆଗରେ ଦୁନିଆ ଭ୍ରମିଲା । ଛୋଟ ପିଲାଟିଏ ନୀର, ତାର ବି ସନ୍ଦେହ ହେଲା ? ତାଆର ବି ସାହସ ହେଲା ପଚାରିବାକୁ ? ଆଉ କାହାର ଦୋଷ ଦେବ କାହିଁକି ? ମନର କୋହ ସମ୍ଭାଳି ନ ପାରି ଓଲଟି ସେ ପଚାରିଲା, କାହିଁକି ନୀର, କାହିଁକି ଏ କଥା ପଚାରିଲ ?

 

ଦୁଇ ହାତରେ ମୁହଁ ଘୋଡ଼ାଇ ନୀର କାନ୍ଦି ଉଠିଲା, କଣ କହିବ ଠିକ କରିପାରିଲା ନାହିଁ-

 

କ୍ଷଣପ୍ରଭାର ଓଠରେ ହସ । ନୀହାରିକାର ହାତଧରି କଅଁଳେଇ ପଚାରିଲା, ନୂଆଉ ଉପରେ ସନ୍ଦେହ ହେଉଛି ନୀର ? କହ, ସତ କହ ।

 

ନୀହାରିକା ପାଖରୁ ଘୁଞ୍ଚିଗଲା । ସେ ଜାଣେ ଯେ ସେ ତାର ମନର କଥା କହିପାରିବ ନାହିଁ । ଗୋଡ଼ ଧରି କ୍ଷମା ମାଗିଲେ ମଧ୍ୟ ମୁହଁରୁ ଯାହା ଖସିପଡ଼ିଛି ସେ ଆଉ ତାହା ସୁଧାରି ପାରିବ ନାହିଁ । ସେ ଭୁଲ କରିଛି, ଅପରାଧ କରିଛି । କେମିତି ନୂଆଉର ଶୁଖିଲା ମୁହଁକୁ ଚାହିଁବ ?

 

ସେ ଉତ୍ତର ନ ଦେଇ ମଝିଦ୍ୱାର ବାଟେ ପଶିଗଲା ତାର ଶୋଇବା ଘରକୁ । କବାଟ ଦିଫାଳ ଟିକିଏ ଜୋରରେ ଆଉଜାଇ କିଳିଣୀ ଦେଲା । ପଲଙ୍କ ଉପରେ ମୁହଁମାଡ଼ି ଶୋଇ କାନ୍ଦିବାକୁ ଲାଗିଲା ।

 

ମୁହୂର୍ତ୍ତେ କ୍ଷଣପ୍ରଭା ଭାବିଲା, ନୀର ବି କଲା ସନ୍ଦେହ । ସଂସାରରେ ଯେଉଁ ଜଣକ ପାଇଁ ତାର ମନ ଗୋଳେଇଘାଣ୍ଟି ହେଉଥିଲା, ଗୋଡ଼ ଛନ୍ଦିବାନ୍ଧି ହେଉଥିଲା, ସେଇ ପିଲାଟା ବି ତାକୁ ମଣିଛି କଳଙ୍କିନୀ, ବିପଥଗାମିନୀ !

 

ଭଲ ହୋଇଛି । କାଲି ଆଉ ତାର ମନରେ ଦୁଃଖ ହେବ ନାହିଁ । ମନର ଘୃଣାଭାବ ଆଖିକୁ ତାର ଲୁହ ଆଣିବ ନାହିଁ । ସାନ୍ତ୍ୱନା ଦେଇ ଭାଇକି ସେ ହୁଏତ କହିବ, ନୂଆଉ ବାଟ ଭୁଲିଲା, ତା ପାଇଁକି ଦୁଃଖ କର ନା । ମୁଁ ନିଜେ ଦେଖିଛି ଭାଇ–

 

ନୀର କାନ୍ଦୁ, ମନଇଚ୍ଛା କାନ୍ଦୁ, ଆଖିରୁ ସବୁ ଲୁହ ଶେଷ କରି ଦେଉ ।

ଭଲ ହୋଇଛି, ନୀହାରିକା ସନ୍ଦେହ କରିଛି ।

କ୍ଷଣପ୍ରଭାର ଦୁଇ ଆଖିରୁ ଦୁଇ ଧାର ଲୁହ ଝରି ଆସିଲା ।

 

ଖବର କାଗଜ ପ୍ରଚାର କରିଛି–ଦୁଷ୍ମନ୍ତବାବୁ ତାଙ୍କର ସବୁ ସମ୍ପତ୍ତି ତୁଷାରକାନ୍ତିଙ୍କ ନାମରେ ଉଇଲ କରି ଦେଶତ୍ୟାଗୀ ହୋଇଛନ୍ତି ।

 

ଶ୍ରୀମତୀ କ୍ଷଣପ୍ରଭା ତ ଆଗରୁ ସବୁ ଅନୁଷ୍ଠାନକୁ ସମ୍ପର୍କ ତୁଟାଇ ସାରିଥିଲେ, ନିଜେ ପୀଡ଼ିତା ଅଛନ୍ତି ବୋଲି ସମ୍ବାଦଦାତା ଖବର ପାଇଥିଲେ, ଏବେ ସେ ମଧ୍ୟ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଛନ୍ତି । ତୁଷାରକାନ୍ତି ନିଜେ ଜାଣନ୍ତି ନାହିଁ ବୋଲି ସମ୍ବାଦଦାତା ଜଣାଇଛନ୍ତି । ଏହା ଭିତରେ କଅଣ ରହସ୍ୟ ଅଛି ବୋଲି ଖଳଲୋକେ ଅନୁମାନ କରୁଛନ୍ତି । ପାଠକମାନଙ୍କୁ ସ୍ମରଣ କରାଇ ଦିଆହେଉଛି ଯେ କିଛିଦିନ ପୂର୍ବେ ସେମାନେ ପ୍ରସ୍ତାବ କରିଥିଲେ, ପ୍ରଦେଶର ଅନ୍ୟାନ୍ୟ ସହରରେ ଅକ୍ଷମ ନିବାସ ଓ ରୁଗ୍‍ଣ ନିଳୟ କରି ଅନୁଷ୍ଠାନମାନ ଗଢ଼ିବାକୁ ଉଦ୍ୟମ କରାହେବ । ଏଇଥି ପାଇଁ ଶ୍ରୀଯୁକ୍ତ ଦୁଷ୍ମନ୍ତ ଓ ଶ୍ରୀମତୀ କ୍ଷଣପ୍ରଭା ଲୋକଙ୍କୁ ଏ ଦିଗରେ ପ୍ରବର୍ତ୍ତାବାକୁ ଯିବେ । କୌଣସି କାରଣରୁ ଏ ପ୍ରସ୍ତାବ ସ୍ଥଗିତ ରଖା ଯାଇଥିଲା । ଆମେମାନେ ଅନୁମାନ କରୁଛୁ ଯେ ଏହି ଦିଗରେ ଚେଷ୍ଟା କରିବାକୁ କୁଆଡ଼େ ପ୍ରସ୍ଥାନ କରିଛନ୍ତି ।

 

ଯେ ପ୍ରକୃତ କର୍ମୀ ସେ ନିଜକୁ ପ୍ରଚାର କରିବାକୁ ଘୃଣା କରେ । ଶ୍ରୀଯୁକ୍ତ ଦୁଷ୍ମନ୍ତ ଓ ଶ୍ରୀମତୀ କ୍ଷଣପ୍ରଭାଙ୍କର ଅଦମ୍ୟ ଉତ୍ସାହ, ଉଦ୍ୟମ ଓ ତ୍ୟାଗ କଥା ଦେଶବାସୀଙ୍କୁ ଅବିଦିତ ନାହିଁ । ଖଳଲୋକଙ୍କ କଥାରେ କାନ ନ ଦେଇ ଦେଶବାସୀ ଅପେକ୍ଷା କରନ୍ତୁ । ଦୁଷ୍ମନ୍ତ ଓ କ୍ଷଣପ୍ରଭାଙ୍କର ଉଦ୍ୟମ ସଫଳ ହେଉ, ଏହାହିଁ ଆମର କାମନା ।

 

ଖବର କାଗଜ ପୁଣି ପ୍ରଚାର କରିଛି– ରୁଗ୍‍ଣ–ନିଳୟ ଭିତରେ ‘‘କ୍ଷଣପ୍ରଭା ବାକ୍‌ଟ୍ରୋଲିଜିକାଲ ଲେବରେଟରୀ’ର କାର୍ଯ୍ୟ ଶେଷ ହୋଇଛି । ପ୍ରାଦେଶିକ ସରକାର ଯନ୍ତ୍ରପାତି ପାଇଁ ଦୁଇଲକ୍ଷ ଟଙ୍କା ଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନଟିକୁ ଉଦ୍‌ଘାଟନ କରିବେ । ସାଧୁ ଉଦ୍ୟମ ।

 

ପାକ୍ଷିକ ପତ୍ରିକା ନିନ୍ଦା ରଟାଇଛି, ବ୍ୟଙ୍ଗଚିତ୍ର ବାହାର କରିଛି– ତରାଜୁର ଗୋଟିଏ ପାଖରେ କ୍ଷଣପ୍ରଭା, ଆରପାଖରେ ଧନରତ୍ନ ଦୁଷ୍ମନ୍ତ ଓଜନ କରୁଛନ୍ତି ।

 

ଦୁଷ୍ମନ୍ତର ଚିଠିଟିର ଅର୍ଥ ବୁଝିବାକୁ ହେମାଙ୍ଗିନୀ ଚେଷ୍ଟା କରେ ।

 

ସେ ଲେଖିଥିଲା–ଜଣେ ଅଜଣା ବନ୍ଧୁ ମୋ ପାଖକୁ ପତ୍ର ଲେଖିଥିଲେ ଯେ କୋଠାରେ ବସି କେବଳ ବକ୍ତୃତା ଦେଲେ ଗଣଦେବତାର ସେବା ହୁଏ ନାହିଁ । ପିତାଙ୍କର ସଞ୍ଚିତ ଧନରୁ ଚାନ୍ଦାଦେଇ ସୌଖୀନ ଅନୁଷ୍ଠାନ ପ୍ରତିଷ୍ଠା କଲେ ନାମ ହୁଏ ସତ, ଦେଶର ସେବା ହୁଏ ନାହିଁ । ପ୍ରକୃତ ସେବକ ମାଟି କାଦୁଅ ଚକଟେ, ଖରା ବରଷା, ଝଡ଼ ତୋଫାନ ଅଙ୍ଗରେ ଭେଦାଏ, ବ୍ୟଥିତ ଆତ୍ମା ପାଖରେ ତାର ଆତ୍ମାଟା ବି ବସିଥାଏ ।

 

ନିରାଟ ସତ୍ୟ ସେ ପ୍ରକାଶ କରିଛନ୍ତି ହେମ, ତୋ ଭାଇର ଆଖିରୁ ଅନ୍ଧପୁଟଳୀ ଉନ୍ମୋଚନ କରିଛନ୍ତି । ଆଖି ଥାଉଁ ଥାଉଁ ମୁଁ ଅନ୍ଧ ହୋଇଥିଲି । ଯିଏ ବାହାର ସଂସାରକୁ ଅନୁଭବ ନ କରିଛି, ଯିଏ ଗଣଙ୍କ ମଝିରେ ନିଜକୁ ସ୍ଥାପନ ନ କରିଛି, ଗଣଙ୍କ ସଙ୍ଗେ ମିଶି ନିଜକୁ ଯିଏ ହଜାଇ ନ ଦେଇଛି, ସେ ସେବକ ନୁହେଁ କି କର୍ମୀ ନୁହେଁ । ମୁଁ ମୋର ସେଇ ଅଜଣା ବନ୍ଧୁଙ୍କର ଅନ୍ୱେଷଣ କରିବାକୁ ଯାଉଛି । ସେଇ ମୋର ପଥପ୍ରଦର୍ଶକ ହେବେ ।

 

ତୁଷାରକାନ୍ତିର ହାତକୁ ପୂର୍ବପୁରୁଷର ଗଚ୍ଛିତ ଅବଶିଷ୍ଟ ସବୁ ସମ୍ପତ୍ତି ମୁଁ ଟେକି ଦେଇଗଲି-। କାହାରି ମତାମତ ଲୋଡ଼ିଲି ନାହିଁ । ତୁଷାରକାନ୍ତିର ସମ୍ପତ୍ତି ଲୋଡ଼ା ନାହିଁ । ତୁ ମୋର ଏକମାତ୍ର ଉତ୍ତରଧିକାରିଣୀ ତୋର ଏଥିରେ ଆପତ୍ତି ରହିବ ନାହିଁ ବୋଲି ମୋର ଧାଣା । ଯଦି ତୋର ଆପତ୍ତି ଥାଏ, ମୋର ଏଇ ଚିଠିଟି ତୁଷାରକାନ୍ତିଙ୍କୁ ଦେଖାଇବୁ, ସେ ଉଇଲ୍‌ ଫେରସ୍ତ ଦେବ-

 

ଦୁଃଖୀ ଦରିଦ୍ର ଅକ୍ଷମ ରୁଗ୍‍ଣଙ୍କର ପ୍ରତୀକ ଯେଉଁ ତୁଷାରକାନ୍ତି, ଯାହାର ଛାତି ତଳେ ଅସରନ୍ତି କରୁଣାର ଝରଣା ପ୍ରବାହିତ, ସେ ଟଙ୍କାସୁନାକୁ ତୁଚ୍ଛ ମଣିବ । ତାର ଛାତିର କୋହ, ଆଖିର ଲୁହରେ କୁବେର ଭଣ୍ଡାରର ଦ୍ୱାର ଖୋଲିଯିବ ।

 

ଶ୍ରୀମତୀ କ୍ଷଣପ୍ରଭା ନିଜକୁ ଅକ୍ଷମ ରୁଗଣ ନିରାଶ୍ରୟଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ତାଙ୍କ ପାଖରେ ଧନରତ୍ନର ମୂଲ୍ୟ ଅପେକ୍ଷା ସ୍ୱାମୀଙ୍କର ଆଦେଶ ଅଧିକ ମୂଲ୍ୟବାନ । ତୋର ବନ୍ଧୁକୁ ତୁ ଭଲକରି ଜାଣୁ । ମୋ ଚକ୍ଷୁରେ ସେ କେବଳ ବନ୍ଧୁପତ୍ନୀ ନୁହନ୍ତି, ସେ ଭଗ୍ନୀ, ସେ ମାତା, ସେ ମମତା-। ବୟସରେ ସାନ ହେଲେ ମଧ୍ୟ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ପାଖରେ ମୋର ମୁଣ୍ଡ ନଇଁ ଆସେ ।

 

ଘରଛାଡ଼ି ବାଟକୁ ଆସି ଦୁନିଆଁର ପ୍ରକୃତ ରୂପ ଜାଣିବାକୁ ମୁଁ ସଂକଳ୍ପ କଲି । ମୋର ଏହି ସଂକଳ୍ପର କାରଣ ଓ ଉଦ୍ଦେଶ୍ୟ ଜାଣିବାକୁ କେବଳ ତୋର ଅଧିକାର ଅଛି, ଆଉ କାହାରି ନାହିଁ-। ତୁ ମୋର ସାନ ଭଉଣୀ, ସୁନା ଭଉଣୀ । ମୋ ମନର କଥା ତୁଷାର କି କ୍ଷଣପ୍ରଭାଙ୍କୁ କହିବାକୁ ମୁଁ ବେଳ ପାଇନାହିଁ । ତୁ ବୁଝାଇ କହିବୁ, ମୋ ପାଇଁ କ୍ଷମା ଚାହିଁବୁ–

 

ହେମାଙ୍ଗିନୀର ଆଖିରେ ଲୁହ ଛଳ ଛଳ ହୁଏ । ସେ ଭାବେ, ଏଥିପାଇଁ କଣ ସେ ଦାୟୀ-? କ୍ଷଣପ୍ରଭାକୁ ଯେଉଁ ଅନୁରୋଧ କରିଥିଲା, ତାଆର ଫଳ ଏ ? କ୍ଷଣପ୍ରଭା ତେବେ ଗଲା କୁଆଡ଼େ-? ଏ ଚିଠି କଣ କେବଳ ଗୋଟାଏ ଛଳନା, କୈଫିୟତ୍‌ ନୁହେଁ ଧୂଆଁବାଣ ?

 

ହେମାଙ୍ଗିନୀ ସ୍ଥିର କରିପାରିଲା ନାହିଁ ।

 

ଯୁଆଡ଼େ ଚାହିଁଲେ ଢେଉଢେଉକା ପାହାଡ଼ମାଳ । କେଉଁଠି ନିଘଞ୍ଚ ଅରଣ୍ୟ, କେଉଁଠି ବା ନଣ୍ଡା ପାହାଡ଼ର ତାଳୁରୁ ତଳିପା ଯାଏ ଅଳସୀ କ୍ଷେତ; ସୁନାର ଢେଉ ଭାଙ୍ଗୁଛି । ହଳଦିଆ ଫୁଲର ବିସ୍ତୃତି । ପାହାଡ଼ର ମଥା ଉପରେ ବଉଦର ମେଳା । ପାହାଡ଼ ଉପରୁ ଝରି ଆସୁଛି କେତେ ଝରଣା, କୂଳେ କୂଳେ କଦଳୀ ବଣ, ପଣସ ବଣ, ଗହୀଡ଼ା ଝୋଲାର ଦୁଇ ପାଖେ, ପୁଣି ଗାଆଁ ତଳି-। ପଡ଼ାଗାଁ ଭୂଇଁରେ ପାହାଡ଼ିଆ ସବୁଜ କ୍ଷେତ, –ଧାନ, ମାଣ୍ଡିଆ, କେତେ ଜାତିର ସୁଆଁ–

 

ଏଇଠି ସେମାନେ ରହନ୍ତି, ସରଗଓହ୍ଲା । ମଣିଷ ପିଲା । ପରଜା, ଗଦବା, ଜାତାପ, ଏନେଟିଦୋରା । ଦୂରେଇ ଦୂରେଇ ଧାଡ଼ିଧାଡ଼ିକା ମେଞ୍ଚମେଞ୍ଚିକା ନୁଆଁଣିଆ ଚାଳଘର । ପାହାଡ଼ ତଳେ, ପାହାଡ଼ର ଗଡ଼ାଣିରେ, ପୁଣି ମଥା ଉପରେ । ପଟ୍ଟାଙ୍ଗି ପାଖରୁ ତିନିକୋଶ ଦୂର, ଦୁଇ ତିନିଟା ପାହାଡ଼ ସେପାରି, ସମୁଦ୍ର ପତ୍ତନରୁ ତିନି ହଜାର ଫୁଟ ଉପରେ, ସରଗକୁ ଲାଗିଛି ପରା ମଥା, –ଚନ୍ଦକା ଗାଆଁ–

 

ଗାଦବାଗୁଡ଼ା ବସ୍ତିକୁ ଛାଡ଼ି ଟିକିଏ ଦୂରରେ ପାହାଡ଼ତଳି ପଥୁରିଆ ଭୂଇଁ ଉପରେ, ଗହୀଡ଼ିଆ କୁଳୁକୁଳୁ ବଙ୍କା ବଙ୍କା ଝରଣା କୂଳରେ ନୂଆ ଆଶ୍ରମ । ଚାଳଘର ଉପରେ ତ୍ରିରଙ୍ଗ ପତାକା ଫର ଫର ଉଡ଼ୁଛି । ଉଚ୍ଚପିଣ୍ଡା ଉପରେ ବସି ଦୁଷ୍ମନ୍ତ ଚାହିଁ ରହିଛ ଦୂରକୁ ।

 

ପାଖକୁ ଆସିଲେ ଜଣେ ସୁନ୍ଦର ବଳିଷ୍ଠ ଯୁବକ, ଯିଏ ଆଶ୍ରମ ସ୍ଥାପନ କରିଛନ୍ତି । ଲୋକେ ତାଙ୍କୁ ସଗର ରଜା ବୋଲି ଡାକନ୍ତି । ଆଶ୍ରମରେ ପାଞ୍ଚଟି କର୍ମୀ ।

 

ସଗର ଭତରା, ଦିନେ ସେ ଧୂମକେତୁ ନାମରେ ପରିଚିତ ଥିଲେ, ଦେହରେ ଖଦଡ଼ ଜାମା, ମୁଣ୍ଡରେ ଟୋପି, ହାତରେ ଠେଙ୍ଗା, କାନ୍ଧରେ ଔଷଧ ବାକ୍‌ସ ।

 

ପଚାରିଲେ, କଣ ଦେଖୁଛନ୍ତି ?

 

ସରଗର ଦୃଶ୍ୟ, ସରଗରୁ ଓହ୍ଲାଇ ଆସିଛନ୍ତି ଯେଉଁ ମଣିଷ । ଏଠି ତ କେହି ପଶୁ ନାହାନ୍ତି ସଗର ବାବୁ !

 

ସଗର କହିଲେ, ସମସ୍ତେ ମଣିଷ ପରି ଦିଶନ୍ତି । ହାତଗୋଡ଼ ଅଛି, କଥା କହନ୍ତି, ଭଲ ମନ୍ଦ ବୁଝନ୍ତି, ହସନ୍ତି କାନ୍ଦନ୍ତି, ଗୀତ ବୋଲନ୍ତି, ନାଚନ୍ତି, ବାଇଦ ବଜାନ୍ତି, ଲାଜ ଘୋଡ଼ାଇାବକୁ ଲୁଗା ପିନ୍ଧନ୍ତି, ସୁନ୍ଦର ଦିଶିବାକୁ ଛାତିରେ ରଙ୍ଗଢଙ୍ଗର କାଚମାଳୀ ଦୋହଲାନ୍ତି, କାନରେ ଗୋଲକ ଝୁଲାନ୍ତି. ମୁଣ୍ଡରେ ଫୁଲ ଖୋସନ୍ତି, ପେଟ ପୋଷିବାକୁ ଚାଷ କରନ୍ତି, ଶିକାର କରନ୍ତି, ଭୂଇଁଖୋଳି କନ୍ଦା କାଢ଼ନ୍ତି, ମୂଷା ଢମଣା ସାପ ଧରନ୍ତି, ଗଛଚଢ଼ି କାଇ ଭାଙ୍ଗନ୍ତି, ଫଳ ତୋଳନ୍ତି, ଭଲ ମନ୍ଦ ପାଇଁ ଠାକୁର ଠାକୁରାଣୀ ପୂଜନ୍ତି, ସଂସାର କରନ୍ତି, ସମାଜ ଗଢ଼ନ୍ତି, ବାପା ମା ଭାଇ ବନ୍ଧୁଙ୍କୁ ସ୍ନେହ କରନ୍ତି, ଅତିଥିକୁ ସମ୍ମାନ ଦେଖାନ୍ତି, ତାର ଯତ୍ନ ନିଅନ୍ତି–

 

ଦୁଷ୍ମନ୍ତ ପଚାରିଲା, କେଉଁ କାରଣରୁ ସେମାନଙ୍କୁ ପଶୁ ଆଖ୍ୟା ଆପଣ ଦେଇଥିଲେ ?

 

ସଗରବାବୁ ଦରହସିଲା ହୋଇ କହିଲେ, ଧୀରେ ଧୀରେ ବୁଝିବେ । ସବୁ ଥିଲେ ମଧ୍ୟ ସେମାନେ ଆଧୁନିକ ମଣିଷର ସ୍ତରକୁ ଉଠି ପାରିନାହାନ୍ତି । ମଦ, କ୍ରୋଧ, ଅଖାଦ୍ୟ, ଅଶିକ୍ଷା, ଅପରିଚ୍ଛନ୍ନତା, ଆଳସ୍ୟ, ଭୀରୁତା, ନିର୍ବୁଦ୍ଧିତା, ଅଦୂରଦର୍ଶିତା ଇତ୍ୟାଦି ସବୁ କୁସଂସ୍କାର, ଅନ୍ଧ–ବିଶ୍ୱାସ, ଏହି ସରଗ ଭୂଇଁକୁ ନରକ କରିଛି ଦୁଷ୍ମନ୍ତବାବୁ, ମଣିଷକୁ ପଶୁଠୁଁ ହୀନ କରିଛି ।

 

ଯାହାକୁ ଆପଣ ସଭ୍ୟ ଦୁନିଆ ବା ସଭ୍ୟ ମଣିଷ ବୋଲି ଅନୁମାନ କରିଛନ୍ତି, ସେମାନେ ବି ଏସବୁ ଦୋଷରୁ ରକ୍ଷା ପାଇ ନାହାନ୍ତି । ଆପଣଙ୍କ ଧାରଣାରେ ସେମାନେ କଅଣ ?

 

ଅସଭ୍ୟ ।

ତେବେ ପ୍ରଭେଦ କଣ ?

 

ଏମାନଙ୍କର ନିଃସହାୟତା ତାଙ୍କୁ ଆପଣାର କରିପାରିଲେ ତାଙ୍କର ମନର ଦୁଆର ଖୋଲିବ । ଆପଣ ତହିଁରେ ପ୍ରବେଶ କରିବେ । ଧୀରେ ଧୀରେ ଆରମ୍ଭ କରିବେ ସଂସ୍କାର । ଉଠନ୍ତୁ ନିଅନ୍ତୁ ଏ ହୋମିଓପାଥି ବାକସ । ତାଙ୍କୁ ଆପଣାର କରିବାର ମନ୍ତ୍ର ଏହାର ଭିତରେ ଅଛି । ଆଜି ଅନେକ ଦୂର ଯିବା, ଦୁଇଟା ପାହାଡ଼ ପାରି ।

 

ଦୁଷ୍ମନ୍ତ ଉଠିଲା । ପାହାଡ଼ ଉପର ବାଦଲ ଫାଙ୍କରେ ସୂର୍ଯ୍ୟ ଉଙ୍କି ମାରିଲେଣି, ବେଳ ହେଲାଣି ପହରେ ।

 

ନୀହାରିକା କ୍ଷଣପ୍ରଭାର ନିର୍ମମ ପତ୍ରଖଣ୍ଡକି ବାରମ୍ବାର ପଢ଼େ, ଆଖିରୁ ଲୋତକ ଧାର ଝରେ, ଛାତିରୁ ଉଠେ ଦୁଃଖର ଝଡ଼–

 

ସନ୍ଦେହର ପାରାବାରରେ ଉବୁଟୁବୁ ହୋଇ କେତେଦିନ ଆଉ ରହନ୍ତି ନୀର ? ଦୁନିଆର ସବୁ ସମାଲୋଚନା, କୁତ୍ସା, ଅପବାଦ ମତେ ପରିହାସ ପରି ଲାଗୁଥିଲା । ମନରେ ବେଳେବେଳେ ରାଗ ଅଭିମାନ ଆସେ, କିନ୍ତୁ ମୁଁ ସବୁ ଆଡ଼େଇ ଦେଇ ହସେ । ଯେଉଁ ଆଦର୍ଶ ପଛରେ ତମର ଭାଇ ଗୋଡ଼ାଇଛନ୍ତି, ସେଇ ଆଦର୍ଶକୁ ନିଜର କରି ମୁଁ ଧାଇଁଥିଲି, ଅନୁପ୍ରାଣିତ ହୋଇ ନିଜକୁ ଭୁଲି କାମ କରିଥିଲି । ଅନେକ ଘଟଣା ଘଟିଲା । ପିଲାଲୋକ ତୁମେ, କେମିତି ଜାଣିବ, କଅଣ ବୁଝିବ ?

 

ଭଲ ମନ୍ଦ ଜାଣିବା ଆଗରୁ, ଆଖି ସାମନାରୁ କୁହୁଡ଼ିଆ ଭାବନାର ଛାୟା ଅପସରି ଯିବା ଆଗରୁ, ଘଟଣାକୁ ବୁଝିବାକୁ ଚେଷ୍ଟାକଲ । ତମ ନୂଆଉ ଉପରେ କେତେ କାଳରୁ ମନରେ ଜଳୁଥିବା ସନ୍ଦେହକୁ ସତ ବୋଲି ମଣିଲ । କହ ତ, ଆଉ ମତେ କିଏ ବିଶ୍ୱାସ କରିପାରିବି ? ଭାବୁଥିଲି ପ୍ରକୃତ କଥାଟା ତମ ଆଗରେ ଖୋଲି କହିବି, କିନ୍ତୁ ମୁଁ ମୋର ମନ ବଦଳାଇଲି । ତମେ ଯେ ମତେ ସନ୍ଦେହ କରିଛ, ଏହି ଧାରଣା ମୋର ମନରେ ରକ୍ତର ଗାର ଟାଣି ଦେଇଛି । ତମେ ନୀର, ମୋର ସ୍ନେହର ପିତୁଳା, ମୋର ଅତି ଆଦରର ଧନ, ତମୁକୁ କୈଫିୟତ୍‌ ଦେବାକୁ ମୋର ତୁଣ୍ଡ ଫିଟନ୍ତା କି ?

 

ପରଘରର ବୋଝ ମୁଣ୍ଡରେ ବୋହି, ଦାସୀବୃତ୍ତି କରି, ବଡ଼ କୋଠାର କାରାଗାରରେ ବନ୍ଦୀ ହୋଇ ରହିଥିଲି ଯାହାଙ୍କ ପାଇଁ, ସେ, ତମର ଭାଇ, ମୋତେ ବନ୍ଧୁର ଆସନ ଦେଇ ନମସ୍କାର କରି ଦୂରକୁ ଠେଲି ଦେଲେ । ତାଙ୍କର ମନ ପାଖରୁ ଦୂରେଇ ଆସି ମୁଁ କଣ ହୋଇ ଦୁଷ୍ମନ୍ତବାବୁଙ୍କ ଘରେ ରହନ୍ତି ? ତମ ଭାଇଙ୍କର ଆଦର୍ଶରେ ଆତ୍ମା ହେଉଛି ତାଙ୍କର ନିଃସହାୟତା । ତାଙ୍କର ଅବଲମ୍ବନ ହେଉଛନ୍ତି ଧନୀର ସନ୍ତାନ ଦୁଷ୍ମନ୍ତବାବୁ । ତାଙ୍କ ପାଖରୁ ଦୂରେଇ ଆସି କାହିଁକି ମୁଁ ଦୁଷ୍ମନ୍ତଙ୍କର ଘରର ଦାୟିତ୍ୱ ଗ୍ରହଣ କରି ରହିବି ଓ ଆହୁରି ଅଧିକ ଲୋକହସା ହେବି ?

 

ସେଇଥିପାଇଁ ମୋର ଏ ସଂକଳ୍ପ ।

 

ଯେଉଁଦିନ ନିଃସହାୟତାର ଦୁର୍ବଳତା ତମ ଭାଇଙ୍କ ମନରୁ ଝଡ଼ି ପଡ଼ିବ, ଯେଉଁଦିନ ବନ୍ଧୁର ଆଶ୍ରାରୁ ମୁକ୍ତିଲଭି କୋଠାରୁ ଓହ୍ଲାଇ ବାଟକଡ଼ରେ ଠିଆହୋଇ ମତେ ସେ ଖୋଜିବେ, ସେଇଦିନ ମୁଁ ପୁଣି ଫେରି ଆସିବି । ତାଙ୍କର ହାତଧରି ବାଟ କଢ଼ାଇବି । ମୋତେ ସେ ଦୂରେଇ ଦେଲେ ବି ମୁଁ ତାଙ୍କର ଧର୍ମପତ୍ନୀ, ତମର ନୂଆଉ, ମୋର କର୍ତ୍ତବ୍ୟରେ ମୁଁ କେବେ ହେଳା କରିବି ନାହିଁ ।

 

ଯେତେଥର ଚିଠି ଖଣ୍ଡି ପଢ଼େ ଆଖି ଲୁହରେ ମୁହଁ ଭସାଏ । ନିଜକୁ ତିରସ୍କାର କରେ । ଇଚ୍ଛାହୁଏ, ଧାଇଁଯାଇ ଭାଇ ଆଗରେ ଚିଠି ଖଣ୍ଡି ପଢ଼ିବ, ପଚାରିବ–

 

କଣ ପଚାରିବ ?

ଦୁଷ୍ମନ୍ତ ଭାଇ ଗଲେ କୁଆଡ଼େ ?

ଚିଠିକୁ ଅନାଇଁ ଭାବେ । ହାତରେ ଚିଠି ଥରି ଉଠେ ।

 

କାର୍ତ୍ତିକ ପୂନେଇ ପାଖେଇ ଆସିଲା । ରାତି ପାହାନ୍ତାରୁ ବିଜିପୁରର ଝିଅ ବୋହୁ ବଡ଼ପୋଖରୀରେ ବୁଡ଼ ପକାଉଛନ୍ତି । ହେମାଳିଆ ପାଣି । ଶୀତୁଳିଆ ପାଗ ।

 

ତାଳୁରୁ ତଳିପା ଯାଏ ବରଡ଼ାପତ୍ର ପରି ଥରି ଉଠୁଛି । ଦାନ୍ତରେ ବାଜୁଛି ଦାନ୍ତ । ହସ, ଖୁସି, କୌତୁକ । ଧରାଧରି ହୋଇ ଝିଅବୋହୂ ପାଣିରେ ପଶୁଛନ୍ତି । ବଡ଼ ପୋଖରୀର କଳାଭଅଁର କାକର ପାଣି ଛାତି ଦେଖାଇ ଲମ୍ବି ଯାଇଛି, ଆଖି ପାଉନାହିଁ । କଇଁ, କମଳ କି କଳମ୍ବ ଦଳ ସେ ପୋଖରୀର ନାହିଁ । ପରିଷ୍କାର ନିର୍ମଳ । କଳାଭଅଁର ପାଣି ଉପରେ ନାହାନ୍ତି ଆକାଶର ଦରଲିଭିଲା ତାରା ମୁହଁ ଦେଖୁଛନ୍ତି । ଚାରିପାଖେ ଘେରି ରହିଛି ଦିଗହଜା ଗହୀର ବିଲ, ଧାନକ୍ଷେତ । ଫଳଭାରରେ ନଇଁ ପଡ଼ିଛି ସବୁଜ କ୍ଷେତ ।

 

ଗାଆଁର ଝିଅବୋହୂଙ୍କ ସାଥିରେ ହସ କୌତୁକରେ ପାଣି ପକାପକି ହେଇ ଟୁବ୍‌କରି ମୁଣ୍ଡ ବୁଡ଼ାଇଲା କ୍ଷଣପ୍ରଭା । ଉଠିଲା । ଶୀତ ଛାଡ଼ିଲା । ଦେହରୁ ଉଠିଲା ଉଷୁମୂଳିଆ ବାମ୍ଫ । ମନେହେଲା ଦେହର ସବୁ ପାତକ, ମନର ସବୁ ମଇଳା ଗୋଟିଏ ବୁଡ଼ରେ ଧୋଇ ପରିଷ୍କାର ହେଲା । ଉତ୍ତେଜନାରେ ଉଷୁମ ହୋଇଥିଲା ଯେଉଁ ରକତ, ସେ ବି ଶୀତଳ ହେଲା । ଆତ୍ମା ହେଲା କଳୁଷହୀନ, ଉଦାର, ଶାନ୍ତ ଅବିକଳ ଏଇ ବଡ଼ ପୋଖରୀ ପରି, ମଥା ଉପରେ ନିର୍ମଳ ଅନନ୍ତ ଅନ୍ତରୀକ୍ଷ ପରି । ଅଭିମାନ ମୁଣ୍ଡ ନୋଇଁଲା, ସୁବଜ ଶାନ୍ତ ଦିଗହଜା କ୍ଷେତର ଫଳଭାରରେ ଅବନତ ଧାନକ୍ଷେତ ପରି ।

 

ରାଜ-ଜେମା ସେ ନୁହଁ । ରାଜ-ଜେମା ପଦ ସାତ ସପନ । ସେ ଗାଁର ଝିଅ । ସମସ୍ତେ ତାର ସଖୀ, ଆଉ ସେ ବି ସମସ୍ତଙ୍କର ସଖୀ । ଯୁଗ ମାନବର ସମତା । ମନ୍ତ୍ର କୁହୁକ କାଠି ପରଶରେ ସବୁ ଝିଅବୋହୂ ସପନ–ପ୍ରତିମା ରାଜ–ଜେମା ହୋଇଛନ୍ତି । କେଣ୍ଡି କେଣ୍ଡିକା ଫଳଭରା ଧାନଗଛ ପରି ସମସ୍ତେ ହୋଇଛନ୍ତି ଓଜନ, ସଭିଁଙ୍କ କୋଳରେ ସମସ୍ତେ ନୋଇଁଛନ୍ତି ମଥା । ସ୍ନେହ, ସୋହାଗ, ଆଦର, ପ୍ରେମରେ ଛନ୍ଦାଛନ୍ଦି ହୋଇ ସମସ୍ତେ ଦିଶୁଚନ୍ତି ସୁନ୍ଦର, ବିଜିପୁର ଗହୀରର ଛନ୍ଦାଛନ୍ଦି ଧାନଗଛର ସମଷ୍ଟି ପରି ମଣିଷ ସାଗର–

 

ସୁବଜାତି ଏଠି ଅଛନ୍ତି, ସବୁଜାତି ଏଠି ବଡ଼, କେହି ସାନ ନୁହେଁ । ମଣିଷକୁ ମଣିଷ ଛୁଇଁଲେ ଛୁଆଁ ହେବା କଥା ଆଶ୍ଚର୍ଯ୍ୟ ଲାଗେ । ଜେମା ଚାହେଁ କାବା କାବା ହୋଇ ଗାୟତ୍ରୀ ମୁହଁକୁ-। ପଚାରେ, ଛୁଆଁ କଅଣ ଗାୟତ୍ରୀ ଅପା, ବଥ ପରି, ଜର ପରି, କେମିତି ଲୋ ?

 

ଉତ୍ତର ପାଏ ନାହିଁ ।

 

ଗୋଟିଏ ଜାତି ଭିତରେ ବାହା ନିମିତ୍ୟ ପୁଣି କେବେ ହେଉଥିଲା, ଆର ଜାତି କୁଆଡ଼େ ଛୋଟ । ଗାୟତ୍ରୀ ପଚାରେ ଜେମାକୁ, କେମିତି ଲୋ ବଡ଼ ସାନ ଜାତି, ରଙ୍ଗରେ ନା ଡେଙ୍ଗରେ ?

 

ସମସ୍ତେ ହସି ହସି ଗଡ଼ିଯାଆନ୍ତି ।

 

ପାଣଘର ଝିଅ ପୁଣି ବଢ଼େଇ ଘର ବୋହୂ, ଥାକୁଲୁ ଥାକୁଲୁ ଚମ୍ପାଫୁଲ ପରି ଉଜ୍ଜ୍ୱଳ, ସେବତୀ ଧଇଲା ପ୍ରଭାର ହାତ । ତଉଲିଆରେ ପିଠି ଘଷି କହିଲା, କେଡ଼େ ଧଡ଼ିଆ ହୋଇଛି ଗୋ, ବଡ଼ ସହରରେ ବଡ଼ ଘରେ ରହିଲେ ଭଲ ଖାଇ ଭଲ ପିନ୍ଧିଲେ କଣ ଧିଅରୁ ମାଉଁସ ଝଡ଼େ କି ପରଭା ?

 

ପ୍ରଭା କହିଲା, ହଁ ଲୋ ଅପା, ସେଠି ସବୁ ମିଳେ, ଏକା ମିଳେ ନାଇଁ ଏଇ ଶରଧାରୁ ଟିକିଏ, ଭାଉଜ ଓ ଅପାମାନଙ୍କ ହାତରେ ପରଶ ।

 

ଲୁଗା ପାଲଟି ତନ୍ତୀଘର ଝିଅ, କରଣଘର ବୋହୂ, ସୁନାଖଡ଼ିକା ପ୍ରତିମା କହିଲା, ଆସ ଲୋ ଝଅଟ, ଶୀତ ହେଉନାହିଁକି ? ଆଗୋ ପ୍ରଭା, ଶୀତୁଳିଆ ବଡ଼ି ସକାଳେ ହେମାଳିଆ ବାସି ପଖାଳ ସାଙ୍ଗକୁ କାକରିଆ ମୂଳା–କାଞ୍ଜି କେମିତି ମଜା କହିଲ ? ତମ ବଡ଼ ସହରରେ ମିଳେ ଏମିତି ଦରବ ?

 

ପ୍ରଭା କୂଳକୁ ଉଠି କହିଲା, ମିଳେ ନାଇଁ ଲୋ ନୂଆବୋହୂ ଏ ଅମୂଲ୍ୟ ଦରବ, କ୍ଷିରୀ ପୁରି ପଛ କରିବ । ଆଜି ତମରି କଂସାରେ ମୋର ହାତ ବୁଡ଼ିବ ।

 

ଏଡ଼େ ଭାଗ୍ୟ ମୋର ହେବ ସତେ !

 

ମୋ ଭାଗ୍ୟଲୋ ନୂଆବୋହୂ, ଯେଉଁଦିନ ଏ ଗାଁ ଛାଡ଼ି ଯାଇଥିଲି ସେଦିନ ମୋର ମା ମାଉସୀ ଭଉଣୀ ଭାଉଜ ଏ ଗାଆଁରେ କେହି ନ ଥିଲେ, ଆଜି ମତେ ସପନ ପରି ଲାଗୁଛି । ଏତେ ମାଆ ମାଉସୀ ଭଉଣୀ ତମେ ସରଗରୁ ଓହ୍ଲାଇ ଆସିଛ, ମତେ କଣ ପର କରିବ କି ?

 

ଗଉଡ଼ ଘର ଝିଅ ପୁଣି ଖଣ୍ଡାଇତ ଘର ବୋହୂ, ସୁବର୍ଣ୍ଣଲତା କହି ଉଠିଲା ଭ୍ରୃଲତା ଟେକି, ଭାରି କୁହାଳିଆ ପ୍ରତିମା ଅପା, ଭୁଲି ଗଲକି ପ୍ରଭା ଅପା, ଆଜି ମୋ ପୁଅର ଜନମ ଦିନ । କାଲିପରି ତମୁକୁ ସବୁ ବୋଉ ମୋର ନିମତା କରିଥିଲା । ଆଜି ସକାଳେ ତମେ ମୋ ପୁଅକୁ ବନ୍ଦେଇବ ନାଇଁ କି ? ଆଜି ବୁଢ଼ାଚକୁଳି, ଛୁଞ୍ଚିପତର, ଛେନା-କାକରା ପାଗ । ସମସ୍ତେ ଆମେ ଏକାଠି ବସିବା, ନଇଲେ ରାଣ ପକେଇବି କହି ଦେଉଛି ।

 

କୁମ୍ଭାର ଘର ଝିଅ ବ୍ରାହ୍ମଣ ଘର ବୋହୂ ଶ୍ୟାମଳୀ, ବିଚକ୍ଷଣ ବୁଦ୍ଧି, ସବୁ ପୁରାଣ ଯାହାର କଣ୍ଠରେ, ଗୁଣ ଦେଖି ଦିହର ରଙ୍ଗ ଭୁଲି ଆଚାର୍ଯ୍ୟ ଯାହାକୁ କୁଳର ବୋହୂ କରି କୋଳରେ ଥାନ ଦେଇଛନ୍ତି, ମୁରୁକି ହସି କହିଲା, କଣ ହେଇଛି କି ମୋର, ତମୁକୁ ମୁଁ ଡାକିବି । ହେଲେ, ମନ ହେଉଛି ଡାକିବାକୁ । ଆର ବରଷ ଏଇ ଦିନକୁ ମୋର ପୁଅର ଏକୋଇଶା ହେବ, ଆଗରୁ ବହିନା ଡାକରା ରହିଲା ।

 

ସମସ୍ତେ ହସି ଉଠିଲେ । ଶ୍ୟାମଳୀ ନିଜ ଦେହକୁ ଲଗାଇ କଥା କହେ । ତା ତୁଣ୍ଡରୁ ବଚନ ବାହାରିଲେ ଚାରିଆଡ଼େ ହସର ରୋଳ ଉଠେ ।

 

ମାଳୀଘର ଅଭିଆଡ଼ୀ ଝିଅ ଡଉଲ ଡାଉଲ ଚମ୍ପାବତୀ କହିଲା, ଏତେ ଦିନକୁ ଆଇସ ଥିଲେ ତ ? ଆଲୋ ଶ୍ୟାମଳୀ ଅପା, ଭାଇ ତ ତୋର କଣ୍ଢେଇ ଗଢ଼େ, ଗେରସ୍ତ ମନ୍ତର ପଢ଼ି ଜୀବନ ଦିଏ, ସହଳ ସହଳ ପୁଅର ଏକୋଇଶା କରୁନୁ ? ଜିଭକୁ ଧୋବା ଘରେ ପକାଇ କିଏ ଟାକି ବସିବ ଏତେଦିନ ?

 

ଶ୍ୟାମଳୀ କହିଲା, କେତେ ଡେରି କରୁଛ ଲୋ, ଆସୁନ । ଆଲୋ ଗପପେଡ଼ି ଚମ୍ପାବତୀ, ସହଳ ଆ କହୁଛି, ଫୁଲ ଦେଲେ ଠାକୁର ପୂଜିବି । ମୋର ସେ ଦିଅର ଟୋକାଟା, ତୋ କଥା ଖାଲି ଭଜି ହେଉଛି । ପୋଷା ବିଲେଇ ପରି ମୋ ଚାରିକତି ବୁଲୁଛି, ଡବ ଡବ କରି ଚାହୁଁଛି । ଚମ୍ପାଫୁଲ କାନରେ ଖୋସି ଗୁଣୁଗୁଣୁ ଗୀତ ବୋଲୁଛି । ଫୁଲ ମାଳେ ଆଜି ନେଇଥିବୁ ଲୋ, ବୁଢ଼ା ଶଶୁର ମଙ୍ଗିଲେଣି, ଆଜି ତମକୁ ମୁଁ ବାନ୍ଧିବି । ବଡ଼ ଓଷାଦିନ ବାହା । ସେଇଦିନକୁ ମୋ ନିମତା ରହିଲା ଶୁଣୁଥା ସମସ୍ତେ ।

 

କାନ୍ଦୁଣିମାନ୍ଦୁଣି ହୋଇ ଚମ୍ପା ଧରିଲା ପ୍ରଭାର ହାତ, ତାର ପିଠିଆଡ଼େ ମୁହଁ ଲୁଚାଇ କହିଲା, ଦେଖୁଛୁ ପ୍ରଭା ଅପା, କେମିତି ମତେ ସେ ଚିଡ଼ାଉଛି ?

 

ପ୍ରଭା ତାକୁ ଆଗକୁ ଆଣି ତା ପୂରିଲା ପୂରିଲା ମୁହଁ ଲୁହ ଢଳଢଳ ଆଖିକି ଚାହିଁ କହିଲା, ବଡ଼ ଦୁଷ୍ଟ ସେ ଶ୍ୟାମଳୀ, ମାଳିଘର ଝିଅ ଚମ୍ପାକଢ଼ୀକି ସମସ୍ତେ ମୁଣ୍ଡରେ ଖୋସିବାକୁ ଶରଧା କରନ୍ତି । ଆଚାର୍ଯ୍ୟଘରର ପୁଅ ମୁଣ୍ଡରେ କଣ ସିଙ୍ଘ ଉଠୁଛି କି ?

 

ଭାରି ଉପାକାରିଆଟା ତୁ !

 

ଚମ୍ପାବତୀ ରାଗ ତମତମ ହୋଇ ଆଗକୁ ଚାଲିଲା । ତା ପଛେ ପଛେ ଝିଅବୋହୂ ଧାଡ଼ି ଧରି ଚାଲିଲେ ।

ସକାଳ ହେଲା । ଦୂରରୂ କୁହୁଡ଼ି ମାଡ଼ି ଆସୁଛି । ମନର କୁହୁଡ଼ି ସେପାଖେ କାନ୍ଦ କାନ୍ଦ ହୋଇ ଠିଆ ହୋଇଛି ତାର ସ୍ନେହର ପିତୁଳା ନଣନ୍ଦ ନୀହାରିକା, ଆଖିରୁ ଦୁଇଧାର ଲୁହ ଗଡ଼ି ଆସୁଛି । ଭାଇର ହାତ ଧରି ସେ ବାଟ କଢ଼ାଉଛି ।

 

କେଉଁଠି !

 

କ୍ଷଣପ୍ରଭା ଚାରିଆଡ଼କୁ ଚାହିଁଲା । ଲୁହର ବାଦଲ ଭିତରେ ସବୁ ଭାବନା ସବୁ ଆଶା ହଜିଗଲା ।

 

ସେ ଆଗକୁ ଚାଲିଲା ।

ବଡ଼ଓଷା ।

 

ଶୀତ କମିଲାଣି, ବେଳ ଦଶଟା ହେଲାଣି । କଅଁଳ ଖରା । କ୍ଷଣପ୍ରଭା ଏପାଖ ଘରକୁ ଆସିଲା । ପରଶୁରାମ ପଦାକୁ ବାହାରି ଆସୁଥିଲେ, ଝିଅକୁ ଦେଖି ଅଟକି ଠିଆ ହେଲେ । ଆଖି ପଡ଼ିଲା ଆଗରେ । ଦାଣ୍ଡଆଗ ଖରାରେ ଦୁହଁଳିଆ କାଳୀ ଗାଈର ଚିରରେ ମୁହଁ ଲଗାଇଛି କଅଁଳା ବାଛୁରୀ । ଆଖି ବୁଜି ଗାଈଟି ତାର ନରମ ଦେହ ଚାଟୁଛି । ପିଣ୍ଡାକଡ଼ ଖରାରେ ଉପରକୁ ଚାହିଁ ପଡ଼ିଛି ଧଳା କୁକୁର । ଛାତିରେ ଲାଗିଛନ୍ତି ପାଞ୍ଚୋଟି କଅଁଳା ଛୁଆ, ସବୁ ରଙ୍ଗର, ସୁନ୍ଦର ଚିକ୍‌ ଚିକ୍‌ କୁଲୁକୁଲିଆ ।

 

କ୍ଷଣପ୍ରଭା ମଧ୍ୟ ଅନାଇଁ ରହିଲା । କହିଲା, ବାପା !

ସେହଭରା ହସିଲା ଦୃଷ୍ଟିରେ ପରଶୁରାମ ଝିଅକୁ ଅନାଇଁ ପଚାରିଲେ, କଅଣ ମା ?

 

ପରଶୁରାମ ଦେଖିଲେ ତାଙ୍କର ସ୍ନେହର ପିତୁଳାକୁ, କେଡ଼େ ଯତ୍ନରେ କେଉଁ ଅପା ତାର ମୁଣ୍ଡ ବାନ୍ଧି ଦେଇଛି, ଗଭାରେ ଖଞ୍ଜିଛି ଫୁଲର ମାଳ । କେଉଁ ଭାଉଜ ଆଖିରେ ନାଇ ଦେଇଛି ସରୁ କଜଳ, ମଥାରେ ସିନ୍ଦୂର ଗାର, କପାଳରେ ସିନ୍ଦୂର ଟୋପା । କେଉଁ ଭଉଣୀ ପାଦରେ ମଣ୍ଡିଛି ଅଳତା ।

 

ଗେହ୍ଲେଇ ଡାକିଲା, ବାପା !

ପରଶୁରାମଙ୍କର ସ୍ନେହବୋଳା କଅଁଳ ଉତ୍ତର, କଅଣ କହ ।

 

ମୁଁ ଯାଇ ବୋଉଙ୍କୁ ନେଇ ଆସିବି । ମୋର ସବୁ ଅନାଥ ନିଆଶ୍ରା ଭାଇଭଉଣୀ ମୋ ବୋଉ ସାଙ୍ଗେ ଆସିବେ, ଏଇଠି ରହିବେ ।

 

ଦୁନିଆ ଯାକର ସୁବ ଅନାଥ ପିଲା ?

କ୍ଷତି କଣ ବାପା ?

 

ତୁ ପାଗଳ । ବିଜିପୁର ତ ଦୁନିଆ ନୁହଁ, ଏତେ ପିଲାଙ୍କର ଦାୟିତ୍ୱ ସମ୍ଭାଳି ପାରିବ ନାହିଁ-

 

ମୋ ବୋଉ ?

ଏତେ ପିଲାଙ୍କର ଲୋଭ ଛାଡ଼ି ଗୋଟିଏ ପିଲା ପାଖକୁ ସେ ଆସିବେ ନାହିଁ ମା ।

 

ମୁଁ ଯିବି ବାପା, ମୋ ବୋଉ ଓ ମୋର ଟିକି ଟିକି ଭାଇଭଉଣୀମାନଙ୍କୁ ନେଇ ଆସିବି ଏଠିକି ।

 

ପରଶୁରାମ କହିଲେ, କେହି କାହାକୁ ଆଣିବାକୁ ଯିବା ଭଲ ନୁହେଁ । ମନକୁ ଯିଏ ଆସିବ, ସେ ଆମ ସଂସାରର ହେବ । କାହାକୁ ମୁଁ ମନା କରିବି ମା, ସମସ୍ତେ ତ ମୋର ।

 

ପରଶୁରାମ ପଦାକୁ ଚାଲିଗଲେ ।

 

କ୍ଷଣପ୍ରଭାର ଭାବନା ଛୁଟିଲା ଦୁଇ ଆଡ଼େ–ଦୂର ଗାଆଁରେ ବସିଥିବ ତାର ମା, ଚାରିପାଖେ ହସିଲା ପିଲା ବେଢ଼ି ଖେଳୁଥିବେ, କେଡ଼େ ଖୁସିରେ । ଦୂର କୋଠାରୁ ଓହ୍ଲାଇ ଆସୁଥିବ ନୀହାରିକା, ଅନ୍ଧ ଭାଇର ହାତଟି ଧରି ।

 

ଆସନ୍ତେ ଯଦି ଏଠିକି, ଏଇ ସରଗ ଭୁଇଁକୁ ! ବାପା କହିଗଲେ, ସମସ୍ତେ ତ ତାଙ୍କର । ବାପୁଜୀ ତ ସେଇ କଥା କହିଥିଲେ, ଆଖିରୁ ଲୁହ ଝରାଇ ଛାତିରୁ ରକତ ଗଡ଼ାଇ !

Image